Unknown

 

 

 

 

 

 

 

 

 

ବ୍ୟାକୁଳ ହୃଦୟ

ସାତକଡ଼ି ହୋତା

 

 

ରାତ୍ରି ଆଠଟା । ଶୀତ ଦିନ । ବାହାରେ ଥଣ୍ଡା ପବନ ବହୁଛି । ରାତି ବେଶୀ ହୋଇନି; କିନ୍ତୁ ରାସ୍ତା ଉପରେ ଜନଗହଳି ପ୍ରାୟ କହିଲେ ଚଳେ । କବାଟ ଝରକା ବନ୍ଦ କରି ଆତ୍ମରକ୍ଷା କରୁଛନ୍ତି ସମସ୍ତେ । ଆବରଣ ସତ୍ତ୍ୱେ ବାହାରକୁ ଆସିଲେ ରୋମ ଟାଙ୍କୁରି ଉଠୁଛି । ବୁଲାକୁକୁର ଗୋଟେ ଦୁଇଟା ଭୋ-ଭୋ କରି ଏପାଖ ସେପାଖ ହେଉଛନ୍ତି ।

 

ସଂକୀର୍ଣ୍ଣ ରାଜପଥ ସର୍ପିଳ ଗତିରେ ଲମ୍ୱିଯାଇଛି ମଙ୍ଗଳାବାଗ ଭିତର ଦେଇ । ଦୁଇ ପାର୍ଶ୍ୱର ବିଜୁଳିବତି ଆଲୋକିତ କରୁଛି ରାଜପଥକୁ । ଥଣ୍ଡା ପବନ ବହୁଛି; କିନ୍ତୁ ତଥାପି ଝରକା ଉନ୍ମୁକ୍ତ ଅଛି । ପ୍ରକୋଷ୍ଠ ଭିତରେ ବସିଛି ସୁନନ୍ଦା । କୋଳ ଉପରେ ବୀଣାଟି । ତାରଗୁଡ଼ିକ ଉପରେ ଅଙ୍ଗୁଳିଚାଳନା କରି ସ୍ୱର ସୃଷ୍ଟି କରି ଲଳିତ ମଧୁର କଣ୍ଠରେ ଗାଉଛି ସେ-

 

ହେ ମୋର ଅତିଥି ଆସିବ କି ତୁମେ

 

ସ୍ୱର୍ଣ୍ଣ-ବୋଇତ ବାହି,

ଜୋଛନା ନିଶିଥେ ମୁଗ୍‌ଧ ପୁଲକେ

 

ତବ ପଥ ଅଛି ଚାହିଁ ।

 

ଅପୂର୍ବ ସ୍ୱରଲହରୀ ବୀଣାର ମଧୁର ଝଙ୍କାର ଭିତରଦେଇ ଆତ୍ମପ୍ରକାଶ କରୁଛି ଅଧିକ ମଞ୍ଜୁଳ ଓ ମଧୁରତର ହୋଇ । ପବନରେ ସହସ୍ର ତରଙ୍ଗର ଆଲୋଡ଼ନ ସୃଷ୍ଟି କରି ଭାସିଯାଉଛି ସଙ୍ଗୀତର ମୂର୍ଚ୍ଛନା ।

 

ସଙ୍ଗୀତର ଅର୍ଥ ପ୍ରାଣବନ୍ତ ହୋଇ ଉଠିଛି ଗାୟିକାର ସ୍ୱରରେ । ଦିନ, ମାସ, ବର୍ଷ, ଯୁଗ ବିତିଯାଇଛି । ସ୍ୱର୍ଣ୍ଣପ୍ରଦୀପ ଜାଳି ପୂଜାରିଣୀ ଅପେକ୍ଷା କରିଛି । କି ବିପୁଳ ସେ ପ୍ରତୀକ୍ଷା ! କିନ୍ତୁ ଦେବତା ତାର ଆସିନାହିଁ । ପୂଜାଫୁଲ ଯାଇଛି ମଉଳି, ଧୂପ ହୋଇଛି ଶେଷ; କିନ୍ତୁ ତଥାପି ଆଶା ମରିନାହିଁ- ମରିପାରେନା ! ଯୁଗ-ଯୁଗ ତପସ୍ୟା କରି ଅନାଇ ରହିବ ସେ; ସେ ହେବ ତପସ୍ୱିନୀ ।

 

ଗାଇଯାଉଛି ସୁନନ୍ଦା, ଚକ୍ଷୁ ହୋଇଉଠୁଛି ସକଳ, ହୃଦୟ ହୋଇଛି ବେଦନାତୁର । ପ୍ରାଣର ସମସ୍ତ ବାସନା, ମନର ଅଶେଷ ଆକାଂକ୍ଷା ସ୍ୱଚ୍ଛନ୍ଦରେ ପ୍ରକାଶ ପାଇଯାଇଛି ।

 

ଅନ୍ତରର ଅର୍ଘ୍ୟ ନିବେଦନ କରି ଅନାଇ ରହିଛି ପୂଜାରିଣୀ ।

 

ମନ୍ଥର ହୋଇଆସୁଛି ଅଙ୍ଗୁଳିଚାଳନା, ସିକ୍ତ ହୋଇଆସୁଛି କଣ୍ଠ । ଏ କଣ ! ଏ କଣ ହେଲା ? ଆଃ, ଛିଡ଼ିଗଲା ତାରଟା ! ସୁନନ୍ଦା ଚାହିଁଛି ବୀଣା ଉପରକୁ । ସ୍ଥିର ତାର ଦୃଷ୍ଟି ।

 

‘‘ମା ଶୀଘ୍ର ଆସ, ପିଲାଟି ଅଚେତ ହୋଇ ପଡ଼ିଛି । ଟ୍ରକ୍‌ ଧକ୍‌କା ଦେଇ ଚାଲିଗଲା ଏହିକ୍ଷଣି ।’’ ଦ୍ୱାରମୁହଁ ସେ ପାଖରେ ଥାଇ ବିଚଳିତ କଣ୍ଠରେ କହିଲା ଉପେନ୍ଦ୍ର । ସେ ସୁନନ୍ଦା ପାଖରେ ଥାଏ- କାମ କରେ । ବୟସ ପଚାଶ ଟପିଛି ।

 

‘‘ଏଁ !’’ ଭୀତ ଚକିତ ହୋଇ କହିଉଠିଲା ସୁନନ୍ଦା ।

 

‘‘ଆସ ମା–ଆଉ କେହି ନାହିଁ ଯେ !’’ ବୃଦ୍ଧ ଉପେନ୍ଦ୍ରର କଥାରେ କରୁଣତା ।

 

ସୁନନ୍ଦା ଉପେନ୍ଦ୍ର ସହିତ କ୍ଷିପ୍ରଗତିରେ ଯାଇ ଯେତେବେଳେ ସଂଜ୍ଞାହୀନ ଯୁବକଟିକୁ ଟେକିଆଣି ଖଟ ଉପରେ ଶୁଆଇଦେଲା, ସେତେବେଳେ ଭୟରେ ପ୍ରାୟ ଥରୁଥାଏ ସେ । ଆହା ! ବଡ଼ ଜୋର୍‌ ଆଘାତ ଲାଗିଛି ବୋଧହୁଏ ।

 

ଯୁବକଟିର ଅବୟବକୁ ଭଲ ଭାବରେ ନିରୀକ୍ଷଣ କରି, ହାତରେ ଏପାଖ ସେପାଖ କରି ଯେତେବେଳେ ଜାଣିଲା ସୁନନ୍ଦା, ଆଘାତ ବେଶୀ ନୁହେଁ, ସେତେବେଳେ ଟିକିଏ ଆଶ୍ୱସ୍ତ ହେଲା । ଡାକ୍ତର ଡାକିବା ପାଇଁ ଉପେନ୍ଦ୍ରକୁ କହି ମୁହଁରେ ପାଣି ଛିଞ୍ଚି ପଙ୍ଖାକଲା ସୁନନ୍ଦା ।

 

ଉପେନ୍ଦ୍ର ଦୌଡ଼ିଲା ଡାକ୍ତରଙ୍କୁ ଡାକିଆଣିବା ପାଇଁ- ଡକ୍‌ଟର ମହାନ୍ତିଙ୍କର ଚେମ୍ୱର ଅତି ନିକଟରେ ।

 

ଯୁବକର ସଦ୍ୟ ଧୌତ ଗୌର ମୁଖମଣ୍ଡଳ ଉପରେ ଆଲୋକର ସ୍ତିମିତ ରେଖା ପଡ଼ିଥିଲା । ମୁଦ୍ରିତ ଆଖିପତା । ସଂଜ୍ଞାହୀନ ଯୁବକର ମୁହଁ ଉପରକୁ ଆକୁଳ ନୟନରେ ଚାହିଁରହିଥିଲା ସୁନନ୍ଦା ।

 

ଏ କିଏ ? କିଏ ଏହି ଅପରିଚିତ ପ୍ରିୟଦର୍ଶନ ଯୁବକ ?

 

ଯେତେ ଲୋକଙ୍କୁ ଦେଖିଛି ସେ ମନେପକାଇଲା ସମସ୍ତଙ୍କର ରୂପ । କିନ୍ତୁ କାହିଁ ଏପରି ଜଣେ ତ କେବେ ନୟନଗୋଚର ହୋଇନାହିଁ ତାର ! ମୁଖମଣ୍ଡଳ ଉପରେ ଔଦାସିନ୍ୟ ପ୍ରତିଭାତ ହେଉଛି ।

 

ସୁନନ୍ଦା ଚାହିଁଛି–ମୁଗ୍‌ଧ ବିସ୍ମୟ ତାର ଦୃଷ୍ଟି ।

 

ଯୁବକଟି ଆଖି ଖୋଲି ଚାହିଁଲା । ଏ କିଏ ? ସେ କେଉଁଠାରେ ? ଏ ତ ତା ଘର ନୁହେଁ-? ତେବେ ? -ବିସ୍ମୟର ସୀମା ନାହିଁ ତାର !

 

ସୁନନ୍ଦା ଦୃଷ୍ଟି ଫେରାଇ ପଚାରିଲା, ‘‘କିମିତି ଲାଗୁଛି ଆପଣଙ୍କୁ ?’’

 

ଚକିତ ହୋଇ କହିଲା ଯୁବକ, ‘‘ମୋର କଅଣ କିଛି ହୋଇଛି ? ସେପରି ତ କିଛି ନୁହେଁ- ସାମାନ୍ୟ ଜ୍ୱର ହୋଇଥିଲା–ଦୁର୍ବଳ ଲାଗୁଥିଲା, ପଡ଼ିଗଲି ।’’

 

ଚମକି ପଡ଼ିଲା ସୁନନ୍ଦା । ଏଁ, ତା ହେଲେ ଜ୍ୱର ବି ହୋଇଥିଲା ! କାହିଁ, ମୁହଁ ପୋଛିଲାବେଳେ ଉତ୍ତାପ ସେ ଅନୁଭବ କରିପାରିନାହିଁ । ଅହେତୁକୀ ଲଜ୍ଜାରେ ତାର ସମଗ୍ର ଶରୀର ନିଶ୍ଚଷ୍ଟ ହୋଇପଡ଼ିଲା ।

 

ସଂପୂର୍ଣ୍ଣରୂପେ ଯୁବକଟିର କଥାକୁ ବୁଝିବାପାଇଁ କହିଲା ସେ, ‘‘ଆପଣଙ୍କୁ ଟ୍ରକ୍‌ ଧକ୍‌କା ଦେଇ ଚାଲିଗଲା । ସଂଜ୍ଞାହୀନ ଅବସ୍ଥାରେ ଆପଣଙ୍କୁ ନେଇଆସିଲୁ ଆମେ । ଅଧିକ କଥା ନ କହି ବରଂ ଟିକେ ବିଶ୍ରାମ କରନ୍ତୁ । କିଛି ଭୟ ନାହିଁ । ଡାକ୍ତର ଏହିକ୍ଷଣି ଆସି ପହଞ୍ଚିବେ ।’’

 

ପୁନର୍ବାର ଆଖି ବୁଜିଲା ଯୁବକଟି–ଯେପରି କଣ ସ୍ମରଣ କରିବା ପାଇଁ ଚେଷ୍ଟା କରୁଛି ।

 

ଅଳ୍ପକ୍ଷଣ ପରେ ହଠାତ୍‌ ସେ ଚିତ୍‌କାର କଲା ପରି କହିଉଠିଲା, ‘‘ନା, ନା ! ମୋତେ କ୍ଷମା କର ମାଧୁରୀ, ମୁଁ ପାରିବି ନାହିଁ । ମୁଁ ଚାହେଁନା ତୁମର ଦୟା, ଲୋଡ଼ା ନାହିଁ ମୋର ତୁମର ଦାନ, ମୁଁ ଭଲ ଅଛି । ମୋର ବ୍ୟକ୍ତିତ୍ୱକୁ ଦୟା ଦେଖାଇ, ଦାନ କରି ମାରିଦିଅ ନାହିଁ । ମୁଁ ଯାଉଛି, କ୍ଷମା କର ।’’

 

ଚକିତ ହୋଇ ଚାହିଁଛି ସୁନନ୍ଦା–କିଏ ଏହି ମାଧୁରୀ ? କିଏ ଏହି ଯୁବକଟି ? ତା ସହିତ ସମ୍ପର୍କ କଣ ? ତେବେ ? କିନ୍ତୁ ?

 

ପୁଣି ସଂଜ୍ଞା ହରାଇଲା ଯୁବକଟି । ମଥାରେ ପ୍ରବଳ ଉତ୍ତେଜନା । ଆଘାତ ବୋଧେ ସେଇଠି ଲାଗିଛି । ବ୍ୟସ୍ତ ହୋଇଉଠିଲା ସୁନନ୍ଦା । କରୁଣ ହୋଇଉଠିଲା ତାର ଅନ୍ତର । ବ୍ୟଥିତ ପ୍ରାଣରେ ଯୁବକର ମୁହଁକୁ ଅନାଇଁ ରହିଲା ସୁନନ୍ଦା–ଯଦି ସେ ଚାହାନ୍ତି...

 

‘‘ନା, ନା, ନା–ମୋତେ କ୍ଷମା କର ମାଧୁରୀ ! ମୋର ଜୀବନସୂର୍ଯ୍ୟକୁ ତମେ ରାହୁ ପରି ଗ୍ରାସ କର ନାହିଁ । ମୁଁ ଚାହେଁ ମୋର ପ୍ରକାଶ- ସାର୍ଥକତା ।’’ ମୁଦ୍ରିତ ଚକ୍ଷୁ ନ ଖୋଲି ପ୍ରଳାପ କଲା ଯୁବକ ।

 

ସୁନନ୍ଦାର ଚକ୍ଷୁରୁ ଝରିଲା ଅଶ୍ରୁ ଦୁଇ ଟୋପା ।

 

ଆକାଶର ଧଳା ବଉଦ ଖଣ୍ଡେ ଚନ୍ଦ୍ରକୁ ଘୋଡ଼ାଇ ପକାଇବା ପାଇଁ ଚେଷ୍ଟା କରୁଛି । ସାଗର ବିଦ୍ରୋହୀ ହୋଇ ଉଠିଛି । ବଉଦ ପ୍ରତି ହିଂସାରେ ଅନ୍ତର ତାର ପୂରିଉଠିଛି ।

 

ଥଣ୍ଡା ପବନ ଝରକା ଫାଙ୍କଦେଇ ପଶିଆସୁଛି କକ୍ଷ ଭିତରକୁ ।

 

ସୁନନ୍ଦାର ମନ ଭିତରେ ଅଶେଷ ପ୍ରଶ୍ନ, ବକ୍ଷରେ ତୀବ୍ର ସ୍ପନ୍ଦନ । ବେଳକୁ ବେଳ ଉଦ୍‌ବେଳିତ ହୋଇଉଠୁଛି ହୃଦୟ, ଛନ୍ଦ ହଜିଯାଉଛି–ଅସ୍ଥିର ହୋଇଉଠୁଛି ପ୍ରାଣ ।

 

ସୁନନ୍ଦା ! କୋଡ଼ିଏ ବର୍ଷର ତନ୍ୱୀ ତରୁଣୀ । ଲାବଣ୍ୟ ଭରିରହିଛି ଅଙ୍ଗପ୍ରତ୍ୟଙ୍ଗରେ ତାର-। ଭସା ଭସା ଆଖି ଯୋଡ଼ିକ । ଉଦାସ ଚାହାଣୀ ଭିତରେ ଫୁଟିଉଠିଛି ହୃଦୟର ଗଭୀର ନୈରାଶ୍ୟ-। ପ୍ରସନ୍ନ ମୁଖମଣ୍ଡଳ ଭିତରେ ପ୍ରକାଶ ପାଉଛି ବୈରାଗ୍ୟ, ହଁ, ବୈରାଗ୍ୟର ବ୍ୟାପ୍ତି ।

 

ସୁନନ୍ଦା ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ର ନର୍ସ । ମାତ୍ର ଦୁଇ ବର୍ଷ ହେଲା କାର୍ଯ୍ୟରେ ଯୋଗଦେଇଛି । ଗ୍ରାମରେ ଥାଆନ୍ତି ଭାଇ-ଭାଉଜ । ବାପା-ମା ଚାଲିଯାଇଛନ୍ତି ବର୍ଷେ ହେଲା ।

 

ପୁଣି ଚକ୍ଷୁ ଉନ୍ମୀଳିତ କରି ଅନାଇଲା ଯୁବକ । ଦୃଷ୍ଟିରେ ତାର ପ୍ରଶ୍ନ ।

 

ଦୁଧଗ୍ଳାସଟିକୁ ହାତରେ ଧରି କହିଲା ସୁନନ୍ଦା, ‘‘ମୁଁ, ମୁଁ ସୁନନ୍ଦା–ହସ୍‌ପିଟାଲ୍‌ର ନର୍ସ । ଆପଣ ଦୁଧ ଟିକିଏ ପିଇଦିଅନ୍ତୁ, ଭଲ ଲାଗିବ ।’’

 

ଯୁବକ ନିରୁତ୍ତର–କଣ ଯେପରି ଭାବୁଛି ।

 

ନିଜକୁ ଧିକ୍‌କାର କଲା ସୁନନ୍ଦା । କାହିଁକି ସେ ପରିଚୟ ଦେଲା । ସେ ଜାଣେ ଭଦ୍ରସନ୍ତାନ ନର୍ସ ଦେଖିଲେ ମନ୍ତବ୍ୟ କରନ୍ତି, ଘୃଣା କରନ୍ତି ସେମାନଙ୍କର ଜୀବିକାକୁ । ସାମାଜିକ ଜୀବନରେ ସେବାରତ ଶତ ସହସ୍ର ନର୍ସଙ୍କର ସମ୍ମାନ ନାହିଁ, ସ୍ଥାନ ନାହିଁ । ଯୁବକଟି ତେବେ କଣ ଜଣେ ନର୍ସ ପାଖରେ ଆଶ୍ରୟ ପାଇଛି ବୋଲି ଘୃଣାରେ ନିରୁତ୍ତର ହେଲା ? କିଛି ଭାବିପାରିଲାନି ସୁନନ୍ଦା । କେବଳ ନିଜର ଜୀବନ ଓ ଜୀବିକାର ସାମାଜିକ ମୂଲ୍ୟ ଭାବି ସଙ୍କୁଚିତ ହୋଇପଡ଼ିଲା ସେ-

 

ସଙ୍କୁଚିତ ହେବାର କଥା । ଏ ଦେଶରେ ଯେଉଁମାନେ ପରିଶ୍ରମ କରି ନିଜ ଗୋଡ଼ରେ ଛିଡ଼ାହୁଅନ୍ତି, ସେମାନଙ୍କୁ କର୍ମ ଓ ଜୀବିକା ନେଇ ସମ୍ମାନ ଦିଆଯାଏ । ପରାନ୍ନଭୋଜୀ ନ ହୋଇ ବଞ୍ଚିରହିବା ପାଇଁ ଶ୍ରମ କଲେ–କ୍ଷେତ୍ରବିଶେଷରେ ଅମର୍ଯ୍ୟାଦା ମିଳେ କେବଳ । ଯେଉଁଠାରେ ଶ୍ରମର ମୂଲ୍ୟବୋଧ ନାହିଁ, ଯେଉଁ ଲୋକେ ଶ୍ରମକୁ ସମ୍ମାନଚକ୍ଷୁରେ ଦେଖିପାରି ନାହାନ୍ତି, ସେମାନଙ୍କର ସଙ୍କୀର୍ଣ୍ଣ ବିଚାରଧାରା ଭିତରେ ସମାଜର ଭଦ୍ରଶ୍ରେଣୀ ତାଲିକାବଦ୍ଧ । ପୌରୁଷର ବିଚାର ନ ହୋଇ ଯେଉଁଠାରେ ବଂଶର ବିଚାର ଉପରେ ସମ୍ଭ୍ରମ ମିଳିଥାଏ–ସେଠାରେ କର୍ଣ୍ଣପରି ବୀର ମଧ୍ୟ କଳଙ୍କିତ ହୁଅନ୍ତି ।

 

ମନେପଡ଼ିଲା ସୁନନ୍ଦାର–ଆହା ! କର୍ଣ୍ଣ ଯଦି ପୌରୁଷର ସମ୍ମାନ ପାଇପାରି ଥାଆନ୍ତେ ! କିନ୍ତୁ ସେ ପାଇ ନ ଥିଲେ । ଅନ୍ତରର ବିପୁଳ କ୍ଷୋଭ ପ୍ରକାଶ କରି ନିଜ ପରିଚୟ ଦେଇ କହିଥିଲେ କର୍ଣ୍ଣ-ହେ ଭୀଷ୍ମ, ମୋତେ ପରୀକ୍ଷା ଦେବା ନିମିତ୍ତ ଅନୁମତି ଦିଅ । ମୁଁ ଯେଉଁ କୁଳରେ ଜନ୍ମ ହୋଇଛି ତାହା ମୋର ଆୟତ୍ତର ବାହାରେ; କିନ୍ତୁ ପୌରୁଷ, ବୀରତ୍ୱ ମୋର ଆୟତ୍ତର ବାହାରେ ନୁହେଁ ।

 

ଆଜି ସୁନନ୍ଦା ଆଉ ପାଞ୍ଚଜଣ ତରୁଣୀଙ୍କ ପରି ଶିକ୍ଷିତା, ସୁରୁଚିସମ୍ପନ୍ନା । କିନ୍ତୁ ତାର ଜୀବିକା ତାକୁ କରିଛି ହେୟ, ଘୃଣ୍ୟ ।

 

ଦୁଧ ପିଇବା ପାଇଁ ଆଁ କଲା ଯୁବକ । କିନ୍ତୁ କଣ ହେଲା କେଜାଣି ଦୁଧ ପାଟିରେ ଦବା ପୂର୍ବରୁ ପୁନର୍ବାର ଆଖି ବୁଜିଲା ସେ ।

 

ସୁନନ୍ଦା କହିଲା, ‘‘କଅଣ ଭଲ ଲାଗୁନି ଆପଣଙ୍କୁ ?’’ ଯୁବକଟି କିଛିକ୍ଷଣ ନିରୁତ୍ତର ରହି ଧୀରେ ଧୀରେ କହିଲା–‘‘ନା, ଦୁଧ ପିଇବିନି ।’’ ଚକ୍ଷୁ ତାର ମୁଦ୍ରିତ-ଖୋଲିବାକୁ ଇଚ୍ଛା ନାହିଁ ଯେପରି-

 

‘‘ସିଷ୍ଟର୍‌...’’

‘‘ଆସନ୍ତୁ ଡାକ୍ତର ବାବୁ....’’

 

ଗୃହ ଭିତରକୁ ପ୍ରବେଶ କରି ଯୁବକର ଅଙ୍ଗପ୍ରତ୍ୟଙ୍ଗ ଭଲ ଭାବରେ ପରୀକ୍ଷା କରି ଔଷଧ ଏବଂ ଇଞ୍ଜେକ୍‌ସନ୍‌ ଦେଲେ କଲ୍ୟାଣ ବାବୁ ।

 

‘‘ଆଘାତ ବେଶୀ ନୁହେଁ ସିଷ୍ଟର୍‌, କିନ୍ତୁ ମଥାରେ ଆଘାତ ଲାଗିଛି । ତାଙ୍କୁ ବିଶ୍ରାମ କରିବାକୁ ଦିଅ । ଦରକାର ହେଲେ କିଛି ଦୁଧ ବା ହରଲିକ୍‌ସ...’’

 

‘‘ମୋର କଅଣ ହୋଇଛି ଡାକ୍ତର ?’’

 

‘‘ନା, ନା, ସେ କିଛି ନୁହେଁ । ସାମାନ୍ୟ ଆଘାତ; କିନ୍ତୁ ଦେହରେ ଜ୍ୱର ଅଛି । ସେଥିପାଇଁ ଅବସନ୍ନ ହୋଇପଡ଼ିଛନ୍ତି ବେଶୀ ।

 

ବିଶ୍ରାମ କରିବା ପାଇଁ ଉପଦେଶ ଦେଇ ଫେରିଗଲେ ଡାକ୍ତର କଲ୍ୟାଣ ବାବୁ । ଯୁବକଟିର ମୁହଁ ପାଖରେ ଦୁଧଗ୍ଲାସ ଧରି କହିଲା ସୁନନ୍ଦା, ‘‘ଆପଣ ଦୁଧଟିକେ ପିଇ ଶୋଇପଡ଼ନ୍ତୁ, ଭଲ ଲାଗିବ ।’’

 

‘‘କିନ୍ତୁ...’’

‘‘କିନ୍ତୁ କଅଣ ଆଉ ? ପିଇ ଦିଅନ୍ତୁ ।’’

 

‘‘ନା ନା ନା–ମୁଁ ପିଇପାରିବିନି । ମୁଁ ଯିବି ମାଧୁରୀ ଦେବୀ !’’ ଉଠିବାକୁ ଚେଷ୍ଟା କଲା ଯୁବକ–କିନ୍ତୁ ପାରିଲା ନାହିଁ । ଦୁର୍ବଳ ହୋଇପଡ଼ିଛି, ଭାରି ହୋଇ ଉଠିଚି ମଥାଟା ।

 

ତାର ମଥାକୁ ଧୀରେ ଧୀରେ ତକିଆ ଉପରେ ରଖି କହିଲା ସୁନନ୍ଦା, ‘‘ମୁଁ... ମୁଁ...ସୁନନ୍ଦା...ମାଧୁରୀ ନୁହେଁ ।’’ ଯୁବକ ଆଖି ବୁଜିଥିଲା । ତେଣୁ ସୁନନ୍ଦାର ଅଶ୍ରୁ ଦେଖିପାରିଲା ନାହିଁ ।

 

ରାତ୍ରି ପ୍ରାୟ ଦଶଟା । ଉପେନ୍ଦ୍ର କହିଲା, ‘‘ମା, ବାବୁ ଶୋଇଛନ୍ତି ଟିକିଏ- ଆସ ଗଣ୍ଡାଏ ଖାଇଯିବ ।’’

 

ସୁନନ୍ଦା ଉଠିପାରିଲାନି । ଅତିଥି ଅଭୁକ୍ତ, ପୀଡ଼ିତ–ସେ କିପରି ଉଠିଯାଇ ଆହାର କରିବ-?

 

ସୁନନ୍ଦାକୁ ନୀରବ ଦେଖି ଆଉ ଥରେ ଅନୁରୋଧ କରିବା ପାଇଁ ସାହସ ହେଲା ନାହିଁ ତାର ।

 

‘‘ଆପଣ ବସିଛନ୍ତି ଯେ–’’ ଆଖି ଖୋଲି ପଚାରିଲା ଯୁବକ ।

 

ସୁନନ୍ଦା ଉତ୍ତର ଦେଲା ନାହିଁ । ସଜଳ ଚକ୍ଷୁରେ ସେହିପରି ଚାହିଁ ରହିଲା ରୋଗୀର ମୁହଁକୁ । କଅଣ ଯେପରି ଭାବୁଛି ଯୁବକଟି । ସୁନନ୍ଦା ମୁହଁ ଫେରାଇଲା ।

 

‘‘ଆଚ୍ଛା ମୁଁ ଦୁଧ ପିଇବି–ଦିଅନ୍ତୁ ।’’

 

ଦୁଧଗ୍ଲାସକ ପୁଣି ଗରମ କରି ଆଣିଦେଲା ଉପେନ୍ଦ୍ର । ସେଥିରୁ ଟିକେ ପିଇ କହିଲା ସେ- ‘‘ଏଥର ମୋତେ ଛାଡ଼ିଦିଅନ୍ତୁ ଆପଣ ।’’

 

ଯୁବକ କଥାର ଉତ୍ତର ନ ଦେଇ ସୁନନ୍ଦା ଉପେନ୍ଦ୍ରକୁ କହିଲା, ‘‘ମଉସା, ଭାତ ବାଢ଼, ମୁଁ ଯାଉଛି ।’’

 

ଯୁବକ ଉପରେ ଚାଦରଟିକୁ ଭଲ ଭାବରେ ଘୋଡ଼ାଇ ଦେଇ ପ୍ରକୋଷ୍ଠ ଭିତରୁ କ୍ଷିପ୍ରଗତିରେ ଚାଲିଗଲା ସୁନନ୍ଦା । କିଛି କହିବାର ଅବସର ନ ପାଇ ଚକିତ ହୋଇ କେବଳ ତାର ଗତିପଥକୁ ଅନାଇ ରହିଲା ଯୁବକ ।

•••

 

 

ମାଧୁରୀ ଶୋଇବା ପାଇଁ ଶତଚେଷ୍ଟା କରି ମଧ୍ୟ ଶୋଇପାରୁନି । ଆଖିକୁ ନିଦ ନାହିଁ, ଦେହ ଓ ମନରେ ଭରିରହିଚି ଅସ୍ୱସ୍ତି । ରାତ୍ରିର ବହଳତା ସଙ୍ଗେ ସଙ୍ଗେ ଶୀତ ବୃଦ୍ଧି ପାଉଛି । ଶେଯତଳେ ସର୍ବାଙ୍ଗ ଥରୁଛି–କିନ୍ତୁ ଶୀତରେ ନୁହେଁ । କାହିଁକି ଥରୁଛି, କାହିଁକି ଏକ ଅଭିନବ ଜ୍ୱାଳାରେ ଜର୍ଜ୍ଜରିତ ହୋଇପଡ଼ୁଛି ତାର ଶରୀର, କିଛି ବୁଝିପାରୁନାହିଁ ମାଧୁରୀ ।

 

କେତେ ଥର ମନକୁ ମନ ପଚାରୁଛି–କଣ ହୋଇଛି ତାର ? କାହିଁକି ଏ ଆତ୍ମବିକ୍ଷୋଭ-? କେଉଁଠି ତାର ଅଭାବ ?

 

ଚାଲି ଯାଇଛି । ଶରତର ଶ୍ୟାମଳ ଶସ୍ୟକ୍ଷେତ୍ର ଉପରେ ଅକାଳ ଝଞ୍ଜା ବହିଗଲେ ତାହା ଯେପରି ଶ୍ରୀହୀନ ଓ ବିପର୍ଯ୍ୟସ୍ତ ହୋଇପଡ଼େ, ସେହିପରି ମାଧୁରୀକୁ ପ୍ରତ୍ୟାଖ୍ୟାନ କରି ତାର ମନ ଓ ହୃଦୟର ନନ୍ଦନକାନନକୁ ଛିନ୍ନଭିନ୍ନ କରି ଚାଲିଯାଇଛି ଶୁଭେନ୍ଦୁ ।

 

ମାଧୁରୀ ଭାବିଲା ନିଜ କଥା-ନିଜ ଜୀବନ ଓ ଯୌବନର କଥା । ସେ କଣ ଅସୁନ୍ଦରୀ, ତାର ସୌନ୍ଦର୍ଯ୍ୟ କଅଣ ପ୍ରୀତିକର ନୁହେଁ ? ସେ ନାରୀ-ତରୁଣୀ । ଭଲପାଇବା କଣ ଅନ୍ୟାୟ ? ଜୀବନରେ ପ୍ରଥମ ଭଲ ପାଇବା ନେଇ ଯାହାପାଇଁ ଅପେକ୍ଷା କରିଥିଲା ସେ- କାହିଁକି ସେ ତାକୁ ବିଶ୍ୱାସ କଲେନି । ଗ୍ରହଣ ନ କରି କଲେ ପ୍ରତ୍ୟାଖ୍ୟାନ । ସେ କଣ ଭଲ ପାଆନ୍ତି ନାହିଁ ମାଧୁରୀକୁ-? ଅନ୍ୟ କେହି କଣ ପାଇପାରିଛି ତାଙ୍କର ପ୍ରେମ ?

 

ମନକୁ ମନ ଶତ ପ୍ରଶ୍ନ ପଚାରେ ମାଧୁରୀ; କିନ୍ତୁ ତାର ସମାଧାନ ହୁଏନା ।

 

କଟକର ଖ୍ୟାତନାମା ଭୂତ ଜମିଦାର ନରେନ୍ଦ୍ର ପଟ୍ଟନାୟକଙ୍କର ଏକମାତ୍ର ସନ୍ତାନ ମାଧୁରୀ, କଲେଜରେ ଅଧ୍ୟୟନ କରୁଛି । ନରେନ୍ଦ୍ର ବାବୁଙ୍କ କଠୋର ହୃଦୟ ମଧ୍ୟ କନ୍ୟା ପାଇଁ ତରଳିଯାଏ । ସେ ମାଧୁରୀର ମଧୁମୟ ରୂପଟି ନ ଦେଖିଲେ ଆନମନା ହୋଇପଡ଼ନ୍ତି । ବଡ଼ଲୋକି ଆଦବ କାୟଦାର ଶୀର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ବାବୁ । ଜମିଦାରୀ ଯାଇଛି–କିନ୍ତୁ ଜମିଦାର ନରେନ୍ଦ୍ର ବାବୁ ଅଛନ୍ତି । କର୍ପୂର ଉଡ଼ିଯାଇଛି–କିନ୍ତୁ କନା ପଡ଼ିରହିଛି । ବଂଶ-ମର୍ଯ୍ୟାଦାର ଗୌରବରେ ନିଜ ବୈଶିଷ୍ଟ୍ୟର ଗର୍ବରେ ସମକକ୍ଷ ଲୋକ ସହିତ ମଧ୍ୟ ସଂଯତ ହୋଇ ଆଳାପ କରନ୍ତି ସେ । ଜମିଦାରୀ ଅର୍ଥରେ ନିର୍ମିତ ସୁରମ୍ୟ ଅଟ୍ଟାଳିକା ଭିତରେ ଲୁଚିଯାଇଛି କେତେ ଲୋକଙ୍କର ହାହାକାର- କରୁଣ କ୍ରନ୍ଦନ । ସେହି ଭିତରେ ଅତ୍ୟାଚାରରେ ନିଷ୍ପେଷିତ ଶତ ସହସ୍ର ବ୍ୟକ୍ତିଙ୍କର ମର୍ମନ୍ତୁଦ କାହାଣୀ ଚିରଦିନ ପାଇଁ ଅକୁହା ରହିଯାଇଛି ।

 

ସେହି ନରେନ୍ଦ୍ର ବାବୁଙ୍କର ଏକମାତ୍ର କନ୍ୟା ମାଧୁରୀ–ଭଲପାଇ ବସିଛି ଦରିଦ୍ର ସନ୍ତାନ ଶୁଭେନ୍ଦୁକୁ । ଶୁଭେନ୍ଦୁ କଟକ ଇଞ୍ଜିନିଅରିଂ କଲେଜର ଉଦୀୟମାନ ଛାତ୍ର । ଅର୍ଥାଭାବ, ଅନଟନ ଭିତରେ ଅଗ୍ରଗତି କରି ଆସୁଛି–କାହାରି କରୁଣାବଳରେ ନୁହେଁ, ନିଜର ଅଗାଧ ଉଦ୍ୟମ ଓ ପରିଶ୍ରମ ଫଳରେ ।

 

ସରକାରୀ ସ୍କଲାରଶିପ୍‌, ଟିଉସନ୍‌ରୁ ପାଇବା ଅର୍ଥ ସହ ସଂଧ୍ୟାରେ ଖବରକାଗଜ ଓ ପତ୍ରିକା ବିକ୍ରୟ କରି ନିଜର ଖର୍ଚ୍ଚ ତୁଲାଇନିଏ ସେ । ସେହି ଖବରକାଗଜ-ବିକ୍ରେତା ଇଞ୍ଜିନିଅରିଂ କଲେଜର ଛାତ୍ର ଶୁଭେନ୍ଦୁ ଦାସ ସହିତ ମାଧୁରୀର ପରିଚୟ ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ।

 

ସେଦିନ ମାଧୁରୀର ଜନ୍ମଦିନ । ଦିବସବ୍ୟାପୀ ନାନା ଉତ୍ସବ ଭିତରେ ବ୍ୟସ୍ତ ଥାଇ ଦେହରେ କ୍ଳାନ୍ତି ନେଇ ଯେତେବେଳେ ରାତ୍ରି ବିଶ୍ରାମ ପାଇଁ ଆସିଲା ମାଧୁରୀ, ସେତେବେଳେ ସେ ଭାବୁଥିଲା–ସବୁ ଯେପରି ଗୋଟାଏ ପ୍ରହସନ–ପ୍ରଦର୍ଶନୀ । ଏତେ ଲୋକ, କେତେ ମନ-କାହିଁ, କାହାରି ପ୍ରତି ତ ତାର ଆତ୍ମୀୟତା ହେଲା ନାହିଁ ! କୃତ୍ରିମ ବ୍ୟବହାର ଓ ସମ୍ୱନ୍ଧ ପାତିବାର ଛଳନା ଭିତରେ କ୍ଷଣକ ପାଇଁ ତାକୁ ନିଜସ୍ୱ କରିବାର କେବଳ ଘୃଣ୍ୟ ଷଡ଼ଯନ୍ତ୍ର ତଥାକଥିତ ଭଦ୍ରଯୁବକମାନଙ୍କର ଚକ୍ଷୁର ଲାଳସାମୟ ଦୃଷ୍ଟି ଓ କାମନାମୟ କଥାରେ ପ୍ରକାଶ ପାଉଥାଏ ମାତ୍ର । ଛି, ଛି ! ଅଭିଜାତ ଶ୍ରେଣୀର ଗୌରବ ନେଇ ଗର୍ବ କରନ୍ତି ଯେଉଁମାନେ, ସେମାନଙ୍କର ଭିତରଟା କେଡ଼େ ନୀଚ-ଅଶୋଭନୀୟ । ତିକ୍ତ ହୋଇଥିଲା ମାଧୁରୀର ମନ । ପ୍ରଥମ ଯୌବନର ବିପୁଳ ଆକର୍ଷଣ ସତ୍ତ୍ୱେ ଉଦ୍‌ବେଳିତ ହୃଦୟ ତାର କୌଣସି ତରୁଣର ମାୟାଜାଲ ଭିତରେ ଆତ୍ମସମର୍ପଣ କରି ନ ଥିଲା ।

ଅନ୍ଧକାର ରାତ୍ରି । ପ୍ରକୋଷ୍ଠ ଭିତରର ସମସ୍ତ ଆଲୋକ ନିଭାଇ ଦେଇ ସେହି ସୂଚିଭେଦ୍ୟ ଅନ୍ଧକାର ଭିତରେ ନିଜକୁ ନିରୀକ୍ଷଣ କଲା ମାଧୁରୀ । ସର୍ବାଙ୍ଗରେ ହାତ ବୁଲାଇ ଅନୁଭବ କଲା ସେ, ଅଜଣା ପୁଲକର ଅସରନ୍ତି ଶିହରଣ ।

ସେ ତନ୍ୱୀ, ତରୁଣୀ, ସେ ଭଲପାଇପାରେ- ସେ ଜଣେ ମଣିଷକୁ ନିର୍ବାଚନ କରିପାରେ-

କିଏ, କିଏ ହେବ ତାର ସାଥୀ ? ତାର ପୂଜାଫୁଲ ଗ୍ରହଣ କରି କିଏ ଦେବ ତାକୁ ଆଶ୍ରୟ-? କିଏ ତାକୁ ତାର ପ୍ରଶସ୍ତ ବକ୍ଷ ଉପରେ ଆଶ୍ରୟ ଦେଇ କହିବ–ତୁମେ ମୋର । ସେ ମିଶିଯିବା ପାଇଁ ଚାହେଁ, ଚାହେଁନା ସେ ନିଜର ସ୍ୱତନ୍ତ୍ରତା ।

ଭାବୁଥିଲା ମାଧୁରୀ...

 

ଦୂରରୁ ଭାସିଆସୁଥିଲା ବଂଶୀର ଅପୂର୍ବ ସ୍ୱରଲହରୀ । କେଉଁ ଦରଦୀର ବଂଶୀସ୍ୱନ ଏ-? ନିଥର, ନିଝୁମ ରାତିକୁ ଜୀବନ୍ତ କରି ଝଙ୍କାର ତୋଳୁଛି । ଆଃ ! କି ସୁନ୍ଦର, ସୁମଧୁର ବଂଶୀସ୍ୱନ ! ମୁଗ୍‌ଧ ହୋଇପଡ଼ିଲା ମାଧୁରୀ ।

 

ବିରହୀ ଶ୍ରୀକୃଷ୍ଣଙ୍କର ବଂଶୀ ଆବାହନ କରୁଛି ବିରହ-ବିଦଗ୍‌ଧା ରାଧାଙ୍କୁ । ରାଧା ଅଭିମାନ କରି ବସିରହିଛନ୍ତି ମାଳତୀ କୁଞ୍ଜରେ । ସେ ଯିବେ ନାହିଁ ଶ୍ରୀକୃଷ୍ଣଙ୍କ ପାଖକୁ । ଲୋଡ଼ା ନାହିଁ ତାଙ୍କ ପ୍ରେମରେ । କିନ୍ତୁ ଶ୍ରୀକୃଷ୍ଣଙ୍କର ବଂଶୀ ବିଳପି ଉଠୁଛି–ଆବାହନ କରି କହୁଛି–‘‘ଗୋ ପ୍ରିୟସଖୀ ! ତୁମେ ଅଭିମାନ ଛାଡ଼ । ମୁଁ ଭୁଲ କରିଛି । ଚନ୍ଦ୍ରାବଳୀ-କୁଞ୍ଜରେ ଭୁଲରେ ରହିଯାଇଥିଲି-। ତୁମେ ଯେ ମୋର ହୃଦୟର ଦେବୀ, ତୁମେ ଆସ- ତୁମ ଚଟୁଳ ଅଧରରେ ମୋର ସ୍ପର୍ଶ ଗ୍ରହଣ କର, ତୁମେ ଆସ- ନଚେତ ମୁଁ ମରିଯିବି ।

 

ଆହା ! କି କାତର ମିନତି ! ଶ୍ରୀରାଧାଙ୍କୁ ପ୍ରଣୟ ନିବେଦନ କରି ଶ୍ରୀକୃଷ୍ଣଙ୍କର କି ବିପୁଳ ଆକୁଳ ନିବେଦନ ! ଅଭିମାନ ତୁଟିଗଲା । ପ୍ରେମମୟୀ ରାଧା ଶ୍ରୀକୃଷ୍ଣଙ୍କର ବଂଶୀସ୍ୱନର ଅନୁସରଣ କରି ମାଳତୀକୁଞ୍ଜରୁ ବାହାରିଗଲେ ଯମୁନାର କଲ୍ଲୋଳମୟୀ ତୀରଦେଶକୁ । ବାଲୁକାଶଯ୍ୟା ଉପରେ ଶ୍ରୀକୃଷ୍ଣଙ୍କର ବିରହ-ବଂଶୀ ବ୍ୟଥା ନିବେଦନ କରୁଛି ।

 

କି ସୁନ୍ଦର ସ୍ୱର, କି ମଧୁର ମୂର୍ଚ୍ଛନା ! ମାଧୁରୀ ମୋହିତ ହେଲା । ସେହି ନିସ୍ତବ୍‌ଧ, ନିର୍ଜନ ରାତ୍ରିରେ କିଏ ବଜାଉଛି ବଂଶୀ ? କିଏ ସେହି ଚିତ୍ତଚୋର ଦରଦୀ ? କିଏ ତାର ପ୍ରିୟତମା-? ବଡ଼ ଆକୁଳ ହୋଇ ଡାକୁଚି ଯେ, ଆହା !

 

ହୃଦୟର କେଉଁ କୋଣରେ ବଂଶୀବାଦକ ପ୍ରତି ଉତ୍‌କଣ୍ଠା ଜାତହେଲା ମାଧୁରୀର–କିପରି କ୍ରମେ ଆକୃଷ୍ଟ ହୋଇ ଦୁନିଆଁର ଅପବାଦ ଓ ଅଭିଯୋଗ ଭୁଲି ସେହି ନିର୍ଜନ ରାଜପଥ ଉପର ଦେଇ ବଂଶୀବାଦକର ପରିଚୟ ପାଇଁ ପାଦ ବଢ଼ାଇଲା ମାଧୁରୀ–ଆଜି ମନେପଡ଼ିଲେ ଐଶ୍ୱର୍ଯ୍ୟମୟ ଅତୀତର ପୁଲକରେ ଆତ୍ମହରା ହୁଏ ସେ ।

 

ସେହି ନିର୍ଜ୍ଜନ ରାତ୍ରିରେ ଅଧିକ ଦୂର ଯିବାପାଇଁ ହୋଇ ନ ଥିଲା ତାକୁ । ତାଙ୍କ କୋଠାକୁ ଲାଗି ଗୋଟାଏ କ୍ଷୁଦ୍ର କୁଟୀର ଭିତରୁ ଶୁଣାଯାଉଥିଲା ବଂଶୀସ୍ୱନ । ଉନ୍ମୁକ୍ତ ବାତାୟନ ଦେଇ ଚାହିଁଲା ମାଧୁରୀ । ସ୍ତମ୍ଭିତ ଆଲୋକରେ ଦେଖାଯାଉଥିଲା ତରୁଣର ମୁଖମଣ୍ଡଳ । ମାଧୁରୀ ଲକ୍ଷ୍ୟକଲା ସେ ଆଉ କେହି ନୁହେଁ, ଶୁଭେନ୍ଦୁ । ଆଜି ସମସ୍ତଙ୍କ ଉପସ୍ଥିତିରେ ଅନୁଭବ କରିଥିଲା ସେ ଶୁଭେନ୍ଦୁର ଅନୁପସ୍ଥିତି । ଦରିଦ୍ର ବୋଲି ନିମନ୍ତ୍ରଣ କରି ନ ଥିଲେ ତାକୁ ନରେନ୍ଦ୍ର ବାବୁ ।

 

ମାଧୁରୀ ଏକ ଅହେତୁକୀ ଲଜ୍ଜାର ବଶବର୍ତ୍ତୀ ହୋଇ ପିତାଙ୍କୁ କିଛି କହିପାରି ନ ଥିଲା ।

 

ବଂଶୀବାଦନ ଶେଷ ହେଲା–କିନ୍ତୁ ସେହିପରି ନିଷ୍ପଲକ ଚକ୍ଷୁରେ ଚାହିଁରହିଲା ମାଧୁରୀ । ଆତ୍ମସତ୍ତା ହରାଇସାରିଛି ଯେପରି । ଯୁବକଟି ବାହାରେ କାହାର ଉପସ୍ଥିତି ଅନୁଭବ କରି ଯେତେବେଳେ ଆସି ଦେଖିଲା ମାଧୁରୀକୁ, ବିସ୍ମୟର ସୀମା ରହିଲା ନାହିଁ ତାର । କିଏ ଏହି ଦେବୀ, ନିର୍ଜ୍ଜନ ରାତ୍ରିରେ ଅପେକ୍ଷା କରୁଛନ୍ତି ତାର ଦ୍ୱାରଦେଶରେ । ଭୀତ ଚକିତ ନୟନରେ ପଚାରିଲା ଯୁବକ- ‘‘କିଏ ?’’

 

‘‘ମୁଁ.....ମୁଁ’’–ଆଉ କିଛି କହି ପାରିଲା ନାହିଁ ମାଧୁରୀ ।

‘‘ମାଧୁରୀ, ତମେ ଏତେ ରାତିରେ ?’’

 

‘‘ନା, ନା, କିଛି ନୁହେଁ....’’ କହି କହି ସେହି ରାତ୍ରିରେ କ୍ଷିପ୍ରଗତିରେ ଫେରି ଆସିଥିଲା ମାଧୁରୀ । ଶୁଭେନ୍ଦୁର ମନେହେଲା ତାର ଜନ୍ମଦିନରେ ନିମନ୍ତ୍ରଣ କରି ନ ଥିବା ଯୋଗୁ କ୍ଷମା ମାଗିବା ପାଇଁ ଆସିଥିଲା ମାଧୁରୀ ।

 

ସେଦିନ ଖବରକାଗଜ ଦେଇଯିବାବେଳେ ତାକୁ ଏକାକୀ ପାଇ କହିଲା ମାଧୁରୀ- ‘‘ତୁମେ କଣ ଏ କାମ ନ କଲେ ହୁଅନ୍ତାନି ଶୁଭେନ୍ଦୁ ?’’

 

‘‘ଏଥିରେ ମୋର ଆନନ୍ଦ ମାଧୁରୀ ! ନିଜ ଶ୍ରମର ମୂଲ୍ୟରେ ନିଜେ ଗଢ଼ିବି ଭବିଷ୍ୟତ- ଏଥିରେ ମୋର ସାର୍ଥକତା ।’’

 

‘‘ନା, ନା, ତୁମକୁ ଏ ଘୃଣ୍ୟ ଜୀବିକା ଆଉ କରିବାକୁ ପଡ଼ିବ ନାହିଁ । ବରଂ....’’

 

ହୋ ହୋ କରି ମନଖୋଲା ହସ ହସିଥିଲା ଶୁଭେନ୍ଦୁ । ମାଧୁରୀ ଆଗରେ ଯାହା ଘୃଣ୍ୟ, ତା ପାଖରେ ତାହା ପୂଣ୍ୟ । ସେ କହିଥିଲା–ଶ୍ରମର ମୂଲ୍ୟ ଅଛି, ସମ୍ମାନ ଅଛି ମାଧୁରୀ ! ପରାନ୍ନଭୋଜୀ ହୋଇ ବଞ୍ଚି ରହିଯାଇପାରେ–କିନ୍ତୁ ସେ ଜୀବନର ସାର୍ଥକତା ନାହିଁ- ଅଭ୍ୟୁଦୟ ନାହିଁ-। ତମେ କରିପାରିବ ଦାନ–ତୁମର ଅଛି ଅତୁଳ ସମ୍ପଦ; କିନ୍ତୁ ମୁଁ ଗ୍ରହଣ କରିପାରିବିନି ମାଧୁରୀ ! ତୁମର ଦାନ ଓ ଦୟା ନେଇ ମୁଁ ନିଜର ପ୍ରକାଶକୁ ରୋଧ କରିପାରିବିନି ! ମୋର ଆତ୍ମମର୍ଯ୍ୟାଦା ଲୋପ କରିପାରିବିନି !

 

ମାଧୁରୀ ଆଉ କିଛି କହିବା ପୂର୍ବରୁ କ୍ଷିପ୍ରଗତିରେ ଖବରକାଗଜଗୁଡ଼ାକ ନେଇ ବାହାରି ଯାଇଥିଲା ସେ ।

 

ମାଧୁରୀ ଆଜି ଭାବୁଛି–ଶୁଭେନ୍ଦୁ କାହିଁକି ପ୍ରତ୍ୟାଖ୍ୟାନ କଲା ତାର ଅନୁରୋଧ । ମାଧୁରୀ କଣ ତାର ନୁହେଁ ? ମାଧୁରୀର ଐଶ୍ୱର୍ଯ୍ୟ, ସମ୍ପଦରେ କଣ ଶୁଭେନ୍ଦୁ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ପରାଙ୍ମୁଖ ? କାହିଁକି ତେବେ ସେ ଚାଲିଗଲା ? ସେ କଣ ଚାହିଁଥିଲା ତାର ବ୍ୟକ୍ତିତ୍ୱର ବିଲୋପ ? ବରଂ ସେ ଚାହେଁ ପ୍ରାଚୁର୍ଯ୍ୟ ଭିତରେ ଶୁଭେନ୍ଦୁର ବିକାଶ; କିନ୍ତୁ ବୁଝିପାରିଲାନାହିଁ ମାଧୁରୀ ଶୁଭେନ୍ଦୁର ଆଦର୍ଶ-ତାର ଜୀବନତତ୍ତ୍ୱ ।

 

ସେ ବୁଝିପାରିବ ନାହିଁ । ଆଜନ୍ମ ଅଭିଜାତ ବଂଶରେ ଲାଳିତ-ପାଳିତ ହୋଇ କିପରି ସେ ବୁଝନ୍ତା ଶ୍ରମର ମୂଲ୍ୟ, ନିଜ ଗୋଡ଼ରେ ଛିଡ଼ା ହେବାର ଆଦର୍ଶ !

 

ଶୁଭେନ୍ଦୁ ଚାଲିଗଲା–ମାଧୁରୀ ନୀରବରେ ଠିଆ ହୋଇଥିଲା ଆଖିର ଦୁଇକୋଣରେ ଦୁଇ ଟୋପା ଅଶ୍ରୁ ନେଇ–

 

ଆଜି ରାତ୍ରିରେ ସେହି କଥାର ସ୍ମରଣରେ ପରାଜୟ ଓ ପ୍ରତ୍ୟାଖ୍ୟାନର ଗ୍ଳାନିରେ ଦେହ ମନ ଜଳିଯାଉଥିଲା ତାର । ଉତ୍ତେଜିତ ମନକୁ ସଂଯତ କରି ପାରୁ ନ ଥିଲା ସେ ।

 

ଶୀତ-ବାହାରେ ଭୟାନକ ଶୀତ । ମାଧୁରୀ ଦୁଗ୍‌ଧଫେନନିଭ ଶଯ୍ୟାରେ ମଧ୍ୟ ଥରୁଛି–ଶୀତରେ ନୁହେଁ ଉତ୍ତେଜନାରେ ।

 

ଅଶ୍ରୁସିକ୍ତ ହେଲା ତାର ଚକ୍ଷୁ, କରୁଣ ହୋଇ ଉଠିଲା ମନ । କାହିଁକି ଚାଲିଗଲା ଶୁଭେନ୍ଦୁ-? ସେ କାହିଁକି ଚାହେଁନା ତାର ସାହାଯ୍ୟ ? କାହିଁକି ନିର୍ଦ୍ଦୟ ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାନ କରିଗଲା ତାର ଅନୁରୋଧ ?

 

ମନେପଡ଼ିଲେ ଶିହରିଉଠେ ମାଧୁରୀ । ସେ ପ୍ରତ୍ୟାଖ୍ୟାନ ଭିତରେ ଯେପରି ଅନୁଭବ କଲା ସେ ତାର ଆଭିଜାତ୍ୟ ଓ ଐଶ୍ୱର୍ଯ୍ୟ ପ୍ରତି ପୁଞ୍ଜିଭୂତ ଘୃଣା-ତାର ଦାନକୁ ପ୍ରତ୍ୟାଖ୍ୟାନ କରିବାର ଦୃଢ଼ ନିଷ୍କରୁଣ ଅବଜ୍ଞା, ଅସୀମ ଉପେକ୍ଷା । ଶଙ୍କିତ ଚିତ୍ତରେ ଭାବିଲା ମାଧୁରୀ–ତେବେ ତାକୁ କଅଣ ଭଲ ପାଏନା ଶୁଭେନ୍ଦୁ ? ସେ କଣ ବୁଝିପାରେନା ମାଧୁରୀର ହୃଦୟ ? ମାଧୁରୀ ଶିହରୀ ଉଠିଲା । ମନେହେଲା ତାର ଯେପରି ସେହି ପ୍ରତ୍ୟାଖ୍ୟାନ ଭିତରେ ତାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲା ଶୁଭେନ୍ଦୁ !

 

ଅଶ୍ରୁସିକ୍ତ ଗଣ୍ଡ ଉପରେ ହାତ ବୁଲାଇ ଜାଣିଲା ମାଧୁରୀ–ସେ କାନ୍ଦୁଛି ।

•••

 

 

ପ୍ରଭାତ ହେବା ପୂର୍ବରୁ ଉଠିବସି ଦେଖିଲା ଶୁଭେନ୍ଦୁ, ସେ ନିଜ ଘରେ ନାହିଁ । ଚାରିଆଡ଼କୁ ଆଖି ବୁଲାଇ ଦେଖିଲା ଯେ କେହି ନାହାନ୍ତି ।

 

ସ୍ମରଣ କଲା ଗତଦିନର ସମସ୍ତ ଘଟଣା । କଲେଜରୁ ଫେରି ସନ୍ଧ୍ୟାରେ କାଗଜଗୁଡ଼ିକୁ ଘରେ ଘରେ ଦେଇ ଫେରୁଥିଲା ସେ । ହଁ, ମାଧୁରୀ ଘରକୁ ଯାଇଥିଲା । ତାପରେ ଆସୁ ଆସୁ….. ଆଉ ମନେ ନାହିଁ । ତାର ଦୁର୍ଘଟଣା ଏହିଠାରେ ଘଟିଲା ପରା ? ନିଜ ଦେହକୁ ଚାହିଁ ଦେଖିଲା ହାତର କହୁଣୀରେ ଗୋଟାଏ ବ୍ୟାଣ୍ଡେଜ ବନ୍ଧା, ମଥାଟା ଭାରି ଭାରି ଲାଗୁଛି ।

 

କାଲି ସମଗ୍ର ରାତ୍ରି କଟାଇଛି ଏଠାରେ ? କାହାର ଏ ଘର ? କାହିଁକି ତା ପ୍ରତି ତାର ଏତେ ଅନୁରାଗ-ଦୟା ?

 

ଶୁଭେନ୍ଦୁକୁ ଉଠିବାର ଦେଖି ଦ୍ୱାର ସେ ପାଖରୁ ପଚାରିଲା ସୁନନ୍ଦା- ‘‘ଭଲ ଲାଗୁଛି ତ-?’’ ମୁହଁରୁ ଝରିପଡ଼ୁଛି ଅନାବିଳ ସ୍ମିତହାସ୍ୟ ।

 

ଶୁଭେନ୍ଦୁ ଚାହିଁଲା କିଛିକ୍ଷଣ । କେବେ ସେ ଏପରି ଭାବରେ ଚାହେଁନା କାହାକୁ ବିଶେଷତଃ ସ୍ତ୍ରୀଲୋକଙ୍କୁ । କିନ୍ତୁ ଆଜି ସେ ଯେପରି କଣ ଆବିଷ୍କାର କରିବାପାଇଁ ଚେଷ୍ଟା କରୁଥିଲା ଲାବଣ୍ୟମୟୀ, ସ୍ନେହମୟୀ ତରୁଣୀଟି ଭିତରୁ ।

 

ତାକୁ ଅପ୍ରତିଭ କରି କହିଲା ସୁନନ୍ଦା- ‘‘କୁଆଡ଼େ ଚାହିଁଛନ୍ତି ଏତେ... ମୁଁ ପଚାରୁଛି... ଭଲଲାଗୁଛି ତ ?’’

 

ମେଘମେଦୂର ଆକାଶରେ ତଡ଼ିତ୍‌ପ୍ରବାହ ଖେଳିଗଲା ପରି, ମୁହୂର୍ତ୍ତକରେ ବାସ୍ତବତାକୁ ଫେରିଆସି କହିପକାଇଲା ଶୁଭେନ୍ଦୁ... ‘‘ମୁଁ... ମୁଁ ଭଲଅଛି ।’’

 

ଇଞ୍ଜେକ୍‌ସନ୍‌ଟା ଶୁଭେନ୍ଦୁ ହାତରେ ଶେଷ କରି ଭିତରକୁ ପ୍ରସ୍ଥାନ କଲା ସୁନନ୍ଦା । ମୁହଁହାତ ଧୋଇ ବସି ରହିଲା ଶୁଭେନ୍ଦୁ ।

 

‘‘ଏଇ ଯେ...ଆପଣ ଔଷଧ ଆଦୌ ଖାଇନାହାନ୍ତି’’-କିଛି ସମୟ ପରେ ଆସି ମଧୁର ସ୍ୱରରେ କହିଲା ସୁନନ୍ଦା ।

 

‘‘ନା ଥାଉ, ମୁଁ ତ ଭଲ ହୋଇଗଲିଣି, ବୃଥାରେ ଆଉ କାହିଁକି ଖର୍ଚ୍ଚାନ୍ତ କରାଇବି ଆପଣଙ୍କୁ ।’’

 

‘‘କିନ୍ତୁ ମୁଁ ଯଦି ଏହିପରି ଅବସ୍ଥାରେ ଆପଣଙ୍କ ଆଶ୍ରୟ ପାଇଥାଆନ୍ତି, ଖର୍ଚ୍ଚାନ୍ତ ହେବେ ବୋଲି ଆପଣ କଣ ଦେଇ ନ ଥାନ୍ତେ ଔଷଧ ?’’

 

ଶୁଭେନ୍ଦୁ ଆଉ କହିପାରିଲା ନାହିଁ କିଛି । ବିନା ଦ୍ୱିଧାରେ ଔଷଧ ପାନକଲା ।

 

ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିନାହିଁ–କିନ୍ତୁ ଅନେକଟା ସୁସ୍ଥ ମନେକରୁଛି ସେ । ସୁନନ୍ଦା ନୂତନ ପ୍ରଭାତର ପୁଲକ ନେଇ ବସିଲା ଯାଇ ଚୌକିରେ । ଶୀତଳ ପବନ ମୃଦୁମନ୍ଦ ଗତିରେ ପ୍ରବେଶ କରୁଥିଲା ବାତାୟନ ଦେଇ । ସେ ଧୀର ମଧୁର କଣ୍ଠରେ ପଚାରିଲା–‘‘ଆପଣଙ୍କ ବସା କେଉଁଠାରେ-? ଆଉ କିଏ ଅଛନ୍ତି ?’’

 

ମୁହଁ ଉପରେ ହସର କ୍ଷୁଦ୍ର ରେଖାଟିଏ ଖେଳାଇ କହିଲା ଶୁଭେନ୍ଦୁ-‘‘ଆପଣଙ୍କ ଏହି ସାହିରେ-ନରେନ୍ଦ୍ର ପଟ୍ଟନାୟକ ଜମିଦାରଙ୍କ କୋଠାର ଠିକ୍‌ ସେ ପାଖରେ ଛୋଟ ଚାଳଘରଟିଏ । ଘରେ ଥାଆନ୍ତି ମା ।’’

 

‘‘ଆପଣ କଣ ପଢ଼ନ୍ତି ?’’

‘‘ହଁ, ଇଞ୍ଜିନିଅରିଂ କଲେଜରେ ।’’

 

‘‘ଆପଣ କହିଲେ ମା ବ୍ୟତୀତ ଆଉ କେହି ନାହାନ୍ତି । କିନ୍ତୁ କାଲି ଯେ କେତେ କଥା କହୁଥିଲେ ଆଉ ଜଣକ ବିଷୟରେ ।’’ ସୁନନ୍ଦା ମୁହଁରେ ସରୁ ହସର ଗୋଟିଏ ମଳିନ ରେଖା ।

 

ଶୁଭେନ୍ଦୁ ଆଶ୍ଚର୍ଯ୍ୟ ହେଲା । କାହିଁ, କାହାରି କଥା କହିବା ତା ତାର ମନେପଡ଼ୁନାହିଁ ! ତା ହେଲେ ? ସେ କ୍ଷଣକ ପରେ ଉତ୍ତର ଦେଲା–‘‘କେତେବେଳେ କହିଲି... କାହା କଥା ?’’

 

‘‘ସେ କିଏ ମୁଁ କିପରି ଜାଣିବି ? ମାଧୁରୀକୁ ଆପଣ ଚିହ୍ନନ୍ତି ?’’- କହି କହି ଭିତରକୁ ପ୍ରବେଶ କଲା ସୁନନ୍ଦା ।

 

ଚମକି ପଡ଼ିଲା ଶୁଭେନ୍ଦୁ । ହଁ ସତେ ତ ! କାଲି ସେ ହୁଏତ ସେହି ମାଧୁରୀ କଥା ପ୍ରଳାପ କରିଛି । ଛି ଛି, କି ଗଭୀର ଲଜ୍ଜାର କଥା ! ସୁନନ୍ଦା ତାକୁ ଭାବିଥିବ କଅଣ ? କିନ୍ତୁ ପର ମୁହୂର୍ତ୍ତରେ ମନ ତାର ନିର୍ମଳ ହୋଇଗଲା । କାହିଁକି ବା ସେ ଲଜ୍ଜା କରିବ ? ଏପରି କଅଣ ବା କହିଛି ଓ ମାଧୁରୀ ସହିତ ସାଧାରଣ ବନ୍ଧୁତା ବ୍ୟତୀତ ଆଉ ବା କଅଣ ସମ୍ବନ୍ଧ ଥାଇପାରେ ତାର ? ସେ ଜମିଦାରର କନ୍ୟା, ଆଭିଜାତ୍ୟ ଅଛି ତାର । ଗରିବ ପ୍ରତି, ଦୈନ୍ୟ ପ୍ରତି, ଘୃଣା ଅଛି ସେମାନଙ୍କର । ନା, ତା ସହିତ ତାର ସମ୍ୱନ୍ଧ ହୋଇପାରେନା । ଯେଉଁଠାରେ ଐଶ୍ୱର୍ଯ୍ୟ ଶିଖାଇଛି ଅନ୍ୟକୁ ଛୋଟ କରି ଦେଖିବା ପାଇଁ, ଅନ୍ୟର ଜୀବିକାକୁ ହେୟ ଓ ଘୃଣ୍ୟ ମନେକରିବା ପାଇଁ–ସେଠାରେ ସ୍ଥାନ ନାହିଁ ଶୁଭେନ୍ଦୁର ।

 

ମାଧୁରୀର ଦୟା ଭିତରେ ଗରିବ ପ୍ରତି ଧନୀର କରୁଣା ଅଛି; କିନ୍ତୁ ନାହିଁ ହୃଦ୍ୟତା, ନାହିଁ ସମବେଦନା ଓ ସହାନୁଭୂତି । ଚିରଦିନ ଗରିବର ଆହାର ଛଡ଼ାଇ ନେଇ ପରିପୁଷ୍ଟ ହୋଇଛନ୍ତି ଏହି ପୁଞ୍ଜିପତିମାନେ । ଅନ୍ୟ ଜୀବନର ମୂଲ୍ୟବୋଧ ସେମାନଙ୍କ ନିକଟରେ ତୁଚ୍ଛ, ନଗଣ୍ୟ । ସେହି ପରିସ୍ଥିତିରେ, ଆଭିଜାତ୍ୟର ଛତ୍ରତଳେ ଆଜନ୍ମ ଲାଳିତପାଳିତ ମାଧୁରୀର ଭିନ୍ନ ମତ ହୁଅନ୍ତା କିପରି-?

 

ଶୁଭେନ୍ଦୁ ଦରିଦ୍ର, ନିଃସ୍ୱ; କିନ୍ତୁ ଭିଖାରୀ ନୁହେଁ, ଅଥର୍ବ ନୁହେଁ । ସ୍ୱାବଲମ୍ୱୀ ସେ । ନିଜ ଗୋଡ଼ରେ ଛିଡ଼ାହେବାର ଆଶା ପରିତ୍ୟାଗ କରି ଅନ୍ୟର ଦୟା ଓ ଦାନ ଉପରେ ବଞ୍ଚିରହି ନିଜତ୍ୱ ରକ୍ଷାକରି ପାରିବ ନାହିଁ ସେ । ସେଥିରେ ପ୍ରୟୋଜନ ନାହିଁ ତାର । ସେ ଖବର କାଗଜର ହକ୍‍କର-ଏହି ମାତ୍ର ପରିଚୟ ନେଇଯିବ ସେ ମାଧୁରୀ ପାଖକୁ । ଛି, ଛି... ତାକୁ କ୍ଷମତା ଓ ଐଶ୍ୱର୍ଯ୍ୟର ପ୍ରଲୋଭନ ଦେଖାଇ ମାଧୁରୀ ଆୟତ୍ତ କରିବାକୁ ଚାହେଁ ? ହଁ, ଯୁଗ ଯୁଗ ଧରି ଦୟାକରି ଆସିଛନ୍ତି ଏହି ଅଭିଜାତଶ୍ରେଣୀ । ଅନ୍ୟର ସଙ୍କୋଚନରେ ହୋଇଛି ଏମାନଙ୍କର ପ୍ରସାରଣ, ଅନ୍ୟର କ୍ଷୟରେ ହୋଇଛି ଏମାନଙ୍କର ଅଭିବୃଦ୍ଧି । ସେହି ମୋହ, ଲୋଭ ପରିତ୍ୟାଗ କରି ସେ ନିଜକୁ ମୁକ୍ତ କରିଛି ମାତ୍ର ।

 

ମଣିଷ ଯେତେବେଳେ ନିଜପ୍ରତି ବିରୂପ ହୁଏ, ଅପ୍ରସନ୍ନ ହୁଏ-ସେତେବେଳେ ମନ ତାର ଖୋଜେ ତୁଳନାତ୍ମକ ଆଉ ଜଣେ-ଯାହାକୁ ସେ ଆଦର୍ଶ କରି ମନେ ମନେ ଯୁକ୍ତି କରେ । ହୃଦୟ ଭିତରେ ତାହାରି ହୁଏ ପ୍ରତିଷ୍ଠା, ତାହାରି ଗୁଣଗାନରେ ଅନ୍ତର ହୁଏ ମୁଖର ।

 

ସୁନନ୍ଦା ମେଡ଼ିକାଲର ନର୍ସ । ଶ୍ରମର ମୂଲ୍ୟ ବୁଝେ ସେ, ଶ୍ରମିକକୁ ସମ୍ମାନ କରେ । କଥାରେ ଅଛି ତାର ଅନ୍ୟକୁ ଆପଣାର କରିବାର ପ୍ରଯତ୍ନ; କିନ୍ତୁ ଅନ୍ୟର ବ୍ୟକ୍ତିତ୍ୱକୁ କ୍ଷୁଣ୍ଣ କରି, ନିଜ ଭିତରେ ତାର ଆତ୍ମପ୍ରକାଶକୁ ରୋଧ କରିବାର ଇଚ୍ଛା ବା ବାସନା ନାହିଁ । ସେ ସରଳା, ହାସ୍ୟମୟୀ, କଲ୍ୟାଣମୟୀ, ଶୁଭଦ୍ରା ନାରୀ । ମାଧୁରୀ ! ନା, ନା, ତାକୁ ସୁନନ୍ଦା ସହିତ ତୁଳନା କରାଯାଇ ପାରେନା । ସେ ସରଳା, ସୁନ୍ଦରୀ ହୋଇପାରେ; କିନ୍ତୁ ଅନ୍ୟର ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠାକୁ ସମ୍ମାନ କରି ଶିଖିନାହିଁ ସେ । ଦୁନିଆ ବିଷୟରେ ଅଭିଜ୍ଞତା ତାର କମ୍‌ । ସୁନନ୍ଦା ଅଳକାନନ୍ଦା ପରି ଧୀର ଓ ମଧୁର; ମାଧୁରୀ ବ୍ରହ୍ମପୁତ୍ର ପରି ବିପୁଳ ଓ ଉତ୍ତାଳ ।

 

ସୁନନ୍ଦା ପ୍ରବେଶ କଲା ପ୍ରକୋଷ୍ଠ ଭିତରେ, ହାତରେ କପେ ଗରମ କଫି ।

 

ପ୍ରତିବାଦ କରିପାରିଲା ନାହିଁ ଶୁଭେନ୍ଦୁ । ବିଶେଷତଃ କାଲି ରାତି ପାଖରୁ ଏହି ନବ ପରିଚିତା ନାରୀଟି ପ୍ରତ୍ୟେକ କ୍ଷେତ୍ରରେ ତା ପାଖରେ ଏପରି ଭାବରେ ଅବତୀର୍ଣ୍ଣ ହେଉଅଛି ଯେ, ତାର କଥାକୁ ଅମାନ୍ୟ କରିବାର ଧୃଷ୍ଟତା ରହୁନାହିଁ ତାର । ସୁନନ୍ଦା ଜୋର୍‌ କରିନି, ଯୌବନସୁଲଭ ମାଦକତାରେ ଆକର୍ଷଣ କରିନାହିଁ, କିନ୍ତୁ ଶତଦଳର ସୁବାସ ଅଛି ତାଠାରେ-ପାଖ ଲୋକକୁ ଆପେ ଆପେ ତାହା ଅଜ୍ଞାତରେ ଆକର୍ଷଣ କରେ ।

 

ଶୁଭେନ୍ଦୁ କଫି ପିଇ ପଚାରିଲା-‘‘ଆପଣଙ୍କ କଥା କିଛି କହିଲେ ନାହିଁ ସୁନନ୍ଦା ଦେବୀ ।’’

 

‘‘ମୋ କଥା କଣ କୁହାଯାଏ ଶୁଭେନ୍ଦୁ ବାବୁ ?’’

 

କାହିଁକି କେଜାଣି ଏତିକି କହିବାରେ ବ୍ୟଥା ହେଲା ସୁନନ୍ଦାର । ତାର ଅନ୍ତରତଳର ଗଭୀରତମ ପ୍ରଦେଶରୁ ଯେପରି ବେଦନାର୍ତ୍ତ କଣ୍ଠରେ କହିଲା କିଏ-ଶୁଭେନ୍ଦୁକୁ ଯେ ସେ କଥା କହିବାର ନୁହେ ସୁନନ୍ଦା ।’’

 

‘‘କାହିଁକି, କୁହନ୍ତୁନା କିଛି । କାଲିଠାରୁ ଆପଣ ମୋର ଯେ କି ଉପକାର କରିଛନ୍ତି, ମା ସେ କଥା ଜାଣିଲେ ଆପଣଙ୍କ ବିଷୟରେ ପଚାରିବ । କଣ କହିବି ତାକୁ କୁହନ୍ତୁ ତ ?

 

ସୁନନ୍ଦା କୁଣ୍ଠାବୋଧ କରୁଥିଲା ଶୁଭେନ୍ଦୁକୁ କହିବା ପାଇଁ । ତାର ବେଶବିନ୍ୟାସ ଦେଖି ସେ ଯେ କିଛି ବୁଝିପାରିବ ନାହିଁ-ଏ କଥା ସେ ନିଶ୍ଚୟ ଜାଣିଛି । ଏଣୁ କଥାଟିକୁ ଏହିଠାରେ ପୂର୍ଣ୍ଣଚ୍ଛେଦ ଦେବା ପାଇଁ କହିଲା ସେ-‘‘ଅନ୍ତତଃ ଆପଣଙ୍କ ପରି ଜଣେ ଭଦ୍ରଲୋକଙ୍କ ମା’ଙ୍କୁ କହିବାର ଲୋଭ ସମ୍ବରଣ କରି ବର୍ତ୍ତମାନ କହିପାରିବିନି କିଛି ।’’

 

‘‘ଆଚ୍ଛା ତା ହେଲେ ଚାଲନ୍ତୁ-ବେଳ ବି ହୋଇଗଲାଣି । ମା ଭାରି ବ୍ୟସ୍ତ ହେଉଥିବ । ସେ ଭାବିଥିବ, ହୁଏତ ମୁଁ ହଷ୍ଟେଲରେ ସାଥୀମେଳରେ ରହିଯାଇଛି ।’’

 

‘‘ସେ କଣ ଜାଣିନାହାନ୍ତି ଆପଣଙ୍କୁ ଜ୍ୱର ହୋଇଥିଲା ବୋଲି ?’’

‘‘ନାଁ, ମୁଁ କହି ନ ଥିଲି । ତାପରେ ଏଟା ତ ସେପରି କିଛି ନୁହେଁ ।’’

 

ସୁନନ୍ଦା ଅବାକ୍‌ ହେଲା ଶୁଭେନ୍ଦୁର କଥା ଶୁଣି । ଦେହ ଭଲ ନ ଥିଲା, ଅଥଚ ତା ପ୍ରତି ଯେପରି ଲକ୍ଷ୍ୟ ନାହିଁ ଶୁଭେନ୍ଦୁର । କାହିଁକି ? ଏତେ ଅଯତ୍ନ ଓ ଅବହେଳା କଣ ଭଲ ? ସେ ସରୁ ହସର ରେଖାଟିଏ ମୁହଁ ଉପରେ ଖେଳାଇ କହିଲା–ନା, ଦେହପ୍ରତି ଏତେ ଅବହେଳା ସାଜେନା ଆପଣଙ୍କୁ । ଯତ୍ନ ନିଅନ୍ତୁ ।

 

ହୋ-ହୋ କରି ହସିଉଠି କହିଲା ଶୁଭେନ୍ଦୁ–‘‘ଆମ ଦେଶରେ କେତେ ଲୋକ ଔଷଧ ଟୋପେ ନ ପାଇ ରୋଗରେ ପଡ଼ି ମରନ୍ତି ଆପଣ କଅଣ ଜାଣନ୍ତି ନାହିଁ ସୁନନ୍ଦା ଦେବୀ ?

 

ମୁଁ ସେମାନଙ୍କ ମଧ୍ୟରୁ ଜଣେ, ବାହାର ନୁହେଁ ।

 

ସୁନନ୍ଦା ଜାଣିଲା ଶୁଭେନ୍ଦୁର ଅବସ୍ଥା ସ୍ୱଚ୍ଛଳ ନୁହେଁ; ତଥାପି ସ୍ଥିର ନିଶ୍ଚିତ ହୋଇପାରିଲା ନାହିଁ ସେ ।

 

କଥାପ୍ରସଙ୍ଗ କ୍ରମଶଃ ବ୍ୟକ୍ତିଗତ ବ୍ୟାପାର ନେଇ ଚାଲିଲା । ଶୁଭେନ୍ଦୁର ଦୈନ୍ୟର ପରିଚୟ ପାଇ ସୁନନ୍ଦା ବିଚଳିତ ହେଲା ନାହିଁ; ବରଂ ତାର ମନେହେଲା ଏତେ ଝଡ଼ଝଞ୍ଜା ଭିତରେ ଜୀବନ-ସଂଗ୍ରାମରେ ବିଜୟୀ ହେବା ପାଇଁ ଯେ ଆଗେଇ ଚାଲିଛନ୍ତି, ଯେଉଁ ଜୀବିକା କରି ସେ ନିଜକୁ ପୋଷଣ କରନ୍ତୁ ନା କାହିଁକି ସେ ଆଦର୍ଶ, ସେ ଶିକ୍ଷିତ ସମାଜର ବରେଣ୍ୟ । ଶ୍ରମର ଶ୍ରେଣୀ ବିଭାଗ ହୋଇପାରେ କିନ୍ତୁ ସମସ୍ତ ଶ୍ରମର ମର୍ଯ୍ୟାଦା ଏକ । ଏଥିରେ ସମ୍ପୂର୍ଣ୍ଣ ଏକମତ ସେ । ସମାଜ ଦିନେ ଏହା ସ୍ୱୀକାର କରିବ; ନ ହେଲେ ସମାଜ ହେବ ସ୍ଥାଣୁ, ଅଥର୍ବ, ପ୍ରଗତିହୀନ । ଜୀବନର ନୂତନ ମୂଲ୍ୟବୋଧ, ଶ୍ରମର ସମ୍ମାନ ଯେପର୍ଯ୍ୟନ୍ତ ପ୍ରଗତିଶୀଳ ଦୃଷ୍ଟିକୋଣରୁ ପ୍ରଚଳିତ ନ ହୋଇପାରିଛି ସମାଜରେ, ସେ ପର୍ଯ୍ୟନ୍ତ ଜୀବିକା ଉପରେ ପ୍ରତିଷ୍ଠିତ କୃତ୍ରିମ ଶ୍ରେଣୀ ଆଭିଜାତ୍ୟର ବିଲୋପ ହେବ ନାହିଁ ।

 

ସୁନନ୍ଦାର ମନେହେଲା ଶୁଭେନ୍ଦୁ ଖବରକାଗଜ-ବିକାଳି ନୁହେଁ- ସେ ଏକ ନୂତନ ଯୁଗର ବାର୍ତ୍ତାବହ, ସେ ଏକ ନବ-ଜୀବନର ପୁରୋଧା ।

 

ଶୁଭେନ୍ଦୁ ପ୍ରତ୍ୟେକ କଥାରେ ଅନୁଭବ କଲା ସୁନନ୍ଦାର ହୃଦୟର ଅସୀମ ସହାନୁଭୂତି, ଅପରିସୀମ ସମବେଦନା । ମନେହେଲା ତାର, ଯେପରି ସୁନନ୍ଦା ହିଁ ନାରୀଜାତିର ଆଦର୍ଶ, ସେବାଧର୍ମର ପୂଜାରିଣୀ, ବୈଷମ୍ୟପୂର୍ଣ୍ଣ ସମାଜକୁ ପରିବର୍ତ୍ତନ କରି ସମ-ସମାଜ ପ୍ରତିଷ୍ଠା କରିବାକୁ ହେଲେ ସୁନନ୍ଦା ପରି ନାରୀର ଅବଦାନକୁ ହେଳା କରାଯାଇପାରେନା ।

 

ଆଜି ବେଶୀ ଦୁର୍ବଳତା ଅନୁଭବ କରୁନି । ମୋଟର-ଧକ୍‌କାରେ କ୍ଷତବିକ୍ଷତ ଅଙ୍ଗପ୍ରତ୍ୟଙ୍ଗ ଜ୍ୱାଳା ଦେଉନାହିଁ । ଜ୍ୱରଟା କିନ୍ତୁ ସମ୍ପୂର୍ଣ୍ଣରୂପେ ଛାଡ଼ିଯାଇନି । ବର୍ତ୍ତମାନ ଦେହର ଉତ୍ତାପ ଶହେ ଏକ ଡିଗ୍ରୀ । କଅଣ ଭାବିଲା କେଜାଣି ଶୁଭେନ୍ଦୁ, ହଠାତ୍‌ ପଚାରିଦେଲା ସୁନନ୍ଦାକୁ–‘‘ଆପଣ କଣ ମାଧୁରୀକୁ ଚିହ୍ନନ୍ତି ?’’

 

ସୁନନ୍ଦା ସ୍ମିତହାସ୍ୟ ହସି ଶୁଭେନ୍ଦୁର ଭାବାନ୍ତର ଲକ୍ଷ୍ୟକରିବା ପାଇଁ କହିଲା- ‘‘ହଁ, ତା ସହିତ ମୋର ବହୁଦିନରୁ ପରିଚୟ । କିନ୍ତୁ ମୁଁ ଜାଣି ନ ଥିଲି ଯେ ଯେଉଁ ଗୁଣବାନ ଭଦ୍ରଲୋକଙ୍କ କଥା ସେ କହେ, ସେ ହେଉଛନ୍ତି ଆପଣ । ଆଉ ଆପଣ ଯେଉଁ ମାଧୁରୀ କଥା କାଲି ପ୍ରଳାପ କରୁଥିଲେ, ସେ ସେହି ।

 

ଲଜ୍ଜା ଓ ସଙ୍କୋଚରେ ଶୁଭେନ୍ଦୁ ଜଡ଼ସଡ଼ ହୋଇଗଲା । ରକ୍ତିମ ଆଭା ପ୍ରତିଭାତ ହେଲା ତାର ସମଗ୍ର ମୁଖମଣ୍ଡଳରେ । କଥାଟିକୁ ଏଡ଼ିଯିବାପାଇଁ ସେ ନିଜକୁ ଯଥାସମ୍ଭବ ସଂଯତ କରି କହିଲା- ‘‘ପରେ ସେ ସବୁ, ଚାଲନ୍ତୁ ଆପଣ । ଆମ ଘରକୁ ଯିବେ କହିଥିଲେ ପରା ?’’

 

ସୁନନ୍ଦା ବୁଝିଲା, ମାଧୁରୀ ସମ୍ୱନ୍ଧରେ ଆଲୋଚନା କରିବା ଲାଗି ଇଚ୍ଛୁକ ନୁହେଁ ଶୁଭେନ୍ଦୁ-। ମାଧୁରୀ ସହିତ ସୁନନ୍ଦାର ବହୁଦିନର ପରିଚୟ, କିନ୍ତୁ ତା ପାଖରୁ ଶୁଭେନ୍ଦୁ କଥା ସେ ଶୁଣିନାହିଁ କେବେ । ମନକୁ ମନ ଭାବିଲା ସୁନନ୍ଦା- ମାଧୁରୀ ପ୍ରତି କଣ ଆକୃଷ୍ଟ ନୁହନ୍ତି ଶୁଭେନ୍ଦୁ ବାବୁ ? ତେବେ ଯେ ତା ବିଷୟରେ ମୋଠାରୁ ଶୁଣି ମଧ୍ୟ ନୀରବ ହେଲେ ସେ ଏ ଯାହା ହେଉ ଭଲ ପାଇବାର ଲକ୍ଷଣ ନୁହେଁ ତ !

 

ଭଲପାଇବା ମୁଖର କରେ ହୃଦୟକୁ । ଜଣେ ଅନ୍ୟ ଯାହାକୁ ଭଲପାଏ, ତା ବିଷୟରେ ଅନ୍ୟ କାହା ପାଖରେ କହିବା ପାଇଁ ପଞ୍ଚମୁଖ ହୋଇଉଠେ । ସଙ୍କୋଚ ଓ ଲଜ୍ଜାର ମଧୁର ସମ୍ମିଶ୍ରଣ ସତ୍ତ୍ୱେ ପ୍ରେମିକ ଓ ପ୍ରେମିକା ଆତ୍ମୀୟମାନଙ୍କ ପାଖରେ ନାନା ଭାବରେ ଉଭୟଙ୍କୁ ପ୍ରକାଶ କରିବାର ସୁଯୋଗକୁ ସେ ଉତ୍‌କଣ୍ଠାର ସହିତ ଅପେକ୍ଷା କରନ୍ତି, ଏଥିରେ ସନ୍ଦେହ କରିବାର ନାହିଁ ।

 

ତା ହେଲେ କଣ ଶୁଭେନ୍ଦୁ ଭଲ ପାଏନା ମାଧୁରୀକୁ ? କିନ୍ତୁ ସୁନନ୍ଦା କହିପାରି ଥାଆନ୍ତା ତାକୁ । ନା, ନା, ଏଥିରେ ଭଲ ପାଇବା ନାହିଁ । ଧନୀ ଓ ଅଭିଜାତ ବଂଶର କନ୍ୟା ମାଧୁରୀ । ସେ ଭଲ ପାଇପାରେନା ଶୁଭେନ୍ଦୁକୁ । ହୁଏତ ସାମାନ୍ୟ ବନ୍ଧୁତା ଭିତରେ ଦେଖା ଦେଇଛି ଦ୍ୱନ୍ଦ୍ୱ । ଶୁଭେନ୍ଦୁକୁ ଆୟତ୍ତ କରିବାର ପ୍ରଥମ ସୋପାନରେ ଭୁଲ କରିବସିଛି ମାଧୁରୀ ।

 

ନାରୀ ଯାହାକୁ ମନେ ମନେ ଭଲପାଇ ବସେ, ସେହି ପୁରୁଷ ପ୍ରତି ଅନ୍ୟଏକ ନାରୀର ପ୍ରେମ ସେ ସ୍ୱୀକାର କରେନା । ଜାଣିଲେ ମଧ୍ୟ ନାନା ଯୁକ୍ତି କରି ପ୍ରମାଣ କରିବ ସେ, ସେ ଭଲପାଇ ପାରେନା । ସ୍ୱାର୍ଥର ସଂଘର୍ଷ ହେବା ପୂର୍ବରୁ ବୁଦ୍ଧିମାନ୍‌ ବ୍ୟକ୍ତି ସ୍ୱାର୍ଥଜଡ଼ିତ ବସ୍ତୁକୁ ଆୟତ୍ତ କରି ସାରିଥାଏ । ସେଥିପାଇଁ ସୁନନ୍ଦା, ମାଧୁରୀ ଶୁଭେନ୍ଦୁକୁ ଭଲପାଇବା ବିଷୟରେ ହୋଇଛି ସନ୍ଦିହାନ ।

 

ଶୁଭେନ୍ଦୁ ପଚାରିଲା–‘‘କଣ ଭାବୁଛନ୍ତି ଏତେ ? ବେଳ ଯେ ହୋଇଗଲାଣି–ମୁଁ ଯିବି ପରା ?’’

 

ସୁନନ୍ଦା ଇଷତ୍‌ ଲଜ୍ଜିତ ହୋଇ କହିଲା–‘‘ନା ଏମିତି ! ଆଚ୍ଛା, ଆପଣ ପ୍ରସ୍ତୁତ ହୁଅନ୍ତୁ... ମୁଁ ରିକ୍‌ସା ଆଣିବା ପାଇଁ କହୁଛି...’’ କହି କହି ସେ ପ୍ରକୋଷ୍ଠ ମଧ୍ୟରୁ ନିଷ୍‌କ୍ରାନ୍ତ ହୋଇଗଲା ।

 

ଶୁଭେନ୍ଦୁ ଭାବିଲା, ଏତେ ସହଳ ଥଣ୍ଡାରେ ବାହାରିବା ହୁଏତ ଉଚିତ ହେବନାହିଁ । ଆଉ ଘଣ୍ଟାଏ ବସିରହିଲେ ବା କ୍ଷତି କଣ ?

 

ପ୍ରକୃତରେ କହିବାକୁ ଗଲେ ଶୁଭେନ୍ଦୁ ସୁନନ୍ଦାର ସାନ୍ନିଧ୍ୟ ଛାଡ଼ି ଯିବାପାଇଁ ଇଚ୍ଛୁକ ନ ଥିଲା-। ଭଦ୍ରତା ରକ୍ଷା ଦୃଷ୍ଟିରୁ କହିପକାଇଲା ସିନା, କିନ୍ତୁ ସତରେ ଯେ ସେହି ପ୍ରସ୍ତାବରେ ସୁନନ୍ଦା ଏତେଶୀଘ୍ର ରାଜି ହୋଇଯିବ ଏ କଥା ସେ ଆଶା କରି ନ ଥିଲା ।

 

ମନକୁ ମନ କହିଲା ସେ- ବଡ଼ିସକାଳୁ ରିକ୍‌ସା କଅଣ ମିଳିବ ଯେ.... ।

 

ଭାବନାର ଶେଷ ହୋଇନି, ପୁଣି ସହାସ୍ୟ ବଦନରେ ସୁନନ୍ଦା ପ୍ରକୋଷ୍ଠ ଭିତରେ ପ୍ରବେଶ କରି ଜଣାଇଲା, ରିକ୍‌ସା ମିଳିବାକୁ ଡେରି ହେବ ଟିକିଏ । ଗାଡ଼ିବେଳ-ସମସ୍ତେ ଯାଇଛନ୍ତି ଷ୍ଟେସନ୍‌ ଅଭିମୁଖରେ । ଉପେନ୍ଦ୍ର ଏଇ ଫେରି ଆସିଲା–

 

ଶୁଭେନ୍ଦୁ ଉଲ୍ଲସିତ ହୋଇଉଠିଲା ମନେ ମନେ । କିନ୍ତୁ ସେ ବିଷୟରେ କୌଣସି କଥା କହିପାରିଲା ନାହିଁ । ସେ ସୁନନ୍ଦାର ମୁହଁକୁ ଚାହିଁ କଣ ଭାବୁଥିଲା–ତାହା ତାକୁଇ ଜଣା ।

 

କିଛିକ୍ଷଣ ନୀରବରେ କଟିଗଲା । ପ୍ରଭାତର ଶୀତଳ ସମୀରଣ ପ୍ରବେଶ କରୁଥିଲା ବାତାୟନ ଦେଇ । ଶାଲଟିକୁ ଦେହ ଉପରେ ସମ୍ପୂର୍ଣ୍ଣ ଭାବରେ ଆବୃତ କରି କହିଲା ଶୁଭେନ୍ଦୁ–‘‘ଆପଣ କଅଣ ମୋ ସହିତ ଯିବେନି ଆମ ଘରକୁ ?’’

 

‘‘ଆଠଟାବେଳେ ମତେ ହସ୍‌ପିଟାଲ ଯିବାକୁ ହେବ । କିନ୍ତୁ ଆଜି ବା କାଲି ଯେ ମୁଁ ଆପଣଙ୍କ ଘରକୁ ନିଶ୍ଚୟ ଯିବି, ଏଥିରେ ସନ୍ଦେହ ରଖନ୍ତୁ ନାହିଁ । ଉପେନ୍ଦ୍ର ଆପଣଙ୍କୁ ନେଇ ଛାଡ଼ି ଦେଇ ଆସିବ ।’’

 

ପ୍ରଭାତର ସୂର୍ଯ୍ୟ ଉପରେ ଚଲା ମେଘ ଖଣ୍ଡେ ଭାସିଗଲେ କ୍ଷଣକ ପାଇଁ ଯେପରି ସେହି ଉଜ୍ଜ୍ୱଳ ଦୀପ୍ତିମୟ ଆଲୋକପିଣ୍ଡ ନିଷ୍ପ୍ରଭ ହୋଇଯାଏ, ସୁନନ୍ଦାର କଥା ଶୁଣି କ୍ଷଣକରେ ତାର ମୁଖମଣ୍ଡଳରୁ କ୍ଷଣକ ପୂର୍ବର ଉତ୍‌ଫୁଲ୍ଲତା ଅନ୍ତର୍ହିତ ହେଲା କେଉଁଆଡ଼େ । କିନ୍ତୁ ଏହାପରେ ସେ ବିଷୟ ନେଇ ଆଉ ଅନୁରୋଧ ବି ଚଳେନା ।

 

ଶୁଭେନ୍ଦୁ କ୍ଷଣକ ପରେ କହିଉଠିଲା–ବେଳ ହୋଇଗଲାଣି ଯେ !

ଉପେନ୍ଦ୍ର ଆସି ଖବର ଦେଲା–‘‘ମା, ରିକ୍‌ସା ଆଣିଛି ।’’

 

ରିକ୍‌ସାରେ ବସି ଅଳ୍ପଦୂର ଯାଇ ଯେତେବେଳେ ପଛକୁ ଫେରି ଅନାଇଲା ସେ, ଦେଖିଲା ସୁନନ୍ଦା ଯେଉଁଠି ଛିଡ଼ା ହୋଇ ବିଦାୟ ଦେଇଥିଲା, ସେହିଠାରେ ଛିଡ଼ା ହୋଇ ଅନାଇ ରହିଛି ତାରି ଆଡ଼କୁ ।

 

ବାଙ୍କ ଦେଇ ରିକ୍‌ସା ଘୂରିଲା ।

•••

 

 

ନରେନ୍ଦ୍ର ବାବୁ ଆଗନ୍ତୁକମାନଙ୍କ ଅପେକ୍ଷାରେ ଉଦ୍ଦିଷ୍ଟ କକ୍ଷ ଭିତରେ ବସି ଧୂମପାନ କରୁଥିଲେ । ଦ୍ୱାରମୁହଁ ସେ ପାଖରେ ଜଣେ ଯୁବକର ଉପସ୍ଥିତି ଜାଣିପାରି, ମଥାଟେକି ଚାହିଁ କହିଲେ–‘‘ଆରେ ବିଜୟ ଯେ ! କେତେବେଳୁ ଆସି ଛିଡ଼ା ହୋଇ ରହିଛ ଏପରି ? ଆସ, ଆସ ।’’

 

ବିଜୟ ଯାଇ ତାଙ୍କୁ ନମସ୍କାର କରି ଅଦୂରସ୍ଥ ଗୋଟିଏ ଚୌକି ଉପରେ ବସିଲା । ବିଜୟ ନରେନ୍ଦ୍ର ବାବୁଙ୍କ ପିଲାଦିନର ବନ୍ଧୁ ଶ୍ରୀକାନ୍ତ ମହାନ୍ତିଙ୍କର ଏକମାତ୍ର ପୁତ୍ର । ଶ୍ରୀକାନ୍ତ ଥିଲେ ଜିଲା ଜଜ୍‌-। ଚାକିରୀ ଜୀବନ ସମାପ୍ତ କରି ଅବସର ଗ୍ରହଣ କରିବାର ଦୁଇ ବର୍ଷ ପରେ ପରଲୋକ ଗମନ କରିଛନ୍ତି । ଛାତ୍ରଜୀବନ ପରେ ନରେନ୍ଦ୍ର ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଥିଲା । ସେଇ ସୂତ୍ରରେ ତାଙ୍କର ପୁତ୍ର ବିଜୟ ନରେନ୍ଦ୍ର ବାବୁଙ୍କ ପାଖରେ ପ୍ରିୟ ଓ ପରିଚିତ । ବିଜୟ ନରେନ୍ଦ୍ରବାବୁଙ୍କର ପ୍ରିୟପାତ୍ର ଭାବରେ, ତାଙ୍କର ପରିବାରର ଆଉ କାହାରି ସମ୍ମୁଖରେ ନ ହେଲେ ମଧ୍ୟ ନରେନ୍ଦ୍ରବାବୁଙ୍କ ସମ୍ମୁଖରେ ସମ୍ମାନିତ ଓ ଅର୍ଚ୍ଚିତ ହୋଇ ଆସୁଛି ।

 

ବିଜୟର ଆଭିଜାତ୍ୟଜନିତ ଆଡ଼ମ୍ୱର, ଉଚ୍ଚଶ୍ରେଣୀଗତ ଗାମ୍ଭୀର୍ଯ୍ୟ ନରେନ୍ଦ୍ର ବାବୁଙ୍କ ଆଗରେ ଏକ ବୈଶିଷ୍ଟ୍ୟ ରୂପରେ ପ୍ରତିଭାତ ହୋଇଛି । ଆଜିକାଲିର ଆଧୁନିକ ଶିକ୍ଷିତ ଯୁବକ ପରି ସାମ୍ୟବାଦର ଗଡ଼୍‌ଡ଼ାଳିକା ସ୍ରୋତରେ ଭାସିଯାଇନାହିଁ ସେ ବରଂ ବ୍ୟକ୍ତି ଓ ପୁଞ୍ଜିବାଦର ସ୍ତାବକ ଭାବରେ ତାର ସାରଗର୍ଭକ ଚିନ୍ତାଧାରା ଓ ଭାଷଣକୁ ପସନ୍ଦ କରନ୍ତି ସେ । ସେଥିପାଇଁ ପରିଚୟ ଘନିଷ୍ଠତର ହେବା ସଙ୍ଗେ ସଙ୍ଗେ ମନେ କରିଛନ୍ତି ନରେନ୍ଦ୍ର ବାବୁ, ଏହି ଯୁବକର ହସ୍ତରେ ମାଧୁରୀକୁ ସମର୍ପଣ କରି ଶାନ୍ତିରେ ଆଖିବୁଜି ପାରିବେ ସେ । ବିଜୟ ମଧ୍ୟ କଥାବାର୍ତ୍ତାରେ ଓ ବ୍ୟବହାରରେ ସମ୍ମତି ଜଣାଇ ମାଧୁରୀକୁ ନିଜସ୍ୱ କରିବାର ବହୁ ଚେଷ୍ଟା କରିଆସିଛି ପ୍ରଥମରୁ ।

 

ବିଜୟ ଆସି ପାଖରେ ବସିଲା । ନରେନ୍ଦ୍ର ବାବୁ ତାର ରୁଚିରେ ପରିପାଟି ଲକ୍ଷ୍ୟ କରି ହସିଲେ ମନେ ମନେ । ହଁ, ସେ ବି ତ ଦିନେ ଏହିଭଳି ନାନା ରକମର ବେଶଭୂଷାରେ ମଣ୍ଡିତ ହୋଇ ନବବିବାହିତା ପତ୍ନୀଙ୍କ ପାଖରେ ପ୍ରକାଶ କରୁଥିଲେ ନିଜକୁ । ଏ କ୍ଷେତ୍ରରେ ହୁଏତ ମାଧୁରୀର ମନୋରଞ୍ଜନ କରିବା ନିମିତ୍ତ ବିଜୟ ଯାହା କରିଛି, ସେଥିରେ ବିଚିତ୍ରତା କିଛି ନାହିଁ ବରଂ ଆନନ୍ଦ ହେବାର ଅଛି ।

 

ସେ ଶେଷ ହୋଇଆସୁଥିବା ଜ୍ୱଳନ୍ତ ସିଗାରେଟଟିକୁ ନିକ୍ଷେପ କରି କହିଉଠିଲେ–‘‘ଆରେ ଚୁପ୍‌ ହୋଇ ବସିରହିଲି ଯେ ? ମାଧୁରୀ ! ମାଧୁରୀ !’’

 

ମାଧୁରୀ ଉଦ୍ଦେଶ୍ୟରେ ସଜୋରେ ଡାକି ଉଠିଲେ ନରେନ୍ଦ୍ର ବାବୁ ।

 

ଅଳ୍ପକ୍ଷଣ ପରେ ନୀଳ ପର୍ଦ୍ଦାକୁ ବିଭକ୍ତ କରି ମାଧୁରୀ ଆସି ପ୍ରବେଶ କଲା ପ୍ରକୋଷ୍ଠ ମଧ୍ୟରେ । ବିଜୟକୁ ନ ଦେଖିଲା ପରି ହୋଇ ସିଧା ସେ ବାପାଙ୍କ ପାଖରେ ପହଞ୍ଚି କହିଲା–‘‘କଣ ବାବା ?’’

 

ନରେନ୍ଦ୍ର ବାବୁ ତାର ମୁହଁକୁ ଚାହିଁ କହିଲେ–‘‘କିଏ ଆସିଛି ଦେଖଛୁ ମା....ବିଜୟକୁ ନେଇଯା ତୋ ସାଙ୍ଗରେ... ମୁଁ ବାହାରକୁ ଯିବି.... ଜରୁରୀ କାମ ଅଛି ।’’

 

ମାଧୁରୀ ବିଜୟକୁ ଥରେ ମାତ୍ର ନିରୀକ୍ଷଣ କରି କହିଲା- ‘‘ସେ ତ ଆପଣଙ୍କ ପାଖକୁ ଆସିଥିଲେ ବାବା...’’

 

ଅପ୍ରସ୍ତୁତ ହୋଇପଡ଼ିଲା ବିଜୟ । ଏହି ମାଧୁରୀ ବାରମ୍ୱାର ଚେଷ୍ଟା ସତ୍ତ୍ୱେ କାହିଁକି ତାହାକୁ ଏଡ଼ିଯିବା ପାଇଁ ତତ୍‌ପର ହୋଇଉଠେ ବୁଝିବାକୁ ଚେଷ୍ଟା କରି ମଧ୍ୟ ବୁଝିପାରି ନାହିଁ ବିଜୟ-। କିନ୍ତୁ ପରାଜୟ ବରଣ କରିବ–ଏ କଥା ଲେଖାନାହିଁ ତା ଜାତକରେ । ମାଧୁରୀକୁ ଉତ୍ତର ଦେବାକୁ ଯାଇ କହିପକାଇଲା ବିଜୟ–‘‘ବାବାଙ୍କ ପାଖରେ ମୋର ସେପରି କିଛି କାମ ନାହିଁ ମାଧୁରୀ; ବରଂ ତୁମ ସହିତ କେତେଟା ବିଷୟ ଆଲୋଚନା କରିବାର ଅଛି ।’’

 

ନରେନ୍ଦ୍ର ବାବୁ ସୁଯୋଗ ଖୋଜୁଥିଲେ । ମାଧୁରୀ କୌଣସି କଥା ଏହା ଉପରେ କହିବା ପୂର୍ବରୁ ସେ କହିଲେ–‘‘ତୁମେ କଥାବାର୍ତ୍ତା କର ବିଜୟ ! ମୁଁ ଆସୁଛି ।’’ ଏହା କହି ସେ ପ୍ରକୋଷ୍ଠରୁ ଚାଲିଗଲେ ।

 

ଅନ୍ୟ ପ୍ରକୋଷ୍ଠକୁ ନ ଯାଇ ସେହି ପାଖର ଆଉ ଗୋଟିଏ ଚୌକିରେ ବସିଲା ମାଧୁରୀ । ବିଜୟକୁ ଚାହିଁ କହିଲା ସେ–‘‘କହନ୍ତୁ ।’’

 

କଅଣ କହିବ ବିଜୟ ! କେତେ କଥା, କେତେ ପ୍ଲାନ୍‌ ଭାବି ଭାବି ଆସିଥିଲା ସେ । ସମଗ୍ର ଦ୍ୱିପ୍ରହରଟା କଟିଯାଇଛି ତାର ଏହି ଚିନ୍ତାରେ । କଣ କଥା କହି ମାଧୁରୀ ସହିତ ଆଲୋଚନା କରିବ ଦୀର୍ଘ... କଣ କହି ତା ସହିତ ଆଳାପ କରିବ ହୃଦ୍ୟତାପୂର୍ଣ୍ଣ, ଜୀବନ୍ତ ।

 

କଥା ଖୋଜି ପାଏନା ବିଜୟ । ଯାହା ଭାବି ଭାବି ମୁଖସ୍ଥପ୍ରାୟ କରି ଆସିଥିଲା, ମାଧୁରୀର ଜିଜ୍ଞାସା ସତ୍ତ୍ୱେ ସବୁ ଭୁଲିଗଲା ସେ । ନିଜକୁ ସହଜ ଓ ପ୍ରକାଶ କରି ନ ପାରି ଅସ୍ୱାଭାବିକ ଭାବରେ ରକ୍ତବର୍ଣ୍ଣ ଧାରଣ କଲା ତାର କର୍ଣ୍ଣଦ୍ୱୟ ।

 

କିଛି ସମୟ ନୀରବରେ କଟିଗଲା । ମାଧୁରୀ ପୁଣି କହିଲା–‘‘କଅଣ କହିଲେନି ଯେ କିଛି’’ ଆତ୍ମସ୍ଥ ହୋଇସାରିଥିଲା ବିଜୟ ।

 

ମାଧୁରୀର ମୁହଁକୁ ଚାହିଁ କହିଲା ସେ–‘‘ଗୋଟାଏ ପିକ୍‌ନିକ୍‌ର ଆୟୋଜନ ହୋଇଛି... ଆଶା କରେ ଯୋଗଦେବ ତୁମେ ।’’

 

ମାଧୁରୀ କହିଲା–‘‘କିନ୍ତୁ କିଏ ଆୟୋଜନ କରିଛି ବିଜୟବାବୁ... ଆପଣଙ୍କ ସହିତ ଆଉ କିଏ କିଏ ?’’

 

‘‘ସଂସ୍କୃତି ସଂଘ’ର ସମସ୍ତ ସଭ୍ୟ ମିଶି କରିଛନ୍ତି ୟାର ଆୟୋଜନ-ତୁମେ ହେବ ବିଶିଷ୍ଟ ଅତିଥି... ମୁଁ ସେମାନଙ୍କୁ କଥାଦେଇ ସାରିଚି ।’’

 

‘‘କିନ୍ତୁ...’’

 

‘‘କିନ୍ତୁ ଆଉ କଣ ମାଧୁରୀ, ତୁମକୁ ନିଶ୍ଚୟ ଯିବାକୁ ହେବ । ତୁମ କଣ୍ଠର ଲଳିତ ମଧୁର ଛନ୍ଦରେ ମର୍ମରିତ ହୋଇଉଠିବ ପ୍ରକୃତି ।’’

 

ଭାବିଲା ମାଧୁରୀ-କାହିଁକି ତା ପାଇଁ ବିଜୟର ଏ ବିଶେଷ ଆୟୋଜନ; କାହିଁକି ତାକୁ ଅତିଥି କରି ସମସ୍ତଙ୍କର ଅଲକ୍ଷ୍ୟରେ ତାର ସାନ୍ନିଧ୍ୟ ପାଇଁ ଏତେ ଲାଳାୟିତ ! ମାଧୁରୀ ଚାହିଁଲା ବିଜୟର ମୁହଁକୁ, ସିଧାସଳଖ ସେ ଚାହାଣୀ । ଭୀରୁତା ନାହିଁ, ସଙ୍କୋଚ ନାହିଁ; ବରଂ ସେହି ଦୃଷ୍ଟିରେ ଅନ୍ୟକୁ ପରୀକ୍ଷା କରିବାର ଅଛି ସଙ୍କେତ । ସର୍ଚ୍ଚଲାଇଟ୍‌ ପରି ଉଜ୍ଜ୍ୱଳ, ଅନିସନ୍ଦିତ୍ସୁ ଓ ପ୍ରଖର ସେ ଦୃଷ୍ଟି । ବିଜୟ ଉତ୍ତର-ପ୍ରତ୍ୟାଶାରେ ଚାହିଁଛି । ସେଇ ଚାହାଣୀ ଭିତରେ ପ୍ରକାଶ ପାଉଛି ମାଧୁରୀକୁ ନିଜସ୍ୱ କରିବାର ବ୍ୟାକୁଳତା, ତାର ସାନ୍ନିଧ୍ୟକୁ ଉପଭୋଗ କରିବାର ଦୁର୍ବାର ଲାଳସା ।

 

ଛି, ଛି, କି କୁତ୍ସିତ ଏଇ ଚାହାଣୀ ! କି ନଗ୍ନ ଏ ଦୃଷ୍ଟି ! ଆଖି ଫେରାଇଲା ମାଧୁରୀ ।

‘‘ତା ହେଲେ ମୁଁ ନିଶ୍ଚିନ୍ତ ହେଲି ମାଧୁରୀ’’- କହିଲା ବିଜୟ ।

‘‘କିନ୍ତୁ ଗୋଟିଏ ସର୍ତ୍ତରେ ।’’

‘‘କଣ କୁହ ?’’

‘‘ମୁଁ ସାଙ୍ଗରେ ନେବି ମୋର ଜଣେ ବିଶିଷ୍ଟ ଅତିଥିଙ୍କୁ ।’’

 

‘‘ସେ ତ ଆହୁରି ସୌଭାଗ୍ୟର କଥା ହେବ ମାଧୁରୀ ! କିନ୍ତୁ ସେହି ବିଶିଷ୍ଟ ଅତିଥିଟି କିଏ ଜାଣିବାରେ କ୍ଷତି ଅଛି କି ?’’

 

‘‘ନା, ନା, ବିଜୟବାବୁ ! ଯାହା ଆପଣଙ୍କ ସମ୍ମୁଖରେ ବର୍ତ୍ତମାନ ରହସ୍ୟ ପରି ପ୍ରତୀୟମାନ ହେଉଛି ତାହା ବର୍ତ୍ତମାନ ଉନ୍ମୋଚିତ ନ ହେବା ଭଲ । ବରଂ ତାକୁ ଚିହ୍ନିବା ଓ ଜାଣିବାର ଆକାଂକ୍ଷାଟା ସେତେବେଳକୁ ହୋଇଥିବ ପ୍ରବଳ’’- ଏହା କହି ସ୍ମିତ ହାସ୍ୟ କଲା ମାଧୁରୀ-

 

‘‘କିନ୍ତୁ ନାରୀ କିମ୍ୱା ପୁରୁଷ ଜାଣିପାରେ କି ?’’

‘‘ନା, ବର୍ତ୍ତମାନ ନୁହେଁ ଅନ୍ତତଃ । ସେଇଠି ଜାଣିବେ ।’’

‘‘ଆଚ୍ଛା...’’

‘‘କିନ୍ତୁ ଦେଖନ୍ତୁ, ତାଙ୍କର ଯେପରି ଅପମାନ ନ ହୁଏ ସେଠାରେ ।’’

 

‘‘ତୁମେ ଯାହାକୁ ନେବ ବିଶିଷ୍ଟ ଅତିଥି ଭାବରେ- ତାଙ୍କର ଅସମ୍ମାନ ହୋଇପାରେ, ଏ କଥା ଭାବିପାରୁଛ ମାଧୁରୀ ?’’

 

‘‘ଅନେକ କଥା ଭାବିବାକୁ ହୁଏ ବିଜୟବାବୁ ! ତଥାପି ଆପଣଙ୍କ ନିର୍ଭର ବାଣୀ ଶୁଣି ମୁଁ ନିଶ୍ଚିନ୍ତ ରହୁଛି ଆପାତତଃ ।’’

 

କିଛିକ୍ଷଣ ନୀରବରେ କଟିଗଲା । କିନ୍ତୁ ବିଜୟର ପ୍ରସ୍ଥାନର କୌଣସି ଉଦ୍ୟମ ଦେଖିପାରିଲା ନାହିଁ ମାଧୁରୀ । ବରଂ ସେ ଅନୁଭବ କରୁଛି ଯେପରି ବିଜୟ କଣ କହିବ କହିବ ହେଉଛି- ଅଥଚ କହିପାରୁନି । ମାଧୁରୀ ଭାବିଲା, ସେଥିରେ ତାର ଯାଏ ଆସେ କଣ ? ଯେଉଁ ବ୍ୟକ୍ତି ନିଜର କହିବା କଥା ମଧ୍ୟ ନିଃସଙ୍କୋଚରେ ପ୍ରକାଶ କରିପାରେନା ତାର ହୃଦୟ ପରିଷ୍କାର ନୁହେଁ; ସେ ଅସ୍ପଷ୍ଟ, ଅବୋଧ୍ୟ ।

 

ମାଧୁରୀ ଉଠିବାର ଉପକ୍ରମ କରି କହିଲା- ‘‘ସଂଧ୍ୟା ହେବାକୁ ଆଉ ଅଳ୍ପ ସମୟ ବାକି । ଆପଣ କିଛି ମନେ ନ କଲେ ମୁଁ ଭିତରକୁ ଯିବି । ବାପା ଫେରିଆସିବେ ଏଇଲାଗେ; ତାଙ୍କ ସହିତ କଥାବାର୍ତ୍ତା କରିବେ ।’’ ମାଧୁରୀ ଛିଡ଼ାହେଲା।

 

‘‘ଆଉ ଅଳ୍ପ ସମୟ ବସ ମାଧୁରୀ, ବହୁତ ଯେ କହିବାର ଅଛି ମୋର ।’’

‘‘କଣ କହୁନାହନ୍ତି !’’

‘‘କିନ୍ତୁ ତୁମେ ଶୁଣିଲେ ତ !’’

 

‘‘କେଉଁ କଥା ଆପଣଙ୍କର ନ ଶୁଣିଛି କହନ୍ତୁ ତ ? ଏଇ ତ ଘଣ୍ଟାଏ ହେଲା ନାନାଦି କଥା କହିଲେ, ମୁଁ କଣ ଶୁଣିବାରେ କୁଣ୍ଠା ପ୍ରକାଶ କରିଛି କେତେବେଳେ !’’ କହିସାରି ପ୍ରଶ୍ନବାଚକ ଦୃଷ୍ଟିରେ ବିଜୟର ମୁହଁକୁ ନିରୀକ୍ଷଣ କଲା ମାଧୁରୀ ।

 

‘‘ସେ କଥା ମୁଁ କହୁନି ମାଧୁରୀ ! ମୋର କହିବାର କଥା ଯେ, ମୋ ବିଷୟରେ ତୁମେ କଅଣ କେତେବେଳେ ଭାବ ନାହିଁ ମନରେ... ।’’ କଣ୍ଠରେ ବିଜୟର ଆକୁଳତା, ଉତ୍ତର ଜାଣିବାର ତୀବ୍ର ଆକାଂକ୍ଷା ।

 

ଶୁଣିଲା ମାଧୁରୀ । ନାରୀସୁଲଭ ଲଜ୍ଜା କ୍ଷଣକ ପାଇଁ ତାର କର୍ଣ୍ଣ ଓ ମୁଖମଣ୍ଡଳକୁ ଆରକ୍ତ କରି ତୋଳିଲା; କିନ୍ତୁ ତାହା କ୍ଷଣିକ ମାତ୍ର । ଶାନ୍ତ, ସଂଯତ ଭାବରେ ବସିରହି ଉତ୍ତେଜନାହୀନ କଣ୍ଠରେ କହିଲା ମାଧୁରୀ- ‘‘ଆପଣ ତାହା ମୋ ମୁହଁରୁ ଶୁଣିବା ଅପେକ୍ଷା ଅନୁଭବ କରିବା ଭଲ ବିଜୟବାବୁ ! ଏହା କହିବାର କଥା ନୁହେଁ- ଏହା କେବଳ ଅନୁଭବ କରିହୁଏ । ଏହା ଅବ୍ୟକ୍ତ । କିନ୍ତୁ ଯାହା ପାଇଁ ଭାବନା ଆସେ, ଭାବାନ୍ତର ହୁଏ, ତା ପାଖରେ ଏହା ଆପେ ଆପେ ପ୍ରକାଶିତ ହୋଇଯାଏ; ପ୍ରଶ୍ନର ଉତ୍ତରଦ୍ୱାରା ନୁହେଁ ।’’

 

ମାଧୁରୀ ଉଠି ଛିଡ଼ା ହେଲା । ବିଜୟ ଆଉ କଅଣ ପଚାରିବା ପାଇଁ ଉତ୍‌କଣ୍ଠିତ ହୋଇଉଠିଛି; କିନ୍ତୁ ପଚାରି ପାରିଲା ନାହିଁ । କକ୍ଷ ମଧ୍ୟରେ ପ୍ରବେଶ କଲେ ନରେନ୍ଦ୍ର ବାବୁ । ମାଧୁରୀ ମୁକ୍ତି ପାଇଲା ଏଥର । ବାପାଙ୍କୁ କହିଲା- ‘‘ଗାଡ଼ି ଆସିଛି ବାପା ?’’

 

‘‘ହଁ ମା, ତୁ କଣ ବାହାରକୁ ଯିବୁ ?’’

‘‘ହଁ, ବୁଲିଯିବି ମହାନଦୀର ଖରାଦିନିଆ ରାସ୍ତା ଆଡ଼େ ।’’

 

ଛଅଟା ବାଜିଲାଣି । ବିଜୟକୁ ଲକ୍ଷ୍ୟ କରି ପଚାରିଲେ ନରେନ୍ଦ୍ର- ‘‘ତୁମେ ବି ଯାଅନା ବିଜୟ !’’ କିନ୍ତୁ ପିତାଙ୍କର ସେ କଥା ଶୁଣିବା ପୂର୍ବରୁ ପ୍ରକୋଷ୍ଠ ମଧ୍ୟରୁ ନିଷ୍କ୍ରାନ୍ତ ହୋଇ ଯାଇଥିଲା ମାଧୁରୀ ।

•••

 

 

ତିନିଦିନ ହେଲା ଭାବୁଛି ଶୁଭେନ୍ଦୁ–ହଁ, କେବଳ ଭାବୁଛି । ପିକ୍‌ନିକ୍‌ରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଯାଇଛି ମାଧୁରୀ । କିନ୍ତୁ ତାକୁ ନାଁ କହିପାରିନାହିଁ । ନିଜ ଭିତରର ସୌଜନ୍ୟ ବାରଣ କରିଛି ତାକୁ ।

 

ଭାବିପାରେନା ସେ; କାହିଁକି ତା ସହିତ ବିଭିନ୍ନ କ୍ଷେତ୍ରରେ ଜଡ଼ିତ ହେବାକୁ ଚାହେଁ ମାଧୁରୀ ? ସେ ଦିନ ସେ ପ୍ରକାଶ କରିଦେଇଥିଲା ତାର ଚିନ୍ତା । ପ୍ରତ୍ୟାଖ୍ୟାନ କରିଥିଲା ମାଧୁରୀର ସାହାଯ୍ୟ । ତା ପରେ ମଧ୍ୟ ମାଧୁରୀ ଆସୁଛି- ଭାବି ବିସ୍ମିତ ହୁଏ ଶୁଭେନ୍ଦୁ ।

 

କାହିଁକି ନ ଆସିବ ସେ ? ଦୁଇଟି ଜୀବନ ଭିତରେ କଣ ଆଉ କିଛି ସମ୍ପର୍କ ହୋଇପାରେନା ? ହୁଏ । ବନ୍ଧୁତ୍ୱର ବନ୍ଧନ ଗଢ଼ିଉଠେ । ବାରଣ କରି ହୁଏନା, ବାଧା ଦେବା ନିଷ୍ପ୍ରୟୋଜନ । ସାମାନ୍ୟ ବନ୍ଧୁତ୍ୱ ପାଇ ଯଦି ମାଧୁରୀ ସନ୍ତୁଷ୍ଟ ହୁଏ–ତା ହେଲେ ସେଥିରେ କ୍ଷତି କଣ-? ସେ ଯିବ- ନ ଗଲେ ଭଦ୍ରୋଚିତ ବ୍ୟବହାର ହେବ ନାହିଁ । ତା ହେଲେ ସେ ନ ଯିବ କାହିଁକି-? ଯିବ; ବ୍ୟକ୍ତିଗତ ଜୀବନରେ ସାମାଜିକ ସମ୍ପର୍କକୁ ତ୍ୟାଗ କରିହୁଏନା । ନିର୍ମଳ ତାର ବନ୍ଧୁତ୍ୱ, ଉଦ୍ଦେଶ୍ୟହୀନ ତାର ସମ୍ପର୍କ ।

 

ମାଧୁରୀର କାମନାକୁ କଠୋର ଭାବରେ ଉପେକ୍ଷା କରିଛି ସେ । କିନ୍ତୁ ଯଦି ଅନ୍ୟ ଦଶ ଜଣ ବନ୍ଧୁପରି ତା ସହିତ କେବଳ ବନ୍ଧୁତ୍ୱ ରକ୍ଷା କରି ଚଳିପାରେ ମାଧୁରୀ, ତେବେ ସେ ବାଧା ଦେବନାହିଁ । ଏଥିରେ ବ୍ୟକ୍ତିତ୍ୱ ଖର୍ବ ହେବ ନାହିଁ- ବରଂ ଅନ୍ୟର ସାହଚର୍ଯ୍ୟରେ ବିକଶିତ ହେବାପାଇଁ ସାହାଯ୍ୟ ପାଇବ । ସେ ଗ୍ରହଣ କରିଛି ମାଧୁରୀର ନିମନ୍ତ୍ରଣ ।

 

ସଂଧ୍ୟା ନଇଁଆସିଲାଣି ଧରିଣୀ ଉପରେ । ରାଜପଥର ଧାରେ ଧାରେ ପ୍ରଜ୍ଜ୍ୱଳିତ ହେଲା ବିଜୁଳିବତି । ସେ ପାଖରେ ଦେବାଳୟରୁ ଭାସିଆସୁଛି ଘଣ୍ଟା ଓ ଶଙ୍ଖ ଧ୍ୱନି । ଆଳତିର ସମୟ ।

 

ଇନ୍ଦୁମତୀ ଦାଣ୍ଡଦ୍ୱାରମୁହଁରେ ସଂଧ୍ୟାବତି ଦେଇ ପ୍ରଣାମ କଲେ ।

 

ଶୁଭେନ୍ଦୁକୁ ଚୌକିରେ ଏକୁଟିଆ ବସିଥିବାର ଦେଖି କହିଲେ ମା–‘‘କିରେ ଚୁପଚାପ୍‌ ଏଠି ବସିରହିଛୁ ଯେ, ଯିବୁନିକି ସେଆଡ଼େ...’’

 

‘‘କୁଆଡ଼େ ମା– ?’’

 

‘‘କାହିଁକି, ମୁଁ କଣ କହି ନ ଥିଲି ତତେ ? ସେଇ ମ-ସେଇ ଯଉଁ ଝିଅଟି ଆସିନଥିଲା ଆଜି, କେଡ଼େ ଭଲ ପିଲାଟିଏ... ।’’

 

ଚମକି ଉଠିଲା ଛାତି । ଶୁଭେନ୍ଦୁ ବିସ୍ମିତ କଣ୍ଠରେ ପଚାରିଲା–‘‘କିଏ ଆସିଥିଲା ମା ?’’

 

‘‘ସେଇ ମ... ଓ ମା... ତା ନାଁଟା ମନେପଡ଼ୁନି ବାପା ! ଆଜିକାଲିକା ନାମ ତ । ପାର୍ବତୀ, ଦ୍ରୌପଦୀ ବା ସାବିତ୍ରୀ ହୋଇଥିଲେ ମନେପଡ଼ନ୍ତାଣି ।’’

 

ଆଗ୍ରହାତିଶଯ୍ୟରେ ପୁଣି ପଚାରିଲା ଶୁଭେନ୍ଦୁ–‘‘କିଏ କହୁନୁ ?’’

‘‘ହଁ ମଁ, ସେଇ ଝିଅଟି, ଯେ ତତେ ଭଲ କରିଥିଲା; ଡାକ୍ତରଖାନାରେ କାମ କରେ ।’’

‘‘ଓ ସୁନନ୍ଦା !’’

 

ତାହେଲେ ତା ଘରକୁ ଆସିଥିଲା ସୁନନ୍ଦା ! କଣ କହିଯାଇଛି ମା ପାଖରେ, କଅଣ ଦେଇଯାଇଛି ତାର ପରିଚୟ । ସୁନନ୍ଦା ଆସିଥିଲା–ଏଇ ଶିହରଣରେ ସନ୍ଧ୍ୟା ସାର୍ଥକ ମନେହେଲା ଶୁଭେନ୍ଦୁର । କେଡ଼େ ସୁନ୍ଦରୀ ଏଇ ସୁନନ୍ଦା–ସତରେ କେଡ଼େ ଯତ୍ନ ନେଇଥିଲା ସେଦିନ ! ଆଜି ଆସିଥିଲା–ଚାଲିଯାଇଛି । ସେ ଥିଲାବେଳେ ଆସିଥିଲେ କଣ ହୋଇ ନ ଥାନ୍ତା ? ତାକୁ ଫାଙ୍କିଦେଇ ଫେରିଯାଇଛି ସୁନନ୍ଦା ।

 

‘‘ହଁ ବାପା, କହିଯାଇଛି ତାଙ୍କ ଘରେ ଆଜି ଖାଇବୁ । ବହୁତ କରି କହିଯାଇଥିଲା ଝିଅଟି-।’’

 

ନିମନ୍ତ୍ରଣ–ସୁନନ୍ଦାର ନିମନ୍ତ୍ରଣ । ପୁଲକିତ ହୋଇ ଗ୍ରହଣ କଲା ଶୁଭେନ୍ଦୁ । ଉଦ୍‌ବେଳିତ ହୋଇଉଠିଲା ହୃଦୟ, ଉଦ୍‌ବେଗ ଜାତ ହେଲା ଅନ୍ତରରେ । ରାତି ହୋଇଗଲାଣି, ବହୁତ ଡେରି ହେଲା ପରା ! ଛିଃ- ମା’ର ଏଡ଼େ ଭୁଲା ମନ ! ଆଉ ଟିକିଏ ଆଗରୁ କହିଥିଲେ ଭଲ ହୋଇଥାଆନ୍ତା । କଣ ଭାବୁଥିବ ସୁନନ୍ଦା- ହୁଏତ ବାରମ୍ୱାର ଝରକା ଫାଙ୍କଦେଇ ଉଁକି ମାରୁଥିବ ତାର ଆଗମନ ପ୍ରତୀକ୍ଷାରେ । ଚଞ୍ଚଳ ହୋଇଉଠିଲା ମନ ତାର । ବର୍ତ୍ତମାନ ଯିବାକୁ ହେବ; ବିଳମ୍ୱ ହୋଇଗଲାଣି ବହୁତ ।

 

ଅତିଷ୍ଠ ହୋଇଉଠିଛି ଶୁଭେନ୍ଦୁ । ସୁନନ୍ଦାର ସାନ୍ନିଧ୍ୟ ପାଇବା ପାଇଁ ଆତୁର ହୋଇଉଠିଛି ପ୍ରାଣ । ସେ ଯିବ, ହଁ ନିଶ୍ଚୟ ଯିବ ।

 

ପାଞ୍ଚ ମିନିଟ୍‌ ଭିତରେ ପୋଷାକ ବଦଳାଇ ବାହାରିପଡ଼ିଲା ଶୁଭେନ୍ଦୁ । ମା କହିଲେ, ‘‘ସହଳ ଫେରିବୁ ବାପା, ଏକୁଟିଆଟା ।’’ କିନ୍ତୁ ସେସବୁ ଶୁଣିବାପାଇଁ ଧୈର୍ଯ୍ୟ ବା ମନ ନ ଥିଲା ତାର-। ଖାଲି ମନେହେଉଥିଲା ସୁନନ୍ଦା ତାକୁ ନିମନ୍ତ୍ରଣ କରିଛି–ବହୁଳ ବିଳମ୍ୱ ହୋଇଗଲାଣି ।

 

ଚଞ୍ଚଳ ପଦକ୍ଷେପରେ ବାହାରକୁ ଚାଲିଗଲା ସେ । ଇନ୍ଦୁମତୀ ଦୀର୍ଘ ନିଶ୍ୱାସଟିଏ ତ୍ୟାଗକରି ମନକୁ ମନ କହିଲେ- ଆହା, ବିଚାରି ଯଦି ବିଧବା ହୋଇ ନ ଥାନ୍ତା ! ଏତେ ରୂପ ଦେଇ ମଧ୍ୟ କାଙ୍ଗାଳିନୀ କରିଛନ୍ତି ଭଗବାନ !

 

ଚକ୍ଷୁ ସଜଳ ହୋଇଆସିଲା ତାଙ୍କର । ଏହାହିଁ ତ ସୃଷ୍ଟିର ବୈଚିତ୍ର୍ୟ । ଯେଉଁଠି ପ୍ରାଚୁର୍ଯ୍ୟ, ଯେଉଁଠି ସମସ୍ତ ଦ୍ରବ୍ୟର ସମାବେଶ, ସେଇଠି ଥାଏ ଦୈନ୍ୟ, ଦେଇ ହୁଏନା । ଦବାକୁ ଗଲେ ଥରିଉଠେ ହାତ । ସୌନ୍ଦର୍ଯ୍ୟ ଅଛି ସୁନନ୍ଦାର, ଯୌବନର ଆଶା ଅଛି କେତେ- କିନ୍ତୁ ସବୁ ଯେପରି ଅପ୍ରୟୋଜନ । ବିଳାସ ନାହିଁ, ଅଛି ବେଦନା । ନୈବେଦ୍ୟ ଯେ ଦେଇପାରେନା, ପ୍ରସାଦ ସେ ଗ୍ରହଣ କରିପାରିବ କିପରି ?

 

ନରାଜ । ଶ୍ୟାମଳ ପର୍ବତମାଳା ଭିତର ଦେଇ ବହିଆସିଛି ମହାନଦୀ । ଶ୍ୟାମଳ ପୃଥିବୀର ବୁକୁତଳୁ ପ୍ରେମର ବନ୍ୟା ବୁହାଇ ବହିଯାଉଛି ମନ୍ଦାକିନୀ । ନୀଳ ଜଳରାଶିର କଲ୍ଲୋଳ ମୁଖରିତ କରୁଛି ସ୍ଥାନଟିକୁ । ଉପରେ ସୁନୀଳ ଆକାଶ । ସୂର୍ଯ୍ୟାଲୋକରେ ଉଜ୍ଜ୍ୱଳ ହୋଇଉଠିଛି ମର୍ମରିତ ବନଭୂମି; ବହିଯାଉଛି ମହାନଦୀ ସାଗର ପାଖରେ ଆତ୍ମୋତ୍ସର୍ଗ କରିବାପାଇଁ । ସେହି ଆତ୍ମୋତ୍ସର୍ଗ, ଆତ୍ମନିବେଦନରେ ଯେପରି ତାର ତୃପ୍ତି । ସାଗରବକ୍ଷରେ ନିଜର ଆତ୍ମସତ୍ତା ବିଲୋପ କରିବାରେ ତାର ଯେପରି ଚରମ ଆନନ୍ଦ ।

 

ଜୀବନର ଛନ୍ଦ, ମର୍ମକଥା ମୁଖରିତ ହୋଇଉଠୁଛି ମାଧୁରୀର । ବିପୁଳା ବିଚିତ୍ରା ଧରଣୀ କେବଳ ହାସ୍ୟମୟୀ ନୁହେଁ, ସେ ଲାବଣ୍ୟମୟୀ, ଲାସ୍ୟମୟୀ ଓ ପ୍ରେମମୟୀ । ବହିଯାଉଛି ଜଳରାଶି, କିନ୍ତୁ ତାର କୁଳୁକୁଳୁ ନାଦରେ ଅଛି ସଙ୍ଗୀତ, ପକ୍ଷୀର କାକଳିରେ ଅଛି ଆବାହନ, ପ୍ରସ୍ଫୁଟିତ ପୁଷ୍ପର ମହକରେ ଅଛି ମିଳନ ଆକାଂକ୍ଷା । କି ସୁନ୍ଦର, ଅନିର୍ବଚନୀୟ ଏହି ବନଭୂମି । ମୁଗ୍‌ଧ ହୋଇ ଚାହିଁରହିଛି ମାଧୁରୀ ।

 

ଅଳ୍ପ ଦୂରରେ ପାଣି ଭିତରକୁ ପଶିଯାଇଛି ବୃହତ୍‌ କୃଷ୍ଣ ଶିଳାଖଣ୍ଡ । ତାରି ଉପରେ ବସିଛି କିଏ.... ସେ ଆଡ଼କୁ ମୁହଁ କରିଛି । ସମ୍ପୂର୍ଣ୍ଣ ଜାଣିହେଉନାହିଁ ।

 

ବଂଶୀ ବାଜୁଛି । ଶାନ୍ତ ମଧୁର ସେ ସ୍ୱର । ଚକିତ ନୟନରେ ଚାହିଁଲା ମାଧୁରୀ- ଆଗେଇ ଗଲା ଟିକିଏ । ଶୁଭେନ୍ଦୁ !

 

ଶୁଭେନ୍ଦୁ ଦେଇଛି ବଂଶୀରେ ସ୍ୱର । ଅଦୂରସ୍ଥ ଲତା-କୁଞ୍ଜର ଆଚ୍ଛାଦନ ତଳେ ମୁଗ୍‌ଧ ବିଭୋର ହୋଇ ବସିପଡ଼ିଲା ମାଧୁରୀ । ନିକାଞ୍ଚନରେ ଏକାକୀ ବସି ନିଃସଙ୍କୋଚରେ ବଂଶୀ ବଜାଉଛି ଶୁଭେନ୍ଦୁ । ନା- ମାଧୁରୀ ସେଥିରେ ବାଧା ଦେବ ନାହିଁ ।

 

ନିର୍ଜ୍ଜନ ବନଭୂମି ମର୍ମରିତ ହୋଇଉଠୁଛି- ସହଜ, ସାବଲୀଳ ହୋଇଉଠୁଛି ମହାନଦୀର ପ୍ରବାହ । ସୁନ୍ଦର ପ୍ରାଣବନ୍ତ ହୋଇ କଥା କହୁଛି ପ୍ରକୃତି ।

 

ତନ୍ମୟ ହୋଇ ମାଧୁରୀ ଶୁଣୁଛି ।

 

ସଙ୍ଗୀତର ସୁରେ ସୁରେ ଅର୍ଥ ହେଉଛି ସୁସ୍ପଷ୍ଟ, ବୋଧଗମ୍ୟ- ‘ବନାନୀ । ପ୍ରସ୍ଫୁଟିତ ବିବିଧ ପୁଷ୍ପର ସୌରଭ । ସମ୍ମୁଖରେ ବହିଯାଉଛି ମନ୍ଦାକିନୀ । କିନ୍ତୁ ମୁଁ ଏକା, ନିଃସଙ୍ଗ ! ପ୍ରିୟା ମୋର- କେଉଁଠାରେ ଅଛି ? ଆସ । ଅଭିମାନ କରନି । ମୁଁ ଅପେକ୍ଷା କରି ରହିଛି, ଅପେକ୍ଷା କରି ରହିଥିବି । ଏ ପ୍ରତୀକ୍ଷା ମୁହୂର୍ତ୍ତକର ବା ଦିନକର ନୁହେଁ, ମାସକର ବା ବର୍ଷକର ନୁହେଁ- ଏ ପ୍ରତୀକ୍ଷା ଯୁଗ-ଯୁଗର, ଜନ୍ମ-ଜନ୍ମାନ୍ତରର ।’

 

ପୁଲକିତ ହେଉଛି ହୃଦୟ । ଶିହରଣ ଆସୁଛି ଦେହରେ । ଅନୁରାଗରେ ସିକ୍ତ ହେଉଛି ମନ । ଉତ୍ତାପରେ ଉଦ୍ଦୀପ୍ତ ଓ ଉଜ୍ଜୀବିତ ହୋଇଉଠିଛି ସର୍ବାଙ୍ଗ । ସେ କଣ ଯିବ ? ମୁହୂର୍ତ୍ତ ଗଡ଼ିଯାଉଛି, ଚଞ୍ଚଳ ହୋଇପଡ଼ିଛି ମାଧୁରୀ । ସେ ଯିବ । ଉପେକ୍ଷା କରିବାପାଇଁ ତାର ଶକ୍ତି ନାହିଁ ।

 

ଗୋଟିଏ ଅବିସ୍ମରଣୀୟ, ଉତ୍ତାପମୟ, ଜୀବନ୍ତ ମୁହୂର୍ତ୍ତ ।

 

ବଂଶୀବାଦନ ଶେଷ ହୋଇଛି । ତାର ପାଦତଳେ ପ୍ରସ୍ଫୁଟିତ ପୁଷ୍ପଗୁଡ଼ିକୁ ଢାଳିଦେଇ ନୀରବରେ ଛିଡ଼ାହୋଇଛି ମାଧୁରୀ । ବୁକୁ ଫାଟିଯାଉଛି ଅନ୍ତରର କଥା ନ କହିପାରି; କିନ୍ତୁ ମୁଖ ଫିଟୁନି ।

 

ଶୁଭେନ୍ଦୁ ଚକିତ ହୋଇ କହିଲା- ‘‘ଏ କଣ କଲ ମାଧୁରୀ ?’’

 

ନିର୍ବାକ୍‌ ମାଧୁରୀ । ଭାଷା ଆସୁନି ମୁହଁରେ । କମ୍ପି ଉଠୁଚି ଓଠଟି । କଟିଯାଉଛି କେତୋଟି ଅବିସ୍ମରଣୀୟ, ଅବ୍ୟକ୍ତ ମୁହୂର୍ତ୍ତ ।

 

ପଛରୁ କାହାର ପଦଶବ୍ଦ ଶୁଣାଗଲା ।

 

ପୁଣି ଶୁଭେନ୍ଦୁ ସଚକିତ କଣ୍ଠରେ କହିଲା–କେତେବେଳେ ଏଠାକୁ ଆସିଲ ମାଧୁରୀ ?

 

ଜ୍ଞାନ ଫେରିପାଇଲା ସେ । ଏଇ ଯେ ସମ୍ମୁଖରେ ସେହି ଈପ୍‌ସିତ ! ତାରି ଚକ୍ଷୁର ଦୃଷ୍ଟି ଭିତରେ ଆବଦ୍ଧ ସେହି ପ୍ରତିମୂର୍ତ୍ତି । ଲଜ୍ଜାର ପାଟଳିମା ଅସ୍ତଗାମୀ ସୂର୍ଯ୍ୟର ରକ୍ତରାଗ ପରି ଚହଟି ଉଠିଛି ଚିବୁକ ଉପରେ । ମୁହୂର୍ତ୍ତ ଗଡ଼ିଯାଉଛି, ନ କହିପାରିଲେ ଚିରଦିନ ହୁଏତ ଅକୁହା ରହିଯିବ । ନା, ନା- ମାଧୁରୀ କହିବ । ଲଜ୍ଜା ଏଠାରେ କରାଯାଏନା, ସଙ୍କୋଚ ଏଠାରେ କରିବାର ନୁହେଁ । ପୂଜା-ପୁଷ୍ପର ପୁଷ୍ପାଞ୍ଜଳି ଦେଇଛି ସେ । ଦେବତାଙ୍କୁ କହିବ ସେ- ହଁ, ନିଶ୍ଚୟ କହିବ ।

 

କମ୍ପିତ କଣ୍ଠରେ କହିଲା ମାଧୁରୀ- ‘‘ତୁମରି...’’

 

‘‘ମାଧୁରୀ, ମାଧୁରୀ’’- ଚିତ୍‌କାର କରି ପଛରୁ ଡାକୁଛି ବିଜୟ । ଚମକି ପଛକୁ ଫେରି ଚାହିଁଲା ମାଧୁରୀ । ଅଦୂରରେ ବିଜୟ ଡାକୁଛି ତାକୁ । ଶୁଭେନ୍ଦୁ କହିଲା- ‘‘ଚାଲ ମାଧୁରୀ ।’’

 

ଅକୁହା ରହିଗଲା କଥା, ଅବ୍ୟକ୍ତ ରହିଗଲା ହୃଦୟର କାହାଣୀ । ଆକୁଳ ହୋଇ ଉଠିଲା ଅନ୍ତର, କରୁଣ ହୋଇଉଠିଲା ମନ ।

 

ମୁହୂର୍ତ୍ତ ଗଡ଼ିଯାଇଛି । ଆକାଂକ୍ଷିତ, ଅବିସ୍ମରଣୀୟ, ମୁହୂର୍ତ୍ତ ଅନନ୍ତକାଳର କରାଳ ବିପୁଳତା ମଧ୍ୟରେ ଲୀନ ହୋଇଯାଇଛି ।

 

ଶୁଭେନ୍ଦୁ ଆଗେଇ ଯାଇଛି, ବିଜୟ ନିକଟତର ହୋଇଛି; କିନ୍ତୁ ନିର୍ବାକ୍‌ ନିଷ୍ପନ୍ଦ ଭାବରେ ଛିଡ଼ାହୋଇ ରହିଛି ମାଧୁରୀ ।

 

ଗଡ଼ିଯାଇଛି ମୁହୂର୍ତ୍ତ । ପଡ଼ିରହିଛି ପୂଜା-ଫୁଲ । ଅଶେଷ ଅନ୍ତରର କ୍ଷୋଭ, ଅପରିସୀମ ହୃଦୟର ଅସ୍ୱସ୍ତି ।

 

ଶୁଭେନ୍ଦୁ ଚାଲିଯାଇଛି ଡାକବଙ୍ଗଳାକୁ- ସେଇଠି ହେଉଛି ଭୋଜିର ଆୟୋଜନ ।

 

ବିଜୟ ଆଗେଇ ଆସି କୃଷ୍ଣଶୀଳା ଖଣ୍ଡ ଉପରେ ଛିଡ଼ା ହୋଇ ମାଧୁରୀକୁ କହିଲା- ‘‘ବଡ଼ ସୁନ୍ଦର ଏ ସ୍ଥାନଟି ମାଧୁରୀ !’’

 

କଥା ନ କହି ଥକ୍‌କା ହୋଇ ବସିପଡ଼ିଲା ମାଧୁରୀ । ବିଜୟ ତାକୁ ପୁଣି କହିଲା- ‘‘ମୁଁ ତୁମକୁ ଖୋଜି ଖୋଜି ବଡ଼ ଭାବନାରେ ପଡ଼ିଥିଲି ମାଧୁରୀ ! ବିଶେଷତଃ ଏ ସ୍ଥାନଟା ସେତେ ନିରାପଦ ବୋଲି ମୋର ମନେହୁଏନା । ବନ୍ଧୁକଟା ସଙ୍ଗରେ ଆଣିବା ଲାଗି ମୋଟେ ମନେ ନ ଥିଲା ମୋର ।’’

 

ଏପରି ବିଶେଷ ଭଙ୍ଗିରେ, ଭୟବିହ୍ୱଳ ସ୍ୱରରେ କହିଲା ଯେ ବିଜୟ, ନ ହସି ରହିପାରିଲା ନାହିଁ ମାଧୁରୀ । ତାର ଉଚ୍ଛ୍ୱସିତ ହସରେ ପରିପୂର୍ଣ୍ଣ ହୋଇ ଉଠିଲା ବନଭୂମି । ଗୋଟାଏ ମସ୍ତବଡ଼ ଭାବନା କଟିଗଲା ବିଜୟର । ମାଧୁରୀ ହସୁଛି- ପୁଣି ତାରି କଥାରେ ! ଆଃ, କେତେ ବଡ଼ ଆଶ୍ୱାସନା ! ନା, ମାଧୁରୀ ତାର- କେବଳ ତାର ।

 

ହସ ବନ୍ଦ କରି କହିଲା ମାଧୁରୀ- ‘‘ଏତେ ଭୟ ଆପଣଙ୍କର ?’’

 

‘‘ମୋର କଣ ଭୟ ମାଧୁରୀ, କିନ୍ତୁ ତୁମେ ଯେତେବେଳେ ସହର ଛାଡ଼ି ଆସିଛ ଏଠାକୁ, ତୁମର ସାମାନ୍ୟ ଅନିଷ୍ଟ ପ୍ରତି ମଧ୍ୟ ମୁଁ ଆଖି ବୁଜି ରହିପାରେନା ।’’ ଉଲ୍ଲସିତ ହୋଇ ଉତ୍ସାହରେ କହିପକାଇଲା ବିଜୟ ।

 

କଥା କହିବାରେ ଲାଗିଗଲା ବିଜୟ; କିନ୍ତୁ ମାଧୁରୀକୁ ଶୂନ୍ୟ ମନେହେଉଥିଲା ସବୁ । ନିର୍ଜ୍ଜନ ମନେହେଉଥିଲା ସ୍ଥାନଟା । ମୁହୂର୍ତ୍ତକର ପରିବର୍ତ୍ତନ- ଉଦ୍ଦେଶ୍ୟ ଅସିଦ୍ଧିର ପରିଣତି । ଚକ୍ଷୁ ସମ୍ମୁଖରେ ସୌନ୍ଦର୍ଯ୍ୟର ସେ ସମ୍ଭାର, ସେ ବିଳାସ ଆଉ ନାହିଁ । ରୁକ୍ଷ ପ୍ରକୃତିର ରୂପକୁ ଚାହିଁ ଦୈନ ଅନୁଭବ କରୁଛି ହୃଦୟରେ ।

 

କଥା କହିବା ପାଇଁ ବିଶେଷ ଇଚ୍ଛା ନ ଥିଲା ତାର; କଥା ଶୁଣିବା ପାଇଁ ବି ବିଶେଷ ଆଗ୍ରହ ନ ଥିଲା । ଯାହା କହିବାର କୁହାଯାଇ ପାରିଲାନି, ଯାହା ଶୁଣିବାର ଥିଲା, ଶୁଣିପାରିନି । ତେବେ କାହିଁକି ଏ ବାଜେ କଥାର ଅବତାରଣା ? ଏଥିରେ ବା ତାର ପ୍ରୟୋଜନ କଣ ?

 

‘‘ବିଳମ୍ୱ ହୋଇଯିବ- ଆସନ୍ତୁ ଯିବା ବିଜୟବାବୁ !’’- ଏତକ କହି ଆଗେ ଆଗେ ଚାଲିଲା ମାଧୁରୀ । ଅଗତ୍ୟା ଆପାତତଃ ସିଦ୍ଧି ଲାଭର ଆଶା ପରିତ୍ୟାଗ କରି ତାର ଅନୁସରଣ କଲା ବିଜୟ-

 

ଡାକବଙ୍ଗଳା ଆଉ ବେଶୀଦୂର ନୁହେଁ । ମାଧୁରୀକୁ କ୍ଷୀଣ ଗଳାରେ ପଚାରିଲା ବିଜୟ- ‘‘ତୁମର ବନ୍ଧୁଟିକୁ କେଉଁଠି ଦେଖିଲା ପରି ଯେ ମନେହୁଏ ମାଧୁରୀ ?’’

 

‘‘ନିଶ୍ଚୟ ଦେଖିଥିବେ । କଟକ ଇଞ୍ଜିନିଅରିଂ କଲେଜର ଶେଷ ବର୍ଷର ଛାତ୍ର ଯେତେବେଳେ ବାଟଘାଟ, ସଂଘ-ସମିତି ବହୁ ସ୍ଥାନରେ ଦେଖିଥିବା ସମ୍ଭାବନା ।’’

 

‘‘ବାଟଘାଟରେ ଦେଖିଥିବି ନିଶ୍ଚୟ । କିନ୍ତୁ ସଂଘ, ସମିତି... ଏ କଣ କେଉଁ ସଂଘର ସଭ୍ୟ କି ?’’

 

‘‘କେବଳ ସଭ୍ୟ କହିଲେ ଅନ୍ୟାୟ ହେବ, ବିଜୟବାବୁ ! ‘ସାମାଜିକ ନୂତନ ମୂଲ୍ୟବୋଧ ସଂଘ’ର ପ୍ରତିଷ୍ଠାତା ଏହି ଶୁଭେନ୍ଦୁ ଦାସ, ‘ପ୍ରଗତି ସାହିତ୍ୟ ସମିତି’ର ପରିଚାଳକ ଏହି ଶୁଭେନ୍ଦୁ ଦାସ ଓ ‘ନବ ସମାଜ’ର ସେକ୍ରେଟେରୀ ସେ ।’’

 

ହୋ-ହୋ କରି ହସିଉଠିଲା ବିଜୟ । ତାଚ୍ଛଲ୍ୟର ହସ ସେ । ହସ ବନ୍ଦ ହେବାରୁ କହିଲା ବିଜୟ- ‘‘ଆଉ କିଛି ସଂଘ ବା ସମିତିର ପୃଷ୍ଠପୋଷକ ବା ପ୍ରେସିଡେଣ୍ଟ ହୋଇଥିଲେ ଭଲ ହୋଇଥାନ୍ତା ମାଧୁରୀ ! ଯା ହେଉ ଭଦ୍ରଲୋକ ଯେ ଏତେଗୁଡ଼ିଏ ସଂଘର କର୍ମକର୍ତ୍ତା ତାହା ଜାଣି ସୁଖୀ ହେଲି ମୁଁ ।’’

 

ମାଧୁରୀ ବୁଝିଲା ବିଜୟର ଇଙ୍ଗିତ ଓ ଅସହ୍ୟ ହେଲା ତାର । କଣ କହିବା ଆଗରୁ ନିଜକୁ ସଂଯତ କରିନେଲା ସେ । ତାପରେ ତୀକ୍ଷ୍‌ଣ କଣ୍ଠରେ କହିଲା- ‘‘କିନ୍ତୁ ଆପଣଙ୍କ ସଂଘ ପରି ସ୍ଥାଣୁ, ଅଥର୍ବ ଓ ରକ୍ଷଣଶୀଳ ନୁହନ୍ତି ଏଇ ସଂଘଗୁଡ଼ିକ । ଆପଣଙ୍କ ସଭ୍ୟମାନଙ୍କ ପରି ଆଖିବୁଜି ଦୁଧ ପିଅନ୍ତି ନାହିଁ ଏ ସଂଘର ସଭ୍ୟମାନେ । ପୃଥିବୀକୁ ଚିହ୍ନନ୍ତି ସେମାନେ । ପାଣି-ପବନରେ ଗଢ଼ା ସେମାନଙ୍କର ଦେହ ।’’

ନିଜ କଥାରେ ଲଜ୍ଜିତ ହେବାର ଛଳନା କରି ପୁଣି କହିଲା ବିଜୟ- ‘‘ମୁଁ କାହାକୁ ଆଘାତ କରିବା ଉଦ୍ଦେଶ୍ୟରେ କହିନାହିଁ ମାଧୁରୀ ।’’

–‘‘କିନ୍ତୁ ଅନ୍ୟ ବିଷୟରେ କଥା କହିଲାବେଳେ, ନିଜ ରୂପ ଆଖିରେ ପଡ଼େନି ଆପଣମାନଙ୍କର ।’’

ମନେ ମନେ ରୁଷ୍ଟ ହେଲା ବିଜୟ । କାହିଁକି ମାଧୁରୀର ଏହି ଅବାଞ୍ଛିତ ଯୁବକଟି ପ୍ରତି ଏତେ ଆଗ୍ରହ ? ତାକୁ ରକ୍ଷା କରିବା ପାଇଁ ଏତେ ବ୍ୟାକୁଳତା ? କିନ୍ତୁ ସନ୍ଦେହଭଞ୍ଜନ କରିବା ନିମିତ୍ତ ଆଉ ଅଧିକା କଥା ମାଧୁରୀକୁ ପଚାରିବା ପାଇଁ ସାହସ ହେଲା ନାହିଁ ତାର; ବରଂ ପ୍ରତିହିଂସା ଓ ବିଦ୍ୱେଷର ଉନ୍ମେଷ ହେଲା ତା ହୃଦୟରେ । ତାକୁ ମାଧୁରୀ ସମ୍ମୁଖରେ ଅନ୍ୟମାନଙ୍କ ଚକ୍ଷୁରେ ଛୋଟ ଓ ହାସ୍ୟାସ୍ପଦ ପ୍ରତିପନ୍ନ କରିବା ପାଇଁ ବ୍ୟଗ୍ର ହୋଇଉଠିଲା ତାର ମନ ।

ଖିଆପିଆ, ସଙ୍ଗୀତ ଓ ନୃତ୍ୟ ଶେଷ ହୋଇଯାଇଛି । ବହୁ କଷ୍ଟରେ ବିଜୟ ଗୋଟିଏ ମାତ୍ର ଗୀତ ମାଧୁରୀଠାରୁ ପାଇପାରିଛି । ତାହା ବି କେବଳ ତାର କୃତିତ୍ୱ ନୁହେଁ, ଶୁଭେନ୍ଦୁ ମଧ୍ୟ ଅନୁରାଗ କଲା ମାଧୁରୀକୁ- ତା ପରେ ଗୀତଟି ଗାଇଥିଲା ସେ । ମାଧୁରୀ ଯେ ଏତେ ସୁନ୍ଦର ଗୀତ ଗାଇପାରେ ଏହା ଶୁଣି କେବଳ ବିଜୟ ନୁହେଁ, ଅନ୍ୟାନ୍ୟମାନଙ୍କ ସହ ଶୁଭେନ୍ଦୁ ମଧ୍ୟ ଚମତ୍କୃତ ହୋଇଥିଲା । କଣ୍ଠର ଏପରି ସୁଲଳିତ ମଧୁର ସ୍ୱର ଏହା ପୂର୍ବରୁ କେବେ ଶୁଣିଥିଲା ପରି ତାର ମନେହେଲା ନାହିଁ । କିନ୍ତୁ ସେହି ଗୋଟିଏ । ଦ୍ୱିତୀୟ ଗୀତ ଗାଇବା ପାଇଁ ଆଦୌ ରାଜି ହେଲାନି ମାଧୁରୀ । ଗୀତର ପଦେ ପଦେ ଭରିରହିଥିଲା ଅନନ୍ତ ଆଶା, ପ୍ରଦୀପ୍ତ ବାସନା, ପୂଜାରିଣୀର ପୁଷ୍ପାଞ୍ଜଳି ଗ୍ରହଣ କରିବା ପାଇଁ ଦେବତାର ଚରଣ ତଳେ ପ୍ରାର୍ଥନା- ତୁମରି ପ୍ରାପ୍ୟ ତୁମେ ଗ୍ରହଣ କର ଦେବତା... ଫେରାଇ ଦିଅନା... ଅଶ୍ରୁସଜଳ ଚକ୍ଷୁରେ ଅନାଇ ରହିଛି ପୂଜାରିଣୀ ।

ଆଖିରୁ ଲୁହ ଝରିପଡ଼ିଲା ମାଧୁରୀର । ସମସ୍ତଙ୍କର ଅଲକ୍ଷ୍ୟରେ ଅଶ୍ରୁ ମୋଚନ କରିବା ପାଇଁ ଡାକବଙ୍ଗଳାର ଅନ୍ୟ ଏକ କକ୍ଷରେ ପ୍ରବେଶ କରି କୋହ ସମ୍ଭାଳି ନ ପାରି କଇଁକଇଁ ହୋଇ କେତେ କାନ୍ଦିଥିଲା ସେ ।

ତନ୍ୱୀ ଦାସ କରିଥିଲା ନୃତ୍ୟ, ମଞ୍ଜୁଶ୍ରୀ ବଜାଇଥିଲା ବୀଣା, ପ୍ରତିମା ବୋଲିଥିଲା ଗୀତ, ଶୁଭେନ୍ଦୁ କରିଥିଲା ବଂଶୀବାଦନ ଆଉ ବିଜୟ କରିଥିଲା ବ୍ୟଙ୍ଗୋକ୍ତି-ଜମିଦାର ପାଖରେ ବସ୍ତ୍ରହୀନ, ନିରନ୍ନ କୃଷକ କାକୁତି-ମିନତି କରିବାର ବିଭିନ୍ନ ପ୍ରକାର ବ୍ୟଙ୍ଗୋକ୍ତି ।

ବିଷାକ୍ତ ହୋଇଉଠିଲା ଶୁଭେନ୍ଦୁର ମନ । ଛି, ଛି, କି ନିର୍ଲଜ୍ଜ ଏହି ତଥାକଥିତ ଆଧୁନିକ ସମାଜର ଶିକ୍ଷିତ ତରୁଣ, ତରୁଣୀ । ପରାନ୍ନଭୋଜି ଏମାନେ । ଯାହାର ଅନ୍ନରେ ପ୍ରତିପାଳିତ, ଯାହାର ଶ୍ରମଦ୍ୱାରା ତୋଳାହୋଇଛି ଏମାନଙ୍କର ସୌଧ- ସେହିମାନଙ୍କର ଦୁଃଖମୟ ଜୀବନ ନେଇ କରନ୍ତି ଏମାନେ ତାଚ୍ଛଲ୍ୟ, ବ୍ୟଙ୍ଗୋକ୍ତି । ଯେତିକି ବିଜୟର ଅଭିନୟ କଥା ଭାବିଲା, କ୍ରୋଧରେ ସେତିକି ପ୍ରଜ୍ୱଳିତ ହେଲା ଶୁଭେନ୍ଦୁ ।

ମାଧୁରୀ ନ ଥିଲା ସେତେବେଳେ । ସେ ନୀରବରେ ଅନ୍ୟ କକ୍ଷରେ ଅଶ୍ରୁମୋଚନ କରୁଥିଲା । ହୁଏତ ସେହିହିଁ କେବଳ ଅଗ୍ନିଶିଖା ପରି ଶୁଭେନ୍ଦୁର ଏ ଉଜ୍ଜ୍ୱଳ ରୂପ ହୃଦୟଙ୍ଗମ କରିପାରି ଥାଆନ୍ତା ।

ଆଳାପ-ଆଲୋଚନା ଚାଲିଛି, ତାପରେ ପ୍ରକୋଷ୍ଠର ଗୋଟିଏ କଣରେ ଅନ୍ୟମନସ୍କ ଭାବରେ ବସିରହିଛି ଶୁଭେନ୍ଦୁ । କାହାରି ସହିତ ମିଶିପାରୁନି, ମିଶିବାର ଆଗ୍ରହ ନାହିଁ ତାର । ଏମାନେ ନଗ୍ନ, ଏମାନେ ଅସଭ୍ୟ, ଏମାନଙ୍କ ସହିତ ସମ୍ପର୍କ ନାହିଁ ତାର । ଏମାନଙ୍କର ରୁଚି ଅନ୍ୟକୁ ଘୃଣା କରିବାରେ । ନା, ଏମାନଙ୍କ ସହିତ ତାର ଆଳାପ ହୋଇପାରେନା । ପରାନ୍ନଭୋଜି ଏମାନେ, କରୁଣା କରେ ସେ ଏମାନଙ୍କ ଜୀବନକୁ ।

 

ଆଳାପ ଜମିଉଠିଛି ।

 

ବିଜୟକୁ ଚୁପ୍‌ ଚୁପ୍‌ କହିଲା ତନ୍ୱୀ ଦାସ- ‘‘ଆପଣ ଖବରକାଗଜ- ହକ୍‌କରକୁ ଏଠାକୁ ଆଣିଲେ କାହିଁକି ?’’

 

ବିଜୟ ବିସ୍ମୟ-ବିମୂଢ଼ ହୋଇ କହିଲା- ‘‘ମାନେ ?’’ ପାଖରେ ବସିଥିବା ଛନ୍ଦା କାନୁନ୍‌ଗୋ କହିଲା- ‘‘ଅବଶ୍ୟ ବଂଶୀ ଭଲ ବଜାଏ ।’’ କ୍ରମଶଃ କାନ କାନ ହୋଇ ଘୂରି ବୁଲିଲା କଥାଟା । ଶୁଭେନ୍ଦୁ ଅନ୍ୟମନସ୍କ; କିଛି ବୁଝିପାରିଲା ନାହିଁ । କିନ୍ତୁ କ୍ରମେ ସମସ୍ତେ ସେହି କଥାକୁ କେନ୍ଦ୍ର କରି ଖବରକାଗଜ-ହକ୍‌କର ଓ ମାଧୁରୀର ସମ୍ପର୍କ ନେଇ ମନ୍ତବ୍ୟ କଲେ ଯେତେବେଳେ, ଅସ୍ୱସ୍ତିରେ ଅତିଷ୍ଠ ହୋଇଉଠିଲା ବିଜୟ । ଏ କଣ ? ଯାହାକୁ ମାଧୁରୀ ଇଞ୍ଜିନିଅରିଂ କଲେଜର ଛାତ୍ର, ବହୁ ଅନୁଷ୍ଠାନର କର୍ମ୍ମକର୍ତ୍ତା ଭାବରେ ପରିଚୟ ଦେଇଛି, ସେ ଜଣେ ନଗଣ୍ୟ ଖବରକାଗଜ-ହକ୍‌କର ! ଛି, ଛି, ଛି ! କି ଗଭୀର ଲଜ୍ଜା ଓ କ୍ଷୋଭର କଥା । କିପରି ରୁଚି ହେଲା ମାଧୁରୀର ଏହା ସହିତ ବନ୍ଧୁତ୍ୱ ପ୍ରତିଷ୍ଠା କରିବାରେ । ତାର ଆଭିଜାତ୍ୟ, ସମ୍ଭ୍ରମ, ପରମ୍ପରା କଣ ବାଧା ଦେଲାନି ଏଥିରେ ? ଛି, ଛି ।

 

ତନ୍ୱୀ କହିଲା- ‘‘କିନ୍ତୁ ଲୋକଟାକୁ ଦେଖିଲାବେଳୁ ମୋର କାହିଁକି ସନ୍ଦେହ ହେଉଥିଲା ବିଜୟବାବୁ ! ଦେଖୁନାହାନ୍ତି ତାର ଚେହେରା । ଭଦ୍ର ଅଥଚ କାହାରି ସହିତ ଆଳାପ କରୁନାହିଁ । ଶିକ୍ଷିତ ଅଥଚ କଥା କହୁନାହିଁ । ସାମାଜିକ ଅଥଚ ତରୁଣୀ ଦେଖିଲେ ସଙ୍କୋଚ କରୁଛି । ମୁଖା ଖସିପଡ଼ିଛି ବିଜୟବାବୁ !

 

ପ୍ରତିମା କହିଲା- ‘‘ମାଧୁରୀର ଏ ବଡ଼ ଅନ୍ୟାୟ ତନ୍ୱୀ ! ସମସ୍ତଙ୍କର ମର୍ଯ୍ୟାଦା ଗଲା ସିନା ଆଜି ।’’

 

ମାଧୁରୀ ଆସୁଥିଲା ସେ ଦିଗରୁ । ଉତ୍ତେଜିତ ହୋଇପଡ଼ିଥିଲା ବିଜୟ । ଅବ୍ୟକ୍ତ ଘୃଣା ପ୍ରକାଶ ପାଉଥିଲା ତା ଚାହାଣୀରୁ । ସେ ମାଧୁରୀକୁ ପାଖକୁ ଡାକି କହିଲା ରୁକ୍ଷକଣ୍ଠରେ- ‘‘ଏ କଣ କଲ ମାଧୁରୀ, ଛି ଛି ! ଆଉ କେହି ମିଳିଲେନି ତୁମକୁ ? ବଂଶୀ ବଜାଇବା ପାଇଁ କଣ ଅଭାବ ହୋଇଥାଆନ୍ତା ଲୋକର ?’’

 

ବିମୂଢ଼ ଭାବରେ ଚକିତ ନୟନରେ ଅନାଇ ରହିଥାଏ ମାଧୁରୀ ।

 

ତାର ହାତଧରି ହଲାଇ ଦେଇ କହିଲା ତନ୍ୱୀ- ‘‘ଖବରକାଗଜ-ହକ୍‌କର ସାଥିରେ କେବେଠୁ ପରିଚୟ ମାଧୁରୀ ?

 

ତେଲ ପାଇଲେ ଦୀପଶିଖା ଯେପରି ପୁନର୍ବାର ଉଜ୍ଜ୍ୱଳ ହୋଇ ଜଳିଉଠେ, ତନ୍ୱୀର କଥା ଶୁଣି ସେହିପରି ଜଳିଉଠିଲା ମାଧୁରୀ । ଚକ୍ଷୁର ଚାହାଣୀ ତାର କଠୋର- ଅଗ୍ନି ବର୍ଷୁଛି ଯେପରି । ତାର ସମଗ୍ର ରୂପ ଦେଖି ଚମକି ଉଠିଲା ବିଜୟ । ଏ ଯେ ଏକ ଜ୍ୱଳନ୍ତ ଅଗ୍ନିଖଣ୍ଡ ! ଏ ତାପ ଦଗ୍‌ଧ କରିବହିଁ କରିବ ।

 

କଥାଟାକୁ ଅନ୍ୟଦିଗକୁ ଫେରାଇ ମାଧୁରୀକୁ ଦୋଷମୁକ୍ତ କରିବା ଚେଷ୍ଟାରେ କହିଲା ବିଜୟ- ‘‘ଛାଡ଼ ସେ କଥା । କିନ୍ତୁ ତାର ପରିଚୟଟା ବିକଳାଙ୍ଗ କରିଦେଇ ନ ଥିଲେ ସମସ୍ତେ ଖୁସି ହୋଇଥାନ୍ତେ ମାଧୁରୀ !’’

 

ଏଥର ଆଉ ଧୈର୍ଯ୍ୟ ପରି ରହିପାରିଲା ନାହିଁ ମାଧୁରୀ । ବନ୍ଧ ଭାଙ୍ଗି ପାଣି ଯେତେବେଳେ ବହେ, ସେତେବେଳେ ତାର ସ୍ରୋତ କେବଳ ପ୍ରଖର ନୁହେଁ, ତାହା ଉତ୍ତାଳ, ଉନ୍ମତ୍ତ ଓ ଦୁର୍ବାର । ରୋକି ହୁଏନା ।

 

କ୍ଷିପ୍ତକଣ୍ଠରେ କହିଲା ମାଧୁରୀ- ‘‘ଯଦି କେବଳ ତାହାହିଁ ହୁଏ ତାଙ୍କର ଏକମାତ୍ର ପରିଚୟ, ତେବେ ମଧ୍ୟ ଆପଣଙ୍କଠାରୁ ସେ ବହୁ ଉଚ୍ଚରେ । ପ୍ରକୃତ ପରିଚୟ କାହାରି ବିଶ୍ୱାସଯୋଗ୍ୟ ନୁହେଁ, ଭଲ ହୋଇଛି । ନଚେତ ଏଇ ତନ୍ୱୀ ଦାସହିଁ ପ୍ରେମଭିକ୍ଷା କରିବାପାଇଁ ହାତ ବଢ଼ାଇ ଦିଅନ୍ତା ପ୍ରଥମେ ।’’

 

ଯେପରି ଦପ୍‌ କରି ଜଳି ଉଠିଥିଲା ସେହିପରି ଲିଭିଯାଇ ସେହି ମୁହୂର୍ତ୍ତରେ ସ୍ଥାନ ତ୍ୟାଗକରି ଚାଲିଗଲା ମାଧୁରୀ ।

 

ସମସ୍ତେ ଚାହିଁଛନ୍ତି-

 

ସମସ୍ତଙ୍କର ସମ୍ମୁଖରେ ସେ ଶୁଭେନ୍ଦୁକୁ ନେଇ ଯେତେବେଳେ କ୍ଷିପ୍ତଗତିରେ ଯାଇ ମୋଟର ଭିତରେ ବସିଲା- ହୋ-ହୋ କରି ହସି ଉଠିଲେ ସମସ୍ତେ । ଏକା ବିଜୟ ବସି ରହିଥିଲା ନୀରବରେ ।

 

ମୋଟର ଛାଡ଼ିବା ପୂର୍ବରୁ ମାଧୁରୀ ଦେଖିଲା ସାଙ୍ଗରେ ଆସିଥିବା ଚାକର ଟୋକାଟା ଆସି ଶୁଭେନ୍ଦୁକୁ କଣ କହିବା ପାଇଁ ଉଦ୍ୟତ ।

 

ମାଧୁରୀ ପଚାରିଲା- ‘‘କଣ ?’’

‘‘ତନ୍ୱୀଦିଦି ପଠାଇଲେ ଦେଈ !’’

‘‘କଣ ଚାହୁଁ ?’’

‘‘ଖବରକାଗଜ ଦବା ପାଇଁ ବାବୁଙ୍କୁ କହିଛନ୍ତି ।’’

 

ତା ଗାଲରେ ଠୋ କରି ଗୋଟାଏ ଚାପୁଡ଼ା ବସାଇଦେଲା ମାଧୁରୀ । ଟୋକାଟା ଯେତିକି ବିସ୍ମୟରେ ନୁହେଁ, ତାଠୁ ଅଧିକ ବିସ୍ମୟରେ ଚାହିଁଥିଲା ଶୁଭେନ୍ଦୁ ମାଧୁରୀର ମୂର୍ତ୍ତିକୁ । ଷ୍ଟାର୍ଟ ଦେଇ ଗାଡ଼ି ଛାଡ଼ିଲା ଡ୍ରାଇଭର ।

 

ପଛରୁ ଭାସି ଆସୁଥାଏ- ଖବରକାଗଜ...ସମାଜ...ପ୍ରଜାତନ୍ତ୍ର...ହୋ-ହୋ-ହୋ । ଚିତ୍‌କାର କରି ତନ୍ୱୀ କହୁଥାଏ- ‘‘ଧୀରେ ସମୀରେ ମାଧୁରୀ ତୀରେ...’’ କାନରେ ଅଙ୍ଗୁଳି ଦେଇ ଅବଶ ଭାବରେ ସିଟ୍‌ ଉପରେ ଲୋଟି ପଡ଼ିଲା ମାଧୁରୀ । ଶୁଭେନ୍ଦୁ ନିଜର ଅପମାନରେ ନୁହେଁ, ମାଧୁରୀର ବିମର୍ଷତାରେ କାତର ହୋଇପଡ଼ିଲା ।

ସନ୍ଧ୍ୟା ହୋଇଆସୁଛି । ମହାନଦୀର ଖରାଦିନିଆ ରାସ୍ତା ଉପରେ ଜନଗହଳି ଜମିଉଠିଛି-

ଏତେବେଳ ନୀରବରେ କଟିଯାଇଥିଲା ଦୁଇ ଜଣଙ୍କର । ଶୁଭେନ୍ଦୁ ଶେଷ କଥାଗୁଡ଼ାକ ଶୁଣି ବସି ବସି ଭାବୁଥିଲା ସେହି ତଥାକଥିତ ଭଦ୍ର ଓ ପରାନ୍ନଭୋଜିମାନଙ୍କ ବିଷୟରେ ।

ପୋଲ ଉପରେ ଗାଡ଼ି ଚାଲିଛି-

ତାକୁ ଆକୁଳ ନୟନରେ ଚାହିଁ ବେଦନାର୍ତ୍ତ କଣ୍ଠରେ କହିଲା ମାଧୁରୀ- ‘‘ମୋତେ କ୍ଷମା କରିଛ ଶୁଭେନ୍ଦୁ ?’’

‘‘ତୁମର ଦୋଷ କଣ ମାଧୁରୀ, ତାହା ଏହି ଆଭିଜାତ୍ୟ ଓ ନୀଚ ମନର ପରିଚୟ ମାତ୍ର । ତୁମେ ବିଚଳିତ ହୋଇଛ ବନ୍ଧୁର ଅପମାନ ଦେଖି, କିନ୍ତୁ ମୁଁ ତାହାକୁ ଅପମାନ କହେନି ମାଧୁରୀ; ବରଂ ମୋର ସେଥିରେ ଆତ୍ମଗର୍ବ ହୁଏ । ମୁଁ ଯାହା, ତାହା ଲୁଚାଇ ରଖିବା ପାଇଁ ଚାହେଁ ନାହିଁ । ସେହି ପରିଚୟରେ ଅଛି ମୋର ସାଧନା ଓ ଆତ୍ମାର ପରିଚୟ । ସେହି ପରିଚୟ ହିଁ ମୋତେ ଦେଇଛି ଶ୍ରମର ମୂଲ୍ୟବୋଧ, ଶିଖାଇଛି ସମ୍ମାନ ।’’

ଅଶ୍ରୁ ଗଡ଼ାଇଥିଲା ମାଧୁରୀ-

କହିଚାଲିଥିଲା ଶୁଭେନ୍ଦୁ- ‘‘ଛି ଛି, ତୁମେ ଏଥିପାଇଁ କାନ୍ଦୁଚ ମାଧୁରୀ ? ତୁମେ ଶ୍ରମକୁ ମର୍ଯ୍ୟାଦା ଦେଇ ଶିଖିନ, ସେଥିପାଇଁ ତୁମେ ଖବରକାଗଜ- ହକ୍‌କରର ରୂପ ଦେଖି ହେଉଛ ମୂହ୍ୟମାନ । ସେ ତୁମର ଦୋଷ ନୁହେଁ; ସେ ତୁମ ଆଭିଜାତ୍ୟ ଓ ପରମ୍ପରାର ଦୋଷ ।-ତୁମ ପାଖରେ ହୁଏତ ଇଞ୍ଜିନିଅର ଭାବରେ ମୁଁ ପରିଚିତ । କିନ୍ତୁ ଜାଣି ଜାଣି ମଧ୍ୟ ତୁମେ ମୋର ଅନ୍ୟ ଦିଗଟା ଦେଖିବା ପାଇଁ ପ୍ରସ୍ତୁତ ନୁହଁ । କାରଣ ତୁମର ଲଜ୍ଜା ହୁଏ, ସଙ୍କୋଚ ହୁଏ- ଖବରକାଗଜ-ହକ୍‌କରଟାଏ ମୋର ବନ୍ଧୁ ।’’

‘‘ନା, ନା, ନା’’- କମ୍ପିତ କଣ୍ଠରେ ଦୃଢ଼ତା ଦର୍ଶାଇ କହିଲା ମାଧୁରୀ ।

‘‘ତା ହେଲେ କାହିଁକି କାନ୍ଦୁଛ ? ଦୁଃଖ କରୁଛ କାହିଁକି ? ତମେ ଯଦି ମୋର ଶ୍ରମର ମୂଲ୍ୟ ଦିଅ, ମର୍ଯ୍ୟାଦା ଦିଅ, ତେବେ ମୁଁ ଇଞ୍ଜିନିଅର ନ ହୋଇ ଯଦି କେବଳ ଖବରକାଗଜ- ହକ୍‌କର ହିଁ ହୁଏ, ତେବେ ତୁମର ଭାବିବାର କିଛି ନାହିଁ, ଶୋଚନା କରିବାର ନାହିଁ । ମୁଁ ମଣିଷ, ମୋର ଶ୍ରମ ଉପରେ ମୁଁ ପ୍ରତିଷ୍ଠିତ । ମୋର ସମ୍ମାନ ଏଇଠି । ପରାନ୍ନଭୋଜି ହୋଇ ଯେଉଁମାନେ ତାଚ୍ଛଲ୍ୟ କରନ୍ତି, ସେମାନଙ୍କ ପ୍ରତି କରୁଣା ହୁଏ ମୋର । ହୁଏତ ଦିନେ ସେମାନଙ୍କର ଏ ମୋହ ଯିବ । ସେମାନେ ମଣିଷକୁ ମଣିଷ ଭାବରେ ମର୍ଯ୍ୟାଦା ଦେଇ ଶିଖିବେ । ସମାଜର ନୂତନ ମୂଲ୍ୟବୋଧ ସେମାନଙ୍କୁ ବାଧ୍ୟ କରିବ ଏହା ଶିଖିବାକୁ । ନ ହେଲେ ସେମାନେ ଭାସିଯିବେ- ଗଣ-ଜୀବନର ପ୍ରବଳ ବନ୍ୟାରେ ତୃଣ ସଦୃଶ ପରିତ୍ୟକ୍ତ ହୋଇ ଭାସିଯିବେ ।’’

ନୀରବରେ ଶୁଣିଯାଉଥିଲା ମାଧୁରୀ । ମନେ ହେଉଥିଲା ତାର, ଶୁଭେନ୍ଦୁ ଇଞ୍ଜିନିଅର ନୁହେଁ; ହକ୍‌କର ନୁହେଁ- ସେ ମଣିଷ, ହଁ ସେ ତାର ପ୍ରିୟତମ ମଣିଷ । ସେ ନୀଚ ନୁହେଁ, ଛୋଟ ନୁହେଁ; ସେ ମହାନ୍‌, ସେ ବିରାଟ, ସେ ବିପୁଳ.... ।

ମୋଟର ପହଞ୍ଚିଲା ଯାଇ ମଙ୍ଗଳାବାଗ ଛକରେ । ଶୁଭେନ୍ଦୁ ଓହ୍ଲାଇଗଲା ଗାଡ଼ିରୁ । ମାଧୁରୀ ଚାହିଁ ରହିଥିଲା ତାର ଯିବା ପଥକୁ । ଦୁଇ ପାଦ ଯାଇ ଫେରିପଡ଼ି କହିଲା ଶୁଭେନ୍ଦୁ- ‘‘ଅଶେଷ ଧନ୍ୟବାଦ- ଯାଉଛି । ପୁଣି ଦେଖାହେବ ମାଧୁରୀ, ନମସ୍କାର !’’

 

‘‘ନମସ୍କାର !’’

 

ମୋଟର ଆଗେଇ ଚାଲିଛି । ଆଗେଇ ଚାଲିଛି ମାଧୁରୀର ମନ; ଉଡ଼ିଯାଉଛି ସେ ବହୁଦୂରକୁ, ଶୁଣୁଛି ସେହି ଗୋଟିଏ କଥା- ପୁଣି ଦେଖାହେବ ମାଧୁରୀ !

 

‘‘ହଁ ନିଶ୍ଚୟ ହେବ । କାହିଁକି ନୁହେଁ ? ତାରି ଦେଖା ପାଇଁ ଯେ ମାଧିୁରୀର ପ୍ରତୀକ୍ଷା ! ଯୁଗ-ଯୁଗର ପ୍ରତୀକ୍ଷା ! ଅନନ୍ତ କାଳର ପ୍ରତୀକ୍ଷା !’’

•••

 

Unknown

 

ସୁନନ୍ଦାର କପୋଳ ଉପରେ ଝରି ପଡ଼ିଥିଲା ଚୂର୍ଣ୍ଣ କୁନ୍ତଳ କେତୋଟି । ଚକ୍ଷୁର ତୀରେ ତୀରେ ଚହଟି ଉଠୁଥିଲା ସରୁ ଚିକ୍‌କଣ କଜ୍ୱଳ ଗାରଟି । ଗଭାରେ ତିନୋଟି ସ୍ୱର୍ଣ୍ଣକାନ୍ତି ଫୁଟନ୍ତ ଚମ୍ପା-। ମହକ ଝରୁଛି କେଶରୁ । ନିରାଭରଣ ଦେହରେ ଯୌବନର ଉଚ୍ଛୁଳା ତରଙ୍ଗ । ଅଯତ୍ନସତ୍ତ୍ୱେ କିଏ ଯେପରି ଯତ୍ନ କରୁଛି ରୂପସଜ୍ଜାର ।

 

ବୀଣାଟି ବଜାଇବା ପାଇଁ ଇଚ୍ଛା ହେଲା ତାର, କିନ୍ତୁ ପାରିଲା ନାହିଁ । କାହିଁକି ଗାଇବ ସେ-? କାହା ପାଇଁ ବା ଗାଇବ- ଶୁଣିବ କିଏ ?

 

କିନ୍ତୁ ମନ କହେ- ତୁ ଗା’ଆ, ଗାଆ ସୁନନ୍ଦା । ତୋର ବୀଣାର ଝଙ୍କାରରେ, ତୋର ସ୍ୱରର ଲାଳିତ୍ୟରେ ଶୁଣିବା ଲୋକ ନଶୁଣି ରହିପାରିବ ନାହିଁ । ସେ ଆସିବ, ନିଶ୍ଚୟ ଆସିବ ।

 

କୋଳରେ ଅଛି ବୀଣାଟି; କିନ୍ତୁ ବିମନା ହୋଇପଡ଼ିଛି ସୁନନ୍ଦା । ମନେପଡ଼ୁଛି କେତେ କଥା- ନବବଧୂ ସାଜି ଯାଇଥିଲା ସେ ଆଉ ଜଣକର ଘରକୁ । ଛୋଟ ପିଲାଟିଏ ସେତେବେଳେ । କନ୍ୟାବେଶ ସାଜିବା ପାଇଁ କେଡ଼େ ଖୁସି ଲାଗିଥିଲା ସତେ ! ନୂଆ’ଉ ତାର ଗାଲ ଦୁଇଟାକୁ ଚିପି ଦେଇ କହିଥିଲେ- ‘‘ବଡ଼ ବରସୁଆଗୀ ହବୁ ଲୋ ସୁନନ୍ଦା ।’’

 

ସେ ସୁଆଗ ତାର ରହିଲାନି । ଫୁଲ ଫୁଟିବା ଆଗରୁ ଉଡ଼ିଗଲା; ହଜିଗଲା ଭ୍ରମର । ବିଭାର ସାତମଙ୍ଗଳା ନ ଯାଉଣୁ ଛୋଟ ବରର ଘର ଛାଡ଼ି ଫେରିଆସିଥିଲା ସୁନନ୍ଦା । ମନେ ନାହିଁ ସବୁ କଥା ଆଜି, ମନେ ହୁଏନା । ମନେ କରିବା ପାଇଁ ମନ ବଳେନା ତାର ।

 

ଭାବେ ସୁନନ୍ଦା- ବିବାହିତ ଜୀବନ ତାର ଶେଷ ହୋଇଛି । ତାର ସ୍ୱାଦ କଣ ଜାଣିନାହିଁ ସେ । କିନ୍ତୁ ଯାହା ଯାଇଛି ଯାଉ, ଭାବି ଆଉ ଲାଭ କଅଣ ? ବିବାହ କରି ଜୀବନ ସୁଖୀ ହେଲା ନାହିଁ ବୋଲି କଅଣ ସମଗ୍ର ଜୀବନକୁ ଅସ୍ୱୀକାର କରିବ ସେ ? ଗୋଟାଏ ଅନୁଷ୍ଠାନ ତା ଜୀବନରେ ସୁଖ ସ୍ଥାୟୀ କରିପାରିଲାନି ବୋଲି, ଆଉ କଣ ମାର୍ଗ ନାହିଁ ଜୀବନର ? ସେ ବିବାହ ତାର ଦୁଃସ୍ୱପ୍ନ ମାତ୍ର । ପୁଣି ବିବାହ ତାର ନ ହେଉ । କିନ୍ତୁ ସେ ସୁଖୀ ହେବ, ସମଗ୍ର ଜୀବନକୁ ଅସ୍ୱୀକାର କରିପାରିବ ନାହିଁ । ଅତୀତର ଗୋଟାଏ ଅନୁଷ୍ଠାନ ତାକୁ ଚିରଦିନ ଦୁଃଖ, ଦୈନ୍ୟ ଭିତରେ ତପସ୍ୱିନୀ ହେବା ପାଇଁ କହିବ କାହିଁକି ? ପିଲାଖେଳ ପରି କ୍ଷଣସ୍ଥାୟୀ ଓ ସ୍ୱପ୍ନ ପରି ଅଳିକ ସେ ବିବାହ- ଅତୀତର ଅନୁଷ୍ଠାନ ।

 

ନା, ସେ ସୁଖୀ ହେବ । ଜୀବନକୁ ବୃହତ୍ତର କରି ଉପଭୋଗ କରିବ ସେ । କେତେ ମାର୍ଗ, କେତେ କର୍ମ ଜୀବନର । ଗୋଟାଏ ଦିଗ ଛାଡ଼ିଦେଲେ କଣ ସେ ସୁଖୀ ହୋଇ ପାରିବନି ? ସମସ୍ତ ବ୍ୟର୍ଥତା ଓ କୁଚ୍ଛ୍ରସାଧନ ଭିତର ଦେଇ ସେ ଦେଖିବ ଆଉ ଏକ ମହତ୍ତର ଜୀବନର ସ୍ୱପ୍ନ, ସେ ଅନୁଭବ କରିବ ତାର ସ୍ୱାଦ । କେତେ ଦୁଃଖୀ ଅଛନ୍ତି ଏହି ଦୁନିଆରେ । ନିଆଁ ଜଳୁଛି କେତେ ଲୋକଙ୍କ ଛାତିରେ । ତାକୁଇ ସ୍ନେହ ଦେଇ, ସାହଚର୍ଯ୍ୟ ଦେଇ ଉପଶମ କରିବ ସୁନନ୍ଦା । ଅନ୍ୟ ଜୀବନର ସଦ୍‌ଗତି କରିପାରିଲେ ତାର ମୁକ୍ତିତାର ନିର୍ବାଣ ।

 

ଉପେନ୍ଦ୍ର ପ୍ରବେଶ କଲା ପ୍ରକୋଷ୍ଠ ଭିତରେ । କୃତ୍ରିମ ରାଗ ପ୍ରକାଶ କରି କହିଲା ସେ- ‘‘କାହିଁକି ସବୁବେଳେ ବସି ବସି ଭାବ ମା ? କି ରୂପ, କଣ ହେଲାଣି ଦେଖିଛ ଥରେ ? ଆସନ୍ତୁ ଶୁଭେନ୍ଦୁ ବାବୁ, ନିଶ୍ଚୟ କହିବି ଆଜି ।’’

 

ଚମକି ପଡ଼ିଲା ସୁନନ୍ଦା । ସେହି ଚମକରେ ସେ ଫେରିଆସିଲା ବୃହତ୍ତର ଜୀବନର ବେଳାଭୂମି ଉପରୁ । ବାସ୍ତବ ସମ୍ମୁଖରେ, ସାମ୍ନାସାମ୍ନି । ତାକୁ ନ ଭେଟି ରକ୍ଷା ନାହିଁ । ଜୀବନ କ୍ଷୁଦ୍ର । ଯୌବନ ଆହୁରି କ୍ଷୁଦ୍ରତର । କିନ୍ତୁ ତାର ସ୍ୱାଦ ଅପରିସୀମ, ତାର ଆକର୍ଷଣ ଅମୋଘ । ଆସିବ ଶୁଭେନ୍ଦୁ । ତାହାରି ସହିତ ହେବ ବୃହତ୍ତର ଜୀବନର ସଂଘର୍ଷ । ବାସ୍ତବ ସହିତ ସ୍ୱପ୍ନର ସଂଘର୍ଷ ।

 

ଶୁଭେନ୍ଦୁ ତାର କିଏ ? କାହିଁକି ସେ ଆସେ ତା ପାଖକୁ ? କଣ ଚାହେଁ ସେ ।

 

ମନେ ପଡ଼େ ସୁନନ୍ଦାର ସେଦିନ ସନ୍ଧ୍ୟାର କଥା । ରାତ୍ରି ହୋଇ ନ ଥାଏ । ନିମନ୍ତ୍ରଣ ରକ୍ଷା କରିବା ପାଇଁ ଆସିଥିଲା ସେ । ପ୍ରତି କଥାରେ ତାର ପ୍ରଗଳ୍‌ଭତା । ପ୍ରତି ହାସ୍ୟରେ ଆକର୍ଷଣ-। ଚାହାଣୀରେ ଚାରି ଯୁଗର କାହାଣୀ । କଣ ସେ ଚାହେଁ ? କାହିଁକି ତାରି ପ୍ରତୀକ୍ଷାରେ ଗଡ଼ିଯାଏ ସମୟ ସୁନନ୍ଦାର ? ଶୁଭେନ୍ଦୁ ଆଗରେ ନିଜକୁ ପ୍ରକାଶ କରିବାର ପୁଲକ ଅଥୟ କରେ ତାକୁ କାହିଁକି-? ତାକୁ ଦେଖିବାରେ, ତା ସହିତ ଦୁଇପଦ ସୁଖ ଦୁଃଖ ହେବାରେ ଉଦ୍ଦାମ ହୋଇଉଠେ ଅନ୍ତର କାହିଁକି ?

 

କଅଣ ସେ ?

 

କାନେ କାନେ ଯେପରି କିଏ କହିଗଲା ତାର- ସେ ତତେ ଭଲପାଏ- ସେ ତତେ ଭଲ ପାଏ ସୁନନ୍ଦା !

 

ଚମକି ଚାହିଁଲା ସୁନନ୍ଦା, ଉପେନ୍ଦ୍ର ଚାଲିଗଲାଣି; କିଏ ଡାକୁଛି ଦୁଆରେ ।

 

‘‘ଆସନ୍ତୁ ବାବୁ...’’ ଶୁଭେନ୍ଦୁକୁ ଡାକି ଆଣୁଛି ଉପେନ୍ଦ୍ର ।

 

ସୁନନ୍ଦା ଭାବୁଛି । ସେ ବିଧବା, ଯୌବନ ତାର ଅସ୍ପୃଶ୍ୟ, ମନ ତାର ଅଗମ୍ୟ । ଭଲପାଇବା ତାର ଅଧିକାରର ବାହାରେ । କାହିଁକି ତା ହେଲେ ଆକର୍ଷଣ କରିବ ଶୁଭେନ୍ଦୁକୁ ? କାହିଁକି ଅଭିନନ୍ଦନ କରିବ ତାର ପ୍ରେମ-ସମ୍ଭାଷଣକୁ ? ଯୌବନ ତାର ମରିଯାଉ, ଝରିଯାଉ ଫୁଟନ୍ତା ଫୁଲଟି । ଏ ମହକ ଉପଭୋଗ୍ୟ ନୁହେଁ, ବିଷାକ୍ତ ।

 

ସେ ଚାହେଁନା ଶୁଭେନ୍ଦୁକୁ କରିବ ତାର ସମଦୁଃଖୀ । ଆଜୀବନ ସଂଗ୍ରାମ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିଆସୁଛି ଶୁଭେନ୍ଦୁ । କାହିଁକି ଜୀବନ-ସାଧନାକୁ ତାର କରିବ ଛିନ୍ନଭିନ୍ନ ? ସମାଜର ଉଚ୍ଚ ସ୍ତରକୁ ଉଠି ସମ୍ମାନର ଅଧିକାରୀ ହେବ ସେ । କାହିଁକି ବୈଧବ୍ୟ ଜୀବନର ଦୈନ୍ୟ ଦେଇ, ନର୍ସ-ଜୀବନର ସଙ୍କୋଚ ଦେଇ କ୍ଷୁଣ୍ଣ କରିବ ତାର ସମ୍ମାନ ? ସେ ନାରୀ, ସେ ମଙ୍ଗଳାକାଂକ୍ଷିଣୀ । ନା, ନା, ନା, ଶୁଭେନ୍ଦୁକୁ ସେ କେବଳ ବନ୍ଧୁ-ଚକ୍ଷୁରେ ଦେଖିବ । ଶୁଭେନ୍ଦୁର ଚକ୍ଷୁରୁ ଲିଭାଇଦେବ ପ୍ରେମ-ଅଞ୍ଜନ ।

 

ପାଖରେ ଥାଇ ବି ଦୂରେଇ ଯିବ ସେ, ହାତ ପାଖରେ ଥାଇ ମଧ୍ୟ ଧରାଦେବନି ସେ । ସେ ହେବ ଦୁଷ୍ପ୍ରାପ୍ୟ, ଦୁର୍ବୋଧ୍ୟ, ଅଜେୟ ।

 

‘‘କଣ ଯେ ଭାବୁଛ ସୁନନ୍ଦା’’... ହସି ହସି କହୁଁ କହୁଁ ଚୌକି ଉପରେ ବସିଲା ଶୁଭେନ୍ଦୁ ।

 

ତା ଦୃଷ୍ଟି ମିଳିଲା ସୁନନ୍ଦାର ଦୃଷ୍ଟିରେ । ଏ ତ ସେହି, ସେହି ସନ୍ଧ୍ୟାର ଶୁଭେନ୍ଦୁ !!

 

କଥା କହିପାରୁନି ସୁନନ୍ଦା । ପ୍ରତିଜ୍ଞା କରିଛି ସେ, ଧରାଦେବ ନାହିଁ, ଦୂରେଇଯିବ, ହେବ ଅଜେୟ, ଅବୋଧ୍ୟ ।

 

‘‘କଣ ନୀରବ ହୋଇ ବସିରହିଲ ଯେ...’’

 

ଉପରକୁ ମୁହଁ ଉଠାଇ ଚାହିଁପାରୁନି ସୁନନ୍ଦା । ଭୂଇଁ ଉପରେ ଚାହାଣୀ ଆବଦ୍ଧ; କିନ୍ତୁ ଥରିଉଠୁଛି ଓଠଟି- କଣ କହିବ ? ନ କହିଲେ ଆଘାତ ପାଇବ ଶୁଭେନ୍ଦୁ ।

 

‘‘ଦେହ ଭଲ ନାହିଁ ?

 

‘‘ଏଁ ! କଣ ହୋଇଛି ତୁମର ? କାହିଁ ମୋତେ ଖବରଟାଏ ବି ଦେଇନ ?’’

 

ଘର ଭିତରକୁ ପ୍ରବେଶ କଲା ଉପେନ୍ଦ୍ର । ଶୁଭେନ୍ଦୁ ତା ମୁହଁକୁ ଚାହିଁ କହିଲା- ‘‘କାହିଁ, ଉପେନ୍ଦ୍ର ତ ମୋତେ ତୁମ ଦେହ ଖରାପ କଥା ଆଦୌ କହିନି ।’’

 

‘‘ମାଆଙ୍କର କିଛି କଅଣ ହୋଇଛି ବାବୁ ? ସେ କେବଳ ଭାବି ଭାବି ଦେହଟାକୁ ଶୁଖାଉଛନ୍ତି ନା.......’’

 

ସୁନନ୍ଦାର ଅପ୍ରସନ୍ନ ମୁଖଭଙ୍ଗୀ ଦେଖି ବିଦାୟ ନେଲା ଉପେନ୍ଦ୍ର । ଉପରକୁ ମୁହଁ ତୋଳି କହିଲା ସୁନନ୍ଦା- ‘‘ତା କଥା ବିଶ୍ୱାସ କରୁଛ ତୁମେ ?’’

 

ଶୁଭେନ୍ଦୁ ଉତ୍ତର ଦେଲାନି । କିଛିକ୍ଷଣ ନୀରବ ରହି କହିଲା ସେ- ‘‘ମୋ ଉପସ୍ଥିତି ବରଂ ତୁମକୁ ଦୁଃଖ ଦେଉଥିବ; କାରଣ ଯେତେବେଳେ ଆସୁଛି ମୁଁ, ଦେଖୁଛି ତୁମେ ଅନ୍ୟମନସ୍କ, ଚିନ୍ତିତ-।’’

 

‘‘ନା, ନା, ତୁମେ ସେପରି ଭାବ ନାହିଁ । ମୁଁ ଏହିପରି, ଏହିପରି ସବୁଦିନ ।’’

 

‘‘ସେ କଥା ତୁମ ମୁହଁ ଦେଖି ବିଶ୍ୱାସ ହୁଏନା ସୁ ! ତୁମେ ଲୁଚାଇଛ ମୋତେ । ଜାଣିଶୁଣି ଦୂରେଇଯିବାକୁ ଚେଷ୍ଟା କରୁଛ ମୋଠାରୁ । ଏୟା ଯଦି ତୁମର ମନର କଥା, ମୋତେ କହିଦିଅ ନନ୍ଦା- ମୁଁ ଚାଲିଯିବି, ତୁମଠାରୁ ବହୁତ ଦୂରକୁ ଚାଲିଯିବି । ଆସିବିନି; ଆଉ ଫେରିବିନି ।’’

 

ଏ କଣ କହୁଛି ଶୁଭେନ୍ଦୁ ! ଦୂରକୁ ଚାଲିଯିବ ସେ, ଆଉ ସାକ୍ଷାତ୍‍ ମଧ୍ୟ ହେବ ନାହିଁ ତା ସହିତ ? ସହ୍ୟ କରିପାରିବ ଏହା ସୁନନ୍ଦା ? ବ୍ୟର୍ଥତାମୟ ଜୀବନର ହାହାକାର, ରୁଦ୍ଧଶ୍ୱାସୀ ହୃଦୟର କରୁଣ ଆର୍ତ୍ତନାଦ କେତେ ଦିନଧରି ଚାପି ରଖିପାରିବ ସେ ? ତାର ନିଃସଙ୍ଗ ଜୀବନରେ କାହାକୁ ଜଣାଇବ ଆକୁଳତା, କାହାକୁ କହିବ ଅନ୍ତରର ଅନନ୍ତ ବ୍ୟଥା ?

 

ବାଷ୍ପାକୁଳ କଣ୍ଠରେ କହିଲା ସୁନନ୍ଦା, ‘‘ନା, ନା, ତୁମେ ଆସିବ ଶୁଭେନ୍ଦୁ ! ଅବହେଳିତ ପରିତ୍ୟକ୍ତ, ନିଃସଙ୍ଗ ଜୀବନରେ ମୁଁ ଆଶା ଚାହେଁ, ଆଲୋକ ଚାହେଁ ।’’

 

ଆଉ କଥା ଆସୁନାହିଁ । ବୁକୁ ଫାଟିଯାଉଛି; କିନ୍ତୁ ଫିଟୁନି ମୁହଁ । କିଏ ରୁଦ୍ଧ କରି ଦେଉଛି ତାର ଗଳା । ଯାହା କହି ନ ପାରିଲା ସୁନନ୍ଦା, ଯାହା ରହିଗଲା ଅବ୍ୟକ୍ତ- ଲୋତକର ଅସରନ୍ତି ପ୍ରବାହରେ ପ୍ରକାଶ ପାଇଲା ତାହା ।

 

ସେ ସୁନନ୍ଦା ନୁହେଁ, ସେ ବିଧବା ନୁହେଁ- ସେ ନାରୀ । ତା ଜୀବନର ସତ୍ୟହିଁ ପ୍ରକାଶ ପାଇଛି ମାତ୍ର । ଶୁଭେନ୍ଦୁ ତାର କମ୍ପିତ ଓଠଟିକୁ ସ୍ପର୍ଶ କରି କହିଲା- ‘‘ଛି, ଏ କଣ କରୁଛ ସୁନନ୍ଦା !’’

 

ସ୍ପର୍ଶକାତର ମନ ଜାଗ୍ରତ ହେବା ପୂର୍ବରୁ ମୁହୂର୍ତ୍ତକରେ ଶୁଭେନ୍ଦୁ ପାଖରୁ ମୁକ୍ତି ନେଇ ଅନ୍ୟ ଘରକୁ ପଳାଇଗଲା ସୁନନ୍ଦା ।

 

ଶୁଭେନ୍ଦୁ ସେହିପରି ଭାବରେ ଛିଡ଼ା ହୋଇ ଭାବୁଥିଲା- ଦୁର୍ବୋଧ୍ୟ, ରହସ୍ୟମୟୀ ଏଇ ସୁନନ୍ଦା ।

•••

 

 

ବଣଭୋଜି ଶେଷ ହୋଇଯାଇଛି; କିନ୍ତୁ ଅବଶୋଷ ରହିଯାଇଛି ବିଜୟର । କଟିଯାଇଛି ଗୋଟିଏ ସପ୍ତାହ । ମାଧୁରୀ ପାଖକୁ ଯାଇଛି ସେ ମଧୁ ଅନ୍ୱେଷଣରେ, କିନ୍ତୁ ମହୁମାଛିର ଦଂଶନଜ୍ୱାଳା ନେଇ ଫେରିଛି ସିନା, ମଧୁ ଆହରଣ କରିପାରିନାହିଁ ।

 

ଦ୍ୱିପ୍ରହର । ପ୍ରକୋଷ୍ଠରେ କେବଳ ବିଜୟ ଏକା । ଭାବୁଛି ସେ- ଏଇ ସଙ୍ଗହୀନ ଜୀବନ କେତେଦିନ ଭଲ ଲାଗିବ ଆଉ । ଆସନ୍ତା ଯଦି ବର୍ତ୍ତମାନ ମାଧୁରୀ, ପଛପଟୁ ଚୁପି ଚୁପି ଆସି ଆଖି ବୁଜିଧରନ୍ତା ତାର; ପଚାରନ୍ତା କଣ୍ଠରେ ଲହରୀ ଖେଳାଇ- ‘କିଏ କୁହ ତ ?’, ଆଃ ! କି ମଜା ହୁଅନ୍ତା ସତେ ! କିନ୍ତୁ କେହି ନାହିଁ, ନିର୍ଜନ ପ୍ରକୋଷ୍ଠ । ଭଲ ଲାଗୁନାହିଁ ବିଜୟକୁ । କାମ ଆରମ୍ଭ ହୋଇନି । ଓକିଲାତି ପାଶ୍‌ କରି ପ୍ରାକ୍‌ଟିସ୍‌ ଆରମ୍ଭ କରିବ । ସିଗାରେଟ୍‌ ଶେଷ ହୋଇଯାଇଛି । ଚାକର ଟୋକାଟା ଯାଇଥିବ ଗୁଲି ଖେଳି; ତା ଦେଖାପାଇବା ମୁସ୍କିଲ୍‌ । ବ୍ୟସ୍ତ ହୋଇପଡ଼ିଲା ବିଜୟ । କିନ୍ତୁ ବାହାରକୁ ଯାଇ ସିଗାରେଟ୍‌ ପ୍ୟାକେଟ୍‌ ଆଣିବା ପାଇଁ ସ୍ପୃହା ହେଉନି । ଶୋଇ ଶୋଇ ଚିନ୍ତା କରିବା ପାଇଁ ଭଲ ଲାଗୁଛି ।

 

ଆଜି ରବିବାର । କୋର୍ଟ କଚେରି ବନ୍ଦ । କାମ ନାହିଁ କିଛି । କଟକ ଆଇନ୍‌ କଲେଜରେ ଓକିଲାତି ପାଶ୍‌ କରିଛି ବିଜୟ । ପଢ଼ା ଶେଷ ହୋଇଯାଇଛି । ସେ ହେବ ଓକିଲ- ଆଡ଼୍‌ଭୋକେଟ୍‌ ।

 

ଭବିଷ୍ୟତ୍‌ ବିଷୟରେ ସ୍ୱପ୍ନ ଦେଖେ ବିଜୟ ।

ଖଟ୍‌... ଖଟ୍‌... ଖଟ୍‌ ....

 

କାବଟ କଡ଼ା ହଲାଉଛି କିଏ ? ଆଃ.. ଏଇ ଦ୍ୱିପ୍ରହରଟା ବି ମଣିଷକୁ ନିଶ୍ଚିନ୍ତ ହେବା ପାଇଁ ଦେବେନି ଏମାନେ । ବିରକ୍ତ ହୋଇ ଉଠିଗଲା ବିଜୟ । ଗତ୍ୟନ୍ତର ନାହିଁ ।

 

କବାଟ ଖୋଲିଦେଲା ।

 

କିନ୍ତୁ ଏ କଣ ? ଆଶ୍ଚର୍ଯ୍ୟ ହୋଇ ଅନାଇଛି ବିଜୟ । ଦ୍ୱାର ସେ ପାଖରେ ହସି ହସି ଶୁଭ-ଦ୍ୱିପ୍ରହର ଜଣାଉଛି ତନ୍ୱୀ ଦାସ- ଡାକ୍ତରୀ କଲେଜର ପ୍ରଜାପତି ତନ୍ୱୀ ଦାସ ! ବାଃ, ଚମତ୍କାର ! ଅପ୍ରତ୍ୟାଶିତ ଆନନ୍ଦରେ ଆତ୍ମହରା ହୋଇପଡ଼ିଲା ବିଜୟ । ସଫଳ ହେଲା ଦ୍ୱିପ୍ରହରଟା । ଚାକର ଟୋକାଟା ପ୍ରତି ପ୍ରସନ୍ନ ହେଲା । ଯା, ଭଲ ହୋଇଛି । ପିଲାଟା ଟିକିଏ ବୁଲୁ । ସବୁ ଦିନ ତ ସମୟ ପାଏନା- ଆଜି ପାଇଛି ।

 

ଶୁଭ-ଦ୍ୱିପ୍ରହର ଜଣାଇ ତନ୍ୱୀକୁ ଭିତରକୁ ସ୍ୱାଗତ କଲା ବିଜୟ । ହାସ୍ୟର ବିନିମୟରେ ଉଭୟ ବୁଝିଲେ ପରସ୍ପରର ଅଭିନନ୍ଦନ ।

 

‘‘ତା ପରେ ମାଧୁରୀର ଆଉ ଖବର କଅଣ ବିଜୟ’’- ସିଧାସଳଖ ପଚାରିଲା ତନ୍ୱୀ ।

 

ହସିବା ପାଇଁ ଚେଷ୍ଟା କରି ଉତ୍ତର ଦେଲା ବିଜୟ- ‘‘ତାପରେ ଆଉ ତା ସହିତ ସମ୍ପର୍କ ନାହିଁ ମୋର ତନ୍ୱୀ ! ଛି, ଛି, କି ଲଜ୍ଜା ଦେଲା ସେଦିନ !’’

 

କଟାକ୍ଷ ହାଣି, ଭୂରୁ ନଚାଇ, ଟେବୁଲ୍‌ ଉପରେ ଚାପୁଡ଼ାଟାଏ ମାରି କହିଲା ତନ୍ୱୀ- ‘‘ବୁଡ଼ି ବୁଡ଼ି ପାଣି ପିଉଥିଲା ମାଧୁରୀ । ଭାବୁଥିଲା, କେହି ଜାଣନ୍ତିନି । କିନ୍ତୁ ତନ୍ୱୀ ଦାସ ଆଖିକୁ ଅବିଶ୍ୱାସ କରେନା, ବିଜୟ- ତାକୁ ଫାଙ୍କିଦିଆ ଚଳେନା ।’’

 

‘‘ମୁଁ ଯଦି ଆଗରୁ ଜାଣିଥାନ୍ତି ତନୁ,....ଛାଡ଼, ଯାହା ହେବାର ହୋଇଯାଇଛି । ସମସ୍ତଙ୍କର ମଥା ତଳକୁ କରି ସେ ଦିନ କି ଗର୍ବରେ ଫେରିଆସିଲା ଟୋକାଟା !’’

 

କଥାବାର୍ତ୍ତା, ଆଳାପ-ଆଲୋଚନା କ୍ରମେ ମଧୁରତର ହୋଇଉଠିଲା । ତନ୍ୱୀ ଦାସର ତାରୁଣ୍ୟରେ ମୁଗ୍‌ଧ ନ ହେବ ଏପରି ଯୁବକ କିଏ ଅଛି କଟକରେ ? ତାର କଥା କହିବାର ଭଙ୍ଗୀ, ଆଖିର ଇଙ୍ଗିତ, ଆତ୍ମନିବେଦନର ଅଭିଳାଷ ଉନ୍ମତ୍ତ କରେ କେତେ ତରୁଣଙ୍କୁ । ଅଥଚ ବେଶୀଦିନ ପାଇଁ କାହାରି ପ୍ରୟୋଜନ ହୁଏନା ତନ୍ୱୀର । ଯାହା ପାଇବା ଆଶାରେ ଯାଇଥାଏ ସେ, ତାହା ପାଇଗଲା ପରେ ପ୍ରୟୋଜନ ଶେଷ ହୋଇଯାଏ ତାର । ତାପରେ ସେ ହୁଏ ଅଖୋଜା, ଅଲୋଡ଼ା-। ନୂତନତ୍ୱରେହିଁ ତନ୍ୱୀର ଆନନ୍ଦ । କହେ ତନ୍ୱୀ- ଜୀବନର ସ୍ୱଳ୍ପତାକୁ ଅନୁଭବ ଓ ଉପଭୋଗର ମୁହୂର୍ତ୍ତ ଭିତରେ ଭୁଲିଯିବା ପାଇଁ ସୁଯୋଗ ପାଏ ସେ । ଯେଉଁଠି ରୁଚି, ଯାହା ପାଖରେ ପ୍ରୟୋଜନ, ତା ଛାତି ଉପରେ ଢଳିପଡ଼ି ମୁହୂର୍ତ୍ତକର ସଙ୍ଗିନୀ ହେବାପାଇଁ ଦ୍ୱିଧା ନାହିଁ ତାର-। ଅଥଚ ସେ ବେଶ୍ୟା ନୁହେଁ; ସାବିତ୍ରୀ ମଧ୍ୟ ନୁହେଁ । ସେ ଭଦ୍ର, ଶିକ୍ଷିତ, ଆଧୁନିକ ସମ୍ପ୍ରଦାୟର ଏକ ନୂତନ ସଂସ୍କରଣ । କଟକ ଭୂଇଁରେ ପାଶ୍ଚାତ୍ୟ ସଭ୍ୟତାର ଏକ ନିର୍ଲଜ୍ଜ, ନଗ୍ନ ପ୍ରକାଶ । ସେ ଶିକ୍ଷିତା, କିନ୍ତୁ ସୁଶୀଳା ନୁହେଁ । ସେ ବିଚିତ୍ରା- ସେ ବହୁରୂପୀ । ଦୁନିଆର ରଙ୍ଗମଞ୍ଚରେ ଅଭିନେତ୍ରୀ ସେ ।

 

ବିଜୟ ଜଜ୍‌ର ପୁତ୍ର । ଲକ୍ଷେ ଟଙ୍କା କେବଳ ବ୍ୟାଙ୍କ୍‌ ବାଲାନ୍‌ସ୍‌ ତାର । ମନ ତାର ଅଛି; ଅଛି ଉଦ୍‌ବେଳିତ ଯୌବନ । ସେଥିପାଇଁ ତା ପାଖରେ ତନ୍ୱୀର ପ୍ରୟୋଜନ- ପ୍ରୟୋଜନ ତାର ଚୁମ୍ୱନରେ ଓ ବ୍ୟାଙ୍କ୍‌ ବାଲାନ୍‌ସରେ । ଯେଉଁଦିନ ବିଜୟ ରିକ୍ତହସ୍ତ ହୋଇଯିବ- ସେଦିନ ସେ ହେବ ତନ୍ୱୀର ନିଷ୍ପ୍ରୟୋଜନ । ରାସ୍ତାକଡ଼ର ବୁଲା କୁକୁରମାନେ ପୋଷା କୁକୁର ଦେଖି ଈର୍ଷାରେ ଜଳିଯିବେ-। ଆକ୍ରମଣ କରିବେନି ଏମାନେ; କରୁଣାଜନିତ ଈର୍ଷାରେ ହାୟ ହାୟ କରିବେ କେବଳ-

 

ତନ୍ୱୀର ଚୌକିଉପରୁ ଉଠିଆସି ବିଜୟର ଖଟ ଉପରେ ବସିଛି । ଦୂରତ୍ୱ ଯେଉଁଠି, ବନ୍ଧୁତ୍ୱ ସେଠାରେ ଉଧେଇ ପାରେନା ।

 

ବିଜୟର ହାତ ଉପରେ ହାତ ରଖି କହିଲା ତନ୍ୱୀ- ‘‘ତମେ ଭାଗ୍ୟରେ ବିଶ୍ୱାସ କର ବିଜୟ ?’’

 

‘‘ହଁ ତନ୍ୱୀ !’’

 

ତନ୍ୱୀର ହାତ ପଡ଼ିଛି ବିଜୟର ହାତ ଉପରେ । ଉତ୍ତାପ ଜାଗୁଛି ଦେହରେ, ଉତ୍ତେଜିତ ହୋଇପଡ଼ୁଛି ମନଟା, ନିଶା ଲାଗିଗଲାଣି । ଢଳି ଢଳି ଲାଗିଆସୁଛି ବିଜୟ, ହସି ହସି ନିକଟତର ହେଉଛି ତନ୍ୱୀ ।

 

‘‘ମୁଁ ହାତ ଦେଖି ଜାଣେ- ଦେଖି ତମ ହାତଟା...’’

‘‘ଆରେ, କେବେଠୁ ଶିଖିଲ ମ...’’

 

ବିଜୟ ବଢ଼ାଉ ଦେଉଛି ହାତ । ଦୁଇ ହାତର ନରମ ପାପୁଲି ଛୁଉଁଛି ବିଜୟର ହାତକୁ । ରକ୍ତ ଫୁଟୁଛି, ମନ ଯାଉଛି ଚହଲି ।

 

‘‘ତମେ ବଡ଼ ସେଣ୍ଟିମେଣ୍ଟାଲ୍‌ ବିଜୟ; ଦେଖୁନା ଏ ଗାରଟା...’’

ଥରଥର ଗଳାରେ ବିଜୟ କହିଲା- ‘‘ଠିକ୍‌ କହିଛ ତନ୍ୱୀ ।’’

‘‘ତମର ପ୍ରାଣରେ ଦରଦ ଅଛି ବିଜୟ; ଦେଖୁନ ହାର୍ଟ ଲାଇନ୍‌ଟା !’’

‘‘ହଁ, ସତ, ସତ ତନ୍ୱୀ...’’

 

ଉଚ୍ଛୃଙ୍ଖଳ ହୋଇଉଠୁଛି ବିଜୟ । ତନ୍ୱୀର ହାତପାପୁଲି ତାର ମୁଠା ଭିତରେ । ତାର ଛାତି ଉପରକୁ ଢଳିପଡ଼ିଛି ତନ୍ୱୀ । ମୁହୂର୍ତ୍ତ ପାଖେଇ ଆସୁଛି । ମୁହଁ ନଇଁ ଆସୁଛି...

 

‘‘ବାବୁ !’’

 

ଅମୃତଭାଣ୍ଡ ଅସୁରମାନଙ୍କ ହାତକୁ ଆସୁ ଆସୁ ହରଣ କରିନେଲେ ଭଗବାନ । ଈର୍ଷା, ଅହଙ୍କାର, କ୍ରୋଧରେ ପ୍ରଜ୍ୱଳିତ ହେଲେ ଅସୁରମାନେ । ମୁହୂର୍ତ୍ତକରେ ଅମୃତ ପିଇ ଅମର ହୋଇଥାଆନ୍ତେ ସେମାନେ; ମାତ୍ର ସେହି ଗୋଟିଏ ମୁହୂର୍ତ୍ତ, ତାରି ଭିତରେ ମୁହଁ ପାଖରୁ ଅପସାରିତ ହେଲା ସୁଧାଭାଣ୍ଡ ।

 

ବିରକ୍ତିରେ ବିଜୟ କହିପକାଇଲା- ‘‘ଆଉ ରଖେଇ ଦେବେନି ଏଗୁଡ଼ା । ଦେଖୁଛ ତନ୍ୱୀ, ମଣିଷ ଟିକିଏ ବିଶ୍ରାମ କରିପାରିବନି ।’’ ଅମୃତ ଅପହରଣ ହୋଇଛି । ‘ବାବୁ’ କହି ଯୁଗ-ଯୁଗର କ୍ଷୁଧାର ପରିତୃପ୍ତିର ମୁହୂର୍ତ୍ତରେ ଚମକାଇ ଦେଇଛି ଏହି ପୋଷ୍ଟପିଅନ୍‌ ।

 

ଉଠିଯାଇ ଦସ୍ତଖତ୍‌ କରି ଟେଲିଗ୍ରାମ୍‌ଟା ଆଣିଲା ବିଜୟ । ପକେଟରେ କାଗଜଟାକୁ ରଖି ପୁଣି ଆସି ବସିଲା । କିନ୍ତୁ ମୁହୂର୍ତ୍ତ ଗଡ଼ିଯାଇଛି, ମାତ୍ର ଗୋଟିଏ ମୁହୂର୍ତ୍ତର ପରିବର୍ତ୍ତନ । ଚାକର ଟୋକା ମଦନ ଆସି କହିଲା- ‘‘ବାବୁ, ଧୋବା ଆସିଛି; ଲୁଗା ଦିଅ ।’’

 

ତନ୍ୱୀର ମୁହଁକୁ ଚାହିଁଲା ବିଜୟ । କି କାରୁଣ୍ୟ ସେ ଚାହାଣୀରେ; ଯେପରି ତନ୍ୱୀ ପାଖରୁ କ୍ଷମା ମାଗୁଛି ।

 

‘‘ଆଜି ମୁଁ ଯାଏ ବିଜୟ-’’

‘‘ପୁଣି କେବେ ଆସିବ ତନ୍ୱୀ ?’’

‘‘ବୁଧବାର କଲେଜ ବନ୍ଦ ଅଛି । ଭୁବନେଶ୍ୱର ଯିବା ବିଜୟ ?’’

 

ଆନନ୍ଦରେ ଅଧୀର ହୋଇପଡ଼ିଲା ବିଜୟ । ତନ୍ୱୀ ବୁଝେ ତାର ମନ, ବୁଝେ ତାର କାମନା । ଉତ୍ତର କଲା ବିଜୟ- ‘‘ନିଶ୍ଚୟ, ନିଶ୍ଚୟ ତନ୍ୱୀ; ଆଉ ମାତ୍ର ତିନିଟା ଦିନ ।’’

 

ତନ୍ୱୀ ଚାଲିଗଲା ଭ୍ୟାନିଟି ବ୍ୟାଗ୍‌ ଝୁଲାଇ ଝୁଲାଇ ।

ମଦନ ବୋକାଙ୍କ ପରି ବିଜୟକୁ ଚାହିଁ କହିଲା- ‘‘ମୁଁ ଏହାଙ୍କୁ ଚିହ୍ନେ ବାବୁ !’’

ଛାତି ଭିତରଟା ଧଡ଼୍‌ କରି ଉଠିଲା ବିଜୟର । ସେ ଆସ୍ତେ କହିଲା- ‘‘କିଏ କହିଲୁ ଦେଖି-?’’

‘‘କଟକ ଥିଏଟର୍ସର ଝିଅ ।’’

 

ମନେ ମନେ ଆଶ୍ୱସ୍ତ ହୋଇ କଟମଟ କରି ଏପରି ଗୋଟେ ଚାହାଣୀ ଚାହିଁଲା ଯେ ବିଜୟ, ସେହି ମୁହୂର୍ତ୍ତରେ ମଦନ ଅନ୍ୟ କୋଠରିକୁ ଲୁଗା ଆଣିବା ପାଇଁ ପ୍ରସ୍ଥାନ କଲା ।

•••

 

 

ଟେଲିଗ୍ରାମ୍‌ ପାଇ ମାଆଙ୍କର ଦେହ ଭୀଷଣ ଅସୁସ୍ଥ ଜାଣି ସେହିଦିନ ସନ୍ଧ୍ୟା-ଗାଡ଼ିରେ ଗୃହ ଅଭିମୁଖେ ଯାତ୍ରା କଲା ବିଜୟ । ସାକ୍ଷିଗୋପାଳ ଷ୍ଟେସନରେ ଓହ୍ଲାଇ ଘରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ଦଶଟା ହୋଇଯିବ । ସାଙ୍ଗରେ ଚାକର ଟୋକା ମଦନା ଅଛି । ଭୟ ନାହିଁ ।

 

ନନ୍ଦିତାର ଆଜି ଉଚ୍ଛନ୍ନ ହେଉଛି ମନ । ଛୁଆଖାଇ ବିଲେଇ ପରି ଛନ ଛନ ହେଉଛି ଆଖି ଦୁଇଟା । ଶାଶୁ ଟେଲିଗ୍ରାମ କରିଛନ୍ତି ଆସିବା ପାଇଁ, ନିଶ୍ଚୟ ଆସିବେ ସେ ।

 

ରାତି ଏଇ ତ ଏବେ ହେଲା; ତଥାପି ମନେ ହେଉଛି ନନ୍ଦିତାର ଯେପରି ବହୁତ ରାତ୍ରି ହୋଇଗଲାଣି । ନା ନା, ବିଳମ୍ୱ କରିବା ଉଚିତ ହେବ ନାହିଁ । ଯଦି ହଠାତ୍‌ ଆସି ପହଞ୍ଚିଯାଆନ୍ତି, ଏପରି ବେଶରେ କିପରି ମୁହଁ ଦେଖାଇବ ସେ ! ଛି, ଛି, କି ଅସନା ଏ ଲୁଗାଟା ! କୂଅମୂଳକୁ ଯାଇ ଗାଧୋଇ ଆସିଲା ନନ୍ଦିତା । ବାକ୍‌ସ ଭିତରୁ ଏପାଖ ସେପାଖ କରି କାଢ଼ିଲା ବନାରସୀ ମେଘବର୍ଣ୍ଣ ଶାଢ଼ି ଗୋଟିଏ ଓ ନୀଳ ରଙ୍ଗର ବ୍ଲାଉଜ । ବେଶ ହୋଇ ଦର୍ପଣ ଆଗରେ ଛିଡ଼ା ହୋଇ ନିଜର ପରିପୂର୍ଣ୍ଣ, ନିଟୋଳ ଯୌବନ ତରଙ୍ଗାୟିତ ରୂପକୁ ଥରେ ମୁଗ୍‌ଧ ଦୃଷ୍ଟିରେ ଦେଖିନେଲା । ବକ୍ଷରେ ଲକ୍ଷେ କାମନା, ମନରେ ଅଶେଷ ବାସନା । ମନକୁ ମନ କେତେ କଥା ଭାବି ଲାଜେଇଗଲା ସେ ।

 

ଷୋହଳ ବର୍ଷ ବାପଘରେ କଟିଯାଇଛି ତାର । ଜଜ୍‌ର ପୁଅ ସହିତ ହୋଇଥିଲା ତାର ବିବାହ । କେତେ ଆଗ୍ରହ ଓ ଆକାଂକ୍ଷା ଜାଗିଥିଲା ମନରେ । କିନ୍ତୁ ବିଭାଘର ପରେ ଦୁଇଟି ବର୍ଷ ଯାଇନି, ଶ୍ୱଶୁର ବିଦାୟ ନେଲେ ଧରଣୀରୁ । ତା ପରେ ସେ ଆସିଲା ସ୍ୱାମୀଘରକୁ ପହିଲି ଯୌବନର କେତେ ଆଶା, ଆକାଂକ୍ଷା ଓ ଅଭିଳାଷ, କେତେ କଳ୍ପନା ଓ ବାସନା ନେଇ । କିନ୍ତୁ ମଧୁଶଯ୍ୟା-ରାତ୍ରିରେ ମଧ୍ୟ ଭଲ କରି କଥା କହିପାରିଲାନି ନନ୍ଦିତା । ପରୀକ୍ଷାର ବାହାନା କରି ଅଳ୍ପ ସମୟ ପରେ ଚାଲିଯାଇଥିଲେ ସେ । ତାର ଦୁଇ ଦିନ ପରେ ଯାଇଛନ୍ତି କଟକ । ଆଜିକୁ ଦେଢ଼ ବର୍ଷ ହେଲାଣି, ଆସନ୍ତିନି ଘରକୁ । ଶାଶୁ କେତେ ଭଲ ପାଆନ୍ତି ତାକୁ । ଆଖିର ଲୁହ ପୋଛି ବୋକ ଦିଅନ୍ତି ଚିବୁକରେ । ତାରି ସାଙ୍ଗ ପରି ଗେହ୍ଲେଇ କହନ୍ତି- ଦୁଃଖ କରନା ମା, ବିଜୁ ମୋର ସେପରି ନୁହେଁ, ଆସିବ, ନିଶ୍ଚୟ ଆସିବ । ତାକୁ ନେଇଆସିବି ମୁଁ । ମନଟା ତାର ବୁଝିଯାଉ, କିଏ କଣ ମନ୍ତର କରିଛି, କଟିଯାଉ ।

 

ଦେଢ଼ ବର୍ଷ କଟିଗଲା । କଟିଗଲା ଗୋଟିଏ ବସନ୍ତ, ଦୁଇଟି ଶୀତର ପ୍ରାଣମତାଣିଆ ଦିନଗୁଡ଼ିକ । ଆଶା-ଆଷାଢ଼ରେ ନୟନରୁ ଝରିଲା କେତେ ଲୁହ । ଆଜି ଦେଢ଼ ବର୍ଷ ପରେ- ମରିଯାଇଥିବା ବାସନା, କାମନା ପୁଣି ଜୀଇଁ ଉଠିଛନ୍ତି ପ୍ରିୟତମର ଆଗମନ ବାର୍ତ୍ତାରେ । ଯୌବନର ଜ୍ୱାଳା ଖେଳିବୁଲୁଛି ଆଜି ସର୍ବାଙ୍ଗରେ । ମହକ ଛୁଟୁଛି ମନରୁ । ସେ ଆସିବେ ! ଦେଢ଼ ବର୍ଷ ପରେ ଆଜି ତାର ମଧୁଶଯ୍ୟା । ସେ ଦିନର କଥା, ନିଷ୍ଫଳ ମଧୁରାତି ମନେ ନାହିଁ ତାର । ଆଜି ନନ୍ଦିତା ପାଇବ ପ୍ରିୟର ପ୍ରଥମ ସ୍ପର୍ଶ । ଲୋଟିପଡ଼ିବ ବକ୍ଷରେ । ତାଙ୍କରି ପାଦତଳେ ମଥା ରଖି ଆଖିରୁ ଝରାଇବ ଲୋତକ । ପ୍ରାର୍ଥନା କରି କରିବ କେତେ ଅନୁନୟ ଅନୁଯୋଗ । ଅନ୍ତରର ନୈବେଦ୍ୟ ଦେଇ ସେ କହିବ- ବଡ଼ ଏକାକିନୀ ମୁଁ ଏଠାରେ । ସଙ୍ଗହୀନ ଜୀବନ ମୋର । ମୋତେ ଆଉ ଛାଡ଼ି ଯାଅନି, ନେଇଯାଅ ସାଙ୍ଗରେ । ମୁଁ ତୁମର ଅମାନ୍ୟ ହେବିନି, ତୁମ ଉଦ୍ୟମ ଓ ଅଧ୍ୟବସାୟରେ ଅନ୍ତରାୟ ହେବିନି । କେବଳ ମୋର ଲୋଡ଼ା ତୁମରି ଆଦେଶ । ତୁମରି ପାଦତଳେ ସ୍ଥାନ ଦେଇ ଜନ୍ମଜନ୍ମାନ୍ତରର ସାର୍ଥକତା ଦିଅ ମୋତେ ।

 

ଚାହିଁଛି ନନ୍ଦିତା । ସେ ଆସିବେ । ସମୟ ହୋଇ ଆସୁଛି । ନିଶ୍ଚୟ ଆସିବେ । ଅଜଣା ଶିହରଣରେ ପୁଲକି ଉଠୁଛି ଛାତିଟା, ଚଞ୍ଚଳ ହୋଇଉଠୁଛି ସର୍ବାଙ୍ଗ । କେତେ ଆଶା ଉଁକି ମାରୁଛି ଛାତିତଳୁ ।

 

‘‘ବୋହୂ !’’

 

ଶାଶୁ ଡାକୁଛନ୍ତି । ସେ ଆସିଲେ ବୋଧହୁଏ । ଥରି ଉଠୁଛି ପାଦ, ଆଗକୁ ଯିବାକୁ ଲାଗୁଛି ସଙ୍କୋଚ । କଅଣ କହିବେ ସେ !

 

‘‘ଦେଇଯା ମା ଆଲୁଅଟା, ରାମ ଷ୍ଟେସନ ଯିବ ପରା ।’’

 

ନା, ଆସିନାହାନ୍ତି, ସମୟ ହୋଇନାହିଁ । କଟିଗଲା ଉତ୍ତେଜନାଟା । ସେ ଘରକୁ ଗଲା ନନ୍ଦିତା ।

 

‘‘କିଲୋ ଚମ୍ପା, କଣ କରୁଛୁ ମ ବସି ବସି ! ପିଲାଟାର ଫୁଲରେ କେତେ ସଉକ । ଖାଲି ଗଭାଟା ତୋ ଆଖିକି ଦିଶେନି କିଲୋ ? ବୁଢ଼ୀଟିଏ ହେଲୁଣି; ଏଡ଼େ ଓଲୀଟା !’’

 

ଚମ୍ପାକୁ ଶାଶୁ ତାଗିଦା କରୁଛନ୍ତି । ‘ଆଣୁଛି ମା’, ‘ଆଣୁଛି ମା’ କହି ବଗିଚାକୁ ଉଠିଗଲା ଚମ୍ପା । ଚମ୍ପା ଗଛଟା ଫାଟିପଡ଼ୁଛି ଫୁଲରେ । ଗୋଟାଏ ମାଳ ହେଲେ ହେଇଯିବ ଗଭାକୁ । ଆଉ ଗୋଟେ ସଜାଇ ରଖିବ ତାଙ୍କ ପାଇଁ । ଆହା, ଶାଶୁ କେଡ଼େ ମହାନ୍‌ ! କେଡ଼େ ଦରଦ ତାଙ୍କର ! ନିଜ ଘର ଭିତରେ ଯାଇ ପଶିଲା ନନ୍ଦିତା ।

 

ବିଛଣାଟା ଭଲ କରି ବିଛାଇ ପାରିଲାନାହିଁ ଚମ୍ପା । ଛି, ଛି । ନିଜେ ଯତ୍ନ କରି ବିଛାଇବ ସେ । ଲୋଟଣୀପାରା ପରି ଲାଗିଗଲା କାମରେ । ଆଜି ତ ତାର ଶୁଭଦିନ । ବହୁ ଦିନର ଆକାଂକ୍ଷିତ ଏ ରାତ୍ରି । ନନ୍ଦିତା ନିଜ ହାତର ସ୍ପର୍ଶ ଦେଇ, ନିଜ ହୃଦୟର ଯତ୍ନ ଦେଇ ସଜାଇବ ଏ ଶଯ୍ୟା, ସବୁଥିରେ ଭରିଦେବ ତାର ପ୍ରାଣ । ତାଙ୍କୁ ଆନନ୍ଦିତ କରିବା ପାଇଁ ନିଗାଡ଼ିଦେବ ଅନ୍ତରର ସବୁ ରସ ।

 

ସମୟ ଗଡ଼ିଯାଉଛି ନିତ୍ୟ ପ୍ରବହମାନ ଗତିରେ । କିନ୍ତୁ ମନେହେଉଛି ନନ୍ଦିତାର, କେତେ ଡେରି ହେଉଛି ଆସିବାକୁ । ମିନିଟ୍‌କୁ ତାକୁ ମନେହେଉଛି ଘଣ୍ଟାଏ । ଝରକା ଫାଙ୍କ ଦେଇ ବାରମ୍ୱାର ଅନାଇ ଦେଇ ଆସୁଛି- ଆସୁଥିବେ ଅବା ।

 

କେତେ କଥା ମନେପଡ଼େ ନନ୍ଦିତାର । ପଛକଥା ଭାବି ପଛେଇଯିବାକୁ ଚାହେଁ ନାହିଁ ସେ । ସେ ଚାହେଁ ବଞ୍ଚିବାକୁ- ଆଗକୁ ଯିବ ସେ । ପଛ ପୋଛି ହୋଇଯାଉ ମନରୁ, ଜଳିଯାଉ ଅତୀତର ଅପମାନ, ଉପେକ୍ଷା । ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବଞ୍ଚିରହିବ ସେ । ବିଜୟକୁ ପାଇ ବିଜୟିନୀ ହୋଇ ଜୀବନର ଜୟଯାତ୍ରା ଆରମ୍ଭ କରିବ ।

 

ନନ୍ଦିତା ଚାହିଁଛି- ସାର୍ଥକ ଜୀବନର ଅୟମାରମ୍ଭକୁ ଅପେକ୍ଷା କରିଛି ଅସୀମ ଉତ୍‌କଣ୍ଠା ନେଇ ।

 

‘‘ବୋହୂ ! ବୋହୂ ଗୋ !!...ଅଇଲୁ ଏଣେ...’’

 

ଶାଶୁ ଡାକୁଛନ୍ତି । ସେ ଆସିଲେ ବୋଧହୁଏ ! ଦୁମ୍‌ଦୁମ୍‌ କରୁଛି ଛାତି । ଅଜଣା ଭୟରେ ଥରିଉଠୁଛି ଦେହ । ଉତ୍ତେଜନାରେ ଝିମ୍‌ଝିମ୍‌ କରୁଛି ସର୍ବାଙ୍ଗ । ଅବଶ ହୋଇଆସୁଛି ପାଦ । ଗୋଡ଼ ଚଳୁନି । ସାହସ ହେଉନି ନନ୍ଦିତାର ଯିବ ଆଗକୁ । ସେ ଆସିଛନ୍ତି । ଯଦି ନ ଯାଏ ଖରାପ ଭାବିବେନି ? କେତେ ଉତ୍‌କଣ୍ଠାରେ ଅନାଇ ରହିଛି ସେ । ନା, ସେ ଯିବ । ଯିବାକୁ ସାହସ ବାନ୍ଧି ହୃଦୟରେ ବଳ ନେଇ ପାଦ ବଢ଼ାଇଲା; କିନ୍ତୁ ଦ୍ୱାରମୁହଁ ଟପିପାରିଲା ନାହିଁ । ରାଜ୍ୟଯାକର ଲଜ୍ଜା, ସଙ୍କୋଚ ଅଚଳ କରିପକାଇଲା ତାର ପାଦ । କାନ୍ଥକୁ ଆଉଜି କବାଟ କଣରେ ଆକାଂକ୍ଷିତ ଆଗମନର ପ୍ରତ୍ୟାଶାରେ ଅପେକ୍ଷା କରି ଛିଡ଼ା ହୋଇ ରହିଲା ନନ୍ଦିତା ।

 

‘‘ବୋଉ ! ବୋଉ କେଉଁଠାରେ ରାମ !’’ ପଚାରିଲା ବିଜୟ ! ବାଟଯାକ ବୋଉଙ୍କ ଦେହ ବିଷୟରେ ଉଦ୍‌ବିଗ୍ନ ହୋଇ କେତେ ପ୍ରଶ୍ନ ସେ ପଚାରିଛି ରାମକୁ । କିନ୍ତୁ ରାମ କିଛି କହିନାହିଁ । କିପରି କହିବ ସେ ? ବୁଢ଼ୀ ମନା କରିଛନ୍ତି ପୁଅକୁ କିଛି ନ କହିବା ପାଇଁ । କହିଲେ କାଳେ ଫେରିଯିବ- ଭୟ ତାଙ୍କର । ଚଗଲା ପିଲାଟା ।

 

ଭାବିଥିଲେ ବିଜୟର ବୋଉ, ତାଙ୍କର ସାଂଘାତିକ ବେମାର କଥା ଶୁଣି ନିଶ୍ଚୟ ଧାଇଁଆସିବ ପୁଅ କଟକରୁ । ମାଆର ଦେହ ଖରାପ ଶୁଣି କେଉଁ ପୁଅ ରହିପାରେ ନିଶ୍ଚିନ୍ତରେ, ହେଉ ପଛେ ସେ ନିର୍ଦ୍ଦୟ, ନିଷ୍ଠୁର । ବିଜୟ ତାଙ୍କର ତ ସେପରି ନୁହେଁ । କୋଳେଇ କାଖେଇ, ଥନରୁ ଦୁଧ ପିଆଇ ମଣିଷ କରିଛନ୍ତି ଏଇ ଏକମାତ୍ର ପୁଅକୁ । ନିଜ ଜନମକଲା ପୁଅର ନାଡ଼ି ବୁଝିଛନ୍ତି ବୋଉ । ମନେ ମନେ ଆନନ୍ଦ ତାଙ୍କର । ଏଇଥର ବୋହୂ ପାଖରେ ପୁଅକୁ ସମର୍ପି ଦେଇ ତୀର୍ଥ କରିଯିବେ ସେ । ଶାଶୁଘରକୁ ଆସିଲା ଦେଢ଼ବର୍ଷ ହେଲା, ଅଥଚ ଦେଢ଼ଦିନ ସ୍ୱାମୀମୁହଁ ଚାହିଁବାର ସମୟ ପାଇଲା ନାହିଁ ଝିଅଟା । ଆହା ! ସେ କଣ ବୁଝନ୍ତି ନାହିଁ ତରୁଣୀମନର ମର୍ମବ୍ୟଥା-। ସେଇଥିପାଇଁ ତ ଯେତେବେଳେ ଅସହନୀୟ ହୋଇ ଉଠିଲା ଏ ଯନ୍ତ୍ରଣା, ପୁଅକୁ ମିଥ୍ୟା ବେମାର କହି ଡକାଇ ଆଣିଛନ୍ତି ଘରକୁ । ଭାବନ୍ତି ବିଜୟର ବୋଉ- ତାଙ୍କ କଥାକୁ ଏଡ଼ି, ରୂପସୀ ଗୁଣବତୀ ବୋହୂର ଅନୁରୋଧ ଏଡ଼ି, ଆଉ ସେ ଉଡ଼ି ଯାଇପାରିବନି । ବସା ବାନ୍ଧିବାକୁ ହେବ ଏଥର । ସେ ବି ତ ଦିନେ ସ୍ୱାମୀ ସାଥିରେ ବସା ବାନ୍ଧିଥିଲେ ଏଇପରି ।

 

ବୁଢ଼ୀ ଶୋଇଛନ୍ତି ଖଟ ଉପରେ । କିଛି ଗୋଟାଏ ବାହାନା ନ କଲେ ରାଗିଯିବ ବିଜୟ । ଚଗଲା ଟୋକାଟା । ସବୁଦିନ ଏକଜିଦିଆ ।

 

‘‘ବୋଉ-’’ ଖଟ ପାଖରେ ଛିଡ଼ା ହୋଇ ଡାକିଲା ବିଜୟ !

 

‘‘ବିଜୟ ! ବିଜୁ ! ଆସିଛୁ ବାପା ? ଏତେଦିନ ମନେପଡ଼ିଲା ବୋଉ...’’ କହୁ କହୁ ଲୁହ ଆସିଲା ବୋଉଙ୍କ ଆଖିରେ । ପାଦତଳେ ମଥା ଲଗାଇ ପ୍ରଣାମ କଲା ବିଜୟ । ହାତ ବଢ଼ାଇ ମଥା ଆଉଁଷି ଆଶୀର୍ବାଦ କଲେ ବୋଉ- ‘‘ବଡ଼ତି ହେଉ ବାପ, କୋଟି ପରମାୟୁ ଦେଇଥାନ୍ତୁ ଜଗନ୍ନାଥ ।’’

 

ବୋଉଙ୍କ ମଥା ପାଖରେ ବସି ପଚାରିଲା ବିଜୟ- ‘‘କଣ ହୋଇଛି ବୋଉ ?’’

 

‘‘ବୁଢ଼ୀ ହେଲି ବାପା; ଆଉ କେଇଟା ଦିନ ବା ବଞ୍ଚିବି ? ହେଲେ ତୁମମାନଙ୍କ ସୁଖ ଟିକିଏ ଦେଖିଲି ନାହିଁ ରେ । ଏତେ ହୀନକପାଳୀ ମୁଁ ? ବାପା ତୋର ଥିଲେ...।’’

 

ବୋଉ କାନ୍ଦୁଛନ୍ତି । ଆଖିରେ ତାଙ୍କର ଲୁହ ।

 

ବିଜୟ କୋମଳ କରୁଣ କଣ୍ଠରେ କହିଲା- ‘‘କଅଣ ତୋର ହୋଇଛି ବୋଉ ?’’

 

‘‘କଅଣ ଆଉ ହେବ ବିଜୟ ! ସେଇ ଯେ ଦେଢ଼ବର୍ଷ ତଳେ ବାହାରିଯାଇଛୁ ଘରୁ, ଦିନେ କଣ ବୋଉ ତୋର ମନେପଡ଼ିଲାନି ? କେଡ଼େ ସରାଗରେ, କେତେ ଠାକୁରଙ୍କୁ ଜଣାଇ ପାଇଥିଲି ତତେ, ଶେଷରେ କଣ ମୋ ଆଖିରୁ ଲୁହ ଝରାଇବୁ ବୋଲି...’’

 

କାନ୍ଦୁଛନ୍ତି ବୋଉ । ଆଖିରୁ ଗଡ଼ିପଡ଼ିଛି ଅଶ୍ରୁ । ଜନନୀ-ପ୍ରାଣ ହୋଇଉଠିଛି ଉଦ୍‌ବେଳିତ-। ସନ୍ତପ୍ତ ହୃଦୟ ଶୋକାତୁର ହୋଇଉଠିଛି ।

 

ବୋଉଙ୍କ ମଥା ଉପରେ ହାତ ବୁଲାଇଲା ବିଜୟ । ସେ କ୍ଷୀଣ କଣ୍ଠରେ କହିଲା- ‘‘ତତେ କଣ ଭଲ ଲାଗୁନି ବୋଉ ?’’

 

‘‘ଭଲ ଲାଗିବନି ? ତୁ ଯେ ଆସିଛୁ, ମୋ ଜୀବନ ଫେରି ପାଇଛି ମୁଁ । ତତେ ଦେଖିବା ପାଇଁ ତ ମୋର ଏତେ ଅଳି । ଛୋଟ ଝିଅ ମୁଁ ତୋର; ମୁଁ କଣ ତୋର ସ୍ନେହ ପାଇବି ନାହିଁ ବାପା-?’’

 

ବୁଝିଲା ବିଜୟ । ବୋଉଙ୍କର ଦେହ ଖରାପ ହୋଇନି; କିନ୍ତୁ ତାକୁ କେବଳ ଦେଖିବା ପାଇଁ, ତାହାରି ଦେହରେ ହାତ ବୁଲାଇ ଅଏସ୍‌ କରିବା ପାଇଁ ଡକାଇ ଆଣିଛନ୍ତି ତାକୁ । ନ ହେଲେ କଣ ସେ ଆସିଥାନ୍ତା ? କିନ୍ତୁ ଟିକିଏ ରୁକ୍ଷ ସ୍ୱରରେ କହିଲା ବିଜୟ- ‘‘ମିଛ କହି ତା ହେଲେ ତୁ ମୋତେ ଡକାଇ ଆଣିଲୁ ବୋଉ ?’’

 

‘‘ସତ କହି ତ ଥକିଗଲି ବାପା, ତୁ କଅଣ ଶୁଣିଲୁ ? ସେଇ ଯେ ଚାଲିଯାଇଛୁ, ଫେରିନାହୁଁ ଆଉ । ବାପା ଥିଲେ କଣ ଏଇଆ କରିଥାନ୍ତୁ ? ପିଲାବୋହୂଟା- ବୟସ ହୋଇଛି । ଦେଢ଼ ବର୍ଷ ହେଲା ଆସିଲାଣି ଯେ ଦିନେ ସ୍ୱାମୀମୁହଁ ଦେଖିବାକୁ ପାଇଲା ନାହିଁ । ଆହା ! ତା ସରଳ, ସୁନ୍ଦର ମୁହଁଟିକୁ ଚାହିଁଲେ ଆଖି ଫେରାଇ ପାରିବୁନିରେ ! ଏମିତି ଧନ୍ୟ ଧନ୍ୟ କହୁଛନ୍ତି ଲୋକେ....’’

 

ବିଜୟର ମନ କ୍ଷୋଭ ଓ କ୍ରୋଧରେ ଜର୍ଜରିତ ହୋଇଉଠିଲା । ଭାବିଲା ସେ, ବୋଉର କିଛି ହୋଇନି ଅଥଚ ସେହି ବୋହୂ ସହିତ ତାର ମିଳନଟା କରାଇଦେବା ପାଇଁ ବୋଉର ଏ ଚକ୍ରାନ୍ତ, ଏ ଉଦ୍‌ଯୋଗ ! କ୍ରୋଧରେ ପ୍ରଜ୍ୱଳିତ ହୋଇ କହିଲା- ‘‘ସେ ତ ଫେରିଯାଇଥିଲା, ତାକୁ ଫେରାଇ ଆଣିଲୁ କାହିଁକି ? ମୁଁ ଥରେ କହିଛି ବୋଉ....’’
 

ବିଜୟର ମୁହଁଟାକୁ ନିଜ ହାତରେ ଚାପି ଧରି ଅନୁନୟ ସ୍ୱରରେ କହିଲେ ବୋଉ- ‘‘ଛି, ଛି, ଏଡ଼େ ପାଟି କରି କହନା ବିଜୟ ! କେଡ଼େ ଆଶା କରି ସେପାଖରେ ଅନାଇ ରହିଛି ସେ । ତାର କଣ ଜୀବନ ନାହିଁ ? କେତେ ଆଶା କରି ଆସିଥିଲା ଶାଶୁଘରକୁ । କିନ୍ତୁ କଅଣ ଦେଇଛୁ ତାକୁ ? ଆଖିର ଲୁହ, ଛାତିର କୋହରେ ବିତିଯାଇଛି ତାର ଦେଢ଼ ବର୍ଷ । ତଥାପି ଅନାଇ ରହେ ସେ- କାଳେ ତୁ ଆସିବୁ । ଯା ବାପା, କଥା ମାନ । ଅଝଟ, ଅବୁଝା ହୁଅନା ଆଉ । ପିଲାଟା ସେ- କଣ ବା ତାର ଦୋଷ ?’’

 

‘‘ଏତେ ଦରଦ ମୋର ନାହିଁ ବୋଉ ! ସେ ଅଶିକ୍ଷିତା, ଗାଉଁଲି । ତାକୁ ମୁଁ ଭଲ ପାଏନା-।’’

 

‘‘କାହାଠୁ ଶୁଣି ଏ କଥା କହୁଛୁରେ ? ସେ ଗାଁରେ ଜନମ ହୋଇଛି ବୋଲି ଯେ ଅଶିକ୍ଷିତା, କିଏ କହିଲା ତତେ ? ଏଇ ତ ସେଦିନ ମେଟ୍ରିକ୍‌ ପାଶ୍‌ କରି ଆସିଲା ସେ । କେବଳ ତୋରି ପାଇଁ, ତତେ ସନ୍ତୁଷ୍ଟ କରିବା ପାଇଁ କି ପରିଶ୍ରମ ନ କଲା ପିଲାଟା ! ଫାଷ୍ଟ ଡିଭିଜନରେ ପାଶ୍‌ କରିଛିରେ । ଆଉ ତୁ କହୁଛୁ ଅଶିକ୍ଷିତା.... ମଫସଲି । ତୁ ବି ତ ଏଇ ଗାଁରେ ଜନମି ଥିଲୁ ବିଜୟ.... ତୋ ବାପା ବି.......’’

 

ନୀରବ ହୋଇଗଲା ବିଜୟ । ଉତ୍ତର ଖୋଜି ପାଇଲାନି । ଏ ଭିତରେ ନନ୍ଦିତା ଯାଇ ମାଟ୍ରିକ ପାଶ୍‌ କରି ଫେରିଛି ଜାଣି ନ ଥିଲା ସେ । ଆଶ୍ୱସ୍ତ ହେଲା ଟିକିଏ କିନ୍ତୁ ଅଳ୍ପକ୍ଷଣ ପାଇଁ । ପର ମୁହୂର୍ତ୍ତରେ ମନେହେଲା ତାର- ହଁ ମାଟ୍ରିକ୍‌ ପାଶ୍‌ ତ କରିଛି; କିନ୍ତୁ କଣ ଶିଖିଛି ସେ- ଆଦବ୍‌-କାଏଦା, ଆଚାର-ବ୍ୟବହାର । କଲଚର୍ଡ଼ ନୁହେଁ- କନ୍‌ଜର୍‌ଭେଟିଭ୍‌, ପୁରୁଣାକାଳିଆ ।

 

ମନେପଡ଼ିଲା ତାର ତନ୍ୱୀ ଦାସର ହସ, ମଞ୍ଜୁଶ୍ରୀର ନୃତ୍ୟ । ବାଃ, ଚମତ୍‌କାର ! ସେମାନଙ୍କ ସହିତ ନନ୍ଦିତାର ତୁଳନା କରାଯାଇ ପାରେନା । ଆଉରି ମନେପଡ଼ିଲା ମାଧୁରୀ, ନରେନ୍ଦ୍ର ବାବୁଙ୍କ ବ୍ୟାଙ୍କ୍ ବାଲାନ୍‌ସ, ଅଭିଜାତ୍ୟ ସମାଜର ରୁଚିପୂର୍ଣ୍ଣ ଜୀବନ, କ୍ଳବ୍‌, ପାର୍ଟି, ପିକ୍‌ନିକ୍‌- କେଉଁଥିରେ ଯୋଗଦେଇ ପାରିବ ନନ୍ଦିତା ? ମାଧୁରୀ ଭଲ । ସେହିହିଁ ହେବ ତାର ପତ୍ନୀ, ସହଧର୍ମିଣୀ ।

 

ବିଜୟକୁ ନୀରବ ଦେଖି ଭାବିଲେ ବୋଉ, ବୋଧହୁଏ ଅତୀତକୁ ଭୁଲିପାରୁଛି ବିଜୟ । କାଳବିଳମ୍ୱ ନ କରି କହିଲେ- ‘‘ଆ ବାପ, ଭୋକ ଲାଗିବଣି । ବହୁତ ବାଟ ଆସିଛୁ । ରାତି ବେଶୀ ହେଉଛି ।’’

ବିଜୟର ହାତ ଧରି ଆଗକୁ ଚାଲିଲେ ବୋଉ । ସେ ଉତ୍ତର ଦେଇପାରିଲାନି କିଛି ।

ବିଜୟ ଖାଉଛି । ଶାଶୁଙ୍କ ହାତକୁ ଖାଦ୍ୟ ବଢ଼ାଇ ଦେଉଛି ନନ୍ଦିତା । କେଡ଼େ ଖୁସି ତାର ମନ । ଆନନ୍ଦରେ କୁରୁଳି ଉଠୁଛି ଅନ୍ତରଟା । ଆଜି ତାର ଜନ୍ମ ସାର୍ଥକ, ଆଜି ତାର ସାଧନା ଧନ୍ୟ ! ଆଜି ସ୍ୱାମୀଙ୍କୁ ସମସ୍ତ ସ୍ନେହ-ସୋହାଗ ଦେଇ ଯାହା ରାନ୍ଧିଛି ପରିଷଦବା ପାଇଁ ଇଚ୍ଛା ହେଉଛି ତାର-। ଏଟା ଖାଅ, ସେଟା କଣ ଭଲ ଲାଗୁନି, କହି ପାଖରେ ବସି ପଙ୍ଖା କରୁ କରୁ ଦୁଇଟା ଅଧିକା ଖୁଆଇ ପାରିଲେ କେଡ଼େ ଖୁସି ହୁଅନ୍ତା ସତରେ ! କିନ୍ତୁ କିପରି ଯିବ ସେ ତାଙ୍କ ଆଗକୁ ? ଆଜି ପର୍ଯ୍ୟନ୍ତ ଭଲ କରି ଦେଖା ହୋଇନାହିଁ ଯେ ! କଟିଯାଉ ଏହି ଶୁଭ, ଅମୃତମୟ, ସମ୍ଭାବନାପୂର୍ଣ୍ଣ ରାତିଟା । କାଲିଠାରୁ କହିବ ସେ ତାଙ୍କ ପାଖରେ; ଗୋଟି ଗୋଟି କରି ଖୁଆଇବ ସବୁ । ଦେହ ଭାଜିଯାଇଛି । କଟକ ସହରରେ ଚାକର ଟୋକାଟା କଣ ରାନ୍ଧି ଜାଣୁଥିବ ? ସେ ଯଦି ଯାଆନ୍ତା ! ହଁ, ନ ଯିବ କାହିଁକି ? କହିବି ଆଜି ତାଙ୍କୁ । ସେ ଗଲେ ସବୁ ଯତ୍ନ ନେବ ତାଙ୍କର । କିଛି ଅସୁବିଧା ହେବନି । ସେଠାରେ ସମସ୍ତ ସୁବନ୍ଦୋବସ୍ତ କରିଦେଇ ପାରିବ ସେ ।

ଭାବିଚାଲିଛି ନନ୍ଦିତା । ଭୁଲିଯାଇଛି ଅତୀତ ଦିନର ବ୍ୟଥା । ଗୁଞ୍ଜରି ଉଠୁଛି ଅନାଗତର ସ୍ୱପ୍ନ ।

‘‘ଦୁଧ-ଦେଲୁ ବୋହୂ’’- କହିଲେ ଶାଶୁ ।

ଦୁଧ-ଗ୍ଲାସଟା ବଢ଼ାଇଦେଲା ନନ୍ଦିତା । ଖିଆପିଆ ଶେଷ ହୋଇଯିବ ଏଇଲାଗେ । ଜଲ୍‌ଦି ଜଲ୍‌ଦି ପୁଳାଏ ନାକ କାନରେ ଗୁଞ୍ଜି ଦେଇ ଚାଲିଯିବ ନନ୍ଦିତା । ରାତି ବେଶୀ ହେଲାଣି । ଏତେଦୂରରୁ ଆସିଛନ୍ତି ସେ । ଥକ୍‌କା ହୋଇଥିବେ । ଆଉଁସି ଦେଇ ଟିକିଏ ଆରାମ ଦେବ ତାଙ୍କୁ । ତା ପରେ ଯେତେବେଳେ ସେ ହାତ ବଢ଼େଇବେ ଧରିବା ପାଇଁ- ଟିକିଏ ଘୁଞ୍ଚିଯିବ ସେ; ସାଙ୍ଗେ ସାଙ୍ଗେ କଣ ଧରାଦିଆଯାଏ ? ଟିକିଏ ଖେଳ, କୌତୁକ...ଭାବିଚାଲିଛି ନନ୍ଦିତା । ନିକଟ ହୋଇଆସୁଛି ଜୀବନର ରାସକ୍ରୀଡ଼ା ।

ଶାଶୁ କହିଲେ- ‘‘ଖାଇ ସାରି ଜଲ୍‌ଦି ଯା ବୋହୂ, ବଡ଼ ଥକିଯାଇଛି ପୁଅ ମୋର । ଡେରି କରନା ଆଉ । ଏଇ ଥାଳିରେ ବସ ! ପରଷି ଦେଉଛି ମୁଁ ।’’

 

ଲଜ୍ଜା ଲାଗୁଛି ନନ୍ଦିତାକୁ, ଶାଶୁ ପରିଷି ଦେବେ- ସେ ଖାଇବ କିପରି ? ଆସି ପାରୁନାହିଁ, ଗୋଡ଼ ଅଟକି ଯାଉଛି । ମନ କହୁଛି- ଠିଆ ହୋଇ ରହିଛୁ କାହିଁକି, ଶୀଘ୍ର ଯା । ଶାଶୁ କଣ ତୋ ମା’ ନୁହେଁ ? ମା’ ବାଢ଼ିଦେଲେ ତୋର ତ ଆପତ୍ତି ନ ଥାଏ ?

 

‘‘ଆ, ମା ! ଡେରି କରନା ।’’ ଶାଶୁ ହାତଧରି ଆଣି ବସାଇଦେଲେ ଥାଳିରେ । ସ୍ୱାମୀଙ୍କ ଥାଳି ପାଖରେ ବସିଛି ନନ୍ଦିତା । ଅନ୍ତର ପୂରିଉଠିଲା । ମରିଗଲା ଭୋକ । ଆଉ କଣ ଭୋକ ଲାଗେ ଏ ସମୟରେ ।

 

ବିଜୟ ଭୋଜନ ଶେଷ କରି ଆସି ଶୋଇଛି ପଲଙ୍କରେ । ପରିପାଟୀ ଦେଖି ମନେହେଉଛି ତାର ଯେପରି ବିଶେଷ ଯତ୍ନର ସହିତ ସଜାଯାଇଛି ସବୁ ଜିନିଷ । କିନ୍ତୁ ମୁଗ୍‌ଧ ହେଉନାହିଁ ମନ; ବରଂ ବିଷାକ୍ତ ହୋଇଉଠୁଛି ହୃଦୟ । ଛି, ଛି । ଅସଂସ୍କୃତ ଝିଅଟା ସହିତ ସମ୍ୱନ୍ଧ ସେ କରିପାରିବନି । କଥା କଅଣ କହିଆସେ ତାକୁ- କେବଳ ଆସେ ପତିଭକ୍ତିର ଦ୍ୱାହି ଦେଇ ସବୁ କାମ କରିବା । ମନେପଡ଼ୁଛି ସେଦିନ ଦ୍ୱିପ୍ରହରର କଥା । ତନ୍ୱୀ ଦାସର ମନଭୁଲାଣିଆ ଚୋରା ଚାହାଣୀ, ମନମତାଣିଆ ହସ, ମଞ୍ଜୁଶ୍ରୀର ଛନ୍ଦାୟିତ ଚାଲି,- କେଡ଼େ ସୁନ୍ଦର ସତେ ! ଆଉ ତାଙ୍କ ଆଗରେ ନନ୍ଦିତା ? ଆକାଶ-ପାତାଳର ପ୍ରଭେଦ । ନନ୍ଦିତା ମିଶିପାରିବ ନାହିଁ ଦଶ ଜଣଙ୍କ ସାଙ୍ଗରେ-। ଲଜ୍ଜାରେ ଅଥୟ କରିବ ବିଜୟକୁ ।

 

ମାଧୁରୀ ! ହଁ ମନେପଡ଼ୁଛି ବିଜୟର । ମାଧୁରୀକୁ ବିବାହ କଲେ କେତେ ଆନନ୍ଦରେ କଟନ୍ତା ତାର ଦିନ ! କି ସୁନ୍ଦର ଚେହେରା ! କେଡ଼େ ମଧୁର ତାର କଣ୍ଠ । ସେ କଣ ରାଜି ହେବନି ? କାହିଁକି ନ ହେବ ? କଣ ନ ଅଛି ବିଜୟର ? ନରେନ୍ଦ୍ର ବାବୁ କଥା ଦେଇଛନ୍ତି । କେହି ଜାଣନ୍ତି ନାହିଁ ନନ୍ଦିତା କଥା । ଜାଣିଲେ ସେ ତାକୁ ପରିତ୍ୟାଗ କରିବ । ନନ୍ଦିତା ତାର ସ୍ତ୍ରୀ ନୁହେଁ, ହୋଇପାରେନା-। ଉତ୍ତେଜିତ ହୋଇ ଉଠିଛି ତାର ମନ । ସେଇ ବିଛଣାରେ ଶୋଇ ମନକୁ ମନ କେବଳ କହିପକାଇଲା ସେ- ନା-ନା-ନା ।

 

ଦେଖି ପାରିନି ବିଜୟ, ଦେଖିବାକୁ ଅବସର ହୋଇନି ତାର- କେତେବେଳେ ପ୍ରକୋଷ୍ଠ ଭିତରେ ପ୍ରବେଶ କରିଛି ନନ୍ଦିତା । ପଲଙ୍କର ଗୋଟାଏ କଡ଼ରେ ଗୋଡ଼ ତଳେ ଛିଡ଼ା ହୋଇଛି ସେ-

 

ପଲଙ୍କ ଉପରେ ବସିପାରୁନାହିଁ ନନ୍ଦିତା, ଥରି ଉଠୁଛି ଦେହ । ଦମ୍‌ ଦମ୍‌ କରି ଉଠୁଛି ଛାତି, ଅବଶ ହୋଇ ଆସୁଛି ସର୍ବାଙ୍ଗ, ପ୍ରଖର ହେଉଛି ନିଃଶ୍ୱାସ । ଆଉ ଥୟ ଧରି ହୁଏନା । ଦେହର ସମସ୍ତ ବଳ, ମନର ସମସ୍ତ ବାସନା ଏକାଠି କରି ପଲଙ୍କର ଗୋଟିଏ କଣରେ ବସି ସ୍ୱାମୀର ପାଦ ଉପରେ ହାତ ରଖିଲା ନନ୍ଦିତା ।

 

ମୁହୂର୍ତ୍ତଟିଏ ମାତ୍ର । ଧନ୍ୟ ହୋଇ ଉଠୁଛି ଜୀବନ ! ସମ୍ପୂର୍ଣ୍ଣ ହୋଇଆସୁଛି ଯୁଗ-ଯୁଗର ତପସ୍ୟା । ରୂପ ପରିଗ୍ରହ କରିଆସୁଛି ମନର କେତେ କାମନା ।

 

ମୁହୂର୍ତ୍ତଟି କଟିଯାଇନି ଅପସାରିତ ହୋଇଗଲା ପାଦ ଦୁଇଟି । କମ୍ପି ଉଠିଲା ନନ୍ଦିତାର ହାତ ଦୁଇଟି । ହଜିଗଲା ସବୁ ବଳ । ମରିଗଲା ସବୁ ଉତ୍ତେଜନା । କଣ୍ଠ ହୋଇ ଆସିଲା ରୁଦ୍ଧ, ବାଷ୍ପାକୁଳ ।

 

ମାତ୍ର ଗୋଟିଏ ମୁହୂର୍ତ୍ତ, ଘୁଞ୍ଚିଯାଇଛି ବହୁ ସାଧନାର ଧନ, ମଝି ଦରିଆକୁ ଘୁଞ୍ଚି ଯାଇଛି ପଦ୍ମ । ସାତତାଳ ପାଣି । କଅଣ ପହଁରିପାରିବ ନନ୍ଦିତା ? ବୁଡ଼ି ବୁଡ଼ି ଆସୁଛି ମୁହଁ, ବନ୍ଦ ହୋଇ ଆସୁଛି ନିଃଶ୍ୱାସ ।

 

‘‘କିଏ ?’’ -ପାଦ ଘୁଞ୍ଚାଇ ନେଇ ତୀକ୍ଷ୍‌ଣ କଣ୍ଠରେ ପଚାରିଲା ବିଜୟ ।

 

କିଏ ? ‘କିଏ’ କଣ ଜାଣେ ନାହିଁ ବିଜୟ ? ‘କିଏ’ କଅଣ ଦେଖି ପାରିଲା ନାହିଁ, ଅନୁଭବ କରିପାରିଲା ନାହିଁ ସେ ? ଜୀବନର କେତେ ଉତ୍ତାପ, ମନର କେତେ ସ୍ୱପ୍ନ ଠୁଳ ହୋଇଥିଲା ସେହି ହାତପାପୁଲି ଦୁଇଟିର କମନୀୟ, କୋମଳ ସ୍ପର୍ଶରେ । ଏ କଅଣ ଉତ୍ତର ଦେଇ କହିହୁଏ- କାହାର ହାତ, କାହାର ସ୍ପର୍ଶ ? ଏହା ଅନୁଭବ କରିବାର କଥା । ଯାହା କେବଳ ଅନୁଭବ କରାଯାଏ, ତାହା କହିବାରେ ତାର ହୁଏ ଅବମାନନା ।

 

ନିର୍ବାକ୍‌ ନିଷ୍ପନ୍ଦ ହୋଇ ପଲଙ୍କର ଗୋଟାଏ କଡ଼କୁ ଆଉଜି ବସିରହିଛି ନନ୍ଦିତା । ମୁହୂର୍ତ୍ତ ପୂର୍ବର ଜ୍ୱଳନ୍ତ ପ୍ରଦୀପଟି କ୍ଷଣକର ଝଡ଼ରେ ଲିଭିଗଲା ଏକାବେଳକେ । ଜୀବନର ଦ୍ୱାରଦେଶରୁ ଫେରିଆସିଛି ନନ୍ଦିତା । ବନ୍ଦ ହୋଇଯାଇଛି କବାଟ।

 

ଫାଟିଯାଉଛି ବୁକୁ । ଫିଟୁନି ତାର ମୁହଁ । ଅନ୍ତରର ଅଶେଷ ବ୍ୟଥା କହି ଉଠିଆସୁଛି କୋହ । ମର୍ମ ବେଦନାର କାତରଟା ନିଷ୍ପ୍ରାଣ କରି ଆଣୁଛି ଶରୀରକୁ ।

 

ଭାବି ପାରୁନାହିଁ ସେ- ସତେ କଣ ସେ ଛୁଇଁଥିଲା ସ୍ୱାମୀଙ୍କର ପାଦ- ସେ କଣ ଉପେକ୍ଷା କରି ଘୁଞ୍ଚାଇ ନେଇଗଲେ ତାଙ୍କର ଗୋଡ଼ ? ନା, ନା, ହୁଏତ ତାର ଭୁଲ ହୋଇଛି । ହୁଏତ ସେ ଆଦୌ ସ୍ପର୍ଶ କରିନି । ଆଉ ଥରେ ହାତ ବଢ଼ାଇଲା ନନ୍ଦିତା । ଥରି ଉଠିଲା ହାତ ଦୁଇଟା ।

 

ଆହୁରି ଦୂରକୁ ଘୁଞ୍ଚିଗଲା ବିଜୟ- ଦରିଆ ମଝିକୁ ଚାଲିଗଲା ପଦ୍ମ ।

 

ଝରି ପଡ଼ୁଛି ଲୋତକ, ଥରି ଥରି ଝାଉଁଳି ପଡ଼ୁଛି ନନ୍ଦିତା । ମନରେ ତାର କିଏ କହୁଛି ଯେପରି- ଏ କଣ, ଏ କଣ ହେଲା ! ତୁ ତେବେ କଅଣ ଉପେକ୍ଷିତା, ପରିତ୍ୟକ୍ତା ?

 

କଇଁକଇଁ କାନ୍ଦି ଉଠିଲା ସେ । ଚକ୍ଷୁର ଲୋତକରେ ଧୋଇ ହୋଇଗଲା କ୍ଷଣକ ପୂର୍ବର ସମସ୍ତେ ବାସନା, କାମନା ।

 

‘‘କାହିଁକି ତୁମେ କାନ୍ଦୁଛ ଏଠାରେ । ଅଭିନୟ ତୁମର ଭଲ ଲାଗେନି ମୋତେ, ଭଲ ଲାଗେନି ମୋତେ ଏସବୁ । ତୁମେ ଅଶିକ୍ଷିତା, ଅସଂସ୍କୃତା- ଯୋଗ୍ୟା ନୁହ । ତୁମକୁ ମୁଁ ଘୃଣା କରେ-।’’ ରୁକ୍ଷ, ତୀକ୍ଷ୍‌ଣ ସ୍ୱରରେ ଏହା କହି ଉନ୍ମାଦ ଭଳି ପଲଙ୍କ ଉପରୁ ଉଠିଗଲା ବିଜୟ ।

 

ମନେହେଉଥିଲା ନନ୍ଦିତାର, ପାଦ ଦୁଇଟି ଛାତି ଉପରେ ଭିଡ଼ି ଧରି ପଚାରନ୍ତା- କୁହ, କୁହ କଣ ମୋର ଅପରାଧ ? ଶଙ୍ଖ ବଜାଇ ଜୀବନର ଜୟଯାତ୍ରା କରିବା ପାଇଁ ଯେ ଧାଇଁ ଆସିଥିଲା ଅସୀମ ଆଗ୍ରହରେ, ଅନନ୍ତ ଆଶା ନେଇ, କାହିଁକି ଫେରାଇ ଦେଉଛ ତାକୁ ? କାହିଁକି ଘୃଣା କରୁଛ ତାକୁ; କାହିଁକି ଗ୍ରହଣ କରୁନାହଁ ତାର ପୁଷ୍ପାଞ୍ଜଳି ? କଣ ତାର ଦୋଷ ? ଶାସ୍ତି ଦିଅ ତାକୁ; କିନ୍ତୁ ଜୀବନକୁ ତାର ଉପେକ୍ଷା କରି, ଯୌବନକୁ ତାର ଅପମାନ କରି ଚାଲିଯାଅ ନାହିଁ ଦେବତା ! ତୁମର ପାଦତଳେ ସ୍ଥାନ ଦିଅ, ତୁମର ବାହୁ ତଳେ ଆଶ୍ରୟ ଦିଅ । କିନ୍ତୁ କିଛି କହିପାରିଲା ନାହିଁ ସେ, କେବଳ କାନରେ ତାର ବଜ୍ରନାଦରେ କିଏ ଯେପରି ତୁହାଇ ତୁହାଇ କହିଯାଉଥିଲା- ତୁମେ ଉପେକ୍ଷିତା, ତୁମେ ପରିତ୍ୟକ୍ତା ନନ୍ଦିତା ! ତୁମକୁ ବିଜୟ ଭଲ ପାଏନା- ତୁମକୁ ସେ ଘୃଣା କରେ ।

 

ବୋହିଗଲା ଅଶ୍ରୁ । ସାତ-ସାଗରର ପାଣି ଯେପରି ଜମାଟ ବାନ୍ଧିଥିଲା ନୟନ କୋଣରେ ନନ୍ଦିତାର । ହଜିଗଲା ତାର ଚେତନା, ଭୁଲିଗଲା ସେ ଜୀବନର ଡାକ । କେବଳ ସେ ଶୁଣୁଥିଲା- ତୁମକୁ ମୁଁ ଘୃଣା କରେ, ତୁମକୁ ମୁଁ ଭଲ ପାଏନା।

•••

 

 

ଠାକୁରଘରୁ ଶୈବାଳିନୀ ଯେତେବେଳେ ପ୍ରସାଦ ଥାଳିଟି ନେଇ ବାହାରିଲେ, ସେତେବେଳେ ମନ ତାଙ୍କର ପ୍ରଫୁଲ୍ଲ, ହୃଦୟ ନିର୍ମଳ । କଟିଯାଇଥାଏ ମନରୁ ସବୁ ଅବସାଦ, ଦେହର ସମସ୍ତ ଅବସନ୍ନତା । କେତେ ପ୍ରାର୍ଥନା, କେତେ ପୂଜା ପରେ ତାଙ୍କରି କୋଳ ପୂର୍ଣ୍ଣ କରି, ଜାୟା ଓ ଜନନୀର ଗର୍ବ ଦେଇ ଆସିଥିଲା ଏଇ ବିଜୁ, ବିଜୟ । ସେ ଫେରିଆସିଛି, ଫେରିଆସିଛି ତାଙ୍କରି କୋଳକୁ । ଜନନୀର ପ୍ରାଣରେ ଆନନ୍ଦ- ହଜିଲା ପୁଅ ଫେରିପାଇଛନ୍ତି ଶୈବାଳିନୀ ।

 

ଠାକୁରଘର କବାଟ ବନ୍ଦ କରି ଶୈବାଳିନୀ ଡାକିଲେ-‘‘ବୋହୂ ! ବୋହୂ ଗୋ !!’’

 

ଅଳ୍ପ ସମୟ ଭିତରେ ଶାଶୁଙ୍କ ସମ୍ମୁଖରେ ଉଭା ହେଲା ଆସି ନନ୍ଦିତା । ଅଚାନକ ପବନ ଆସିଲେ ପ୍ରଜ୍ଜ୍ୱଳିତ ଦୀପଟି ଦପ୍‌ କରି ଲିଭିଯାଇ ସମଗ୍ର ଗୃହକୁ କରେ ଅନ୍ଧକାର । ନନ୍ଦିତାର ମୁହଁକୁ ଚାହିଁ ମୁହୂର୍ତ୍ତକରେ ନିଃଶେଷ ହୋଇଗଲା ଶୈବାଳିନୀଙ୍କର ସବୁ ଆନନ୍ଦ, ସବୁ ଆବେଗ ।

 

ଆଖିକୁ ବିଶ୍ୱାସ ହେଉ ନ ଥିଲା ତାଙ୍କର । ଏ କଣ ନନ୍ଦିତା ନା ତାର ଛାୟା ? ଗୋଟିଏ ରାତି ଭିତରେ ବୁଢ଼ୀ ହୋଇଯାଇଛି ଯେପରି । ପାଣ୍ଡୁର ହୋଇଛି ସମଗ୍ର ମୁଖଶ୍ରୀ । ଲିଭିଯାଇଛି ଚକ୍ଷୁର ଜ୍ୟୋତି । ଫୁଟୁନି ଅଧର ଉପରେ ହାସ୍ୟ । ସମଗ୍ର ଅଙ୍ଗରେ ବିଷାଦର ପ୍ଲାବନ । ସୁନ୍ଦର, ସୁଶ୍ରୀ କାନ୍ତି ତାର କାଳିମାରେ ଭରିଉଠିଛି ଯେପରି । ଲୁଚିଯାଇଛି ଅଙ୍ଗ-ଲାବଣ୍ୟର ଉଜ୍ଜ୍ୱଳତା । ଚମକି ପଡ଼ିଲେ ଶୈବାଳିନୀ । ଏ କଣ ଅଭିସାରିକାର ବେଶ ! ନା, ନା, ନା- ହୋଇପାରେନା । ବ୍ୟାକୁଳ ହୋଇ ଉଠିଲା ହୃଦୟ । ଆକୁଳ ଆବେଗ ଥରାଇ ଦେଲା ତାଙ୍କର ବକ୍ଷପଞ୍ଜରା । ତା ହେଲେ କଅଣ ଗ୍ରହଣ କରିନାହିଁ ବିଜୟ ନନ୍ଦିତାକୁ ? ସେ କଅଣ ଉପେକ୍ଷା କରିଛି ତାର ନୈବେଦ୍ୟ-!! ହାହାକାର କରି ଉଠିଲା ତାଙ୍କର ପ୍ରାଣ ।

 

‘‘କଅଣ ତୋର ହୋଇଛି ମା ? ମୋତେ କହ ତ ମା-’’, କହି ବୋହୂର ସରୁ ହାତଟିକୁ ଧରି ତାଙ୍କ କୋଠରିକୁ ଟାଣି ନେଇ ଗଲେ ଶୈବାଳିନୀ- ‘‘ମତେ ଲୁଚାନା ମା ! ମୁଁ ଜାଣିବାକୁ ଚାହେଁ- ମୋତେ କହ ।’’

 

କଅଣ କହିବ ନନ୍ଦିତା ? ସେ କଅଣ କହିପାରିବ ସ୍ୱାମୀ ତାର ଉପେକ୍ଷା କରି ଚାଲି ଯାଇଛନ୍ତି ବୋଲି, ସେ କଅଣ କହିପାରିବ ତା ପ୍ରତି ତାଙ୍କର ଅସୀମ ଉପେକ୍ଷା, ଅନ୍ତରରେ ଘୃଣା ? କେହି ଯେ ଏହା କହିପାରେନା । ନା, ନା, ନନ୍ଦିତା କହିପାରିବ ନାହିଁ । ହୃଦୟ ତାର ଶୁଷ୍କ, ପ୍ରାଣ ତାର ପାଷାଣ । ସେ ଲୁଚାଇ ରଖିବ ସ୍ୱାମୀ-ପରିତ୍ୟକ୍ତାର ସମସ୍ତ ଲଜ୍ଜା, ଅପମାନ ।

 

କରୁଣ କଣ୍ଠରେ କହିଲା ନନ୍ଦିତା–‘‘କିଛି ନାହିଁ ବୋଉ !’’

 

‘‘ତୁ ମୋତେ ଭୁଲାନା ବୋହୂ ! ମୁଁ କଣ ବୁଝିପାରେନା ? ବାଳ ପାଚିଲାଣି ଆସି । ତୁ ମୋତେ ଲୁଚାଇବାକୁ ବସିଛୁ ? ବୁଝିଛି ମୁଁ, ତୁ ନାରୀ, ତୁ ପତ୍ନୀ, କିପରି କହିପାରନ୍ତୁ ସ୍ୱାମୀର ଉପେକ୍ଷା.... ଛି ଛି ଛି, କଣ କଲା ବିଜୟ- ମୋରି ପେଟରୁ ଜନ୍ମ ହୋଇ ମୋତେ ଅପମାନ କଲା ।’’

 

କଥା ଆଉ କହିପାରୁ ନାହାନ୍ତି ଶୈବାଳିନୀ । କୋହ ଉଠୁଛି ଅନ୍ତର ଭିତରୁ । ପାଖରେ ନିର୍ବାକ ନିଷ୍ପନ୍ଦ ଭାବରେ ଛିଡ଼ା ହୋଇଛି ନନ୍ଦିତା, ଯେପରି ସେ ପାଲଟିଯାଇଛି ମୂକ; ହସ ନାହିଁ, କାନ୍ଦ ନାହିଁ, ଜୀବନ ନାହିଁ, ଗୋଟାଏ ଶିଳାଖଣ୍ଡ ।

 

ତାର ହାତ ଝିଙ୍କି ଦେଇ କୋଳ ଉପରକୁ ତାକୁ ଟାଣିଆଣିଲେ ଶୈବାଳିନୀ । ଆଖିରୁ ଝରୁଛି ଲୁହ । ନନ୍ଦିତା ଶାଶୁଙ୍କ ଛାତି ଉପରେ ମୁହଁ ଲୁଚାଇ କହିଲା- ‘‘ଛି, ଏଇଥିପାଇଁ କାନ୍ଦୁଛ ବୋଉ, ମୁଁ ତ ଅସୁଖୀ ନୁହେଁ । ମୁଁ ତୁମର ବୋହୂ ନୁହେଁ, ଝିଅ....’’

 

ତାର ମଥା ଉପରେ ହାତ ବୁଲାଇ ବୁଲାଇ କହିଲେ ଶୈବାଳିନୀ- ‘‘ହଁ ମା, ତୁ ମୋର ଝିଅ, ମୋର ଅଲିଅଳ ଝିଅ । କିନ୍ତୁ ଝିଅର ଦୁଃଖ ଆଉ କେତେଦିନ ଦେଖିବ ମା ? ମୁଁ ବି ଦିନେ ଥିଲି ତୋରି ପରି । ମୁଁ କଣ ବୁଝିପାରେନା ତୋର ଦୁଃଖ ? ତୋର ଅଭାବ ଯେ ବଡ଼ ତୀବ୍ର- ବଡ଼ ଅସହନୀୟ ନନ୍ଦିତା.....’’- ପୁଣି କାନ୍ଦିଲେ ଶୈବାଳିନୀ ।

 

କୋଠରି ଭିତରକୁ ପଶିଆସିଲା ବିଜୟ । ସିଧା ଯାଇ ବୋଉଙ୍କୁ ପ୍ରଣାମଟିଏ କରି କହିଲା- ‘‘ମୁଁ ଯାଉଛି ବୋଉ...’’

 

ଟିକିଏ ନୀରବ ରହି ନିଜକୁ ଦୃଢ଼ କରି କହିଲେ ଶୈବାଳିନୀ- ‘‘ତୁ ମୋତେ ଅମାନ୍ୟ କଲୁ ବିଜୟ ?’’

 

ଆଶ୍ଚର୍ଯ୍ୟ ହେଲା ବିଜୟ ବୋଉଙ୍କର କଣ୍ଠର ଦୃଢ଼ତାରେ; କିନ୍ତୁ ସେଥିକି ଭ୍ରୂକ୍ଷେପ ନ ଥିଲା ତାର । ସେ ଯିବ- ଯିବାକୁହିଁ ଆସିଛି । କାଲି ବୁଧବାର, ତନ୍ୱୀ ଦାସର ଅଧର ଅପେକ୍ଷା କରିଛି ତା ପାଇଁ, ସେ ଯିବ । ଭୀଷ୍ମ-ପଣ ତାର ।

 

ଗମ୍ଭୀର କଣ୍ଠରେ କହିଲା ବିଜୟ- ‘‘ମୁଁ ଯାହା ପାରିବିନି, ମୋତେ ସେ କଥା କହି ଲାଭ ନାହିଁ ବୋଉ ! ମୁଁ ଥରେ କହିଛି ତାକୁ ମୁଁ ଭଲ ପାଏନା ।’’

 

ଆଉ ସମ୍ଭାଳି ପାରିଲେ ନାହିଁ ଶୈବାଳିନୀ । ଗର୍ଜନ କରି କହି ଉଠିଲେ- ‘‘କୁଳର କଳଙ୍କ ତୁ ବିଜୟ । ତୁ ମୋର ପୁଅ ନୋହୁଁ । ସ୍ତ୍ରୀ ଆଖିରେ ଲୁହ ଦେଇ, ମା’କୁ କନ୍ଦାଇ ତୁ ଚାଲିଯାଉଛୁ; କିନ୍ତୁ ତୋର ମଙ୍ଗଳ ହେବ ନାହିଁ ରେ....।’’

 

ବିଜୟ ମୁହଁ ଫେରାଇଲା । ନନ୍ଦିତା କରୁଣ କଣ୍ଠରେ କହିଲା- ‘‘ଏ କଣ କହୁଛ ବୋଉ !’’

 

କହିଚାଲିଲେ ଶୈବାଳିନୀ- ‘‘ମୋତେ ବାଧା ଦେ’ନା ମା ! ମୋର ପ୍ରାଣରେ ଆଘାତ ଦେଇ, ଗୋଟାଏ ଜୀବନକୁ ନଷ୍ଟ କରି ତୁ ଯେଉଁଠିକୁ ଯା ବିଜୟ, ଦିନେ ତତେ ଫେରିଆସିବାକୁ ହେବ ଏ ଘରକୁ । ଆଜି ଯିମିତି ଗର୍ବରେ ଅନ୍ଧ ହୋଇ ଲୁହ ଦେଖି ବି ନ ଦେଖିଲା ପରି ଚାଲିଯାଉଛୁ, ଦିନେ ଆଖିରେ ଲୁହ ନେଇ ସେଇମାନଙ୍କ ପାଖକୁ ଫେରିଆସିବୁ ତୁ । ଆଉ ଯଦି ନ ଫେରୁ ଚିରଦିନହିଁ ତୁ କାନ୍ଦୁଥିବୁ ବିଜୁ !’’

 

ବିଜୟ ଦ୍ରୁତ ପଦକ୍ଷେପରେ ଚାଲିଗଲା ବାହାରକୁ । ଶୈବାଳିନୀଙ୍କର ଗୋଡ଼ ଧରି କାନ୍ଦି କାନ୍ଦି ଅଳି କଲା ନନ୍ଦିତା- ‘‘ଏ କଅଣ, ଏ କଅଣ କହୁଛ ବୋଉ ? ସେ ଯେ କୁଳର ଶେଷ ସମ୍ବଳ । ତାଙ୍କର ଅମଙ୍ଗଳ ହେବ !’’

 

କଥା ଆଉ କହିପାରିଲେନି ଶୈବାଳିନୀ । ଆଖିରୁ ଝରିଯାଉଥିଲା ଲୁହ । ଉତ୍ତେଜନାରେ ଅବଶ ହୋଇଗଲା ତନୁ ।

 

ମଦନାକୁ ନେଇ ଚାଲିଗଲା ବିଜୟ । ଶାଶୁଙ୍କର ପାଦତଳେ ବସି ଚାହିଁ ରହିଲା ନନ୍ଦିତା- ଆଗରେ ଅଦୃଶ୍ୟ ହୋଇଗଲା ସ୍ୱାମୀଙ୍କର ମୂର୍ତ୍ତି ।

 

ଆଖିରୁ ଲୁହ ଝରୁଥିଲା ନନ୍ଦିତାର । ତଥାପି ସେ ପ୍ରାର୍ଥନା କରୁଥିଲା ତାର ମୂକ ଦେବତାକୁ- ତାଙ୍କର ମଙ୍ଗଳ କର- ମଙ୍ଗଳ କର ଭଗବାନ !

•••

 

୧୦

 

ଆଜିକୁ ସାତଦିନ ହେଲା ଦେଖାନାହିଁ ଶୁଭେନ୍ଦୁର । ମନ ଉଚ୍ଛନ୍ନ ହେଉଛି ମାଧୁରୀର । କଲେଜ ଯିବାବେଳେ ଦୁଇଥର ତାଙ୍କ ଘର ଦେଇ ଯାଇଛି ସେ; କିନ୍ତୁ କାହାକୁ ଦେଖିନାହିଁ । ଭିତରେ ପଶି ଅନୁସନ୍ଧାନ କରିବାକୁ ସାହସ ହୋଇନାହିଁ ତାର । କାହିଁକି ଆସୁନି ଶୁଭେନ୍ଦୁ ? କଅଣ କିଛି ହୋଇଛି ? କିଛି ଭାବି ସ୍ଥିର କରିପାରେନା ମାଧୁରୀ । ଡାକରେ ଯେଉଁ ଚିଠିଟା ଦେଲା ତାର ବି ଉତ୍ତର ନାହିଁ । ଚାକର ଟୋକାଟାକୁ ମିଛ-ସତ କହି ତିନିଥର ପଠାଇଛି କିନ୍ତୁ କେବଳ ଗୋଟିଏ ଖବର- ଘରେ ନାହାନ୍ତି । ତା ହେଲେ କଣ କଟକ ଛାଡ଼ି ଆଉ କୁଆଡ଼େ ଯାଇଛି ଶୁଭେନ୍ଦୁ !

 

କଲେଜ ଯିବାବେଳ ହୋଇ ଆସିଲାଣି । ଖିଆପିଆ ସବୁ ଶେଷ କରିଛି ମାଧୁରୀ । କାର୍‌ଟା ଖରାପ ଅଛି । ରିକ୍‌ସା ବା ଟାଉନ ବସ୍‌ରେ ଯିବାକୁ ହେବ । ଶ୍ରୀଧର ଆସି କହିଲା- ‘‘ମା, ରିକ୍‌ସା ଡାକିବି ?’’ ‘ନା’ କହି ଚାଲିଲା ମାଧୁରୀ । ଆଶ୍ଚର୍ଯ୍ୟ ହେଲା ଶ୍ରୀଧର । ଟିକେ ଇତସ୍ତତଃ ହୋଇ ପୁଣି ଦୌଡ଼ିଲା ଶ୍ରୀଧର; ମାଧୁରୀ ସାମ୍ନାକୁ ଯାଇ କହିଲା- ‘‘ଏତେ ବାଟ ପାଦରେ ଚାଲିଯବ ମା ?’’

 

ବିରକ୍ତିସୂଚକ ସ୍ୱରରେ କହିଲା ମାଧୁରୀ- ‘‘ତୁ ତୋ କାମ କରିବୁ ଯା ଶ୍ରୀଧର । ମୁଁ ଠିକ୍‌ ଚାଲିଯାଇ ପାରିବି ।’’

 

ମଥାରେ ଦୁଇଥର ହାତମାରି ଅନୁନୟ କଣ୍ଠରେ କହିଲା ଶ୍ରୀଧର- ‘‘ସେ କଥା କଣ ମୁଁ କହୁଥିଲି ମା !’’ ମାଧୁରୀ ଆଗେଇ ଚାଲିଲା । ଶ୍ରୀଧର ଗୁଣୁ-ଗୁଣୁ ହୋଇ ଫେରିଲା ବସାକୁ । ବିଜୟ ସେ ଆଡ଼ୁ ଆସି ପଚାରିଲା- ‘‘ଦେଈ କଲେଜ ଗଲେଣିରେ ?’’ ଶ୍ରୀଧର ଅନ୍ୟମନସ୍କ ଭାବରେ କହିଲା- ‘‘ହଁ ।’’

 

ନିରୁପାୟ ହୋଇ ଫେରିଲା ବିଜୟ । ମନକୁ ମନ କହିଲା ସେ- ଆହା ! ଯାତ୍ରାଟି ମାଟି ହୋଇଗଲା ଆଜି !

 

ବିଜୟ ରିକ୍‌ସାବାଲାକୁ କଲେଜ ଆଡ଼କୁ ଯିବାକୁ ନିର୍ଦ୍ଦେଶ ଦେଲା ।

 

ଅଚଞ୍ଚଳ ପଦକ୍ଷେପରେ ଚାଲିଛି ମାଧୁରୀ । ଏଇ ଶୁଭେନ୍ଦୁର ଘର-କଣେଇ କରି ଚାହିଁଲା ସେ । ସ୍ପଷ୍ଟ ଦେଖାଯାଉଛି । ଆବେଗରେ ଆଗେଇ ଚାଲିଛି । ଲଜ୍ଜା କେମିତି କେମିତି ନିସ୍ତେଜ କରି ଆଣୁଛି ତାର ପାଦକୁ । ଚାଲିକରି କେହି କେବେ ମାଧୁରୀକୁ ଯିବାର ଦେଖିନାହିଁ । ଆଜି ସେ ଚାଲିଛି- ସାଙ୍ଗରେ ଚାକରଟାଏ ବି ନାହିଁ । ଭାବୁଛି ସେ- ହୁଏତ ଅନ୍ୟ ପାଖପଡ଼ୋଶୀ ଲୋକେ ଏହା ଦେଖି ବିସ୍ମିତ ହେଉଥିବେ ଖୁବ୍‌ ବେଶୀ । ଯଦି ସେମାନେ ଜାଣିଯାଆନ୍ତି ତା ମନର କଥା- ପାଦରେ ଯିବାର ରହସ୍ୟ ? ଲଜ୍ଜାରେ ଲାଲ ପଡ଼ିଗଲା ତାର ମୁହଁ, ଝିମ୍‌ ଝିମ୍‌ କରି ଉଠିଲା ଦେହଟା-। ଲୁଗାକାନି ଟାଣି ନିଜକୁ ଆହୁରି ସଂଯତ କରିବାକୁ ଚେଷ୍ଟାକଲା ସେ । କାଳେ କିଏ ତାକୁ ଲକ୍ଷ୍ୟ କରୁଛି କି ? ପଛକୁ ଫେରି ଚାହିଁ ଥରେ ଚାରିଆଡ଼େ ଆଖି ବୁଲାଇଦେଲା- ନା, କେହି ନାହିଁ । ସମସ୍ତେ ଯେଝା କାମରେ ଲାଗିଛନ୍ତି । ତଥାପି ସଙ୍କୋଚ ଗଲା ନାହିଁ ତାର । ଶୁଭେନ୍ଦୁର ଘର ସାମ୍ନାଟାରେ ଧରା ନ ପଡ଼ି ଶୀଘ୍ର ପାରି ହୋଇଗଲା ଚଞ୍ଚଳ ହୋଇ । ଛାତି ଭିତରଟା ଦପ୍‌ ଦପ୍‌ କରୁଥିଲା । ଶୁଭେନ୍ଦୁର ଘର ସାମ୍ନାରେ ଭିତରକୁ ଚାହିଁବାପାଇଁ ଚେଷ୍ଟା କରି ମଧ୍ୟ ଭଲ ଭାବରେ ଚାହିଁପାରିଲାନି ସେ; କାଳେ କିଏ ଦେଖୁଥିବ- କାଳେ କିଏ ଜାଣିପାରିବ ତାର ଉଦ୍ଦେଶ୍ୟ ! ଠିକ୍‌ ଘର ସାମନା ପାର ହୋଇଯିବା ପରେ ମନେହେଉଥିଲା ତାର, ଯେପରି ସେ ଝାଳେଇ ଯାଇଛି ।

 

‘‘ନମସ୍କାର ମାଧୁରୀ ଦେବୀ-’’

 

ସେ ଚମକିପଡ଼ି ଛିଡ଼ା ହୋଇଗଲା । ଅତି ପରିଚିତ ସ୍ୱର ପରି ଜଣାପଡ଼ୁଛି । ପଛକୁ ବୁଲି ଚାହିଁବା ପୂର୍ବରୁ ଘରଆଡ଼ୁ ସାଇକେଲଟି ଧରି ରାସ୍ତା ଉପରକୁ ଉଠି ଆସି ମାଧୁରୀର ସାମ୍ନାରେ ପ୍ରାୟ ପହଞ୍ଚିଗଲା ଶୁଭେନ୍ଦୁ । ମୁହଁରେ ତାର ସଦାପ୍ରସନ୍ନ ସ୍ମିତ ହାସ୍ୟ । ମାଧୁରୀ ଭାବିଲା ଶୁଭେନ୍ଦୁ ଆଗରେ ଧରାପଡ଼ିଯାଇଛି ସେ । ଆରକ୍ତ ହୋଇ ଉଠିଲା ତାର ମୁହଁଟି; କିନ୍ତୁ ପ୍ରତିନମସ୍କାର ଜଣାଇ ପାରିଲା ନାହିଁ ସେ । ସବୁ ଭୁଲିଗଲା ଯେପରି ।

 

ଶୁଭେନ୍ଦୁ ଯୋଗକଲା- ‘‘ଆଜି ଏ ରାସ୍ତାର ବଡ଼ ଭାଗ୍ୟ ଯେ !’’

 

ମାଧୁରୀ ଏତେବେଳକୁ ଲଜ୍ଜା ଏଡ଼ିଯାଇ ପାରିଥିଲା ଅନେକାଂଶରେ । ସେ ଅଭିମାନିଆ ସ୍ୱରରେ କହିଲା- ‘‘କିନ୍ତୁ ଆମ ସେପାଖ ରାସ୍ତାର ବଡ଼ ଦୁର୍ଭାଗ୍ୟ ଶୁଭେନ୍ଦୁ ! ତୁମର ଯେ ସାତଦିନ ହେଲା ଖୋଜ-ଖବର ବି ନାହିଁ ?’’

 

ସାମାନ୍ୟ ହସିଲା ଶୁଭେନ୍ଦୁ । କାରୁଣ୍ୟ ଥିଲା ସେ ହସରେ; କିନ୍ତୁ ଭିତରଟା ଜାଣିବା ପାଇଁ ଦେଲାନି ମାଧୁରୀକୁ । କାହିଁକି କହିବ ସେ- ଅଭାବର ତାଡ଼ନାରୁ ଏଇ କେତେଦିନ ହେଲା ଅର୍ଥର ଅନ୍ୱେଷଣରେ ଲିପ୍ତ ଥିଲା ସେ- ଗାଁକୁ ଯାଇ ଜମି ମାଣେ ବିକ୍ରି କରିଦେଇ ଆସିଛି; ନ ହେଲେ ଉପାୟ ନ ଥିଲା । ତେଣୁ ମାଧୁରୀକୁ କେବଳ କହିଲା ସେ- ‘‘ଜଣକର ସୌଭାଗ୍ୟରେ ଆଉ ଜଣଙ୍କର ଦୁର୍ଭାଗ୍ୟ ।’’

 

‘‘ମାନେ ?’’ ପଚାରିଲା ମାଧୁରୀ ।

 

‘‘ମାନେ, ଆଜି ତୁମେ ଏ ରାସ୍ତାରେ ଆସିଥିବାରୁ ଯେପରି ଏହାର ସୌଭାଗ୍ୟ, ତୁମରି କଥା ଅନୁସାରେ ମୁଁ ସାତଦିନ ଯାଇ ନ ଥିବାରୁ ତୁମର ରାସ୍ତାର ଦୁର୍ଭାଗ୍ୟ । ଜଣକର ଦୁର୍ଭାଗ୍ୟ ହେଲେ ସିନା ଆଉ ଜଣକର ସୌଭାଗ୍ୟ ହୁଏ ମାଧୁରୀ ? ମୁଁ ଯାଇଥିଲେ କଣ ତୁମେ ଆସିଥାନ୍ତ ନା ସୌଭାଗ୍ୟ ହୁଅନ୍ତା ଏ ରାସ୍ତାର ?’’

 

କଥାର ଗୁରୁତ୍ୱ ନ ବୁଝି ଲଘୁ ଭାବରେ ତାହା ଗ୍ରହଣ କରି ହସିପକାଇଲା ମାଧୁରୀ । ନ ବୁଝୁ- ତାକୁ ବୁଝାଇବା ବର୍ତ୍ତମାନ ଦରକାର ନାହିଁ । ଅନ୍ୟମାନଙ୍କର ଦୁର୍ଭାଗ୍ୟ ଯୋଗୁ ତାର ବଂଶର ଯେଉଁ ସୌଭାଗ୍ୟ ଉଦୟ ହୋଇଛି, ତାହା ଦିନେ ସେ ଆପେ ଜାଣିବ- ଯେଉଁଦିନ ସେ ଚିହ୍ନିବ ଦେଶକୁ, ଏ ମାଟିର ମଣିଷକୁ ଆଉ ଆତ୍ମପରୀକ୍ଷା କରିବ ନିଜର ।

 

ମାଧୁରୀ ହସ ବନ୍ଦ କରି କହିଲା- ‘‘ତୁମେ ଆଜିକାଲି କବି ହୋଇଛ ପରା, ଉପମା ଦେଇ ବେଶ୍‌ କଥା କହି ପାରୁଛ ।’’

 

ଆଗେଇ ଚାଲିଛନ୍ତି ଦୁଇଜଣ । ଗଡ଼ିଚାଲିଥାଏ କଥାର ସ୍ରୋତ । ଶୁଭେନ୍ଦୁ କହିଲା- ‘‘ତୁମେ କବି ହେବାପାଇଁ ସାହାଯ୍ୟ କରିଛ ମାଧୁରୀ, ନ ହେଲେ ଏତେ କଥା ଜାଣନ୍ତି କିପରି ?’’ ଥଟ୍ଟାରେ କହିଲା ଶୁଭେନ୍ଦୁ ।

 

ଶୁଭେନ୍ଦୁର କଥା ଶୁଣି ଶିହରି ଉଠିଲା ମାଧୁରୀ । ମନେ ମନେ ତାର ସେଇ ଗୋଟିଏ କଥା- ‘ତୁମେ କବି ହେବାପାଇଁ ସାହାଯ୍ୟ କରିଛ’ ତୁହାଇ ତୁହାଇ ମଥା ଟେକିଲା ଅନ୍ତର ଭିତରେ । ମନେକଲା ସେ- ହଁ, ସେହି ତ କବି ହେବାପାଇଁ ସାହାଯ୍ୟ କରୁଛି ଶୁଭେନ୍ଦୁକୁ ! ସେ କବି, ସେ ସାହିତ୍ୟିକ !

 

ମଙ୍ଗଳାବାଗ ଛକ ପହଞ୍ଚିବା ପାଇଁ ଆଉ ଅଳ୍ପଦୂର ଅଛି, ସାଇକେଲ ପଛପଟେ ଧକ୍‌କା ଲାଗିଲା ଏଇ ରିକ୍‌ସାର । ଧକ୍‌କାଟା ବେଶୀ ନୁହେଁ । ଏଣୁ ତାହା ସମ୍ଭାଳୁ ସମ୍ଭାଳୁ କହି ଉଠିଲା ଶୁଭେନ୍ଦୁ- ‘‘ଉଃ !’’

 

ମାଧୁରୀ ଅଗ୍ନିଶର୍ମା ହୋଇଗଲା ରିକ୍‌ସାବାଲାର କାଣ୍ଡଜ୍ଞାନହୀନତା ଦେଖି । ସେ ତୀକ୍ଷ୍‌ଣ କ୍ରୋଧାନ୍ୱିତ ସ୍ୱରରେ ପଚାରିଲା ତାକୁ- ‘‘ବଦମାସ୍‌, ମଣିଷ ଦେଖାଯାଉ ନାହାନ୍ତି ତତେ ?’’ ପାଖକୁ ଚାଲିଆସିଥିଲା ରିକ୍‌ସାଟା । ରିକ୍‌ସାବାଲା ଥତମତ ହେଉଥିଲା ନିଜର ଭୁଲ ବୁଝିପାରି । ଶୁଭେନ୍ଦୁ ସାଇକେଲଟା ଧରି ଛିଡ଼ା ହୋଇ ରହିଲା ।

 

ମାଧୁରୀ ରିକ୍‌ସାବାଲାକୁ ଏତକ କହି ଯେତେବେଳେ ତା ମୁହଁକୁ ରୋଷକଷାୟିତ ନୟନରେ ନିରୀକ୍ଷଣ କଲା- ସେତେବେଳେ ରିକ୍‌ସା-ଆରୋହୀ ଉପରେ ତାର ଦୃଷ୍ଟି ପଡ଼ିଲା ଯାଇ-। ମୁହୂର୍ତ୍ତକରେ ତାର ଦୃଷ୍ଟି ଅପସାରିତ ହୋଇଗଲା । ରିକ୍‌ସା ଭିତରେ ଶୁଭେନ୍ଦୁର ଅବସ୍ଥା ଦେଖି ହସୁଥିଲା ବିଜୟ ।

 

ରାଗରେ ଜଳିଗଲା ମାଧୁରୀ । ତାର କାହିଁକି ମନେହେଲା ଏହି ବିଜୟହିଁ ଜାଣିଶୁଣି ଧକ୍‌କା ଦେବା ପାଇଁ କହିଛି ରିକ୍‌ସାବାଲାକୁ । ସେ ଧମକ ଦେଇ ଦୃପ୍ତକଣ୍ଠରେ କହିଲା- ‘‘ଅକଲ୍‌ ନାହିଁ ତୋର । ଚାଲ୍‌ ଥାନାକୁ, ତୋ ମଜାଟା ବାହାରି ପଡ଼ିବ ଏଇଲେ ।’’

 

କାତର ହୋଇ ଆରୋହୀର ମୁହଁକୁ ଅନୁନୟ ଭଙ୍ଗୀରେ ଚାହିଁଲା ରିକ୍‌ସାବାଲା । ବିଜୟ କହିଲା, ‘‘ନା ମାଧୁରୀ ! ମୁଁ ଯେ କୋର୍ଟକୁ ଯିବି ।’’ ଏଥର ଆଉ କ୍ରୋଧ ସମ୍ଭାଳି ପାରିଲାନି ମାଧୁରୀ-! ତାଚ୍ଛଲ୍ୟ କରି କହିଲା- ‘‘ସେଥିପାଇଁ ଅନ୍ୟର ଯିବାରେ ବାଧା ଦେବେ ଆପଣ ?’’

 

ଶୁଭେନ୍ଦୁ ପଛକୁ ଫେରି କହିଲା- ‘‘ଥାଉ, ସେଥିରେ କଣ ହେବ ମାଧୁରୀ ? ତା ଭୁଲଟା ସେ ବୁଝିପାରିଛି ।’’ ତାପରେ ସେ ବିଜୟକୁ ଦେଖିପାରି କହିଲା ସ୍ୱାଭାବିକ ଭାବରେ- ‘‘ଆରେ, ଆପଣ ଯେ !’’

 

ଶୁଭେନ୍ଦୁକୁ ପଛଆଡ଼ୁ ଦେଖି ଭଲକରି ଚିହ୍ନିପାରି ନ ଥିବାର ଛଳନା କରୁଥିଲା ବିଜୟ । ବର୍ତ୍ତମାନ ତାକୁ ସାମ୍ନାରେ ଦେଖି ମାଧୁରୀ ଯେ ତାହାରି ସହିତ ପଥ ଚାଲୁଥିଲା ଏ କଥା ଭାବି ମନ ଭିତରେ ଜଳିଗଲା ବିଜୟ । ଏଣୁ ସେ କଥା ଶୁଣି ବ୍ୟଙ୍ଗୋକ୍ତି କଲା ଭଳି କହିଲା- ‘‘ବଡ଼ ଅସୁବିଧାରେ ତୁମେ ପଡ଼ିଗଲ ପରା ?’’

 

ଶୁଭେନ୍ଦୁ ଠିକ୍‌ ଧରିପାରିଲା ନାହିଁ ତାର କଥାଟା । ସେ ଯେ ମାଧୁରୀ ସହିତ ତାର ସମ୍ପର୍କ ନେଇ ଇଙ୍ଗିତ କଲା, ଏ କଥା ବିଜୟ ପରି ନୀଚମନା ହୋଇଥିଲେ ସେ ବୁଝିଥାନ୍ତା; କିନ୍ତୁ ସେ ହସି ହସି କହିଲା- ‘‘ଅସୁବିଧା ଆଉ କଣ ବିଜୟ ବାବୁ !’’ ଏହାପରେ ସେ ମାଧୁରୀକୁ କହିଲା- ‘‘ମୁଁ ଯାଉଛି ମାଧୁରୀ, ବେଳ ହୋଇ ଆସିଲାଣି । ପରେ ଦେଖାହେବ ।’’

ମାଧୁରୀ କହିଲା- ‘‘ନିଶ୍ଚୟ ଆସିବେ, ଆଜି ସନ୍ଧ୍ୟାରେ ।’’

ଶୁଭେନ୍ଦୁ ଚାଲିଗଲା ସାଇକେଲ୍‌ରେ । ବିଜୟ ଦର୍ପିତ କଣ୍ଠରେ କହିଲା- ‘‘ବର୍ତ୍ତମାନ କେଉଁଆଡ଼େ ଯାଉଛି ଶୁଭେନ୍ଦୁ?’’

ତାଚ୍ଛଲ୍ୟ ସ୍ୱରରେ କହିଲା ମାଧୁରୀ- ‘‘ଖବରକାଗଜ ଦବା ପାଇଁ ।’’

ରାଗରେ ଲାଲ ପଡ଼ିଗଲା ବିଜୟ । କେବଳ ଏହାହିଁ ଶୁଭେନ୍ଦୁର ପରିଚୟ ଜାଣିଥିଲା ସେ । କିନ୍ତୁ ତା ସତ୍ତ୍ୱେ ତାର ମନେହେଲା ମାଧୁରୀ ତା ସହିତ ଥଟ୍ଟା କରୁଛି । ସହଜ ଲୋକ ନୁହେଁ ସେ । ପରକ୍ଷଣରେ ନିଜକୁ ସଂଯତ କରି, ଲଜ୍ଜା ଅପମାନ ଭୁଲି କହିଲା କୋମଳ ସ୍ୱରରେ- ‘‘ତମେ କଲେଜ ଯିବ ?’’

ମାଧୁରୀ ଅନୁଚ୍ଚ କଣ୍ଠରେ କହିଲା- ‘‘ହଁ ।’’

‘‘କିଛି ଆପତ୍ତି ନ ଥିଲେ ଆସିପାର ରିକ୍‌ସା ଭିତରକୁ ।’’

ତାର ଉଦ୍ଦେଶ୍ୟ ଜାଣି ଘୃଣାରେ ଥରିଉଠିଲା ମାଧୁରୀ । କିନ୍ତୁ ଅଧିକ କଥାବାର୍ତ୍ତା କରିବାକୁ ଇଚ୍ଛା ନ ଥିଲା ତାର । ସେ ଆଉ ଗୋଟିଏ ରିକ୍‌ସାରେ ଉଠୁ ଉଠୁ କହିଲା- ‘କଲେଜ’ ।

ରିକ୍‌ସା ଚାଲିଲା । ଅପମାନିତ ବିଜୟ ତାର ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲା ରିକ୍‌ସାବାଲାକୁ ।

•••

 

୧୧

 

ଏ ଭିତରେ ଅତିବାହିତ ହୋଇଯାଇଛି କେତୋଟି ମାସ । ପୃଥିବୀପୃଷ୍ଠରେ ହୋଇଛି କେତେ ପରିବର୍ତ୍ତନ । ପରିବର୍ତ୍ତନ ଭିତରେ ମଣିଷ ଦେଖିଛି ଧ୍ୱଂସ ଓ ସୃଷ୍ଟି । ତାରି ଭିତରେ ହସିଛି ଜୀବନ- ଆଗେଇ ଯାଇଛି ମଣିଷ ।

 

ବୀଣାଟିର ସୂକ୍ଷ୍ମ ତାରଗୁଡ଼ିକ ଉପରେ ଅଙ୍ଗୁଳିଚାଳନା କରି ସ୍ୱର ସୃଷ୍ଟି କରୁଛି ସୁନନ୍ଦା । ସେହି ସ୍ୱରର ଝଙ୍କାର ଭିତରେ ଝଙ୍କାରିତ ଓ ମର୍ମରିତ ହୋଇ ଉଠୁଛି ହୃଦୟ । ଅନ୍ତରର ଅନନ୍ତ ବ୍ୟଥା ରୂପ ଯାଉଛି ବୀଣାର କରୁଣ ସ୍ୱରର ମୂର୍ଚ୍ଛନାରେ । ବିରହ-ବେଦନାର ଚିରନ୍ତନ ରୂପ, ଉପେକ୍ଷିତ, ଅବହେଳିତ ଓ ଅନାଦୃତ ଜୀବନର ଅସୀମ ବ୍ୟଥା ବୀଣାର ଝଙ୍କାର ଭିତରେ ଆତ୍ମନିବେଦନ କରୁଛି । ପୃଥିବୀର ସମସ୍ତ କରୁଣତା ଯେପରି ମୂର୍ତ୍ତ ହୋଇ ଉଠିଛି ଏଇ ବୀଣାର ତାରଗୁଡ଼ିକର କମ୍ପନରେ ।

 

ବୀଣାବାଦନ ଶେଷ ହେଲା । କିନ୍ତୁ ସେହିପରି ଅନ୍ୟମନସ୍କ ଭାବରେ ବସିରହିଛି ସୁନନ୍ଦା-। ଆଖିରୁ ଲୁହ ଝରି ଶୁଖିଯାଇଛି କେତେବେଳେ- ଜାଣିପାରିନାହିଁ ସେ ।

 

ଗଡ଼ିଯାଉଛି ସମୟ । ଭାବିଚାଲିଛି ସୁନନ୍ଦା- କାହିଁକି ଭଗବାନ ତାକୁ ଏତେ ରୂପ ଦେଇ, ଏତେ ସୁଷମା ଦେଇ, ରିକ୍ତ କରିଛନ୍ତି ତାର ଜୀବନକୁ ? ଯୌବନର ସ୍ପର୍ଶକାତର ମନକୁ ଉତ୍ତାଳ, ଉତ୍ତପ୍ତ କରି ବୋହିଯାଉଛି ବସନ୍ତ ଗୋଟିକ ପରେ ଗୋଟିଏ ପ୍ରଲେପ ଦେଇ । ଅସମ୍ପୂର୍ଣ୍ଣ ଜୀବନରେ ସମ୍ପୂର୍ଣ୍ଣତାର ମହୋତ୍ସବ କାହିଁ ? ତାର ଯୌବନ ଦୈନ୍ୟରେ ପୂର୍ଣ୍ଣ; ତାର ନାରୀତ୍ୱ ବନ୍ଧ୍ୟାତ୍ୱରେ କ୍ଳିଷ୍ଟ-। ଜୀବନର ସମସ୍ତ ଦୁଃଖ, ବେଦନା ପାରହୋଇ ଯେତେବେଳେ ତାର ଆହତ ପ୍ରାଣବିହଙ୍ଗମଟି ସୁନୀଳ ଆକାଶରେ ଅନ୍ତହୀନ ନିଃସଙ୍ଗତା ମଧ୍ୟରେ କରୁଣ ଧ୍ୱନି ସୃଷ୍ଟି କରେ, ସେତେବେଳେ ନିଜକୁ ସେ ମଣେ ଏକାନ୍ତ ଏକାକିନୀ । ଜୀବନର ସାହଚର୍ଯ୍ୟ ପାଇ ମଧ୍ୟ ବହୁ ଊର୍ଦ୍ଧ୍ୱକୁ ଯେତେବେଳେ ଉଡ଼େ ତାର ପ୍ରାଣ-ପକ୍ଷୀ, ସେତେବେଳେ ଅନୁଭବ କରେ ସେ ନିଃସଙ୍ଗ । ଦୁନିଆର ଘାତପ୍ରତିଘାତର ଶିଳାଖଣ୍ଡ ଉପରେ ମଥା କଚାଡ଼ି କଚାଡ଼ି ରକ୍ତାକ୍ତ ଓ କ୍ଳାନ୍ତ କଳେବର ନେଇ ଫେରିଆସେ ପୁଣି ନିଜ କୁଟୀର ଭିତରକୁ । ନିର୍ଜ୍ଜନ ନିଃସଙ୍ଗ ଜୀବନରେ କରୁଣତା ମଧ୍ୟରେ ତାର ଚକ୍ଷୁ ସମ୍ମୁଖରେ କେବଳ ନିଜର ପ୍ରତିମାହିଁ ପ୍ରତିଭାତ ହୁଏ ।

 

ନିଜକୁ ଦେଖି ଚମକି ପଡ଼ି କହେ ସୁନନ୍ଦା- ଛି, ସେ ଯେ ବିଧବା । ତାର ଚକ୍ଷୁରୁ ଝରେ ଅସରନ୍ତି ଅଶ୍ରୁ ।

 

ଆତ୍ମସଙ୍କୋଚ ଓ ଗ୍ଳାନିରେ ମରିଯାଏ ସେ । କାହାକୁ ଦେବ ନୈବେଦ୍ୟ ? ଶୁଭେନ୍ଦୁକୁ ? ଛି, ଛି, ତାହା ଯେ ହୋଇପାରେନା । ଦେବତାକୁ ତାର ବାସିଫୁଲ ଦେଇ ସେ ପୂଜା କରିବ କିପରି-? ତାହା ହୋଇପାରେନା । କରିପାରିବ ନାହିଁ ସେ । କିନ୍ତୁ..... । ବିଳପି ଉଠେ ମନ ।

 

ଶୁଭେନ୍ଦୁ କଥା ଭାବି ମନକୁମନ କହିଯାଏ ସେ- ସେହିଁ ତ ତାର ଦେବତା- ପୂଜ୍ୟ, ପ୍ରିୟତମ ! ବାସିଫୁଲ ଦେଇ ପୂଜା ସେ କରିପାରିବ ନାହିଁ । କିନ୍ତୁ ମନ, ହୃଦୟ ତାର ବାସି ନୁହେଁ । ଯୌବନ ତାର ଅନାଘ୍ରାତ । ସେ ତା ହେଲେ ଦୂରରେ ରହି, ଆତ୍ମସୁଖକୁ ଜଳାଞ୍ଜଳି ଦେଇ, ଜାୟା ଓ ଜନନୀ ହେବାର ଆକାଂକ୍ଷାକୁ ବିସର୍ଜନ ଦେଇ ଉଠିବ ଊର୍ଦ୍ଧ୍ୱକୁ; ଯେଉଁଠାରେ ଦୈନ୍ୟ ନାହିଁ, ନାହିଁ ରିକ୍ତତା ବା ଆତ୍ମଗ୍ଳାନି । ସେହିଠାରେ ସେ ହେବ ପ୍ରିୟା- ପ୍ରିୟତମା । ବହୁ ସାଧନାର ଧନ ସେ, ବହୁ ତପସ୍ୟାର ସମ୍ମାନ ତାହା । ସେ ଯେତିକି ଭାବିଲା, ସେତିକି ତା ଭିତରର ପ୍ରିୟା ହୋଇଉଠିଲା ଜାଗ୍ରତ ଓ ମୁଖରିତ । ବିସ୍ମୟ-ବିମୁଗ୍‌ଧ ସୁନନ୍ଦା ନୂତନ ଶିହରଣରେ ଆତ୍ମହରା ହୋଇପଡ଼ିଲା ।

 

ଯେଉଁଠାରେ ଜାୟା ଓ ଜନନୀର ଅଧିକାର ହୋଇପାରେନା- ସେଠାରେ ପ୍ରିୟାର ଦାବିହିଁ ଅଶେଷ, ଅନ୍ତହୀନ ।

 

ଆନନ୍ଦରେ ଅଧୀର ହୋଇ ପଡ଼ିଲା ସୁନନ୍ଦା । ଆତ୍ମଚେତନାର ତୃପ୍ତି ଉଦ୍‌ଭାସିତ ହେଲା ତାର ସମଗ୍ର ମୁଖମଣ୍ଡଳରେ । ସେ ହେଲା ପ୍ରିୟାର ଗୌରବରେ ମହିମାନ୍ୱିତ, ତେଜୋଦୀପ୍ତା । ଜାୟା ଓ ଜନନୀର ଯାତ୍ରା ଯେଉଁଠାରେ ହୁଏ ଶେଷ, ସେହିଠାରୁ ପ୍ରିୟାର ଯାତ୍ରା ହୁଏ ଆରମ୍ଭ । ସେମାନଙ୍କର ପରାଜୟ ଯେଉଁଠାରେ, ପ୍ରିୟାର ବିଜୟ ସେହିଠାରେ ।

 

ପ୍ରିୟାର ଦାବି ଅଶେଷ, ଅସରନ୍ତି । ତାର ଲକ୍ଷ୍ୟ ସୀମାବଦ୍ଧ ନୁହେଁ- ଅନ୍ତହୀନ । କସ୍ତୁରୀମୃଗ ନିଜର ପରିଚୟ ପାଇବା ପୂର୍ବରୁ ମରେ; କିନ୍ତୁ ମରିବାର ବହୁ ପୂର୍ବରୁ ନିଜ ପରିଚୟ ପାଇଲା ସୁନନ୍ଦା ।

 

ଶୁଭେନ୍ଦୁକୁ ସେ ଭଲ ପାଇଛି, ସେ ଭଲ ପାଇଛି ଅତି ଏକାନ୍ତ ଭାବରେ- ଏଇ ଗୋଟିଏ କଥା ତାର ବୈଧବ୍ୟ ଜୀବନର ଶୃଙ୍ଖଳା ଓ ସଂଯମ ମଧ୍ୟରେ ମଧ୍ୟ ଆଶାର ଆଲୋକ ଦେଲା ତାକୁ । ଜୀବନ ତାର ବୃଥା ନୁହେଁ, ଯୌବନ ତାର ଦୈନ୍ୟ ନୁହେଁ- ସମ୍ଭାବନାମୟ ତାର ଜୀବନ, ପ୍ରିୟାର-ପ୍ରୟୋଜନ ଗୌରବମୟ ।

 

ଶୁଭେନ୍ଦୁ ଦ୍ୱାର ପାଖରେ ସାଇକେଲଟିକୁ ଡେରି ଦେଇ ସିଧା ଆସି ପଶିଲା ସୁନନ୍ଦାର କୋଠରି ଭିତରେ । ତାକୁ ଦେଖି ବିସ୍ମୟ-ବିମୂଢ଼ ହେଲା ନାହିଁ ସୁନନ୍ଦା, ସଙ୍କୋଚ ବା ଦ୍ୱିଧା ହେଲା ନାହିଁ ତାର । ମୁଖମଣ୍ଡଳ ଉପରେ ପ୍ରତିଫଳିତ ହେଲା ଅପୂର୍ବ ସୁଷମାର ସ୍ନିଗ୍‌ଧତା- ପ୍ରସ୍ଫୁଟିତ କୁସୁମର ସୌରଭମୟ ମାଧୁର୍ଯ୍ୟ ।

 

‘‘ବସି ବସି କଣ ଏତେ ଭାବୁଛ ସୁ ?’’ ସୁନନ୍ଦାକୁ ଅନ୍ୟମନସ୍କ ଦେଖି କହିଲା ଶୁଭେନ୍ଦୁ । ସୁନନ୍ଦା ଉତ୍ତର ଦେଲାନାହିଁ; ଶୁଭେନ୍ଦୁର ଦୁଇଟି ଜିଜ୍ଞାସୁ ଚକ୍ଷୁ ଉପରେ ନିଜ ଚକ୍ଷୁ ନିବଦ୍ଧ ରଖି ଚାହିଁରହିଲା କେବଳ ।

 

ଶୁଭେନ୍ଦୁ ଚୌକି ଉପରେ ବସିଲା । ପୁଣି ପଚାରିଲା ସେ- ‘‘କଣ ଏତେ ଭାବୁଛ ?’’

 

ପ୍ରିୟା ଜାଗ୍ରତ । ସେ ମୁଖରିତ । କଥାର ବ୍ୟଞ୍ଜନାରେ, ସ୍ପର୍ଶର ସ୍ନିଗ୍‌ଧତାରେ ପ୍ରିୟାର ପୀୟୂଷ ପାନ କରେ ପ୍ରିୟତମ । ମୁହଁ ଉପରେ ସ୍ମିତ ହାସ୍ୟ ଖେଳାଇ କହିଲା ସେ-

 

‘‘କଣ ଭାବୁଛି କୁହ ଦେଖି ?’’

‘‘ଯଦି ଠିକ୍‌ କହେ କଣ ଦବ ଆଗ କୁହ !’’

 

କ୍ଷଣକରେ ଲଜ୍ଜାରେ ଆରକ୍ତ ହେଲା ସୁନନ୍ଦାର କପୋଳ । କିନ୍ତୁ ପରକ୍ଷଣରେ ଉତ୍ତେଜନା ରୋକି ନେଇ ସାବଲୀଳ କଣ୍ଠରେ କହିଲା ସେ- ‘‘ତମେ ଆଗ କୁହ !’’

 

‘‘ନା, ମୁଁ କଣ ପାଇବି ନ ଜାଣିଲେ ବୃଥା କହିବି କାହିଁକି ?’’

ଅଗତ୍ୟା ବାଧ୍ୟ ହୋଇ ଚପଳା କିଶୋରୀ ପରି ସ୍ମିତହାସ୍ୟ କରି କହିଲା ସୁ- ‘‘ଭଲ ଚିଜଟିଏ ଦେବି ।’’

 

‘‘ତା ହେଲେ କହୁଛି ।’’

‘‘କୁହ !’’

‘‘କିନ୍ତୁ ଏତେଦୂରରୁ କୁହାଯାଏନା ।’’

‘‘ମାନେ ?’’

‘‘ମାନେ ଗୋପନ କଥାଟିଏ ଏତେଦୂରରୁ କୁହାଯାଏନା ।’’

 

ଝଲକାଏ ରକ୍ତ ଉଠିଆସିଲା ସୁନନ୍ଦାର ଚିବୁକ ଉପରକୁ । କମ୍ପିତ ଗଳାରେ କହିଲା ସେ- ‘‘ତୁମେ ଜାଣନି ।’’

 

ତା ନିକଟକୁ ଉଠିଯାଇ ତାର କାନ ପାଖରେ ମୁହଁ ରଖି କହିଲା ଶୁଭେନ୍ଦୁ- ‘‘ଶୁଣ...’’

 

ଥରି ଥରି ପଚାରିଲା ସୁନନ୍ଦା- ‘‘ଭ...ଲ...ପା...ଅ...?’’

 

ଶୁଭେନ୍ଦୁର ଉଷ୍ମ ନିଶ୍ୱାସ ସ୍ପର୍ଶ କରୁଥିଲା ସୁନନ୍ଦାର ଚିବୁକ । ସୁନନ୍ଦାର ଅଞ୍ଚଳ ରହିଥିଲା ଶୁଭେନ୍ଦୁର ହାତରେ । କ୍ଷଣକରେ ସମଗ୍ର ଦୁନିଆଟା ଠୁଳ ହୋଇଗଲା ସୁନନ୍ଦାର ପାଦତଳେ । ସେ କଣ କହିଲା କିଛି ଜାଣେନି । ଆତ୍ମହରାପ୍ରାୟ ବସି ରହି କେବଳ ଶୁଣୁଥିଲା ଶୁଭେନ୍ଦୁର କଥା ।

 

ସୁନନ୍ଦାର କୋମଳ ହାତଟିକୁ ନିଜ ହାତମୁଠା ଭିତରେ ରଖି ଉଷ୍ମ କଣ୍ଠରେ କହିଲା ଶୁଭେନ୍ଦୁ- ‘‘ଦିଅ ମୋର ପ୍ରାପ୍ୟ ।’’

 

ଶୁଭେନ୍ଦୁର ସାମାନ୍ୟ ଆକର୍ଷଣରେ ତାର ବାହୁ ଉପରେ ଢଳିପଡ଼ିଲା ସୁନନ୍ଦା । ସମଗ୍ର ଶରୀରରେ ମୁହୂର୍ତ୍ତକ ଭିତରେ ଖେଳିଗଲା ଉତ୍ତେଜନାର ଏକ କଲ୍ଲୋଳମୟୀ ସ୍ରୋତ-ହଜିଗଲା ମନରୁ ତାର ରିକ୍ତତା- ଲୁଚିଗଲା ମନ ଭିତରେ ପୂର୍ବର ବ୍ୟଥା ଓ ବେଦନା । ବ୍ୟାକୁଳ ହୃଦୟ ପ୍ରଶମିତ ହେଲା ପ୍ରିୟତମର ଆକାଂକ୍ଷିତ ସ୍ପର୍ଶରେ- ସ୍ନିଗ୍‌ଧ ସେ ସ୍ପର୍ଶ ।

 

ଶୁଭେନ୍ଦୁ ତାର କାନେ କାନେ କହିଲା- ‘‘କଣ ଦବ ସୁ ?’’

 

ନିରୁତ୍ତର ହୋଇ ବସି ରହିଥିଲା ସୁନନ୍ଦା । ଅନ୍ତର ଭିତରେ ଅନୁଭବ କରୁଥିଲା ଅବ୍ୟକ୍ତ ଆନନ୍ଦ ।

 

ଅନାଘ୍ରାତ ଯୌବନର ପହିଲି ଆକର୍ଷଣ- ପ୍ରଦୀପର ପ୍ରଥମ ପ୍ରଦୀପ୍ତ ଶିଖା- ସଦ୍ୟ ପ୍ରସ୍ଫୁଟିତ ଶତଦଳର ପ୍ରଥମ ସୁରଭି ।

 

ଉତ୍ତେଜନା ଓ ଉଷ୍ମତାରେ ଭରିଯାଇଥିଲା ଶୁଭେନ୍ଦୁର ସମଗ୍ର ଶରୀର, ପ୍ରଣୟ-ପିପାସା ହୋଇ ଉଠିଥିଲା ଉଦ୍ଦ୍‍ବେଳନ । ସେ ସୁନନ୍ଦାକୁ ନିଜ ପ୍ରଶସ୍ତ ବକ୍ଷ ଉପରେ ଆଶ୍ରୟ ଦେଉଁ ଦେଉଁ, ସ୍ୱପ୍ନଭଙ୍ଗ ପରେ ଜାଗ୍ରତ ମଣିଷ କ୍ଷିପ୍ତ ହୋଇ ଉଠିଲା ପରି ଉତ୍‌କ୍ଷିପ୍ତ ହୋଇଉଠି ଶୁଭେନ୍ଦୁର ଆଲିଙ୍ଗନ ଭିତରୁ ନିଜକୁ ମୁକ୍ତ କରିଆଣିଲା ସୁନନ୍ଦା । ଦୁଇ ହାତ ଦୂରକୁ ଘୁଞ୍ଚି ଯାଇ ଯେତେବେଳେ ଛିଡ଼ାହେଲା ସେ, ତାର ସର୍ବାଙ୍ଗ ଏକ ଅପୂର୍ବ ଆବେଗମୟ ଉତ୍ତେଜନାରେ କମ୍ପୁଥିଲା କେବଳ ।

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ଶୁଭେନ୍ଦୁ । ନାରୀ-ଚରିତ୍ର ବୋଧଗମ୍ୟ ହେଉ ନ ଥିଲା ତାର । ସାତତାଳ ପାଣି ପରେ ତିନିତାଳ ପଙ୍କ ଭିତରୁ ମଣି ଉଦ୍ଧାର କରିବା ପାଇଁ ଉଦ୍ୟମ କରିବାକୁ ହେବ ତାକୁ ।

 

ଭାବିଲା ସୁନନ୍ଦା- କଣ କରିବାକୁ ଯାଉଥିଲା ସେ ? କ୍ଷଣକର ଉତ୍ତେଜନାରେ ଆତ୍ମନିବେଦନ କରୁଥିଲା କାହିଁକି ? ସେଥିରେ ତାର ଅଧିକାର ନାହିଁ । ସେ ପ୍ରାପ୍ୟ ତାର ନୁହେଁ । ଏଡ଼େ ସୌଭାଗ୍ୟ ତାର ପୋଡ଼ା କପାଳରେ କାହୁଁ ଆସିବ?

 

‘‘ସୁ.....!’’ ସୁନନ୍ଦାର ପାଖକୁ ଲାଗି ଯାଉ ଯାଉ ଡାକିଲା ଶୁଭେନ୍ଦୁ ।’’

‘‘ନା....ନା....ନା, ମୁଁ ଯୋଗ୍ୟ ନୁହେଁ, ମୁଁ ନିଃସ୍ୱ, ମୁଁ ବିଧବା ।’’

 

କଇଁ କଇଁ ହୋଇ କାନ୍ଦି ଉଠିଲା ସୁନନ୍ଦା । ଶୁଭେନ୍ଦୁ ତାକୁ ପାଖକୁ ଟାଣିନେଇ ସାନ୍ତ୍ୱନା ଦେବା ପୂର୍ବରୁ କ୍ଷିପ୍ର ପଦ କ୍ଷପରେ କକ୍ଷ ତ୍ୟାଗ କରି ନିଜ ଶୋଇବା କୋଠରି ଭିତରେ ଯାଇ ପ୍ରବେଶ କଲା ସୁନନ୍ଦା ।

 

ନିର୍ବାକ ନିଷ୍ପନ୍ଦ ଭାବରେ ଛିଡ଼ା ହୋଇ ରହିଲା ଶୁଭେନ୍ଦୁ ।

ପାଖ ଘରୁ ସୁନନ୍ଦାର ଉଚ୍ଛ୍ୱସିତ କ୍ରନ୍ଦନ ସ୍ପଷ୍ଟ ଶୁଣାଯାଉଥିଲା ।

•••

 

୧୨

 

କୋର୍ଟ ବନ୍ଦ ଥିଲା । ଆରାମଚୌକିଟାରେ ବସିରହି ଭାବୁଥିଲା ବିଜୟ । ଆକାଶରେ ସହସ୍ର ତାରକା ଆଖିମିଟିକା ମାରିଲା ପରି ମନ ଭିତରେ କେତେ ଭାବନା ଉଦୟ ହେଉଥିଲା ତାର-। ଏଇ କେତେ ମାସ ଭିତରେ ବହୁତ ଉପଭୋଗ କରିଛି ସେ । କିନ୍ତୁ ବହୁତ ଉପଭୋଗ କରିଛି ବୋଲି ପ୍ରାୟ ଅନୁଭବ କରି ପାରିନି । ଯୌବନର ପ୍ରାଚୁର୍ଯ୍ୟ ଉଦ୍ଦାମ ହୋଇଉଠିଛି- କୂଳ ନ ମାନି ଉତ୍ତାଳ ନଦୀ ପରି ବୋହିଯାଇଛି । ଗତ କେତେ ମାସର ଘଟଣାଗୁଡ଼ିକ ଭିତରେ ବିଜୟର ମୁଖ୍ୟତଃ ମନେପଡ଼ିଥିଲେ ମାଧୁରୀ, ତନ୍ୱୀ ଦାସ ଓ ସ୍ତ୍ରୀ ନନ୍ଦିତା ।

 

ସୂର୍ଯ୍ୟର ଉଦୟୋତ୍ସବରେ ତାରକା ଯେପରି ନିଷ୍‌ପ୍ରଭ ଓ କ୍ରମେ ଅଦୃଶ୍ୟ ହୋଇଯାଏ, ମାଧୁରୀ ଓ ତନ୍ୱୀ ଦାସର କଥା ସ୍ମରଣ କଲାକ୍ଷଣି ଆପେ ଆପେ ତାର ମନରୁ ପୋଛି ହୋଇଯାଏ ନନ୍ଦିତା । ତଥାପି ଥରେ ଥରେ ନିର୍ମଳ ଆକାଶକୁ ମେଘ ଆଚ୍ଛନ୍ନ କରି ଆଗାମୀ ଝଡ଼ର ସୂଚନା ଦେଲା ପରି ନନ୍ଦିତା ତାର ନିର୍ମେଘ ମନକୁ ଆକ୍ରାନ୍ତ କରୁଥିଲା । ଏହାସତ୍ତ୍ୱେ ସେ ନନ୍ଦିତାର ସମସ୍ତ ବାଧାବିଘ୍ନକୁ ଅତି ହେୟ ଜ୍ଞାନ କରୁଥିଲା । ଫଳରେ ମନରାଜ୍ୟକୁ ନନ୍ଦିତାର ଯେପରି ଅନାଦୃତ ଓ ଅନାକାଂକ୍ଷିତ ଆଗମନ, ସେହିପରି ପ୍ରୟୋଜନହୀନ ତାର ପ୍ରତ୍ୟାଗମନ । ବିଜୟର ଛନ୍ଦୋମୟ ଜୀବନରେ ଛନ୍ଦର ପତନ ଘଟାଏ ନନ୍ଦିତାର ସ୍ମୃତି; କିନ୍ତୁ ତାହା ସ୍ୱପ୍ନ ପରି କ୍ଷଣିକ ଓ ଅଳୀକ ମାତ୍ର ।

 

ତନ୍ୱୀ ଦାସର କଥା ମନେପଡ଼ିଲେ ଉତ୍ତାଳ ହୋଇଉଠେ ବିଜୟର ମନ । ଆଜି ସେଇ କଥା ମନେପଡ଼ୁଛି ତାର । ସେ ଦିନ ଭୁବନେଶ୍ୱରର ଖଣ୍ଡଗିରି ଗୁମ୍ଫାଭିତରେ ମିଳନ ଉତ୍ସବ ହୋଇଥିଲା ଅତି ଚମତ୍କାର । ପାଲି ଭାଷାରେ ଖୋଦିତ ବିଭିନ୍ନ ଶ୍ଳୋକଗୁଡ଼ିକୁ ପଢ଼ିବାର ଛଳନା ପ୍ରକାଶ କରି ଯେତେବେଳେ ନିର୍ଜ୍ଜନ ଏକ ଗୁମ୍ଫାଭିତରେ ବିଜୟ ସହିତ ପ୍ରବେଶ କଲା ତନ୍ୱୀ, ସେତେବେଳେ ବିଜୟର ତାରୁଣ୍ୟ କ୍ଷିପ୍ତ ହୋଇ ଉଠିଥିଲା ପ୍ରାୟ । ସେ ତନ୍ୱୀର ସରୁ, ନରମ ଓ ରକ୍ତାଭ ଅଙ୍ଗୁଳିଗୁଡ଼ିକୁ ନିଜ ମୁଠା ଭିତରେ ରଖି ଚାପି ଦେଉଁ ଦେଉଁ କହିଥିଲା–‘‘ତନ୍ୱୀ.....’’

 

ତାର ଜାଲରେ ବିଜୟ ବନ୍ଦୀ ହେଲା ଜାଣି ମନେ ମନେ ହସିଥିଲା ତନ୍ୱୀ । ବିଜୟର ଆକର୍ଷଣକୁ ଦ୍ୱିଗୁଣିତ କରି ତାର ଛାତି ଉପରେ ନିଜକୁ ଲୋଟାଇ ଦେଇ ତୃଷିତ ନୟନରେ ଚାହିଁ କହିଥିଲା ତନ୍ୱୀ- ‘‘ମୋତେ ଭଲପାଅ ବିଜୟ ?’’

 

ବିଜୟ ତାର ଉତ୍ତର ଦେଇଥିଲା ଗୋଟିଏ ଉତ୍ତାପମୟ ନିଃସଙ୍କୋଚ ଚୁମ୍ୱନରେ । ସେଦିନ ସେହି ପ୍ରାଣହୀନ ପ୍ରସ୍ତରଗୁହା ଜୀବନ୍ତ ହୋଇ ଉଠିଥିଲା ବିଜୟ ଓ ତନ୍ୱୀ ଦାସର ମିଳନରେ-। ଦୁଇଟି ଦେହର ନିବିଡ଼ ସ୍ପର୍ଶରେ ତାରୁଣ୍ୟର ଉତ୍ତାପମୟ ଏକ ମୁହୂର୍ତ୍ତ ନିଷ୍‌କ୍ରାନ୍ତ ହୋଇଯାଇଥିଲା ସ୍ପର୍ଶକୁ ନିବିଡ଼ତର କରି ।

 

କିନ୍ତୁ ସେ କଥା ଯେତିକି ଭାବେ ବିଜୟ ସେତିକି ମନେହୁଏ ତାର, ଯେପରି ସେ ଚାହେଁ ଆହୁରି ଅନେକ ବେଶୀ । ସେହି ଆଦିମ କ୍ଷୁଧାର ନିବୃତ୍ତି ପାଇଁ ସେ ଚାହେଁ ଚିରଦିନ ପାଇଁ ସୁନ୍ଦରୀ ମାଧୁରୀକୁ । କିନ୍ତୁ ମାଧୁରୀ କଥା ସ୍ମରଣ କଲାକ୍ଷଣି ମନେହୁଏ ବିଜୟର ତାହା ଯେପରି କଷ୍ଟଲବ୍‌ଧ-ବହୁ ଆକାଂକ୍ଷିତ । ତନ୍ୱୀ ଦାସର ସ୍ମୃତି ନିଷ୍ପ୍ରଭ ହୋଇଯାଏ ତା ଆଗରେ । ଉତ୍ତାପହୀନ, ଉଦ୍ଦାମହୀନ ବନ୍ଧନ ମାଧୁରୀ ସହିତ । କିନ୍ତୁ ତଥାପି କାହିଁକି ତାହାହିଁ କାମ୍ୟ ବୋଲି ମନେହୁଏ ବିଜୟର ।

 

ଏହାହିଁ ମଣିଷର ପ୍ରକୃତି । ଯାହା ସହଜଲବ୍‌ଧ, ତାହା ଅଳ୍ପ ସମୟ ପରେ ହୁଏ ଅନାଦୃତ । ଯାହା କଷ୍ଟଲବ୍‌ଧ, ଯେଉଁଥିପାଇଁ ଆବଶ୍ୟକ ଉଦ୍ୟମ, ଯେଉଁଥିରେ ଆଶା ଅପେକ୍ଷା ହତାଶା ପାଇବାରହିଁ ସଙ୍କେତ ଥାଏ ଅଧିକ- ସେଥିପାଇଁ ପାଗଳ ହୁଏ ମଣିଷର ମନ । ଶୁଭେନ୍ଦୁ ସହିତ ମାଧୁରୀର ସମ୍ପର୍କ ବିଜୟକୁ ପ୍ରତିଦ୍ୱନ୍ଦ୍ୱୀ କରିଛି; କିନ୍ତୁ ପ୍ରତିରୋଧ କରିପାରିନାହିଁ । ବରଂ ପୂର୍ବାପେକ୍ଷା ଅଧିକ ପ୍ରଚେଷ୍ଟା, ଅଧିକ ଯତ୍ନ କରିବାକୁ ଅଗ୍ରସର ହୋଇଛି ବିଜୟ ।

 

ଏହି କଥାଗୁଡ଼ିକ ଭାବି ଭାବି ଭାରାକ୍ରାନ୍ତ ହୋଇ ଉଠିଥିବା ମନଟାକୁ ଲଘୁ କରିବାପାଇଁ ନରେନ୍ଦ୍ର ବାବୁଙ୍କ ଘର ଉଦ୍ଦେଶ୍ୟରେ ବାହାରି ପଡ଼ିଲା ସେ ।

 

ମାଧୁରୀକୁ ପ୍ରଥମେ ଦେଖିବାର ଆଶା ପୋଷଣ କରି ଯାଇଥିଲେ ମଧ୍ୟ ନରେନ୍ଦ୍ର ବାବୁଙ୍କୁହିଁ ପ୍ରଥମେ ଦେଖିଲା ସେ । ନରେନ୍ଦ୍ର ବାବୁ ତାଙ୍କର ଆଉ ଜଣେ ବନ୍ଧୁଙ୍କ ସହିତ ଆଳାପ କରୁଥିଲେ ସେତେବେଳେ । ବିଜୟକୁ ଦେଖି ଆନନ୍ଦର ସହିତ ଅଭ୍ୟର୍ଥନା କରି କହିଲେ- ‘‘ବିପ୍ର, ଏହି ହେଉଛନ୍ତି ବିଜୟ; ‘ଲ’ ପାଶ୍‌ କରି ଓକିଲାତି ଆରମ୍ଭ କରିଛନ୍ତି । ସଭା ସମିତିରେ ବକ୍ତୃତା ଦେବାରେ ନାମ ଅଛି ତାଙ୍କର- ତୁମେ ଶୁଣିଥିବ ଅବଶ୍ୟ ।’’

 

ହସି ହସି ବିପ୍ରଚରଣ ବିଜୟର ନମସ୍କାର ଗ୍ରହଣ କରି କହିଲେ- ‘‘ତୁମକୁ ଦେଖି ବଡ଼ ଖୁସି ହେଲି ବାବା ! ତୁମକୁ ଦେଖିବାର ସୁଯୋଗ ହୋଇ ନ ଥିଲା କେବେ । ତୁମ ବାପାଙ୍କ ସହିତ ମୋର ବେଶ୍‌ ପରିଚୟ ଥିଲା । ଏତେ ଶୀଘ୍ର ଯେ ତୁମେ ପିତୃହରା ହେବ କିଏ ଜାଣିଥିଲା ବିଜୟ-?’’

 

ନମ୍ରତା ପ୍ରକାଶ କରି ଉଦ୍ଦେଶ୍ୟ-ସିଦ୍ଧିର ଗୋଟାଏ ଉପାୟ ସ୍ମରଣମାତ୍ରେ କହି ପକାଇଲା ବିଜୟ- ‘‘ବାପା ନାହାନ୍ତି ସତ, କିନ୍ତୁ ଏଠାକୁ ଆସି ପରିଚିତ ହେବା ପରେ ସେ ଦୁଃଖ ଭୁଲିଯାଇଛି ପୂରାପୂରି ।’’

 

ବିପ୍ରବାବୁ ବୁଝିଲେ ସେ କଥା । ନରେନ୍ଦ୍ର ବାବୁ ଯେ ବିଜୟ ହସ୍ତରେ ମାଧୁରୀକୁ ସମର୍ପଣ କରିବାର ସଂକଳ୍ପ କରି ସାରିଛନ୍ତି, ଏହି ଅଳ୍ପକ୍ଷଣ ପୂର୍ବରୁ ତାଙ୍କୁ କଥା-ପ୍ରସଙ୍ଗରେ କହି ସାରିଥିଲେ ସେ । ବିଜୟ ନରେନ୍ଦ୍ର ବାବୁଙ୍କୁ ନିଜ ପିତା ପରି ସମ୍ମାନ କରୁଛି ଏହା ମଧ୍ୟ ବୁଝିଲେ ବିପ୍ରଚରଣ । ତଥାପି ମନ ମାନିଲା ନାହିଁ ତାଙ୍କର । ସୁଠାମ, ସୁଗଠିତ ବିଜୟର ବିଦ୍ୟାବୁଦ୍ଧିର ଅବଶ୍ୟ ପରିଚୟ ପୂର୍ବରୁ ଜାଣିବାର ସୁଯୋଗ ହୋଇ ନ ଥିଲା ତାଙ୍କର । କିନ୍ତୁ ତାକୁ ଦେଖିବାକ୍ଷଣି, ତାର ନମ୍ର ବ୍ୟବହାର ଦେଖି, ସେ ଯେ ମୁଗ୍‌ଧ ହୋଇଥିଲେ ଏବଂ ସେହି ମୁହୂର୍ତ୍ତରେ ମନମଧ୍ୟରେ ଗୋଟିଏ ଆଶା ବିଜୁଳି ପରି ଖେଳି ଯାଇଥିଲା ତାଙ୍କର- ନିଜ କନ୍ୟା ତନ୍ୱୀ ସହିତ ବିଜୟର ଯଦି ବିବାହ ହୋଇପାରନ୍ତା ! କିନ୍ତୁ ପରକ୍ଷଣରେ ମନକଥା ମନରେ ମଉଳିଗଲା ତାଙ୍କର ।

 

ବିପ୍ରଚରଣ ଅବସରପ୍ରାପ୍ତ ଡେପୁଟି କଲେକ୍‌ଟର । ତନ୍ୱୀ ତାଙ୍କର ତୃତୀୟା କନ୍ୟା । ତନ୍ୱୀ ସହିତ ବିଜୟର ଘନିଷ୍ଠତା ସମ୍ବନ୍ଧରେ କିଛି ଜାଣି ନ ଥିଲେ ବିପ୍ରବାବୁ । ଝିଅମାନେ ତାଙ୍କର ଉଚ୍ଚଶିକ୍ଷିତା । ଏଣୁ ସେମାନଙ୍କର ମିଳାମିଶାରେ, ବନ୍ଧୁ ନିର୍ବାଚନରେ କେବେ ପରିଚୟ ଜିଜ୍ଞାସା କରି ପ୍ରତିବନ୍ଧକ ହେବାପାଇଁ ଚାହିଁ ନାହାନ୍ତି ସେ । ଫଳରେ ତାଙ୍କର ବିନା ଚେଷ୍ଟାରେ ଦୁଇଟି କନ୍ୟା ସତ୍‌ପାତ୍ରସ୍ଥ ହୋଇପାରିଛନ୍ତି । ତେଣୁ ତନ୍ୱୀ ପାଇଁ ସେ ଚିନ୍ତା ତାଙ୍କୁ କେବେହେଲେ ବ୍ୟସ୍ତ କରି ନ ଥିଲେ ମଧ୍ୟ, ଏବେ ମୁହୂର୍ତ୍ତକ ପାଇଁ ଚଞ୍ଚଳ କରି ପକାଇଲା ।

 

ବିଜୟ, ନରେନ୍ଦ୍ର ବାବୁ ଓ ବିପ୍ରଚରଣଙ୍କ ମଧ୍ୟରେ ଆଳାପ-ଆଲୋଚନା କ୍ରମଶଃ ନିଃସଙ୍କୋଚରେ ଚାଲିଲା ।

 

ସନ୍ଧ୍ୟା ହୋଇନାହିଁ । ଗରମ କମିଗଲାଣି, ତଥାପି ଅସ୍ୱସ୍ତିକର ବୋଧ ହେଉଛି ବାୟୁମଣ୍ଡଳ । ଏଇ କେତେଦିନ ଧରି ପ୍ରବଳ ଗରମ ପଡ଼ିଛି ଦେଶରେ- ବର୍ଷା ପ୍ରାୟ ହୋଇନାହିଁ କହିଲେ ଚଳେ । ମେଘମୁକ୍ତ ଆକାଶର ବକ୍ଷ ବିଦୀର୍ଣ୍ଣ କରି ପ୍ରଖର ସୂର୍ଯ୍ୟରଶ୍ମି ଜାଳି ଦେଇଯାଉଛି ଭୂଇଁକୁ ।

 

ନାନାଦି କଥାବାର୍ତ୍ତାର ଆଲୋଚନା ପ୍ରସଙ୍ଗରେ କହିଲେ ବିପ୍ରଚରଣ- ‘‘ଏ ବର୍ଷ ଖଜଣା ଓ ଭାଗଚାଷ ଧାନ ମୁଠିକ ମିଳିବାର ଆଉ ଆଶା ନାହିଁ ନରେନ୍ଦ୍ର !’’

 

ନରେନ୍ଦ୍ର ବାବୁ ନିଜର ନିଶ ଉପରେ ହାତ ବୁଲାଉ ବୁଲାଉ କହିଲେ- ‘‘ଯାହା ବା ମିଳନ୍ତା, ଏଇ ଯେ ଦଳେ ଦେଶସେବୀ ବାହାରିଛନ୍ତି ଏମାନଙ୍କ ଯୋଗୁ ଆଉ ମିଳିପାରିବ ନାହିଁ ବିପ୍ର ! ଏ ବର୍ଷ ତ ବର୍ଷା ଆଦୌ ନାହିଁ କହିଲେ ଚଳେ; କିନ୍ତୁ ଆମକୁ ପୁଣି ବଞ୍ଚିବା ପାଇଁ ହେବ ତ ?’’

 

ବିଜୟ ଆଲୋଚନାରେ ଯୋଗଦେଇ କହିଲା- ‘‘ସେମାନେ ଯେତେବେଳେ ଜମିଦାରୀ ନେବାପାଇଁ ଅତିଷ୍ଠ ହୋଇପଡ଼ିଲେ, ଯେତେବେଳେ ନୂଆ ଆଇନ୍‌ କରି ଭାଗଚାଷର ଅଂଶ ହ୍ରାସ କରୁଥିଲେ- ଆପଣମାନଙ୍କ ପାଇଁ ଟିକିଏ ଦୟା ବା ସହାନୁଭୂତି ନ ଥିଲା ସେମାନଙ୍କର । ଆଜି ତେବେ କାହିଁକି ସେମାନଙ୍କର ଦୁର୍ଦ୍ଦଶା ବିଚାର କରିବେ ଆପଣମାନେ ? ସେମାନଙ୍କର ତଥାକଥିତ ରକ୍ଷକମାନେ ଚଳାନ୍ତୁ ସେମାନଙ୍କୁ ।’’

 

ଏହି ସମୟରେ ବିପ୍ରଚରଣ ଉତ୍ତେଜିତ ସ୍ୱରରେ କହିଲେ- ‘‘ନିଶ୍ଚୟ, ନିଶ୍ଚୟ ! ତୁମେ ଯଦି ସେମାନଙ୍କର ନେତା ବୋଲାଉଥିବା ଲୋକଗୁଡ଼ାଙ୍କୁ ଚିହ୍ନିବ ବିଜୟ, ତିଳେ ଦୟା ବା କରୁଣା ହେବନାହିଁ ତୁମର ।’’

 

ନରେନ୍ଦ୍ର ବାବୁ କହିଲେ- ‘‘କେବଳ ସେତିକି ହୋଇଥିଲେ ତ ରକ୍ଷାଥାନ୍ତା ବିପ୍ର ! ସେମାନେ ବର୍ତ୍ତମାନ ପୁଣି ଯେ ନୂଆ ନୂଆ ଫନ୍ଦି ବାହାର କରି ଆମର ଯାହା ଅଛି ତାହା ହସ୍ତଗତ କରିବା ପାଇଁ ଆସିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ମୋର । ଭାଗ ଧାନ ତ ମିଳିବ ନାହିଁ, ତା ଉପରେ ପୁଣି ଦିଅ ଚାନ୍ଦା, ମୁଷ୍ଟିଭିକ୍ଷା...’’

 

ଏହି ସମୟରେ ଦ୍ୱାରଦେଶରେ ଦୁଇ ତିନୋଟି ଯୁବକଙ୍କର ଉପସ୍ଥିତି ଜାଣି ପଚାରିଲା ବିଜୟ- ‘‘କଣ ଚାହଁ...’’

 

ସେ ଭିତରୁ ଜଣେ ଆଗକୁ ଯାଇ କହିଲା- ‘‘ନରେନ୍ଦ୍ରବାବୁଙ୍କ ପାଖରେ କାମ ଥିଲା ଟିକିଏ...’’ । ଆଶ୍ଚର୍ଯ୍ୟ ନ ହୋଇ ନରେନ୍ଦ୍ର ବାବୁ ସାମାନ୍ୟ ତିକ୍ତ ସ୍ୱରରେ କହିଲେ- ‘‘ଆସିଛ ଯେତେବେଳେ ସେ ତ ବୁଝାପଡ଼ୁଛି । କିନ୍ତୁ କଣ କାମଟା କୁହ ତ ଆଗ ?’’

 

ଇଙ୍ଗିତ ପାଇ ତାଙ୍କୁ ସମସ୍ତ କଥା କହିବା ପାଇଁ ଆଗେଇଗଲା ଯେଉଁ ଯୁବକଟି, ତାକୁ ଦେଖି ଚମକି ପଡ଼ିଲା ବିଜୟ । ସେ ହେଉଛି ଶୁଭେନ୍ଦୁ ।

 

କଥା ହେଉଛି- ଓଡ଼ିଶାରେ ବର୍ଷା ନ ହୋଇ ମରୁଡ଼ିଜନିତ ଯେଉଁ ଦାରୁଣ ପରିସ୍ଥିତି ଉପୁଜିଛି, ତାକୁ ସୁଧାରି କ୍ଷୁଧାର୍ତ୍ତମାନଙ୍କୁ ସାହାଯ୍ୟ ଦେବାପାଇଁ ସମିତି ଗଠନ ହୋଇଛି । ଶୁଭେନ୍ଦୁ ତାର ଜଏଣ୍ଟ ସେକ୍ରେଟେରୀ । ସେ ସମିତିର ଆଉ ଦୁଇଜଣ ଉତ୍ସାହୀ ଯୁବକଙ୍କୁ ନେଇ ଅବସ୍ଥାସମ୍ପନ୍ନ ବ୍ୟକ୍ତିମାନଙ୍କ ଘରକୁ ଯାଇ ଧାନ, ଚାଉଳ, ଟଙ୍କାପଇସା ସାହାଯ୍ୟ ପ୍ରାର୍ଥନା କରୁଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛି କଟକ ବିଜ୍ଞାନ କଲେଜର ଉପାଧ୍ୟୁତ୍ତର ଶ୍ରେଣୀର ଛାତ୍ର ଶ୍ରୀ ଅମର ମହାନ୍ତି ଓ ଅନ୍ୟ ଜଣେ ସହରର ତରୁଣ କର୍ମୀ ମାନବ ମିଶ୍ର ।

 

ଶୁଭେନ୍ଦୁ ସୁସ୍ପଷ୍ଟ କଣ୍ଠରେ କହିଲା, ‘‘ଆମେ ଦୁର୍ଭିକ୍ଷ ସାହାଯ୍ୟ ସମିତି ତରଫରୁ ଆସିଛୁ ଆପଣଙ୍କ ନିକଟକୁ । ମରୁଡ଼ି ହୋଇ ଦେଶରେ ଯେଉଁ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି, ଆପଣଙ୍କୁ ଅଜଣା ନାହିଁ । ଏପରି ପରିସ୍ଥିତିରେ ଦେଶର ଶତ ଶତ ନିରନ୍ନ ନରନାରୀ କେବଳ ଆପଣଙ୍କ ପରି ବଦାନ୍ୟ ବ୍ୟକ୍ତିଙ୍କ ମୁହଁକୁ ଚାହିଁ ରହିଛନ୍ତି ।’’

 

ତାର କଥା ଶେଷ ହେବା ପୂର୍ବରୁ କକ୍ଷକୁ ବ୍ୟଙ୍ଗ ହାସ୍ୟରେ ମୁଖରିତ କରି ନରେନ୍ଦ୍ର ବାବୁ କିଛି କହିବା ପୂର୍ବରୁ କହିଲା ବିଜୟ- ‘‘ଏହି ତ ଆଜ୍ଞା, ଆପଣଙ୍କ କଥା ଶେଷ ନ ହେଉଣୁ ଏମାନଙ୍କର ଆବିର୍ଭାବ ହେଲାଣି । ଆଜିକାଲି କେତେକ ବେକାର ଯୁବକଙ୍କର ଏ ହେଉଛି ଏକ ଜୀବିକା ।’’

 

ଶୁଭେନ୍ଦୁ ବିଜୟର କଥାପ୍ରତି ତିଳେମାତ୍ର ଭ୍ରୂକ୍ଷେପ ନ କରି ନରେନ୍ଦ୍ର ବାବୁଙ୍କୁ ଲକ୍ଷ୍ୟକରି ଭଦ୍ର ଭାବରେ କହିଲା- ‘‘ଆପଣ ଯଦି ଆଜି ବ୍ୟସ୍ତ ଅଛନ୍ତି ଅନ୍ୟ ସମୟରେ ଆମେ ଆସିପାରୁ ଆଜ୍ଞା !’’

 

ନରେନ୍ଦ୍ର ବାବୁ ସାମାନ୍ୟ ବିରକ୍ତିମିଶା ସ୍ୱରରେ କହିଲେ- ‘‘ଆଉ ଆସିବା ଦରକାର ନାହିଁ ବାବୁ- ତୁମେ ବର୍ତ୍ତମାନ ଯାଇପାର । ମୁଁ ସାହାଯ୍ୟ ଦେଇ ଭିକ୍ଷୁକ ବଢ଼ାଇବା ସପକ୍ଷରେ ନୁହେଁ ।’’

 

ଶୁଭେନ୍ଦୁ ଧୀରେ ଅଥଚ ଦୃଢ଼ କଣ୍ଠରେ କହିଲା- ‘‘ଆପଣ ଭୁଲ ବୁଝିଛନ୍ତି ଆଜ୍ଞା ! ଦେଶର ଶତସହସ୍ର ନିରନ୍ନ ମୁଖରେ ମୁଠିଏ ଆହାର.....’’

ତାକୁ କଥା ଶେଷ କରିବା ପାଇଁ ନ ଦେଇ ବ୍ୟଙ୍ଗୋକ୍ତି କରି କହିଲା ବିଜୟ- ‘‘ଶତସହସ୍ର ନିରନ୍ନ ଲୋକ-ତୁମେ ତାଙ୍କର ନେତା । ତୁମର କର୍ତ୍ତବ୍ୟ ଥାଇପାରେ, କିନ୍ତୁ ଯେଉଁମାନଙ୍କ ବିରୁଦ୍ଧରେ ସଭାସମିତିରେ ଏହି ନିରନ୍ନ ଜନତାକୁ ପଦ୍ମଭୁକ୍‌ ନେତାମାନେ ବାଣୀ ଶୁଣାଇ ବିଷ ଉଦ୍‌ଗାରଣ କରନ୍ତି, ସେତେବେଳେ ସେମାନେ ତାଙ୍କର ଦୈନ୍ୟର କାରଣ ବୁଝନ୍ତି ନାହିଁ କାହିଁକି ?’’

କଥା ମଝିରେ ବିଜୟର ବାରମ୍ୱାର ଅଯଥା ଆକ୍ରୋଶମୂଳକ ଆକ୍ରମଣ ଦେଖି ଧୈର୍ଯ୍ୟଚ୍ୟୁତି ହେଉଥିଲା ଶୁଭେନ୍ଦୁର । କିନ୍ତୁ ଏଥର ମଧ୍ୟ ନିଜକୁ ଯଥାସମ୍ଭବ ସଂଯତ କରି ଉତ୍ତର କଲା- ‘‘ଯେଉଁମାନେ ଧନୀ, ଜମିଦାର, ସେମାନଙ୍କର ସମାଜ ପ୍ରତି ଗୋଟାଏ କର୍ତ୍ତବ୍ୟ ଅଛି ଆଜ୍ଞା ! ଦେଶର ଶତ ସହସ୍ର....’’

କଥାରେ ପୁଣି ବାଧାଦେଲା ବିଜୟ- ‘‘ତୁମେ ଯାଅ ଶୁଭେନ୍ଦୁ । ତୁମର କାମ ନ ଥାଇପାରେ; କିନ୍ତୁ ଅନ୍ୟମାନଙ୍କର ଯେ କିଛି କାମ ଅଛି ଏହା ଭୁଲିଯାଅ କାହିଁକି ?’’

ଏଥର ଆଉ ଧୈର୍ଯ୍ୟ ଧରିପାରିଲା ନାହିଁ ସେ । ତୀବ୍ରକଣ୍ଠରେ ବିଜୟକୁ ଚାହିଁ କହିଲା- ‘‘ଆପଣଙ୍କୁ ଏଠାରେ ତୃତୀୟ ବ୍ୟକ୍ତି ଭାବରେ ମୁଁ ମନେକରେ ବିଜୟବାବୁ ! ଆପଣଙ୍କ ମତାମତ ମୁଁ ଶୁଣିପାରେ; କିନ୍ତୁ ତାହା ଅଯାଚିତ ।’’

ବିଜୟ ରାଗରେ ଜଳି ଉଠିଲା ଶୁଭେନ୍ଦୁର ମନ୍ତବ୍ୟ ଶୁଣି । ଏହି ଉଦ୍ଧତ ଯୁବକକୁ ଶାସ୍ତି ଦେବାପାଇଁ ଇଚ୍ଛା ହେଲା ତାର । କିନ୍ତୁ ନରେନ୍ଦ୍ର ବାବୁ ବିଜୟକୁ ବିପନ୍ନ ମଣି କହିଲେ- ‘‘ତୁମେ ଆସିପାର ବାବୁ; ଦାନ-ଧର୍ମ କରିବା ମୋ ଅଭ୍ୟାସ ବାହାରେ, ବିଶେଷତଃ ଏହି ଉଦ୍ଦେଶ୍ୟରେ ।’’

ଶୁଭେନ୍ଦୁ ଶୁଷ୍କ ହସଟିଏ ହସି ନମସ୍କାର କରି ବାହାରି ଯିବାକୁ ଉଦ୍ୟମ କରୁଛି, ହଠାତ୍‌ ବିଜୟ କହି ଉଠିଲା- ‘‘ତୁମର ଦରକାର ଥିଲେ ସାହାଯ୍ୟ ମାଗିପାର; କିନ୍ତୁ ‘ସାହାଯ୍ୟ ସମିତି’ ନାମ ଦେଇ ଟଙ୍କା କିପରି ଆତ୍ମସାତ୍‌ କରାଯାଏ ତାହା ଅଜଣା ନାହିଁ ମୋତେ ।’’

ପଛରୁ ବେତ୍ରାଘାତ କଲେ ମଣିଷ ଯେପରି ଚମକି ପଡ଼ି ଫେରିଚାହେଁ, ଶୁଭେନ୍ଦୁ ସେହିପରି ଭାବରେ ପଛକୁ ଫେରି ଚାହିଁଲା । ତାର ଆଖିରୁ ସେତେବେଳେ ଅଗ୍ନି ବର୍ଷୁଥିଲା । ବ୍ୟକ୍ତିତ୍ୱ ଓ ନିଷ୍ଠାର ଅପମାନ, ତାର ଦାରିଦ୍ର୍ୟ ପ୍ରତି ବାରମ୍ୱାର ବିଜୟର କଟାକ୍ଷ, ତାକୁ ଉତ୍ତେଜିତ କରିଦେଲା । ତାର ମନେହେଲା ଯେପରି ସେ ଆଜି ଶାସ୍ତି ନ ଦେଇ ଛାଡ଼ିଦେବ ନାହିଁ ।

ଶୁଭେନ୍ଦୁ ଆଗେଇ ଯାଉଛି ।

ସେ ପାଖ ପର୍ଦ୍ଦା ହଲିବାର ଦେଖାଗଲା । କିନ୍ତୁ ବିଜୟ, ନରେନ୍ଦ୍ର ବାବୁ ବା ବିପ୍ରଚରଣ କେହି ତାହା ଲକ୍ଷ୍ୟ କରିପାରିଲେ ନାହିଁ । ଶୁଭେନ୍ଦୁ କହିବାକୁ ଆରମ୍ଭ କରିବା ପୂର୍ବରୁ ପର୍ଦ୍ଦା ଅନ୍ତରାଳରୁ ଆସି ପ୍ରକୋଷ୍ଠ ଭିତରେ ପିତାଙ୍କ ଚୌକି ପଛପଟେ ଛିଡ଼ାହେଲା ମାଧୁରୀ । ଚାହାଣୀରେ ଥିଲା ତାର ତୀବ୍ରତା; ସମଗ୍ର ମୁଖମଣ୍ଡଳ ଅସ୍ୱାଭାବିକ ଭାବରେ ରକ୍ତାଭ ହୋଇ ଉଠିଥିଲା ।

ନିମିଷକମାତ୍ରେ ତାର ଦୃଷ୍ଟି ମାଧୁରୀ ଉପରୁ ପ୍ରତ୍ୟାହାର କରି ବିଜୟକୁ ଚାହିଁ ରୁକ୍ଷ ଗଳରେ କହିଲା ଶୁଭେନ୍ଦୁ- ‘‘ଆପଣଙ୍କ ପରି ପରାନ୍ନଭୋଜୀଠାରୁ ଆତ୍ମପ୍ରତିଷ୍ଠା ପାଇଁ ମୁଁ ସାହାଯ୍ୟ ପ୍ରାର୍ଥନା କରେ ନାହିଁ ବିଜୟବାବୁ ! ଆପଣଙ୍କ ଆଭିଜାତ୍ୟ ଓ ଗର୍ବକୁ ବେତ୍ରାଘାତ କରିବାକୁ ଇଚ୍ଛା ହୁଏ ମୋର । ଆପଣ ଧନୀ ହୋଇପାରନ୍ତି; କିନ୍ତୁ ଆପଣ ମୋ ମତରେ ନୀଚ, ସ୍ୱୈଚ୍ଛାଚାରୀ, ସ୍ୱାର୍ଥପର ।’’

ଆହୁରି କଣ କହିଥାନ୍ତା ସେ । ରାଗ, ଘୃଣା ଓ ଆତ୍ମ-ଅପମାନରେ ସେତେବେଳେ ସର୍ବାଙ୍ଗ ଥରୁଥାଏ ଶୁଭେନ୍ଦୁର । କିନ୍ତୁ ତାକୁ ଅଧିକ କୁହାଇ ଦେଲାନାହିଁ ବିଜୟ । ସେ ପ୍ରାୟ ଚିତ୍‌କାର କରି କହିଉଠିଲା- ‘‘Stop, I say stop at that- ବାହାରି ଯାଅ ଏଠୁ, ନ ହେଲେ ଉପଯୁକ୍ତ ଶାସ୍ତି ପାଇବ ।’’ ସେ ନରେନ୍ଦ୍ର ବାବୁଙ୍କ ମୁହଁକୁ ଚାହିଁ କହିଲା- ‘‘ଆପଣଙ୍କ ଅନୁମତି ପାଇଲେ ଏଇ ମୁହୂର୍ତ୍ତରେ ମୁଁ ଏହି ଅଭଦ୍ରକୁ ଚାକରଦ୍ୱାରା ବାହାର କରିଦେବି ଆଜ୍ଞା !’’

ନରେନ୍ଦ୍ରବାବୁ କିଛି କହିବା ପୂର୍ବରୁ ମାଧୁରୀ ସ୍ପଷ୍ଟକଣ୍ଠରେ ପଛପଟୁ କହିଲା- ‘‘ତାର ଦରକାର ହେବ ନାହିଁ ବିଜୟ ବାବୁ ! ମୁଁ ତାଙ୍କୁ ବିଦାୟ କରିଦେଇ ଆସୁଛି ।’’ ଏହା କହି ଯେତେବେଳେ ଆଗକୁ ଅଗ୍ରସର ହେଲା ମାଧୁରୀ ବିପ୍ର, ନରେନ୍ଦ୍ର, ବିଜୟ ସମସ୍ତେ ବିସ୍ମୟବିମୂଢ଼ ଭାବରେ ଚାହିଁରହିଲେ ତାର ଗତିକୁ । ମାଧୁରୀ ପଛରେ ଛିଡ଼ା ହୋଇ ରହିଥିଲା; ଏଣୁ ତାର ଉପସ୍ଥିତି ଶୁଭେନ୍ଦୁ ବ୍ୟତୀତ ଆଉ କାହାରି ନୟନଗୋଚର ହୋଇ ପାରି ନ ଥିଲା ।

ମାଧୁରୀ ଆଗକୁ ଯାଇ ଗୋଟିଏ ଶହେଟଙ୍କିଆ ନୋଟ ଶୁଭେନ୍ଦୁକୁ ଦେଖାଇ କହିଲା- ‘‘ଆପଣ ସାହାଯ୍ୟ ସମିତି ତରଫରୁ ବିପନ୍ନମାନଙ୍କ ସାହାଯ୍ୟ ପାଇଁ ଆସିଥିଲେନା ? ଆପଣ ଅନୁଗ୍ରହ କରି ଯତ୍‌କିଞ୍ଚିତ୍‌ ଗ୍ରହଣ କରନ୍ତୁ ।’’

କିନ୍ତୁ ଅପମାନ ଓ ଜ୍ୱାଳାରେ ଦଗ୍‌ଧ ଶୁଭେନ୍ଦୁ ସେ ଦାନ ଗ୍ରହଣ କରିବା ଅପେକ୍ଷା ପ୍ରତ୍ୟାଖ୍ୟାନକୁ ହିଁ ମଣିଲା ଶ୍ରେୟସ୍କର । ସେ ଫେରଯିବା ପୂର୍ବରୁ କହିଗଲା କେବଳ- ‘‘ତୁମର ଦାନ ଗ୍ରହଣ କରିବା ପାଇଁ ମୁଁ ଅକ୍ଷମ ମାଧୁରୀ ! ଯେଉଁ ଅର୍ଥ ଅନ୍ୟର ତୋଷଣରେ ଉପାର୍ଜିତ, ଆଭିଜାତ୍ୟ ଅହଙ୍କାରରେ ଜର୍ଜ୍ଜରିତ, ତାହା ଏହିପରି ଭାବରେ ଦାନ କରି ଦାନୀ ବୋଲି ବାହାବା ପାଇବା ଆଗରୁ ମୁଁ ତାହା ପ୍ରତ୍ୟାଖ୍ୟାନ କରିଯିବି ।’’

 

ଏହା କହି ଉତ୍ତର ଶୁଣିବା ପାଇଁ ଅପେକ୍ଷା ନ କରି ଚଞ୍ଚଳ ପଦକ୍ଷେପରେ ଅନ୍ତର୍ହିତ ହୋଇଗଲା ଶୁଭେନ୍ଦୁ । ଆହତ ମାଧୁରୀ ନିର୍ବାକ୍‌ ନିସ୍ପନ୍ଦ ଭାବରେ ସେହିଠାରେ ଛିଡ଼ା ହୋଇ ରହିଲା-। ତାର ମନେହେଉଥିଲା ଯେପରି ପାଦତଳୁ ତାର ଭୂଇଁ ଖସି ଖସି ଯାଉଛି ।

 

ବିଜୟ ମାଧୁରୀକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା- ‘‘କି ଆସ୍ଫାଳନ ଲୋକଟାର ଦେଖୁଛନ୍ତି ଆଜ୍ଞା; କି ଗର୍ବ ତାର !’’

 

ସେତେବେଳେ ନିଜକୁ ଆଉ ସଂଯତ କରି ନ ପାରି ଦୃପ୍ତକଣ୍ଠରେ କହିଲା ମାଧୁରୀ- ‘‘ଭଲ କରିଛନ୍ତି, ଆପଣମାନଙ୍କ ପରି ପରାନ୍ନଭୋଜୀର ଅର୍ଥ ଗ୍ରହଣ ନ କରି ଧନ୍ୟବାଦାର୍ହ ହୋଇଛନ୍ତି ସେମାନେ ।’’ ଆଉ ଅଧିକ କହିବା ପାଇଁ ଧୈର୍ଯ୍ୟ ନ ଥିଲା ମାଧୁରୀର । ପ୍ରତ୍ୟାଖ୍ୟାନ ଜନିତ ଦୁଃଖ ଅବସାଦକୁ ସମସ୍ତଙ୍କ ଚକ୍ଷୁ ସମ୍ମୁଖରୁ ଲୁଚାଇ ରଖିବା ପାଇଁ ସେହି ମୁହୂର୍ତ୍ତରେ କକ୍ଷତ୍ୟାଗ କଲା ମାଧୁରୀ ।

 

ନରେନ୍ଦ୍ରବାବୁ କନ୍ୟାର ମନ ବୁଝିପାରି ଭୀତ ହେଲେ । ବିପ୍ରଚରଣ ମାଧୁରୀର ଅଯାଚିତ ଦାନ ପାଇଁ ଆଗ୍ରହ ଦେଖି ବିରକ୍ତ ହେଲେ । ବିଜୟ ମାଧୁରୀର ମନ୍ତବ୍ୟ ଶୁଣି ଅନ୍ୟ ଆଖିରେ ନ ହେଲେ ମଧ୍ୟ ନିଜ ଆଖିରେ ସଙ୍କୋଚ ଅନୁଭବ କଲା ।

 

ବିଜୟ ଯଥାସମ୍ଭବ ବିରକ୍ତି ପ୍ରକାଶ କରି କହିଲା- ‘‘ଯେ ନୀଚ, ଯାହାର ବଂଶାନୁକ୍ରମିକ ସଂସ୍କୃତି ନାହିଁ, ସେ ଅନ୍ୟକୁ ସମ୍ମାନ କରିପାରେନା । ଉପେକ୍ଷା କରିବାରେହିଁ ତାର ଆନନ୍ଦ । ଅସଦ୍‌ବ୍ୟବହାରହିଁ ତାର ଜନ୍ମଗତ ପ୍ରକୃତି ।’’

 

ନରେନ୍ଦ୍ର ବାବୁ ମାଧୁରୀ ପାଇଁ ଦୁଃଖିତ ହେଲେ ମଧ୍ୟ ବିଜୟର ଏହି କଥାଶୁଣି ଶୁଭେନ୍ଦୁ ପ୍ରତି ରାଗରେ ଜଳି ଉଠିଲେ । ତାଙ୍କର ନିଶ ଉପରେ ବାରମ୍ବାର ଅଙ୍ଗୁଳି ଚାଳନା କରି କହିଲେ- ‘‘ବୁଲାକୁକୁରଗୁଡ଼ାକର ପାଟି ବେଶୀ ବିଜୟ ! ଭାଗ୍ୟ ଭଲ ଚାଲିଗଲା ଟୋକାଟା, ନଚେତ୍‌ ବୁଝିଥାଆନ୍ତା ନରେନ୍ଦ୍ର ପଟ୍ଟନାୟକ କିଏ ?’’

 

ବିପ୍ରଚରଣ କହିଲେ- ‘‘କଥାରେ କଥାରେ ଆମକୁ ଆଘାତ କରିବା ପାଇଁ ଆସିଥିଲା ସେ- ଚାନ୍ଦା ନେବାଟା କେବଳ ଗୋଟାଏ ଆଳ ।’’

 

କଥା ବେଶୀ ସମୟ ଚାଲିଲା ନାହିଁ । ବିପ୍ରଚରଣ ବିଦାୟ ନେଲେ । ନରେନ୍ଦ୍ର ବାବୁ ଉପରକୁ ଗଲେ । ବିଜୟ ନିରାଶ ହୋଇ ସେହିଦିନ ପାଇଁ ବିଦାୟ ନେଲା ସେଠାରୁ ।

 

ରୁଦ୍ଧ କୋଠରି ଭିତରେ ଆହତା ମାଧୁରୀ ନୀରବରେ ଅଶ୍ରୁ ଗଡ଼ାଉଥିଲା ତା’ର ଜମିଦାରୀ ଆଭିଜାତ୍ୟର ପାପ ମୋଚନ ପାଇଁ ।

•••

 

୧୩

 

ବିଜୟ ଫେରିଯିବା ସଙ୍ଗେ ସଙ୍ଗେ ନନ୍ଦିତାର ସମସ୍ତ ଆଶା ଆକୁଳତା ଶିଥିଳ ହୋଇ ଆସିଲା । ମନର ସରାଗ ସାଥୀହୀନ ହୋଇ ଫେରିଗଲା । ଯେଉଁ ଅବଲମ୍ୱନକୁ ଆଶା କରି ଶେଷରେ ନିରାଶ ହେଲା ନନ୍ଦିତା, ତାଙ୍କ ପାଇଁ କିନ୍ତୁ ଅଶୁଭ ମନାସି ପାରିଲା ନାହିଁ । ଲୋତକ ଝରିଲା, କିନ୍ତୁ ତାହା ସ୍ୱାମୀକୁ ଅଭିଶପ୍ତ କରିବାପାଇଁ ନୁହେଁ; ସ୍ୱାମୀ ଦେହରେ ଲାଗିଥିବା ଧୂଳି-ବାଲିକୁ ଧୋଇ ପରିଷ୍କାର କରିଦେବା ପାଇଁ । ସେ ସ୍ୱାମୀର ବାଞ୍ଛିତ ନୁହେଁ, ସେ ପରିତ୍ୟକ୍ତା । ଏହି ଭାବନା ନନ୍ଦିତାର ସୁକୁମାର ଅଙ୍ଗ ଲାବଣ୍ୟ ଉପରେ ଯେଉଁ ମସୀ ବୋଳିଦେଇଗଲା, ତାହା ଅନ୍ୟ କେହି ଜାଣି ନ ପାରିଲେ ମଧ୍ୟ ଜାଣିଲା ନନ୍ଦିତା ! ତାର ବିରସ ବଦନକୁ ଚାହିଁ ଦୀର୍ଘନିଶ୍ୱାସ ଛାଡ଼ି ଆଉ ଜଣେ ତାହା ଅନୁଭବ କଲେ- ସେ ତାର ଶାଶୁ ।

 

ଦିନ ଗଡ଼ିଯାଏ । ସମୟର ରଥଚକ ଘୂରିଯାଏ । ମଣିଷ ଜୀବନର ପରିବର୍ତ୍ତନ ହୁଏ । ପ୍ରକୃତିର ପରିବର୍ତ୍ତନ ସହିତ ତାଳ ରଖି ନାନା ବୈଚିତ୍ର୍ୟମୟ ଘଟଣା ଘଟିଯାଏ ଦୁନିଆରେ ।

 

ଗ୍ରୀଷ୍ମ ଅତିକ୍ରାନ୍ତ ହୋଇଯାଇଛି । ବର୍ଷା ଆସିଛି । ଶ୍ରାବଣର ମୂଷଳ ଜଳଧାରା ପୃଥିବୀକୁ କର୍ଦ୍ଦମାକ୍ତ କରିନାହିଁ । ଏ ବର୍ଷ ବର୍ଷା ଅଭାବରେ ବିଲବାଡ଼ିରେ ପାଣି ନାହିଁ । ଚାଷୀକୁଳ ହାହାକାର କଲେଣି ।

 

ଇନ୍ଦ୍ର ଦେବତାର ଦୟା ଉପରେ ନିର୍ଭର କରି ଆସିଛନ୍ତି ଏ ଦେଶର ଚାଷୀକୁଳ । ଐରାବତ ହସ୍ତୀର କଳସରୁ ଜଳ ଝରିନାହିଁ ମୂଷଳଧାରାରେ । ଉଦ୍ୟମହୀନ ହୋଇ ହାଁକରି ଉପରକୁ ଚାହିଁ ରହିଛନ୍ତି ଚାଷୀମାନେ । ଆକାଶରେ ବଉଦମାଳ ଭାସି ଭାସି ଯାଉଛି; କିନ୍ତୁ ତାହା ଜଳହୀନ । ଶ୍ରାବଣ ଆକାଶରେ ଧୂସର ମେଘର ଶୋଭାଯାତ୍ରା ହତାଶ କରିଛି ଚାଷୀକୁଳକୁ । ଧାନଗଛ ଶୁଖିଲା କୁଟାରେ ପରିଣତ ହେବାକୁ ବସିଲାଣି । ପୋଖରୀ, ବନ୍ଧରୁ ପାଣି ବୋହି ଗୋଟାଏ କ୍ଷେତ ରକ୍ଷା କରାଯାଇପାରେ । କିନ୍ତୁ ଦେଶବ୍ୟାପୀ ବିରାଟ କୃଷିକ୍ଷେତ୍ରକୁ ରକ୍ଷା କରିହେବ କିପରି ? ବର୍ଷା ଅଭାବରୁ ନୈରାଶ୍ୟରେ ଗାଁରେ ଚହଳ ପଡ଼ିଯାଇଛି ।

 

ନନ୍ଦିତା ବାଡ଼ିପଟ ଚମ୍ପା ଗଛମୂଳେ ବସି ବସି ଭାବୁଛି କେତେ କଣ । ତାର ଆଗରେ ଝରିପଡ଼ିଛି ଅଧଫୁଟା ଫୁଲଟିଏ । କିଏ ତୋଳି ପକାଇ ଦେଇଛି । ଆହା ! ଫୁଟିଥିଲେ ମହକରେ ଚତୁର୍ଦ୍ଦିଗ ଆମୋଦିତ କରିଥାଆନ୍ତା । ତାର ସୁନାବେଶ ଦୁନିଆ ଆଗରେ ଫୁଟିବାର ଗୌରବ ନେଇ ଆଦୃତ ହୋଇପାରିଲା ନାହିଁ । ତାର ଦୋଷ ନାହିଁ- ଅଥଚ ଅନ୍ୟର ଅନାଦାର ଯୋଗୁ ଝରିପଡ଼ିଛି ତଳେ ।

 

ନନ୍ଦିତା ନିଜ ବକ୍ଷ ଉପରକୁ ଅନାଇଲା- ପ୍ରସ୍ଫୁଟିତ ଯୌବନ ତାର ମଥା ପିଟୁଛି ଅନାଦୃତ ହୋଇ । ଆହା ! ସତେ ସେ କଅଣ ଝରିପଡ଼ିବ ଏହି ଫୁଲ ପରି ? ସତେ କଣ ସ୍ୱାମୀ ତାର ଫେରିଆସିବେ ନାହିଁ ଆଉ ?

 

ବିକଳ ହୋଇଉଠିଲା ତାର ମନ । ଅଜାଣତରେ ନୟନରୁ ବୋହିଗଲା ଦୁଇଧାର ଲୁହ ।

 

ପଛଆଡ଼ୁ ଶାଶୁ ଆସି କେତେବେଳେ ସେଠାରେ ଛିଡ଼ା ହୋଇ କଣ କହିବେ କହିବେ ହୋଇ କହିପାରୁ ନାହାନ୍ତି- ଜାଣିପାରିଲା ନାହିଁ ନନ୍ଦିତା । ବୋହୂର ଝରିଯାଇଥିବା ଲୁହ ଦୁଇଟୋପା ଅଞ୍ଚଳକାନିରେ ପୋଛିଦେଇ କୋଳ ଉପରକୁ ଆଉଜାଇ ଆଣିଲେ ଶୈବାଳିନୀ । କଥା କହି ସାନ୍ତ୍ୱନା ଦେବାପାଇଁ ମୁହଁରେ ଭାଷା ନ ଥିଲା ତାଙ୍କର । କିନ୍ତୁ ତାଙ୍କର ଛାତି ଉପରେ ମୁହଁ ରଖି ସବୁ ଦୁଃଖ ଭିତରେ ବି ସାନ୍ତ୍ୱନା ପାଇଲା ନନ୍ଦିତା । ଯେଉଁଠାରେ ସ୍ନେହର ପ୍ଲାବନ, ସେଠାରେ ପୋଛି ହୋଇଯାଏ ମନୁଷ୍ୟ ଜୀବନର ଦୈନ୍ୟ, ପ୍ରବଳ ସ୍ରୋତରେ ଭାସିଗଲା ପରି ଭାସିଯାଏ ତାର ରିକ୍ତ ଜୀବନର କରୁଣ କାହାଣୀ ।

 

କିଛି ସମୟ ଅତିବାହିତ ହୋଇଗଲା ନୀରବରେ । ଶାଶୁ ନନ୍ଦିତାର ମୁହଁ ଟେକି ପଚାରିଲେ କୋମଳ ସ୍ୱରରେ-

 

‘‘ତୋତେ ଗୋଟାଏ କଥା କହିବା ପାଇଁ ଆସିଥିଲି; ତୁ ଶୁଣିବୁ ମା ?’’

‘‘ମୁଁ କଣ କେବେ ଅବାଧ୍ୟ ହୋଇ ନ ଶୁଣିଛି ବୋଉ ! ଆଜି ତେବେ...’’

 

‘‘ଆଜି ତୋର ମତ ନ ଶୁଣି ମୁଁ ତତେ ସେ କଥା କହିପାରିବି ନାହିଁ ମା ! ବଡ଼ କଠିନ ସେ କାମଟା । ପାରିବୁ ତ ମା ?’’

 

‘‘ପାରିବି ବୋଉ, ସବୁ ପାରିବି । ତୁମର ଆଶୀର୍ବାଦରେ ଯେତେ କଠିନ କାମ ହେଲେ ମଧ୍ୟ ବଳେଇ ଯିବନି ମତେ । ମୋତେ କୁହ ?’’

 

ତାର ଛୋଟ ଚିବୁକ ଉପରେ ସ୍ନେହର ଚୁମ୍ୱନ ଦେଇ କହିଲେ ଶୈବାଳିନୀ- ‘‘ଉପରକୁ ଚାହିଁ ଦେଖୁଛୁ ମା ? ଆଷାଢ଼ ଯାଇ ଶ୍ରାବଣ ଅଧାଅଧି ହେଲା । ବର୍ଷାରେ ଭୂଇଁ, କ୍ଷେତବାଡ଼ି ଚିଲିକାମୟ ହୋଇଥାଏ ଏଇ ସମୟରେ । ଏ ବର୍ଷ ବର୍ଷା ନାହିଁ । ଭୂଇଁ ଫାଟି ଆଁ କଲାଣି । ଗାଁରେ ଚାଷୀମାନେ ହାଁ-କରି ଅନାଇ ରହିଛନ୍ତି ଉପରକୁ । ବର୍ଷା ନ ହେଲେ କୃଷି ହେବନାହିଁ; ଚାଷୀକୁଳ ଉଚ୍ଛନ୍ନ ହୋଇଯିବେ । ଗରିବ, ଦୁଃଖୀ, ନିରାଶ୍ରୟୀ ଅକାଳରେ, ଅବେଳରେ ଝରିପଡ଼ିବେ ।

 

ଶାଶୁଙ୍କ ମୁହଁକୁ ଚାହିଁ ଅପଲକ ନୟନରେ ଏଇ କଥା କେଇପଦ ବଡ଼ ଆଗ୍ରହରେ ଶୁଣି ଯାଉଥିଲା ନନ୍ଦିତା ।

 

ଶୈବାଳିନୀ ନୀରବ ହେଲେ; ନନ୍ଦିତା କିନ୍ତୁ ବୋକାଙ୍କ ପରି ଅନାଇ ରହିଥାଏ ତାଙ୍କ ମୁହଁକୁ । ଶାଶୁଙ୍କର ଏ ନୂତନ ପରିଚୟ ସେ ଜାଣିପାରି ନ ଥିଲା ଏ ଘରକୁ ଆସିଲାଦିନୁ । ଆଜି ତାର ମନେହେଉଥିଲା ଯେପରି ସେ କଣ ଏକ ଅତି ମହାନ୍‌ ବସ୍ତୁର ଆବିଷ୍କାର କରୁଛି ।

 

ଶାଶୁ ତାକୁ ହଲାଇଦେଇ କହିଲେ- ‘‘ମୋ ମୁହଁକୁ ଏପରି ହାଁ-କରି ଚାହିଁ ରହିଛୁ କାହିଁକି ମା ? କାହିଁ, ପଦେହେଲେ ତ କହିଲୁନି; ଏ ସମୟରେ କଣ କରାଯାଇପାରେ ?’’

 

ନନ୍ଦିତା ଧୀରେ ଧୀରେ ଆଖି ଫେରାଇ ଅନ୍ୟଆଡ଼କୁ ଚାହିଁଲା । ତାର ମନେହେଉଥିଲା ସତେ ଯେପରି ଏହି ଗାଁରେ ବଣ ବିଲର ଧାରେ ଧାରେ ଝରିପଡ଼ୁଛନ୍ତି କେତେ ଗରିବ, ଦୁଃଖୀ, ନିରାଶ୍ରୟ ଲୋକ । ସେମାନଙ୍କୁ ମରଣମୁହଁରୁ ଜୀବନ ରାଜ୍ୟକୁ ଫେରାଇ ଆଣିବାପାଇଁ ନାହାନ୍ତି କେହି । ନାହାନ୍ତି କେହି ଆହା କହି ସେମାନଙ୍କୁ ପଦେ ସାନ୍ତ୍ୱନା ଦେବାପାଇଁ ।

 

ନନ୍ଦିତାକୁ ସାମାନ୍ୟ ଜୋରରେ ଝାଙ୍କି ଦେଇ କହିଲେ ଶାଶୁ- ‘‘ତୋର କଣ ହେଲା ମା !’’ ଶାଶୁଙ୍କ ହାତଟିକୁ ନିଜ ଦୁଇହାତ ଭିତରେ ଚାପିରଖି ଆବେଗରେ କହିପକାଇଲା ସେ- ‘‘ତୁମେ କୁହ ବୋଉ, ତୁମରି ମୁହଁରୁ ମୁଁ ଶୁଣିବାକୁ ଚାହେଁ ।’’

 

ତାକୁ କୋଳ ଉପରେ ନିବିଡ଼ ଭାବରେ ସ୍ପର୍ଶକରି କହିଲେ ଶାଶୁ- ‘‘ମୁଁ ତୋର ମନ ବୁଝେ ମା । ସେଇଥିପାଇଁ କହୁଥିଲି ଆମର ଖାଇବାପାଇଁ ଅଛି ବୋଲି ନିଶ୍ଚିନ୍ତରେ ବସି ନ ରହି କିଛି ଗୋଟେ କରିବା ଦରକାର । କେତେ ଲୋକ, ଯେଉଁମାନଙ୍କର ସାହାଭରସା କେହି ନାହିଁ, ସେମାନେ ଚାରିଓଳି ଉପାସ କଲେ ଆହା କହି ମୁଠେ ଅନ୍ନ ସେମାନଙ୍କ ମୁହଁକୁ ଟେକି ଦେବାପାଇଁ ଶ୍ରଦ୍ଧା ନାହିଁ କାହାର ।’’

 

କଥା କହିଯାଉଥିଲେ ସେ ଆଉ ହୃଦୟ ମନଦେଇ ଶୁଣିଯାଉଥିଲା ନନ୍ଦିତା । ସେ ଅନୁଭବ କରୁଛି ତାର ହୃଦୟ ଭିତରେ, ଅନ୍ୟମାନଙ୍କ ପାଇଁ କର୍ତ୍ତବ୍ୟ କରିବାର ଏକ ପ୍ରଚଣ୍ଡ ଶକ୍ତି ତାକୁ ଚଞ୍ଚଳ କରୁଛି । ସେ ଭୁଲିଯାଉଛି ତା ବ୍ୟକ୍ତିଗତ ଜୀବନର ଅବସାଦ ଦୁଃଖ ।

 

ଶାଶୁଙ୍କ ମୁହଁ ଉପରେ ଆଖି ରଖି କହିଲା ସେ- ‘‘ମୁଁ ପାରିବି ବୋଉ, ତୁମେ ଆଦେଶ ଦେଲେ ମୋର ତ୍ରୁଟି ହେବ ନାହିଁ ।’’

 

ତାର କୃଷ୍ଣ କେଶଗୁଚ୍ଛ ଉପରେ ଅଙ୍ଗୁଳିଚାଳନା କରି କହିଲେ ଶାଶୁ- ‘‘ଦୀର୍ଘଜୀବୀ ହୁଅ ମା ! ଗୋଟିକର ସୁଖ-ସ୍ୱାଚ୍ଛନ୍ଦ୍ୟ କଥା ନ ଭାବି କୋଟିଏର ସୁଖ-ଶାନ୍ତି କଥା ଭାବ; ଦେଖିବୁ ତୋ ଜୀବନର ସମସ୍ତ ଦୁଃଖ, ଜ୍ୱାଳା, ଅଭାବ ସେହିମାନଙ୍କୁ ପାଇଁ ନିଭିଯିବ କେଉଁଆଡ଼େ ।’’

 

‘‘ବୋଉ !’’

Unknown

‘‘କଣ କହ ?’’

‘‘କିନ୍ତୁ....’’

 

‘‘କିନ୍ତୁ ଆଉ କଣ ମା ? ଭଲ କାମ କରିବାକୁ ଗଲେ ବାଧା-ବିଘ୍ନ କଥା ଭାବିଲେ ଚଳିବ ନାହିଁ । କାହାର ଭଲ ମନ୍ଦ କଥାରେ ପ୍ରୟୋଜନ ନାହିଁ ଆମର ।’’

 

‘‘ସେକଥା ମୁଁ ଭାବୁନି ମା ! କିଏ ଭଲ କହିବ ଆଉ କିଏ ବା କହିବ ମନ୍ଦ । କାହାର ପ୍ରଶଂସାରେ ଯେପରି ଆଗ୍ରହ ନାହିଁ ମୋର, କାହାରି ନିନ୍ଦାରେ ମଧ୍ୟ ସେହିପରି ଦୁଃଖ ନାହିଁ । କିନ୍ତୁ ସେ ତ ଅନୁମତି ଦେଇନାହାନ୍ତି ?’’

 

ଶୈବାଳିନୀ ବୁଝିଲେ । ପତିପ୍ରାଣା ଏହି ନବବଧୂଟିର ପ୍ରତ୍ୟେକ କଥା ତାଙ୍କୁ ନିବିଡ଼ ଭାବରେ ସ୍ପର୍ଶ କରିଛି । ମାତୃସୁଲଭ ସ୍ନେହ-ପାଗଳ ମନକୁ ତାଙ୍କର ମତୁଆଲ କରିଛି ନନ୍ଦିତାର ସ୍ନେହ, ଭକ୍ତି ।

 

ତାକୁ ଆଦର କରି କହିଲେ ସେ- ‘‘କିନ୍ତୁ ମୁଁ ତ ଅନୁମତି ଦେଉଛି ମା ! ବିଜୁ ମୋର ପିଲା । ସେ ନିଶ୍ଚୟ ଦିନେ ଫେରିଆସିବ । ତୁ ଦେଖିବୁ ସେ ଫେରିବ ତୋରି ପାଇଁ ନନ୍ଦିତା ! ତୋତେ ବେଶୀ ଦିନ ପରିତ୍ୟାଗ କରି ରହିବାପାଇଁ ସାଧ୍ୟ ନାହିଁ ତାର । ତୋତେ ଅସୁଖୀ କରି ସୁଖୀ ହେବନି ବିଜୁ......ତାକୁ ସୁଖୀ ହେବାପାଇଁ ମୁଁ ଦେବିନି ।’’

 

ଶାଶୁଙ୍କର ସ୍ୱର କ୍ରମଶଃ ଶିଥିଳ ହୋଇ ଆସୁଥିଲା । ଚକ୍ଷୁ ତାଙ୍କର ଆବେଗରେ ବାଷ୍ପାକୁଳ ହୋଇ ଉଠୁଥିଲା । ନନ୍ଦିତା ଶାଶୁଙ୍କ ଚରଣତଳେ ପ୍ରଣାମ କରି ଅନୁନୟ କଣ୍ଠରେ କହିଲା- ‘‘ସେ ସୁଖୀ ହୁଅନ୍ତୁ ମା ! ତାଙ୍କୁ ଅଭିଶାପ ଦିଅନାହିଁ । ସେ ବଡ଼ ହୁଅନ୍ତୁ, ଯଶସ୍ୱୀ ହୁଅନ୍ତୁ । ମୁଁ ଦୂରରେ ଥିଲେ ବି ସେଥିରେ ମୋର ଆନନ୍ଦ- ସେଇଥିରେ ମୋର ସାର୍ଥକତା....।’’

 

ନନ୍ଦିତା କଥା କହୁଛି- କିନ୍ତୁ ପେଟ ଭିତରୁ ଉଠୁଛି ଦୁର୍ନିବାର କୋହ । ସେ କୋହ ଚାପି ରଖାଯାଇ ପାରେନା- ସେ ପ୍ରେମପାଗଳିନୀ ସ୍ୱାମୀମୋହିନୀ ନନ୍ଦିତାର କୋହ । ତାହା ତାର ଅନ୍ତର ତଳର ପ୍ରବାହିତ ପ୍ରେମ-ଫୁଲ୍‌ଗୁର ଉଚ୍ଛ୍ୱାସ ।

 

ନନ୍ଦିତାର କୋମଳ ହାତ ଦୁଇଟିକୁ ନିଜ ହାତମୁଠା ଭିତରେ ରଖି ଆକୁଳ କଣ୍ଠରେ କହିଉଠିଲେ ଶୈବାଳିନୀ- ‘‘ନା-ନା-ନା, ସେକଥା କହନା ମା ! ତୁ ମୋ ପୁଅଠାରୁ ବଡ଼, ତୁ ମୋ କୁଳଲକ୍ଷ୍ମୀ । ତୋତେ ସୁଖୀ ନ ଦେଖି ମୁଁ ମରିପାରିବି ନାହିଁ ମା, ମୁଁ ମରିପାରିବି ନାହିଁ ।’’

 

ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟରେ ଶେଷ ବର୍ଣ୍ଣୋତ୍ସବ ସୃଷ୍ଟି କରୁଥିଲେ । ଆକାଶର ବକ୍ଷ ଚିରି ଦିନାନ୍ତରେ ଫେରି ଆସୁଥିଲେ କେତେ ପକ୍ଷୀ । ମୁଖରିତ ହୋଇଛି ଆକାଶ । ରାତ୍ରି ଆସିବା ପୂର୍ବରୁ ନିଜ ନିଜ ନୀଡ଼ରେ ନିର୍ଭୟରେ ରାତ୍ରିଯାପନ କରିବା ପାଇଁ ଫେରିଯାଉଛନ୍ତି ସେମାନେ । ଅସ୍ତରାଗର ଶେଷ ଆଭା ଟିକକ ନିଭିଯାଇନି ।

 

ଦାଣ୍ଡଆଡ଼େ କୋଳାହଳ ଶୁଣାଗଲା- କେତେଗୁଡ଼ିଏ ଲୋକଙ୍କର ସମବେତ କଥାବାର୍ତ୍ତା-। ଶାଶୁ ଉଠି ଛିଡ଼ାହେଲେ । ନନ୍ଦିତା ଛିଡ଼ାହେଲା ।

 

ରାମକୁ ଡାକି କହିଲେ ଶୈବାଳିନୀ- ‘‘କଣ କିରେ ରାମ ?’’

 

‘‘କଣ ଆଉ ମା ! ସେଇ ଅନ୍ନଛତ୍ରିଆ ଦଳ ତ ! ସେମାନେ ନ ହେଲେ ଏ ଅବେଳରେ ଏଡ଼େ ପାଟି କରିବ କିଏ ? ପେଟବିକଳିଆଗୁଡ଼ାକ ।’’

 

‘‘ଚୁପ୍‌କର ରାମ ! କିଏ ପେଟବିକଳିଆ ନୁହେଁରେ ? ତୁ ଯଦି ସେଇମାନଙ୍କ ଭିତରୁ ଜଣେ ହେଇଥାନ୍ତୁ, କଣ ଏଇ କଥା କହିପାରନ୍ତୁ ମୋ ଆଗରେ ? ଯା, ବାହାରେ ସେମାନଙ୍କୁ ଅପେକ୍ଷା କରିବାକୁ କହ, ମୁଁ ଯାଉଛି ।’’

 

ରାମ ଚାଲିଗଲା ପ୍ରତ୍ୟୁତ୍ତର ନ କରି । ସେ ଜାଣେ ମା’ଙ୍କର ହୃଦୟ ।

ଶାଶୁ ନନ୍ଦିତାକୁ କହିଲେ- ‘‘ଆ...ମା ।’’

 

ଦାଣ୍ଡଘର ସାମନାରେ ପ୍ରାୟ ପଚିଶ ଜଣ ଠୁଳ ହୋଇଛନ୍ତି । ଅସ୍ଥି-କଙ୍କାଳ-ସାର ସେମାନଙ୍କର ଅବୟବ । ମୁହଁ ଉପରେ ହାଁ-ହାଁ କରୁଛି ଭୋକ- ଜଠରାଗ୍ନି । ଏ ଅଗ୍ନି ନିର୍ବାପିତ ହୁଏନା ପାଣିରେ । ଏହା ପାଇଁ ପାଥେୟ ଲୋଡ଼ା ଭାତ ଗଣ୍ଡାଏ, ତୋରାଣି ମୁନ୍ଦାଏ । ବର୍ଷା ନାହିଁ । ଚାଷୀକୁଳ ପ୍ରମାଦ ଗଣିଲେଣି । ଯାହାର ଯାହା ଅଛି, ସେ ସାଇତି ରଖିଛି । ଯାହାର ନାହିଁ, ସେ ମୂଲ ଲାଗି ଚଳୁଥିଲା- ତାର କାମ ନାହିଁ, ରୋଜଗାର ନାହିଁ । ଖାଇବ କଣ ? ପିଲାକବିଲାଙ୍କ ମୁହଁରେ ଦବ କଣ ?

 

ଏ ଦେଶରେ ଯେଉଁମାନଙ୍କୁ ଗଣ-ଦେବତା ବୋଲି ଅଭିହିତ କରି ବକ୍ତୃତାରେ ପୂଜା କରାଯାଏ, ସେମାନଙ୍କ ପକ୍ଷରେ ଦିନେ ଓଳିଏ ବିନା ଅନ୍ନରେ, ମାସେ ଦୁଇମାସ ଅଖାଦ୍ୟ ଖାଇ, ଛମାସ ଅଧାପେଟରେ ବଞ୍ଚିରହିବା କିଛି ବଡ଼ କଥା ନୁହେଁ । ଏହା ଦେହସହା ହୋଇଯାଇଛି ସେମାନଙ୍କର । ଉପାସ ରହିବା ଅଭ୍ୟାସ ହୋଇଯାଇଛି ଅନେକ କାଳରୁ । ସେଥିପାଇଁ ଦୁର୍ଭିକ୍ଷ ହେଲେ, ଅନଟନ ହେଲେ, ବିଲାତରେ ଦୈନନ୍ଦିନ ଖାଦ୍ୟ ସହିତ ଛଟାଙ୍କିଏ ମାଂସର ପରିମାଣ ସରକାରଙ୍କ ଆମଦାନୀ ନୀତିଯୋଗୁଁ କମିଗଲେ ଗୃହକର୍ତ୍ତ୍ରୀମାନଙ୍କର ଯେପରି ତୀବ୍ର ପ୍ରତିବାଦ ହୁଏ, ତାହା ଦେଖାଯାଏ ନାହିଁ ଏଠାରେ । ଦେଶର ଲୋକ ନିରବଚ୍ଛିନ୍ନ ଭାବରେ ପରାଧୀନ ହୋଇ ପ୍ରତିବାଦ କରିବାର, ପ୍ରତିରୋଧ କରିବାର ଶକ୍ତି ଅନେକାଂଶରେ ହରାଇ ବସିଛନ୍ତି । ସେ ଶକ୍ତିକୁ ଜାଗ୍ରତ କରି ଆତ୍ମଚେତନାର ଦୀପ୍ତିରେ ଉଦ୍ଦୀପ୍ତ କରିବା ପାଇଁ ଗାନ୍ଧୀ ଓ ନେହେରୁଙ୍କ ଉଦ୍ୟମ ଆଂଶିକଭାବେ ସଫଳ ହୋଇଛି । ଏହି ଶକ୍ତିକୁ ଜାଗ୍ରତ କରିବାପାଇଁ ହେବ । ପ୍ରବଳ ଜୀବନସ୍ରୋତର ଚେତନା ଜନଗଣର ପ୍ରାଣ-ସ୍ପନ୍ଦନରେ ଜାଗ୍ରତ କରିବାକୁ ହେବ । ନୋହିଲେ ଆଜି ତ ନୁହେଁ, ଆଗାମୀ ଦୁନିଆରେ ମଧ୍ୟ ଏଜାତିର ଅଭ୍ୟୁଦୟ ହୋଇପାରିବ ନାହିଁ ।

 

ଶୈବାଳିନୀକୁ ଦେଖି ଚୁପ୍‌ ହୋଇଗଲେ ଲୋକଗୁଡ଼ାକ- କଙ୍କାଳସାର ମନୁଷ୍ୟ କେତେଜଣ । ନୀରବତା ଭିତରେ ଜଣାଯାଉଥିଲା ଯେପରି ଧୀରେ ଧୀରେ ମୃତ୍ୟୁ ଗ୍ରାସ କରୁଛି ସେମାନଙ୍କ । ହାଡ଼ କେଇଖଣ୍ଡ ଅନାହାର ବିରୁଦ୍ଧରେ ବିଦ୍ରୋହ କରି କରି ଶେଷରେ ପରାଜୟ ମାନିନେଇଛନ୍ତି ପରା !

 

ଶୈବାଳିନୀ କହିଲେ- ‘‘ହଇରେ ରାମ, ହାଁ-କରି ଚାହିଁ ରହିଛୁ କଣ ? ଶୀଘ୍ର ଯାଇ ଭଣ୍ଡାର ଘରୁ କିଛି ଚୁଡ଼ା, କଂସାଏ ଗୁଡ଼ ନେଇଆ ବାବା ! ବୋହୂ, ତୁ ଦେଖ ମା ଯାଇ ।’’

 

ନନ୍ଦିତା ନୂତନ ଉତ୍ତେଜନାରେ ଅଗ୍ରସର ହେଲା । ରାମ ଅନୁସରଣ କଲା ତାକୁ ।

 

ମା’ଙ୍କର ଆଦେଶ ଶୁଣି ମୁହୂର୍ତ୍ତକରେ ବଞ୍ଚିରହିବାର ନବୀନ ଆଶା ଖେଳିଗଲା ଯେପରି ସେହି କେତୋଟି କଙ୍କାଳ ଭିତରେ । କୃତଜ୍ଞତାପୂର୍ଣ୍ଣ ଚାହାଣୀ ଭିତରୁ ଝରିପଡ଼ୁଥିଲା ଆସନ୍ତା କାଲିର ବଞ୍ଚିବାର ସ୍ୱପ୍ନ ।

 

ଚୁଡ଼ା ଗୁଡ଼ ଆଣି ସେମାନଙ୍କ ମଧ୍ୟରେ ବାଣ୍ଟିଦେଲା ରାମ । ନନ୍ଦିତା ଶାଶୁଙ୍କ ନିର୍ଦ୍ଦେଶ କ୍ରମେ ଦେଖାଶୁଣା କଲା ସବୁ ।

 

ସାଙ୍ଗେ ସାଙ୍ଗେ ଆହାରରେ ବସିଗଲେ ଲୋକଗୁଡ଼ିକ । ଆହା, ଜଠରାଗ୍ନି କି ଭୀଷଣ ! ସେତେବେଳର ପ୍ରତ୍ୟେକ ମୁଠା ଅନ୍ନ ଭକ୍ଷଣରେ କି ତୃପ୍ତି ! ମଣିଷର ବଞ୍ଚିରହିବାର କି ବିରାଟ ପ୍ରୟାସ !! ସର୍ବଗ୍ରାସୀ କ୍ଷୁଧାର ପରିତୃପ୍ତି ପାଇଁ ମଣିଷ ଭୁଲିଯାଏ ସ୍ଥାନ, ଅସ୍ଥାନ । କାହାକୁ ଭ୍ରୂକ୍ଷେପ ନ କରି ହାଁ-ହାଁ କରି କେବଳ ଗିଳିଯାଏ ପାତ୍ରସ୍ଥ ଅନ୍ନ । ସେତେବେଳେ ସେ ସ୍ୱାର୍ଥପର, ଶ୍ୱାନ ପରି ସଚେତନ ।

 

ଲୋକଗୁଡ଼ିଙ୍କୁ ଟିକିଏ ଶାନ୍ତ ହେବାର ଦେଖି କହିଲେ ଶୈବାଳିନୀ- ‘‘ଏପରି ବା କେତେଦିନ ଚଳିବରେ ଭଗିଆ ? ତମେମାନେ ଉପାୟ ନ କରି ବସିରହିଲେ ସବୁଦିନେ ଖାଦ୍ୟ ବା ଆସିବ କେଉଁଠୁ ? କିଛି ଗୋଟାଏ ଉପାୟ କର ବାବା ।’’

 

ଆର୍ତ୍ତଦଳ ଭିତରୁ ଭଗିଆ ଆଗୁଆ ହୋଇ କହିଲା–‘‘କଣ କରିବୁ ମା ? ଆପଣଙ୍କ ଆଶ୍ରାକୁ ଚାହିଁ ପଡ଼ିରହିଛୁ ସିନା ! ଢୋକେ ପିଇ ଦଣ୍ଡେ ଜୀଇବାର ତ ଭରସା ଅଛି ମା !’’

 

‘‘ନା, ନା, ସେପରି କଲେ ଚଳେନାହିଁରେ, ବଞ୍ଚିରହିବାକୁ ହେଲେ କିଛି ଗୋଟାଏ କରିବାପାଇଁ ହବ । ସମସ୍ତେ କଣ ପୋଲା ଦେବେ ବାବା ! ଦେବେ ବା କାହିଁକି ? ଅନ୍ନଚ୍ଛତ୍ର ଦେଇ ଲୋକଙ୍କୁ ବଞ୍ଚାଇ ରଖାଯାଏ ସିନା; କିନ୍ତୁ ସେ ଜୀବନର ସାର୍ଥକତା ନାହିଁରେ ଭଗିଆ ! ପରର ହାତଟେକାକୁ ଅନାଇ ରହି ପଡ଼ିରହିବା ବଡ଼ ହୀନ, ବଡ଼ ଲଜ୍ଜାକର ବାବା ! ଯେଉଁଠାରେ ମୂଲ୍ୟ ନ ଦେଇ ପାଇବା ସମ୍ଭବ ହୁଏ, ସେଠାରେ ମଣିଷ ବଞ୍ଚିଯାଇପାରେ; କିନ୍ତୁ ତା ଭିତରର ମଣିଷପଣିଆଟି ଚିରଦିନ ପାଇଁ ଖର୍ବ ହୋଇଯାଏ । ସେ ଆଉ ମଥା ଟେକି ପାରେନା, ଚିରଦିନ ରହିଯାଏ ଅମଣିଷ ହୋଇ ।’’

 

‘‘ସେଥିପାଇଁ ମୁଁ କହେ ଭଗିଆ, ତମେମାନେ ଏଇ ଦିହରେ ମଧ୍ୟ ଯାହା ପାରୁଛ କର ବାବା ! କାହାରି ଦାନ ନ ନେଇ ନିଜ ଉପରେ ବଞ୍ଚିବା ପାଇଁ ଶିଖ ।’’

 

ଥଙ୍ଗେଇ ଥଙ୍ଗେଇ କହିଲା ଭଗିଆ- ‘‘କିନ୍ତୁ କାମ କାହିଁ ମା ? ଆମକୁ ବା କାମ ଦବ କିଏ ? ବିଲବାଡ଼ି ଶୁଖିଛି, ପୋଖରୀ ଗଡ଼ିଆରେ ପାଣି ନାହିଁ, କାମ ନାହିଁ କେଉଁଠି । ଯାହାର ବି ଥିଲା, ବର୍ଷାର ଏ ଗତି ଦେଖି ବନ୍ଦ କରିଦେଲାଣି ସେ ।’’

 

ଟିକିଏ ଭାବିଲା ପରି ହୋଇ ନୀରବରେ ଛିଡ଼ା ହୋଇ ରହିଲେ ଶୈବାଳିନୀ । ନନ୍ଦିତା ଶାଶୁଙ୍କ ପାଖକୁ ଲାଗିଆସି କହିଲା- ‘‘ଗୋଟେ କଥା ମୋ ମନକୁ ଆସୁଛି ବୋଉ !’’

 

‘‘କଣ ମା-’’

 

‘‘ଆମେ ଗୋଟାଏ ଦୁଇଟା କୂଅ ଖୋଳାଇଲେ ହୁଅନ୍ତା ଏଇ ଗାଁ ମଝିରେ । ଲୋକେ ଆଉ ପାଣି ପାଇଁ ଆମ ବାରି କୂଅକୁ ଆସିବେନି- ସମସ୍ତଙ୍କର ସୁବିଧା ବି ହୁଏନା । ଗରିବ ଲୋକଗୁଡ଼ାକ ବି କାମ ପାଇଯାଆନ୍ତେ ।’’

 

ତାର ମଥା ଉପରେ ହାତ ବୁଲାଇ ପ୍ରସନ୍ନ ଚିତ୍ତରେ କହିଲେ ଶାଶୁ- ‘‘ସେଇ କଥା ହେବ ମା ! ତତେ ଭାବିଥିଲି ଓଲିଟା ବୋଲି, କିନ୍ତୁ ମୋ ମନକଥା ଛଡ଼ାଇ ନେଇ ଆଗ ତୁ କହିପକାଇଲୁ ନନ୍ଦିତା !’’

 

ଲୋକଗୁଡ଼ିଙ୍କୁ ଚାହିଁ କହିଲେ ମା- ‘‘ଭଗିଆ, କାଲିଠଉଁ କାମରେ ଲାଗିଯାଅ । ଗାଁ ମଝିରେ କୂଅ ଖୋଳା ହେବ । ମୁଁ ସବୁ ଖର୍ଚ୍ଚ ତୁଲାଇବି । ପ୍ରତିଦିନ ସନ୍ଧ୍ୟାବେଳେ ମଜୁରି ନେଇ ଯିବ-। ସ୍ତ୍ରୀ, ପୁରୁଷ, ଛୁଆପିଲା ସାଧ୍ୟମତେ କାମରେ ଲାଗିଯାଅ ବାବା; ଗୁଣ୍ଡୂଚିମୂଷା ବି ସେତୁବନ୍ଧ ବାନ୍ଧିବାରେ ସାହାଯ୍ୟ କରିଥିଲା ।’’

 

ଆନନ୍ଦ ମନରେ ଅନାଗତର ସ୍ୱପ୍ନ ଦେଖି ଦେଖି ଫେରିଗଲେ ଲୋକଗୁଡ଼ିକ । ଶାଶୁଙ୍କ ପଛେ ପଛେ ନୂତନ ପ୍ରେରଣା ଧରି ଘର ଭିତରକୁ ଫେରିଗଲା ନନ୍ଦିତା ।

•••

 

୧୪

 

ଏଇ କେତେଦିନ ହେଲା ଦେହ ବିଶେଷ ଭଲ ନାହିଁ ସୁନନ୍ଦାର । ବାହାର କୌଣସି ରୋଗର ଲକ୍ଷଣ ପ୍ରକାଶ ପାଏନା ସତ; କିନ୍ତୁ ଭିତରେ କଣ ହେଉଛି କେଜାଣି କ୍ରମଶଃ ଦୁର୍ବଳ ହୋଇଯାଉଛି ସେ; ଉତ୍ସାହ ନାହିଁ କର୍ମରେ, ଉନ୍ମାଦନା ନାହିଁ ଭାବପ୍ରବଣତାରେ । ଉଷ୍ମତା କମିଯାଉଛି ଦେହରୁ । କ୍ରମେ କ୍ରମେ ଶିଥିଳ ହୋଇଆସୁଛି ତାର ଚିନ୍ତା, କାର୍ଯ୍ୟ ଓ ଶରୀର।

 

ବିବ୍ରତ ହୁଏ ନାହିଁ ସେ । ଏହି ଅଲୋଡ଼ା ଦେହଟା ତାର ଯଦି ଅକାଳରେ ଝରିପଡ଼େ ସେଥିରେ କ୍ଷତି କଣ ? କେତେ ଆଶା, ଆକାଂକ୍ଷା ସଞ୍ଚିତ ହୋଇ, ଆଗକୁ ଯିବାପାଇଁ, ପାଥେୟ ଖୋଜି ବଞ୍ଚିବାପାଇଁ ପ୍ରେରଣା ଓ ସାହସ ଦିଅନ୍ତା ତାକୁ । କିନ୍ତୁ ତାହା କାହିଁ ? ପାଥେୟ ଯେଉଁଠାରେ ନାହିଁ, ପଥ ଚାଲିବା ସେଠାରେ ଅତି କଷ୍ଟକର ।

 

ସୁନନ୍ଦା ଡାକ୍ତରଖାନାକୁ ଯାଏ । ନିତ୍ୟନୈମିତ୍ତିକ କର୍ମରେ ତ୍ରୁଟି କରେ ନାହିଁ । ଶହ ଶହ ରୋଗୀଙ୍କ ସେମାନଙ୍କର ଶଯ୍ୟାରେ ସ୍ନେହ ଯତ୍ନ ଦେଇ ଚିକିତ୍ସା କରେ; ସେମାନଙ୍କର ତତ୍ତ୍ୱ ନିଏ । ତାରି ହାତର ସ୍ପର୍ଶ ପାଇ, ତାରି ଦରଦଭରା ପ୍ରାଣର ସ୍ନେହ ପାଇ କେତେ ରୋଗୀ ଭୁଲିଯାଆନ୍ତି ସେମାନଙ୍କର ଦୁଃଖ, ଜ୍ୱାଳା ଓ ଅବସନ୍ନତା । ସେଇ କାର୍ଯ୍ୟ ଭିତରେ ସୁନନ୍ଦା ପାଏ ଆନନ୍ଦ, ତାର ଅସମ୍ପୂର୍ଣ୍ଣ ଜୀବନର ସଫଳତା । ଯେତେବେଳେ ରୋଗୀଟିଏ ସୁସ୍ଥ ହୋଇ ଡାକ୍ତରଖାନା ଛାଡ଼ି ଆତ୍ମୀୟସ୍ୱଜନଙ୍କୁ ଭେଟିବାପାଇଁ ଆଶା ଓ ଶାନ୍ତି ନେଇ ଫେରିଯାଏ, ସେତେବେଳେ ବୁକୁ କୁଣ୍ଢେମୋଟ ହୁଏ ସୁନନ୍ଦାର । ସେ ଦୁଇପଦ କଅଁଳ କଥା କହି ବିଦାୟ ଦିଏ ରୋଗୀକୁ । ମନରେ ତାର କେତେ କଥା ଉଁକିମାରେ । ସେ କେଉଁଠାକୁ ଫେରିଯିବ ? ଦୁନିଆରେ ଆଶାୟୀ ହୋଇ ଚାହିଁ ରହିବାକୁ କେହି ନାହିଁ ତାର । ଜୀବନର ସମସ୍ତ ଅବସନ୍ନତା ଓ ଅଭାବ ଭୁଲିଯିବା ପାଇଁ ଯେଉଁ ନୀଡ଼ଟିଏ ଲୋଡ଼ା, ଯେଉଁଠି ଜଣକର ଦରଦଭରା କଥାପଦକ ପ୍ରାଣରେ ଦିଏ ଅଶେଷ ସାନ୍ତ୍ୱନା- ତାହା ନାହିଁ ତାର । ଏ ଅଭାବର ଅନୁଭବ ବଡ଼ କରୁଣ, ବଡ଼ ଅସହନୀୟ । ସୁନନ୍ଦାର ଅନ୍ତର ରିକ୍ତତାରେ ହାହାକାର କରିଉଠେ । ସେ ଦୀର୍ଘ ନିଃଶ୍ୱାସ ଛାଡ଼ି ଆଗକୁ ଚାହେଁ । କେତେ ରୋଗୀ ଆତୁର ନୟନରେ ଚାହିଁରହିଛନ୍ତି ତାରି ମୁହଁକୁ- ପଦେ ଆଶ୍ୱାସନା ବାଣୀ ଶୁଣିବା ପାଇଁ । ପଦିଏ କଥା- କେବେ ଭଲ ହେବି ମା ?

 

ସୁନନ୍ଦା ଆଗେଇଯାଏ । ସମସ୍ତ ଚିନ୍ତା ଭାବନା ପଡ଼ିରହେ ପଛରେ । ସେ କର୍ତ୍ତବ୍ୟରେ ମନପ୍ରାଣ ଢାଳି ଗୋଟିଏ ରୋଗୀ ପାଖରୁ ଅନ୍ୟ ରୋଗୀ ପାଖକୁ ଯାଏ । ସେବା କରିବାର ଆନନ୍ଦ କାମ କରିଯିବା ପାଇଁ ଯୋଗାଏ ପ୍ରେରଣା- ତାର ଡେଣାରେ ପର ଲାଗେ ।

 

‘ମା’- ପଛରୁ ଡାକିଲା ରୋଗୀଟିଏ । ବୃଦ୍ଧ, ଜୀବନ-ମରଣର ସନ୍ଧିକ୍ଷଣରେ ଥାଇ ମଧ୍ୟ ବିଜୟୀ ହୋଇ ନିଜ ସ୍ତ୍ରୀ ଓ ପରିବାର ନିକଟକୁ ଫେରିଯିବା ପାଇଁ କେତେ ଆଶା ତାର ! ରୋଗାକ୍ରାନ୍ତ, କୋଟରଗତ ଚକ୍ଷୁ ଭିତରୁ ବଞ୍ଚିବାର ସ୍ୱପ୍ନ ଝରିପଡ଼େ ।

 

ସୁନନ୍ଦା ପଛକୁ ଫେରି ଚାହିଁଲା । ୫୫ନମ୍ୱର ରୋଗୀ ତାକୁ ଡାକୁଛି । ସୁନନ୍ଦା ରୋଗୀ ପାଖକୁ ଗଲା । ତାର ମଥା ଉପରେ ହାତ ବୁଲାଇ ପଚାରିଲା, ‘‘କଣ କହୁଛ ?’’

 

‘‘ମୁଁ କେବେ ଫେରିବି ମା ?’’ .......ରୋଗୀଟି କେତେ କଣ ଯେପରି ଜାଣିବାପାଇଁ ଚାହେଁ । ବଞ୍ଚିରହିବାର ମୋହ, ପୃଥିବୀର ବନ୍ଧନ ତାକୁ ଟାଣି ଧରିଛି ।

 

‘‘ଆଉ ପନ୍ଦର ଦିନ ଲାଗିବ-’’

 

ହତାଶ ହୋଇପଡ଼ିଲା ରୋଗୀଟି । ପନ୍ଦର ଦିନ । ପନ୍ଦର ବର୍ଷ ନୁହେଁ ! କିନ୍ତୁ ରୋଗୀଟିର ଆଖି କ୍ଷଣିକ ପାଇଁ ମୁଦି ହୋଇ ଆସିଲା- ଆଉ ତାର ଛାତି ଭିତରୁ ବାହାରି ଆସିଲା ଏକ ଦୀର୍ଘ ନିଶ୍ୱାସ ।

 

‘‘ପନ୍ଦର ଦିନ ? ମୁଁ କଣ ସତରେ ଫେରିଯିବି ମା ? ମୋତେ ଭଲ ଔଷଧ ଦେଉଛନ୍ତି ତ ଡାକ୍ତରବାବୁ ? ମୁଁ ଫେରି ନ ଗଲେ ସେ ଯେ ବଞ୍ଚିବନି ମା ! ସେ ବାର ବ୍ରତ ତେର ଓଷା କରି ମୋରି ଫେରିବାବାଟକୁ ଅନାଇ ରହିଥିବ । ମୁଁ କଣ ଠିକ୍‌ ଭଲ ହୋଇଯିବି ମା ? ମୋତେ ଭଲ କରିଦିଅ, ପୂଣ୍ୟ ହେବ, କୋଟି ପରମାୟୁ ଦେବେ ଭଗବାନ ତୁମକୁ । ସୁଲକ୍ଷଣୀ ହବ ମା ! କାଚ ବଜ୍ର ହବ !’’

 

ରୋଗୀ କହିଚାଲିଛି ଆଉ ତାର ଆଶୀର୍ବାଦର ଶେଷ କେଇପଦ ଶୁଣି ଚଞ୍ଚଳ ପାଦରେ ଆଗକୁ ଚାଲିଯାଉଛି ସୁନନ୍ଦା । ଏତେବଡ଼ ଆଶୀର୍ବାଦ ସେ ସହିପାରିଲେ ତ ? କେତେ ରୋଗୀ ଏମିତି କେତେ ଆଶୀର୍ବାଦ ଦିଅନ୍ତି- ସବୁ ଶୁଣି ପଥର ପରି ନିରୁତ୍ତର ହୋଇ ପଡ଼ିରହେ ସୁନନ୍ଦା । ଏତେବଡ଼ ଭାଗ୍ୟ ତାର ନାହିଁ । ପୋଡ଼ାକପାଳର ସବୁ ସୁଖ, ତାର ଜାଣିବା ଆଗରୁ ସରିଯାଇଛି ।

 

ନୈରାଶ୍ୟର ବହ୍ନି ଜଳିଆସିଲା ବେଳକୁ ତାକୁ ନିଭାଇ ଦବା ପାଇଁ ମନରେ ଉଁକିମାରେ ସ୍ମୃତି- ଶୁଭେନ୍ଦୁର ସ୍ନିଗ୍‌ଧ ସ୍ପର୍ଶ । ଶୁଭେନ୍ଦୁ ! ତାର ଜୀବନପଥରେ ଯେଉଁ ସାହାରା ଅତିକ୍ରମ କରିବାକୁ ଯାଇ ହତାଶ ହୋଇ ପଡ଼ୁଥିଲା ସେ, ସେଇ ସାହାରାର ମଧ୍ୟସ୍ଥଳରେ ଅତି ଅପ୍ରତ୍ୟାଶିତ ଭାବରେ ପାଇଲା ସେ ସନ୍ଧାନ ମରୁନିର୍ଝରର । ଶୁଭେନ୍ଦୁ ତାର ମରୁମୟ ଜୀବନର ଓଏସିସ୍‌ । କ୍ଷଣକ ପାଇଁ ପ୍ରଗଳ୍‌ଭ ହୁଏ ସୁନନ୍ଦା । ସେ ଯଦି ନୀଡ଼ ରଚନା କରେ- ଅନ୍ୟ ଦଶଜଣଙ୍କ ପରି ଜୀବନକୁ ଉପଭୋଗ କରେ ପରିବାର ଓ ଦାମ୍ପତ୍ୟ ଜୀବନର ଆନନ୍ଦ ଭିତରେ ! ଶୁଭେନ୍ଦୁ କଣ ଏତିକି ଦବ ନାହିଁ ତାକୁ ? ହଁ ଦବ ନିଶ୍ଚୟ । ସେ ଆଉ ଯାହା ଭାବୁ ନା କାହିଁକି, ତା ଆଖିରୁ, ତା ପେଟରୁ ଅନ୍ତତଃ ଏଇ କେଇପଦ ଅକୁହା କଥା ଅତି ଅନବଦ୍ୟ ଭାବରେ ନିବେଦିତ ହୋଇଯାଇଛି ସୁନନ୍ଦା ଆଗରେ । ଦଗ୍‌ଧ ଅନ୍ତର ଭିତରେ ଆଶା-ବାରି ସିଞ୍ଚନ କରି ଜାଗେ ମନରେ କେତେ ଆଶା- ଆଖି ତଳେ ସଞ୍ଚିତ ହୁଏ ବଞ୍ଚରହିବାର ସ୍ୱପ୍ନ ।

 

ସୁନନ୍ଦା ରୋଗୀସେବାରେ ଆହୁରି ବେଶୀ ମନଦିଏ- କର୍ମତତ୍‌ପର ହୁଏ ତାର ପାଦ ଆଉ ହାତଯୋଡ଼ିକ । ରୋଗୀମାନେ ଏଇ ଅଳ୍ପବୟସ୍କା ଝିଅଟିର ସେବା ଦେଖି ଧନ୍ୟ ଧନ୍ୟ କରନ୍ତି-

 

ଆଠ ଘଣ୍ଟାର କ୍ରମାଗତ ପରିଶ୍ରମ ପରେ କ୍ଲାନ୍ତ ଅବସନ୍ନ ହୋଇ ଫେରିଆସେ ସୁନନ୍ଦା । ଦେହରେ ତାର ହାତୀର ବଳ ନାହିଁ, କିନ୍ତୁ ମନରେ ତାର ସିଂହର ଚେତନା ଅଛି । ସେଇଥିପାଇଁ ସେ ଭିତରର ଅବସନ୍ନତା ସତ୍ତ୍ୱେ ମଧ୍ୟ କରିଯାଏ ନିଜର କର୍ତ୍ତବ୍ୟ-ଭୁଲ ତ୍ରୁଟି ହୁଏନା ସେଥିରେ ।

 

ହସ୍‌ପିଟାଲରୁ ବିଦାୟ ନେଇ ଯେତେବେଳେ ଫେରିଆସିଲା ସୁନନ୍ଦା, ସେତେବେଳେ ତା ଦେହରେ ଲାଗିରହିଥିଲା ଜ୍ୱର । ଅନ୍ତରର ଉତ୍ତାପ ଯାହାକୁ ଦଗ୍‌ଧ କରି କରିଦେଇଛି ବିଦଗ୍‌ଧ, ବାହାରର ଉତ୍ତାପ ତାକୁ ଅବସନ୍ନ କରିପାରେ, କିନ୍ତୁ ପରାଭୂତ କରିପାରେନା । ବିଛଣା ଉପରେ ଲୋଟି ପଡ଼ୁ ପଡ଼ୁ କହିଲା ସୁନନ୍ଦା-‘‘ ଦେହଟା ଆଜି ଭଲ ଲାଗୁନି ଉପେନ୍ଦ୍ର-ଟିକେ ଚା କରି ଆଣ ତ-।’’

 

ଉପେନ୍ଦ୍ର ‘‘ଆଣୁଛି ମା, ଆଣୁଛି ମା’’ କହି ଚଞ୍ଚଳ ପାଦରେ ଚାଲିଗଲା ରୋଷେଇ ଘରକୁ-! ଠିକ୍‌ ସେତିକିବେଳେ ଦ୍ୱାରମୁହଁରେ ସାଇକେଲ ଘଣ୍ଟି ଶୁଣାଗଲା । ସୁନନ୍ଦା ବୁଝିଲା ସେ କିଏ-କାହାର ଆଗମନ । ହେହରେ ତାର ନୂଆ ବଳ ଜାଗିଲା ଯେପରି । ନିମିଷକରେ ଶେଯରୁ ଉଠି ଦୌଡ଼ି ଯାଇ କବାଟ ଖୋଲି ଯେତେବେଳେ ଅଧରରେ ଚେନାଏ ହସ ଟାଣି ବିଷଣ୍ଣ ମୁହଁଟାକୁ ସତେଜ କରିବାକୁ ଯାଇ ଶୁଭେନ୍ଦୁକୁ ଅଭ୍ୟର୍ଥନା କରିବା ପାଇଁ ତା ଆଗରେ ଛିଡ଼ାହେଲା, ଶୁଭେନ୍ଦୁ ତା ମୁହଁ ଦେଖି ପ୍ରାୟ ଚିତ୍‌କାର କରି କହିଉଠିଲା- ‘‘ଏ କଣ ନନ୍ଦା-ଭଲ ନାହିଁ ଦେହ ତୁମର ?’’

 

‘‘ନାଁ, ସେପରି ତ କିଛି ହୋଇନି ।’’

‘‘ମୋତେ ଲୁଚାଇ ପାରିବନି ସୁ-ଦେଖି ତୁମର ହାତଟା-’’

 

ହାତଟା ବଢ଼ାଇଦବାର ଅପେକ୍ଷା ନ ରଖି ସୁନନ୍ଦାର ହାତଟା ଟାଣିଆଣି ନିଜ ହାତମୁଠା ଭିତରେ ଧରି ସଙ୍ଗେ ସଙ୍ଗେ କହିଲା ଶୁଭେନ୍ଦୁ- ‘‘ମୁଁ ଡାକ୍ତର ନୁହେଁ-କିନ୍ତୁ ଏ କଥା ନିଶ୍ଚିତ ଯେ ତୁମେ ପୀଡ଼ିତ, ଜ୍ୱର ଅଛି ଦେହରେ । ମୋତେ ଆଶ୍ଚର୍ଯ୍ୟ ଲାଗିଛି ସୁ- ତୁମେ ଏଇଥିରେ ଡିଉଟି କରୁଛ କିପରି ?’’

 

ସୁନନ୍ଦା ଶୁଭେନ୍ଦୁକୁ ନେଇ ନିଜର ପ୍ରକୋଷ୍ଠ ଭିତରକୁ ଯାଉ ଯାଉ କହିଲା- ‘‘ଗତ୍ୟନ୍ତର ନାହିଁ ।’’

 

‘‘ମୋର ଗୋଟାଏ କଥା ରଖିବ ତୁମେ ?’’

‘‘କଣ କୁହ ?’’

‘‘ନା, ଆଗ କଥା ଦିଅ-’’

‘‘କୁହ- ରଖିବି ।’’ ସ୍ମିତ ହାସ୍ୟ ଟାଣି କହିଲା ସୁନନ୍ଦା ।

 

‘‘ତୁମେ ଦେହ ଉପରେ ଏପରି ଅତ୍ୟାଚାର କେବେ କରିବ ନାହିଁ, ଅନ୍ତତଃ ମୋରି ଖାତିରିରେ ।’’ ଶେଷ କଥାପଦକ ସୁନନ୍ଦାର ସମଗ୍ର ଅଚେତନ ମନକୁ ନିମିଷକରେ ସଚେତନ କରି ତୋଳିଲା ।

 

ସେ ଶୁଭେନ୍ଦୁର ମୁହଁକୁ ଚାହିଁ ହଠାତ୍‌ କହି ପକାଇଲା, ‘‘ତୁମେ ଏତେ ବୋଝ ସହି ପାରିବ ଶୁଭେନ୍ଦୁ ?’’

 

ଶୁଭେନ୍ଦୁ ତା ଉପରେ ଚାଦରଟାଏ ଘୋଡ଼ାଇ ଦେଇ କହିଲା-‘‘ଏ ତ ବୋଝ ନୁହେଁ ସୁ-ସହଯାତ୍ରୀର ପାଦରେ କଣ୍ଟା ଲାଗିଲେ ତାକୁ କଣ ପରିତ୍ୟାଗ କରି ଆଗକୁ ଚାଲିଯିବାକୁ ହୁଏ ?’’

 

ସୁନନ୍ଦା ଆତ୍ମତୃପ୍ତିରେ ଆଖି ବୁଜିଲା । ଅନୁଭବ କରୁଥିଲା ସେ ଅନାଗତର ସ୍ୱପ୍ନ, ସୁରଭି-। ତାର ଅସମ୍ପୂର୍ଣ୍ଣ ଜୀବନକୁ ସମ୍ପୂର୍ଣ୍ଣ କରି ଆସିବ ଶୁଭେନ୍ଦୁ- ଦ୍ୱାରପ୍ରାନ୍ତରେ ପ୍ରତିଦିନ ଏଇପରି ତାର ଫେରନ୍ତା ପଥକୁ ଚାହିଁ ଅପେକ୍ଷା କରି ରହିବ ସୁନନ୍ଦା-ତାର କର୍ମକ୍ଲାନ୍ତ ଦେହକୁ ସତେଜ କରିବ ନିଜର ସ୍ନିଗ୍‌ଧ ସୋହାଗ ଦେଇ । ଆଉ ଭାବିପାରିଲା ନାହିଁ ସେ । ମନର ଆଉ ଏକ କୋଣରୁ କିଏ ଜଣେ ଚିତ୍‌କାର କରିଉଠିଲା-ତୁ ହିନ୍ଦୁ ନାରୀ, ବିବାହ କରି ବିଧବା ହୋଇଛି । ବୈଧବ୍ୟମୟ ଜୀବନରେ ଏତେ ସୋହାଗର ସ୍ୱପ୍ନ- ବିରାଗ ପରିବର୍ତ୍ତେ ଅନୁରାଗର ଏତେ ଆଡ଼ମ୍ବର ??

 

ଶୁଭେନ୍ଦୁ କହିଲା, ‘‘କଣ କିଛି କହୁନ ଯେ ? ମୋର ପରୀକ୍ଷା ଶେଷ ହେଲା ପ୍ରାୟ । ଆଉ ଦିନ ପନ୍ଦରଟା ଭିତରେ ମୁଁ ବାହାରିପଡ଼ିବି ନିଜ ଗୋଡ଼ରେ ଛିଡ଼ାହେବା ପାଇଁ । ବିଶାଳ ଦୁନିଆରେ ବାସ୍ତବତା ସହିତ ହେବି ମୁହାଁମୁହିଁ । ତୁମେ ମୋତେ ସାହାଯ୍ୟ କରିବନି ସୁ- ?’’

 

ଅନୁଚ୍ଚାରିତ ଉତ୍ତର ଶୁଣି ପାରିଲା ନାହିଁ ଶୁଭେନ୍ଦୁ । କିନ୍ତୁ ସେ ଶୁଣିଲା ଏକ ବ୍ୟଥାସିକ୍ତ ହୃଦୟର ବେଦନାଭରା କାରୁଣ୍ୟ- ଚିର ଦୁଃଖିନୀ ଯେ, ସମ୍ଭାବନାମୟ ଭବିଷ୍ୟତର ଦ୍ୱାରଦେଶରେ ନୂତନର ସ୍ୱପ୍ନରେ ଆତ୍ମହରା ହୋଇ ହସେ ନାହିଁ ସେ-ସେ କାନ୍ଦେ -ଚକ୍ଷୁରୁ ତାର ଝରେ ଲୋତକ ।

 

ସୁନନ୍ଦା କାନ୍ଦୁଛି-କୋହକୁ ତାର ଦୁର୍ବଳ ବକ୍ଷ-ପଞ୍ଜରା ଭିତରେ ଚାପି ରଖି କାନ୍ଦୁଛି ସେ । ସେ କ୍ରନ୍ଦନ ଯେପରି ସ୍ୱାଭାବିକ-ଗୋଟିଏ ରିକ୍ତ ହୃଦୟର ସହଜ ଆତ୍ମପ୍ରକାଶ । ଆଖିରୁ ଲୁହ ପୋଛି ଦେଇ ତାର ମଥା ଉପରେ ହାତ ବୁଲାଇଲା ଶୁଭେନ୍ଦୁ।

 

ସୁନନ୍ଦା ଶୁଭେନ୍ଦୁର ହାତି ଭିତରେ ନିଜ ହାତ ରଖି କହିଲା–

‘‘ସେଦିନ ମୁଁ କହିଥିଲି ମୋ କଥା କହିବି ବୋଲି-ମନେଅଛି ତୁମର ?’’

‘‘ହଁ, କିନ୍ତୁ ଆଜି କାହିଁକି ସେ କଥା ? ଭଲ ହୋଇଯାଅ ଆଗେ ।’’

 

‘‘ନା, ନା,ନା- ହୁଏତ ଏତେଦିନ ଅପେକ୍ଷା କରି ରହିପାରିବିନି । ଆଉ ଯାହା ଅକୁହା ରହିଯାଇଛି ଆଜିଯାଏ, ତାକୁ ଚାପିରଖିବାର ଚରମ ଦୁଃଖକୁ କେତେଦିନ ଆଉ ସହି ରଖିପାରିବି କୁହ ? ମୋର ମନେହେଉଛି ଶୁଭେନ୍ଦୁ, ଯେପରି ମୋର ସମସ୍ତ ଚିନ୍ତା, ଭାବନା, ମୋର ବକ୍ଷପଞ୍ଜରାଗୁଡ଼ାକୁ ଦୀର୍ଘଶ୍ୱାସର ଆଘାତରେ ଥରାଇ ଦୁର୍ବଳ କରିଦଉଛି ଦିନକୁ ଦିନ !’’

 

‘‘ତୁମେ ବଡ଼ ଭାବପ୍ରବଣା ସୁ-! କାହିଁକି ତୁମେ ଏତେ ଭାବ କୁହ ତ ? ଯାହା ତୁମର ନ ଥିଲା, ତା ଯାଇଛି; ଯେଉଁଠାରେ ତୁମର ପରିଚୟ ନାହିଁ ସେଠାରେ ଅପରିଚିତ ରହିବାରେ ତୁମର ବ୍ୟଥା କାହିଁକି ?’’

 

‘‘ମୁଁ ଯେ ବିଧବା, ଶୁଭେନ୍ଦୁ-’’ ଉଦ୍‌ଗତ କୋହର ପ୍ରକାଶ ସଙ୍ଗେ ସଙ୍ଗେ ଏତକ କହି କ୍ରନ୍ଦନରେ ଉଛୁଳି ଉଠିଲା ସୁନନ୍ଦା ।

 

‘‘ତୁମେ ବିଧବା କହି ମୋତେ ଭୟ ଦେଖାଉଛ ସୁ ? ସମାଜର ଗତାନୁଗତିକତା ଭିତରେ ଆବଦ୍ଧ ନୁହେଁ ମୋର ମନ । ମୁଁ ଏସବୁର ଊର୍ଦ୍ଧ୍ୱରେ । ତୁମେ ବିଧବା-କେବେ ଦିନେ କେଉଁ ଜଣେ ହତଭାଗ୍ୟ ସହିତ ତୁମର ବିବାହ ହୋଇଥିଲା -ଏ ତ ପୁରୁଣା କଥା ସୁ । ସେ ଅତୀତର କଥା- ସେ ଦୁଃସ୍ୱପ୍ନ ପରି ଅଳିକ, ମରିଚିକା ପରି ଅବାସ୍ତବ । ତା ନେଇ ନିଜକୁ କୁଚ୍ଛ୍ର ସାଧନା ଭିତରେ ତିଳ ତିଳ ବିସର୍ଜନ କରିବା ମୁଁ ସହିପାରିବିନି । ମୋ ଚଲାପଥରେ ମୁଁ ଚାହେଁ ତୁମକୁ । ସଂସାରର ବନ୍ଧନ ତେଜି ମୋ ସାଙ୍ଗରେ ଆଗକୁ ଯିବାପାଇଁ ରାଜି ହୁଅ ସୁ- ’’

 

ସୁନନ୍ଦା ଥରୁଥିଲା-ଜ୍ୱରରେ ନୁହେଁ, ଆଗକୁ ଯିବାର ନୂତନ କଥା ଶୁଣିବାର ଉତ୍ତେଜନାରେ । କପାଳରେ ତାର ଘର୍ମବିନ୍ଦୁ । ଯେଉଁ କଥା ଶୁଣିବା ପାଇଁ ନାରୀ କରେ ତପସ୍ୟା, ଅପେକ୍ଷା କରେ ଯୁଗ-ଯୁଗାନ୍ତର, ସେଇ କଥା ଆଜି ଶୁଣୁଛି ସୁନନ୍ଦା ।

 

‘‘କିନ୍ତୁ–’’

 

‘‘କିନ୍ତୁ କଣ ସୁ ? କର୍ମୀ ଆମେ, କର୍ମ କରିବାରେ ଆନନ୍ଦ ଆମର । ମୁଁ ଯିବି ଫ୍ୟାକ୍‌ଟରିକୁ, ତୁମେ ଯିବ ହସ୍‌ପିଟାଲ । ମୁଁ ଫେରିବି ତୁମକୁ ଦେଖିବାର ଆବେଗ ନେଇ ଓ ତୁମେ ଫେରିବ ମୋତେ ସଙ୍ଖାଳିବାର ସୋହାଗ ନେଇ । ମୁଖରିତ ହୋଇଉଠିବ ଏଇ ମୁମୂର୍ଷୁ କୁଟୀର ।

 

କିଛି କହିବାର ନ ଥିଲା ସୁନନ୍ଦାର । ଏତେ ବଡ଼ ସୌଭାଗ୍ୟ ହେବ ତାର ? ତାର ମନର ଏକ କୋଣରୁ ଉଙ୍କି ମାରୁଥିଲା ସଂସାର-ବନ୍ଧନର ଆଶା ।

 

ସଂସାର ? କାହିଁକି କେତେଗୁଡ଼ାଏ ଅନାବଶ୍ୟକ ସଂକୀର୍ଣ୍ଣତାକୁ ନେଇ ଗଢ଼ିଉଠିଛି ଆମର ସଂସାର ? କାହିଁକି ନିର୍ଝରିଣୀର ସ୍ୱଚ୍ଛନ୍ଦ ଗତି ନେଇ ଆଗକୁ ନ ଯାଇ, ଆବଦ୍ଧ ପୁଷ୍କରିଣୀ ଭିତରେ ପଙ୍କିଳ ହୋଇଛି ଜଳ ? କିନ୍ତୁ ଏଇ ପଙ୍କିଳ, କର୍ଦ୍ଦମାକ୍ତ, ବିଷାକ୍ତ ଜଳରେ ସ୍ନାନ କରି ଏଇ ଦେଶର ଲୋକ ପୁଣ୍ୟ ଅର୍ଜନ କରନ୍ତି । ମୋକ୍ଷ ପାଇବା ଆଶାରେ ସମ୍ବଳ ସାରି ଦୂରଦୂରାନ୍ତରୁ ଆସି କରନ୍ତି ସ୍ନାନ ।

 

ବିଦ୍ରୋହ କରିଉଠେ ଶୁଭେନ୍ଦୁର ମନ । ଏସବୁ ଅନ୍ଧ କୁସଂସ୍କାର ଭାଙ୍ଗିଦେବାକୁ ହେବ । ବିମୁକ୍ତ କରିବାକୁ ହେବ ମଣିଷର ମନକୁ ଏଇ ବନ୍ଧନରୁ । ମନୁଷ୍ୟର ଶକ୍ତିକୁ, କାମ କରି ଯିବାର ପ୍ରଖରତାକୁ ପ୍ରଦୀପ୍ତ କରିବା ପାଇଁ ହେବ । ସେଇଥିରେ ସୃଷ୍ଟି ହେବ ନୂତନ ସମାଜ । ଇଞ୍ଜିନିଅର ସେ- ନିର୍ମାଣ ତାର ଧର୍ମ-ଆଉ ସେହି ନବ ଅନୁଷ୍ଠାନର ଶୁଭ ଶିଳାନ୍ୟାସ କରିବ ସୁନନ୍ଦା ।

 

ଶୁଭେନ୍ଦୁ ଆବେଗରେ ସୁନନ୍ଦାକୁ ହଲାଇ ଦେଇ କହିଲା-‘‘ତୁମେ ରାଜି ସୁ ?’’

 

ତାର ପ୍ରତ୍ୟାଶିତ ଉତ୍ତର ପାଇବା ପୂର୍ବରୁ ଗୃହ ଭିତରେ ଚା ଧରି ପ୍ରବେଶ କଲା ଉପେନ୍ଦ୍ର-। ସୁନନ୍ଦାର ଉତ୍ତର ତାର ମୁହଁରେ ପ୍ରକାଶ ପାଇପାରିଲା ନାହିଁ ସିନା; ମାତ୍ର ଅନ୍ତର ଭିତରେ ସେହି ଉତ୍ତର ମଥା ପିଟୁଥିଲା ଅମୁହାଁ ଦେଉଳରୁ ଆତ୍ମପ୍ରକାଶ କରିବା ପାଇଁ ।

 

ଉଠି ବସୁ ବସୁ କହିଲା ସେ-‘‘ଆଣ ଉପେନ୍ଦ୍ର ! ’’

‘‘ନା, ନା, ତୁମେ ଉଠନା ସୁ ।’’

 

‘‘ମୋତେ କରିବାକୁ ଦିଅ ଶୁଭେନ୍ଦୁ- ଏଇଥିରେ ତ ମୋର ଆନନ୍ଦ !’’- ଶୁଭେନ୍ଦୁ ହାତକୁ ଚା’ କପ୍‌ ଓ ବିସ୍କୁଟ୍‌ ପ୍ଲେଟ୍‌ଟା ବଢ଼ାଇ ଦଉ କହିଲା ସୁନନ୍ଦା । ଆଜି ପ୍ରଥମ ଥର ପାଇଁ ଜୀବନରେ ଅନ୍ୟକୁ ସ୍ନେହ କରିବାର ନୂଆ ରୂପ ଦେଖୁଛି ସେ- ଯାହା କର୍ତ୍ତବ୍ୟର ଧରାବନ୍ଧା ନିୟମ ଭିତରେ ଆଜିଯାଏ ନିବଦ୍ଧ ଥିଲା ହସ୍‌ପିଟାଲର ପାଚେରି ଭିତରେ । ତାହା ନାରୀର ସହଜାତ ନିଷ୍ଠା-ସ୍ନେହ ଓ ସ୍ନିଗ୍‌ଧତା ନେଇ ଆଜି ଆତ୍ମପ୍ରକାଶ କରିଛି । ଏଇଥିରେ ତ ନାରୀର ସାର୍ଥକତା ! ଅନ୍ୟର ଆନନ୍ଦ ଆକଣ୍ଠ ପାନ କରି ବଞ୍ଚିରହେ ଏ ଦେଶର ନାରୀ-ଏ ଦେଶର ଜାୟା ଓ ଜନନୀ ।

 

ସୁନନ୍ଦା ଚା ପାନ ପରେ ଟିକିଏ ଜୀବନ ପାଇଲା ଯେପରି । ଆଜି ତାହାର ମନ ହେଉଥିଲା, ଜୀବନରେ ଯାହା ପାଇଛି ସେ ତାକୁ ହେଳା କରିବାର ନୁହେଁ । ରିକ୍ତହସ୍ତ ପୂର୍ଣ୍ଣ ହୋଇଛି ତାର । ଆଉ ବେଶୀ ଆଶା ସେ କରେନି। ବିଧବାର ଯନ୍ତ୍ରଣା ଭୁଲି ବନ୍ଧୁ ହୋଇପାରିବ ସେ- ଏଇ ସ୍ୱପ୍ନ, ଏଇ ମାଦକତା ଅଥୟ କରୁଥିଲା ତା ହୃଦୟକୁ ।

 

‘‘ତୁମେ କାଲି ନିଜର ସ୍ୱାସ୍ଥ୍ୟଟା ଥରେ ପରୀକ୍ଷା କରାଇ ନିଅ ସୁ ।’’

 

‘‘ମୋଠାରୁ କଣ ମୋତେ ବେଶୀ ଜାଣିପାରିବେ ଡାକ୍ତର, ଶୁଭେନ୍ଦୁ ? ଦେଖିବ, କାଲିଠାରୁ ମୁଁ ଆପେ ଭଲ ହୋଇଯିବି । ’’ ଦୁଷ୍ଟାମିର ହସ ହସି କହିଲା ସୁନନ୍ଦା ।

 

‘‘ବାଃ, ତାହାହିଁ ହେଉ ସୁ, ତାହାହିଁ ହେଉ । ନ ହେଲେ ତୁମର ମୁହଁକୁ ଚାହିଁ ଢୋକ ଗିଳନ୍ତି ଯେଉଁମାନେ, ସେମାନଙ୍କର କଣ ହେବ କହିଲ ଆଗ ? ’’

 

‘‘କିନ୍ତୁ ତୁମେ ତ ସେ ଦଳର ନୁହଁ ?’’

 

‘‘ମୁଁ ଯଦି ସେ ଦଳର ହୁଅନ୍ତି ତେବେ ଭାଗ୍ୟବାନ ମଣନ୍ତି ନିଜକୁ । ତୁମର ସେବା ଯତ୍ନ ଅକପଟ ସ୍ନେହ ପ୍ରେ....ମ.....’’

 

‘‘ତୁମେ ବଡ଼ ଦୁଷ୍ଟ ....’’

 

ଶୁଭେନ୍ଦୁ ସୁନନ୍ଦାର ପିଲାଦିନର ଗୋଟାଏ ଫଟୋ ଟେବୁଲ ଉପରୁ ଉଠାଇ ଆଣୁ-ଆଣୁ କହିଲା- ‘‘ଏ କାହାର ଫଟୋ ସୁ ..... ?’’

 

‘‘କାହାର କହିଲ ?’’

‘‘ଠିକ୍‌ ଜାଣେନା-ତେବେ ଗୋଟିଏ ଓଲି ଝିଅର ।’’

‘‘ଓଲି ଝିଅ ? କାରଣ ? ’’

‘‘ଦେଖୁନ ତାର ଚାହାଣୀ-ଅର୍ଥ ନାହିଁ, ଆଶା ନାହିଁ -’’

 

‘‘ଆଉ କଣ ବେଶୀ ଅର୍ଥ, ବେଶୀ ଆଶା ଖୋଜୁଛ ଯେ ତୁମେ ? କିଏ ଜାଣିଥିଲା ସେଇ ଓଲିଟାର ଚାହାଣୀରେ ଆସିବ ଏତେ ଅର୍ଥ, ଏତେ ଆଶା ଯେ ଗୋଟାଏ ଗୋଟାଏ ଇଞ୍ଜିନିଅର ପଥରୋଧ କରି ଛିଡ଼ାହେବେ ତା ରାସ୍ତାରେ !’’

 

‘‘ମୋରି କଥା ମୋତେ ଫେରାଇ ଦେଉଛ ଯେ ? ତୁମେ ସତେ ଓଲି ଥିଲ ସୁ.... । ’’

‘‘ଥିଲି-ତୁମଠାରୁ ଚାଲାକି ଶିଖିବି ବୋଲି ।’’

 

ହାଲୁକା କଥାରେ ଝରୁଥିଲା ଦୁଇଟି ହୃଦୟର ଅନାବିଳ ପ୍ରେମ । ନିର୍ଝରିଣୀ ଥରେ ସାଗରମୁହାଁ ହେଲେ ଯେପରି ସମସ୍ତ ବାଧା-ବିଘ୍ନ ଏଡ଼ି ଆଗକୁ ମାଡ଼ିଚାଲେ, ସୁନନ୍ଦାର ରୁଦ୍ଧ ପ୍ରାଣଶକ୍ତି ଶୁଭେନ୍ଦୁର ସ୍ପର୍ଶ ପାଇ ଆବେଗମୟ ଭାବରେ ବଢ଼ିଚାଲିଲା ସେଇପରି । ସେହି ଆବେଗରେ ଥିଲା ପ୍ଲାବନର ଆବେଗ, ପ୍ରବାହର ଆନନ୍ଦ ।

 

ଶୁଭେନ୍ଦୁର ସ୍ନିଗ୍‌ଧ ସରଳ ସ୍ପର୍ଶ. ତାକୁ କରିଥିଲା ପ୍ରଗଳ୍‌ଭା । ସେ ବଞ୍ଚିବାକୁ ଚାହେଁ । ବଞ୍ଚିତାର ଜୀବନରେ ବଞ୍ଚିବାର ନୂତନ ସ୍ୱପ୍ନ, ନୂତନ ରୋମାଞ୍ଚ ତାର ପ୍ରାଣକୁ କରୁଥିଲା ଆଶାୟୀ, ଚକ୍ଷୁକୁ ସ୍ୱପ୍ନିଳ । ତାର ଦୃଷ୍ଟିରେ ଫୁଟି ଉଠିଥିଲା ଇନ୍ଦ୍ରଧନୁର ସୌନ୍ଦର୍ଯ୍ୟ ।

•••

 

୧୫

 

ମାଧୁରୀ ଆଉ ଧୀର ହୋଇ ବସିପାରି ନାହିଁ । ଯେଉଁ ଦିନରୁ ପ୍ରତ୍ୟାଖ୍ୟାତ ହୋଇ ତାରି ଦ୍ୱାରରୁ ଫେରିଯାଇଛି ଶୁଭେନ୍ଦୁ ସେହିଦିନଠାରୁ ନିଜେ ଚାନ୍ଦା ଆଦାୟ କରିବାର ଦ୍ୱାୟିତ୍ୱ ବହନ କରିଛି ସେ । ତାର ଜିଦ୍‌, ବିଜୟ ସେଦିନ ଶୁଭେନ୍ଦୁକୁ ଯେଉଁ ଅପମାନ ଦେଲା ତାର ଜବାବ ଦେବ ଏବଂ ଏହା ସଙ୍ଗେ ଶୁଭେନ୍ଦୁକୁ ଦେଖାଇଦେବ-ସେ ନିର୍ଜୀବ ବା ସ୍ଥଣୁ ନୁହେଁ ସେ ବଡ଼ଲୋକୀର ଆଦବ୍‌ କାଏଦା ଏବଂ କୁସଂସ୍କାରଠାରୁ ସମ୍ପୂର୍ଣ୍ଣ ମୁକ୍ତ- ସେ ମଧ୍ୟ ସମାନ ଭାବରେ ଦୀନ-ଦୁଃଖୀଙ୍କର କଥା ଭାବିପାରେ; ସେମାନଙ୍କର ସେବା କରିପାରେ ।

 

ମାଧୁରୀ ଏହା ଭିତରେ ତାର କେତେକ ସାଥୀଙ୍କୁ ନେଇ ସହରର କେତେକ ଖ୍ୟାତନାମ ଘରକୁ ଯାଇ ଆଣିଛି ଚାନ୍ଦା । ତାର ତାଲିକାରେ ନଗଦ ଏକ ହଜାରରୁ କିଛି ଅଧିକ ଅର୍ଥ, ପ୍ରାୟ ପଚିଶ ମହଣ ଚାଉଳ, ପାଞ୍ଚ ମହଣ ଚୁଡ଼ା ବ୍ୟତୀତ ଅନ୍ୟ ଜିନିଷ ମିଳିବାର ପ୍ରତିଶ୍ରୁତି ମଧ୍ୟ ମିଳିଛି । ଏଇ କେଇଦିନ ଅକ୍ଲାନ୍ତ ପରିଶ୍ରମ କରିଛି ମାଧୁରୀ । ସେ ନିଜର ବ୍ୟକ୍ତିଗତ ସୁଖ-ସ୍ୱାଚ୍ଛନ୍ଦ୍ୟ ଭୁଲି, ଖାଇବା-ପିଇବାରେ ନଜର ନ ଦେଇ ଯାହା କରିପାରିଛି ସେଇଥିରେ ମନ ତାର ଗର୍ବରେ ଫୁଲିଉଠୁଛି । ଏଥର ଶୁଭେନ୍ଦୁ ନିଶ୍ଚୟ ଆଗେଇ ଆସିବ । ତା ସହିତ ମାଧୁରୀର ଆଦର୍ଶଗତ ତଫାତ୍‌ ଆଉ ତା ଆଗରେ ମୁଣ୍ତ ତୋଳି ବାଧା ଛିଡ଼ା କରାଇବ ନାହିଁ । ଆହା ! ଶୁଭେନ୍ଦୁ ଯଦି କୌଣସି ପ୍ରତିଷ୍ଠିତ ପରିବାରରେ ଜନ୍ମଗ୍ରହଣ କରିଥାଆନ୍ତା, ହୋଇଥାଆନ୍ତା ଯଦି ସେ ଅବସ୍ଥାସମ୍ପନ୍ନ ପରିବାରର ଏକ ତାରୁଣ ମନକୁମନ କହିଯାଏ ମାଧୁରୀ । କିନ୍ତୁ ଯାହା ହୋଇଛି ଶୁଭେନ୍ଦୁ, ସେଥିରେ ତାର ଅବଶୋଷ ନାହିଁ, ଦ୍ୱିଧା ନାହିଁ । ସେ ଗରିବ ହୋଇପାରେ; କିନ୍ତୁ ଗର୍ବ କରିବା ପାଇଁ ତାର ଅଛି ଅନେକ ସୁଗୁଣ । ସେ ସମ୍ବଳହୀନ ହୋଇପାରେ; କିନ୍ତୁ ସମ୍ବଳ ଆହରଣ କରି ପ୍ରତିଷ୍ଠିତ ହେବା ପାଇଁ ଯେଉଁ ଶକ୍ତି ଆବଶ୍ୟକ ତାହା ଅଛି ତାର । ସେ କର୍ମୀ-ଆଦେଶ ଦେବାର ମହତ୍ତ୍ୱ ଅପେକ୍ଷା ଆଦେଶ ତାମିଲ କରିବାରେ ଆନନ୍ଦ ତାର ବେଶୀ । ମୁଗ୍‌ଧ ହୁଏ ମାଧୁରୀ । ମାନସପଟରେ ତାର ଯେତେ ଯୁବକ ଉଦୟ ହୁଅନ୍ତି ସମସ୍ତଙ୍କର ସ୍ମୃତି ବର୍ଷାପାଣିର ବୁଦ୍‌ବୁଦ୍‌ ପରି ଅଳୀକ; କିନ୍ତୁ ଶୁଭେନ୍ଦୁର ସ୍ନିଗ୍‌ଧ ମୂର୍ତ୍ତି ତା ମାନସପଟରେ ଚନ୍ଦ୍ରାଲୋକିତ ଧରଣୀ ପରି ଉଦ୍‌ଭାସିତ ଓ ବିକଶିତ ।

 

‘‘ଦେଈ-!’’

‘‘କଅଣ କହୁଛୁ ଶ୍ରୀଧର ?’’

‘‘ଆଜି ପୁଣି କେଉଁଆଡ଼େ ବାହାରିଛି କି ? କାଲି ବାବା ରାଗୁଥିଲେ ।’’

‘‘ରାଗୁଥିଲେ ? କାହିଁକି ରାଗୁଥିଲେ ?’’

 

‘‘ଖରାଟାରେ ରିକ୍‌ସା ନାହିଁ, ଗାଡ଼ି ନାହିଁ, ପାଦରେ ଚାଲି ଚାଲି ସୁନା ଦେହକୁ କଳାକାଠ କରୁଛ ବୋଲି ।’’

 

‘‘ସତରେ ଶ୍ରୀଧର ମୁଁ କଣ କଳା ପଡ଼ିଗଲିଣି ?’’

 

‘‘ହଁ ମ ଦେଈ ! କାହିଁକି ଯେ ତୁମେ ଏଇ ବାଜେ କାମରେ ହାତ ଦିଅ ? ବିଜୁ ବାବୁ ପରା କାଲି କହିଲେ ମୋତେ, ମୁଁ କଣ ଏଗୁଡ଼ାକ କିଛି ଜାଣିଥିଲି କି ?’’

 

‘‘କଣ କହିଲେ ତୋର ବିଜୁବାବୁ ଶୁଣେ ?’’

 

‘‘କହିଲେ- ସେ ସହରରେ କଣ ନାଚଗୀତର ଆୟୋଜନ କରିବେ ପରା, ସେଇଥି ପାଇଁ ପାଣ୍ଠି ଖୋଲୁଛନ୍ତି ।’’

 

‘‘ନାଚଗୀତ ପାଇଁ ପାଣ୍ଠି ଖୋଲା ହେଉଛି ବୋଲି କହିଲେ ତତେ ବିଜୁବାବୁ ?’’

‘‘ହଁ ଦେଈ, ଆହୁରି ପରା କଣ ଡ୍ରାମା ହେବ ଯେ ସେ ରାଜା ଆଉ ତମେ ରାଣୀ’’

ତାକୁ କଥା ଶେଷ କରିବାକୁ ନ ଦେଇ ଚିତ୍‌କାର କରି ଉଠିଲା ମାଧୁରୀ-

‘‘ଶ୍ରୀଧର...’’

‘‘ଦେଈ ! ’’

 

‘‘ଯଦି ବିଜୁବାବୁ ଏଠାକୁ ପୁଣି ଆସନ୍ତି, ଆଉ ଯେପରି ପୁନର୍ବାର ନ ଆସିବେ କହିବୁ ତାଙ୍କୁ । କହିପାରିବୁ ?’’

 

‘‘ଏ କଣ କହୁଛ- ବାବୁ ଭାରି ଭଲ ଲୋକ ଦେଈ ! ତମେ ଜାଣନାହିଁ- ସେ ପରା ଆମ ଗରିବଗୁରୁବାଙ୍କ କଥା ବଡ଼ ଭାବନ୍ତି ଦେଈ !’’

 

ଆଉ ନ ହସି ରହିପାରିଲା ନାହିଁ ମାଧୁରୀ ! କହିଲା-‘‘ବିଜୟ ବାବୁ ଗରିବଗୁରୁବାଙ୍କ କଥା ଭାବିବାକୁ ଶିଖିଲେଣି ତା ହେଲେ ? ଆଚ୍ଛା ଶ୍ରୀଧର, ଶୁଭେନ୍ଦୁ ବାବୁଙ୍କୁ ଦେଖିଛୁ ଏଇ କେଇଦିନ ?’’

 

‘‘ହଁ ଦେଈ,ଏଇ ଆଜି ସକାଳେ ତ କାଗଜ ଦେଇଗଲେ ।’’

‘‘କାହିଁ ମୁଁ ତ ଦେଖିନି ? ’’

 

‘‘ସେ ପରା ବଡ଼ିଭୋରରୁ ଆସି ଏଇ ଝରକା ବାଟେ କାଗଜ ଗଳେଇଦେଇ ଯାଆନ୍ତି । ଧନ୍ୟ ବାବା ! ରାତିରେ ନିଦ ନ ଥାଏ ଯେପରି !’’

 

‘‘ଶୁଭେନ୍ଦୁ ତୁମକୁ ଭଲ ଲାଗେ ଶ୍ରୀଧର ? ’’

 

‘‘ଭଲ ଲାଗିବ ନାହିଁ ଦେଈ ? ସେ ପରା ସେଦିନ ବକ୍ତୃତା ଦେଉଥିଲେ ଯେ ଆମ ପରି ଗରିବଙ୍କ ଭାଗ୍ୟ ଆଉ କେଇଟା ବର୍ଷରେ ବଦଳି ଯିବ ।’’

 

‘‘କିମିତି ବଦଳି ଯିବ କହୁଥିଲେ ?’’

 

‘‘କହୁଥିଲେ କଣ ଗାଁ-ଗାଁରେ ସମବାୟ ଆନ୍ଦୋଳନ ହେବ, କୋଠଚାଷ ହେବ, ଛୋଟ ଛୋଟ କଳକାରଖାନାରେ ଦେଶ ଛାଇ ହୋଇଯିବ-କାମର ଅଭାବ ରହିବ ନାହିଁ ।’’

 

‘‘ସତରେ ଶ୍ରୀଧର, ତମେ ତମ ନିଜକଥା ଯେତେ ନ ଭାବ, ସେ ତମମାନଙ୍କ ବିଷୟରେ ଭାବନ୍ତି ବେଶୀ ।’’

 

‘‘କାହିଁକି ନ ଭାବିବେ ଦେଈ ! ସେ ପରା ଆମରି ଭିତରୁ ଜଣେ ? କେଉଁ ବଡ଼ଘରେ ଜନମ ନେଇଥିଲେ, କିନ୍ତୁ କପାଳ ଏମିତି ଯେ ଧନ-ସମ୍ପତ୍ତି, ବାପ-ଭାଇ ସବୁ ମରି-ହଜି ଗଲେ । କେବଳ ବିଧବା ମା ଛଡ଼ା ଆଉ କେହି ରହିଲା ନାହିଁ ସଂସାରରେ । ସେ ବଡ଼ କରୁଣ ଇତିହାସ ଦେଈ !’’

 

‘‘ତୁ ଜାଣିଲୁ କିପରି ଶ୍ରୀଧର ?’’

 

ଟିକିଏ ହସି ମୁଣ୍ତରେ ହାତ ମାରି କହିଲା ଶ୍ରୀଧର, ‘‘ମୁଁ ଜାଣିବି ନାହିଁ ତ ଆଉ ଜାଣିବ କିଏ ? ଆମ ଦେଈ ଯାହା କଥା ଜାଣିବା ପାଇଁ ଏତେ ଆଗଭର, ମୁଁ ଜାଣିବି ନାହିଁ ତା କଥା ? ସେ ପରା ତମ କଥା କହୁଥିଲେ ସେଦିନ।’’

 

‘‘କଣ କହୁଥିଲେ ଶ୍ରୀଧର ?’’

ମାଧୁରୀ ଆବେଗମୟ ଭାଷାରେ ପଚାରିଲା ଏଇ ପ୍ରଶ୍ନଟି ।

 

‘‘ସେଦିନ ବିଜୁବାବୁ କଣ କହିଦେଲେ ଯେ ଶୁଭେନ୍ଦୁ ବାବୁ ତାଙ୍କ ସାଙ୍ଗସାଥୀମାନଙ୍କ ସହ ଅପମାନ ପାଇ ଫେରିଗଲେ କଚେରି ଘରୁ । ତୁମେ ତ କିଛି କହିଲ ନାହିଁ ଦେଈ ! ହେଲେ, ମୁଁ ପଛେ ଯାଇ କହିଲି ତାଙ୍କୁ-ଭୁଲ ବୁଝିବ ନାହିଁ ବାବୁ, ଆମ ଜମିଦାର ସାହେବ ଆଉ ଯାହା ହୁଅନ୍ତୁ ପଛେ ଦୀନ- ଦୁଃଖୀଙ୍କ କଥା ବୁଝିବା ପାଇଁ ଆଗ ! ହେଲେ ବିଜୁବାବୁ ଆସି ତାଙ୍କ କାନେ କାନେ କଣ ମନ୍ତର ଦେଉଛନ୍ତି କେଜାଣି, ଆଜିକାଲି ଗରିବଗୁରୁବାଙ୍କ କଥା ଶୁଣିଲେ ଚିଡ଼ି ଉଠୁଛନ୍ତି ସେ । ଆଉ କହିଲି ତୁମ କଥା .....’’

 

‘‘ତା ପରେ-’’

 

‘‘ମୋତେ କଣ ପଚାରିଲେ ଜାଣ ଦେଈ ? ଯେମିତି ମୁଁ କହିଲି ତୁମ କଥା, ସେମିତି ପରା କହିଲେ- ତୁମ ଦେଈ କଥା କଣ ମୋତେ ଜଣାନାହିଁ ? ବଡ଼ଘରେ କମ୍‌ ଲୋକ ଜନମ ହୁଅନ୍ତି ସେପରି ଗୁଣ ନେଇ !’’

 

‘‘ଆଉ କଣ କହିଲେ ଶ୍ରୀଧର ?’’

 

ମାଧୁରୀ ହାତରେ ଚାନ୍ଦ ପାଇଲା ଯେପରି- ଶୁଭେନ୍ଦୁ ତା କଥା ଭାବେ, ତା ବିଷୟରେ ଖବର ରଖେ । କାହିଁକି ତା’ହେଲେ ସାମନାରେ ପାଇଲେ ରୁକ୍ଷ ହୁଏ, କାହିଁକି ଆଘାତ ଦିଏ ତାକୁ ? ଆଘାତ ଦେଇ ଆଘାତ ଯଦି ପାଏ ସେ, ତା କଣ ମାଧୁରୀର ଦୋଷ ? ଅଭିମାନିନୀ ମାଧୁରୀ ଫୁଲି ଉଠିଲା ଅଭିମାନରେ । ଶୁଭେନ୍ଦୁ ତାକୁ ବୁଝି ମଧ୍ୟ ବୁଝୁନାହିଁ, ଦେଖି ମଧ୍ୟ ଏଡ଼ିଯିବାକୁ ଚେଷ୍ଟା କରୁଛି-। କାହିଁକି ? ସେ କଣ ଉପଯୁକ୍ତ ନୁହେଁ, ସେ କଣ ପୁଷ୍ପାୟିତ କରିପାରିବନି ଶୁଭେନ୍ଦୁର ପଥକୁ-?

 

‘‘ଶୁଭେନ୍ଦୁ ବାବୁ ଆହୁରି କହୁଥିଲେ ଦେଈ, ଆଜି କଣ ସଭା ହେବ ବୋଲି ।’’

‘‘ସଭା ! କେଉଁଠାରେ ସଭା ହେବ ?’’

‘‘ହଁ, ସାଇ ଗଡ଼ଗଡ଼ିଆ ପାଖରେ ।’’

‘‘ତୁ ଯିବୁ ଶ୍ରୀଧର ?

 

‘‘କାମ ତ ଅନେକ ପଡ଼ିଛି, ଆଉ ଯାଇପାରୁଛି କେତେବେଳେ ? ହେଲେ ତମେ ଯିବ ଦେଈ ?’’

 

‘‘ମୋତେ ତ କହିନାହାନ୍ତି ଶୁଭେନ୍ଦୁ ।’’

‘‘ଭୁଲି ଯାଇଥିବେ ପରା । ଯିବି ତାଙ୍କୁ ପଚାରି ଆସିବି ଦେଈ ?’’

 

‘‘ନା ଶ୍ରୀଧର, ନିଜେ ଯେତେବେଳେ ସେ ଜାଣିଶୁଣି କହି ନାହାନ୍ତି, ଯିବିନି ମୁଁ ସେଠାକୁ । ନା-ନା, ସେଠାରେ ମୋର ପ୍ରୟୋଜନ ନାହିଁ ।’’

 

ଆଉ ଅଧିକ କହିବାକୁ ଧୈର୍ଯ୍ୟ ନ ଥିଲା ମାଧୁରୀର । ଅଭିମାନରେ ଫୁଲି ଫୁଲି ଆଖିରୁ ଲୁହ ଗଡ଼ାଇବା ପାଇଁ ଚାଲିଗଲା ସେ ନିଜ ପ୍ରକୋଷ୍ଠ ଭିତରକୁ ।

 

ବାହାରେ ସାଇକେଲରୁ ଓହ୍ଲାଇ ଛିଡ଼ାହେଲା ଶୁଭେନ୍ଦୁ । ଶ୍ରୀଧର ଦୌଡ଼ିଯାଇ ତାର କାନ ପାଖେ ପାଖେ କଣ କହିଲା ଯେପରି । ଶୁଭେନ୍ଦୁ ସ୍ମିତହାସ୍ୟ କରି କହିଲା–‘‘ତାହେଲେ ଦେଈ ତମର ରାଗିଛନ୍ତି ମୋ ଉପରେ, ନା ?’’

 

‘‘ସେ କଥା ତମେ ଆଉ ଦେଈ ବୁଝିବ ବାବୁ, ହେଲେ ତାଙ୍କୁ ନ କହି ତୁମେ ବଡ଼ ଭୁଲ କଲ । ସେ ତୁମ କଥା କହି କହି ଅସ୍ଥିର; ଏଣେ କଣ ନା ତାଙ୍କ କଥା ତୁମ ମନରେ ବି ନାହିଁ ।’’

 

‘‘ତୁମେ ଭୁଲ ବୁଝୁଛ ଶ୍ରୀଧର ! ମାଧୁରୀକୁ କହିବା ପାଇଁ ଭୁଲିଯାଇଥିଲି ଆଉ ସେଇଥିପାଇଁ ତ ଦୌଡ଼ି ଆସିଲି ମନେପଡ଼ିଯିବାରୁ । ମୁଁ ଜାଣେ, ସେ ଆମ ଦଳର ଜଣେ କର୍ମଠ ସଭ୍ୟ । ଆଦର୍ଶ ତାଙ୍କର ଥାଇ ନ ପାରେ, କିନ୍ତୁ ଦିନେ ଯେ ଏଇ ଆଦର୍ଶରେ ସେ ଦୀକ୍ଷିତ ହେବେ, ଏ ବିଶ୍ୱାସ ଅଛି ମୋର ।’’

 

‘‘ଦେଈଙ୍କୁ କହିବି ଯାଇ ବାବୁ ?’’

‘‘ହଁ ଯାଅ ଶ୍ରୀଧର, ଖବର ଦିଅ, ବେଳ ଗଡ଼ିଗଲାଣି ।’’

 

ଶ୍ରୀଧର ଶିଡ଼ିଦେଇ ଉପରକୁ ଉଠିଲା । ତଳେ ଅନ୍ୟମନସ୍କ ଭାବରେ ପଦଚାରଣ କରୁ କରୁ ଲକ୍ଷ୍ୟ କଲା ଶୁଭେନ୍ଦୁ -ବିଜୟ ଆସୁଛି । ବିଜୟ ସିଗାରେଟ୍‌ର ଅବଶିଷ୍ଟ ଅଂଶଟିକୁ ପାଦରେ ଦଳି ପାହାଚ ଉପରକୁ ଉଠୁ ଉଠୁ କହିଲା-‘‘ହ୍ୟାଲ୍ଲୋ-ଶୁଭେନ୍ଦୁ ଯେ !’’

 

‘‘ନମସ୍କାର ବିଜୟବାବୁ.....’’

‘‘ଥ୍ୟାଙ୍କ ୟୁ ! ଆଉ ତୁମର ସାହାଯ୍ୟ ସମିତିର ଖବର କଣ ?’’

 

‘‘ସମିତି ବିଷୟରେ ଆପଣଙ୍କର ଜାଣିବାର ଆଗ୍ରହ ଦେଖି ଧନ୍ୟବାଦ ଜଣାଉଛି । ଆଉ ସମିତି-ତାର କାର୍ଯ୍ୟ ତ ଚାଲିଛି ଅପ୍ରତିହତ ଭାବରେ ।’’

 

ଶୁଭେନ୍ଦୁ କଥା ସୌଜନ୍ୟପୂର୍ଣ୍ଣ ଥିଲେ ମଧ୍ୟ ତାର ସ୍ୱରରେ ଔଦ୍ଧତ୍ୟ ଲକ୍ଷ୍ୟ କଲା ବିଜୟ । କ୍ଷଣକ ପାଇଁ ଆତ୍ମଗର୍ବ ତାର ସଚେତନ ହୋଇ ଉଠିଲା- ଅଚାନକ ବେତ୍ରାଘାତ ପାଇ ମଣିଷ ଯେପରି ହୁଏ ।

 

ଶୁଭେନ୍ଦୁ ଯେପରି ତାର ଉପସ୍ଥିତିକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଯାଉଛି, ଏହାହିଁ ମନେହେଉଥିଲା ବିଜୟର ! ସେ ଶୁଭେନ୍ଦୁକୁ ଉପଯୁକ୍ତ ଶିକ୍ଷାଦେବା ପାଇଁ ସୁଯୋଗ ଅପେକ୍ଷାରେ ରହିଲା ।

 

ଶ୍ରୀଧର ଯାଇ ଜଣାଇଲା- ‘‘ଦେଈ ! ଶୁଭେନ୍ଦୁ ବାବୁ ଆସିଛନ୍ତି ।’’ ଫେରି ଆସୁ ଆସୁ ବିଜୟ ଉପରେ ନଜର ପଡ଼ିବାକ୍ଷଣି ଶ୍ରୀଧର ତାକୁ ସଲାମ୍‌ କରି ଡ୍ରଇଂରୁମ୍‌ ଆଡ଼କୁ ନେଇଗଲା ।

 

ବିଜୟ କହିଲା-‘‘ଦେଈଙ୍କୁ ଟିକିଏ ଖବର ଦିଅ ତ ଶ୍ରୀଧର, ବିଶେଷ ଜରୁରୀ କଥା ଅଛି-।’’ ‘‘ଶ୍ରୀଧର ପୁଣି ଉପରକୁ ଗଲା ମାଧୁରୀକୁ ଖବର ଦେବା ପାଇଁ ।

 

ବିଜୟ ଡ୍ରଇଂରୁମ୍‌ର ସୋଫା ଉପରେ ବସି ଧୂମପାନ କରିବାକୁ ଲାଗିଲା । ଶୁଭେନ୍ଦୁ ଧୀର ଅଥଚ ଶାନ୍ତ ଭାବରେ ବାହାରେ ଅପେକ୍ଷା କରୁଥିଲା !

 

ଶ୍ରୀଧର ପାଖରୁ ବିଜୟର ଆଗମନ ସମ୍ବାଦ ପାଇ ହଠାତ୍‌ ବିରକ୍ତିରେ ଆରକ୍ତ ହୋଇ ଉଠିଲା ମାଧୁରୀ । ସେ ଲକ୍ଷ୍ୟ କରୁଛି, ଯେତେବେଳେ ସେ କୌଣସି ଉପଲକ୍ଷ୍ୟ ନେଇ ଶୁଭେନ୍ଦୁର ନିକଟବର୍ତ୍ତୀ ହେବାପାଇଁ ଚେଷ୍ଟା କରୁଛି, ଠିକ୍‌ ସେତିକିବେଳେ ତାର ଜୀବନକାଶରେ ଧୂମକେତୁରୂପେ ଦେଖାଦେଇଛି ବିଜୟ । ବିଜୟ ଉପରେ ବିରକ୍ତ ଓ ଶୁଭେନ୍ଦୁ ଉପରେ ଅଭିମାନ ନେଇ ଉପରୁ ଓହ୍ଲାଇଲା ମାଧୁରୀ ।

 

ବିଜୟକୁ ଡ୍ରଇଁ ରୁମ୍‌ରେ ବସିଥିବାର ଲକ୍ଷ୍ୟକରି ଦ୍ୱାର ସେ ପାଖ ଦେଇ ସେ ସିଧା ଆସିଲା ସାମନା ପାଖକୁ । ତାକୁ ଦେଖି ଶୁଭେନ୍ଦୁ କହିଲା-‘‘ବଡ଼ ଭୁଲ ହୋଇଯାଇଛି ମାଧୁରୀ, ତୁମକୁ କହିବାକୁ ଭୁଲିଯାଇଥିଲି ଯେ ଆମ ଅନୁଷ୍ଠାନ ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାହୋଇଛି ।’’

 

‘‘ଆଉ ସେଇ ଭୁଲର ପ୍ରାୟଶ୍ଚିତ୍ତ କରିବାକୁ ଆସିଛ ଅସମୟରେ ଖବର ଦେବା ପାଇଁ-?’’

 

‘‘କ୍ଷମାକର ମାଧୁରୀ, ସତରେ ମୁଁ, ଭୁଲିଯାଇଥିଲି କହିବାକୁ ।’’

‘‘କିନ୍ତୁ ଅନ୍ୟମାନଙ୍କୁ ତ ଠିକ୍‌ କହିପାରିଛ, ତିଳେହେଲେ ଭୁଲ ହୋଇନାହିଁ ସେଥିରେ ?’’

‘‘ତୁମେ ମୋତେ ଭୁଲ ବୁଝନାହିଁ ମାଧୁରୀ !’’

‘‘ଭୁଲିଯିବା ଯେଉଁଠି ସ୍ୱାଭାବିକ-ଭୁଲ ସେଠାରେ ହୋଇପାରେନା ଶୁଭେନ୍ଦୁ ।’’

 

‘‘ମୋର ଭୁଲ ମୁଁ ସ୍ୱୀକାର କରୁଛି ମାଧୁରୀ ! ଆଚ୍ଛା, ତୁମେ ଆସିବ ତ-ସଭା ୫ଟାରେ ଗଡ଼ଗଡ଼ିଆ ପଡ଼ିଆରେ ।’’

 

‘‘ମୋତେ କଣ ଏତେ ଶସ୍ତା ପାଇଲ ଶୁଭେନ୍ଦୁ ?’’ ହଠାତ୍‌ ଫାଟି ପଡ଼ିଲା ମାଧୁରୀ । ଚିତ୍‌କାର କରି କହି ଉଠିଲା-ଭୁଲ୍‌, ଭୁଲ୍‌, ଭୁଲ୍‌ -ତୁମର ଖାଲି ଭୁଲ୍‌ ହୁଏ । ନା, ନା, ମୁଁ ଯିବି ନାହିଁ ତୁମର ସେ ସଭାକୁ, ଯାଇପାରିବିନି ସେଠାକୁ ।

 

ମାଧୁରୀକୁ ଉତ୍ତେଜିତ ଦେଖି ଆଶ୍ଚର୍ଯ୍ୟ ହେଲା ଶୁଭେନ୍ଦୁ । ସେ କିଛି କହିବା ପୂର୍ବରୁ ବିଜୟ ଆସି ଉତ୍ତର କଲା-‘‘ଯାଅ ନା ମାଧୁରୀ, ନିଜ ଆଖିରେ ଦେଖି ଆସିବ କିପରି କାରସାଦି ଚାଲିଛି କେଇଜଣ ବେକାରଙ୍କର । ତୁମେ ଯଦି କିଛି ମନେ ନ କର ମୁଁ ତୁମକୁ ବରଂ..... ।

 

ଶୁଭେନ୍ଦୁ ତୀବ୍ରଦୃଷ୍ଟିରେ କେବଳ ଚାହିଁଲା ବିଜୟକୁ । ବୁଝିବାକୁ ଯାଇ ଦୁର୍ବୋଧ୍ୟ ମନେହେଉଥିଲା ତାକୁ, କଣ ବିଜୟର ଉଦ୍ଦେଶ୍ୟ ? ବାରମ୍ବାର କାହିଁକି ଅଯଥା ସେ ଶୁଭେନ୍ଦୁକୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ଆଘାତ କରିଚାଲିଛି ।

 

ମାଧୁରୀ କିନ୍ତୁ ବିଜୟର କଥା ଶୁଣି ଜବାବ୍‌ ଦେଲା-ଆଉ ସେ ଜବାବ୍‌ରେ ଶୁଭେନ୍ଦୁ ଯେତିକି ଆଶ୍ଚର୍ଯ୍ୟ ହେଲା, ତାଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲା ବିଜୟ ।

 

ମାଧୁରୀ କହିଲା- ‘‘ନା, ନା, ବିଜୟ ବାବୁ, ମୁଁ ସେ ସଭାକୁ ଯାଇ ପାରିବିନି । କେତେଜଣ ବେକାର ଯୁବକ, ଯେଉଁମାନଙ୍କର କିଛି କାମ ନ ଥାଏ, ସେମାନଙ୍କର ତୁଣ୍ତରୁ ଅନ୍ୟର କୁତ୍ସାରଟନା ଶୁଣିବାକୁ ଯିବାପାଇଁ ଧୈର୍ଯ୍ୟ ବା ସମୟ ମୋର ନାହିଁ ।

 

‘‘ମାଧୁରୀ-’’ ଚକିତ ସ୍ୱରରେ ଡାକିଲା ଶୁଭେନ୍ଦୁ ।

 

‘‘ହଁ, ହଁ, ମୁଁ ଯାହା କହିଛି ତା ଅକ୍ଷରେ ଅକ୍ଷରେ ସତ୍ୟ । ଲଜ୍ଜା ହୁଏନା ତୁମର, ବଡ଼ ବଡ଼ କଥା କହି ସମାଜ-ସଂସ୍କାରକର ମୁଖା ପିନ୍ଧି ଅନ୍ୟମାନଙ୍କ ମନରେ ବ୍ୟଥା ଦେବା ପାଇଁ ?’’

 

‘‘ତୁମେ ଏ କଣ ଆଜି କହିଯାଉଛ ମାଧୁାରୀ ? ଆଚ୍ଛା, ତୁମେ ବିଶ୍ରାମ କର, ତୁମେ ଅଯଥାରେ ଉତ୍ତ୍ୟକ୍ତ ହୋଇ ଉଠିଛ ।’’

 

‘‘ସଟ୍‌ ଅପ୍‌ .....’’

 

ଉତ୍ତେଜନାରେ କାଣ୍ତଜ୍ଞାନଶୂନ୍ୟ ହୋଇ ଚିତ୍‌କାର କରିଉଠିଲା ମାଧୁରୀ; ଆଉ ତା ପରେ ପରେ ଦ୍ରୁତ ପଦରେ ସିଡ଼ିଦେଇ ଉପରକୁ ଚାଲିଗଲା ।

 

ନିର୍ବାକ୍‌; ନିସ୍ପନ୍ଦ ହୋଇ କିଛିକ୍ଷଣ ଛିଡ଼ା ହୋଇରହିଲା ଶୁଭେନ୍ଦୁ । ଭାବିପାରିଲା ନାହିଁ ମାଧୁରୀ ଏପରି ଉତ୍ତେଜିତ ହେବାର କାରଣ । କିନ୍ତୁ ଏଇସବୁ ମଧ୍ୟରେ ଗୋଟିଏ କଥା ଅତି ସୁସ୍ପଷ୍ଟ ଭାବରେ ପ୍ରତୀୟମାନ ହେଲା ଶୁଭେନ୍ଦୁର ମାନସପଟରେ ଯେ-ମାଧୁରୀ ଉପରେ ତା ପ୍ରତି ଯେତିକି ରୁକ୍ଷ, ଭିତରେ ସେତିକି ଆସକ୍ତ । ନିଜର ଏହି ଆବିଷ୍କାର ତାକୁ ବ୍ୟଥା ଦେଲା କେବଳ । ଯେଉଁ ଦୁଇଟି ସରଳରେଖା କେବେ ଏକାଠି ମିଶିପାରେନା, ସେମାନଙ୍କୁ ବଙ୍କାଇ ମିଶାଇବାରେ ଅର୍ଥ ଅପେକ୍ଷା ଅନର୍ଥ ହୁଏ ଅଧିକ; ହୋଇପାରେନା-ତାହା ହବାରେ ସାର୍ଥକତା ନାହିଁ ।

 

ହତାଶ ନ ହୋଇ ସେଠାରୁ ଫେରିଲା ଶୁଭେନ୍ଦୁ । କିନ୍ତୁ ହତାଶ ହୋଇ ବସିରହିଲା ବିଜୟ ଶୁଭ ମୁହୂର୍ତ୍ତର ପ୍ରତ୍ୟାଶା କରି ।

•••

 

୧୭

 

କାଳସ୍ରୋତରେ ନିଶ୍ଚିହ୍ନ ହୋଇଯାଇଛି ଦୁଇଟି ମାସ ଆଉ ତା ସଙ୍ଗେ ସଙ୍ଗେ ଘୋର ବର୍ଷା-ପବନ ଯୋଗୁଁ ନଦୀମାନଙ୍କରେ ଯେଉଁ ଭୀଷଣ ବନ୍ୟା ହେଲା, ନିଶ୍ଚିହ୍ନ ହୋଇଗଲା ସେଥିରେ ଓଡ଼ିଶାର ଉପକୂଳ ଅଞ୍ଚଳର ଅନେକ ଗ୍ରାମ ଓ ଲୋକାଳୟ । ଯେଉଁଠାରେ ଥିଲା ଜନାକୀର୍ଣ୍ଣ ଗ୍ରାମ, ସେଠାରେ ଆଜି ତାର ଚିହ୍ନ ସୁଦ୍ଧା ନାହିଁ । ଆଶ୍ୱିନ ମାସର ଶେଷ ଆଡ଼କୁ ପ୍ରବଳ ବୃଷ୍ଟି ହେବା ଫଳରେ ମହାନଦୀ, ବ୍ରାହ୍ମଣୀ, ଦୟା, ଭାର୍ଗବୀ ପ୍ରଭୃତି ନଦୀରେ ଯେଉଁ ପ୍ରବଳ ବନ୍ୟା ହେଲା, ଭାସିଗଲେ ତାର କରାଳ ସ୍ରୋତରେ କେତେ ମଣିଷ, ପଶୁ, ପକ୍ଷୀ ଓ ଘରଦ୍ୱାର । ବନ୍ୟାର ପ୍ରକୋପ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ମହାମାରୀ । ଦୂଷିତ ଜଳ ଅଖାଦ୍ୟ ଖାଇ, ଖୋଲା ସ୍ଥାନରେ ରହି ଶହ ଶହ ନର-ନାରୀ, ବାଳକ-ବାଳିକା ଝଡ଼ିପଡ଼ିଲେ ହଇଜାରେ । ଚତୁର୍ଦ୍ଦିଗରେ କେବଳ ମରଣର ରାଜତ୍ୱ । ଜୀବନ-ପରାଜୟ ଓ ଗ୍ଲାନିରେ ମ୍ଲାନ ହୋଇଯାଇଛି ଯେପରି ।

ନଦୀମାତୃକା ଓଡ଼ିଶାରେ ବନ୍ୟା କିମ୍ବା ମହାମାରୀ ନୂଆ ନୁହେଁ । ପ୍ରତି ଦଶନ୍ଧିରେ ଦୁଇ ତିନି ଥର ବଡ଼ ବଡ଼ ବନ୍ୟା ହୋଇଯାଇଛି । ପୁରପଲ୍ଲୀର ବହୁ ସୁଖର ସଂସାରକୁ ନିଶ୍ଚିହ୍ନ କରି ଦିଏ ହଇଜା, ବସନ୍ତ ଓ ମହାମାରୀ । ଏହାକୁ ରୋଧ କରିବାକୁ ହେବ । ମଣିଷକୁ ବିଂଶ ଶତାବ୍ଦୀର ମଧ୍ୟସ୍ଥଳରେ ବନ୍ୟା ଓ ମହାମାରୀର ମର୍ଜି ଉପରେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇ ରହିହେବ ନାହିଁ । ଦେଶର ସମବେତ ପ୍ରଚେଷ୍ଟା, ସମଷ୍ଟି ଗତ ସମ୍ବଳର ପ୍ରକୃତ ବିନିଯୋଗ କରିବାକୁ ହେବ । ଶ୍ରେଣୀବଦ୍ଧ ଯୋଜନା ମାଧ୍ୟମରେ ଲୋକଶକ୍ତିକୁ ଜାଗ୍ରତ କରି ଅଜ୍ଞାନ, କୁସଂସ୍କାର, ପରାନ୍ମୁଖତା ଓ ବୌଦ୍ଧିକ ଜଡ଼ତାକୁ ଦୂର କରି ଆଣିବାକୁ ହେବ ବିପ୍ଳବ ତାହା ହେବ ଦାରିଦ୍ର୍ୟ, ଅଜ୍ଞାନ ଓ ରୋଗ ଦୂରୀକରଣର ବିପ୍ଳବ । କାଳର କରାଳ ଗର୍ଭରେ ବନ୍ୟା-ମହାମାରୀ ଯୋଗ ଯେପରି ସହସ୍ର ଜୀବନ ନିଶ୍ଚିହ୍ନ ହୋଇ ଯାଆନ୍ତି, ସେଇପରି ନିଶ୍ଚିହ୍ନ ହୋଇଯିବ ଏଇ ପୁଣ୍ୟତୋୟା ନଦୀମାତୃକା ଆମ ଦେଶରୁ-ଚିରଦିନ ପାଇଁ ବନ୍ୟା ଦୁର୍ଭିକ୍ଷ ଓ ମହାମାରୀ । ଏଇ ଜନତାର ପ୍ରାଣରେ ନୂତନ ଜୀବନ, ନୂତନ ଛନ୍ଦ ପ୍ରତିଭାତ ହେବ । ଜାଗ୍ରତ ଜନଶକ୍ତିର ସମୃଦ୍ଧିରେ ଜାତି ହେବ ସମୃଦ୍ଧ, ଶକ୍ତିବନ୍ତ ।

ନନ୍ଦିତାର ଛୋଟ ମନଟିରେ ବଡ଼ ବଡ଼ ଚିନ୍ତା । ଅନ୍ତର ଭିତରେ ବହୁ ଅକୁହା ଯୋଜନା ମଥା ପିଟି ମରେ ପ୍ରକାଶ ପାଇଁ । ଗାଁ ମଝିରେ ଦୁଇଟି କୂଅର କାମ ଶେଷ ହୋଇଛି ଦୁଇମାସ ଆଗରୁ । ଏ ଭିତରେ ବର୍ଷା ହୋଇ ଯାହା ବା ଶସ୍ୟ ହୋଇଥିଲା, ବନ୍ୟାରେ ହୋଇଛି ତାର ଦୁଇଗୁଣ କ୍ଷତି । ଛୋଟ ମନଟିରେ ନନ୍ଦିତାର ବିରାଟ ପ୍ରତିଜ୍ଞା-ଯେଉଁମାନଙ୍କର ସର୍ବନାଶ ହୋଇଛି, ସର୍ବସ୍ୱ ସେମାନଙ୍କର ଫେରି ନ ଆସୁ ପଛକେ, ଅବଶେଷ ଆଉ ଆଶା ନେଇ ବଞ୍ଚାଇ ରଖିବାକୁ ହେବ ସେମାନଙ୍କୁ । ଜନଶକ୍ତିକୁ ଜାଗ୍ରତ କରି, ସମ୍ବଳକୁ ଯୋଜନାରେ ବିନିଯୋଗ କରି ଦୂର କରିବାକୁ ହେବ ଏ ଦେଶର ଦାରିଦ୍ର୍ୟ, ଅଜ୍ଞାନ ଓ କୁସଂସ୍କାର ।

ନନ୍ଦିତାର ଧମନୀରେ ଜାଗେ ଉଷ୍ମ ରକ୍ତର ଉଦ୍ଦୀପନା । କାଲି ଖବର ଆସିଛି ପାଖ ହରିପୁର ଗାଆଁ ଖଣ୍ତକ ସମୂଳେ ଧୋଇହୋଇ ଯାଇଛି ବନ୍ୟାରେ । ଭାର୍ଗବୀର ଗର୍ଭରେ ଚିରଦିନ ପାଇଁ ଲୋପ ହୋଇଯାଇଛି ତାର ସତ୍ତା । ଆଗରୁ ଗୋଟି ଗୋଟି ହୋଇ ପାଞ୍ଚଟି ଗ୍ରାମ ଲୁଚିଯାଇଥିଲା ନଦୀ ଗର୍ଭରେ । ଯେଉଁଠାରେ ଦିନେ ହସକାନ୍ଦର ସଂସାର ଥିଲା- ଲୋକଙ୍କର କୋଳାହଳରେ ମୁଖରିତ ହୋଉଥିଲା ଆକାଶ, ପୃଥିବୀ- ତାହା ରାତାରାତି ବାଲିଚରରେ ପରିଣତ ହେଲା । ହାହାକାରର ବକ୍ଷଫଟା କରୁଣତାରେ ମୂର୍ତ୍ତ ହୋଇଉଠିଲା ସମଗ୍ର ଅଞ୍ଚଳ ।

‘‘ମା !’’

ନନ୍ଦିତାର ପଛରୁ ଡାକିଲା ଭଗିଆ ।

‘‘କଣ ଭଗିଆ ? କଣ କୁହ !’’ ବୁଲିପଡ଼ି କହିଲା ସେ ।

‘‘ମା, ତିନି ଚାରିଜଣ ବାବୁ ଆସିଛନ୍ତି କଟକରୁ ସାହାଯ୍ୟ ବାଣ୍ଟିବା ପାଇଁ ।’’

‘‘ସାହାଯ୍ୟ ବାଣ୍ଟିବା ପାଇଁ ଆସିଛନ୍ତି ? କାହାନ୍ତି ସେମାନେ ?’’

 

‘‘ସେଇକଥା ନେଇ ଦଉଡ଼ି ଆସିଲି ମୁଁ । ଗାଁରେ ତ କାହାରି ଘରେ ତିଳପ୍ରମାଣ ସ୍ଥାନ ନାହିଁ । ପ୍ରତ୍ୟେକ ଘରେ ଜ୍ଞାତି-କୁଟୁମ୍ବଙ୍କ ମେଳା । ଯେଉଁମାନଙ୍କର ଘରବାଡ଼ି ଯାଇଛି ସେମାନେ ଆସି ଆଶ୍ରୟ ନେଇଛନ୍ତି ।’’

 

‘‘ସେମାନଙ୍କୁ ଆମର ଏଠାକୁ ନେଇଆସ ଭଗି ! ବଗିଚାର ପୂର୍ବକୋଣକୁ ଯେଉଁ ଘରଟା ଖାଲି ପଡ଼ିଛି, ସେଇଠାରେ ଅନ୍ତତଃ କିଛିଦିନ ରହିବାର ବନ୍ଦୋବସ୍ତ ହୋଇପାରିବ ସେମାନଙ୍କର । ତୁମେ ଡେରି ନ କରି ଶୀଘ୍ର ଯାଅ-ମୁଁ, ମା’ଙ୍କୁ ଖବର ଦେଉଚି ।’’

 

ନନ୍ଦିତା ଚଞ୍ଚଳପାଦରେ ପ୍ରବେଶ କଲା ଗୃହ ଭିତରେ ଓ ଭଗିଆ ଆଶା ପାଇ ଆଗେଇ ଗଲା ଗ୍ରାମ ଭିତରକୁ ।

 

ଶୈବାଳିନୀ ପୂଜାର୍ଚ୍ଚନା ଶେଷ କରି ତୁଳସୀମୂଳେ ନମସ୍କାର କରୁଥିଲେ । ତାଙ୍କ କାର୍ଯ୍ୟ ଅନ୍ତେ କହିଲା ନନ୍ଦିତା- ‘‘ମା, ଆଜି କଟକରୁ ଦୁଇ ଚାରିଜଣ ଭଦ୍ରଲୋକ ଦୁଃସ୍ଥ ଏବଂ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ସାହାଯ୍ୟ ବାଣ୍ଟିବା ପାଇଁ ଆସିଛନ୍ତି । ଭଗିଆ ଆସି କହିଲାରୁ ମୁଁ କହିଲି, ବଗିଚାର ପୂର୍ବପଟର ସେଇ ଘରଟାରେ ଆଣି ସେମାନଙ୍କର ବନ୍ଦୋବସ୍ତ କରିବାକୁ ।’’

‘‘ଭଲ କରିଛୁ ମା ! ଘରଟା ତ ବହୁଦିନରୁ ଖାଲି ପଡ଼ିଛି । ତାପରେ ଗାଁରେ ଖବର ତ କିଛି ଭଲ ନୁହେଁ ମା !’’

‘‘କଣ ହେଲା ମୁଁ ତ ଜାଣିନାହିଁ କିଛି ।’’

‘‘ବନ୍ୟା ପରେ ପରେ ଘରଦ୍ୱାର ସବୁ ଛାଡ଼ି ଲୋକଗୁଡ଼ା ଆଶ୍ରୟ ନେଇଛନ୍ତି ଯେ ଯେଉଁଠି ପାରିଛି । ଅଖାଦ୍ୟ ଖାଇ ଖରାପ ପାଣି ପିଇ ଆଉ ସହିପାରୁଛନ୍ତି କେତେକେ ? ତଳ ସାହିରେ ରାତିରେ ଦୁଇଜଣ ହଇଜାରେ ଯାଇଛନ୍ତି । ଆଉରି କଣ ହେଉଛି ଦେଖ-’’

‘‘ତା ହେଲେ ତ ବୋଝ ଉପରେ ନଳିତା-ବିଡ଼ା ପଡ଼ିଲା ପରି ହେଉଛି ମା ! କଣ କରାଯିବ ଏଇନେ ?’’

‘‘ଆଜି ଘର ଘର ବୁଲି କହିବାକୁ ହେବ ସାବଧାନ ରହିବା ପାଇଁ, ପାଣି ଫୁଟାଇ ଯେପରି ବ୍ୟବହାର ହୁଏ, ମଇଳା ଲୁଗାପଟା ଯେପରି ଏଠି-ସେଠି ନ ପଡ଼େ, ଆଉ ମୁର୍ଦ୍ଦାର ଯେପରି ନଈରେ ନ ଭାସେ ।’’

‘‘ମୁଁ ତା’ହେଲେ ସ୍ୱେଚ୍ଛାସେବକ ଦଳକୁ ଖବର ଦେଉଛି ମା ! ସେମାନେ ଆସିଲେ ଆଉ ଯାହା କରାଯିବ । ତେବେ ପୁରୀ ସିଭିଲ୍‌ ସର୍ଜନଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ କରାଯିବା ଦରକାର-ସ୍ୱାସ୍ଥ୍ୟ ବିଭାଗର ଲୋକଙ୍କୁ ପଠାଇବା ପାଇଁ ।’’

‘‘ଭଲ କଥାଟିଏ ମନେପକାଇଛୁ ମା-ସେଇଆ କର । ମୁଁ ଯାଏଁ, ସେପାଖରେ ପିଲାଗୁଡ଼ା ରୁଣ୍ତ ହୋଇଥିବେ ଖିରିଟିକକ ପାଇଁ-ତୁ କାମ ଶେଷ କରି ଆ ମା-’’

ଚାଲିଗଲେ ଶୈବାଳିନୀ । ତିନି ଚାରି ଦିନ ହେଲା ଯେଉଁମାନେ ଘରଦ୍ୱାର ହରାଇ ଆଶ୍ରୟ ନେଇଛନ୍ତି ଏଇ ଗ୍ରାମରେ, ସେମାନଙ୍କର ସକାଳ ଭୋଜନର ବ୍ୟବସ୍ଥା କରିଛନ୍ତି ସେ । କେଉଁଦିନ ଖିରି, କେଉଁ ଦିନ ଖେଚେଡ଼ି କିଛି କିଛି ଦବାର ବନ୍ଦୋବସ୍ତ ହୋଇଛି ।

ନନ୍ଦିତା ଟେଲିଗ୍ରାମ୍‌ଟା ନନ୍ଦ ହାତକୁ ବଢ଼ାଇ ଦେଉ ଦେଉ କହିଲା-‘‘ଦେଖ ନନ୍ଦ, ଶୀଘ୍ର ଷ୍ଟେସନ୍‌କୁ ଯାଇ ପଠାଇଦେଇ ଆସ ତାରଟା, ଆଉ ସ୍ୱେଚ୍ଛାସେବକ ଦଳର ଲୋକଙ୍କୁ ଟିକିଏ ପରେ ଆସିବାକୁ କୁହ । ଜରୁରୀ କାମ ଅଛି ।’’

ନନ୍ଦ ଚାଲିଗଲା ତରତର ହୋଇ । ନନ୍ଦିତା ନିଜ କାମରେ ଯିବା ପୂର୍ବରୁ ପ୍ରବେଶ କଲେ ଭଗିଆ, ଗାଁର ପ୍ରଧାନ ଶ୍ରୀଚରଣ ବଳ, ଆଉ ଦଶ ପନ୍ଦର ଜଣ ଗାଁଲୋକ । ସେମାନଙ୍କ ଗହଣରେ ନବାଗତ ତିନିଜଣ ଭଦ୍ର ଯୁବକ ।

ନନ୍ଦିତା ଭିତରକୁ ଗଲା ଶାଶୁଙ୍କୁ ଖବର ଦେବା ପାଇଁ । ଶୈବାଳିନୀ ନିଜ ହାତରେ ପରଶୁ ଥିଲେ ଖିରି । ଛୋଟ ଛୋଟ ବାଳକ-ବାଳକା-ଅଧିକାଂଶଙ୍କର ଦେହରେ ଲୁଗା ନାହିଁ, ଆଖିରେ ଚାଞ୍ଚଲ୍ୟ ନାହିଁ, ମୃହଁରେ ନାହିଁ ଚପଳତା । ଯେଉଁଠାରେ ଆଶା, ଉଦ୍ଦୀପନା ଓ ଆନନ୍ଦ ଢେଉ ଖେଳୁଥିଲା, ସେଠାରେ ଆଜି ହତାଶା, ନିରୁତ୍ସାହ ଓ କରୁଣତାର ହାହାକାର- ହଠାତ୍‌ ଅନେକଗୁଡ଼ାଏ ଫୁଲକଢ଼ି ଫୁଟିବା ଆବିରୁ ମଉଳି ଯାଇଛନ୍ତି ଯେପରି ।

‘‘ମା-’’

ଅନାଇଲେ ଶାଶୁ ।

‘‘ସେମାନେ ଆସିଛନ୍ତି । ମୁଁ ଏଠି ଦେଖଛି, ତୁମେ ସେ ଆଡ଼କୁ ଯାଅ ମା !’’

ନନ୍ଦିତା ଶାଶୁଙ୍କ ହାତରୁ ଚାମଚ ଓ ଖିରିହାଣ୍ତିଟା ନେଇ ପରଶିବାରେ ଲାଗିଗଲା ।

 

ଶୈବାଳିନୀ ପହଞ୍ଚିବାକ୍ଷଣି ଆଗନ୍ତୁକମାନଙ୍କର ଯୋଡ଼ହସ୍ତ କପାଳରେ ଲାଗିଲା ଯାଇ । ସଙ୍ଗେ ସଙ୍ଗେ ବଳ ପରିଚୟ କରାଇଦେଇ କହିଲେ-‘‘ଏଇ ତିନି ଜଣ କଟକରୁ ଆସିଛନ୍ତି ମା- ସାହାଯ୍ୟ ବାଣ୍ଟିବା ପାଇଁ । ଏମାନେ ହେଉଛନ୍ତି ଶୁଭେନ୍ଦୁ ବାବୁ, ସମୀରବାବୁ ଏବଂ କମଳବାବୁ ।’’

 

ସେମାନେ ପୁଣି ନମସ୍କାର କଲେ ଶୈବାଳିନୀଙ୍କୁ । ଜନନୀସୁଲଭ କଣ୍ଠରେ କହିଲେ ଶୈବାଳିନୀ- ‘‘ଭଗବାନ ତୁମମାନଙ୍କର ମଙ୍ଗଳ କରନ୍ତୁ ବାପା ! ଏଇ କେତେଦିନ ଯେ କି ମାନସିକ ଯନ୍ତ୍ରଣା ଭୋଗ କରୁଥିଲି ମୁଁ-ବର୍ତ୍ତମାନ ନିଶ୍ଚିନ୍ତ ହେଲି ତୁମମାନଙ୍କୁ ଦେଖି ।’’

 

ନମ୍ରସ୍ୱରରେ କହିଲା ଶୁଭେନ୍ଦୁ- ‘‘ନିଶ୍ଚିନ୍ତରେ ଆପଣଙ୍କୁ କଣ ରହିବାକୁ ଦେଇପାରିବୁ ମାଉସୀ ? ଗାଁର ଅବସ୍ଥା ତ ଦେଖି ଆସିଲୁ । ପ୍ରତ୍ୟେକ ଘରେ, ଗୁହାଳଗୁଡ଼ାକରେ, ଗାଁ ସ୍କୁଲରେ ଚାରିଆଡ଼େ ବନ୍ୟାଗ୍ରସ୍ତ ଲୋକଙ୍କର ଯେପରି ମେଳା ଲାଗିଛି । ଖାଲି ଖାଦ୍ୟ ବାଣ୍ଟିଲେ କାମ ଶେଷ ହୋଇଯିବ ନାହିଁ । ବେଶୀ ଖାଦ୍ୟ ବା ଅଖାଦ୍ୟ ଖାଇ ଯେପରି ଲୋକଙ୍କ ଦେହ ଖରାପ ନ ହୁଏ, ତାହା ମଧ୍ୟ ଦେଖିବାକୁ ହେବ ।’’

 

‘‘ସତ ବାପା ! ଭୋକ-ଉପାସରେ ଲୋକଗୁଡ଼ାକ ହାଁ-ହାଁ ହେଉଛନ୍ତି । ଯାହା ଯାଇଛି, ତାର କଳନା କରିବେ ଏ ସମୟ ସେମାନଙ୍କର ନାହିଁ । ବର୍ତ୍ତମାନ ଅସଲ କଥା ସେମାନଙ୍କୁ ଢୋକେ ଦେଇ କୌଣସି ପ୍ରକାରେ ବଞ୍ଚାଇ ରଖିପାରିଲେ ବଞ୍ଚିଯିବେ ସେମାନେ ।’’

 

‘‘ଆମେ ଯଥାସମ୍ଭବ କିଛି ଚୁଡ଼ା, ଚାଉଳ, ଗୁଡ଼ ଓ ଲୁଗାପଟା ନେଇ ଆସିଛୁ । ଏ ତ ଯଥେଷ୍ଟ ନୁହେଁ । ତଥାପି ଆପଣଙ୍କର ଉତ୍ସାହ ପାଇଲେ ଆଗଭର ହୋଇ କାମ କରିଯିବୁ ଆମେ ।’’

 

‘‘ସେଇଆ ହେଉ ବାପା, ମୁଁ ସାଧ୍ୟମତେ ସାହାଯ୍ୟ କରିବି । ପାଞ୍ଚଶହ ଟଙ୍କା ବର୍ତ୍ତମାନ ଦେଉଛି । କାହାକୁ ପୁରୀ ପଠାଇ ଲୁଗା କିଛି ନେଇ ଆସ । ଚୁଡ଼ା ଚାଉଳ ତ କିଛି ଅଛି, ତା ପରେ ସବୁ ଆପେ ଆପେ ଆସିଯିବ । ’’

 

ଶୈବାଳିନୀଙ୍କ କଣ୍ଠରୁ ଆଶିଷ ଝରିଲା ଯେପରି । ଯେଉଁମାନଙ୍କର କୋଟରାଗତ ଚକ୍ଷୁରୁ ଜୀବନ ନିଭି ନିଭି ଆସୁଥିଲା, ସେମାନେ ପୁଣି ବଞ୍ଚିଯିବେ ଏଇ ଆଶା ପ୍ରତିଫଳତ ହେଲା ସେମାନଙ୍କର ଚାହାଣୀରେ ।

 

‘‘ଆପଣଙ୍କ କହିବା ଅନୁସାରେ କାମ ହେବ ମାଉସୀ ! ଆମେମାନେ ଆସୁଛୁ ତା ହେଲେ ।’’

 

‘‘ଆସିବ ଆଉ କଣ ବାପା ? ବଗିଚାର ସେପଟ ଘରଟିରେ ତୁମମାନଙ୍କର ରହିବାର ବନ୍ଦୋବସ୍ତ ହୋଇ ସାରିଛି ।’’

 

‘‘ହଁ ଶୁଭେନ୍ଦୁ ବାବୁ, ମା ସବୁ ବନ୍ଦୋବସ୍ତ କରି ଦେଇଛନ୍ତି ସେଠାରେ-ଅସୁବିଧା ହେବ ନାହିଁ ।’’ କହିଲେ ଶ୍ରୀଚରଣ ।

 

‘‘ତୁମେମାନେ ଯାଇ ଲୁଗାପଟା ବଦଳାଅ ବାପା ! ଖାଇବାର ଯୋଗାଡ଼ ଏଠାରେ କରିଛି ।’’

‘‘ଆପଣଙ୍କୁ ଅଯଥା କଷ୍ଟ ହେବ….. ’’ କହିଲା ଶୁଭେନ୍ଦୁ ।

 

ମାତୃସୁଲଭ ଏକ ସୁଧାମୟୀ ହସ ହସି କହିଲେ-‘‘ପୁଅକୁ ଖୁଆଇବାରେ ମା’ର ଯଦି କିଛି ଅସୁବିଧା ହୁଏ, ସେଥିରେହିଁ ମା’ର ଅପାର ଆନନ୍ଦ ବାପା ! ଯାଅ, ଆଉ ଡେରି କରନା, ଖାଇବାବେଳ ହୋଇଗଲାଣି ।’’

 

ଏହାପରେ ଆଉ କଥା ଚଳେନା । ଶୁଭେନ୍ଦୁ ପ୍ରଭୃତିଙ୍କୁ ନେଇ ଶ୍ରୀଚରଣ ବଳ ଛାଡ଼ିଦେଇ ଆସିଲେ ସେମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଗୃହରେ । ପଥଶ୍ରାନ୍ତି ଅପନୋଦନ କରି ଶୁଭେନ୍ଦୁ କେବଳ ଭାବୁଥିଲା ଶୈବାଳିନୀଙ୍କ କଥା ।

 

ଜନନୀର ରୂପ ଏଇ ଦେଶର ଚାରିଆଡ଼େ ଛାଇହୋଇ ରହିଛି । ଯେଉଁଠାକୁ ଯାଅ କରୁଣାମୟୀ, ହାସ୍ୟମୟୀ, ସୁଧାମୟୀ, ଆଶ୍ରୟଦାତ୍ରୀ ଜଗଦ୍ଧାତ୍ରୀ ରୂପ ଦେଖିବାକୁ ପାଇବ । ଏଇ ଦେଶର ଘରେ ଘରେ ଯେପରି ଜନନୀର ସୁଧା ଝରେ, ସାଗର ଓ ସରିତରେ, ବନାନୀ ଓ ମରୁ ପ୍ରାନ୍ତରରେ, ଗ୍ରାମ ଓ ନଗରରେ ଠିକ୍‌ ସେଇଭଳି ଜନନୀ ଜନ୍ମଭୂମିର ବରାଭୟ ରୂପ ଉଦ୍‌ଭାସିତ ହୋଇଉଠେ । ସେଇ ରୂପ ଚିରନ୍ତନ, ଚିରଜାଗ୍ରତ । ଯେ ଥରେ ଘରେ ଏବଂ ବାହାରେ ଜନନୀର ଏହି ଲାବଣ୍ୟମୟୀ ରୂପ ଦର୍ଶନ କରିଛି-ଧନ୍ୟ ହୋଇଛି ତାର ଜୀବନ, ଧନ୍ୟ ହୋଇଛି ତାର ଗର୍ବ ଏବଂ ଗୌରବ ।

 

ଶୁଭେନ୍ଦୁ ଭାବୁଥିଲା ଏହା ସେଇ ଜନନୀର ରୂପ, ଏହା ସେଇ ଜନନୀର ବାଣୀ । ମନେହେଲା ତାର ଯେପରି ସାରା ଦେଶର ଘରେ ଘରେ କେବଳ ଗୋଟାଏ ଦିବ୍ୟମୂର୍ତ୍ତି ପ୍ରତୀୟମାନ ହେଉଛି-ଆଉ ସେ ହେଉଛି ଏଇ ଜନନୀର ରୂପ । ମନେ ମନେ ଗାଇଲା ସେ- ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ ।

•••

 

୧୮

 

ସୁନନ୍ଦାର ମନେ ହେଉଥିଲା ତାର ପୋଡ଼ା କପାଳରେ ଏତେ ଐଶ୍ୱର୍ଯ୍ୟ ସହ୍ୟ ହେବନାହିଁ-। ସେ ବିଧବା, ବୈଧବ୍ୟର ଯନ୍ତ୍ରଣା ଭିତରେହିଁ ଯେପରି ତାରି ମୁକ୍ତି । ସେ ଭାବିପାରେ ନାହିଁ, କାହିଁକି ଦିନୁଦିନ ଏପରି କ୍ଲାନ୍ତ ହୋଇ ପଡ଼ୁଛି । ସନ୍ଧ୍ୟା ଆସିଲାବେଳକୁ ତା ଦେହରେ ଯେପରି ଘେରିଆସୁଛି ଅବସାଦ ।

ଆଜିକୁ ଦୁଇଦିନ ହେଲା ଆଉ ହସ୍‌ପିଟାଲକୁ ଯାଇନାହିଁ ସୁନନ୍ଦା । ଯିବାର ଶକ୍ତି ତାର ନିସ୍ତେଜ ହୋଇଆସିଛ । କର୍ମତତ୍‌ପରତାରେ ଆସିଛି ଅବସାଦ । ଶୁଭେନ୍ଦୁ ଯେଉଁଦିନ ଗଲା ବନ୍ୟା ଅଞ୍ଚଳକୁ, ସେଦିନ ଆସିଥିଲା ସେ ନିତିପ୍ରତିଦିନର ସାକ୍ଷାତ୍‍ କରିବାକୁ ଓ ତା ସଙ୍ଗେ ସଙ୍ଗେ ବିଦାୟ ନେବାପାଇଁ । ହସି ହସି ସେ ବିଦାୟ ଦେଇଥିଲା ସେଦିନ, କିନ୍ତୁ ଅଲକ୍ଷ୍ୟରେ ମନେହୋଇଥିଲା ତାର ଯେପରି ଏଇ ବିଦାୟ ଚିରଦିନର । ଶୁଭେନ୍ଦୁର ସେ ହୋଇପାରିବ ନାହିଁ, ହୋଇପାରେନା ।

ଭାବିପାରେନା ସୁନନ୍ଦା କାହିଁକି ଶୁଭେନ୍ଦୁ କଥା ଭାବିଲେ ତା ମନରେ ଦେଖାଦିଏ ଏତେ ଦ୍ୱନ୍ଦ୍ୱ, ଏତେ ଆତ୍ମଶୋଚନା । ସେ ତ ଜାଣିଜାଣି କିଛି ଦୋଷ କରିନି । ଯାହା ତାର ଅଜ୍ଞାତରେ ଘଟିଥିଲା ସେଇ ପୁରୁଣା କଥା ପାଇଁ କାହିଁକି ସେ ନିଜକୁ ଜାଳିପୋଡ଼ି ପାଉଁଶ କରିଦେବ ?

‘‘ଦେଈ-’’

‘‘କଣ ?’’

‘‘ଆଜି କଣ ଦେହ ବେଶୀ ଖରାପ ଲାଗୁଚି ?’’

‘‘ଉପେନ୍ଦ୍ର, ମୋତେ ପାଣି ଗ୍ଲାସେ ଦିଅ ତ ।’’

‘‘ପାଣି ଥାଉ ଦେଈ, ଗରମ ଦୁଧ ରଖି ଆସିଛି, ନେଇଆସେ ।’’

ଉପେନ୍ଦ୍ର ଗରମ ଦୁଧ ଗୋଟିଏ ଗ୍ଲାସରେ ଭର୍ତ୍ତି କରି ନେଇଆସିଲା । ସୁନନ୍ଦା ଅଳ୍ପଟିକିଏ ଖାଇ ଗ୍ଲାସଟାକୁ ଟେବୁଲ ଉପରେ ରଖିଦେଇ କହିଲା-

‘‘କେଜାଣି କାହିଁକି ଉପେନ୍ଦ୍ର, ମୋର ମନେ ହେଉଛି, ଏ ଦେହ ଆଉ ଭଲ ହେବ ନାହିଁ । ଆଉ ବେଶୀଦିନ ବଞ୍ଚିବିନି ମୁଁ ।’’ କଥାର ଶେଷଆଡ଼କୁ ଯେପରି ସୁନନ୍ଦାର ସ୍ୱର ଭିଜି ଭିଜି ଆସୁଥିଲା ।

‘‘ଏପରି କୁହନା ଦେଈ ! ତୁମର ଏପରି କଅଣ ହୋଇଛି କି ? କେତେ ଲୋକଙ୍କୁ ନିତି ଭଲକରୁଚ ତୁମେ-ଆଉ ତୁମ ଦିହଟା ପ୍ରତି ଟିକେ ନଜର ଦେଉନା ଦେଈ ? ମୋ ସାନକୁହା ମାନି ଡାକ୍ତରଖାନା ଚାଲ-ସେଠାରେ ଭଲ ଚିକିତ୍ସା ହେବ ।’’

‘‘ଥାଉ ଉପେନ୍ଦ୍ର, ଏଇଠାରେ ଯାହା ହେବାର ହେଉ, ଆଉ ମୋତେ କେଉଁଠିକି ଯିବାପାଇଁ କୁହନା ।’’

‘‘ନା ନା ଦେଈ, ମୁଁ ଆଜି ଡାକ୍ତରବାବୁଙ୍କୁ କହିଦେଇ ଆସିବି । ଆଉ ହଁ, ଶୁଭେନ୍ଦୁ ବାବୁଙ୍କ ପାଖକୁ ଚିଠିଖଣ୍ତେ ଲେଖିଦେଲେ ହୁଅନ୍ତାନି ?’’

ଶୁଭେନ୍ଦୁ ପାଖକୁ ଚିଠି ଲେଖିବା କଥା କେତେଥର ମନକୁ ଆସିଛି ସୁନନ୍ଦାର; କିନ୍ତୁ ଲେଖିପାରିନାହିଁ । ଶୁଭେନ୍ଦୁର କାମରେ ବାଧା ସୃଷ୍ଟି କରିବାପାଇଁ ଇଚ୍ଛା ନାହିଁ ତାର । ସେ ନିଶ୍ଚିତଭାବେ ଜାଣେ ତାର ଅସୁସ୍ଥତାର ସମ୍ବାଦ ପାଇଲେ ଶୁଭେନ୍ଦୁ ଧୀର ହୋଇ ବସି ରହିପାରିବ ନାହିଁ ।

ଭାଇ-ଭାଉଜଙ୍କୁ ଖବର ଦେଇ ବିଶେଷ ଲାଭ ବା କଣ ? ସେମାନଙ୍କର ଅଭାବି ସଂସାରରେ ସେ ଜଞ୍ଜାଳ ସୃଷ୍ଟି କରିବାପାଇଁ ଚାହେନି ।

 

ତେବେ ?

‘‘ଦେଈ !’’ ଅନୁନୟେ କଲା ଉପେନ୍ଦ୍ର ।

‘‘ତୁମେ ପରେ ଆସ, ମୋତେ ଟିକିଏ ଶୋଇବାକୁ ଦିଅ ଉପେନ୍ଦ୍ର-ଭଲ ଲାଗୁନାହିଁ ।’’

 

ଉପେନ୍ଦ୍ର ଚାଲିଗଲା; ଆଉ ତା ସଙ୍ଗେ ସଙ୍ଗେ ପଡ଼ିରହିଲା ସୁନନ୍ଦା ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନେଇ ଭାବିବା ପାଇଁ । ଅତୀତ ଯାଇଛି, ଆଉ ଫେରିଆସିବ ନାହିଁ । ବର୍ତ୍ତମାନ ତାର ଆକୁଳ ହୃଦୟର ମର୍ମରିତ ଧ୍ୱନିରେ ମୁଖରିତ-ଭବିଷ୍ୟତ ତାର ନାହିଁ । ଭବିଷ୍ୟତର ସ୍ୱପ୍ନ ଦେଖିବା ଆଗରୁ ଜୀବନ-ଦୀପ ଯେପରି ନିଭି ନିଭି ଆସୁଛି- ମହାକାଳର ଅନ୍ଧକାର ଭିତରୁ ଯେପରି କିଏ ଆଖିଠାରି ଡାକୁଚି ତାକୁ । ଅନିଚ୍ଛା ସତ୍ତ୍ୱେ ପାଦଦୁଇଟା ତାର ଯେପରି ଟାଣି ହୋଇ ଯାଉଛି ସେଇ ଆଡ଼କୁ । ତନ୍ଦ୍ରା ଲାଗିଛି ଆଖିପତାରେ ।

 

ବାହାରେ କିଏ ଯେପରି କଡ଼ା ହଲାଉଛି । ସୁନନ୍ଦାର କାନକୁ ଅସ୍ପଷ୍ଟ ଶୁଭୁଛି ସବୁ । ଶୋଇରହିଲା ସେ । ଯିଏ ଡାକିବ ଡାକୁ- ସେ ଉଠିପାରିବ ନାହିଁ । ଉପେନ୍ଦ୍ର ହୁଏତ ଖୋଲିବ, କିନ୍ତୁ..... ଯଦି ଶୁଭେନ୍ଦୁ ଫେରି ଆସିଥାଏ ?

 

ସମ୍ଭାବନାର ସ୍ନିଗ୍‌ଧତାରେ ଦେହରେ କମ୍ପନ ଆସିଲା ସୁନନ୍ଦାର । ଉଠିବାକୁ ଚେଷ୍ଟା କଲା ସେ ।

 

ତା ପୂର୍ବରୁ କିନ୍ତୁ ଉପେନ୍ଦ୍ର ଖୋଲି ଦେଇଥିଲା କବାଟ । ଘର ଭିତରକୁ ଜଣେ ଅପରିଚିତ ବ୍ୟକ୍ତି ପ୍ରବେଶ କରିବା ସଙ୍ଗେ ସଙ୍ଗେ ପ୍ରଶ୍ନ କଲେ-

 

‘‘ଏ କଣ ସୁନନ୍ଦା ଦେବୀଙ୍କ ଘର ?’’

‘‘ହଁ, କଣ ଚାହାନ୍ତି ବାବୁ ଆପଣ ?’’

 

‘‘ତାଙ୍କ ସାଙ୍ଗରେ ମୋର ବିଶେଷ ପ୍ରୟୋଜନ ଅଛି । ଘରେ ଥିଲେ ଖବର ଦିଅ ତ ଶୀଘ୍ର-।’’

 

‘‘କଣ ଦରକାର ନ କହିଲେ ମୁଁ ତାଙ୍କୁ ବିରକ୍ତ କରିବି ନାହିଁ ଆଜ୍ଞା, ଦେଈଙ୍କ ଦେହ ଭଲ ନାହିଁ ।’’

 

ସୁନନ୍ଦା ସେପାଖରୁ ବାକ୍ୟାଳାପ ଶୁଣୁଥିଲା । ସ୍ୱରରୁ ମନେହେଲା ଆଗନ୍ତୁକ ତାର ଅପରିଚିତ ସେ ଏପାଖରୁ ଟିକିଏ ପାଟି କରି କହିଲା-‘‘କିଏ ଆସିଛନ୍ତି ତାଙ୍କୁ ବସିବା ପାଇଁ କୁହ ଉପେନ୍ଦ୍ର, ମୁଁ ଯାଉଛି ।’’

 

ଉଠିବାକୁ ଚେଷ୍ଟା କଲା ସୁନନ୍ଦା । ଦେହଟା ଦୁର୍ବଳ ଲାଗୁଛି । ମୁଣ୍ତଟା ବୁଲାଉଛି-ଉତ୍ତାପ ରହିଛି ଅଳ୍ପ ।

 

ଉଦ୍ରଲୋକ ସେପାଖରୁ କହିଲେ-‘‘ଯଦି ଦେହ ଖରାପ ଅଛି ସେ ଏଠାକୁ ଆସିବା ଦରକାର ନାହିଁ । ଆପତ୍ତି ନ ଥିଲେ ମୁଁ ବରଂ ସେ ପାଖକୁ ଯିବି ।’’

 

ସୁନନ୍ଦା ସେ ପାଖରୁ କହିଲା, ‘‘ମୁଁ ଯାଉଛି ଉପେନ୍ଦ୍ର । ’’ ସେ ଆସିଲା ।

‘‘ନମସ୍କାର !’’

‘‘ନମସ୍କାର !’’

‘‘ମୋ ନାମ ବିଜୟକୁମାର ଦାସ । ମୁଁ ଜଣେ ଆଡ଼ଭୋକେଟ୍‌ ।’’

‘‘ବସନ୍ତୁ !’’

 

‘‘ବଡ଼ ଜରୁରୀ କାମରେ ଆସିଥିଲି ଆପଣଙ୍କ ପାଖକୁ; କିନ୍ତୁ ଦେଖଛି ଆପଣ ଅସୁସ୍ଥ ଥାଉ, ଆଉ ଦିନେ ଆସିବି ।’’

 

‘‘ନା, ନା, ସେ କିଛି ନୁହେଁ । ଆପଣଙ୍କର ଯାହା କହିବାର ଅଛି କହନ୍ତୁ ।’’

 

ପ୍ରଥମେ ଟିକେ ସଙ୍କୋଚ ବୋଧ କରିବାର ଛଳନା କଲା ବିଜୟ, ତା ପରେ ସିଧା ସଳଖ ସୁନନ୍ଦାର ମୁହଁକୁ ଚାହିଁ ପଚାରିଲା–

 

‘‘ଆପଣ କିଛି ମନେ କରିବେନି ସୁନନ୍ଦା ଦେବୀ, ମୁଁ କେତେଗୁଡ଼ାଏ କଥା ପଚାରିବି । ହୁଏତ ....... ।’’

 

‘‘ଆପଣ ଯାହା ପଚାରିବାର ଦୟାକରି ପଚାରନ୍ତୁ, ମୁଁ ପ୍ରସ୍ତୁତ ଅଛି ।’’

 

ସୁନନ୍ଦାର ଗଳା ରୁକ୍ଷ ଶୁଣାଗଲା । ସେ ବିଜୟର କଥା କହିବାର ଭଙ୍ଗି ଏବଂ ତାର ଚାହାଣୀକୁ ବରଦାସ୍ତ କରି ପାରୁ ନ ଥିଲା ଯେପରି !

 

‘‘ଆପଣ ଶୁଭେନ୍ଦୁକୁ ଚିହ୍ନନ୍ତି ?’’

‘‘କେବଳ ଚିହ୍ନେ ନୁହେଁ, ସେ ମୋର ବନ୍ଧୁ ।’’

 

‘‘ଆପଣଙ୍କ ବନ୍ଧୁ, ବେଶ୍‌ ଭଲ କଥା । ଆପଣ ତା ହେଲେ ଆପଣଙ୍କ ବନ୍ଧୁଙ୍କ ବିଷୟରେ ମୋଠାରୁ ନିଶ୍ଚୟ ବହୁତ ବେଶୀ ଜାଣିଥିବେ ।’’

 

କଥାରେ ତାର ତାଚ୍ଛଲ୍ୟ ଏବଂ ଇଙ୍ଗିତ ଭରି ରହିଥିଲା ଯେପରି ।

‘‘ଆପଣଙ୍କ ଉଦ୍ଦେଶ୍ୟ କଣ କହିବେ କି ବିଜୟ ବାବୁ ?’’

 

‘‘ମୋର ଉଦ୍ଦେଶ୍ୟ ଆପଣଙ୍କର ବନ୍ଧୁଙ୍କ ମଙ୍ଗଳ କରିବା ସୁନନ୍ଦା ଦେବୀ ! ସେଇଥି ପାଇଁ ତାଙ୍କ ବିବାହର ସୁସମ୍ବାଦ ବହନ କରି ଆଣିଲି ଆପଣଙ୍କ ପାଖକୁ ନିଶ୍ଚିତ ହେବା ପାଇଁ ଯେ ମୋର ସମ୍ବାଦ ସତ୍ୟ ।’’

 

ଚମକି ପଡ଼ିଲା ସୁନନ୍ଦା, କିନ୍ତୁ ସେ ମୁାହୂର୍ତ୍ତକ ପାଇଁ ମାତ୍ର । ନିଜକୁ ସମ୍ଭାଳି ନେଇ ପ୍ରଶ୍ନ କଲା- ‘‘ବିବାହ ? କାହା ସହିତ ?’’

 

‘‘ସେହି କଥା କୁହନ୍ତୁ ! ଆପଣ ତା ହେଲେ କିଛି ଜାଣନ୍ତିନି ଦେଖୁଛି ?’’

‘‘ମୁଁ ତ ସେପରି କିଛି ଶୁଣିନାହିଁ !’’

 

‘‘ନ ଶୁଣିବାର କଥା ସୁନନ୍ଦା ଦେବୀ । ସେ ଶୁଣାଇବା ଲୋକଙ୍କୁ କିନ୍ତୁ ଶୁଣାଇ ସାରିଛନ୍ତି-। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସେ ବିବାହ କରୁଛନ୍ତି ମାଧୁରୀକୁ ।’’

 

ଧୀରେ ଅଥଚ ଆଶ୍ଚର୍ଯ୍ୟବ୍ୟଞ୍ଜକ ସ୍ୱରରେ କହି ଉଠିଲା ସୁନନ୍ଦା-ମାଧୁରୀକୁ ?

‘‘ହଁ, ହଁ, ସୁନନ୍ଦା ଦେବୀ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହା ନିରାଟ ସତ ।’’

 

‘‘ସତ ? ’’ଆପେ ଆପେ ଏଇ ପଦକ ଉଚ୍ଚାରଣ କଲା ସୁନନ୍ଦା, ଆଉ ତା ସଙ୍ଗେ ସଙ୍ଗେ ମନେହେଲା ତାର ମଥାଟା ଆହୁରି ଜୋର୍‌ରେ ଘୁରୁଛି ଏବଂ ତାର ପାଦ ତଳୁ ଭୁଇଁ ଖସି ଖସି ଯାଉଛି ।

 

‘‘ଆପଣ ଯେଉଁ ସୁଖବର ଦେଲେ ସେଥିପାଇଁ ଧନ୍ୟବାଦ ବିଜୟ ବାବୁ, ଆପଣ ଆସି ପାରନ୍ତି ।’’

 

ବିଜୟ ଆହୁରି କଣ କହିଥାନ୍ତା । ଅଗତ୍ୟା ନିରୁପାୟ ହୋଇ ବାହାରି ଗଲା ସେ ଘର ଭିତରୁ । ଆଉ ତା ସାଙ୍ଗେ ସାଙ୍ଗେ ସୁନନ୍ଦା ତକିଆରେ ମୁହଁ ଗୁଞ୍ଜି ଅଭିମାନରେ ଫୁଲି ଫୁଲି କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା । ତାର ଆଖିର ଅଜସ୍ର ଧାରାରେ ଯେପରି ବହୁ ଯୁଗର ବେଦନା ନିର୍ଝର ପରି ଝରିଗଲା ବ୍ୟାକୁଳ ହୃଦୟର କଥା କହି କହି । ତାର ମନେହେଲା ସେ ଯେପରି ହାରିଯାଇଛି-ହାରିଯାଇଛି ଜୀବନ ଯୁଦ୍ଧରେ । କାହିଁକି ତାର ଶୁଖିଲା ପ୍ରାଣରେ ମରୁଝରର ସମ୍ଭାବନା ଆଣି ମରୀଚିକାର ଆଗରେ ମରିବା ପାଇଁ ଛାଡ଼ି ଦେଇଗଲା ଶୁଭେନ୍ଦୁ । ହୁଏତ ଶୁଭେନ୍ଦୁ ଯଦି ତା ଜୀବନକାଶରେ ଦେଖା ଦେଇ ନ ଥାନ୍ତା ସୁନନ୍ଦା ହୁଏତ ଆଜି ଏ ଦୁର୍ଦ୍ଦଶାରୁ ରକ୍ଷା ପାଇ ଯାଇଥାନ୍ତା-। ଶୁଭେନ୍ଦୁର ନିରାଡ଼ମ୍ବର ସୁଦର୍ଶନ ରୂପ ଆଖି ଆଗରେ ଭାସିଗଲା-ଉଜ୍ୱଳ ମୁହଁ, ତୀକ୍ଷ୍‌ଣ ନାକ, ଭସା ଭସା ଆଶାଭରା ଆଖି ଯୋଡ଼ିକ ଆଉ ମୁହଁରେ ସଦା ଲାଗିରହିଥିବା ଚେନାଏ ହସ । ସୁନନ୍ଦା ଆଖି ବୁଜି କଳ୍ପନା କଲା ଶୁଭେନ୍ଦୁକୁ ଏବଂ ତାହା ସହିତ ବିତି ଯାଇଥିବା କେତୋଟି ମଧୁମୟ ମୁହୂର୍ତ୍ତକୁ । ଆଉ ଠିକ୍‌ ସେଇ ସଙ୍ଗେ ସଙ୍ଗେ ନିଜର ପରାଜୟକୁ ଗ୍ରହଣ କରି ନେଇ ହତଭାଗିନୀ କରୁଣ ସ୍ୱରରେ କହି ଉଠିଲା-‘‘ତାଙ୍କୁ ସୁଖୀ କର, ସୁଖୀ କର ଭଗବାନ !’’

•••

 

୧୯

 

ବିଜୟ ଯାହା ଭାବିଥିଲା ଠିକ୍‌ ତାହାହିଁ ହେଲା । ସେ ସୁନନ୍ଦାର ଅନୁଚ୍ଚାରିତ ଉକ୍ତିରୁ ସ୍ପଷ୍ଟ ହୃଦୟଙ୍ଗମ କଲା ଶୁଭେନ୍ଦୁର ବିବାହ ସମ୍ବାଦ କେଉଁଠାରେ ଆଘାତ କରିଛି ସୁନନ୍ଦାକୁ । ବିଜୟୋଲ୍ଲାସରେ ସେ ଉନ୍ମତ୍ତ ହୋଇ ସନ୍ଧ୍ୟାର ପରିବେଶକୁ ଆହୁରି ରମଣୀୟ କରିବା ପାଇଁ ସ୍କଚ୍‌ ହୁଇସ୍କିରେ ଚୁମ୍ବନ ଦେଲା । ହୁଇସ୍କି ପାନ ପରେ ସମଗ୍ର ଅବୟବରେ ତାର ବିଜୁଳି ଖେଳିଲା ଯେପରି । ତା ସଙ୍ଗେ ସଙ୍ଗେ ଏକ ଅନନୁଭୂତ ବଣ୍ୟ ମର୍ତ୍ତତା ତାକୁ କ୍ରମଶଃ ଆଚ୍ଛନ୍ନ କରି ଆଣିଲା ଆଉ ସେଇ ମୁହୂର୍ତ୍ତରେ ତାର ମନେହେଲା ମାଧରୀ ତାର ପ୍ରୟୋଜନ ଏବଂ ତାକୁ ହାସଲ କରିବାକୁହିଁ ହେବ ।

 

ବିଜୟ ଭାବିଥିଲା ଶୁଭେନ୍ଦୁ ସହିତ ମାଧୁରୀର ବିବାହ ସମ୍ବାଦ ଶୁଣିଲେ ସୁନନ୍ଦା କେବଳ ଯେ ଆହତ ହେବ ତା ନୁହେଁ, ସେ ସୁନନ୍ଦାର ନୀଡ଼ରେ ଯେଉଁ କେତେକ ସମୟ ଅତିବାହିତ କରି ତାର ସାନ୍ନିଧ୍ୟ ଲାଭ କରୁଛି, ସେଥିରୁ ବଞ୍ଚିତ ହେବ ନିଶ୍ଚୟ । ଶୁଭେନ୍ଦୁର ସୁଖ ଦେଖି ସେ ଆଉ ସହି ପାରୁ ନ ଥିଲା ଯେପରି । ସେଇଥିପାଇଁ ବହୁ ଚେଷ୍ଟା କରି ଶୁଭେନ୍ଦୁର ଅନୁପସ୍ଥିତିରେ ତାର କେଉଁଠାରେ ବନ୍ଧୁତ୍ୱ, ପ୍ରତିପତ୍ତି ସେ ସମ୍ବାଦ ସଂଗ୍ରହ କରିଥିଲା ବିଜୟ ଏବଂ ସେଥିପାଇଁ ସୁନନ୍ଦା ପାଖରେ ମାଧୁରୀ ଓ ଶୁଭେନ୍ଦୁ ସମ୍ୱନ୍ଧରେ କହି ଆସିଥିଲା । ନାରୀ ପ୍ରାଣରେ ଏହାଠାରୁ ବଡ଼ ଆଘାତ ଆଉ କଣ ହୋଇପାରେ ? ଏହା ସହିତ ତାର ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା ମାଧୁରୀ ସହିତ ଶୁଭେନ୍ଦୁର ବିବାହ ସମ୍ୱନ୍ଧ ରଟାଇ ପାରିଲେ ତାହା ନରେନ୍ଦ୍ର ବାବୁଙ୍କ କାନକୁ ଆସିବ ନିଶ୍ଚୟ । ଏ ବିବାହ ଯେ ତାଙ୍କ ସମ୍ମୁଖରେ କେବଳ ଅସମ୍ଭବ ବା ଅବାସ୍ତବ ତା ନୁହେଁ ସେ ଏପରି ସମ୍ପର୍କକୁ ଘୃଣା କରନ୍ତି । ଜଣେ ଦରିନ୍ଦ୍ର ଯୁବକ ସହିତ ଜମିଦାର ନରେନ୍ଦ୍ର ପଟ୍ଟନାୟକ କନ୍ୟାର ବିବାହ ? ଉପହାସର ପାତ୍ର ଯେ ତାକୁ ସେ କନ୍ୟାଦାନ କରିବେ, ଅସମ୍ଭବ-ଅବାସ୍ତବ କଳ୍ପନା । ଏବଂ ଏଥି ସହିତ କନ୍ୟାର ବିବାହ ପାଇଁ ନିଶ୍ଚୟ ତତ୍ପର ହେବେ ଓ ସେ ତତ୍‍ପରତାର ଫଳ ଯେ ବିଜୟର ହାତ ମୁଠାରେ ଏହା ତାର ଆଖି ଆଗରେ ଦିନ ପରି ବାସ୍ତବ ଏବଂ ରାତ୍ରି ପରି ସମ୍ଭୋଗମୟୀ ହୋଇ ଉଠୁଥିଲା ।

 

ଠିକ୍‌ ହେଲା ମଧ୍ୟ ତାହା । ଯେମିତି ନରେନ୍ଦ୍ର ବାବୁ ଶୁଣିବାକୁ ପାଇଲେ ଜଣେ ଅଖ୍ୟାତ ଯୁବକ ସହିତ ତାଙ୍କର ଏକମାତ୍ର କନ୍ୟା, ପଟ୍ଟନାୟକ ବଂଶର ଆଶା ଭରସା ଓ ଉତ୍ତରାଧିକାରିଣୀର ନାମ କେବଳ ଲୋକ ମୁଖରେ ନୁହେଁ, ସହରର କେତେକ କାନ୍ଥ ବାଡ଼ରେ ମଧ୍ୟ ସଂଯୋଜିତ ହୋଇଯାଇଛି, ଘୃଣା, ଈର୍ଷା, ଅଭିମାନରେ କେବଳ ଫୁଲିବାକୁ ଲାଗିଲେ ସେ । ଦୁଇଦିନ ହେଲା ବାପାଙ୍କର ଏହି ଭୀଷଣ ମୂର୍ତ୍ତି ଦେଖି କଣ ହୋଇଛି ସଠିକ୍‌ ଭାବରେ ଜାଣିବା ପାଇଁ ସାହାସ କରି ପଚାରି ପାରି ନ ଥିଲା ମାଧୁରୀ; କିନ୍ତୁ ସେ ଏଇ ଗୁଜବ ବା କାନ୍ଥ ବାଡ଼ର ଲେଖା ଯେ ଜାଣି ନ ଥିଲା ଏହା ନୁହେଁ । ଯଦିବା ଏଥିରେ ସତ୍ୟତା ଥିଲେ ସେ ସୁଖୀ ହୁଅନ୍ତା, ଏହାର ପଛରେ ଯେ ଘୃଣ୍ୟ ଇତର ଇଙ୍ଗିତ ରହିଛି ଭାବି ସେ ଆତଙ୍କରେ ଶିହରି ଉଠିଲା ବାର ବାର । ଅପପ୍ରଚାର ଚଳାଇବା ପାଇଁ ଏପରି ଲୋକ ଦୁନିଆରେ ଥାଇ ପାରନ୍ତି ଏହା ଅନୁମାନ ମଧ୍ୟ କରି ପାରୁ ନ ଥିଲା ସେ, ସେଇଥିପାଇଁ ନିଜର ପ୍ରକୋଷ୍ଠ ଭିତରେ ବସି ବସି ଗତ ପ୍ରାୟ ପନ୍ଦର ଦିନ ମଧ୍ୟରେ ସାହାଯ୍ୟ ସମିତି ପାଇଁ ଯାହା ଦାନ ସଂଗୃହୀତ ହୋଇଛି, ତାର ହିସାବ ନିକାଶରେ ହିଁ ମନପ୍ରାଣ ଢାଳି ଦେଇଥିଲା। ଶୁଭେନ୍ଦୁ ଗଲାଣି ପ୍ରାୟ ମାସେ ହେବ । ଯେ କୌଣସି ମୁହୂର୍ତ୍ତରେ ଅଧିକ ସାହାଯ୍ୟ ପଠାଇବା ପାଇଁ ବାର୍ତ୍ତା ଆସିଯାଇପାରେ । ସେଇ ବାର୍ତ୍ତାକୁ ଉଦ୍‌ବିଗ୍ନ ଚିତ୍ତରେ ଅପେକ୍ଷା କରୁଥିଲା ମାଧୁରୀ । ହୁଏତ ଶୁଭେନ୍ଦୁର ବାର୍ତ୍ତା ସାହାଯ୍ୟ ସମିତି ଓ ସଂଗୃହୀତ ଦାନର ବିବରଣୀ ଭିତରେ ଆବଦ୍ଧ ଥିବ; କିନ୍ତୁ ତାହାହିଁ ମାଧୁରୀର ରିକ୍ତ ଜୀବନରେ ମାଧୁରୀମା ଆଣିବା ପାଇଁ ଯଥେଷ୍ଟ । ସେଇଥିରୁହିଁ ସୂଚିତ ହେବ ସେ ଭଲ ଅଛି, ସେ ମାଧୁରୀକୁ ମନେପକେଇଛି, ଆଉ ଦଶ ଜଣଙ୍କ ପାଖକୁ ନ ଲେଖି ତା ପାଖକୁ ଲେଖି ତାକୁ ବିଶେଷତ୍ୱ ଦେଇଛି । ଏହା କଣ ତାର କାମ୍ୟ ନୁହେଁ, ଗୌରବ ନୁହେଁ ? ମାଧୁରୀର ମନରେ ମଧୁଚକ୍ରର ଗୁଞ୍ଜନ ଜାଗିଲା ଯେପରି । ସେ ଗୁଣୁ ଗୁଣୁ ହୋଇ ଶୁଭେନ୍ଦୁ ରଚିତ ଗୀତ ପଦେ ଆବୃତ୍ତି କଲା

 

ଭୟ ନାହିଁ, ଭୟ ନାହିଁ,

ଦୁର୍ଦ୍ଦିନେ ତୁହି ଦୁର୍ଜୟ ହେବୁ,

ପରାଜୟ ନାହିଁ ନାହିଁ ।

ଶତ୍ରୁ ଆସିବ ମିତ୍ର ଶିବିରେ

ନତ କରି ତାର ମଥା,

ଜୟ ଜନତାର, ଗଣ ଦେବତାର

ଜୟ ସେ ସାର୍ଥକତା ।

ଭୟ ନାହିଁ, ଭୟ ନାହିଁ,

ଦୁର୍ଦ୍ଦିନେ ତୁହି ଦୁର୍ଜୟ ହେବୁ

ପରାଜୟ ନାହିଁ ନାହିଁ ।

 

ଗୀତଟିର ପଂକ୍ତିରେ ପଂକ୍ତିରେ ନବଜୀବନରେ କମ୍ପନ ଅନୁଭବ କଲା ମାଧୁରୀ ଆଉ ମନେହେଲା ତାର ସମସ୍ତ ଗ୍ଳାନି, ବିଡ଼ମ୍ୱନା ଭେଦ କରି ସେ ହେବ ଦୁର୍ଜୟ; ପରାଜୟ ତାର ନାହିଁ । ଯାହା ତାର ପ୍ରାପ୍ୟ, ତାହା ତାର, ଆଉ କାହାରି ନୁହେଁ ସେ ତପସ୍ୟା କରିବ,ସେ ସାଧନା କରିବ ଅସାଧ୍ୟକୁ ସାଧ୍ୟ କରିବା ପାଇଁ । ସେ ହେବ ବିଜୟିନୀ, ସେ ସହାୟକ ହେବ, ଶୁଭେନ୍ଦୁର ନୂତନ ସମାଜ, ନୂତନ ସଂସ୍କୃତି ଗଠନ କରିବାରେ ।

 

ତଳେ ବାପାଙ୍କର ଉଚ୍ଚସ୍ୱର ଶୁଣାଗଲା । ଆଉ ତା ସହିତ ସେ ଶୁଣିପାରିଲା ଆଉ ଜଣକର ସ୍ୱର-ସେ ବିଜୟର ।

 

କହୁଥିଲେ ନରେନ୍ଦ୍ର ବାବୁ–

 

‘‘ସୟତାନ୍‌, ସୟତାନ୍‌ ସେଟା ବିଜୟ ! ଜାଣେନାହିଁ ସେ ସାପ ଦେହରେ ହାତ ମାରୁଛି ବୋଲି ।’’

 

‘‘ଠିକ୍‌ କହିଛନ୍ତି ଆଜ୍ଞା, ସେ ବଦ୍‌ମାସ ଚରିତ୍ରହୀନ । ଆପଣ ଜାଣନ୍ତି ଆଜ୍ଞା ତାର ସେ ଆଡ଼ର କୀର୍ତ୍ତୀ, ଜଣେ ନର୍ସ ସହିତ ବିବାହ କରି ତାହା ଅସ୍ୱୀକାର କରିଛି ।’’

 

ଗର୍ଜ୍ଜନରେ ଫାଟି ପଡ଼ିଲେ ନରେନ୍ଦ୍ର ବାବୁ-‘‘କଣ କହିଲ ବିଜୟ ? ଧୂର୍ତ୍ତ ବିବାହ କରି ଜଣକର ଜୀବନ ନଷ୍ଟ କରି ପୁଣି ଆଉ ଜଣକୁ ଗ୍ରାସ କରିବାକୁ ବସିଛି; ଏହା ମୁଁ କଦାପି ସହ୍ୟ କରିବ ନାହିଁ । ଆଃ ! ଯଦି ସାମ୍ନାରେ ଏହି ମୁହୂର୍ତ୍ତରେ ତାକୁ ପାଆନ୍ତି ବିଜୟ, ସେ ବୁଲାକୁକୁରର ମଥାଟାକୁ ଗୁଳି କରି ଉଡ଼ାଇ ଦିଅନ୍ତି ।’’

 

‘‘ଆପଣ ଶାନ୍ତ ହୁଅନ୍ତୁ । ଆପଣଙ୍କର ମାନ ସମ୍ମାନ ଅଛି । ଯେତେଦୂର ସମ୍ଭବ କଥାଟାକୁ ଚାପି ଦେବାହିଁ ଭଲ ।’’

 

‘‘ଆଉ ଚାପି ଦେବ କଣ ବିଜୟ ? ନରେନ୍ଦ୍ର ପଟ୍ଟନାୟକ ଝିଅର ନାମ ବାଟ ଘାଟରେ ଲେଖା ହେଲା ଗୋଟେ ବାରବୁଲା କୁକୁର ସହିତ । ଲୋକଙ୍କର ଜାଣିବାକୁ ଆଉ କଣ ବାକୀ ଅଛି-?’’

 

ବକ୍ତବ୍ୟର ଶେଷକୁ ନରେନ୍ଦ୍ର ବାବୁଙ୍କ ସ୍ୱରରେ କରୁଣତା ଫୁଟି ଉଠିଲା । ସେ ପୁନର୍ବାର କହିଲେ–

 

‘‘ଆଜି ମୁଁ ଏହାର ଶେଷ ନିଷ୍ପତ୍ତି କରିବି । ଚିରଦିନ ପାଇଁ ସେ ବଦ୍‌ମାସର ଚକ୍ରାନ୍ତକୁ ପଣ୍ଡ କରି ଆଜି ମୁଁ ମାଧୁରୀକୁ ବିବାହ ଦେବି ।’’

 

‘‘ଆଜି ବିବାହ ?’’

 

‘‘ହଁ ହଁ ବିଜୟ ! ମୋତି ଆଜିହିଁ ସବୁ ସାରିବାକୁ ହେବ । ଆଜି ରାତି ଭିତରେହିଁ ମାଧୁରୀର ବିବାହ ସମ୍ପୂର୍ଣ୍ଣ କରିବାକୁ ହେବ ମୋତେ । ତୁମେ ପ୍ରସ୍ତୁତ ବିଜୟ ?’’

 

ନିଜ କାନକୁ ଯେପରି ବିଶ୍ୱାସ କରିପାରୁନାହିଁ ବିଜୟ-ଏତେଶୀଘ୍ର ଏତେ ଅଳ୍ପ ପରିଶ୍ରମରେ ତାର ଉପ୍‌ସିତ ବସ୍ତୁ ଆସିଯିବ ତାର ହାତ ମୁଠା ଭିତରକୁ ?

 

ଯାହା ଅଳ୍ପ କେଇଦିନ ପୂର୍ବରୁ ତାର ଦୁଃସାଧ୍ୟ ବୋଲି ମନେ ହେଉଥିଲା, ଏଡ଼େ ସହଜରେ ଆସିଯିବ ତାର ହାତ ମୁଠାକୁ ଏହା ତାର କଳ୍ପନାତୀତ । ହଠାତ୍‌ ଜଣେ ଦରିଦ୍ର ଲୋକ ଲଟାରୀରେ ବିଜୟ ଲାଭ କରି ଲକ୍ଷାଧିକ ଟଙ୍କାର ଅଧିକାରୀ ହେଲେ ଯେପରି ତା ଚାରିପାଖରେ ଦେଖେ କେବଳ ସ୍ୱପ୍ନ ଏବଂ ରଙ୍ଗରେ ଜୁଆର ତାହାହିଁ ଦେଖିଲା ବିଜୟ ତାର କାମନାର ସଫଳତାରେ ।

 

‘‘ଆପଣଙ୍କର ଯାହା ଇଚ୍ଛା !’’ ବିଜୟ ବିନମ୍ର ଭାବରେ କହିଲା ।

 

‘‘ମୁଁ ଜାଣେ ବିଜୟ, ତୁମେ ଅବାଧ୍ୟ ହେବନି । ମୋର ମାନ ସମ୍ମାନ ଆଜି ତୁମେ ରକ୍ଷା କଲ ବିଜୟ ।’’

 

ଆଉ ଶୁଣିପାରିଲା ନାହିଁ ମାଧୁରା । ତାର ଦୁଇ କାନରେ ଆଙ୍ଗୁଠି ଦେଇ ସେ ତୀବ୍ର ବେଗରେ ତାର ପ୍ରକୋଷ୍ଠ ଭିତରେ ପ୍ରବେଶ କଲା ଏବଂ ତା ସଙ୍ଗେ ଭିତରୁ ଦରଜା ବନ୍ଦ କରିବାର ଶବ୍ଦ ହେଲା ।

 

ଦୁଃଖରେ ମୁହ୍ୟମାନ ମାଧୁରୀ ବିଶ୍ୱାସ କରିପାରୁ ନ ଥିଲା ତାର ବର୍ତ୍ତମାନ ଓ ଭବିଷ୍ୟତ୍‌ ଏତେଶୀଘ୍ର ଏଭଳି ଭାବରେ ଭାଙ୍ଗି ରୁଜି ଚୁରମାର୍‌ ହେଇଯିବ ବୋଲି ।

 

କିନ୍ତୁ ଉପାୟ ?

 

କାନ୍ଦିବାକୁ ଇଚ୍ଛା ହେଉଥିଲେ ମଧ୍ୟ କାନ୍ଦ ପାରିଲା ନାହିଁ ସେ । ଉଚ୍ଚ ସ୍ୱରରେ ପ୍ରତିବାଦ କରିବା ପାଇଁ ଇଚ୍ଛା କଲା, ମାତ୍ର ପାଟି ଖୋଲିଲା ନାହିଁ ତାର । ନିର୍ବାକ ନିସ୍ପନ୍ଦ ଭାବରେ କିଛି ସମୟ ବସି ରହିଲା ସେ ନିଜର ସମସ୍ତ ଆବେଗ, ବେଦନା ଓ ଅନୁଭୂତିକୁ ନିଜର ଛାତି ତଳେ ଧୀରେ ଧୀରେ ନିଃଶେଷ କରିବା ପାଇଁ । ସେଇ ନିଃଶେଷ କରିବାର ଦୁଃସହ ଯାତନା ଅପରିସୀମ ଦୁଃଖ ତାର ଦକ୍ଷ ପଞ୍ଜରକୁ ଦୋହଲାଇ ଦେଲା । ଭୟ, ଘୃଣା ଓ ଏକ ଅନନୁଭୂତ ଅନୁଭୂତିରେ ତାର ସର୍ବାଙ୍ଗ ଥରିଲା କେବଳ ।

 

ନରେନ୍ଦ୍ର ବାବୁଙ୍କ ଘରେ ବିବାହର ଆୟୋଜନ ଲାଗିଲା । ଟଙ୍କା ଯାହାର ଅଛି, କଟକ ସହରରେ ଏପରି ବିଭାଘର ଶହେଟା ମଧ୍ୟ ଶହେ ମିନିଟ ମଧ୍ୟରେ ଯୋଗାଡ଼ କରାଯାଇପାରେ । ଯେଉଁମାନଙ୍କର ଅର୍ଥ ନାହିଁ, ସମ୍ବଳ ନାହିଁ, ସେହିମାନେ ହିଁ ଅପେକ୍ଷା କରନ୍ତି ବର୍ଷ ବର୍ଷ ଧରି ଦୁଃସହ ଯନ୍ତ୍ରଣାରେ କନ୍ୟାଦାୟରୁ ମୁକ୍ତି ପାଇବା ପାଇଁ । ସେଭଳି ହତଭାଗ୍ୟ ପିତାମାତାଙ୍କର ଯେତେ ଅଶ୍ରୁ ନିତି ଯେତେ ଗୃହ କୋଣରେ ଅବାରିତ ଭାବରେ ଝରି ଯାଉଛି ତାର ସଂଯୋଗ ହେଲେ ହୁଏତ ଏକ ଯମୁନା ସୃଷ୍ଟି ହେବ । ସେଇ ବିକ୍ଷୁବ୍‌ଧ ହୃଦୟ ତରଙ୍ଗର ଧିକ୍‌କାରେ କେତେ ଯେ ପିତା ଅସମୟରେ କନ୍ୟା ସମ୍ପ୍ରଦାନର ଶେଷ ଚିନ୍ତା କରି କରି ଏଇ ଦେଶର ଆଜି ମଧ୍ୟ ଅକାଳରେ, ଲୋକ ଚକ୍ଷୁର ଅଗୋଚରରେ ଝରି ପଡ଼ୁଛନ୍ତି ତାର ହିସାବ ରଖୁଛି କିଏ ?

 

ସ୍ଥିର ହେଲା ରାତି ଠିକ୍‌ ଦୁଇଟାବେଳେ ଭଲ ଲଗ୍ନ ଅଛି, ଆଉ ସେତିକିବେଳେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ ।

 

ଏଣେ ମାଧୁରୀ ମଧ୍ୟ ସ୍ଥିର କଲା ଏ ବିବାହ ହୋଇପାରେନା-ଅସମ୍ଭବ । ଗୃହାଞ୍ଚଳ ରାତ୍ରିର ଗଭୀରତା ସଙ୍ଗେ ସଙ୍ଗେ ନିସ୍ତବ୍‌ଧ ହେବା ପରିବର୍ତ୍ତେ କ୍ରମଶଃ ଯାତାୟତ, ଜିନିଷ ପତ୍ର ନବା ଆଣିବାର ଧୁମ୍‌ଧାମ୍‌ରେ ମୁଖରିତ ହୋଇ ଉଠିଲା, ଆଉ ସେଇ ରାତ୍ରିର ସମସ୍ତ ଆୟୋଜନକୁ ପଣ୍ଡ କରି ମାଧୁରୀ ସମସ୍ତଙ୍କର ଅଲକ୍ଷରେ କେତେବେଳେ ଯେ ଗୃହତ୍ୟାଗ କରି ବାହାରକୁ ବାହାରିଗଲା ତାହା ଜାଣିବା କାହାରି ପକ୍ଷେ ସମ୍ଭବ ହେଲା ନାହିଁ । ଯେଉଁ ପ୍ରାଚୀର ଭେଦି କେବେ କୌଣସି ପ୍ରତିବାଦ ବାହାରକୁ ବାହାରି ପାରି ନ ଥିଲା, ଯେଉଁ ପ୍ରାଚୀର ଭିତରେ କେତେ ଦୀର୍ଘଶ୍ୱାସ, କେତେ କରୁଣ କ୍ରନ୍ଦନ ନିଷ୍ଫଳ ପ୍ରତିବାଦ କରି ଚିରଦିନ ପାଇଁ ନୀରବ ହୋଇ ଯାଇଥିଲା, ସେଇ ପ୍ରାଚୀରର ବେଷ୍ଟନୀ ଭିତରୁ ଏପରି ଭାବରେ ମୁକ୍ତି ପାଇବ, ଏ ସମ୍ଭାବନା କରି ପାରି ନ ଥିଲା ମାଧୁରୀ ।

 

ଗଭୀର ରାତ୍ରି-ନିସ୍ତବ୍‌ଧ ରାଜପଥ । ଆକାଶର ଅପରିସୀମ ଅନାବୃତ ଶୋଭା ଦେଖି ମାଧୁରୀ ଉତ୍ସାହ ପାଇଲା ଯେପରି । କ୍ଷଣକ ପାଇଁ ସେ ଫେରି ଚାହିଁଲା ତାଙ୍କ ଘରଆଡ଼କୁ, ପିତାଙ୍କ ପ୍ରକୋଷ୍ଠକୁ । ତାର ଅଜାଣତରେ ଦୁଇ ଟୋପା ଲୁହ ବୋହିଗଲା । ଏଇ ଘରର ବନ୍ଧନ କାଟି ତାକୁ ଆଗକୁ ଯିବାକୁ ହେବ, ନିଶ୍ଚୟତା ଭିତରୁ ଅନିଶ୍ଚୟତାକୁ ବରଣ କରିବାକୁ ହେବ ।

 

ମାଧୁରୀ ଆଗେଇ ଚାଲିଲା ଲକ୍ଷହୀନ ଭାବରେ । ମନେରହିଲା ନାହିଁ ସେ କେଉଁଆଡ଼େ ଯାଉଛି, କଣ ତାର ଲକ୍ଷ୍ୟ । ସେତିକିବେଳେ ତାର ଜ୍ଞାନ ଆସିଲା, ଯେତେବେଳେ ସେ ଶୁଣିଲା ଅତି ନିକଟରେ କୋଳାହଳ-ରିକ୍‌ସା, ଘୋଡ଼ାଗାଡ଼ିର ଯାତାୟତ । ସେ ଜାଣିପାରିଲା ଷ୍ଟେସନରେ ସେ ପହଞ୍ଚି ଯାଇଛି ।

 

ଚାରିଆଡ଼କୁ ଥରେ ଚକିତ ନୟନରେ ଚକ୍ଷୁ ବୁଲାଇ ନେଲା ମାଧୁରୀ । ବୁକିଂ ଅଫିସ୍‌ରେ ଲୋକ ଗହଳି ସେତେ ନ ଥିଲା । ରାତି ଗାଡ଼ିରେ ଭିଡ଼ କମ୍‌ । ଯେତେବେଳେ ଦଶ ଟଙ୍କାର ଗୋଟିଏ ନୋଟ୍‌ ବଢ଼ାଇ ଦେଇ ମାଧୁରୀ କହିଲା ‘‘ଟିକେଟ୍‌’’-ବୁକିଂ କ୍ଳର୍କ ପଚାରିଲା-କେଉଁ ଷ୍ଟେସନ-? ମାଧୁରୀ କ୍ଷଣକ ପାଇଁ କଣ ଉତ୍ତର ଦେବ କିଛି ସ୍ଥିର କରି ପାରିଲା ନାହିଁ । ସେ ତ ଆଗରୁ ଭାବି ନ ଥିଲା ତାର ଲକ୍ଷ୍ୟସ୍ଥାନ ବିଷୟରେ, ସ୍ଥିର କରି ନ ଥିଲା କେଉଁଠାକୁ ଯିବ ସେ; କିନ୍ତୁ ତାର ସେ ନିଶ୍ଚେଷ୍ଟତା କ୍ଷଣିକ ପାଇଁ । ବୁକିଂ କ୍ଳର୍କ କିଛି ସନ୍ଦେହ କରିବା ଆଗରୁ ମାଧୁରୀ କହିଲା-‘‘ପୁରୀ ।’’

 

କଟକରୁ ପୁରୀ ଆଉ ପୁରୀରୁ କଟକ ମାତ୍ର ଦୁଇଘଣ୍ଟାର ରାସ୍ତା । କିନ୍ତୁ ମନେହେଲା ମାଧୁରୀର ଯେପରି ସେ ଚାଲିଯାଉଛି ଦୂରକୁ-ବହୁଦୂରକୁ; ପ୍ରିୟଜନମାନେ ପଡ଼ି ରହିଲେ ପଛରେ । ଆପଣା ଘରର ସ୍ନେହ ମମତା ପୋଛିହୋଇ ଗଲା ମନରୁ । ଅଜ୍ଞାତର ଆକର୍ଷରେ ଘର ଛାଡ଼ି ନାହିଁ ମାଧୁରୀ, ବର୍ତ୍ତମାନର ଉଦ୍‌ବେଗରୁ ରକ୍ଷା ପାଇବା ପାଇଁ ହିଁ ଛାଡ଼ିଛି । ପୁରୀ ଯାଇ କଣ ସେଥିରୁ ମୁକ୍ତି ପାଇପାରିବ ସେ ? ଯେଉଁ ମନରେ ଅନିଶ୍ଚୟତାର ଉଦ୍‌ବେଳନ, ସେଠାରେ ନିଶ୍ଚୟତା ଆସିବ କେଉଁଠୁ ? ତୁରୀ ବଜାଇ କାଠଯୋଡ଼ି ପୋଲ ଉପରେ ଗାଡ଼ି ଚାଲିଛି । ଚାହିଁଲା ମାଧୁରୀ କାଠଯୋଡ଼ି କୂଳକୁ । ସହସ୍ରାଧିକ ବିଜୁଳି ବତିର ଉଜ୍ଜ୍ୱଳ ଆଲୋକରଶ୍ମି ଦେଖାଯାଉଛି ଗାଡ଼ିରୁ । ଅଲକ୍ଷ୍ୟରେ ଏକ ଉତ୍ତପ୍ତ ଦୀର୍ଘଶ୍ୱାସ ନିର୍ଗତ ହୋଇଗଲା ତା ବକ୍ଷରୁ । ଉତ୍ତପ୍ତ ମାଧୁରୀ କାଠଯୋଡ଼ିର ସ୍ନିଗ୍‌ଧ କୋମଳ ଶାନ୍ତ ଶୀତଳ ପବନର ଅନେକ ପରିମାଣରେ ଶାନ୍ତ ଓ ସୁସ୍ଥ ମନେକଲା ନିଜକୁ ।

 

ଗାଡ଼ି ଚାଲିଛି । ଷ୍ଟେସନ୍‌ ପରେ ଷ୍ଟେସନ ଅତିକ୍ରମ କରିଯାଇଛି । କେତେ ଯାତ୍ରୀ ଆସୁଛନ୍ତି କେତେ ଯାଉଛନ୍ତି । କ୍ଷଣକ ପାଇଁ-ଟିକକ ପାଇଁ ଯେପରି ସବୁ ଆୟୋଜନ, ସମସ୍ତ ଯାତ୍ରାର ଉଦ୍ୟମ ।

 

ପୁରୀ ପାଇଁ ଟିକେଟ୍‌ ନେଇଥିଲା ମାଧୁରୀ ତେଣୁ ଓହ୍ଲାଇବାର ଚଞ୍ଚଳତା ନ ଥିଲା ତାର । ଲକ୍ଷ୍ୟ କରି ଦେଖିଲା କୋଠରିର କେହି ପରିଚିତ ନୁହେଁ-କାହାରି ମୁହଁ ଦେଖିଥିବା ମନେପଡ଼ୁନାହିଁ । ଦ୍ୱିତୀୟ ଶ୍ରେଣୀର ଛୋଟ କୋଠରି ଭିତରେ ଯାତ୍ରୀ ଅଛନ୍ତି, ଭିଡ଼ ନାହିଁ । ତାର ସାମ୍ନାରେ ବସିଛନ୍ତି ଗୈରୀକ ବସନାବୃତ ଜଣେ ସନ୍ନ୍ୟାସୀ । ମୁଣ୍ଡିତ ମସ୍ତକ, ତୀକ୍ଷ୍‌ଣ ଦୃଷ୍ଟି ଯୁକ୍ତ ପ୍ରୌଢ଼ଙ୍କର ମୁହଁରେ ଲାଗିରହିଛି ଏକ ଅପୂର୍ବ ସ୍ନିଗ୍‌ଧ ଶୀତଳ କୋମଳତା । ମାଧୁରୀ ମୁହଁ ଫେରାଇଲା; କିନ୍ତୁ ଚାହିଁବା ଆଗରୁ ଜିଜ୍ଞାସା କଲେ ସନ୍ନ୍ୟାସୀ-ତୁମେ କେତେଦୂର ଯିବ ମା ?

 

‘‘ପୁରୀ-’’

‘‘ସାଙ୍ଗରେ କିଏ ଅଛନ୍ତି ? କିଛି ମନେକରିବ ନାହିଁ ମା ପଚାରୁଛି ବୋଲି ।’’

‘‘ନା, ନା, ସେଥିରେ କଣ ଅଛି । ମୁଁ ଏକା ଯାଉଛି ।’’

 

ସନ୍ନ୍ୟାସୀ ନୀରବ ହେଲେ, ଅଳ୍ପକ୍ଷଣ କଣ ଯେପରି ଚିନ୍ତା କଲେ । ମାଧୁରୀ ଲକ୍ଷ୍ୟ କଲା କୋଣରେ ବସିଥିବା ଜଣେ ଯୁବକ ତା ଆଡ଼କୁ ବରାବର କଣେଇ କଣେଇ ଚାହୁଁଛି । ତାର ଚାହାଣିରେ କିନ୍ତୁ ସନ୍ନ୍ୟାସୀଙ୍କର ଚାହାଣିର ସ୍ନିଗ୍‌ଧତା ନାହିଁ, ଅଛି ସର୍ବଗ୍ରାସୀ କ୍ଷୁଧାର ଏକ ପ୍ରଚଣ୍ଡ ଉନ୍ମତ୍ତତା ।

 

‘‘ପୁରୀରେ କେହି ଅଛନ୍ତି-ଷ୍ଟେସନକୁ କେହି ଆସିବେ ମା ?’’ ମମତାବୋଳା କଣ୍ଠରେ ପଚାରିଲେ ସନ୍ନ୍ୟାସୀ । ମାଧୁରୀ ଅନୁଭବ କଲା ସେ ମଧୁରତା-ମନେପଡ଼ିଲା ନିଜ ବାପାଙ୍କ କଥା-ସତେ ଯେପରି ତାରି ମଙ୍ଗଳ ପାଇଁ ତାଙ୍କର ବ୍ୟାକୁଳତା ।

 

‘‘ସେପରି କେହି ନାହାନ୍ତି-ଷ୍ଟେସନକୁ କେହି ଆସିବାର ଅବକାଶ ମଧ୍ୟ ନାହିଁ ।’’

 

ଆଉ କିଛି ପଚାରିଲେ ନାହିଁ ସନ୍ନ୍ୟାସୀ । କ୍ରମଶଃ ଲକ୍ଷ୍ୟ କଲା ମାଧୁରୀ ଯେପରି ସେ କେଉଁ ଏକ ଗଭୀର ଚିନ୍ତାରେ ମଗ୍ନ-ବାହ୍ୟ ସ୍ପର୍ଶ ତାଙ୍କୁ ଜଣାଯାଉ ନାହିଁ, କୋଳାହଳ ତାଙ୍କୁ ସ୍ପର୍ଶ କରୁନାହିଁ । ସେହି ଧାନମଗ୍ନ ମୂର୍ତ୍ତି ମାଧୁରୀର ଅନ୍ତଃସ୍ଥଳକୁ ଅତର୍କିତ ଭାବରେ ସ୍ପର୍ଶ କଲା । ସ୍ପର୍ଶକାତର ଅନ୍ତରରେ ସେ ଅନୁଭବ କଲା ଅନିର୍ବଚନୀୟ ଆନନ୍ଦର ଏକ ଅଭାବନୀୟ ଅନୁଭୂତି ।

 

ସାକ୍ଷୀଗୋପାଳ–

 

ଗୋପାଳଙ୍କ ସାକ୍ଷୀ ରଖିଥିଲା ଯେଉଁ ବ୍ରାହ୍ମଣ, ସେ ନିରାଶ ହୋଇନାହିଁ- ଗୋପାଳ ତାର କାମନା ପୂର୍ଣ୍ଣ କରିଛନ୍ତି । ଗୋପାଳଙ୍କୁ ସାକ୍ଷୀ ରଖି କାମ କରି ଯାଆନ୍ତି ଯେଉଁମାନେ, ସେମାନଙ୍କର ସିଦ୍ଧି ତ ଅବଶ୍ୟମ୍ଭାବି । ସେ ଜଣକର ନୁହନ୍ତି, ସମସ୍ତଙ୍କର; ସେ ଗୋଟିଏ କାଳର ବା କ୍ଷଣକର ନୁହନ୍ତି-ସର୍ବକାଳର, ସର୍ବକ୍ଷଣର । ମନେ ମନେ ଭାବି ମସ୍ତକ ନତ କଲା ମାଧୁରୀ ।

 

ସହଯାତ୍ରୀ ଯୁବକଟି ଅନିଚ୍ଛା ସତ୍ତ୍ୱେ ଓହ୍ଲାଇଗଲା ଯେପରି । ଗଲାବେଳେ ଅଜ୍ଞାତରେ ଯେପରି ସ୍ପର୍ଶ କରିଗଲା ମାଧୁରୀର ଅଙ୍ଗ । ସଙ୍ଗେ ସଙ୍ଗେ ସେ ଯେପରି ଉଚ୍ଚାରଣ କରିଛି ‘‘ଦୁଃଖିତ-’’ ମାଧୁରୀ ସଙ୍କୁଚିତ ହୋଇ ଘୁଞ୍ଚି ଆସିଲା ପଛକୁ । ଯାହାର ମନର ସମ୍ପ୍ରସାରଣ ନାହିଁ, ତା ପାଖରେ ସଙ୍କୋଚନ ଦେଖାଇବା ବ୍ୟତୀତ ଆଉ କଣ କରିପାରେ ମାଧୁରୀ ? ସନ୍ନ୍ୟାସୀ କିଛି ଲକ୍ଷ୍ୟ କରିପାରିଲେ ନାହିଁ-ଧ୍ୟାନମଗ୍ନ ମୂର୍ତ୍ତି ତାଙ୍କର ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେଉଥିଲା ।

 

ମାଧୁରୀ ଚିନ୍ତା କରୁଥିଲା ପୁରୀରେ ଯିବ କୁଆଡ଼େ ? କାହା ଘରକୁ ? ଆଶ୍ରୟ ନେବ କେଉଁଠାରେ ? ମାଉସୀ ଅଛନ୍ତି କିନ୍ତୁ ତାଙ୍କ ପାଖକୁ ଯାଇ ପାରିବିନି-ଗଲେ କଣ ସେ ଛାଡ଼ିଦେବେ ମାଧୁରୀକୁ ସହଜରେ ? ନରେନ୍ଦ୍ର ବାବୁଙ୍କୁ ଫୋନ୍‌ କରି ଜଣାଇବା ପାଇଁ ତାଙ୍କୁ ଦଶ ମିନିଟ୍‌ ସମୟ ଲାଗିବନି । ହୋଟେଲ୍‌ ? ମନେପଡ଼ିଲା ମାଧୁରୀର ପୁରୀର ଖ୍ୟାତନାମା ହୋଟେଲଗୁଡ଼ିକର କଥା-। ହଁ, କିଛି ସମୟ ସେଠାରେ ରହିପାରେ ସେ । କିନ୍ତୁ ପାଖରେ ଜିନିଷପତ୍ର କିଛି ନାହିଁ, ଲୋକ ନାହିଁ-। ତାକୁ ଦେଖିଲେ ହୋଟେଲ୍‌ ମାଲିକର ସନ୍ଦେହ ହେବା ସ୍ୱାଭାବିକ । ଚିନ୍ତା ସଙ୍ଗେ ସଙ୍ଗେ ଉଦ୍‌ବେଗ ଓ ଅଜ୍ଞାତ ଏକ ଆଶଙ୍କା ଅଭିଭୂତ କଲା ମାଧୁରୀକୁ ।

 

ପୁରୀ–

 

ପତିତପାବନ ପରମାନନ୍ଦଙ୍କ ନିବାସ ସ୍ଥଳ-ଜଗତ୍‌ବନ୍ଧୁ ଜଗନ୍ନାଥଙ୍କର ଆବାସୀସ୍ଥଳୀ ପୁରୀ-ପୁରୁଷୋତ୍ତମ ।

 

ମାଧୁରୀ ଉଠିବା ଆଗରୁ ସ୍ନିଗ୍‌ଧ ଓ ସ୍ନେହପୂର୍ଣ୍ଣ କଣ୍ଠରେ କହିଲେ ସନ୍ନ୍ୟାସୀ–

‘‘ଚାଲ ମା’ ମୋ ସାଙ୍ଗରେ ।’’

 

ଏହା ଯେପରି ଅନୁରୋଧ ନୁହେଁ, ସ୍ନେହସିକ୍ତ ଏକ ସ୍ନିଗ୍‌ଧ ପିତୃସୁଲଭ କଣ୍ଠର ଆଦେଶ-। ମାଧୁରୀ କିଛି କହିପାରିଲା ନାହିଁ-ତାର କଣ୍ଠରୋଧ ହୋଇଗଲା । ତାର ମନୋଭାବକୁ ବୁଝିପାରି ସନ୍ନ୍ୟାସୀ କହିଲେ-କିଛି ଅସୁବିଧା ହେବନାହିଁ, ମା ! ଆଶ୍ରମରେ ତୁମପରି ଅନେକ ଅଛନ୍ତି-। ସମସ୍ତେ ତୁମକୁ ଆନନ୍ଦରେ ଗ୍ରହଣ କରିବେ ।

 

ଆଶ୍ୱସ୍ତ ହେଲା ମାଧୁରୀ । ଅବତରଣ କରି ଅନୁଗମନ କଲା ସନ୍ନ୍ୟାସୀଙ୍କର ।

•••

 

୨୦

 

ଶିଶୁପାଳ ହୋଇ ଫେରି ଆସିଲା ବିଜୟ । ଦେହର ସମସ୍ତ ଉତ୍ତାପ ଶୀତଳ ହୋଇଗଲା ଯେପରି । ଯାହାପାଇଁ ତା ପ୍ରାଣରେ ଜାଗିଥିଲା ରୋମାଞ୍ଚ, ମନରେ ଆସିଥିଲା ଉଦ୍ଦାମ, କାମନାନୁଭୂତିର ଉତ୍ତପ୍ତ ଅନଳର ଜ୍ୱଳନ-ସେ ଆଜି ନିରୁଦ୍ଦେଶ-ସେ ଆତ୍ମଗୋପନ କରିବାପାଇଁ ଅନ୍ତର୍ହିତ ହୋଇଯାଇଛି ତାର ସର୍ବଗ୍ରାସୀ ଚକ୍ଷୁର ସମ୍ମୁଖରୁ । ଫୁଲର ସ୍ନିଗ୍‌ଧ ସୁବାସ ପବନରେ ଭାସି ବୁଲିଲେ ତାର ମହକ ପାଇ ପୁଲକିତ ହୁଏନାହିଁ ରସିକ, ତାକୁ ଆହରଣ କରିବାପାଇଁ ହାତ ବଢ଼ାଏ-। ସେଇ ହାତ ବଢ଼ାଇବା ଓ ତୋଳିବାର ଉତ୍ତେଜନା କଣ କମ୍‌ ମଧୁମୟ ! କିନ୍ତୁ ସବୁ ସଞ୍ଚିତ ମଧୁକୁ ଭୂଲୁଣ୍ଠିତ କରି, ତାର ପୌରଷକୁ ଆଘାତକରି, ଅନ୍ତରର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରି ଚାଲିଗଲା ମାଧୁରୀ-ବିବାହ ବେଦୀରୁ ନୁହେଁ, ମନର ପ୍ରବାହରୁ । ସେ ପ୍ରବାହ ଆଜି ଶିଥିଳ, ଆବେଗଶୂନ୍ୟ ।

କିନ୍ତୁ ବିଜୟ କଣ ଏଡ଼େ ସହଜରେ ସ୍ୱୀକାର କରିନେବ ପରାଜୟ ? ତା ହୋଇପାରେନା । କ୍ଷଣକରେ ଯେପରି ତାର ଦେହ ଭିତରେ ସୁପ୍ତସିଂହ ଜାଗ୍ରତ ହୋଇ ଉଠିଲା । ସେ କ୍ଷିପ୍ତ ପ୍ରାୟ ଉଠି ପାଖ ଆଲମାରି ଭିତରୁ ସ୍କଚ୍‌ ହୁଇସ୍କିର ବୋତଲଟା ଆଣି କ୍ଷଣକରେ ନିଃଶେଷ କରିଦେଲା, ଆଉ ପରକ୍ଷଣରେ ଛୋଟ ଅଷ୍ଟିନ୍‌ କାର୍‌ଟା ତାର ମନାର ଉତ୍ତେଜନାକୁ ରୂପ ଦେଇ ସଶବ୍ଦେ ଧାଇଁ ଚାଲିଲା ଆଗକୁ-ଆଗକୁ ।

ବିଜୟ କାହାକୁ ନିଜ ପଥରୋଧ କରିବାକୁ ଦେବନାହିଁ । ଯେ ପଥରୋଧ କରିଛି ତାକୁ ସମୁଚିତ ଶାସ୍ତି ନ ଦେଲେ ଶାନ୍ତି ନାହିଁ ମନରେ । ଆଜି ତାର ମୀମାଂସା ଦରକାର ସମାଧାନ ଆବଶ୍ୟକ ।

କାଠଯୋଡ଼ିର ପୋଲ ଉପର ଦେଇ ଘଣ୍ଟାକୁ ପ୍ରାୟ ପଚାଶ ବେଗରେ ଗଡ଼ି ଚାଲିଲା ବିଜୟର ବେବି ଅଷ୍ଟିନ୍‌ । ପଛରେ ପଡ଼ିରହିଲା ପରିତ୍ୟକ୍ତ ପ୍ରାଣର ଏକ କ୍ଷୋଭମୟ ଗ୍ଳାନିମୟ ମୁହୂର୍ତ୍ତ ।

 

Unknown

କାର୍‌ ଛୁଟି ଚାଲିଛି । ରାଧାବଲ୍ଲଭପୁର ପାଖରେ ରାସ୍ତା ଖୁବ୍ ଖରାପ ହୋଇଯାଇଛି । ବନ୍ୟାରେ ପୋଛିହୋଇ ଯାଇଛି ରାଜପଥ । ବିଜୟ ମାଡ଼ି ଚାଲିଯିବ ଚେଷ୍ଟାକରୁଛି ମାତ୍ର ଗାଡ଼ିଟା କାଦୁଅ ଭିତରେ ଏଭଳି ଭାବରେ ଅଟକି ଗଲା ଯେ ଶତଚେଷ୍ଟା କରି ମଧ୍ୟ ଆଉ ପାଦେ କାର୍‌ଟାକୁ ଟାଣିନେବା ତା ପକ୍ଷେ ଅସମ୍ଭବ ହୋଇ ଉଠିଲା ।

 

ନିରୁପାୟ ହୋଇ ଚାରିଆଡ଼କୁ ଚାହିଁଲା ବିଜୟ । ପାଖରେ କଣ କିଏ ଅଛି ଯେ ଟଙ୍କା ଦୁଇଟା ଚାରିଟା ଦେଲେ ଅନ୍ତତଃ ଗାଡ଼ିଟାକୁ କାଦୁଅରୁ ଉଠାଇ ଦେବ । ନା-ଏ ମଫସଲ ଉପରେ ଏଇଥି ପାଇଁ ବିଜୟର ରାଗ । ପୁରୀ ପହଞ୍ଚିବା ହୋଇପାରିଲା ନାହିଁ । ମାଧୁରୀକୁ ଧରିବାର ଆଶା ସାତତାଳ ପାଣିରେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାପରି ମନ ମଧ୍ୟରୁ କ୍ରମଶଃ ତାର ଅଲକ୍ଷ୍ୟରେ ନିଭି ନିଭି ଆସିଲା ।

 

ବିରକ୍ତିରେ ଯେତେବେଳେ ସମସ୍ତ ଆଶା ପରିତ୍ୟାଗ କରି ବିଜୟ ରାସ୍ତା ଉପରେ ଥକ୍‌କା ହୋଇ ବସିପଡ଼ୁଛି, ଅଳ୍ପ ଦୂରରୁ କାହାର କଣ୍ଠସ୍ୱର ସେ ଶୁଣି ପାରିଲା । ଜଣେ ଗ୍ରାମବାସୀ ବୋଧେ । ମାତ୍ର ଏହା ଜଣକର କାମ ନୁହେଁ, ତେଣୁ ନ ଡାକି ବସି ରହିଲା ବିଜୟ ! ଅଳ୍ପକ୍ଷଣ ପରେ ଗ୍ରାମବାସୀଟା ଆସି ପହଞ୍ଚିଲା ବିଜୟ ପାଖରେ । ମୁହଁରେ ହସ ଖେଳାଇ ସେ କହିଲା-‘‘ରାସ୍ତା ଖୁବ୍‌ ଖରାପ ହୋଇଯାଇଛି ବାବୁ । ବନ୍ୟା ବୋଲି ସେ ଯେଉଁ ବନ୍ୟା ଆଉ ନାହିଁ ନ ଥିବ । ଏପରି ପାଣି ବୁଢ଼ା ବୁଢ଼ା ଲୋକେ ମଧ୍ୟ କେବେ ଦେଖିବାର ମନେ କରିପାରୁ ନାହାନ୍ତି । ଏଇ ରାସ୍ତା ଉପରେ ପରା ଅଣ୍ଟାଏ ପାଣି ଚାଲିଲା । ଆଉ ଏ ବିଲଗୁଡ଼ରକ ଭିତରେ କେଉଁଠି ମଣିଷେ କେଉଁଠି ବେକେ ପାଣିର ସୁଅ-ସବୁ ଧୋଇ ନେଇଗଲା ବାବୁ-ସମସ୍ତଙ୍କ ଅଣ୍ଟା ଭାଙ୍ଗି ଦେଇଗଲା ।’’

 

ବିଜୟର ସମବେଦନା ନ ଥିଲା । ସେ ପଚାରିଲା-ପୁରୀ କେତେ ବାଟ ଏଠାରୁ ?

‘‘ଆଉ ପ୍ରାୟ ବାର ମାଇଲ ହେବ ବାବୁ !’’

 

ଚମକି ପଡ଼ିଲା ବିଜୟ ! ଆଉ ମାତ୍ର ବାର ମାଇଲ ! ଏଇ ସଡ଼କରେ ତାହେଲେ ମାତ୍ର ପାଞ୍ଚମାଇଲ ଆଗରେ ଛାଡ଼ି ଆସିଛି ସେ ନିଜ ଅଞ୍ଚଳ, ଗାଁ ଭୁଇଁ-ପରିବାର ।

 

ସବୁ ଯେପରି ଭୁଲି ଯାଇଥିଲା ସେ । ଯେତେବେଳେ ନରିପୁର ପାର ହୋଇ ଆସିଲା ସେତେବେଳେ ଏ ଧାରଣା ତା ମନକୁ ସ୍ପର୍ଶ ମଧ୍ୟ କରିନାହିଁ । ଘରକୁ କଣ ଫେରିଯିବ ସେ ? ମନ ଭିତରେ ଯେପରି କେହି କହି ଉଠିଲା-ନା, ନା, ବର୍ତ୍ତମାନ ନୁହେଁ । ବିଜୟୀ ନ ହୋଇ ଫେରିଯିବ କିପରି ? ନନ୍ଦିତାକୁ ଶାସ୍ତି ନ ଦେଇ ଫେରି ଯାଇ ପାରିବନି ସେ । ପଛକୁ ନ ଫେରି ଆଗକୁ ମୁହାଁଇଲା ବିଜୟ । ବେବି ଅଷ୍ଟିନ୍‌ ପଡ଼ିରହିଲା ପଛରେ ।

 

ଗ୍ରାମବାସୀ ଜଣକ ଆଗେଇ ଆସି ଅନୁନୟ କଲା–

 

‘‘ଆପଣ କଣ ପାଗଳ ହେଲେ ବାବୁ, ଏଇ ଖରାରେ ପୁରୀ ଯିବେ ଆପଣ ପାଦରେ ଚାଲି ଚାଲି ! ହଁ, ସକାଳ ବାସ୍‌ ଖଣ୍ଡକ ଘାଇ ସେ ପାରିରୁ ଯାଏ ଯେ ସେ ତ ଏତେବେଳକୁ ନ ଥିବ-। ମୋର ସାନକୁହା ମାନି ଏଇ ପାଖ ଗାଁକୁ ଆସନ୍ତୁ-ମୋ ଘର ସେଠାରେ । ମୁଁ ଲୋକ ଅଣାଇ ମୋଟର ଆପଣଙ୍କର ଉଠାଇ ଦେବି ।’’

 

ବିଜୟ ଦେଖିଲା ଲୋକଟାର କଥା ନ ମାନି ଚାଲି ଗଲେ ତାରହିଁ କ୍ଷତି ହେବ । ଅଗତ୍ୟା ସେ ପଦଯାତ୍ରା କରିବାର କଳ୍ପନା ପରିତ୍ୟାଗ କରି ଲୋକଟିର ଅନୁଗମନ କଲା । ବିଲବାଡ଼ିରେ ସେତେବେଳେ ବେଶୀ ପାଣି ନ ଥିଲେ ମଧ୍ୟ ବନ୍ୟାଦ୍ୱାରା ଯେ ଏ ଅଞ୍ଚଳ ପ୍ରଭୃତ କ୍ଷତିଗ୍ରସ୍ତ ହୋଇଛି ଏହା ବିଜୟ ଭଲ ଭାବରେ ହୃଦୟଙ୍ଗମ କରିପାରିଲା ।

 

ସେ ପଚାରିଲା–‘‘ଦେଖୁଛି ବନ୍ୟାଦ୍ୱାରା ଖୁବ୍‌ ବେଶୀ କ୍ଷତି ହୋଇଛି ଏ ଅଞ୍ଚଳର !’’

 

‘‘କହନ୍ତୁ ନାହିଁ ଆଜ୍ଞା ! ବନ୍ୟା ଏଡ଼େ ବେଗରେ ଆଉ ଏତେ ବେଶୀ ପରିମାଣରେ ଆସିଲା ଯେ ଯିଏ ଯେଉଁଠି ଥିଲେ ପ୍ରାଣ ବିକଳରେ ଉଚ୍ଚ ସ୍ଥାନକୁ ଚାଲିଗଲେ । ଘରେ ସବୁ ଜିନିଷ ପଡ଼ିରହିଲା । ଆଉ ଫେରିଲାବେଳକୁ ସବୁ ଚିଲିକାମୟ-କଣ କିଛି ରହିଲା ?’’

 

‘‘ଲୋକଗୁଡ଼ାକ ଚଳୁଛନ୍ତି କିପରି ?’’

 

‘‘ସେ କଥା ଆଜ୍ଞା କୁହନ୍ତୁ ନାହିଁ ଆଉ । ପିଣ୍ଡରେ ପ୍ରାଣ ଥିଲା ଯାଏ ଢୋକେ ପିଇ ଜିଇ ରହିବାକୁ ପଡ଼ିବ । ଅଖାଦ୍ୟ ଖାଇ ତ ଅନେକ ଲୋକ କଲେରାରେ ମଲେ ଓ ମରୁଛନ୍ତି ।’’

 

‘‘ସରକାର କଣ କିଛି ବନ୍ଦୋବସ୍ତ କରିନାହାନ୍ତି ?’’

 

’‘କରିଛନ୍ତି, ହେଲେ ତାହା ସମୁଦ୍ରକୁ ସଙ୍ଖେ ପଣାପରି । ଅନ୍ୟଆଡ଼ୁ ବି ସାହାଯ୍ୟ ଆସୁଛି-। କଟକରୁ ଦଳେ ଛାତ୍ର ଆସି ଚୁଡ଼ା ଚାଉଳ ବାଣ୍ଟୁଛନ୍ତି-ଘରେ ଘରେ ବୁଲି ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧରେ ବୁଝାଉଛନ୍ତି । ହେଲେ ଆଜ୍ଞା, କାମିକା ପିଲାଗୁଡ଼ାକ ।

 

ଦୁହେଁ ଆଗପଛ ହୋଇ ଚାଲିଥିଲେ । ଆଗରେ ଥିଲା ଗ୍ରାମବାସୀଟି, ଆଉ ତାର ଅନୁଗମନ କରୁଥିଲା ବିଜୟ । ଗ୍ରାମ ନିକଟ ହୋଇ ଆସିଲା । ବିଜୟ ଦେଖିଲା ବହୁ ଘରଦ୍ୱାର ଭାଙ୍ଗି ଯାଇଛି । ଯେଉଁ କେତେପିଲା ଆଖି ଆଗରେ ପଡ଼ିଲେ ସେମାନଙ୍କ ଦେହରେ ପୂର୍ବର ଲାବଣ୍ୟ ନାହିଁ । ନୁଖୁରା ବାଳ, ଶୁଖିଲା ଦେହ-ପେଟ ପଶିଯାଇଛି । ବହୁଦିନ ପରେ ପରିଚିତ ଗ୍ରାମ୍ୟ ଦୃଶ୍ୟ ଦେଖି ମନଟାର କେଉଁ ନିଭୃତ କୋଣରେ ତାର ଯେପରି କିଏ କଣ କହିବାକୁ ଚାହିଁଲା-। କିନ୍ତୁ ସେ କଥା ଅକୁହା ରହିଲା ବରଂ ପରକ୍ଷଣରେ ମାଧୁରୀ ଓ ଶୁଭେନ୍ଦୁ କଥା ତାର ମନେପଡ଼ିଗଲା ।

 

ମାଧୁରୀ ! ମାଧୁରୀ !! ମାଧୁରୀର ମାଧୁର୍ଯ୍ୟ ତାକୁ କରିଛି ମତୁଆଲା । ତାର ହସ, ଆଖିର ଚାହାଣି, ବାହୁର ବନ୍ଧନ, କଟିର କୃଶତା, ଦେହର ଉତ୍ତାପ-ସବୁ ତାର ପ୍ରୟୋଜନ । ତା ଦେହରେ ଯେଉଁ ଉତ୍ତାପ ଭର୍ତ୍ତି ହୋଇଛି, ନନ୍ଦିତା ପାଖରେ ଯାହା ଅତୃପ୍ତ ରହି ଉତ୍ତପ୍ତ ହୋଇ ଉଠିଛି, ତାକୁ ମାଧୁରୀ ଭିତରେ ସେ ଉତ୍ତାଳ ତରଙ୍ଗ ପରି ଅନୁଭବ କରିବାକୁ ଚାହେଁ-ଆଉ ସେହି ଉତ୍ତାଳ ତରଙ୍ଗ ଭିତରେ ଅବଗାହନ କରି ନିଜର ସତ୍ତାକୁ ହଜାଇ ଦେବା ତାର କାମନା । କିନ୍ତୁ ସବୁ କାମନା ତାର ଭସ୍ମୀଭୂତ କରି ଶୁଭେନ୍ଦୁ ତା ହାତରୁ ଟାଣିନେଲା ମାଧୁରୀକୁ ! ଯେ ଶତ୍ରୁ, ତାର ଗ୍ଳାନି ଓ ପରାଜୟରେ ଆନନ୍ଦ ଏବଂ ଶତ୍ରୁର ସାର୍ଥକତାରେ, ତାର ସମୃଦ୍ଧିରେ ପରାଜୟ ଓ ଗ୍ଳାନି । ପ୍ରତିହିଂସାର ତୀବ୍ରତାରେ ବିଜୟର ଚକ୍ଷୁ ଦୁଇଟା ପୁଣି ଦପ୍‌ ଦପ୍‌ କରି ଜଳି ଉଠିଲା । ମୁହଁରେ ହିଂସ୍ର ଭାବଟା ଫୁଟିଉଠି ପୁଣି ଅନ୍ତର ଭିତରେ ଲୁପ୍ତ ହୋଇଗଲା ।

 

କେବଳ ମନେ ମନେ ପ୍ରତିଜ୍ଞା କଲା ବିଜୟ-ସମ୍ମୁଖରେ ଥରେ ଯଦି ପାଆନ୍ତା ସେ ଶୁଭେନ୍ଦୁକୁ ଉପଯୁକ୍ତ ଶିକ୍ଷା ଦିଅନ୍ତା । ମାଧୁରୀ ଯାଇଛି, ତା ସହିତ ଯାଇଛି ମାଧୁରୀର ମଳୟ । ସେ ଆଉ ତା ପାଖକୁ ଫେରି ଆସିବ ନାହିଁ । କିନ୍ତୁ ସେ ଯଦି ପାଏ, ତାକୁ ଆଘ୍ରାଣ କରି ରଖିଦେଇଯିବ ମାଧରୀର ଦେହ ଓ ମନରେ ତାର ଉତ୍ତାଳ ହିଂସ୍ରତାର ସଙ୍କେତ ।

 

ସେତେବେଳକୁ ଗ୍ରାମ ଭିତରକୁ ଆସି ଯାଇଥିଲେ ସେମାନେ । ଗ୍ରାମବାସୀଟି ବିଜୟକୁ ଗାଁ ସ୍କୁଲ ଭିତରକୁ ନେଇ ଗୋଟିଏ କୋଠରିରେ ବସିବାକୁ କହିଲା ଆଉ ସଙ୍ଗେ ସଙ୍ଗେ ତାର ପରିଚର୍ଯ୍ୟା ପାଇଁ ବ୍ୟସ୍ତ ହୋଇପଡ଼ିଲା ।

 

ବିଜୟର ଦେହ ଓ ମନରେ କିଏ ଯେପରି ଭରି ଦେଇଥିଲା ପରାଜୟର ଗ୍ଳାନି । ଏତେ ସହଜରେ ସେ ଶୁଭେନ୍ଦୁ ପାଖରେ ହାର ମାନିଯିବ ଏକଥା ବିଶ୍ୱାସ ହେଉ ନ ଥିଲା ତାର । ଆଉ ତା ସଙ୍ଗେ ସଙ୍ଗେ ଏକ ବଣ୍ୟ ହିଂସ୍ରତା ତାର ଭିତର ଏବଂ ବାହାରକୁ କରୁଥିଲା ଅଧିକ କଠୋର ଓ କାଳିମାମୟ ।

 

ବିଜୟର ନୀସ୍ତବ୍‌ଧତାକୁ ଭଙ୍ଗ କରି ଶୁଭେନ୍ଦୁ କୋଠରୀ ଭିତରକୁ ପ୍ରବେଶ କରୁ କରୁ କହି ଉଠିଲା-‘‘ଆରେ ବିଜୟ ବାବୁ ଯେ ! ନମସ୍କାର !’’

 

ବିଜୟ ସାମ୍ନାରେ ଶୁଭେନ୍ଦୁକୁ ଦେଖି ସ୍ତମ୍ଭୀତ ହୋଇଗଲା । କ୍ଷଣକ ପାଇଁ ବାକ୍‌ରୋଧ ହେଲା ତାର; କିନ୍ତୁ ପରକ୍ଷଣରେ ନିଜକୁ ସଂଯତ କରି କହିଲା-‘‘ନମସ୍କାର !’’

 

‘‘ଆପଣ ବଡ଼ କ୍ଳାନ୍ତ ହେବେଣି ! ଆସନ୍ତୁ ମୋ ସାଙ୍ଗରେ-ଧୂଆଧୋଇ ହୋଇ କପେ ଚା ଖାଇବେ ।’’ -କହିଲା ଶୁଭେନ୍ଦୁ ।

 

ବିଜୟ ଆହୁରି ଆଶ୍ଚର୍ଯ୍ୟ ହେଲା ଶୁଭେନ୍ଦୁ କଣ୍ଠରେ ସୌଜନ୍ୟ ଦେଖି । ଏହା କଣ ଛଳନା-ନା ତାର ପରାଜୟରେ ସେ ଆନନ୍ଦ ଉପଭୋଗ କରୁଛି ? ବିଜୟର ମନପ୍ରାଣ ତିକ୍ତ ହୋଇ ଉଠିଲା । ସେ ଭାବିଲା ଏହି ସୌଜନ୍ୟ ଭିତରେ ଶୁଭେନ୍ଦୁର ସ୍ୱାର୍ଥ ଚରିତାର୍ଥର ବିଜୟଗର୍ବ ଲୁକ୍‌କାୟିତ ଅଛି ଏବଂ ସେ ବିଜୟକୁ ଆତିଥେୟତା ଭିତରେ ଆଘାତ କରିବାକୁ ଚାହୁଁଛି ।

 

ତେଣୁ ସେ ସଙ୍ଗେ ସଙ୍ଗେ ଶୁଭେନ୍ଦୁର ସାନୁନୟ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରି ଉଠି ଦ୍ୱାରଆଡ଼କୁ ଅଗ୍ରସର ହେଲା ।

 

ଯେଉଁଠାରେ ଶୁଭେନ୍ଦୁ, ସେଠାରେ ବିଜୟ ରହି ପାରେନା, ରହିବା ଅସମ୍ଭବ । ସେ କକ୍ଷ ତ୍ୟାଗ କରି ଯିବାବେଳେ ଶୁଭେନ୍ଦୁକୁ ଲକ୍ଷ୍ୟକରି କହିଗଲା, ‘‘ମୁଁ ଅତିଥି ହେବାପାଇଁ ଆସିନାହିଁ । ତା ପରେ ମୋତେ ବର୍ତ୍ତମାନ ପୁରୀ ଯିବାକୁ ହେବ-ଯେକୌଣସି ଉପାୟରେ ।’’

 

‘‘ଆପଣ ନିଶ୍ଚୟ ଯିବେ-ଆପଣଙ୍କ ମୋଟରକୁ କାଦୁଅରୁ ଉଠାଇବା ପାଇଁ ମୁଁ ସାତ ଆଠ ଜଣ ଲୋକ ପଠାଇ ଦେଇ ଆସିଛି । ଆପଣ ମୋ କଥା ମାନନ୍ତୁ-ଧୁଆଧୋଇ ହୋଇ କପେ ଚା ପାନ କରନ୍ତୁ-ଏଠାରେ ତ ଆଉ କିଛି ମିଳିବା ଅସମ୍ଭବ-ପୁଣି ଆପଣଙ୍କ ପରି ବିଶିଷ୍ଟ ଅତିଥିଙ୍କର ସତ୍କାର କରିବା ପାଇଁ ।’’ ସହଜ ସରଳ ଭାବରେ ଏହା କହିଲା ଶୁଭେନ୍ଦୁ ଏବଂ ତାର ପ୍ରତି ପଦରେ ଯେପରି ପ୍ରତିଶୋଧ ଓ ତାକୁ ଅପମାନ କରିବାର ଇଚ୍ଛା ଲୁକ୍‌କାୟିତ ଥିଲା-ଏହାହିଁ ମନେହେଲା ବିଜୟର । ସେ ସ୍ଥାନ କାଳ ପାତ୍ର ସମସ୍ତ ଭୁଲି ଚିତ୍କାର କରି କହି ଉଠିଲା -

 

‘‘ମାଧୁରୀକୁ କେଉଁଠି ଲୁଚାଇ ରଖିଛ ଶୁଭେନ୍ଦୁ ?’’

 

ଶୁଭେନ୍ଦୁର ଶାନ୍ତ ଶୀତଳ ମୁହଁରୁ କୋମଳତା ଲିଭିଗଲା କ୍ଷଣକରେ । ହତବାକ୍‌ ହୋଇ ମଧ୍ୟ ନିଜକୁ ସଂଯତ ଓ ଦୃଢ଼ କରି ସେ ଉତ୍ତର କଲା-

 

‘‘ମାଧୁରୀର ଖବର ମୋ ଅପେକ୍ଷା ଆପଣଙ୍କୁ ଭଲ ଜଣାଥିବ ବିଜୟବାବୁ ! ମୁଁ ପ୍ରାୟ ମାସେ ହେଲା ମଫସଲରେ; ଏଣୁ ମାଧୁରୀ ସମ୍ବନ୍ଧରେ କୌଣସି ଖୋଜ ଖବର ରଖିବା ମୋ ପକ୍ଷରେ ସମ୍ଭବ ନ ଥିଲା-ତାପରେ ଆବଶ୍ୟକ ମଧ୍ୟ ନ ଥିଲା ।’’

 

‘‘Shut up-Shut up-ମିଥ୍ୟାବାଦୀ-’’ ବିଜୟ ଚିତ୍କାର କରି ଉଠିଲା ! ଆଉ ସେଇ ସଙ୍ଗେ ସଙ୍ଗେ କୋଠରି ଭିତରକୁ ପ୍ରବେଶ କରି ଆଦେଶ ଦେଲାପରି ସ୍ୱରରେ କହିଲେ ନିକୁଞ୍ଜ ମାଷ୍ଟର-‘‘ଆପଣ ସିଧା ମୋଟର ପାଖକୁ ଯାଆନ୍ତୁ ଆଜ୍ଞା ! ଆପଣଙ୍କୁ ଏଠାକୁ ଆଣିବା ମୋ ପକ୍ଷରେ ନିର୍ବୋଧତା ହୋଇଛି ଦେଖୁଛି । ଯାହା ପାଖରେ ଆପଣ ଅତିଥି-ଯାହାର ସୌଜନ୍ୟ ପାଇଁ ଆପଣ ଧନ୍ୟବାଦ ଦେବାର କଥା-ତାକୁ ଆପଣ କ୍ରୋଧରେ କରୁଛନ୍ତି ତିରସ୍କାର । ଶୁଭେନ୍ଦୁ ବାବୁ କେବେ ମିଥ୍ୟାବାଦୀ ହୋଇ ନ ପାରନ୍ତି-ସେ ପଦ୍ମଫୁଲ ପରି ଶୁଦ୍ଧ- ସୂର୍ଯ୍ୟ ପରି ନିର୍ମଳ ।’’

 

ଆତ୍ମବଡ଼ିମା ଧୂଳିସାତ୍‌ ହେବା ଦେଖି ପରାଜୟ ଗ୍ଳାନିରେ ବିଡ଼ମ୍ବିତ ବିଜୟ ଏକ ହିଂସ୍ର ଚାହାଣିଦ୍ୱାରା ସମସ୍ତଙ୍କୁ ହତଭମ୍ବ କରି ନିଷ୍‌କ୍ରାନ୍ତ ହୋଇଗଲା ପ୍ରକୋଷ୍ଠ ଭିତରୁ । ଆଉ ପରେ ପରେ ଶୁଭେନ୍ଦୁ ନିକୁଞ୍ଜ ମାଷ୍ଟରଙ୍କୁ କହିବାର କଥା କେଇପଦ ଭାସି ଆସିଲା ତାର କାନ ଭିତରକୁ -

 

‘‘ରୋଗୀକୁ ପଥ୍ୟ ଦବା ବୈଦ୍ୟର ଧର୍ମ ନିକୁଞ୍ଜବାବୁ-କିନ୍ତୁ ପଥ୍ୟ କଣ କେବେହେଲେ ଭଲ ଲାଗେ ତାକୁ ? ସେ ତାହା ନ ଖାଇ ଏଡ଼ି ଦିଏ । ବିଜୟବାବୁ ପୀଡ଼ିତ । ଛାଡ଼ନ୍ତୁ ସେ କଥା !’’

•••

 

୨୧

 

ହସ୍‌ପିଟାଲର ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ସୁନନ୍ଦା ଶୋଇଛି । ସ୍ୱାସ୍ଥ୍ୟର ଦ୍ରୁତତର ଅବନତ ଦେଖି ସ୍ଥାନାନ୍ତରିତ ହୋଇଛି ସେ ହସ୍‌ପିଟାଲକୁ । ସେଇ କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ନିଭି ଆସୁଥିବା ପ୍ରଦୀପ ପରୀ ମଳିନ ଅଥଚ ସତେଜ ଦେଖାଯାଉଛି ସୁନନ୍ଦା । ଉପେନ୍ଦ୍ର ପାଖରେ ଜଗି ରହିଛି ସର୍ବଦା । ଆଜି ସେଇ ତାର ସବୁ । ବାପ ଭାଇ ନାହାନ୍ତି ସେବା କରିବା ପାଇଁ, ମାଆ ଭଉଣୀ ନାହାନ୍ତି ଦେହରେ ମୁଣ୍ଡରେ ହାତ ବୁଲାଇ ଆହା କରିବା ପାଇଁ । ଯାହାକୁ ସୁନନ୍ଦା ଚାହିଁଥିଲା ଏ ସବୁର ବିନିମୟରେ, ତାର ଶୂନ୍ୟ ହୃଦୟ ପୂର୍ଣ୍ଣ କରି ଜୀବନ ମରୁ ପ୍ରାନ୍ତରକୁ ଶସ୍ୟଶ୍ୟାମଳା କରିବା ପାଇଁ, ସେ ଆଜି କେଉଁଠାରେ-କେତେ ଦୂରରେ ? ଜଣକର ଜୀବନ ପାଇ ନୁହେଁ-ସେ ଯେ ବହୁ ଜୀବନର ସେବାରେ ଆତ୍ମନିୟୋଗ କରିଛନ୍ତି ! ଗୋଟିଏ ଜୀବନ ଜଳିପୋଡ଼ି ନିଃଶଷେ ହୋଇଗଲେହେଁ, ଆହୁରି ଅନେକ ଜୀବନ ହସିକାନ୍ଦି ଜୀବନର ଗୀତ ଗାଇବେ ତାଙ୍କ ସାମ୍ନାରେ । ସେ ତ ସୁନନ୍ଦାର ନୁହଁ-ସେ ସମସ୍ତଙ୍କର ।

 

ଅଭିମାନ ହେଲା ସୁନନ୍ଦାର । ପର ସେବା ପାଇଁ ସେ କେବେ ମନା କରିନାହିଁ ଶୁଭେନ୍ଦୁକୁ । ପର ସେବାରେ ତ ସେ ନିଜକୁ ଉତ୍ସର୍ଗ କରିଛି କିନ୍ତୁ ତା ବୋଲି ନିଜ ଲୋକକୁ ଭୁଲିଯାଇ କେହି କଣ ରହିପାରେ ? ସେ ଚିଠି ଦେଇଛି । ଚିଠିରେ ତାର ରୋଗର ଭୀଷଣତା କଥା ନ ଲେଖି ଥିଲେ ମଧ୍ୟ ଇଙ୍ଗିତ କଣ ଦେଇନାହିଁ ? ଯେ ହୃଦୟବାନ, ଯେ ହୃଦୟଗ୍ରାହୀ ତା ପାଖରେ କଣ ବହୁତ କହିବାକୁ ହୁଏ ? ଯେଉଁଠାରେ ଦୁଇଟି ହୃଦୟର ସଙ୍ଗମ, ସେଠାରେ ଗୋଟିକର ଅଭାବ ଆଉ ଗୋଟିଏ ପୂର୍ଣ୍ଣ କରିଥାଏ । ସେଇ ସଙ୍ଗମରେ ଅବଗାହନ କରି ସୁନନ୍ଦା ନଜକୁ ଧନ୍ୟ କରିଛି । ସେଇ ତୃପ୍ତିକୁ ଚିର ଜାଗ୍ରତ କରି ରଖିବା ପାଇଁ ଚାହିଁଥିଲ ସେ-ସେଇ ଗୌରବକୁ ମହିମାମଣ୍ଡିତ କରି ନିଜକୁ ମହିୟସୀ କରିବା ପାଇଁ ବାସନା ହୋଇଥିଲା ତାର । କିନ୍ତୁ ନିୟତିର ନିୟମରେ ସେ ଆଶା, କଳ୍ପନା ସବୁ କେଉଁଆଡ଼େ ତାର ଅଗୋଚରରେ ନିଭିବାକୁ ବସିଛି । ଆହା ! କେଡ଼େ ଅଭାଗିନୀ ସେ । ଯେଉଁ ଶାଖାରେ ଆଶ୍ରୟ ନେଲା ଆଶ୍ରୟ ଦାନ ପୂର୍ବରୁ ଭାଙ୍ଗିଗଲା ସେ ଶାଖା । ହତଭାଗିନୀର ବ୍ୟାକୁଳ ବିଦଗ୍‌ଧ ହୃଦୟ ବ୍ୟଥା ଓ ବେଦନାରେ ମର୍ମରତ ହୋଇ ଉଠିଲା ।

 

କାଶିଲା ସୁନନ୍ଦା–

 

ଆଉ ସେଇ କାଶ ସଙ୍ଗେ ସଙ୍ଗେ ଝଲକାଏ ରକ୍ତ ପ୍ରଥମ ଥର ପାଇଁ ତାକୁ ସ୍ତମ୍ଭୀଭୂତ କରି ତାର ଆଗରେ ବାହାରି ଆସିଲା ଛାତି ଭିତରୁ । କଷ୍ଟର କରୁଣତାରେ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା ସୁନନ୍ଦା-‘‘ମା ଗୋ-’’

 

ସିଷ୍ଟର୍‌ ଦୌଡ଼ି ଆସିଲେ ପାଖ ଘରୁ । ଉପେନ୍ଦ୍ର ଆସି ମୁଣ୍ଡରେ ହାତ ବୁଲାଇଲା । ସିଷ୍ଟର ତାର ମୁହଁ ପୋଛି ଔଷଧ ଦେଲେ । ସୁନନ୍ଦାର ଆପାଦମସ୍ତକ ଯେପରି ପରିଶ୍ରାନ୍ତ । ସେ ଆଖି ବୁଜିଛି-ନିସ୍ତେଜ ହୋଇ ଆସୁଛି ତାର ଦେହର ଲାବଣ୍ୟ ।

 

‘‘ତୁ ଏତେ କଣ ଭାବୁଛୁ ସୁ ? ମୋଟେ ଭୟ କରନା-ସବୁ ଠିକ୍‌ ହୋଇଯିବ ଯେ !’’

 

ସାନ୍ତନ୍ୱା ଦେଲେ ସିଷ୍ଟର, ସୁନନ୍ଦାର ସାଙ୍ଗ; ହସ୍‌ପିଟାଲ୍‌ରେ ଏକା ସାଙ୍ଗରେ ଚାକିରି କରନ୍ତି ।

 

କିଛି କହିପାରିଲା ନାହିଁ ସୁନନ୍ଦା । କହିବାର ବହୁତ ଅଛି କିନ୍ତୁ କହିବାକୁ ଶକ୍ତି ନାହିଁ । କହିବାର ବାସନା ଜାଗ୍ରତ ହୋଇ ଅଧର ଉପରେ କମ୍ପନ ଟିକିଏ ଆସିଲା-କିନ୍ତୁ କିଛି କହିପାରିଲା ନାହିଁ ସେ । ମୁହଁରେ ଯାହା କହିପାରିଲା ନାହିଁ ତାହାର ପ୍ରକାଶ ପାଇଁ ଦୁଇବିନ୍ଦୁ ବେଦନାସିକ୍ତ ଅଶ୍ରୁ ଦେଖା ଦେଲା ଦୁଇ ନୟନ କୋଣରେ ।

 

‘‘ଭଲ ହୋଇଯିବ ଯେ ମା-’’ ଅଶ୍ରୁସିକ୍ତ କଣ୍ଠରେ କହିଲା ଉପେନ୍ଦ୍ର । ସୁନନ୍ଦା ଚାହିଁଲା-ସେଇ ମୁହୂର୍ତ୍ତରେ ପୁଣି ଆଖି ବନ୍ଦ କଲା । ଆଖି ବନ୍ଦ କରି ସେଇ ଅନ୍ଧକାର ଭିତରେ ସେ ବାହାରର ଆଲୋକକୁ ଅନୁଭବ କରିବା ପାଇଁ ଚେଷ୍ଟା କଲା । ବାହାରେ ଅମାପ ଆଲୋକ-ଆଉ ଚକ୍ଷୁ ବନ୍ଦ କଲେ କୋଟି କୋଟି ଅମା ଅନ୍ଧକାରର କାଳିମା-ଦୁନିଆର ଅମାପ ଉଜ୍ୱଳତାକୁ ନିଜ ଜୀବନରେ ଧରି ରଖି ଅମୃତର ସନ୍ତାନ ଅମର ହୋଇଛି ଏଇ ଦେଶରେ-ମୁକ୍ତି ପାଇଛି ପରମାନନ୍ଦଙ୍କ ପରମ କରୁଣା ବଳରେ । କିନ୍ତୁ ତାର ଜନ୍ମ ଆନନ୍ଦ ଏବଂ ଆଲୋକ ମଧ୍ୟରେ ହୋଇଥିଲେ ମଧ୍ୟ ଯାତ୍ରା ତ ଅନ୍ଧକାର ମଧ୍ୟ ଦେଇ ! ତାର ସେ ସାଧନା ତପସ୍ୟା କାହିଁ-ହୃଦୟର ଅନ୍ଧକାରକୁ ଆଲୋକିତ କରିବ ଅମୃତର ସନ୍ତାନ ପରି, ପୃଥିବୀର ସମସ୍ତ ଆଲୋକ ସବୁ ଉଜ୍ୱଳତାକୁ ଅନୁଭବ କରିବ ମୁଦ୍ରିତ ଚକ୍ଷୁର ଅନ୍ଧକାର ମଧ୍ୟ ଦେଇ ? ପିଲାଦିନେ ବାପା ଉଚ୍ଚାରଣ କରୁଥିବା ଦୁଇପଦ ବେଦ ବାକ୍ୟ ମନେପଡ଼ିଲା ସୁନନ୍ଦାର–

 

ଅସତୋ ମା ସଦ୍‌ଗମୟ

ତମସୋ ମା ଜ୍ୟୋତିର୍ଗମୟ

ମୃତ୍ୟାଽର୍ମାମୃତଂଗମୟ ।

 

ଏଇ ଭାରତବର୍ଷର କୋଟି ହୃଦୟର ଅମର ବାଣୀ ପ୍ରଥମେ ଝଂକୃତ ହୋଇଥିଲା ଏକ ନାରୀ କଣ୍ଠରୁ । ସ୍ୱାମୀ ଯାଜ୍ଞବଳ୍‌କ ଯେତେବେଳେ ତାଙ୍କ ପତ୍ନୀ ମୈତ୍ରେୟୀଙ୍କୁ କହିଲେ-ଦେବୀ, ତୁମର ପାର୍ଥିବ ଜଗତର ସୁଖ ପାଇଁ ଯାହା ଆବଶ୍ୟକ ତାହା ମୋଠାରୁ ମାଗିପାର, ବୁଦ୍ଧିମତି ଆର୍ଯ୍ୟକନ୍ୟା କହିଲେ, ‘‘ଆର୍ଯ୍ୟେ ! ଧନରତ୍ନ ମଣିମାଣିକ୍ୟ ମୋର କଣ ହେବ ? ମୁଁ କଣ ଅମୃତା ହୋଇପାରିବି ସେଥିରେ ? ମୁଁ କଣ ଏହି ପଙ୍କିଳ ପୃଥିବୀରୁ ମୁକ୍ତି ପାଇବି ସେ ସବୁ ନେଇ ? ମୋତେ ତାହା କଣ ଅନ୍ଧକାର ଭିତରେ ଆଲୋକ ଦେଖାଇ ପାରିବ ?’’

 

ସେ ସେଇ ପ୍ରଶାନ୍ତ ଆକାଶକୁ ଚାହିଁ ଉଦାତ୍ତ କଣ୍ଠରେ ସ୍ୱାମୀଙ୍କୂ ଆଶୀର୍ବାଦ ପାଇଁ ପ୍ରାର୍ଥନା କଲେ–

 

ଅସତୋ ମା ସଦ୍‌ଗମୟ

ତମସୋ ମା ଜ୍ୟୋତିର୍ଗମୟ

ମୃତ୍ୟାଽର୍ମାମୃତଂଗମୟ ।

 

–ମୋତେ ଅସତ୍ ମାର୍ଗରୁ ସତ୍‌ ମାର୍ଗକୁ ନିଅ-ଅନ୍ଧକାର ମଧ୍ୟ ଦେଇ ଆଲୋକର ପ୍ରକାଶ ଦେଖାଅ ଏବଂ ମୃତ୍ୟୁ ଦେଇ ଅମୃତା କର ।

 

ଅପୂର୍ବ ! ସୁନନ୍ଦା ପିତାଙ୍କର ସେଇ ବେଦ ବାକ୍ୟରେ ଉଚ୍ଚାରଣ ପୁଣି ଯେପରି ଅନୁଭବ କଲା । ପୁଣି ତା ହୃଦୟ ଭିତରେ ଝଙ୍କୃତ ହେଲା କେଉଁ ଏକ ଅମର ବାଣୀ । ସେ ନିମୀଳିତ ନୟନରେ ଉନ୍ମୁକ୍ତ ଅନ୍ତର ମଧ୍ୟରେ ଅନୁଭବ କଲା ସେଇ ଆଲୋକର ସ୍ପର୍ଶ କ୍ଷଣକ ପାଇଁ ।

 

‘‘ତୁ ଟିକିଏ ଭଲ ଭାବରେ ବିଶ୍ରାମ କର ସୁ .... ମୁଁ ଡାକ୍ତରଙ୍କୁ ଡାକି ଆଣେ ତତେ ଟିକିଏ ଦେଖିଯାନ୍ତୁ ।’’

 

ସିଷ୍ଟର ଚାଲିଗଲେ । ଉପେନ୍ଦ୍ର ଏକାକୀ ବସି ରହିଲା ସୁନନ୍ଦା ପାଖରେ ।

‘‘ଉପେନ୍ଦ୍ର’’-ଡାକିଲା ସୁନନ୍ଦା ।

‘‘କୁହ ମା !’’

 

‘‘ଆଉକିଛି ଖବର ଅଛି-ଚିଠି ଆସିଛି ?’’ କହିବା ସଙ୍ଗେ ସଙ୍ଗେ କ୍ଷଣକ ପାଇଁ ସୁନନ୍ଦାର ମଳିନ ମୁହଁ ଆରକ୍ତ ହୋଇ ଉଠିଲା ଲଜ୍ଜାରେ ।

 

ଉପେନ୍ଦ୍ର ସନ୍ତର୍ପଣରେ କହିଲା-‘‘ଅଛି ମା-ଏଇ ତ ନେଇ ଆସିଲି । କିନ୍ତୁ ଆସି ଦେଖେ ତ ତୁମେ କାଶି କାଶି ବେଦମ୍‌, ତେଣୁ ଦେଇପାରି ନାହିଁ । ହଁ, ଟିକିଏ ଶୁଅ ମା, ପରେ ପଢ଼ିବନି ?’’

 

‘‘ନା, ନା ଉପେନ୍ଦ୍ର, ମୋର ସେପରି କିଛି ହୋଇନାହିଁରେ ଦେ-ଦେ, ମୁଁ ପଢ଼େ କଣ ଲେଖିଛନ୍ତି- ’’

 

ଯାହା ଆକାଂକ୍ଷିତ ;- ଯାହାପାଇଁ ଏ ହୃଦୟରେ ବିପୁଳ ପ୍ରତୀକ୍ଷା, ତା ସମ୍ବନ୍ଧରେ ଜାଣିବା ପାଇଁ ବିଳମ୍ବ ସହ୍ୟ ହୁଏନା । ସେ ଲେଖିଥିବା ନିର୍ଜୀବ ଅକ୍ଷର କେଇପଦ ଯାହାପାଇଁ ଉଦ୍ଦିଷ୍ଟ ତାହା ଆଗରେ ସଞ୍ଜୀବିତ ହୁଏ ଜୀବନର ପ୍ରାଣ ପ୍ରାଚୁର୍ଯ୍ୟରେ । ଥର ଥର ହୋଇ ପଢ଼ିଲା ସୁନନ୍ଦା –

 

ବାସୁଦେବପୁର

୧୦-୫ -୬୪

 

ସୁ !

 

ଆଜି ସାମାନ୍ୟ ଅବସର ପାଇ ଏ ଚିଠି ଲେଖୁଛି । ବହୁଦିନ ହେଲା ଚିଠି ଦେଇ ନାହିଁ ବୋଲି ତମେ ନିଶ୍ଚୟ ଅଭିମାନ କରିଥିବ । କିନ୍ତୁ କଣ କରିବି କହିଲ ? ଯେଉଁ କାମରେ ହାତ ଦେଇଛି, ତାହା ଏପରି ବିରାଟ ଯେ ମୁହୂର୍ତ୍ତେ ସମୟ ପାଇପାରେ ନାହିଁ । ଆଉ ଲୋକଙ୍କ ସେବା କରିବାରେ ଯେଉଁ ଶାନ୍ତି, ଯେଉଁ ଆଶୀର୍ବାଦ ମିଳେ, ତା କଣ ଜୀବନକୁ କର୍ମପଥରେ ଆଗେଇନବା ପାଇଁ ଯଥେଷ୍ଟ ନୁହଁ ? ବନ୍ୟାରେ ବହୁ କ୍ଷତି ହୋଇଛି ଏ ଅଞ୍ଚଳର । ଗ୍ରାମେ ଗ୍ରାମେ ହଇଜା ମହାମାରୀର ପ୍ରକୋପ । ସାହାଯ୍ୟ ଯାହା ବଣ୍ଟଯାଉଛି ତାହା ତ ସମୁଦ୍ରକୁ ଶଙ୍ଖେ ପଣା ପରି । ତଥାପି ଲୋଡ଼ା ସମବେଦନାପୂର୍ଣ୍ଣ ହୃଦୟ । ଯେଉଁମାନଙ୍କର ସବୁ ଯାଇଛି, ସେମାନଙ୍କ ଆଖିରୁ ଲୁହ ଦୁଇଧାରା ପୋଛି ଦେବାପାଇଁ ମଧ୍ୟ ଲୋକର ଅଭାବ । ମୁଁ ଭାବେ ତୁମେ ଯଦି ଆସିପାରିଥାନ୍ତ, ଏହା କେଡ଼େ ସରଳ ସୁନ୍ଦର ଭାବରେ ହୋଇପାରିଥାନ୍ତା !

 

ଛାଡ଼ ସେ କଥା- ତୁମ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଥିବାର ଦେଖି ଆସିଥିଲି । ତୁମର ହୋଇଛି କଣ ? ନିଶ୍ଚୟ ତୁମେ ମୋତେ ଲୁଚାଉଛ । ମୁଁ କଣ ଜାଣିବାର ଯୋଗ୍ୟ ନୁହେ ? କଣ ହୋଇଛି କୁହ ? ଦେହପ୍ରତି ଅବହେଳା କରିବ ନାହିଁ । ତୁମକୁ ସୁଖୀ ଦେଖିଲେ ମୁଁ ପାଇବି ପ୍ରଚୁର ସାହସ । ଆଉ ଆମ ଦୁଇଟି ଜୀବନରେ ଯେଉଁ ମଧୁ ସଞ୍ଚିତ ହେବ ସେ କେବଳ ଆମ ପାଇଁ ନୁହେଁ, ତାହା ସମସ୍ତଙ୍କ ପାଇଁ-ସବୁ ଲୋକଙ୍କ ପାଇଁ । ତୁମ ସାଧନାର ସିଦ୍ଧି ପୀଡ଼ିତର ପୀଡ଼ା ଅପସାରଣରେ-ମୋ ସାଧନର ସିଦ୍ଧି ଦଳିତର ପ୍ରାଣରେ ଦୁର୍ବାର ଶକ୍ତି ଜାଗ୍ରତ କରିବାରେ ।

 

ହଁ, ତୁମେ ଅଧୈର୍ଯ୍ୟ ହେବ ନାହିଁ; ମୁଁ କାର୍ଯ୍ୟ ଶେଷ କରି ଯେତେଶୀଘ୍ର ସମ୍ଭବ ଫେରିଯିବି । ଦେହ ପ୍ରତି ହେଳା କରିବ ନାହିଁ । ଦେହ ନ ଥିଲେ କଣ ଦେହର ସେବା କରି ହୁଏ ? କର୍ମକ୍ଳାନ୍ତ ହୋଇ ଆଖି ବୁଜିଲେ ତୁମର ଭସା ଭସା ଆଖିଯୋଡ଼ିକ, ହସ ହସ ମୁହଁ ମୋର ମାନସ ପଟରେ ଭାସିଯାଏ-ଆଉ ସେହି ମୁହଁର ହସ ପାଖକୁ ଫେରିଯିବା ଆଶାର ଉଦ୍‍ବେଳନରେ ମୁଁ ପୁଣି ଶୁଏ-ଅପେକ୍ଷା କରେ ଅନାଗତ ଏକ ପ୍ରଭାତର ଆଗମନୀକୁ ବିପୁଳ ଆକାଂକ୍ଷା ନେଇ । ସେ ଦିନ କେବେ ଆସିବ ? ସେ ପ୍ରଭାତର ନବାରୁଣ କେବେ ସ୍ପର୍ଶ କରିବ ମୋର ଦେହ, ମନ ଓ ପ୍ରାଣକୁ ? ମୋର ସ୍ୱାସ୍ଥ୍ୟ ନେଇ ବିଚଳିତ ହେବ ନାହିଁ । ତୁମେ ଭଲ ରହିଲେ ମୁଁ ଭଲ ରହିବି ।

 

ରହିଲି

ଶୁଭେନ୍ଦୁ

 

ଥରେ ନୁହେଁ ଦୁଇଥର ନୁହେଁ, ଅନେକ ଥର ପଢ଼ିଲା ସୁନନ୍ଦା; ଆଉ ଯେତିକି ପଢ଼ିଲା ସେତେ ବେଶି ତାର ହୃଦୟର କୋହ ବହୁଦିନର ଅବରୁଦ୍ଧ ଦୁର୍ଗ ଭିତରୁ ଆତ୍ମପ୍ରକାଶ କଲା ପ୍ରବଳ ଭାବରେ । କଇଁ କଇଁ ହୋଇ ପିଲାଙ୍କ ପରି କାନ୍ଦିଉଠିଲା ସୁନନ୍ଦା-ଏଡ଼େ ବଡ଼ ସୌଭାଗ୍ୟ ତାର ସହ୍ୟ ହେଲା ନାହିଁ, ଏତେ ସୁଖ ପାଇଁ ସେ ଯୋଗ୍ୟ ହେଲା ନାହିଁ ।

 

କେବଳ ଶେଷ ପଦକ-‘ତୁମେ ଭଲ ରହିଲେ ମୁଁ ଭଲ ରହିବି’ ମନେ ମନେ ଆବୃତ୍ତି କରୁ କରୁ ପୁଣି ଝଲକାଏ ରକ୍ତ ବାନ୍ତିକଲା ସୁନନ୍ଦା । ମୁହଁର ମାଂସପେଶୀଗୁଡ଼ାକ ସଂକୁଚିତ ହୋଇ ଆସିଲା ଅବସାଦରେ-ହତାଶାର ବିଷଣ୍ଣତାରେ ।

•••

 

୨୨

 

ନନ୍ଦିତା ବସି ଭାବୁଥିଲା । ପକ୍ଷହୀନ ପକ୍ଷୀ ପରି ତାର ଚିନ୍ତା କ୍ଳୀବ-ଅଥର୍ବ । ଭାବନା କେବଳ ଭାବନାରେ ହିଁ ରହିଯାଏ-କିଛି କରିବା ପାଇଁ ସାମର୍ଥ୍ୟ ନାହିଁ-ସୁଯୋଗ ନାହିଁ ତାର । ବ୍ୟାକୁଳ ହୃଦୟର ରୁଦ୍ଧ ବେଦନା ଲୁଚିଛପି ବେଳେ ବେଳେ ବାଷ୍ପାକୁଳ କରେ ତାର ମନ ଓ ପ୍ରାଣକୁ-ସଙ୍କୁଚିତ କରେ ସରସ ସୁନ୍ଦର ଦେହକୁ । ବିଜୟ ଆସୁ ନ ଥିଲା, ସେଥିରେ ମଧ୍ୟ ସମସ୍ତ ଆଶା ପରିତ୍ୟାଗ କରେ ସରସ ସୁନ୍ଦର ନନ୍ଦିତା । ସେ ଅନୁଭବ କରୁଥିଲା ତାର ସାଧନା ଦିନେ ନିଶ୍ଚୟ ସଫଳ ହେବ-ସେ ସିଦ୍ଧି ଲାଭ କରିବ । କିନ୍ତୁ ଯେଉଁଦିନ ସେ ବାପଘର ସୂତ୍ରରେ ଖବର ପାଇଲା ଯେ ବିଜୟ ପୁଣି ଥରେ କଟକରେ ବିବାହ କରୁଛି ସେଦିନ ତାର ସାଧନାରେ ଶିଥିଳତା ଆସିଥିଲା କି ନାହିଁ, ଜାଣିହେଲା ନାହିଁ-କିନ୍ତୁ ତାର ହୃଦୟ ଭିତରେ ଯେଉଁ ଅର୍ଘ୍ୟ ଜାଳିଥିଲା, ଯେଉଁ ସାଧନାର ସିଦ୍ଧି ପାଇଁ ସ୍ୱର୍ଣ୍ଣ ପ୍ରଦୀପ ଦେଦୀପ୍ୟମାନ ଥିଲା ତାର ଚିତ୍ତବୃତ୍ତିକୁ ଚିର ଜାଗ୍ରତ କରି, ଆଜି ତାହା କେଉଁ ଏକ ବଜ୍ର ନିର୍ଘାତରେ ଧୂଳିସାତ୍‌ ହୋଇଗଲା ଯେପରି ! ଆଲୋକର ନିର୍ବାପନରେ ସେ ଅନୁଭବ କଲା ତାର ଜୀବନଭରା ଅମା ଅନ୍ଧକାର । ଅଗ୍ନିଶିଖା ନିଭିଗଲା; କିନ୍ତୁ ଯେଉଁ ଉତ୍ତାପ ବିକିରଣ କରିଗଲା ତାର ଦେହ ଓ ମନରେ ତାହା ଚିରଦିନ ତାକୁ ଦଗ୍‌ଧ କରିବ-ସେ ହେବ ବିଦଗ୍‌ଧା । ବକ୍ଷପଞ୍ଜର ଭେଦ କରି ବହିଆସିଲା ଏକ ପ୍ରକମ୍ପ ତ ଦୀର୍ଘଶ୍ୱାସ, ଚକ୍ଷୁର ଦୁଇ ପ୍ରାନ୍ତରେ ଦେଖାଦେଲା ଦୁଇବିନ୍ଦୁ ଲୁହ ।

 

‘‘ନନ୍ଦିତା ! କଣ କରୁଛୁ ମା ଏଠାରେ ?’’

 

ଶୈବାଳିନୀ ବୋହୂକୁ ଏକାକିନୀ ଦେଖି କହିଲେ ପଛରୁ । ବୋହୂ ଓ କନ୍ୟା ଭିତରେ ତଫାତ୍‌ ଦେଖିନାହାନ୍ତି ସେ; ତେଣୁ ବୋହୂର ପ୍ରାଣରେ କନ୍ୟାର ଦଗ୍‌ଧ ଜୀବନକୁ ପ୍ରତିକ୍ଷଣରେ ଅନୁଭବ କରନ୍ତି ସେ । ସେଇଥିପାଇଁ କାୟା ସହିତ ଛାୟା ଲାଗି ରହିଲା ପରି ନନ୍ଦିତା ସହିତ ପ୍ରାୟ ଲାଗି ରହିଥାନ୍ତି ସେ । ସ୍ୱାମୀ ପାଖରେ ଥିଲେ ହୁଏତ ସାନ୍ତ୍ୱନା ପାଇବ ନନ୍ଦିତା-କର୍ମପ୍ରେରଣା ଭିତରେ ହୁଏତ କେତେ ସମୟ ପାଇଁ ହେଲେ ମଧ୍ୟ ଭୁଲି ଯିବ ତାର ଜୀବନର ଗ୍ଳାନି ଓ ପରାଜୟକୁ-। କିନ୍ତୁ ଆଜି ସେ କଣ କହି ସାନ୍ତ୍ୱନର ଦେବେ ନନ୍ଦିତାକୁ ? ଯେଉଁ ସମ୍ବାଦ ସେ ପାଇଛନ୍ତି ତାହା ଯଦି ସତ୍ୟ ହୋଇଥାଏ, ତା ହେଲେ ଚିରଦିନ ପାଇ ଅଭିଶପ୍ତା ନନ୍ଦିତା ଦଗ୍‌ଧ ହେବା ପାଇଁ ପଡ଼ି ରହିବ । ମନରେ ତାଙ୍କର ନିଜ ସନ୍ତାନ ପ୍ରତି ଶତ ଧିକକାର ଜାତ ହେଲା । ବିଜୟର ମଙ୍ଗଳକୃତ୍ୟ ମରୁପ୍ରାନ୍ତର ପରି ନିଷ୍‌ପ୍ରାଣ, ମରୀଚିକା ପରି ଛଳନାମୟ କରିବା ପାଇଁ ପ୍ରାର୍ଥନା କଲେ ସେ ଗଭବାନଙ୍କ ପାଖରେ ।

 

ନନ୍ଦିତା ଆଖିପୋଛି ଶାଶୁଙ୍କ ପାଖକୁ ଲାଗିଆସି କହିଲା–

‘‘କିଛି ନାହିଁ ବୋଉ-ବସିଥିଲି ଏଇମିତ ।’’

 

ଶୈବାଳିନୀ କଣ କହିବେ କ୍ଷଣକ ପାଇଁ କିଛି ଠିକ୍‌ କରିପାରିଲେ ନାହିଁ । ଏତେବଡ଼ ଦୁଃସମ୍ବାଦ ଯେ ନନ୍ଦିତାକୁ ଅଜଣା ନାହିଁ, ବୋହୂର ଆଖି ଦେଖି ବୁଝିପାରିଲେ ସେ । ଯେଉଁ ମୁହଁ ଅପୂର୍ବ ଜ୍ୟୋତିରେ, ଆଖିର ଆଶାଭରା ଚାହାଣିରେ ଝଲମଲ କରୁଥିଲା, ଯେଉଁ ମୁହଁରେ ଜନନୀର ଚକ୍ଷୁନେଇ ଦେଖୁଥିଲେ ଏକ ସମ୍ଭାବନାମୟ ଜୀବନର ଶୋଭାଯାତ୍ରା, ଯେଉଁ କଣ୍ଠରେ ଶୁଣୁଥିଲ ସେ ଏକ ସରଳ, ନିଷ୍ପାପ ନାରୀ-ହୃଦୟର ଜୟଧ୍ୱନି-ତାହା ଆଜି ନିଷ୍ପ୍ରଭ-ନିଷ୍ପେଷିତ ।

 

ନନ୍ଦିତାକୁ କୋଳ ଉପରକୁ ଆଉଜାଇ ନେଇ କେବଳ ଭୋ-ଭୋ କରି କାନ୍ଦିଉଠିଲେ ଶୈବାଳିନୀ ।

 

ଜନନୀର ଲୁହରେ, ଅନ୍ତରର ଏହି କୋହରେ ଭାସିଗଲା ପୃଥିବୀର କେତେ କେତେ ଐଶ୍ୱର୍ଯ୍ୟ, କେତେ ବିକ୍ରମଶାଳୀ ପୁରୁଷର ସୌଭାଗ୍ୟ-ବିଜୟ ପରି ବ୍ୟକ୍ତି ତ ଅତି ନଗଣ୍ୟ !

 

ନନ୍ଦିତା ଶାଶୁଙ୍କ ସାଙ୍ଗରେ କାନ୍ଦିସାରି ଯେତେବେଳେ ଚାହିଁଲା ତାଙ୍କର ମୁହଁକୁ, ସେ ମୁହଁରୁ କଠୋରତା ଦେଖି ସ୍ତମ୍ଭୀତ ହେଲା । ଯେଉଁ ପ୍ରାଣରେ ଜନନୀର ସ୍ନେହ-ମମତାର ପ୍ରାଚୁର୍ଯ୍ୟ ଭରି ରହିଥିଲା, ଆଜି ସେହି ପ୍ରାଣରେ ଉଦ୍‌ଗତପ୍ରାୟ ଆଗ୍ନେୟଗିରର ଲୋମହର୍ଷଣକାରୀ ନିଷ୍ଠୁରତା-। ଚକିତା ନନ୍ଦିତା ଅନୁନୟ କଣ୍ଠରେ କହିଲା-‘‘ସେ କଥା ମୁଁ ସବୁ ଶୁଣିଛି ବୋଉ ! ମୋ ଭାଗ୍ୟ ମୁଁ ଭୋଗ କରିବି-ହେଲେ ତାଙ୍କର ମଙ୍ଗଳ ହେଉ ।’’

 

ଶୈବାଳିନୀ ଫାଟିପଡ଼ିଲେ-‘‘କଣ କହିଲୁ ମା-ତାର ମଙ୍ଗଳ ହେବ ? ଏ କଥା ଆହୁରି କହିପାରୁଛୁ ? ଛି, ଛି, ମୋରି ପେଟରୁ ଜନ୍ମ ହୋଇ ଶେଷରେ ଏୟା କଲା ବିଜୁ ? ଆଉ କଣ କହିବି ମା-କିନ୍ତୁ ଯଦି ମୁଁ ତାର ମା, ଆଉ ଯଦି ମୁଁ ଯାହା ଶୁଣିଛି ସତ୍ୟ ହୋଇଥାଏ, ନିଜ କୃତକର୍ମର ପାପରେ ସେ ପୋଡ଼ି ପାଉଁଶ ହୋଇଯିବ ବୋହୂ-ସେ ନିଃଶେଷ ହୋଇଯିବ !!’’

 

ଶାଶୁଙ୍କ କଣ୍ଠରେ ଅଦ୍ଭୁତ ଦୃଢ଼ତା । ଏ ତ ଅଭିଶାପ ନୁହେଁ-ଏ ଯେପରି ଆଦେଶ !

 

ନନ୍ଦିତା ତାଙ୍କ ପାଦତଳେ ମଥା ଲଗାଇ ଚିତ୍‌କାର କରିଉଠିଲା-‘‘ଏ କଣ-ଏ କଣ କହୁଛ ବୋଉ, ମୁଁ ଯେ ଏବେ ମଧ୍ୟ ବଞ୍ଚିଛି ?’’

 

ବୁଝିପାରିଲେ ସେ ନନ୍ଦିତାର ହୃଦୟ, ନାରୀର ପ୍ରାଣ ! ଏ ପ୍ରାଣରେ ସଦା ଜାଗ୍ରତ ସ୍ୱାମୀର ମୂର୍ତ୍ତି-ଯାହା ଶତ ସ୍ଖଳନ ବି ସ୍ତ୍ରୀର ଧ୍ୟେୟ, କାମ୍ୟ । ନନ୍ଦିତାକୁ ଛାତି ଉପରକୁ ଟେକିନେଇ ତାର ମଥାରେ ହାତ ବୁଲାଇଲେ ଶୈବାଳିନୀ ।

 

‘‘ମା-’’

ରାମ ଅପେକ୍ଷା କରୁଛି । ଶୈବାଳିନୀ ମୁହଁ ଫେରାଇ ଚାହିଁଲେ ।

 

‘‘ଶୁଭେନ୍ଦୁ ବାବୁ ଆପଣଙ୍କ ଅପେକ୍ଷାରେ ଅଛନ୍ତି ମା-ଆଜି ପରା ତାଙ୍କର ପୁରୀ ଯିବାର କଥା ।’’

 

‘‘ପୋଡ଼ା ମନରେ କଣ କିଛି ମନେପଡ଼ୁଛି ଆଉ । ଚାଲ ରାମ, ଚାଲ, ମୁଁ ଯାଉଛି ।’’

 

ରାମ ଚାଲିଗଲା ପରେ ନନ୍ଦିତାକୁ ନେଇ ଫେରୁ ଫେରୁ କହିଲେ ଶୈବାଳିନୀ-‘‘ସବୁ ମୋରି କପାଳର ଦୋଷ ମା-ନୋହିଲେ କି ଘରପୁଅ ପର ହୋଇ ଯାଆନ୍ତା ? ଆଉ ଦେଖ, ଏଇ ଶୁଭେନ୍ଦୁକୁ ! ପାଠପଢ଼ୁଆ ପିଲା । ଶହେ ଜଣରେ ସହଜରେ ବାଛି ହୋଇପଡ଼ିବ । ପରପାଇଁ ଜୀବନ ଢାଳି ଦେଇଛି । କି ଖଟଣି ନ ଖଟୁଛି ସେ ଲୋକଗୁଡ଼ାଙ୍କ ପାଇଁ ! ହାୟ ! ଭଗବାନ ଯଦି ଶୁଭେନ୍ଦୁକୁ ଦେଇ ମୋର କୋଳ ପୂର୍ଣ୍ଣ କରିଥାନ୍ତେ .... ’’

 

ତାଙ୍କର ବେଦନାପୂର୍ଣ୍ଣ ଦୀର୍ଘ ନିଶ୍ୱାସ ବକ୍ଷ ଥରାଇ ନିର୍ଗତ ହୋଇଗଲା । ନନ୍ଦିତା ନୀରବରେ ଶାଶୁଙ୍କର ଅନୁଗମନ କଲା କେବଳ । ତାର କହିବାର କିଛି ନାହିଁ । ଯାହା ଥିଲା ତାକୁ ନିଃଶେଷ କରି ଚାଲିଯାଇଛି ବିଜୟ । କେଉଁ ଅଧିକାର ଅଛି ତାର ଏ ଘରେ ? ସେ ଅସ୍ୱୀକୃତା, ପରିତ୍ୟକ୍ତା । ଯେଉଁ ଦାବି ନେଇ ପାଦ ଦେଇଥିଲା ସେ ଏଇ ଘରେ. ଯାହର ହାତ ଧରି ଏ ଘରର ପାଞ୍ଚଜଣକ ମଧ୍ୟରେ ଜଣେ ବୋଲି ପରିଚିତ ହୋଇଥିଲା ସେ-ସେ ତାକୁ ଅପରିଚିତାର ଅସମ୍ମାନ ଦେଇ, ଲାଞ୍ଛତା ଓ ବିଡ଼ମ୍ବିତାର ଏକ ଅନ୍ଧକାରମୟ ଗହ୍ୱରକୁ ଫିଙ୍ଗି ଦେଇଗଲେ-ତାର ସମସ୍ତ ଦାବି, ଅଧିକାରକୁ ଅସ୍ୱୀକାର କରିଗଲେ । ଆଜି ସେ ଏକାକିନୀ-ସମଗ୍ର ପୃଥିବୀର ପ୍ରଶସ୍ତ ରାଜପଥ ଉପରେ ଏକମାତ୍ର ନିରୀମାଖି ନିଃସଙ୍ଗ ଅଭିଯାତ୍ରୀ । ଲକ୍ଷ୍ୟଭ୍ରଷ୍ଟ ହୋଇଛି ତାର ଯାତ୍ରା, ଶିଥିଳ ହୋଇଛି ଉଦ୍ଦାମ ପ୍ରାଣଶକ୍ତି, ସ୍ତିମୀତ ହୋଇଛି ଜୀବନାଲୋକ । ସେ ଆଜି ଏକ ନିର୍ଜୀବ ଜଡ଼ପିଣ୍ଡ ପରି ପଡ଼ିରହିଛି । ସେ ସମସ୍ତଙ୍କ ଆଗରେ ପରିଚୟହୀନା-ପରିତ୍ୟକ୍ତା । କାନ୍ଦିପାରିଲା ନାହିଁ ନନ୍ଦିତା-ବକ୍ଷ ଥରାଇ ଦୀର୍ଘ ନିଶ୍ୱାସ ମଧ୍ୟ ଛାଡ଼ି ପାରିଲା ନାହିଁ । ଯାହା ନିର୍ଗତ ହେବାର କଥା ସେହି ଅନ୍ତର ଭିତରେ ରହିଯାଉଛି ଚିରଦିନ । ପ୍ରକାଶର ମୂଲ୍ୟ ଯେଉଁଠାରେ ନାହିଁ, ସେଠାରେ ଅପ୍ରକାଶିତ ରହିବାର କାରୁଣ୍ୟ ତା’ ଠାରୁ କମ୍ ବେଦନା ଦାୟକ । ଶାଶୁ ବାହାରକୁ ଗଲେ-ନନ୍ଦିତା ଭିତରକୁ ଗଲା ଶୁଭେନ୍ଦୁ ପାଇଁ ଜଳଯୋଗର ଯୋଗାଡ଼ କରିବା ପାଇଁ ।

 

ଶୈବାଳୀନୀଙ୍କ ସହିତ ସମସ୍ତ ବିଷୟ ଆଲୋଚନା କରି ସାହାଯ୍ୟଦାନର ବିସ୍ତୃତ ବିବରଣ ଦେଲା ଶୁଭେନ୍ଦୁ । ଏପର୍ଯ୍ୟନ୍ତ ଦାନସୂତ୍ରରେ ଯାହା ମିଳିଛି ସମସ୍ତ ପ୍ରାୟ ବିତରଣ କରି ଦିଆହୋଇଛି । ଶୁଭେନ୍ଦୁର ହିସାବପତ୍ର ସଠିକ୍‌ ଭାବରେ ରଖିବାର ବିଚକ୍ଷଣତା ଦେଖି, ଆଲୋଚନା, କର୍ମ କରିବାର ନିଷ୍ଠା ଓ ସରଳତା ଦେଖି ମୁଗ୍‌ଧ ହେଲେ ଶୈବାଳିନୀ । ମନେ ମନେ ଆଶୀର୍ବାଦ କଲେ ତାକୁ-‘‘କୋଟି ପରମାୟୁ ଦେଇ ଆୟୁଷ୍ମାନ କର ପ୍ରଭୁ-କୋଟିଏ ପାଇଁ ଗୋଟିକୁ ଶ୍ରୀ, ଯଶଃ, ଖ୍ୟାତି ଅକାତରରେ ଦାନ କର ହେ ବଳିଆରଭୁଜ !

 

ନନ୍ଦିତ ଖବର ପଠାଇଲା ଜଳଯୋଗ ପାଇଁ । ଶୁଭେନ୍ଦୁ ଓ ତାର ସାଥୀ ଦୁଇଜଣଙ୍କୁ ନେଇ ଭିତରକୁ ଗଲେ ଶୈବାଳିନୀ । ଶୁଭେନ୍ଦୁ ଏ ଘରେ ଆଜି ଅତି ପରିଚିତ-ସେ ସ୍ୱଚ୍ଛନ୍ଦରେ ସବୁଠାରେ ବିଚରଣ କରେ, ତା ପ୍ରତି କାହାରି କୁଣ୍ଠା ନାହିଁ, କାର୍ପଣ୍ୟ ନାହିଁ । ସେ ସୂର୍ଯ୍ୟୋଲୋକ ପରି ପବିତ୍ର-ଫୁଲ ପରି ସୁରଭିଯୁକ୍ତ ।

‘‘ଭାଇ ! ତୁମେ ଗୋଟି ଟ୍ୟୁବ୍‌ ଆଣିବା ପାଇଁ ଚେଷ୍ଟା କରିବ । କୂଅଟିରେ ନଳ ଲଗାଇ ଟ୍ୟୁବ୍‌ୱେଲ୍‌ କଲେ ବାହାର ଆବର୍ଜନାରୁ ରକ୍ଷା ମିଳିବ ଏବଂ ବଢ଼ି ହେଲେ ମଧ୍ୟ ସହଜରେ ବଢ଼ିପାଣି ପଶିପାରିବ ନାହିଁ’’-କହିଲା ନନ୍ଦିତା ।

ନନ୍ଦିତା ଶୁଭେନ୍ଦୁକୁ ଭାଇ ବୋଲି ଡାକେ । ଏହା ଶୈବାଳିନୀଙ୍କ ଅନୁରୋଧରେ ନୁହେଁ, ଆଦେଶରେ ହୋଇଛି ।

‘‘ମୁଁ ବି ଠିକ୍‌ ସେଇ ଯୋଜନା ମନେ ମନ କରିଥିଲି ଭଉଣୀ-’’

ଖାଉ ଖାଉ କହିଲା ଶୁଭେନ୍ଦୁ । ଶୈବାଳିନୀ ସମର୍ଥନ କଲେ ନନ୍ଦିତାର ପ୍ରସ୍ତାବ ।

‘‘ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସମସ୍ତ ବିବରଣ ଦେଇ ଏ ଅଞ୍ଚଳକୁ ଆସିବା ପାଇଁ ଅନୁରୋଧ କରିବି ମାଉସୀ ?’’

‘‘ସେଇ କଥା କର ବାପ ! ସାହାଯ୍ୟଦାନର ହିସାବକିତାବ ତାଙ୍କୁ ଜଣାଇ ରଖିବା ଆବଶ୍ୟକ । ଆଉ ତା ପରେ ସରକାର ଯାହା ସାହାଯ୍ୟ କରିବେ, ସେ ତ କର୍ମଚାରୀଙ୍କଦ୍ୱାରା ହେବ-।’’

ଜଳଯୋଗ ଶେଷ କରି ଶୁଭେନ୍ଦୁ ବାହାରିବା ପୂର୍ବରୁ ଏକ ଅପ୍ରତ୍ୟାଶିତ ଅନୁରୋଧ କଲା ନନ୍ଦିତର –

 

‘‘ବୋଉ ! ପୁରୀ ଯାଇ ଆମେ ବି ବୁଲି ଆସିଥାନ୍ତେ । ଭାଇ ତ ଯାଉଛନ୍ତି କିଛି ଅସୁବିଧା ହୁଅନ୍ତାନି ।’’

 

ଶାଶୁ ପ୍ରଥମେ ବୋହୂର ଏ ଅନୁରୋଧର ମର୍ମ ବୁଝିପାରିଲେ ନାହିଁ । କାରଣ ସେ ପ୍ରାୟ କୌଣସି ସ୍ଥାନ ବା କିଛି ଦେଖିବା ପାଇଁ କେବେ ଅଳି ବା ଅନୁରୋଧ କରେ ନାହିଁ । ମନେହେଲା ତାଙ୍କର, ବୋଧେ ତାର ଭାରାକ୍ରାନ୍ତ ମନକୁ ଲାଘବ କରିବା ପାଇଁ ଚକାଡୋଳାଙ୍କ ଦର୍ଶନ କରିବା ପାଇଁ ଚାହେଁ ସେ । ଯେପରି ଅପ୍ରତ୍ୟାଶିତ ଥିଲା ନନ୍ଦିତାର ଅନୁରୋଧ, ସେଇପରି ସହଜରେ ରାଜି ହୋଇଗଲେ ଶୈବାଳିନୀ ଏବଂ ସଙ୍ଗେ ସଙ୍ଗେ ଯାତ୍ରାର ଆୟୋଜନ କରିବା ପାଇଁ ଲାଗିପଡ଼ିଲା ନନ୍ଦିତା ।

 

ନନ୍ଦିତା କେବେ ବିଶ୍ୱାସ କରି ନ ଥିଲା ଯେ ସ୍ୱାମୀ ତା ପ୍ରତି ଏପରି ନିଷ୍ଠୁର ଅବିଚାର କରିବେ । କିନ୍ତୁ ଯେତେବେଳେ ମାଧୁରୀ ସହିତ ବିଜୟର ବିବାହ ଆୟୋଜନର ଖବର ବାପଘର ସୂତ୍ରରୁ ଆସି ପହଞ୍ଚିଲା ତା ପାଖରେ, ନନ୍ଦିତାର ମନେହେଲା ତାର ବର୍ତ୍ତମାନ ସଙ୍ଗେ ସଙ୍ଗେ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଗଲା । ସାଧନାରେ ସିଦ୍ଧି ନାହିଁ ତାର-କେବଳ ଜ୍ୱଳନ୍ତ ପ୍ରଦୀପର ସଳିତା ପରି ଜଳଯିବ ସେ । ପିଲାଦିନର ବାପଘରର କଥା ମନେପଡ଼େ ନନ୍ଦିତାର-କି ସୁଖରେ ପ୍ରଜାପତିଟି ପରି ଖେଳିବୁଲୁଥିଲା ସେ । ଆଉ ଆଜି ? ଯେଉଁ ସ୍ୱାମୀ-ସୁଖର କଳ୍ପନା କରି ମନେ ମନେ କେତେ ତାଜମହଲ ଗଢ଼ିଥିଲା, ଯେଉଁ ନୀଡ଼ ରଚନାର ସ୍ୱପ୍ନ ଦେଖି ଉଲ୍ଲସିତ ହୋଇଥିଲା, ସେସବୁକୁ ପଦାଘାତ କରି ପ୍ରତ୍ୟାଖ୍ୟାନ କଲେ ସ୍ୱାମୀ । ସେହି ନିଷ୍ଠୁର ଆଘାତରେ ପ୍ରସ୍ଫୁଟିତ ଶତଦଳ ଝାଉଁଳିଗଲା ପରି ବ୍ୟଥା ଓ ବେଦନାରେ, ଲାଞ୍ଛନା ଓ ବିଡ଼ମ୍ବନାରେ ମୁହ୍ୟମାନ ହୋଇପଡ଼ିଲା ନନ୍ଦିତା । ତଥାପି ମନର ଆଶା ମରେନା-କେଉଁ ଏକ ଅଜ୍ଞାତ କୋଣରେ ଜୀଇଁ ରହେ, ତତାଏ ମନକୁ, ଉସୁକାଏ ପ୍ରାଣର ଆବେଗକୁ । ନୀଳଚକ୍ରର ଛାୟାତଳେ କୋଟି କୋଟି ନରନାରୀ ଆଶ୍ରୟ ଆଶ୍ୱସନା ପାଉଛନ୍ତି । କେତେ ମନ ହଜିଲା ଧନ ପୁଣି ଫେରି ପାଉଛନ୍ତି । ତେବେ ନନ୍ଦିତା କଣ ଏଡ଼େ ହତଭାଗିନୀ ଯେ ଚିରଦିନ ପାଷାଣୀ ହୋଇ ରହିବ ? ସେହି ନୀଳାଚଳର ନୀଳ-କମଳ-ଲୋଚନଙ୍କୁ ଦର୍ଶନ କରି ହୃଦୟର ସମସ୍ତ ଅର୍ଘ୍ୟ ତାଙ୍କର ପାଦତଳେ ଅଜାଡ଼ି ଦେବା ପାଇଁ ବ୍ୟାଳକୁ ହୋଇଉଠିଲା ନନ୍ଦିତାର ମନ ।

 

‘‘ବେଳ ଯେ ଉଚ୍ଛୁର ହୋଇଯାଉଛି ବୋହୂ-ଶେଷ ହେଲାଣି ବନ୍ଧାବନ୍ଧି ?’’ ପଚାରିଲେ ଶୈବାଳିନୀ ।

 

‘‘ଯାଉଛି ବୋଉ-ଶେଷ ହେଲାଣି ସବୁ-ଏଇଲାଗେ ବାହାରିବା ।’’

 

ଶୈବାଳିନୀ ଆଗ୍ରହରେ ଅପେକ୍ଷା କଲେ । ସ୍ୱାମୀ-ସୁଖ-ବଞ୍ଚିତା ବଧୂର କୌଣସିଥିରେ ଆଗ୍ରହ ଦେଖିଲେ ଆନନ୍ଦ ହୁଏ ତାଙ୍କର । ସୁଖର ଦିନ ତାଙ୍କର ସରିଯାଇଛି । ବର୍ତ୍ତମାନ ଅନ୍ୟର ସୁଖରେ, ଯେ ଆପଣାର, ତାର ଶାନ୍ତିରେ ସେ ନିଜର ସାର୍ଥକତା ଅନୁଭବ କରନ୍ତି । ସେଇ ସଂସାରଯାତ୍ରା ଭିତର ଦେଇ ତାଙ୍କ ପ୍ରତି ଭଗବାନଙ୍କର ଅସୀମ ଆଶୀର୍ବାଦ ଅନ୍ତରେ ଅନ୍ତରେ ପ୍ରତିଫଳିତ ହୁଏ । ସେଇ ସୁଖର ଅନୁଭବରୁ ବିଜୟ ବଞ୍ଚିତ କରିଛି ତାଙ୍କୁ । ନିଜର ଜାୟା ଓ ଜନନୀକୁ ତ୍ୟାଗ କରି ମାତୃଜାତିକୁ ଚରମ ଅପାମାନ କରିଛି ସେ-ଏଇଠି ତାଙ୍କର ଦୁଃଖ-ନାରୀ-ଜୀବନର ଚରମ ପରାଜୟ । ସେ ଯାହା ଚାହିଁଥିଲେ ହେଲା ନାହିଁ, ଯାହା ଅପ୍ରତ୍ୟାଶିତ ତାହାହିଁ ଶେଷରେ ।

 

‘‘ମାଉସୀ, ଗାଡ଼ିବାଲା ଅପେକ୍ଷା କରୁଛି । ସମୟ ହୋଇଗଲାଣି-ଶୀଘ୍ର ବାହାରି ଆସନ୍ତୁ-।’’ ଶୁଭେନ୍ଦୁ ବାହାରୁ ଡାକି କହିଲା ।

 

‘‘ଏଇ ଗଲି ବାପା-ଆ’ ମା-!’’

ମନେ ମନେ ସେଇ ଚକାଡୋଳାଙ୍କୁ ପ୍ରଣାମ କରି ଘରୁ ପାଦ କାଢ଼ିଲା ନନ୍ଦିତା ।

•••

 

୨୩

 

ସନ୍ୟାସୀଙ୍କର ଶିଷ୍ୟା ହୋଇଛି ମାଧୁରୀ । ପୁରୀ ସମୁଦ୍ରକୂଳର ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଏଇ ଆର୍ଯ୍ୟକନ୍ୟାଶ୍ରମ । ମାଧୁରୀ ପରି ବହୁ ଆଶ୍ରିତା କନ୍ୟାଙ୍କର ସମାବେଶ ସେଠାରେ । ରାମକୃଷ୍ଣ ମିଶନଦ୍ୱାରା ସୁପରିଚାଳିତ ଏଇ କନ୍ୟାଶ୍ରମର ପୁରୋଧା ହେଉଛନ୍ତି ସ୍ୱାମୀ ସଚ୍ଚିଦାନନ୍ଦ । ସନ୍ନ୍ୟାସୀ-ନିର୍ମଳ ଓ ସରଳ ଜୀବନ ତାଙ୍କର । ସାଧନା ଦୀପ୍ତି ସନ୍ନ୍ୟାସୀଙ୍କର ସୁମଧୁର, ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ୱଳ୍ପ ଭାଷଣରୁ ଅନୁଭବ କରିହୁଏ । ନିର୍ଦ୍ଦିଷ୍ଟ କର୍ମଯୋଜନା ଓ ସଂଯମ ଭିତରେ ସୁପରିଚାଳିତ ଏଇ କନ୍ୟାଶ୍ରମର ସୁନିର୍ଦ୍ଦିଷ୍ଟ ନିୟମକାନୁନ୍‌ ମାନିବାକୁ ସକ୍ଷମ ହୋଇପାରିଛି ମାଧୁରୀ । ତାର ଚାଲିଚଳଣର ବୈଶିଷ୍ଟ୍ୟରେ, କଥାବାର୍ତ୍ତାର ରୁଚିପୂର୍ଣ୍ଣ ଶାଳୀନତାରେ, ସାଙ୍ଗସାଥୀ ଓ ଶିକ୍ଷାୟତନର ଶିକ୍ଷୟିତ୍ରୀମାନଙ୍କ ସହିତ ସସମ୍ଭ୍ରମ ବ୍ୟବହାରରେ କେବଳ ଯେ ଅନ୍ୟାନ୍ୟ ସମସ୍ତ ଆଶ୍ରମବାସିନୀ ମୁଗ୍‌ଧ ହୋଇଛନ୍ତି ତା ନୁହେଁ-ସ୍ୱାମୀ ସଚ୍ଚିଦାନନ୍ଦ ମଧ୍ୟ ବିଶେଷ ଆନନ୍ଦିତ ହୋଇଛନ୍ତି । ମାଧୁରୀର ମାଧୁର୍ଯ୍ୟରେ ମହିମାମଣ୍ଡିତ ହୋଇଛି କନ୍ୟାଶ୍ରମ, ତାର ପବିତ୍ରତାରେ ପରିପୂର୍ଣ୍ଣ ହୋଇଛି କନ୍ୟାଶ୍ରମର ବାୟୁମଣ୍ଡଳ ।

 

କନ୍ୟାଶ୍ରମ ସଂଯୁକ୍ତ ବିଦ୍ୟାୟତନରେ କେବଳ ଭୂଗୋଳ, ଇତିହାସ ବା ଅଙ୍କ ଶିକ୍ଷା ଦିଆଯାଏ ନାହିଁ-ତା ସହିତ ଗୃହବିଜ୍ଞାନ, ସନ୍ତରଣ, ବ୍ୟାୟାମ, ଯୌଗିକ ଆସନ, ଚିକିତ୍ସା ବିଜ୍ଞାନ ପ୍ରଭୃତିରେ ସୁଶିକ୍ଷା ଦେବାର ବନ୍ଦୋବସ୍ତ ଅଛି । ମାଧୁରୀ କଲେଜରେ ପଢ଼ି ଯାହା ଜାଣିନାହିଁ, ଘରେ ଯାହା ଦେଖିନାହିଁ, ଏଠାରେ ତାହା ଦେଖିବାର ଓ ଶିଖିବାର ସୁଯୋଗ ପାଇଛି ।

 

ସେଇ ସୁଯୋଗ ପାଇ ନିଜକୁ ସେଥିରେ ନିୟୋଜିତ କରିଛି ମାଧୁରୀ । ବ୍ୟୟାମ, ଅଧ୍ୟୟନ ପ୍ରଭୃତି ଶେଷ କରି ଯେତେବେଳେ ରାତି ପ୍ରାୟ ନ’ଟା ବେଳକୁ ଶଯ୍ୟା ଗ୍ରହଣ କରେ ସେ, ସେତେବେଳେ ବନ୍ଧନମୁକ୍ତ ହୁଏ ତାର ମନ ଆଉ ତା ସଙ୍ଗେ ସଙ୍ଗେ ମନେପଡ଼େ ପିତାଙ୍କର ଗଭୀର ସ୍ନେହ । କ୍ଷଣକ ପାଇଁ ସ୍ତବ୍‌ଧ ହୁଏ ମାଧୁରୀର ଚିତ୍ତବୃତ୍ତି । ଭାବିପାରେନା ସେ କିପରି ବାପାଙ୍କୁ ଛାଡ଼ି ଚାଲି ଆସିପାରିଲା । ତାକୁ ନ ପାଇ ସେ କରୁଥିବେ କଣ ? ହୁଏ ତ ଏକାମାତ୍ର କନ୍ୟାର ଅନ୍ତର୍ଦ୍ଧାନରେ ନିରବରେ ବସି ନିଜର ଅନ୍ତର୍ଦାହରେ ଅଶ୍ରୁ ବିସର୍ଜନ କରୁଥିବେ । ମାଧୁରୀର ଆଖିକୋଣରେ ଦୁଇବିନ୍ଦୁ ଲୁହ ଢଳଢଳ ହୁଏ । ଛାତି ଭିତରର ଜମାଟବନ୍ଧା ହିମଶିଳାଖଣ୍ଡ କେଉଁ ସ୍ମୃତିର ଉତ୍ତାପରେ ଧୀରେ ଧୀରେ ତରଳିବା ପାଇଁ ଆରମ୍ଭ କରେ ଯେପରି । ଶୁଭେନ୍ଦୁ ମନେପଡ଼େ-। ଯାହାର ପାଦତଳେ ସେ ନିଜକୁ ସମର୍ପଣ କରିସାରିଛି, ସ ତ ଦିନେ ହେଲେ ଅନାଇଲେ ନାହିଁ ତାକୁ । ଆଶ୍ଚର୍ଯ୍ୟ ଶୁଭେନ୍ଦୁର ମନର ଦୃଢ଼ତା । ତାର ସହଜ ସରଳ ଦୃଢ଼ତା ଆଗରେ ମଥା ନଇଁଯାଏ ମାଧୁରୀର । ଯେତିକି ସେ ଭାବେ ଶୁଭେନ୍ଦୁ ତାକୁ ଏଡ଼ିଯିବା କଥା, ସେତିକ ତାର ହୃଦୟ ଟାଣିହୋଇଯାଏ ତା ପ୍ରତି । ଶୁଭନ୍ଦୁର ଅଦର୍ଶନରେ ହାହାକାର କରିଉଠେ ହୃଦୟ । ଆଉ ଠିକ୍‌ ସେଇ ମୁହୂର୍ତ୍ତରେ ତାର ଚିତବୃତ୍ତିକୁ ବିକ୍ଷୋଭିତ କରି, ମନରେ ଅଜ୍ଞାତ ବିଭୀଷିକାର ପ୍ରତିକ୍ରିୟା ଆଣି ଦେଖାଦିଏ ଆଉ ଜଣେ ପୁରୁଷ-ବିଜୟ । ବିରକ୍ତି ଓ ବିଡ଼ମ୍ବନାର ବିସ୍ୱାଦରେ ମୁହଁ ଫେରାଏ ମାଧୁରୀ-

 

ଆଉ ଠିକ୍‌ ତା ସଙ୍ଗେ ସଙ୍ଗେ ହୃଦୟ ଭିତରର ସମସ୍ତ ରୁଦ୍ଧ ବେଦନା, ଉଦ୍ଦାମ ଆବେଗ ଚକ୍ଷୁର ଚାରିକୋଣ ସିକ୍ତ କରି ବହିଆସେ ତରଳି ଯାଉଥିବା ବରଫ ପରି । ତାର ପ୍ରାଣପକ୍ଷୀ ମଥା ପିଟେ ନିଷ୍ଠୁର ଏକ ପୁରୁଷର ସଙ୍କୁଚିତ ପାଦତଳେ-ସୀମାହୀନ ସାଗରର ସହସ୍ର ନୀଳ ବୀଚି ଯେପରି କୂଳରେ ମଥା ପିଟେ ନିଜର ଅନ୍ତହୀନ ବ୍ୟାକୁଳ, ହୃଦୟର ଅସୀମ ବ୍ୟଥା କହି କହି ।

 

ତକିଆରେ ମୁହଁମାଡ଼ି କଇଁକଇଁ ହୋଇ କାନ୍ଦିଉଠେ ମାଧୁରୀ ।

 

ସେଇ କ୍ରନ୍ଦନର ଉଚ୍ଛ୍ୱାସ ଓ କରୁଣତା ଅର୍ଦ୍ଧରାତ୍ରିର ଆକାଶର ନିସ୍ତବ୍‌ଧତାରେ, ସାଗରର ସହସ୍ର ବୀଚିମାଳାର ଗୁଞ୍ଜନରେ ଆଉ ବ୍ୟାପ୍ତ ପୃଥିବୀର ବିପୁଳ ଅନ୍ଧକାର ମଧ୍ୟରେ କେଉଁ ଅନନ୍ତକାଳର ଏକ ବିଦଗ୍‌ଧ ହୃଦୟର କଥା କହି କହି ସମଗ୍ର ବିଶ୍ୱଚରାଚରକୁ ଆହୁରି ଆଗେବମୟ, ବେଦନାସିକ୍ତ କରେ ଓ ମୁହୂର୍ତ୍ତକରେ ସମଗ୍ର ବିଶ୍ୱରେ ଗୋଟିଏ ପ୍ରାଣର କରୁଣ କ୍ରନ୍ଦନ ମର୍ମରତ ହୋଇଉଠେ ।

 

ଯେତେବେଳ ପ୍ରଭାତର ସ୍ପର୍ଶ ପାଇଁ, ପକ୍ଷୀର ପ୍ରଥମ କାକଳି ଶୁଣିବା ପାଇଁ ଓ ମଳୟର ପ୍ରଥମ ସ୍ପର୍ଶ ଅନୁଭବ କରିବାପାଇଁ କନ୍ୟାମାନେ ନିଦ୍ରା ତ୍ୟାଗ କରନ୍ତି-ମାଧୁରୀର ଦେହ ଓ ମନର ଆବେଶ ତାର ଅଲକ୍ଷ୍ୟରେ କାହାର ମଧୁ ସ୍ପର୍ଶରେ ଯେପରି ଅନ୍ତର୍ହିତ ହୋଇଯାଏ । ସେ ପୁଣି ଏକ ଚପଳା କିଶୋରୀ ପରି କର୍ମରେ ନିୟୋଜିତ କରେ ନିଜକୁ ।

 

ସେଦିନ ସମୁଦ୍ର-ସ୍ନାନ କରିବାପାଇଁ ଯାଇଥାନ୍ତି କନ୍ୟାଶ୍ରମର ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ-। ସହରର ଉପକଣ୍ଠରେ ଅପେକ୍ଷାକୃତ ଏକ କୋଳାହଳହୀନ ସ୍ଥାନରେ ସ୍ନାନରତ ଥିବା ସମୟରେ ସଚକିତ ନୟନରେ ଲକ୍ଷ୍ୟକଲା ମାଧୁରୀ-ଯେପରି ତାର ସିକ୍ତ ବସନ ଭେଦକରି ଦୁଇଟା ସର୍ବଗ୍ରାସୀ ଚକ୍ଷୁ ତାର ଆପାଦମସ୍ତକ ଲେହନ କରୁଛି । ଲଜ୍ଜା, ଘୃଣା ଓ ଅପମାନରେ ସେଇ ଶୀତଳ ସାଗରଜଳରେ ମଧ୍ୟ ଭୟରେ ରୋମାଞ୍ଚ ଜାତ ହେଲା ତାର । ଛି ... ଛି- କେତେ ତଳକୁ ଖସିଯାଇଛି ପୁରୁଷ ! କେଡ଼େ ଗଭୀର ତାର ନୀଚତା ।

 

ବିଜୟ ଚାହିଁଛି-ଭୋକିଲା ଆଖି ଦୁଇଟା ଭିତରଦେଇ ଗ୍ରାସ କରିବାର ସହସ୍ର ଜିହ୍ୱା ଯେପରି ମାଧୁରୀର ସର୍ବାଙ୍ଗ ଲେହନ କରୁଛି । ପୁରୀରେ ପହଞ୍ଚି ହୋଟେଲ୍‌ରେ ଜିନିଷପତ୍ର ରଖିଦେଇ ଆଜିକୁ ପ୍ରାୟ ମାସାଧିକ କାଳ ସେ ମାଧୁରୀର ସନ୍ଧାନ କରିଛି । ଅଳ୍ପଦିନେ ପୂର୍ବେ ସେ ଯେତେବେଳେ ନିଜ କାର୍‌ରେ କନ୍ୟାଶ୍ରମ-ରାସ୍ତାରେ ଯାଉଥିଲା, ଦେଖିଲା ଦଳେ ଝିଅ ସାଙ୍ଗରେ ମାଧୁରୀ ପରି କିଏ ଜଣେ ଚାଲିଯାଉଥିଲା । ବିଜୟ ସେମାନଙ୍କ ନିକଟବର୍ତ୍ତୀ ହେବା ଆଗରୁ ସେମାନେ ଆଶ୍ରମ ଭିତରେ ପ୍ରବେଶ କରିସାରିଥିଲେ । ସେହିଦିନୁ ସେ କନ୍ୟାଶ୍ରମ ଉପରେ ପ୍ରାୟ ପ୍ରତିଦିନ ନଜର ରଖି ସେଠାରେ ଖବରାଖବର ସଂଗ୍ରହ କଲା । ଆଜି ଯେତେବେଳେ ସେହି ସମ୍ବାଦ ସଂଗ୍ରହ କରିବାକୁ ଆସି ଜାଣିଲା ଯେ ସେମାନେ ସମୁଦ୍ର-ସ୍ନାନ ପାଇଁ ଯାଇଛନ୍ତି, ସେ ଉତ୍ତାଳ ହୋଇଉଠିଲା । ଏହି ଅପୂର୍ବ ସୁଯୋଗ ଯେପରି ତାରି ମନ ଜାଣି କେହି ଆୟୋଜନ କରିଛି-। ସେ କାଳବିଳମ୍ବ ନ କରି ସମୁଦ୍ରକୂଳଆଡ଼େ ଅଗ୍ରସର ହେଲା । ଅପ୍ରତ୍ୟାଶିତ ଭାବରେ ଯଦି ଆକାଂକ୍ଷିତାର ଦର୍ଶନ ମିଳେ, ତାହା ଯେପରି ରୋମାଞ୍ଚକର, ସେଇପରି ଉଦ୍ଦୀପନାମୟ । ଦେହ ଓ ମନର ଏକ ଅସ୍ୱାଭାବିକ ଉତ୍ତପ୍ତତାରେ ନିଜର ବୁଦ୍ଧି ବିବେକ ସମସ୍ତ ବିସର୍ଜନ ଦେଇ, ସ୍ଥାନ-କାଳ-ପାତ୍ରର ବିଚାର ବିବେକରୁ ଅନନ୍ତର୍ହିତ କି ସମୁଦ୍ର ଭିତରକୁ ଲମ୍ପ ପ୍ରଦାନ କଲା ବିଜୟ । ଆଉ ଠିକ୍‌ ସେହି ମୁହୁର୍ତ୍ତରେ ଗୋଟିଏ ଭାଙ୍ଗି ଯାଉଥିବା ଢେଉର ଗର୍ଜନ ସଙ୍ଗେ ସଙ୍ଗେ ଅନାକାଂକ୍ଷିତ ଏକ ମୁହର୍ତ୍ତର ଆଗମନ ଦେଖି ଭୟ, ଘୃଣା ଓ ଆତଙ୍କରେ ଚିତ୍‌କାର କରିଉଠିଲା ମାଧୁରୀ ।

 

କେହି କିଛି ଜାଣିବା ଆଗରୁ ସମୁଦ୍ରକୂଳର ସ୍ନିଗ୍‌ଧତା ଭଙ୍ଗ କରି ଏକ ଅଶୋଭନୀୟ ଘଟଣା ଘଟିଗଲା । ଯାହାକୁ କୌଣସି ଏକ ସାମୁଦ୍ରିକ ଜୀବର ଆକ୍ରମଣ ବୋଲି ସନ୍ଦେହ କରୁଥିଲେ ସାଥୀମାନେ, ମୁହୂର୍ତ୍ତକରେ ତାର ପ୍ରକୃତ ରୂପ ଦେଖି ସମସ୍ତେ ସମସ୍ୱରରେ ଆତଙ୍କରେ ଚିତ୍‌କାର କରିଉଠିଲେ ।

 

ବିଜୟ କିନ୍ତୁ ମାଧୁରୀର ଚେତନାହୀନ ଦେହଟାକୁ ନେଇ ବେଶୀ ଦୂର ଯାଇପାରିଲା ନାହିଁ । ତାର ସମସ୍ତ ଶକ୍ତିକୁ ପ୍ରତିହତ କରି ଯେତେବେଳେ ସାଗରର ଏକ ଉତ୍ତାଳ ତରଙ୍ଗ ତାକୁ ମାଧୁରୀ ସହିତ ପ୍ରାୟ ଠେଲି ଆଣି ଅନ୍ୟାନ୍ୟ ପାର୍ଶ୍ୱବର୍ତ୍ତିନୀଙ୍କ ଆଗରେ ପକାଇ ଦେଇଗଲା, କାଳବିଳମ୍ବ ନ କରି ସହପାଠିନୀ ଓ ଶିକ୍ଷୟିତ୍ରୀମାନେ ବିଜୟ କବଳରୁ ମାଧୁରୀକୁ ମୁକ୍ତ କରି ଆଣିଲେ । ସେତେବେଳକୁ ମାଧୁରୀ ସଂଜ୍ଞାହୀନା । କିନ୍ତୁ ପର ମୁହୂର୍ତ୍ତରେ ବିଜୟ ସେମାନଙ୍କ ପାଖରୁ ମାଧୁରୀର ସଂଜ୍ଞାହୀନ ଦେହଟାକୁ ଅପହରଣ କରିନେବା ଉଦ୍ଦେଶ୍ୟରେ ଯେତେବେଳେ ବଳ ପ୍ରୟୋଗ କରିବା ପାଇଁ ଉଦ୍ୟତ ହେଲା, ସଜୋରେ ତାକୁ ଭୁଲୁଣ୍ଠିତ କରି ସମସ୍ତଙ୍କ ସମ୍ମୁଖରେ ଯେ କ୍ରୋଧଦୀପ୍ତ ବଦନରେ ଛିଡ଼ାହେଲେ, ଆାଶ୍ଚର୍ଯ୍ୟ ହୋଇ ସମସ୍ତେ ଦେଖିଲେ ସେ ଆଉ କେହି ନୁହନ୍ତି-ସ୍ୱୟଂ ସ୍ୱାମୀ ସଚ୍ଚିଦାନନ୍ଦ । ପ୍ରଶାନ୍ତ ମୂର୍ତ୍ତି ଭିତରେ ଯେପରି କେଉଁ ଏକ ଆଗ୍ନେୟଗିରିରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହେଉଛି-ବାହାରକୁ ସବୁ ଜଣାପଡ଼ୁ ନାହିଁ; କିନ୍ତୁ ତଥାପି ତାଙ୍କର ଚକ୍ଷୁ, ନାସିକା, କର୍ଣ୍ଣ ଓ ମୁହଁର କମ୍ପନରୁ ଜଣାପଡ଼ୁଛି ସନ୍ନ୍ୟାସୀଙ୍କର କିପରି ଜଣେ ପାପିଷ୍ଠ ପୁରୁଷର କଳଙ୍କମୟ କର୍ମଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇପାରେ ।

 

ସମସ୍ତେ ବିସ୍ମିତ ହେବା ସଙ୍ଗେ ସଙ୍ଗେ ଭରସା ମଧ୍ୟ ପାଇଲେ । ମାଧୁରୀର ସଂଜ୍ଞ୍ୟାହୀନ ଦେହର ବିଭିନ୍ନ ସ୍ଥାନରେ ନଖ ଓ ଦନ୍ତ ଚିହ୍ନ ସୁସ୍ଫଷ୍ଟ । ସେହି ଅକ୍ଷତ-ଯୌବନାକୁ କଳଙ୍କିତ କରି ଯେଉଁ କାପୁରୁଷ ତାର ଅଜ୍ଞାତରେ ତାର ଦେହ, ହାତ, ଗଣ୍ଡ ଓ ଚିବୁକରେ ରଖିଦେଇଗଲା କ୍ଷତଚିହ୍ନ, ତାହା ଅଳ୍ପକାଳ ସ୍ଥାୟୀ ହେଲେ ମଧ୍ୟ ଏକ ଜାନ୍ତବ, ବୁଭୁକ୍ଷିତ ଜୀବନର ବୀଭତ୍ସତାରେ ବିଭୀଷିକାମୟ ହୋଇ ଉଠିଥିଲା ।

 

ସନ୍ନ୍ୟାସୀଙ୍କର ଉପଦେଶରେ ଆଶ୍ରମବାସିନୀମାନେ ପ୍ରତ୍ୟାବର୍ତ୍ତନ କଲେ ମାଧୁରୀକୁ ନେଇ ଉପଯୁକ୍ତ ଶୁଶ୍ରୂଷା କରିବା ପାଇଁ । ଅଧୋବଦନରେ, ପରାଜୟର ଗ୍ଳାନିରେ ସମୁଦ୍ରବକ୍ଷକୁ ଅର୍ଥହୀନ ଦୃଷ୍ଟିରେ ଅନାଇ ରହିଥିଲା ବିଜୟ । ଦେହରେ ତାର ସେ କମ୍ପନ ଆଉ ନାହିଁ, ନାହିଁ କ୍ଷଣକ ପୂର୍ବର ପ୍ରବଳ ଉତ୍ତାପମୟ ଉତ୍ତେଜନା । କାହାର ଶକ୍ତି ଯେପରି ତାକୁ ବଶୀଭୂତ କରିଛି-କରିଛି ଚଳତ୍‌ ଶକ୍ତିହୀନ । ସେ ବାକ୍‌ରୁଦ୍ଧ ପ୍ରାୟ ହୋଇ ନିଶ୍ଚେଷ୍ଟ ଭାବରେ ବସି ରହିଲା କିଛିକ୍ଷଣ ।

 

ପୁଣି ଯେତେବେଳେ ପାଖକୁ ଚାହିଁଲା, ଦେଖିଲା ସେହି ଗୈରିକ ବସ୍ତ୍ର-ପରିହିତ ସନ୍ନ୍ୟାସୀ ପ୍ରଶାନ୍ତ ବଦନରେ ଚାହିଁ ରହିଛନ୍ତି ତାକୁ । ଚକ୍ଷୁରେ ତାଙ୍କର ଯେପରି ଅନ୍ତର୍ଭେଦ ଆଲୋକ-। ବିଜୟର ଶିକ୍ଷା ଓ ବିବେକ ତାକୁ ଏଇ ପ୍ରଥମ ଥର ପାଇଁ ସଙ୍କୁଚିତ କଲା । ସେ ସନ୍ତର୍ପଣରେ କୃତକର୍ମର ପରିଣାମ ଚିନ୍ତା କରି ଆତ୍ମଶୋଚନାରେ ନିମଗ୍ନ ହୋଇଗଲା ।

 

ସନ୍ନ୍ୟାସୀ ପୂର୍ବପରି ବାକ୍ୟ ବ୍ୟୟ ନ କରି ତା ପାଖରେ ବସିରହିଲେ । ତାଙ୍କର ସାନ୍ନିଧ୍ୟ ଯେପରି ବିଜୟକୁ କ୍ରମେ ଏକ ଅପୂର୍ବ ଅନୁଭବରେ ଅଭିଭୂତ କରିପକାଇଲା । ସେ ଭାବୁଥିଲା ହୁଏତ ସନ୍ନ୍ୟାସୀ ତାକୁ ତିରସ୍କାର କରିବେ ବା ପୋଲିସ୍‌ରେ ଦେବେ-କିନ୍ତୁ ଯେତେବେଳେ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରି ମଧ୍ୟ ସେପରି କିଛି କରିବାର କୌଣସି ଉପକ୍ରମ ଯେ ଲକ୍ଷ୍ୟ କଲା ନାହିଁ, ସେ ଅନୁଶୋଚନରେ ଦଗ୍‌ଧ ହେଲା କେବଳ । ତା କୃତଦୁଷ୍‌କର୍ମର ହଳାହଳମୟ ପରିଣତ ସମ୍ବନ୍ଧରେ ମନେମନେ ଚିନ୍ତା କରି ଆତଙ୍କରେ ଚିତ୍‌କାର କରିଉଠିଲା ବିଜୟ ଏବଂ ଅଭାବନୀୟ ଭାବରେ ଦୁଇ ବିନ୍ଦୁ ଅଶ୍ରୁ କେଉଁ ଏକ ଅବହେଳିତ ପ୍ରାଣର ହାହାକାରକୁ ସମବେଦନା ଜଣାଇ ତାର ଚକ୍ଷୁକୋଣରୁ ଅଲକ୍ଷ୍ୟରେ ଝରିଆସିଲା । ସେହି ଅଶ୍ରୁ ସହଜରେ ବନ୍ଦ ହେଲା ନାହିଁ । ବାଷ୍ପାକୁଳ ବିଜୟର ଅଶ୍ରୁ ତାର ଅଭିଶପ୍ତ ନିର୍ଜନ ଅନ୍ତସ୍ଥଳ ଭେଦ କରି ବହିଯିବା ପାଇଁ ଆକୁଳ ଆବେଗରେ ଧାଇଁ ଚାଲିଲା । ବିଜୟ ତାର ଜୀବନରେ ପ୍ରଥମ ଥର ପାଇଁ ନିଜର ଦଂଶନରେ ନିଜେ ଦଗଧ୍‌ ହେବାକୁ ଲାଗିଲା ।

 

ସେ ଅନୁଭବ କଲା ଯେପରି କିଏ ତାର କାନ୍ଧ ଉପରେ ହାତ ରଖିଛି । ସେ ବିସ୍ମୟ ବିମୁଗ୍‌ଧ ନୟନରେ ଦେଖିଲା ସନ୍ନ୍ୟାସୀ ତାର କାନ୍ଧ ଉପରେ ହାତ ରଖି ତାରି ମୁହଁକୁ ପ୍ରଶାନ୍ତ ବଦନରେ ଚାହିଁ ଆଶ୍ୱାସନା ଦେଉଛନ୍ତି-

 

‘‘ଶାନ୍ତ ହୁଅ ଯୁବକ ! ତୁମର ଅନୁତାପରେ ତୁମ କୃତଦୁଷ୍‌କର୍ମର ପ୍ରାୟଶ୍ଚିତ୍ତ ହୋଇଛି ।’’

 

ତାଙ୍କର ସେହି ସ୍ନେହପୂର୍ଣ୍ଣ ଉଦାତ୍ତ ବାଣୀ ଶୁଣି ଏବଂ ତାଙ୍କ କୋମଳ କର-ସ୍ପର୍ଶ ପାଇ ବିଜୟର ହୃଦୟ ଭିତରେ ଯେଉଁ କୋହ ପ୍ରଶସ୍ତ ପଥ ନ ପାଇ ଗୁମୁରି ଗୁମୁରି କାନ୍ଦୁ ଥିଲା, ତାହା ପ୍ରବଳ ବେଗରେ ଆତ୍ମପ୍ରକାଶ କଲା । ବିଜୟ ସନ୍ନ୍ୟାସୀଙ୍କର ଚରଣ ତଳେ ନିଜର ପାଶବିକ ଦେହକୁ ଲୋଟାଇ ଦେଇ ଶୋକାକୁଳ କଣ୍ଠରେ କହିଲା-

 

‘‘ମୋର କ୍ଷମା ନାହିଁ-ମୋର କ୍ଷମା ନାହିଁ ...’’

 

‘‘ସମସ୍ତ ପାପର ପ୍ରାୟଶ୍ଚିତ ପଶ୍ଚାତାପରେ ହୁଏ ଯୁବକ ! ତୁମ କାମନାର ବଶବର୍ତ୍ତୀ ହୋଇ ଯାହା କରିଛ, ଯଦି ସତ୍‌ଚିତ୍ତରେ ଭଗବାନଙ୍କୁ ସାକ୍ଷୀ ରଖୀ ନିଜର ସେ ଭୁଲ ସ୍ୱୀକାର କର ଏବଂ କୃତଦୁଷ୍‌କର୍ମର ଅନୁତାପ କରି ସେଇ ପରମକାରୁଣିକଙ୍କର କୃପାପ୍ରାର୍ଥୀ ହୁଅ-ତୁମେ ନିଶ୍ଚୟ କ୍ଷମା ପାଇବ ଯୁବକ !’’

 

ବିଜୟ ସନ୍ନ୍ୟାସୀଙ୍କର ବାଣୀରେ ଅଭିଭୂତ ହେଲା । ସନ୍ଦିଗ୍‌ଧ-ଚିତ୍ତରେ ପୁନର୍ବାର କହିଲା ସେ –

 

‘‘ମୁଁ ମୋର ଜାୟା ଏବଂ ଜଜନୀଙ୍କୁ ପରିତ୍ୟାଗ କରିଛି । ସେମାନଙ୍କର ଅନରୋଧ, ଆଗ୍ରହକୁ ପ୍ରତ୍ୟାଖ୍ୟାନ କରି ଯେ ସେମାନଙ୍କ ପ୍ରତି ଅକ୍ଷମଣୀୟ ଅପରାଧ କରିଛି, ତା କେବଳ ନୁହେଁ, ମାଧୁରୀର ସର୍ବନାଶ କରିବା ପାଇଁ ଉଦ୍ୟମ କରିଥିଲି ।’’

 

‘‘ଏସବୁ କାମନାଜନିତ ଦୋଷ ଯୁବକ; ଏ ସବୁର ନିରାକରଣ ହୋଇପାରିବ ତୁମ ମନ ଓ ହୃଦୟର ପରିବର୍ତ୍ତନରେ, ଦୁର୍ବଳ ଚିତ୍ତବୃତ୍ତି ଇନ୍ଦ୍ରିୟ-ଆସକ୍ତିର ବିଜୟରେ । ତୁମେ ଯଦି ବାସ୍ତବିକ ନିଜର କୁକର୍ମ ପାଇଁ ଲଜ୍ଜିତ ଓ ଅନୁତପ୍ତ, ତାହେଲେ ବର୍ତ୍ତମାନ ମୋ ସମ୍ମୁଖରେ ଏହି ପବିତ୍ର ମହୋଦଧିର ବାଲୁକାଶଯ୍ୟା ଉପରେ ବସି ନୀଳଚକ୍ରକୁ ଚାହିଁ ପ୍ରତିଜ୍ଞା କର ଯୁବକ-ତୁମେ ସତ୍‌ ଓ ମହାନ୍‌ ହେବା ପାଇଁ ସଚେଷ୍ଟ ହେବ, ମାନବ ଜୀବନର ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକୁ ଶ୍ରମ, କର୍ତ୍ତବ୍ୟ, ସେବା ଓ ପ୍ରୀତି ମଧ୍ୟ ଦେଇ ଅମୃତମୟ କରିବା ପାଇଁ ଯତ୍ନବାନ ହେବ ।’’

 

‘‘ମୁଁ ଆପଣଙ୍କ ଉପଦେଶକୁ ଆଦେଶ କରି ଶିରୋଧାର୍ଯ୍ୟ କରିବି । ମୁଁ ନୀଳଚକ୍ରକୁ ଚାହିଁ ପ୍ରତିଜ୍ଞା କରୁଛି ଆପଣଙ୍କ ଆଦେଶ ପାଳନ କରିବି ।’’ ଶପଥ କଲା ବିଜୟ ।

 

‘‘ତୁମେ ବର୍ତ୍ତମାନ ତୁମର ଜନନୀ ଓ ସ୍ତ୍ରୀ ପାଖକୁ ଫେରିଯାଅ ଯୁବକ । ସଂସାରକୁ ସୁଖମୟ କରିବା ପାଇଁ ସାଧନା କର । ବିଳମ୍ବ ହେଲେ ମଧ୍ୟ ଅବଶ୍ୟ ସିଦ୍ଧିଲାଭ କରିବ ।’’

 

ବିଜୟ ସନ୍ନ୍ୟାସୀଙ୍କର ପଦଧୂଳି ନେଇ ନିଜର ପରିଚୟ ପ୍ରଦାନ କଲା ଏବଂ ସନ୍ନ୍ୟାସୀଙ୍କ ଠିକଣା ନେଇ ହୋଟେଲ ଅଭିମୁଖ ପ୍ରତ୍ୟାବର୍ତ୍ତନ କଲା ।

 

ସନ୍ନ୍ୟାସୀ ପ୍ରଶାନ୍ତ ଚିତ୍ତରେ ସୂର୍ଯ୍ୟକିରଣରେ ଉଦ୍‌ଭାସିତ ମହୋଦଧି ଉପରୁ ଚକ୍ଷୁ ଅପସାରଣ କରି ନୀଳଚକ୍ର ଆଡ଼କୁ ଚାହିଁ ସାର୍ଥକ ଓ ପବିତ୍ର ପ୍ରାଣରେ ଯୋଡ଼ହସ୍ତ ହୋଇ ଧ୍ୟାନମଗ୍ନ ହେଲେ ।

•••

 

୨୪

 

ହୋଟେଲର ଏକ କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ବସି ବିଜୟ ସମୁଦ୍ରର ନୀଳ ବୀଚିମାଳା ଦେଖୁ ଦେଖୁ ଭାବୁଥିଲା ମନେ ମନେ ସନ୍ନ୍ୟାସୀ ସଚ୍ଚିଦାନନ୍ଦଙ୍କ ନିର୍ମଳ ଜୀବନ ଓ ବିରାଟ ବ୍ୟକ୍ତିତ୍ୱର ଗରିମାମୟ କଥା । ସନ୍ନ୍ୟାସ ଗ୍ରହଣ କରି ସଂସାରର ଶ୍ରମ ଓ ସାର୍ଥକତା, ସ୍ୱେଦ ଓ ଶୋଣିତର ମହତ୍ତ୍ୱକୁ ସେ କେଳବ ସ୍ୱୀକାର କରିନାହାନ୍ତି, ତାଙ୍କ ମତରେ ପ୍ରତ୍ୟେକ ମଣିଷ ଅମୃତର ପୁତ୍ର; ତେଣୁ ସେ ଅମୃତର ଅଧିକାରୀ । ମନୁଷ୍ୟ ନିଜ କର୍ମବଳରେ ତପସ୍ୟାବଳରେ ଏବଂ ସାଧନାଦ୍ୱାରା ଜନ୍ମଠାରୁ ମୃତ୍ୟ ପର୍ଯ୍ୟନ୍ତ କର୍ମ କରିବ, କର୍ତ୍ତବ୍ୟରେ ନିଜକୁ ନିୟୋଜିତ କରିବ ଏବଂ ଦୁନିଆରେ ଯାହା ସତ, ମହତ୍‌ ଓ ପିବତ୍ର, ତାହା ଗ୍ରହଣ କରିବ ।

 

ବିଜୟ ଭାବେ-ସେ କଣ କରିପାରିଛି ଏସବୁ ? ସେ ଆଜି ପର୍ଯ୍ୟନ୍ତ ନିଜର ଜୀବନକୁ ଶ୍ରାବଣର ଦୁଇ କୂଳ ଉଛୁଳା ନଦୀ ପରି ବୁହାଇ ଦେଇଛି । ସେହି ବନ୍ୟାରେ କେବଳ ସେ ଥଳକୂଳ ହରାଇ ଭାସିଯାଇନାହିଁ; ଅନ୍ୟକୁ ମଧ୍ୟ ଆକ୍ରାନ୍ତ କରିଛି । ତାହାରି ଚକ୍ରାନ୍ତ ଫଳରେ ଏକାମାତ୍ର କନ୍ୟାର ପିତା ଜମିଦାର ନରେନ୍ଦ୍ର ବାବୁ କନ୍ୟା-ବିଚ୍ଛେଦ ଶୋକରେ ମ୍ରିୟମାଣ । ସ୍ୱାମୀଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ନନ୍ଦିତା ନିଜର ଜୀବନକୁ ପଳେ ପଳେ ବିଡ଼ମ୍ବନା ଓ ହାହାକାର ମଧ୍ୟର ଦଗ୍‌ଧ କରୁଛି । ଜନନୀର ଚକ୍ଷୁରୁ ଅବାରିତ ଲୋତକ ଝରୁଛି ସନ୍ତାନର ଦୁର୍ଗତି ଦେଖି । ଏହିଠାରୁ ବଳି ଆଉ କଣ ଅଧଃପତନ ହୋଇପାରେ ତାର ? ତାରି କାମନାର ଆକର୍ଷଣରେ କେତେ ତରୁଣୀ ନିଜକୁ ପତଙ୍ଗ ପରି ଜାଳିପୋଡ଼ି ଦେଇଛନ୍ତି !!

 

ସମସ୍ତେ ଆଜି ଚାଲିଯାଇଛନ୍ତି । କାହାକୁ ଧରି ରଖି ପାରିନାହିଁ, କେହି ଚିରଦିନ ପାଇଁ ଧରା ଦେଇନାହିଁ ତା ପାଖରେ । ଯେ ଧରାଦେଇ ଅଯାଚିତ ଭାବରେ ଅଧର ବଢ଼ାଇ ହେଇଥିଲା, ତାହା କଣ ଗ୍ରହଣ କରିଥିଲା ବିଜୟ ? ମନେପଡ଼ିଲା ତାର ନନ୍ଦିତାର କଥା-ମନେପଡ଼ିଲା ତାର ସୁଶ୍ରୀ ନନ୍ଦିତାର ଛଳ ଛଳ ଚକ୍ଷୁର ଲୋତକଧାର । କେତେ ସାଧନାର ଧନ ପାଇଲା ପରି ଦୌଡ଼ି ଆସିଥିଲା ନନ୍ଦିତା ତାର ବାହୁ-ବେଷ୍ଟିନି ଭିତରେ ଧରାଦେବା ପାଇଁ । କିନ୍ତୁ ସେହି ସ୍ମିତ-ମଧୁର ହାସ୍ୟମଣ୍ଡିତାକୁ ସେ ଗ୍ରହଣ ନ କରି ଫେରାଇ ଦେଇଥିଲା-ଫେରାଇ ଦେଇଥିଲା ଅଗ୍ନି-ଦଗ୍‌ଧ କରିବା ପାଇଁ । ଆହା ! ବିଚାରୀର ସବୁ ସ୍ୱପ୍ନ ସବୁ କଳ୍ପନା ନିମିଷକେ ଲିଭାଇ ଦେଇଥିଲା ସେ । ସନ୍ତାପର ସନ୍ତର୍ପଣରେ ବିଜୟର କପାଳରେ ଘର୍ମବିନ୍ଦୁ ଦେଖାଦେଲା । ସେ ସଚ୍ଚିଦାନନ୍ଦଙ୍କର ସେହି ଶାଶ୍ୱତ ବାଣୀ ମନେକରି ପୁଣିଥରେ ସିଦ୍ଧାନ୍ତ କଲା-ନିଜର ଜନନୀ ଓ ସ୍ତ୍ରୀ ନିକଟକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ । ଯିବା ଆଗରୁ ପତିତପାବନଙ୍କୁ ଜଣାଇ ଦେଇଯିବ ତାର ଗୁହାରି, ତାର ମନୋବ୍ୟଥା-। ସେ ପତିତକୁ ପାବନ କରିବେ, ମୁକ୍ତ କରିବେ-ସେଇଥିପାଇଁ ତ ପତିତପାନ ନାମ ଆଗ୍ରହ ଗ୍ରହଣ କରିଛନ୍ତି ମହାପ୍ରଭୁ । ପୁରୁଷୋତ୍ତମଙ୍କ ପବିତ୍ର ଚରଣ ତଳେ ନିଜର ଅଶାନ୍ତ, ଅପବିତ୍ର ମସ୍ତକକୁ ଲଗାଇଦେବା ପାଇଁ ଶ୍ରୀମନ୍ଦିର ଆଡ଼କୁ ଅଗ୍ରସର ହେଲା ବିଜୟ ।

 

ରାସ୍ତାରେ ଜନଗହଳି । କିଏ ଫେରୁଛି, ଆଉ କିଏ ବା ଯାଉଛି ଜଗନ୍ନାଥଙ୍କ ଦର୍ଶନ ପାଇଁ-। କେତେ ପ୍ରାଣର କେତେ ମିନତି, କେତେ କୋଟି ଆଖିର କେତେ ଆକୁଳତା ! ସମସ୍ତଙ୍କୁ ଆଶ୍ରୟ ଦେବା ପାଇଁ ଆଲିଙ୍ଗନ କରିବା ପାଇଁ ବଳିଆରଭୁଜ ବାହୁ ଟେକି ଅପେକ୍ଷା କରି ବସିଛନ୍ତି; କହୁଛନ୍ତି-ଏ ଦୁନିଆର ଯେତେ ପାପ, ତାପୀ ଅଛ, ସମସ୍ତେ ଆସ, ମେର ଚରଣ ତଳେ ସମସ୍ତଙ୍କର ପରିତ୍ରାଣ, ମୋର ପ୍ରସାଦ-ସେବନରେ ସମସ୍ତଙ୍କର କୈବଲ୍ୟପ୍ରାପ୍ତି । ସେ ତ ଜଣକର ନୁହନ୍ତି ସେ ସମସ୍ତଙ୍କର । ସେଇଥିପାଇଁ ଜଗନ୍ନାଥ ମୋକ୍ଷକାମୀ ଭକ୍ତମାନଙ୍କ ଦର୍ଶନ ଦେବା ପାଇଁ ଦାରୁବ୍ରହ୍ମବେଶରେ ବସି ରହିଛନ୍ତି ନୀଳଗିରର ରତ୍ନସିଂହାସନ ଉପରେ ।

 

ନିଜକୁ ନିଜେ ପରିଚାଳିତ କଲା ପରେ ଆଜି ବିଜୟର ପ୍ରଥମ ଶ୍ରୀମନ୍ଦିର-ଦର୍ଶନ ମଙ୍ଗଳା ପୀଠ, ଦେବୀ ବିମଳା, ବଟଗଣେଶ, ବରଦାତ୍ରୀ ଅନ୍ନପୂର୍ଣ୍ଣଙ୍କ ଦର୍ଶନ ଶେଷ କରି ଯେତେବେଳେ ଗରୁଡ଼ସ୍ତମ୍ଭରେ ଯାଇ କାନ୍ଧ ଲଗାଇଲା ବିଜୟ-ସେତେବେଳେ ପ୍ରାଣରେ ତାର ଅଫରନ୍ତ ଆଲୋକ, ଅସରନ୍ତି ଆନନ୍ଦ-ଯେପରିକି ଜୀବନର ସମସ୍ତ କାଳିମା, କଳୁଷିତ ଅତୀତ ଅନ୍ତର୍ହିତ ହୋଇଯାଇଛି ପୁଣ୍ୟପୀଠରେ ପାଦ ଦେଇ । ସେଇଠାରୁ ଦେଖିଲା ଦୁଇ ଭାଇ ଓ ଭଉଣୀଙ୍କ ସୁଚାରୁ ଓ ସୁଦର୍ଶନ ମୂର୍ତ୍ତି । ସେଇଠାରେ ସାଷ୍ଟାଙ୍ଗ ପ୍ରଣାମ କଲା ବିଜୟ ।

 

ଜଗନ୍ନାଥଙ୍କ ପୀଠତଳେ ନିଜକୁ ମୁହୂର୍ତ୍ତକ ମଧ୍ୟରେ ହଜାଇଦେଲା ସେ । ତଳୁଉଠି ଯେତେବେଳେ ପତିତପାବନଙ୍କ ଚକାନୟନକୁ ଚାହିଁଲା- ବିଜୟ ଅନୁଭବ କଲା ତାର ଦୁଇ ଚକ୍ଷୁଭରି ଲୁହ । ପୋଛିଲା ନାହିଁ ସେ ଲୁହ-ଜାଣି ଜାଣି ଲୋତକଧାର ବହିଯିବା ପାଇଁ ପାଇଁ ଦେଲା । ଯାଉ, ତା ଜୀବନର ସମସ୍ତ କଳୁଷ-କାଳିମା ଧୋଇ ବହିଯାଉ ଅଶ୍ରୁଧାର । ପୀଠ ପ୍ରଦକ୍ଷିଣ କରି ମହାପ୍ରଭୁଙ୍କ ଚରଣତଳେ ପଣି ଥରେ ସାଷ୍ଟଙ୍ଗ ପ୍ରଣାମ ଶେଷ କରି ଯେତେବେଳେ ଫେରିବା ପାଇଁ ମୁହଁ ଫେରାଇଲା ବିଜୟ, ଦେଖିଲା ତାର ସମ୍ମୁଖରେ ସଦାହାସ୍ୟମୟୀ ଜନନୀର ଅଭୟ ମୂର୍ତ୍ତି । ଶୈବାଳିନୀ ପୁଅକୁ ଛାତିରେ ଜଡ଼ାଇଧରି ଅସ୍ପଷ୍ଟ ସ୍ୱରରେ କଣ କହି ଉଠିଲେ-ଆଉ ତା ପରେ ପରେ ତାଙ୍କ ଦୁଇ ଆଖି ଭସାଇ ବାଧା ନ ମାନି ବହିଗଲା ଆନନ୍ଦାଶ୍ରୁ । ଜଗନ୍ନାଥେ ଆଜି ବିଜୁକୁ ମଣିଷ କରିଛନ୍ତି, ଫେରାଇ ଆଣିଛନ୍ତି ମା କୋଳକୁ-ଏହାଠାରୁ ବଳି ବଡ଼ ଆନନ୍ଦ ଆଉ କଣ ହୋଇପାରେ ତାଙ୍କ ଜୀବନରେ ?

 

ବିଜୟ ମା’ଙ୍କର ଆଲିଙ୍ଗନ ଭିତରେ ପିଲା ପରି କଇଁକଇଁ ହୋଇ କାନ୍ଦିଉଠିଲା, ଆଉ ସଙ୍ଗେ ସଙ୍ଗେ ତାର ଜୀବନର ଅନ୍ଧକାରମୟ ଅତୀତ କଟିଯାଇ, ସ୍ନେହ-ମମତା କରୁଣାର ଅମାପ ଆଲୋକରେ ଜୀବନ ଉଦ୍ଭାସିତ ହୋଇଉଠିଲା । ନନ୍ଦିତା ବୁଝିପାରିଲା ତାର ରୁକୁଣା-ରଥକୁ ଜଗନ୍ନାଥେ ଲେଉଟାଇ ଦେଇଛନ୍ତି । ସେ ଚକାଡୋଳାଙ୍କର ପାଦ ପଦ୍ମତଳେ ପ୍ରଣାମ କରି ସ୍ୱାମୀଙ୍କର ପଦଧୂଳି ନେଲା । ବିଜୟ ନନ୍ଦିତାଙ୍କର ମୁହଁକୁ ଅନାଇ ଟିକିଏ ହସି ଦେଲା କେବଳ । ସେଇ ହସ ଟିକକ ଭିତରେ ଯେପରି ଭରି ରହିଥିଲା ଆନନ୍ଦ ଓ ଆଲୋକ । ନନ୍ଦିତାର ତପସ୍ୟା ଶେଷ ହେଲା । ତାର ସାଧନା ସିଦ୍ଧିଲାଭରେ ସୁଶୋଭିତ ହୋଇଉଠିଲା । ସେ ଶାଶୁଙ୍କ ସହିତ ଜଗନ୍ନାଥ-ଦର୍ଶନ ଶେଷ କରି ସ୍ୱାମୀ ସହିତ ଯେତେବେଳେ ବଡ଼ଦାଣ୍ଡରେ ପାଦ ଦେଲା–ସେତେବେଳେ ମନେହେଲା ତାର, ଯେପରି ତାର ଉଚ୍ଚତା କିଛି ବଢ଼ି ଯାଇଛି । ଜୀବନର ସମସ୍ତ ଗ୍ଳାନି, ପରାଭବ ଓ ବିଡ଼ମ୍ବନା ବଡ଼ଦାଣ୍ଡର ସେଇ ପବିତ୍ର ଧୂଳିରେ ଝଡ଼ିପଡ଼ି କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ବଡ଼ଦାଣ୍ଡ ଉପରକୁ ଆସି ଘରବାହୁଡ଼ା ପୁଅକୁ ଆଉଥରେ ଭଲ କରି ଦେଖିଲେ ଶୈବାଳିନୀ । ବିଜୁ ତାଙ୍କର ଝଡ଼ିଯାଇଛି -ମୁଣ୍ଡବାଳ ନୁଖୁରା, ଅଯତ୍ନରେ ଶୁଖିଯାଇଛି ମୁହଁ । ସମଗ୍ର ଦେହରେ ଯେପରି ଏକ ସ୍ନିଗ୍‌ଧ କାରୁଣ୍ୟ । ମାଆ ହୃଦୟ -ଏକମାତ୍ର ସନ୍ତାନର ନିରିମାଖି ବେଶ ଦେଖି ହୃଦୟ ଆକୁଳ ଆବେଗରେ ପୂର୍ଣ୍ଣ ହୋଇଉଠିଲା ।

 

‘‘ଆହା, ତୁ ସୁନା ଦେହକୁ କଣ କରୁଛୁରେ ବାପା ? ଆଗର ସେ ହସ, ଦେହ ତୋର କୁଆଡ଼େ ଗଲା ?’’

କହିବା ସଙ୍ଗ ସଙ୍ଗେ ଶୈବାଳିନୀଙ୍କ ଆଖି ଛଳଛଳ ହୋଇଆସିଲା । ସେ ପଣତ କାନିରେ ଲୁହ ପୋଛି ବିଜୟର ଦେହରେ ପୁଣି ଥରେ ଜନନୀର ମଙ୍ଗଳମୟୀ ହାତ ବୁଲାଇ ପଚାରିଲେ-

 

‘‘ତୁ କେତେଦିନ ହେଲା ପୁରୀ ଆସିଲୁଣି ବାପା ?’’

 

‘‘ମୁଁ ପ୍ରାୟ ମାସେ ହେବ ପୁରୀରେ ଅଛି ବୋଉ ! ଆଉ ତା ଛଡ଼ା ଦେହ ମଧ୍ୟ ମୋର ବିଶେଷ ଭଲ ନାହିଁ ।’’

 

‘‘ଦେହ ଭଲ ନାହିଁ ? କଣ ହୋଇଛି ବିଜୁ ? କାହିଁ ଏ ମା’ଟାକୁ ତୁ ଥରେ ହେଲେ ଖବରଟାଏ ଦେଇନାହୁଁ ?’’

 

ମା ଉଦ୍‌ବେଗ ଓ ଅଭିମାନରେ କହିଲେ । ଘୋଡ଼ା ଗାଡ଼ିରେ ବସିଛନ୍ତି ସମସ୍ତେ । ଗାଡ଼ି ବଡ଼ଦାଣ୍ଡ ପାରହୋଇ କଲେଜ ରାସ୍ତେ ଉପରେ ଚାଲିଛି ।

 

‘‘ସେପରି କିଛି ନୁହେଁ ବୋଉ ... ଭାବିବା ଦରକାର ନାହିଁ । ଭଲ ହୋଇଗଲାଣି । ତେବେ କଣ କି, ଆଜିକୁ କେଇଦିନ ହେଲା ଖିଆପିଆର ଅଯତ୍ନ ଯୋଗୁ ଦେହଟା ଭଲ ଲାଗୁନାହିଁ-।’’

 

ନନ୍ଦିତା ସ୍ୱାମୀଙ୍କର ମୁହଁକୁ ଆଡ଼ନୟନରେ ଚାହିଁଲା ଥରେ । ଆଖି ପୂରାଇ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ଥରେ ନୁହେଁ ବହୁଥର ଲୋଡ଼ା ତାର । ସେ ବିଜୟର ମୁହଁରେ ଏକ ଭାଗାବେଗ ଲକ୍ଷ୍ୟ କଲା । ସେ ଯେ ପ୍ରକୃତରେ ଘରକୁ ଫେରିଛନ୍ତି, ଏଥିରେ ଆଉ ସନ୍ଦେହର ଅବକାଶ ରହିଲା ନାହିଁ ନନ୍ଦିତାର ।

 

‘‘ଏବେ ମାସେ-ଅଧେ ଘରେ ରହିବୁ ତ ବିଜୁ ?’’

 

ସ୍ୱାମୀଙ୍କ ମୁହଁରୁ ମା’ଙ୍କର ଏଇ ପ୍ରଶ୍ନର ଉତ୍ତର ଚାହୁଁଥିଲା ଯେପରି ନନ୍ଦିତା । ସେ ଯେପରି କିଛି ଶୁଣିନାହିଁ ଏହିପରି ବାହାନା କରି ବାହାରକୁ ଉଁକିମାରି ଚାହିଁଲା ।

 

‘‘ହଁ ମା, କୋର୍ଟ ବନ୍ଦ ଅଛି ପୂଜାଛୁଟି ପାଇଁ । ଏଇ କେଇଦିନ ଘରେ ରହିବ ।’’ ବିଜୟ ଉତ୍ତର ଦେଲା ।

 

ମା ଆନନ୍ଦିତ ହେଲେ ପୁଅର ଉତ୍ତର ଶୁଣି । ନନ୍ଦିତା ଅପେକ୍ଷା କଲା ସେଇ ବହୁ ଆକାଂକ୍ଷିତ ମୁହୂର୍ତ୍ତକୁ, ଯେତେବେଳେ ସେ ମନଖୋଲି ପ୍ରାଣଭରି କେଇପଦ କଥା ହେବ ସ୍ୱାମୀ ସାଙ୍ଗରେ । ବହୁଦିନର ରୁଦ୍ଧ ବେଦନା, ଅନ୍ତରର ଅଶେଷ ଅକୁହା କଥା ସବୁ ତ ସ୍ୱାମୀ ପାଖରେ ନିବେଦନ କରିବ ସେ ସହଜ ସରଳ ଭାବରେ-ହୃଦୟର ଆବେଗ ଦେଇ, ମନର ସ୍ନିଗ୍‌ଧତାରେ ସୁଷମାଣ୍ଡିତ କରି ! ରୋମାଞ୍ଚ ହେଲା ନନ୍ଦିତାର । ଦୀର୍ଘ ଅତୀତରେ ଅନୁଭୂତ ମାତ୍ର ଅସଫଳ ସେଇ ଉତ୍ତେଜନା ପୁଣି ଦେଖାଦେଲା ତାର ସମଗ୍ର ତନୁଲତାର ।

 

ଘର ସମାନାରେ ଗାଡ଼ି ଅଟକିଲା । ରାମ ଜିନିଷପତ୍ର ଯାହା ଥିଲା ଓହ୍ଳାଇ ନେଲା । ଶୈବାଳିନୀ ସମସ୍ତଙ୍କ ନେଇ ପ୍ରବେଶ କଲେ ପ୍ରକୋଷ୍ଠ ଭିତରେ । ଏଇ ଘର ବିଜୁର ବାପା ପ୍ରାୟ ତିରିଶ ବର୍ଷ ତଳେ ତୋଳିଥିଲେ ପୁରୀରେ । ସେ ନାହାନ୍ତ; କିନ୍ତୁ ତାଙ୍କର ଅଲକ୍ଷ୍ୟ ଉପସ୍ଥିତ ଯେପରି ପ୍ରତୀତ ହେଲା ତାଙ୍କ ପ୍ରାଣରେ । ବିଜୟର ବିଜୟବାହୁଡ଼ାରେ ଆନନ୍ଦର କୋଳାହଳ ଲାଗିଗଲା ଉଆସ ଭିତରେ । ତାଙ୍କ ଦେହରେ ଯେପରି ଆଜି ଶତସିଂହର ବଳ । ସେ ନିଜେ ଏଣେତେଣେ ଦଉଡ଼ାଦଉଡ଼ି କରି ଘର ସଜାଡ଼ିବା ପାଇଁ; ଚାକରମାନଙ୍କୁ ଆଦେଶ ଦେଉଛନ୍ତି । ରୋଷଇ ଘରେ କଣ କଣ ରୋଷେଇ ହେବ, ନିଜେ ନନ୍ଦିତାକୁ ଯାଇ କହି ଦେଇ ଆସୁଛନ୍ତି । କାହାରି କରିବାକୁ ଅପେକ୍ଷା ନାହିଁ, ନିଜେ ଯେପରି ଆଜି ସେ ସବୁ କାମ କରିପାରିବେ । ନିଜର ହଜିଲା ଅମୂଲ୍ୟ ଧନ ଫେରିପାଇଛନ୍ତି ସେ-ସେ କରିବେ ନାହିଁ ତ ଆଉ କଣ ଗାଁଲୋକେ ଆସି କରିବେ ? କେହି ବାରଣ କଲେ ଏଇ ହେଲା ତାଙ୍କ ଉତ୍ତର- ଆଉ ଏଇ ଉତ୍ତର ଭିତରେ ଫୁଟି ଉଠୁଥିଲା ଏକ ସରଳ ଜନନୀର ଅଫୁରନ୍ତ ସ୍ନେହ-ମମତା ।

ସନ୍ଧ୍ୟା ହୋଇଯାଇଥିଲା । ଠାକୁରଙ୍କ ଆଗରେ ସନ୍ଧ୍ୟାଦୀପ ଜାଳି ଦେଇ ସାଷ୍ଟାଙ୍ଗ ପ୍ରଣାମ ଜଣାଇ ନନ୍ଦିତାର ସଂସାର ସୁଖକୁ ଅଖଣ୍ଡ କରିବା ପାଇଁ ନିବେଦନ କଲେ ସେ । ଠାକୁର ତାଙ୍କର ଡାକ ଶୁଣିଛନ୍ତି । ବହୁଦିନ ପରେ ଫେରି ଆସିଛି ବିଜୟ । ଜୀବନରେ ତାଙ୍କର ଆଉକିଛି କାମନା ନାହିଁ, କେବଳ ଦୁଇ ଆଖି ବୁଜିବା ଆଗରୁ ଦେଖିଯିବା ପାଇଁ ଚାହାନ୍ତି ପୁଅର ପୂର୍ଣ୍ଣ-ସଂସାର-। ହସ-ଖେଳର ଜୁଆର ଭିତରେ ଶୁଣିବାକୁ ଚାହାନ୍ତି ଅନାଗତର ପଦଧ୍ୱନି-ଦେଖିବାକୁ ଚାହାନ୍ତି ପରିପୂର୍ଣ୍ଣ ନାରୀଜୀବନର ପ୍ରତୀକ ନନ୍ଦିତାର ଦେହ । ମନ ଓ ହୃଦୟରେ ପୁରୁଷର ଶୌର୍ଯ୍ୟ, ବୀର୍ଯ୍ୟ ଓ ପରାକାଷ୍ଠା ନେଇ ବିଜୟ ଦୀର୍ଘଜୀବୀ ହେଉ, ସୁଖୀ ହେଉ । ସେ ଆଉସବୁ ଚିନ୍ତା ଭୁଲିଯାଇଥିଲେ ଯେପରି । ଶୁଭେନ୍ଦୁ ଯେତେବେଳେ ରାତି ପ୍ରାୟ ଆଠଟାରେ ଫେରିଆସିଲା, ନିଜକୁ ଅପରାଧିନୀ ବୋଲି ମନେକଲେ ଶୈବାଳିନୀ । ସେ ବଡ଼ ସ୍ୱାର୍ଥପର ହୋଇ ପଡ଼ିଛନ୍ତି । ନିଜ ଜନ୍ମକଲା ପୁଅ କଥା ବ୍ୟତୀତ, ଯେଉଁମାନେ ତାଙ୍କୁ ଜନନୀରୂପେ ଗ୍ରହଣ କରିଛନ୍ତି, ସେ ଭୁଲି ଯାଇଛନ୍ତି ସେମାନଙ୍କ କଥା । ଶୁଭେନ୍ଦୁକୁ ଦେଖି ସେ ଚଞ୍ଚଳ ହୋଇପଡ଼ିଲେ ।

‘‘ଏତେ ରାତି ଯାଏ କଣ କରୁଥିଲୁ ବାପା ? ପ୍ରାୟଆଠଟା ବଜିଲାଣି-ସେଇ ସକାଳୁ ଗଣ୍ଡାଏ କଣ ତୁଣ୍ଡରେ ଦେଇଯାଇଛୁ ଯେ ଫେରୁଛୁ ରାତି ଆଠଟାରେ !’’

‘‘କଣ କରିବି ମା ? ସରକାରୀ କାମ -ଚାହିଁଲେ ମଧ୍ୟ ଶେଷ ହୁଏ ନାହିଁ । କଲେକ୍‌ଟରଙ୍କ ସହିତ ସାକ୍ଷାତ‌୍‌ କରୁ କରୁ ପ୍ରାୟ ଛ’ଟା ହୋଇଗଲା । ତା ପରେ ତାଙ୍କ ସହିତ ଆଲୋଚନା କରି, ସହର ବନ୍ୟା ସାହାଯ୍ୟ ସମିତି ସଭାପତିଙ୍କ ସହିତ ସାକ୍ଷାତ୍‍ କରି ଏଇ ଫେରୁଛି-।’’

‘‘ଆଉ ବିଳମ୍ବ କରନା ବାପା-ଯାଅ ଲୁଗାପଟା ବଦଳାଇ ଶୀଘ୍ର ଆସ । ଖାଇବାର ଯେଗାଡ଼ ଶେଷ ହୋଇଛି ପ୍ରାୟ ।’’

ହସି ହସି ପଚାରିଲା ଶୁଭେନ୍ଦୁ- ‘‘ଏତେଶୀଘ୍ର ?’’ କାରଣ ଦଶଟା ଆଗରୁ ପ୍ରାୟ କେବେ ରାତ୍ରି-ଭୋଜନ ହୁଏ ନାହିଁ ତାଙ୍କ ଘରେ । ପୂଜା, ଉପାସନା ଶେଷ କରି ଶୈବାଳିନୀ ଠାକୁରଘରୁ ଫେରନ୍ତି ପ୍ରାୟ ନଅଟାକୁ, ଆଉ ତା ପରେ ଆୟୋଜନ ହୁଏ ରାତି ଖାଇବାର । ଆଜି ଏଇ ବ୍ୟତିକ୍ରମ ଦେଖି ଟିକିଏ ଆଶ୍ଚର୍ଯ୍ୟ ଓ ଖୁସି ହେଲା ଶୁଭେନ୍ଦୁ । ଖୁସି ହେଲା ଏଇଥିପାଇଁ ଯେ, ଶୈବାଳିନୀ ତାର ଅନୁରୋଧ ଆଜି ରକ୍ଷା କରିଛନ୍ତି-ଶୀଘ୍ର ଖାଇ ପିଇ ବିଶ୍ରାମ କରି ପାରିବେ ।

‘‘କି ପୋଡ଼ା ମନ ମୋର ! ସବୁ କଥା କଣ ମନେପଡ଼ୁଛି ବାପା ! ତତେ କହିବାକୁ ଭୁଲିଯାଇଛି-ଆଜି ବିଜୁ ଆସିଛି-ବିଜୟ, ନନ୍ଦିତାର ସ୍ୱାମୀ ।’’-କହିଲେ ଶୈବାଳିନୀ ।

‘‘ଆଉ ଆପଣଙ୍କ ଏକମାତ୍ର ପୁଅ ମା !’’-ହସି ହସି କହିଲା ଶୁଭେନ୍ଦୁ ।

‘‘ତୁ କଣ ମୋ ପୁଅ ନୋହୁଁ ବାପା ? ଜନନୀର ଜିଜ୍ଞାସା ଭିତରେ କୃତ୍ରିମ ଭର୍ତ୍ସନା କରି ପଚାରିଲେ ସେ ।

‘‘ଆପଣ ଶତପୁତ୍ରର ଜନନୀ ମା ! ସମସ୍ତେ ଆପଣଙ୍କ ପୁଅ, ଆଉ ଆପଣ ସମସ୍ତଙ୍କର ମା ! ଆଚ୍ଛା ମା, ମୁଁ ତ ବିଜୟ ଭାଇଙ୍କୁ ଏପର୍ଯ୍ୟନ୍ତ ଦେଖି ପାରିନାହିଁ । ସେ ଅଛନ୍ତି କେଉଁଠାରେ ? ବାହାରକୁ ଟିକିଏ ଡାକିଦିଅନା ମା !’’

‘‘କାହିଁକିରେ-ତତେ କଣ ଘର ଭିତରକୁ ଯିବାକୁ ମନା କରିଛି କିଏ ? ବିଜୁ ତାର ପଢ଼ାଘରେ ବସି କଣ ଗୋଟାଏ ପତ୍ରିକା ପଢ଼ୁଥିଲା । ଆ ମୋ ସାଙ୍ଗରେ, ପରିଚୟ କରାଇ ଦିଏ ।’’

ପଢ଼ାଘରେ ବସି ଗୋଟିଏ ମାସିକ ପତ୍ରିକା ଉପରେ ଆଖି ବୁଲାଉଥିଲା ବିଜୟ । ଘରଟି ଛୋଟ । ଗୋଟିଏ ଛୋଟ ଟେବୁଲ, ତିନିଟି ଚୌକି ଓ ବହିପତ୍ର ରଖିବା ପାଇଁ ଗୋଟିଏ ଆଲମାରି । ସାଜସଜ୍ଜାର ବିଶେଷ ଆଡ଼ମ୍ବର ନାହିଁ । କାନ୍ଥକୁ ଲାଗି ବେତର ଗୋଟିଏ ସୋଫା । କାନ୍ଥରେ ତାର ସ୍ୱର୍ଗତ ପିତାଙ୍କର ଗୋଟିଏ ଛବି । ଝରକା ଦେଇ ଚାହିଁଲେ ସମୁଦ୍ର ଦୂରରୁ ଦୃଷ୍ଟିଗୋଚର ହୁଏ ।

‘‘ବିଜୁ ! ଏ ବିଜୁ ! କିଏ ଆସିଛି ଦେଖିଲୁ ବାପା !’’

ସ୍ୱାଭାବିକ ସ୍ନେହମଣ୍ଡିତ କଣ୍ଠରେ କହିଲେ ମା ।

‘‘କିଏ ମା ?’’

ମା ଭିତରକୁ ପ୍ରବେଶ କରି କହିଲେ ‘‘ଏଇ ଦେଖ, ମୋର ଆଉ ଗୋଟିଏ ପୁଅ ଶୁଭେନ୍ଦୁ-। ଆଜିକୁ ପ୍ରାୟ ଦୁଇ ମାସ ହେଲା ଆସି ବନ୍ୟାଞ୍ଚଳରେ ଦୁଃସ୍ଥ ଲୋକଙ୍କର ସେବା କରୁଛି । କାମରେ ଯେପରି, ଗୁଣରେ ସେଇପରି ।’’

ଶୈବାଳିନୀଙ୍କ କଣ୍ଠରେ କୁଣ୍ଠା ନ ଥିଲା । ପରପୁଅ ଆପଣା ପୁଅର ପାର୍ଥକ୍ୟ ଲୋପ କରି ଆଜି ଶୁଭେନ୍ଦୁ ତାଙ୍କ ପାଖରେ ନିଜ ପୁଅ ପରି ଆସନ ଗ୍ରହଣ କରିଛି; ଜନ୍ମଦ୍ୱାରା ନୁହେଁ-ନିଜର ଭକ୍ତ, ଶ୍ରଦ୍ଧା, କର୍ମ ଦ୍ୱାରା । ଶୁଭେନ୍ଦୁର ନାମ ଶୁଣି, ବିଜୁଳି ଚମକ ଲାଗିଲେ ଲୋକେ ଚମକିଉଠିଲା ପରି, ଚୌକି ଉପରେ ବସିଥିବା ବିଜୟ ପ୍ରାୟ ଛିଡ଼ା ହୋଇ କହିଲା–

‘‘କିଏ, କିଏ ମା ?’’

‘‘ଏଇ ଦେଖ ମୋ ପଛରେ କିଏ ଛିଡ଼ା ହୋଇଛି । ଶୁଭେନ୍ଦୁ, ଆଗକୁ ଆ ବାପା !’’ ଶୁଭେନ୍ଦୁ ବିଜୟକୁ ଚାହିଁ ଦେଇ ହତବାକ୍‌ ହୋଇ ଛିଡ଼ାହୋଇ ରହିଲା । ନମସ୍କାର କରିବାକୁ ଯାଇ ମଧ୍ୟ ଦଇ ହାତ ତାର ଯେ ଉଠିଥିଲା ଅଚଳ ହୋଇ ପଡ଼ିରହିଲା ସେଇଠି । ସେ ଚକ୍ଷୁ ଓ କର୍ଣ୍ଣର ବିବାଦ ମୀମାଂସା କରି ନିଜର ଜଡ଼ତା କାଟି ଯେତେବେଳେ ଅସ୍ୱସ୍ତିକର ମୁହୂର୍ତ୍ତକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟାକଲା, ସେତେବେଳେ ସ୍ୱତଃସ୍ଫୁର୍ତ୍ତି ଭାବରେ ମୁହଁରୁ ବାହାରିଗଲା-

‘‘ବସନ୍ତୁ ବିଜୟବାବୁ-ନମସ୍କାର !’’

ବିଜୟ ଏକ ସଂକ୍ଷିପ୍ତ ଉତ୍ତର-ନମସ୍କାର-ଜଣାଇ ବସିପଡ଼ିଲା ଚୌକି ଉପରେ । ନୂତନ ଆଗନ୍ତୁକକୁ ଦେଖିବାର ଆଗ୍ରହ ଯେପରି ନିମିଷକରେ ଅନ୍ତର୍ହିତ ହୋଇଗଲା ତା ମନରୁ । ସେମାନଙ୍କୁ ନୀରବ ଦେଖି କହିଲେ ଶୈବାଳିନୀ–

‘‘କିରେ ଦୁହେଁ ନୀରବ ରହିଲ ଯେ-ବସି କିଛି କଥାବାର୍ତ୍ତା କର । ମୁଁ ଚା ପଠାଇ ଦେଉଛି-।’’

 

ଶୈବାଳିନୀ ଚାଲିଗଲେ । ବିଜୟ ଓ ଶୁଭେନ୍ଦୁ ପରସ୍ପରକୁ ଚାହିଁ ନିସ୍ତବ୍‌ଧ ଭାବରେ ବସି ରହିଲେ କିଛି ସମୟ । ଶୁଭେନ୍ଦୁ ସ୍ତମ୍ଭୀତ ହେଉଥିଲା ଦେଖି, ଏକ ମହୀୟସୀ ଜନନନୀର ସନ୍ତାନ ହୋଇ ମଧ୍ୟ ବିଜୟ କିପରି ଧୂର୍ତ୍ତି, ପ୍ରବଞ୍ଚକ ଓ ବିଶ୍ୱାସଘାତକ ହୋଇପାରେ; ନନ୍ଦିତା ପରି ସରଳା, ପବିତ୍ର ପ୍ରାଣରେ ମସ୍ତକରେ ପଦାଘାତ କରି, ଯୌବନ ଓ ଜୀବନକୁ ବିଡ଼ମ୍ବିତ କରି ବିପଥଗାମୀ ହୋଇପାରେ । ଆହା ବିଚରା ନନ୍ଦିତା ! ସଙ୍ଗେ ସଙ୍ଗେ ମନେହେଲା ତାର, ବିଜୟକୁ ବିବାଦ ନ କରି ମାଧୁରୀ ନିଜକୁ ମୁକ୍ତ କରିଛି ବହୁ ଉଦ୍‌ବେଗ ଓ ଆଶଙ୍କାରୁ । କିନ୍ତୁ ନିଜର ସମସ୍ତ ଭାବନାକୁ ଦମନ କରି, ପରିବେଶକୁ ସହଜ ଓ ସ୍ୱାଭାବିକ କରିବା ପାଇଁ ବାକ୍ୟାଳାପ ଆରମ୍ଭ କଲା ଶୁଭେନ୍ଦୁ । ସେ ଭୁଲିଯିବା ପାଇଁ ଚେଷ୍ଟାକଲା ବିଜୟର ଅତୀତ ଏବଂ ନିଜର ଅପାମନ ।

 

‘‘ସେଦିନ ଆପଣ ଭଲରେ ଆସି ପହଞ୍ଚିଲେ ତ ବିଜୟବାବୁ ?’’

‘‘ହଁ-’’

 

ବିଜୟର ସଂକ୍ଷିପ୍ତ ଉତ୍ତର । ନିଜକୁ ଶୁଭେନ୍ଦୁ ସହିତ ନିଜ ଘରେ ଏପରି ଅବସ୍ଥାରେ କେବେ ଦେଖିବ ବୋଲି ସେ କଳ୍ପନା ମଧ୍ୟ କରି ନ ଥିଲା । ଭାବୁଥିଲା ସେ, ଶୁଭେନ୍ଦୁ ତା ଭାଗ୍ୟାକାଶରେ କେବଳ ଧୂମକେତୁ ହୋଇ ଦେଖା ଦେଇନାହିଁ, ତାକୁ ଗ୍ରାସ ମଧ୍ୟ କରିପାରେ । ସନ୍ଦେହ ହେଲା ତାର, ହୁଏତ ଶୁଭେନ୍ଦୁ ସମସ୍ତ କଥା କହିଦେଇଛି ତା ମା ପାଖରେ । ଛି, ଛି. କି ଲଜ୍ଜା ! ଅନୁଶୋଚନାରେ ଅନ୍ତର ତାର କରୁଣ ହୋଇଉଠିଲା । ବିଜୟ ସଚ୍ଚିଦାନନ୍ଦ କଥା ମନେ ପକାଇଲା । ସେ କହିଥିଲେ, ‘ମଣିଷ ଭୁଲ କରେ, ପାପ କରେ । କିନ୍ତୁ କେବଳ ଭୁଲ ଓ ପାପ ଦେଇ ତ ତାକୁ ବିଚାର କଲେ ଚଳିବ ନାହିଁ ଯୁବକ ? କାହିଁକି ସେ ଭୁଲ କଲା, କେଉଁ ପରିସ୍ଥିତିରେ ସେ ପାପ କଲା, ତାହା ବିଚାର କରିବାକୁ ହେବ । ଯେ ଭୁଲ କରିଛି, ପାପ କରିଛି, ସେ ଯଦି ଅନୁତାପ କରେ, ଯାହା କରିଛି ତାହା ପରିତ୍ୟାଗ କରି ପୁଣି ସତ୍‌ମାର୍ଗରେ ନିଜକୁ ଚାଳିତ କରେ, ତା ହେଲେ ସେ ସମସ୍ତ ଭୁଲ ଓ ପାପଜନିତ ଅପରାଧରୁ ମୁକ୍ତ; ସେ ନୂତନ ଆଲୋକରେ ଅଧିକାରୀ ।’

 

ବିଜୟ ସମସ୍ତ ଅତୀତକୁ ଭୁଲିଯିବା ପାଇଁ ଚେଷ୍ଟା କଲା । ଚେଷ୍ଟା କଲା ଅନୁତପ୍ତ ଅନ୍ତରରେ ସତ୍‌ଚିନ୍ତା ଓ ସତ୍‌ମାର୍ଗର ଆଲୋକ-ବର୍ତ୍ତିକା ଜାଳିବା ପାଇଁ । ଯେତିକି ଚିନ୍ତା କଲା ସେ ସଚ୍ଚିଦନନ୍ଦଙ୍କ ବାଣୀ ସମ୍ବନ୍ଧରେ, ସେତିକି ଆଶ୍ୱସ୍ତ ଓ ଆରାମ କଲା ଓ ସେହି ପରିମାଣରେ ନିଜର ଭାରି ମନକୁ ହାଲୁକା କରି ଶୁଭେନ୍ଦୁ ପ୍ରତି ଶ୍ରଦ୍ଧାବାନ ହୋଇ ଉଠିଲା ।

 

ଅଳ୍ପ ସମୟ ନୀରବ ରହି ବିଜୟ କହିଲା, ‘‘ତୁମର ବନ୍ୟା-ସାହାଯ୍ୟ କାମ ଶେଷ ହେଲା ତ ଶୁଭେନ୍ଦୁ ?’’

 

‘‘ନା, ଶେଷ ହେଲା କୁଆଡ଼େ ? ଅନେକ ଅଞ୍ଚଳରେ ଲୋକମାନଙ୍କର ନୂଆ ଘର କରିବାର ଶକ୍ତି ବା ସାମର୍ଥ୍ୟ ନାହିଁ । ସରକାରୀ ସାହାଯ୍ୟ ନ ହେଲେ ନଚଳେ । ବେସରକାରୀ ସୂତ୍ରରେ ଯାହା ବା ମିଳିଥିଲା ସେ ସବୁ ପ୍ରାୟ ଶେଷ ।’’

 

‘‘ତା ହେଲେ ତ ଶୀଘ୍ର ସେମାନଙ୍କୁ ଥଇଥାନ କରିବାର ଆଶା ନାହିଁ ଦେଖୁଛି’’

 

‘‘ଆଶା କ୍ଷୀଣ ବିଜୟବାବୁ ! କିନ୍ତୁ ମୁଁ ଆଶା ଛାଡ଼ିନାହିଁ । ସରକାରୀ ସାହାଯ୍ୟ ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ ସହିତ ବାରମ୍ବାର ଆଳାପ-ଆଲୋଚନା କରିବା ପାଇଁ ହେବ ଏବଂ ସେଇଥିପାଇଁ ମୁଁ ପୁରୀ ଆସିଛି ।’’

 

‘‘ଭଲ କରିଛ ତୁମେ । ଆଜିକାଲି ଧୀର ହୋଇ ଗାଁରେ ରହି ସରକାରୀ ସାହାଯ୍ୟକୁ ଚାହିଁ ବସିଲେ ସରକାରୀ ସାହାଯ୍ୟ ଆସିଯିବ ନାହିଁ । ସରକାରଙ୍କୁ ବିଧିବଦ୍ଧ ଭାବରେ ସାହାଯ୍ୟଦାନର ଗୁରୁତ୍ୱ ସମ୍ବନ୍ଧରେ ଅବହିତ କରିବାକୁ ହେବ ।’’

 

‘‘ନିଶ୍ଚୟ, ନିଶ୍ଚୟ । ଆପଣ ଆସିଯାଇଛନ୍ତି । ଆପଣଙ୍କ ନେତୃତ୍ୱ ପାଇଲେ ମୁଁ ଆହୁରି ଅନେକ ବେଶୀ କାର୍ଯ୍ୟ କରିପାରିବି ।’’

 

‘‘ନିଶ୍ଚୟ ପାଇବ । ନେତା ତ ତୁମେ । ତେବେ ତୁମ କାମରେ ସହାୟତା କରିବାରେ ତିଳେ ହେଲେ ମୋର ଆପତ୍ତି ନାହିଁ; ବରଂ ମୁଁ ଉତ୍ସାହିତ ବୋଧ କରିବି ।’’

 

‘‘ମୁଁ ଧନ୍ୟ ହେବି ବିଜୟବାବୁ ! ମହୀୟସୀ ମା’ଙ୍କର ପୁଅ ହୋଇ ଆପଣଙ୍କଠାରୁ ଏହାହିଁ ସମସ୍ତେ ଆଶା କରିବେ ।’’

 

‘‘ମା କଥା କହୁଛ ? ତାଙ୍କ କଥା ଅଲଗା -ମୁଁ ତାଙ୍କର ଏକ ଅଧମ ସନ୍ତାନ ।’’

 

ଅନ୍ତରର ଆକୁଳତାରେ କହିଲା ବିଜୟ । ଶୈବାଳିନୀ କୋଠରି ଭିତରକୁ ପ୍ରବେଶ କରୁ କରୁ ଶୁଣିଲେ ଏଇ ଶେଷ ପଦକ ।

 

‘‘ସେ କଥା ଆଉ ତୁଣ୍ଡରେ ଧରିବୁ ନାହିଁ ବିଜୁ ! ତୁ ମୋର ଅଧମ ସନ୍ତାନ ନୋହୁଁ । କେତେ ବ୍ରତ-ଉପାସନା କରି, ଠାକୁରଙ୍କ ପାଦତଳେ କେତେ ଅର୍ଘ୍ୟ ଦେଇ ସେଇ ତପସ୍ୟାରୁ ପାଇଛି ମୁଁ ତତେ । ତୁ ଅସତ୍‌, ତୁ ଅଧମ ହୋଇପାରୁନା ବାପା !’’

 

ସେ ସ୍ୱାମୀଙ୍କ ଛବିକୁ ଚାହିଁ ଉଦ୍‌ଗତ ଅଶ୍ରୁ ମୋଚନ କରି କହିଲେ ପୁଣି –

 

‘‘ଅଭିଭାବକର ଅଭାବରୁ ତୁ ଭୁଲ କରିଥିଲୁ ବିଜୁ ! ହେଲେ ଘରପୁଅ ତୁ ଘରକୁ ଫେରିଛୁ । ତୋର ସମସ୍ତ ଅପରାଧ ଶେଷ ହୋଇଯାଇଛି । ମୁଁ ଆଶୀର୍ବାଦ କରୁଛି ବାପା-ତୁ ବଡ଼ ହୁଅ, ମହାନ୍‌ ହେବା ପାଇଁ ଚେଷ୍ଟାକର ।’’

 

ତାଙ୍କର ଅନ୍ତର ପୁତ୍ରସ୍ନେହରେ ପରିପୂର୍ଣ୍ଣ ହୋଇ ଉଠିଥିଲା । ବିଜୟ ଉଠିମା’ଙ୍କର ପାଦ ଛୁଇଁ ପ୍ରଣାମ କଲା ।

 

ମୋତେ ସେଇ ଆଶୀର୍ବାଦ କର ମା !’’

 

ଶୁଭେନ୍ଦୁ ମା-ପୁଅଙ୍କର ଏହି ମଧୁର ମିଳନରେ ଆନନ୍ଦରେ ଆତ୍ମହରା ହୋଇଉଠିଲା । ସେ ମା’ଙ୍କୁ ପ୍ରଣାମ କରି କହି ପକାଇଲା-‘‘ମୋତେ ମଧ୍ୟ ସେହି ଆଶୀର୍ବାଦ କର ମା !’’

 

ଶୈବାଳିନୀ ଶୁଭେନ୍ଦୁ ଓ ବିଜୟକୁ ଛାତି ଉପରକୁ ଆଉଜାଇ ନେଇ ସ୍ନିଗ୍‌ଧ ମଧୁର କଣ୍ଠରେ କହିଉଠିଲେ –

 

‘‘ତାହାହିଁ ହେଉ ବାପା-ତାହାହିଁ ହେଉ ।’’

 

ସେ ପାଖରୁ ନନ୍ଦିତା କହିଲା-‘‘ଏଣେ ଯେ ଭାତ ଥଣ୍ଡା ହେଉଛି ମା ! ଶୀଘ୍ର ଡାକି ଆଣ-।’’

 

‘‘ଦେଖିଲୁ, ପୋଡ଼ା ମନ ମୋର ! ମୁଁ ଦୁଇ ପୁଅଙ୍କୁ ଏକାପାଖରେ ପାଇ ଭୁଲିଯାଇଛି ମା ସବୁ । ଶୁଭେନ୍ଦୁ, ଚାଲ ବାପା, ଆ ବିଜୁ ! ଖାଇବାକୁ ବାଢ଼ି ସାରିଲାଣି ନନ୍ଦିତା ।’’

 

‘‘ସଙ୍ଗେ ସଙ୍ଗେ ଆସୁଛି ମା -’’ କହି ମୁହଁ ହାତ ଧୋଇ ଲୁଗା ବଦଳାଇବା ପାଇଁ ଚାଲିଗଲା ଶୁଭେନ୍ଦୁ ।

 

ଖାଇଲାବେଳେ ଅଧିକ ଯତ୍ନ କରି ବିଭିନ୍ନ ଜିନିଷ ଖୁଆଇଲେ ଶୈବାଳିନୀ । ନନ୍ଦିତାର ନୈପୁଣ୍ୟ, ତାର ସାନ୍ନିଧ୍ୟ ବିଜୟ ପ୍ରତ୍ୟେକ ଜିନିଷରେ ଅନୁଭବ କଲା । ଅନ୍ତର ଭିତରେ ଯେଉଁ ନନ୍ଦିତା ପାଇଁ ତିକ୍ତତା ଓ ଅନାଗ୍ରହ ପ୍ରବଳ ବେଗରେ ତାକୁ ଟାଣିନେଇଥିଲା ଅନ୍ୟ ପଥରେ, ସେହି ନନ୍ଦିତାର ସାନ୍ନିଧ୍ୟ ଓ ସ୍ପର୍ଶ ପାଇଁ ବିପୁଳ ଆବେଗର ସହିତ ପ୍ରତୀକ୍ଷା କଲା ବିଜୟ । ନନ୍ଦିତା ପ୍ରତି ଯେଉଁ ଅନ୍ୟାୟ କରିଥିଲା, ସେଇ କଥାର ସ୍ମରଣରେ ତାର ଅନ୍ତର ହାହାକାର କରିଉଠିଲା । ସେ ଲକ୍ଷ୍ୟ କରି ଅନୁଭବ କଲା ନନ୍ଦିତା ତାର ପ୍ରତ୍ୟେକ କାର୍ଯ୍ୟକଳାପ ଆଶା ଓ ଆଶଙ୍କା ନେଇ ଲକ୍ଷ୍ୟ କରୁଛି । ଖିଆପିଆ ଶେଷ କରି ବିଜୟ ଶୁଭେନ୍ଦୁ ପାଖରୁ ବିଦାୟ ନେଇ ବିଶ୍ରାମ ପାଇଁ ନିଜ ପ୍ରକୋଷ୍ଠ ଭିତରେ ପ୍ରବେଶ କଲା । ଶୁଭେନ୍ଦୁ ସୁନନ୍ଦା ପାଖକୁ ଚିଠି ଲେଖିବା ପାଇଁ ନିଜ କୋଠରି ଭିତରକୁ ଗଲା ।

 

ଶୋଇବା ଘରେ ସେପରି ମୂଲ୍ୟବାନ ଆସବାବପତ୍ର ନ ଥିଲେ ମଧ୍ୟ ବିଜୟ ଦେଖିଲା ପ୍ରତିଟି ଦ୍ରବ୍ୟର ସାଜସଜ୍ଜାରେ ଯେପରି ସ୍ତ୍ରୀର ସୁଚାରୁ ନିପୁଣତାର ପରିଚୟ । ସବୁଥିରେ ନନ୍ଦିତାର ସ୍ପର୍ଶ- ସବୁଥିରେ ତାର ପ୍ରାଣର ମାଧୁରୀ ବିଛାଡ଼ି ହୋଇ ପଡ଼ିଛି । ସେ ଯେପରି ସହସ୍ର ରଜନୀ ଏହି ଶୂନ୍ୟ କୂଟୀର ଭିତରେ ସାଶ୍ରୁ ନୟନରେ ପ୍ରତୀକ୍ଷା କରି ରହିଛି ଆଉ ଜଣକର ଆଗମନକୁ ସ୍ୱାଗତ ଜଣାଇବା ପାଇଁ । ଆଜି ସେହି ବହୁ ପ୍ରତିକ୍ଷୀତ ପୁରୁଷ ତାର ଅତି ନିକଟରେ । ତେବେ ଏତେ ଡେରି କରୁଛି କାହିଁକି ନନ୍ଦିତା ! ବିଜୟ ଅସ୍ଥିର ହେଉଥିଲା ନନ୍ଦିତାର ଆଗମନର ବିଳମ୍ୱକୁ ଲକ୍ଷ କରି ।

 

ବାତାୟନ ଦେଇ ସମୁଦ୍ରର ଶୀତଳତା ନେଇ ବହିଆସୁଥିଲା ସମୀରଣ । ଫୁଟନ୍ତ ରଜନୀଗନ୍ଧାର ମଧୁର ମହକ ଭାସିଆସୁଥିଲା ବାତାୟନ ପଥଦେଇ ।

 

ଆକାଶରେ ଅଷ୍ଟମୀର ଚାନ୍ଦ । ନଡ଼ିଆ ଗଛର ଶାଖାରେ ପବନର ଲୁଚକାଳୀ । ପରିବେଷ ବିଜୟର ଦେହ ଓ ମନରେ ଶିହରଣ ଆଣୁଥିଲା- ଏକ ସାମ୍ଭବ୍ୟ ଆଗମନର ଅପେକ୍ଷାରେ ସିତ୍କାର ଅନୁଭବ କରୁଥିଲା ସେ ।

 

ନନ୍ଦିତା ଧୀର ପଦକ୍ଷେପ କରି ପ୍ରବେଶ କଲା ପ୍ରକୋଷ୍ଠ ଭିତରେ । ଶାନ୍ତ ମଧୁର ଆଗମନୀରେ ତାର ଶତଦଳର ଶୋଭା, ନୟନରେ ଫୁଟନ୍ତ ଫୁଲର ନିବେଦନ । ନନ୍ଦିତାର ସରଳ ଓ ନିରାଡ଼ମ୍ବର ବେଶ ତାର ଦେହର ଲାବଣ୍ୟକୁ କରିଥିଲା ଅଧିକ ମନୋରମ ଓ ଆକର୍ଷଣୀୟ । ବିଜୟ ଆଜି ଭଲକରି ଚାହିଁଲା ନନ୍ଦିତାର ଆପାଦମସ୍ତକ- ପ୍ରଥମ ଥର ପାଇଁ ଅନୁଭବ କଲା ଏହି ନିବେଦିତା ତରୁଣୀର ପ୍ରାଣପୂର୍ଣ୍ଣ ନିବେଦନ ।

 

ଅନ୍ୟଆଡ଼କୁ ମୁହଁ ଫେରାଇ ପଲଙ୍କର ଗୋଟିଏ କୋଣରେ ସଙ୍କୁଚିତା ହୋଇ ବସିଲା ନନ୍ଦିତା । ମନରେ ତାର ସହସ୍ର ଆଶା ଓ ଆଶଙ୍କା, ଛୋଟ ହୃଦୟଟିରେ ଅନନୁଭୂତ କମ୍ପନ । କେତେ ଆଷାଢ଼ର ଅଶ୍ରୁଳ ରଜନୀ, ଶରତ୍ର ଅଶାନ୍ତ ମଧ୍ୟାହ୍ନ, ବସନ୍ତ- ବିଦଗ୍ଧ ସନ୍ଧ୍ୟା ଓ ହେମନ୍ତର ହିମ- ଶୀତଳ ନୈରାଶ୍ୟ ବହିଯାଇଛି ତାର ଛୋଟ ଜୀବନ ଉପରେ । ସେସବୁର ପାଦଚିହ୍ନ ନନ୍ଦିତାର ଦେହରେ, ମନରେ ଓ ହୃଦୟ ଭିତରେ ରଖିଯାଇଛି ଏକ କରୁଣ ସଙ୍କେତ । ଆଜି ସବୁ ଯେପରି ସ୍ୱପ୍ନ ପରି ମନେହେଉଛି ତାକୁ । ଯେଉଁ ସ୍ୱାମୀ ତାକୁ ଗ୍ରହଣ ନ କରି, ସ୍ୱୀକାର ନ କରି ଫିଙ୍ଗି ଦେଇଥିଲା ଦୂରକୁ- ଆଜି ସ୍ୱାମୀଙ୍କର ଏତେ ନିକଟରେ ବସି ମଧ୍ୟ ଆସନ୍ନ ଆଶା ଓ ଆଶଙ୍କାରେ ପ୍ରାୟ ଥରୁଥିଲା ସେ । ପୁଣି ଥରେ ଯଦି ତାର ଦେବତା ପୂଜା- ଅର୍ଘ୍ୟକୁ ପଦାଘାତ କରି...

 

ସେ ଆଉ ଭାବିପାରିଲା ନାହିଁ । ତାର ମଥାଟା ଘୂରିଗଲା । ସେ ନିଜକୁ ସମ୍ଭାଳି ନ ପାରି ପଡ଼ିଯିବା ଆଗରୁ ନନ୍ଦିତାକୁ ଦୁଇ ବାହୁରେ ଟେକିନେଲା ବିଜୟ । ଆଉ ଯେତେବେଳେ ନନ୍ଦିତା ମୁହଁ ଟେକି, ଆଖି ଖୋଲି ଚାହିଁଲା- ଦେଖିଲା, ତାରି ମୁହଁ ଉପରେ ଆଉ ଗୋଟିଏ ପରିଚିତ ମୁହଁର ଦୁଇଟି ଉଦ୍‌ବେଗପୂର୍ଣ୍ଣ ଚକ୍ଷୁରେ ଚିର ଆକାଂକ୍ଷିତ ଆକୁଳତା । ବିଜୟ ନନ୍ଦିତାର ବିପୁଳ କେଶରାଶି ଉପରେ ଆଙ୍ଗୁଳିଚାଳନା କରି କହିଲା-

 

‘‘କଣ ହେଲା ନନ୍ଦିତା- ତୁମେ ବଡ଼ କ୍ଲାନ୍ତ ହୋଇପଡ଼ିଛ, ନୁହେଁ ?’’

 

ନନ୍ଦିତା ପ୍ରଥମ ଥର ପାଇଁ ଦେଖିଲା ତା ପାଇଁ ବିଜୟର ବ୍ୟାକୁଳତା । ସେ କିଛି ନ କହି ଆଖିବୁଜି ପଡ଼ି ରହିଲା ବିଜୟର ବକ୍ଷ ଉପରେ ।

 

‘‘ନନ୍ଦିତା- !’’

‘‘ଉଁ-’’

‘‘ଅଭିମାନ କରିଛ ମୋ ଉପରେ ?’’

‘‘ନା-’’

‘‘ତା ହେଲେ କଥା କହୁନା ଯେ ?’’

‘‘ହୁଁ-’’

 

‘‘ତୁମେ ନିଶ୍ଚୟ ରାଗିଛ ମୋ ଉପରେ; ନୋହିଲେ କି କେବଳ ଉଁ, ହୁଁ ଛଡ଼ା ଆଉ କିଛି କୁହନ୍ତନି ତୁମେ ?’’

 

ନୀରବ ରହିଲା ନନ୍ଦିତା । କିପରି ସେ ବୁଝାଇବ ବ୍ୟାକୁଳ ହୃଦୟର ବିପୁଳ ବେଦନା ! କେଉଁ ଭାଷାରେ କହିବ ଅସରନ୍ତି ସଞ୍ଚିତ କଥା ତାର ! କହିବାକୁ ଚେଷ୍ଟାକଲା ସେ- କିନ୍ତୁ ପାରିଲା ନାହିଁ । ଓଠଟି ତାର ଥରିଉଠିଲା- ଅଧର ତାର ଅଧା ମୁକୁଳିତ ହୋଇ ପୁଣି ବନ୍ଦ ହୋଇଗଲା । କିନ୍ତୁ ଯାହା ସେ ମୁହଁ ଖୋଲି କହିପାରିଲା ନାହିଁ, ତାହା ତାର ଦୁଇ ଚକ୍ଷୁର ପ୍ରାନ୍ତଦେଇ ଝରିପଡ଼ିଲା ଝରଝର ହୋଇ । ବିଜୟ ନନ୍ଦିତାର ଲୁହ ପୋଛି ଆହୁରି ପାଖକୁ ଟାଣି ନେଇ ତାର କାନେ କାନେ ଧୀରେ ଧୀରେ-

 

‘‘ତୁମେ ମୋର ଅପରାଧ କ୍ଷମା କର ନନ୍ଦିତା !’’

 

ଆଉ ଧୈର୍ଯ୍ୟ ଧରି ରହିପାରିଲାନି ନନ୍ଦିତା । ସ୍ୱାମୀର ବୁକୁ ଉପରେ ନିଜ ଆଖିର ଅସରନ୍ତି ଲୁହ, ଅନ୍ତର ଭିତରର ଅଜସ୍ର କୋହ ଅଜାଡ଼ି ଦେଲା- ଆଉ ନିଜକୁ ଉଜାଡ଼ି ଦେଇ ନିଃଶେଷ କରିଦେବାର ଅଭୟ ସାନ୍ତ୍ୱନା ଦେଇ ନନ୍ଦିତାର ଚିବୁକରେ ଏକ ଚୁମ୍ବନ ଆଙ୍କିଦେଇ, ତାକୁ ପୁଲକରେ ପ୍ରାୟ ଆତ୍ମହରା କରି ଓ ତାର ମୁହଁ ଉପରେ ମୁହଁ ଲଗାଇ ପୁଣିଥରେ କହିଲା ବିଜୟ-

 

‘‘କୁହ ନନ୍ଦିତା, ଅପରାଧ ମୋର କ୍ଷମା କରିଛ ?’’

 

‘‘ଛି-’’ କଣ କହିବାକୁ ଯାଇ କହିପାରିଲା ନାହିଁ ସେ । କେବଳ ଆହୁରି ଜୋରରେ, ନିବିଡ଼ ଭାବରେ ସ୍ୱାମୀର ଛାତି ଉପରେ ନିଜକୁ ମିଶାଇ ଦେଇ ସେଇ ପ୍ରଶସ୍ତ ବକ୍ଷ ଉପରେ ନିଜର ସମସ୍ତ ଜ୍ୱଳାର ଉପଶମ କରି ଅଭୟ ହୃଦୟରେ ସ୍ୱାମୀଙ୍କ ମୁହଁରୁ ମଧୁବାଳା ଅନୁନୟ ଶୁଣିବା ପାଇଁ ଅପେକ୍ଷା କରି ରହିଲା ।

 

ରଜନୀଗନ୍ଧାର ଗଭୀର ମହକକୁ ମହିମାମଣ୍ଡିତ କରି, ସାଗରର ଶତ ଗୁଞ୍ଜନକୁ ଛନ୍ଦାୟିତ କରି ନନ୍ଦିତାର ଚିବୁକରେ, ଅଧରରେ, କପୋଳରେ- ସର୍ବାଙ୍ଗରେ ନିଜର ସ୍ୱାକ୍ଷରର ସ୍ୱୀକୃତି ଦେଇ ବିଜୟ ସେହି ପରମା ପ୍ରେମମୟୀ ତରୁଣୀକୁ ନୂତନ ଆଶା ଓ ଉଦ୍ଦୀପନାରେ ଉତ୍ତାଳ କରି ତୋଳିଲା । ସେହି ଉଦ୍ଦୀପନାର ସିତ୍କାରରେ, ସେହି ମିଳନର ମାଧୁରୀରେ ନୂତନ ସଙ୍ଗୀତର ମୂର୍ଚ୍ଛନା ପାଇଲା ନନ୍ଦିତା । ନବମୂକୁଳିତ ପୁଷ୍ପର ସୁଷମା ଭରିଗଲା ତାର ଦେହରେ, ମନରେ, ହୃଦୟରେ ।

•••

 

୨୫

 

ନରେନ୍ଦ୍ରବାବୁ ବିଜୟ ପାଖରୁ ଚିଠି ପାଇ ମାଧୁରୀକୁ ଦେଖିଯିବା ପାଇଁ ପୁରୀ ଆସିଛନ୍ତି । କନ୍ୟାଶ୍ରମରେ ମାଧୁରୀକୁ ଅନ୍ୟ ଝିଅମାନଙ୍କ ସହିତ ଦେଖି ସୁଖୀ ହୋଇଛନ୍ତି ସେ । ତାଙ୍କ ଝିଅ ଯେ ତାଙ୍କ ବଂଶ- ମର୍ଯ୍ୟାଦାକୁ ଧୂଳିସାତ୍ କରିନାହିଁ, କୁଳରେ କଳଙ୍କ ନ ଲଗାଇ ଆସି ସ୍ୱାମୀ ସଚ୍ଚିଦାନନ୍ଦଙ୍କ କନ୍ୟାଶ୍ରମରେ ରହିଛି, ଏହା ବରଂ ଆନନ୍ଦର କଥା । ସଚ୍ଚିଦାନନ୍ଦଙ୍କ ସାଙ୍ଗରେ କଥାବାର୍ତ୍ତା କରି ସେ ଜାଣିପାରିଛନ୍ତି ସବୁ । ସ୍ୱାମୀଜୀଙ୍କର ଅନୁମତି ମଧ୍ୟ ମିଳିଛି । ମାଧୁରୀର ମନ ଯଦି ପରିବର୍ତ୍ତନ ହୁଏ ଏବଂ ସେ ଯଦି ତାଙ୍କ ସହିତ ଫେରିଯିବା ପାଇଁ ଇଚ୍ଛା କରେ ସେଥିରେ ସଚ୍ଚିଦାନନ୍ଦଙ୍କର ଆପତ୍ତି ନାହିଁ; ବରଂ ଖୁସି ହେବେ ସେ । କନ୍ୟାଶ୍ରମ ସଂଶୋଧନୀ ଆଶ୍ରମର କାର୍ଯ୍ୟ କରେ, ଶିକ୍ଷା ଦିଏ ସତ୍‌ପଥରେ କାର୍ଯ୍ୟ କରିବା ପାଇଁ, ଶୋଣିତ ଓ ସ୍ୱେଦ ଦେଇ ନିଜ ପାଇଁ ଓ ସମାଜର ମଙ୍ଗଳ ପାଇଁ ସଂଗ୍ରାମ କରିଯିବା ପାଇଁ ସତ୍ ଶିକ୍ଷା ଦିଏ । ମାଧୁରୀ ସେ ଶିକ୍ଷାର ଯଦି କଣିକାଏ ଗ୍ରହଣ କରିଥାଏ ତାହାହିଁ ଯଥେଷ୍ଟ । ଯେଉଁଠାକୁ ଗଲେ ମଧ୍ୟ ତାହା ସ୍ଫୁଲିଙ୍ଗ ପରି କାର୍ଯ୍ୟ କରିବ । ତାର ଦିପ୍ତୀରେ ନିଜେ ସେ ଉଦ୍ଭାସିତ ହେବ ଏବଂ ଅନ୍ୟକୁ ଉଦ୍ଭାସିତ କରିବ ।

 

ନରେନ୍ଦ୍ରବାବୁ ସ୍ଥିର କରିଛନ୍ତି କନ୍ୟାଶ୍ରମର ବାର୍ଷିକୋତ୍ସବ ପରେ ସେ କନ୍ୟାକୁ ନେଇ କଟକ ପ୍ରତ୍ୟାବର୍ତ୍ତନ କରିବେ ।

 

ଶ୍ରୀମନ୍ଦିରରୁ ଫେରିବା ରାସ୍ତାରେ ଠିକ୍ କଚେରି ପାଖରେ ଶୁଭେନ୍ଦୁ ସହିତ ଅପ୍ରତ୍ୟାଶିତ ଭାବରେ ଦେଖା ହୋଇଗଲା । ନରେନ୍ଦ୍ରବାବୁଙ୍କୁ ଦେଖି ନମସ୍କାର ଜଣାଇଲା ଶୁଭେନ୍ଦୁ ।

 

‘‘ଆରେ ଶୁଭେନ୍ଦୁ ଯେ ! ଏଠାରେ କଣ କରୁଛ ?’’

 

‘‘ଆଜ୍ଞା, ପୁରୀରେ ଆଜିକୁ ପ୍ରାୟ ସାତଦିନ ହେଲା ରହିଛି, ବନ୍ୟା-ସାହାଯ୍ୟ ସଂକ୍ରାନ୍ତରେ କଲେକ୍ଟରଙ୍କ ସହିତ ସାକ୍ଷାତ୍‍ କରି କେତୋଟି ଜରୋରୀ ବିଷୟର ସମାଧାନ କରିବା ପାଇଁ ।’’

 

‘‘ତୁମେ ତା ହେଲେ ଏଇ କିଛିମାସ ହେଲା ବନ୍ୟାଞ୍ଚଳରେ କାର୍ଯ୍ୟ କରୁଛ ନୁହଁ !’’

‘‘ଆଜ୍ଞା !’’

 

‘‘ସେଇଥିପାଇଁ ତୁମକୁ ଦେଖୁ ନ ଥିଲି’’- ମୁହଁରେ ହସ ଖେଳାଇ କହିଲେ ଜମିଦାର, କଟକର ବିଶିଷ୍ଟ ଧନାଢ଼୍ୟ ନରେନ୍ଦ୍ର ପଟ୍ଟନାୟକ । ଅନୁଭବ କଲା ଶୁଭେନ୍ଦୁ, ଯେପରି ଇଙ୍ଗିତ ଅଛି ଏଇ କଥା ଭିତରେ ।

 

‘‘ଆବଶ୍ୟକ ହେଲେ ମହତ କାମ କରିବା ପାଇଁ ଆପଣମାନଙ୍କ ପରି ମହାନ୍ ଲୋକଙ୍କ ଦ୍ୱାରସ୍ଥ ହେବାକୁ ପଡ଼େ ଆଜ୍ଞା ! ଆପଣମାନଙ୍କ ଦାନ ନ ଥିଲେ ଏତେବଡ଼ ବନ୍ୟାବିପନ୍ନ ପାଣ୍ଠି କଣ ସହଜରେ ଆଦାୟ ହୋଇପାରନ୍ତା ?’’

 

ନରେନ୍ଦ୍ରବାବୁ କେଜାଣି କାହିଁକି ଏହି ସାମାନ୍ୟ ଯୁବକ ଆଗରେ ସଙ୍କୁଚିତ ମନେକଲେ ନିଜକୁ, ନିଜର ବ୍ୟକ୍ତିତ୍ୱକୁ । ଯେଉଁ ଶୁଭେନ୍ଦୁ ତାଙ୍କ ଘରେ ଖବରକାଗଜ ବିକ୍ରୟକରି ପରିବାର ପୋଷଣ କରୁଥିଲା, ବିଭିନ୍ନ ସଭାସମିତି ନାମରେ ଅଳ୍ପ କେଇଟା ଟଙ୍କା ଆଶାରେ ବାରଥର ତାଙ୍କର ଦ୍ୱାରସ୍ଥ ହେଉଥିଲା- ଆଜି ସେ ତାଙ୍କ ସହିତ ତାଳ ରଖି ବେଶ୍ ଜବାବ ଦେଇପାରୁଛି ତ ! ନରେନ୍ଦ୍ରବାବୁଙ୍କର ସାତପୁରୁଷର ଜମିଦାରୀ ଆଭିଜାତ୍ୟ ଉପରେ ଆଞ୍ଚ ଆସିଲା ଯେପରି । ସେ କହିବେ ଅନ୍ୟ ସମସ୍ତେ ଶୁଣିବେ, ସେ ଚାଲିବେ ଅନ୍ୟ ସମସ୍ତେ ଶୋଇଯିବେ ସେଇ ଚଲାପଥରେ-ଏଇ ତ ଆଜି ପର୍ଯ୍ୟନ୍ତ ଥିଲା ଜମିଦାରୀର ଆଭିଜାତ୍ୟ-କାଏଦା । କିନ୍ତୁ ଆଜି ଚକ ଘୂରିଯାଇଛି; ଯେଉଁମାନେ ଶୋଇ ରହୁଥିଲେ, ଠିଆ ହେବାର ଶକ୍ତି ହୋଇଛି ସେମାନଙ୍କର । ସମାଜର ପରିବର୍ତ୍ତନ ହୋଇଛି । ପୃଥିବୀ ବଦଳି ଯାଇଛି ।

 

ଆଉ ଅଯଥା କଥା ନ ଆଗେଇ କହିଲେ ନରେନ୍ଦ୍ରବାବୁ-

 

‘‘ଆସ ସମୁଦ୍ରକୂଳଆଡ଼ୁ ଟିକେ ବୁଲିଆସିବା ।’’ ଆଶ୍ଚର୍ଯ୍ୟ ହେଲା ଶୁଭେନ୍ଦୁ ନରେନ୍ଦ୍ରବାବୁଙ୍କ ଅନୁରୋଧ ଶୁଣି । ସେ ତାଙ୍କର ସମାନସ୍କନ୍ଦ ନୁହେଁ, ସମକକ୍ଷ ବା ସମବୟସୀ ନୁହେଁ; ଅଥଚ ଆଜି ତାକୁଇ ଡାକୁଛନ୍ତି ସେ ସମୁଦ୍ରକୂଳକୁ ବୁଲିଯିବା ପାଇଁ । ଏଡ଼ିଦେବା ପାଇଁ ଇଚ୍ଛା ହେଲା ଶୁଭେନ୍ଦୁର, କିନ୍ତୁ କେଜାଣି କାହିଁକି କରିପାରିଲା ନାହିଁ ତାହା । ଶାଳୀନତା କଣ୍ଠରୋଧ କଲା-। ବାକ୍ୟ ବିନିମୟ ନ କରି ନରେନ୍ଦ୍ର ପଟ୍ଟନାୟକଙ୍କ ଅନୁଗମନ କଲା ସେ ।

 

ନରେନ୍ଦ୍ରବାବୁ ଆଉ ଯାହା ହେଉନା କାହିଁକି ତା ଉପରେ ବିରୂପ ଥିଲେ । ତାକୁ ମାଧୁରୀର ସାନ୍ନିଧ୍ୟରେ ଦେଖିଲେ ଜଳିଯାଉଥିଲେ ସେ । ମାଧୁରୀ ତାଙ୍କର ଏକମାତ୍ର କନ୍ୟା, ଉତ୍ତରାଧିକାରିଣୀ । ତା ସହିତ ଏପରି ଏକ ଅର୍ବାଚୀନ, ଅନୁପଯୁକ୍ତ ଯୁବକର ଅବାଧ ମିଳାମିଶାକୁ ସେ ଅସ୍ୱୀକାର କରିଥିଲେ ଏବଂ ଜୋର୍ କରି ବନ୍ଦ କରିବାପାଇଁ ଚେଷ୍ଟା ମଧ୍ୟ କରିଥିଲେ । ମାଧୁରୀର ମଧ୍ୟ ଶୁଭେନ୍ଦୁ ପ୍ରତି ଯେ ଅଧିକ ଅନୁରକ୍ତି ଥିଲା, ଏହା ତାର ପିତାଙ୍କର ଚକ୍ଷୁକୁ ଏଡ଼ାଇ ପାରିନାହିଁ । ସେଇଥିପାଇଁ ସେ ଏତେ ବ୍ୟଗ୍ର ହୋଇଥିଲେ ବିଜୟ ସହିତ ମାଧୁରୀର ବିବାହ ଦେବାପାଇଁ । କିନ୍ତୁ ପରେ ପରେ ଯାହା ଶୁଣିଲେ, ସେଥିରେ ମନ ତାଙ୍କର ବିଷାକ୍ତ ହୋଇଉଠିଲା । ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ସେ । ବିଜୟ ତାଙ୍କୁ ପ୍ରତାରଣା କରିଛି, ଘରେ ବିବାହିତା ପତ୍ନୀକୁ ପରିତ୍ୟାଗ କରି ଆଉଥରେ ବାହା ହେବାପାଇଁ ଲାଳସା କରିଛି ମନରେ । ସେଇଥିପାଇଁ ତ ତାଙ୍କର ଏତେ ଦୁର୍ଦ୍ଦଶା ! ନୋହିଲେ କି ମାଧୁରୀ ପରି ସୁକନ୍ୟା ଘର ଛାଡ଼ି ପଳାଇ ଆସନ୍ତା ରାତି ଅଧରେ ? ଭଲ ହେଲା, ଶିଶୁପାଳ ହୋଇ ଫେରିଗଲା ବିଜୟ । ଆଜି ପୁଣି ସେଇ କଥାର ସ୍ମରଣରେ ଦେହ ମନ ତାଙ୍କର ତିକ୍ତ ହୋଇଉଠିଲା । ବିଜୟ ପ୍ରତି ଲକ୍ଷ୍ୟକରି କହିଲେ-

 

‘‘ବୁଝିଲ ଶୁଭେନ୍ଦୁ ! ବିଜୟ ଯେ ଏଡ଼େ ବଡ଼ ସୟତାନ ମୁଁ ଆଗରୁ ମୋଟେ ଜାଣି ନ ଥିଲି-!’’

 

ଶୁଭେନ୍ଦୁ କିଛି ନ କହି ନୀରବ ରହିଲା ।

 

‘‘ସେ ମୋର ସର୍ବନାଶ କରିବାକୁ ଚାହିଁଥିଲା, ମାଧୁରୀକୁ ଚିରଦିନ ପାଇଁ ତିକ୍ତତା ଓ ହାହାକାର ମଧ୍ୟକୁ ଟାଣିନେବା ପାଇଁ ଉଦ୍ୟମ ମଧ୍ୟ କରିଥିଲା । ସୟତାନକୁ ଯଦି ଦେଖନ୍ତି, ଆଜି କୁକୁର ପରି ଗୁଳିକରି ମାରନ୍ତି ।’’

 

ସମୁଦ୍ରକୂଳର ଶାନ୍ତ ମଧୁର ପରିବେଷକୁ ନଷ୍ଟ କରି ଗର୍ଜନ କରିଉଠିଲେ ଜମିଦାର ସାହେବ ।

 

ଅସ୍ତାୟମାନ ସୂର୍ଯ୍ୟର ଶେଷ ରଶ୍ମି ସମୁଦ୍ର ଉପରେ ପଡ଼ି ଚକ୍‌ଚକ୍‌ କରୁଥାଏ; ବାଲି ଉପରେ ଅବିର ମୁଠାଏ ବିଞ୍ଚିଦେଇଥାଏ ଯେପରି କିଏ ! ନୀଳ ସାଗରର ବୀଚିମାଳା ପାର୍ଥିବ ଜଗତର ନଶ୍ୱରତାକୁ ପ୍ରତିକ୍ଷଣରେ ମୁଖରିତ କରୁଥାଆନ୍ତି ସେମାନଙ୍କର ଭାଙ୍ଗିବା ଭିତରେ ।

 

‘‘ଆପଣ ଶାନ୍ତ ହୁଅନ୍ତୁ ଆଜ୍ଞା ! ବିଜୟର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ତାକୁ ଦେଖିଲେ ଆପଣ ଏକଥା ବୁଝି ପାରିବେ ।’’ ଅନୁଯୋଗ କଲା ଶୁଭେନ୍ଦୁ ।

 

‘‘ତମେ ସେଥିରେ ବିଶ୍ୱାସ କର ଶୁଭେନ୍ଦୁ ? ସେ ମାଧୁରୀର ଠିକଣା ଦେଇ ଯେଉଁ ଚିଠି ଲେଖିଲା ମୋତେ, ଅନେକଟା ସେଥିରୁ ମୁଁ ଏଇପରି କିଛି ଅନୁମାନ କରିଥିଲି; କିନ୍ତୁ ସେଥିରେ ମୋର ହୃଦ୍‌ବୋଧ ହେବା ଦୂରରେ ଥାଉ ବରଂ ରାଗରେ, ପ୍ରତିଶୋଧ ନେବାର ପ୍ରେରଣାରେ ଜଳିଉଠିଲି ମୁଁ ।’’

 

‘‘ବିଜୟ ଆପଣଙ୍କ କୃପାପ୍ରାର୍ଥୀ । ଆପଣ ନିଶ୍ଚୟ ଜାଣନ୍ତୁ ତାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଏ ବିଷୟରେ ମୁଁ ଏକାବେଳେ ନିଃସନ୍ଦେହ ।’’

 

‘‘ତାହାହିଁ ହେଉ, ତାହାହିଁ ହେଉ ଶୁଭେନ୍ଦୁ ! ହତଭାଗାଟା ଯଦି ସତ୍‌ପଥରେ ଚାଲେ, ତାହାହିଁ ହେବ ତାର ପରମ ଗୁଣବାନ୍‌ ପିତା ପ୍ରତି ଶ୍ରେଷ୍ଠ ସମ୍ମାନ । ସବୁଠାରୁ ବଡ଼ ଦୁଃଖର କଥା କଣ ଜାଣ ଶୁଭେନ୍ଦୁ- ଏଇ ବିଜୟର ବାପା ସୁଧାଂଶୁ ଥିଲା ମୋର ସର୍ବଶ୍ରେଷ୍ଠ ଅନ୍ତରଙ୍ଗ ସହପାଠୀ; ଆଉ ତାରି ପୁଅ ବିଜୟ...’’

 

‘‘ମଣିଷ ପଥଭ୍ରଷ୍ଟ ହୁଏ-ଭୁଲ କରେ । ତାର ଜୀବନଧାରାର ଏହା ଯେପରି ଏକ ଅଙ୍ଗ । କିନ୍ତୁ ମଣିଷ ହଜିଲା ପଥକୁ ଖୋଜି ପାଏ, ଭୁଲର ସଂଶୋଧନ କରେ ।’’

 

‘‘ହଁ, ହଁ, ତା ମୁଁ ମାନୁଛି । କିନ୍ତୁ....’’

 

‘‘କିନ୍ତୁ ନୁହେଁ ଆଜ୍ଞା, ଏହା ଆମକୁ ସ୍ୱୀକାର କରିନେବାକୁ ହେବ । ଆଉ ତା ଯଦି ଆପଣ ସ୍ୱୀକାର କରି ନିଅନ୍ତି, ବିଜୟକୁ ନିର୍ମଳ ହୃଦୟରେ କ୍ଷମା କରନ୍ତୁ, ଭୁଲିଯାଆନ୍ତୁ ତାର ସମସ୍ତ ଅପରାଧ ।’’

 

ନରେନ୍ଦ୍ରବାବୁ ବିସ୍ମୟବିମୂଢ଼ ହୋଇ ଚାହିଁଲେ ଶୁଭେନ୍ଦୁର ମୁହଁକୁ । ସେଥିରେ ଲାଗିରହିଲା ପୂର୍ବର ସରଳତା ଓ ପ୍ରାଣପ୍ରାଚୁର୍ଯ୍ୟ । ଆଶ୍ଚର୍ଯ୍ୟ ହେଲେ ସେ ତାର ମଣିଷ ପ୍ରତି ସମ୍ମାନ ଦେଖି । ଯେଉଁ ବିଜୟ କେତେଥର ତାଙ୍କରି ଘରେ, ତାଙ୍କରି ସାମ୍ନାରେ ଅପମାନ ଦେଇ ଫେରାଇ ଦେଇଛି ତାକୁ, ସେଇ ବିଜୟ ପାଇଁ କ୍ଷମାପ୍ରର୍ଥନା କରୁଛି ଶୁଭେନ୍ଦୁ !

 

ଅଜାତଶତ୍ରୁ ଶୁଭେନ୍ଦୁ ପ୍ରତି ତାଙ୍କ ହୃଦୟରେ ଶ୍ରଦ୍ଧା ଓ ଶୁଭେଚ୍ଛା ଜାଗ୍ରତ ହେଲା । ସେ ସ୍ଥାନ-କାଳ-ପାତ୍ର ସମସ୍ତ ଭୁଲିଯାଇ ଭଗ୍ନକଣ୍ଠରେ କହିଉଠିଲେ-

 

‘‘ତୁମ ପ୍ରତି ମୁଁ ଅବିଚାର କରିଛି- ବିଚାରରେ ମୋର ଭୁଲ ହୋଇଛି ଶୁଭେନ୍ଦୁ !’’

 

ଶୁଭେନ୍ଦୁ ସଙ୍ଗେ ସଙ୍ଗେ ତାଙ୍କର ପାଦଧୂଳି ନେଇ କହି ପକାଇଲା- ‘‘ଏ କଥା କହିବେ ନାହିଁ । ଆପଣ ମୋର ପିତୃତୁଲ୍ୟ । ଆପଣଙ୍କ ଆଶିର୍ବାଦହିଁ ମୋର ଏକମାତ୍ର କାମନା ।’’

 

ନରେନ୍ଦ୍ରବାବୁ ଜମିଦାରୀର ସମସ୍ତ ଆଭିଜାତ୍ୟ ଭୁଲିଯାଇ ରାସ୍ତାକଡ଼ରେ ଜଣେ ନଗଣ୍ୟ ଯୁବକ ଶୁଭେନ୍ଦୁ ଦାସର ମଥା ଉପରେ ଆଦର ଓ ଆହ୍ଲାଦରେ ହାତ ବୁଲାଇଲେ ।

 

ସନ୍ଧ୍ୟା ହୋଇ ଆସୁଥାଏ । ଦୁହେଁ କନ୍ୟାଶ୍ରମ ଆଡ଼କୁ ଫେରୁଛନ୍ତି, ଦେଖା ହୋଇଗଲା ମାଧୁରୀ ସହିତ । ମାଧୁରୀ, ବଡ଼ଦେଉଳରୁ ସାଙ୍ଗମାନଙ୍କ ସହିତ ଫେରୁଥାଏ । ହାତରେ ପୂଜାଫୁଲ । ଶୁଭେନ୍ଦୁକୁ ବାପାଙ୍କ ସହିତ ଦେଖି ସେ ପୁଲକିତ ହେଲା ମନେ ମନେ । ମନେହେଲା ମାଧୁରୀର ଆଜି, ବଡ଼ଦେଉଳର ବଡ଼ଠାକୁରଙ୍କ କୃପା ହୋଇଛି ତା ଉପରେ । ଆଜି ତାଙ୍କରି ଶୁଭାଶିଷ ପାଇ ଧନ୍ୟ ହୋଇଛି ସେ । ଯେ ଇପ୍‌ସିତ, ଯେ କାମ୍ୟ- ତାଙ୍କର ଅପ୍ରତ୍ୟାଶିତ ଦର୍ଶନ ପାଇଛି ମାଧୁରୀ । ଅନ୍ତର ପୂର୍ଣ୍ଣ କରି ପୁଣିଥରେ ଚକାଡୋଳାଙ୍କ ପାଦତଳେ ଭକ୍ତିପୁଷ୍ପାଞ୍ଜଳି ଅଜାଡ଼ିଦେଲା ମାଧୁରୀ ।

 

‘‘ନମସ୍କାର ଶୁଭେନ୍ଦୁ ବାବୁ !’’

‘‘ନମସ୍କାର !’’

‘‘ତୁମେ କଣ ବନ୍ୟାଞ୍ଚଳ କାମ ଶେଷ କରି ଫେରି ଆସିଲଣି ?’’

ଶୁଭେନ୍ଦୁ ଲକ୍ଷ୍ୟ କଲା ମାଧୁରୀ ସବୁ ମନେ ରଖିଛି, ସବୁ ଖବର ରଖିଛି । ଖୁସି ହେଲା ସେ ।

 

‘‘କାମ ଶେଷ ହୋଇନାହିଁ ଯେ, ଏଠାକୁ କେତେକ ଅତି ଜରୋରୀ ଆଲୋଚନା ପାଇଁ ଆସିଥିଲି । ଆଜିକୁ ସାତଦିନ ହେଲା ଯିବି ଯିବି କହି ଫେରିଯାଇ ପାରିନାହିଁ । ଶୀଘ୍ର ଫେରି ନ ଗଲେ ଶେଷ ପରୀକ୍ଷା ଦେଇପାରିବି ନାହିଁ ।

 

ରାସ୍ତାକଡ଼ରେ କଥାବାର୍ତ୍ତା ଚାଲିଥିଲା । ନରେନ୍ଦ୍ରବାବୁ କହିଲେ- ‘‘ଚାଲ ମା, ଅତିଥିଭବନରେ ବସି କଥାବାର୍ତ୍ତା କରିବା । ରାସ୍ତାରେ ଲୋକଭିଡ଼ କ୍ରମଶଃ ବଢ଼ୁଛି ।’’

 

କନ୍ୟାଶ୍ରମର ଅତିଥିଶାଳାରେ ଆଗନ୍ତୁକମାନଙ୍କ ପାଇଁ ସ୍ଥାନ ଅଛି । ସେଠାରେ ଆଗନ୍ତୁକମାନେ ନିର୍ବିରୋଧରେ ଆପଣା ଆପଣା କନ୍ୟା ବା ଭଗ୍ନୀମାନଙ୍କ ସହିତ କଥାବାର୍ତ୍ତା କରିପାରନ୍ତି ।

 

ମାଧୁରୀ ଭଲକରି ଲକ୍ଷ୍ୟ କଲା ଶୂଭେନ୍ଦୁକୁ । ନରେନ୍ଦ୍ରବାବୁ କଣ ଭାବିଲା ପରି ହୋଇ କହିଲେ- ‘‘ବିଜୟ କଥା ଶୁଣିଛୁ ମା ?’’

 

ବିଜୟର ନାମ ଉଚ୍ଚାରଣରେ, ସେଦିନ ତିକ୍ତ ସ୍ମୃତି ମାଧୁରୀର ମାନସପଟରେ ଭାସିଗଲା ଆଉ ଆତଙ୍କରେ ଶିହରିଉଠିଲା ସେ । ଛି, ଛି, କି ଲଜ୍ଜା, କି ଅପମାନର କଥା । କିନ୍ତୁ ପିତାଙ୍କ ସମ୍ମୁଖରେ ସେ କଥା ସେ କହିପାରିନାହିଁ; କହିବାର ଆବଶ୍ୟକତା ମଧ୍ୟ ଅନୁଭବ କରିନାହିଁ ।

 

ମାଧୁରୀ ମୁଣ୍ଡ ହଲାଇଲା କେବଳ- ହଁ କି ନା, କିଛି କହିପାରିଲା ନାହିଁ । ଶୁଭେନ୍ଦୁ ମାଧୁରୀକୁ ସହଜ କରିବାପାଇଁ କହିଲା-

 

‘‘ବିଜୟର ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଛି ମାଧୁରୀ ! ସ୍ୱାମୀ ସଚ୍ଚିଦାନନ୍ଦଙ୍କ ଶିଷ୍ୟ ହୋଇ ନିଜକୁ ସୁନିୟନ୍ତ୍ରିତ ଓ ସଂଯତ କରିବାପାଇଁ ଚେଷ୍ଟା କରୁଛି ସେ । ଆଉ ଶୁଣି ସୁଖୀ ହେବ ଯେ ବିଜୟ ଫେରିଯାଇଛି ନିଜ ଘରକୁ-ନିଜ ମା ଓ ସ୍ତ୍ରୀ ନିକଟକୁ ।’’

 

ମାଧୁରୀ ଶୁଣି ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହେଲା ଯେ ବିଜୟର ମା ଏବଂ ସ୍ତ୍ରୀ ଅଛନ୍ତି, ସେ ଘରକୁ ଫେରିଯାଇଛି । ଭାବିଲା ସେ-କି ଲଜ୍ଜାର କଥା ହୋଇଥାଆନ୍ତା-ଯଦି ବାପା ତାକୁ ବିଜୟ ସହିତ ବିବାହ ଦେଇ ଥାଆନ୍ତେ ! ମାଧୁରୀ କହିଲା-

 

‘‘ଭଲ ହୋଇଛି । ଭଗବାନଙ୍କ କରୁଣାବଳରେ ତାଙ୍କ ସ୍ତ୍ରୀ ଅପମାନ ଓ ଲାଞ୍ଛନାରୁ ମୁକ୍ତି ପାଇଲେ । ଭଗବାନ ମଙ୍ଗଳ କରନ୍ତୁ ସେମାନଙ୍କର ।’’

 

ନରେନ୍ଦ୍ରବାବୁ ଓ ଶୁଭେନ୍ଦୁ ବୁଝିଲେ ମାଧୁରୀର କଥା । ମାଧୁରୀ ପ୍ରତି ସମ୍ମାନ ଓ ସ୍ନେହରେ ଶୁଭେନ୍ଦୁର ଅନ୍ତର ପୂର୍ଣ୍ଣ ହୋଇଗଲା । ବିଜୟ ତା ପ୍ରତି ଏଡ଼େ ଅବିଚାର କରିଛି; ଅଥଚ ତାକୁ ମାଧୁରୀ ଅଭିଶାପ ଦେଲାନାହିଁ, ଅନ୍ୟାୟ କରିଛି ବୋଲି ତିରସ୍କାର କଲା ନାହିଁ- ସମସ୍ତ କଥାକୁ ପଛରେ ପକାଇ କେବଳ ବିଜୟର ମଙ୍ଗଳ କାମନା କରୁଛି ।

 

‘‘କାଲି ତା ହେଲେ କଟକ ଫେରିବା ମା ?’’- ପ୍ରଶ୍ନ କଲେ ନରେନ୍ଦ୍ରବାବୁ ।

‘‘ହଁ ବାପା, ସ୍ୱାମୀଜୀ ତ ଆଦେଶ ଦେଇସାରିଛନ୍ତି ।’’

 

‘‘କାଲି ତା ହେଲେ ଫେରି ଯାଉଛ ମାଧୁରୀ ! ଭଲ ହେଲା- ଅନ୍ତତଃ ତମେ ଗଲେ ସେବା- ସମିତିର କାମ ପୁଣି ତ ନୂତନ ଉଦ୍ୟମ ନେଇ ଚାଲୁ ହୋଇ ପାରିବ ।’’

 

ଶୁଭେନ୍ଦୁ ଚାହିଁଲା ମାଧୁରୀକୁ ।

ସେ ମୁହଁରେ ଲାଗିରହିଥିଲା ବିଶ୍ୱାସ ଓ ଆଶ୍ୱାସନାର ସ୍ମିତ ହାସ୍ୟ ।

 

‘‘ନିଶ୍ଚୟ କରିବ ମାଧୁରୀ, ମୁଁ ମଧ୍ୟ ତାକୁ ସାହାଯ୍ୟ କରିବି । ତୁମେ ଯେଉଁ ବ୍ରତ ଗ୍ରହଣ କରିଛ, ତାହା ସମ୍ପୂର୍ଣ୍ଣ ହେଉ, ସଫଳ ହେଉ, ଏହାହିଁ ମୋର ପ୍ରର୍ଥନା । କିନ୍ତୁ ପଢ଼ାରେ ଆଉ ହେଳା କରିବା ଉଚିତ ହେବ ନାହିଁ ଶୁଭେନ୍ଦୁ !’’

 

‘‘ସେ କଥା ମୁଁ ମଧ୍ୟ ଅନୁଭବ କରୁଛି ଆଜ୍ଞା, ତେବେ ଯାଇପାରିନାହିଁ ଆଜି ଯାଏଁ । ଯା’ହେଉ ଏଇ କେଇ ଦିନ ମଧ୍ୟରେ ସବୁ କାମ ଶେଷ କରି ଫେରିଯିବି ମୁଁ । ଏଟା ମୋର ଶେଷ ବର୍ଷ- ଶେଷ ପରୀକ୍ଷା ।’’

 

ମାଧୁରୀ ଲକ୍ଷ୍ୟ କଲା ପିତାଙ୍କର ଅଦ୍ଭୁତ ପରିବର୍ତ୍ତନ । ଯେଉଁ ଶୁଭେନ୍ଦୁକୁ ସେ ସହ୍ୟ କରିପାରୁ ନ ଥିଲେ, ଆଜି ତାର କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି, ତାକୁ ସାହାଯ୍ୟ କରିବା ପାଇଁ ଅଯାଚିତ ପ୍ରତିଶ୍ରୁତି ଦେଉଛନ୍ତି । ତାର ମନେ ମନେ ଶୁଭେନ୍ଦୁ ତା ପାଖରେ ଅଧିକତର ପ୍ରିୟ ଓ ଆକର୍ଷଣୀୟ ହୋଇଉଠିଲା । ସେ ଯେ ତାର ପିତାଙ୍କୁ ଜୟ କରି ନେଇଛି, ଏଥିରେ ତିଳେହେଲେ ସନ୍ଦେହର ଅବକାଶ ନ ଥିଲା ତାର ମନରେ ।

 

‘‘ମୁଁ ଫେରିଯାଇ ପୁଣି ସଂସ୍କୃତି ପରିଷଦ ଓ ସେବା-ସମିତି କାର୍ଯ୍ୟରେ ଆତ୍ମନିୟୋଗ କରିବି ଶୁଭେନ୍ଦୁ ! ମୋର ତ ଆଉ ତୁମ ପରି ପରୀକ୍ଷା ନାହିଁ । କିନ୍ତୁ ଯେତେଶୀଘ୍ର ପାର ଫେରିଆସ-। ସମସ୍ତେ ଅପେକ୍ଷା କରି ରହିଥିବେ ।’’

 

ଶେଷ ପଦକ କହିପକାଇ ନିଜ ପାଖରେ ନିଜେ ଲଜ୍ଜିତ ହେଲା ମଧୁରୀ । ଏ ଯେ ଆଉ କାହାରି ଅନୁରୋଧ ନୁହେଁ, କେବଳ ତାର ଅନ୍ତରର ଗଭୀର ପ୍ରେମର ପ୍ରତିଧ୍ୱନି; ଏହା କଣ କାହାକୁ ଅଛପା ରହିବ ? ତାର ମୁଖମଣ୍ଡଳ ଲଜ୍ଜାରେ ଆରକ୍ତ ହୋଇଉଠିଲା । ଶୁଭେନ୍ଦୁ ଆଡ଼କୁ ଚାହିଁ ନ ପାରି ସେ ଝରକାଆଡ଼େ ମୁହଁ ବୁଲାଇଲା । ନରେନ୍ଦ୍ରବାବୁ କନ୍ୟାର ମନକଥା ବୁଝିପାରିଲେ ଯେପରି-! ସେ କହିଲେ-

 

‘‘କାମ ଶେଷ ହୋଇ ଆସିଲାଣି ବୋଲି କହୁଥିଲ; ମୋର ଇଚ୍ଛା ତୁମେ ଶୀଘ୍ର ଏସବୁ ଶେଷ କରି କଟକ ଫେରିଆସ । ଆଉ କିଛି ନୂତନ, ଅଧିକ ଉଦ୍ୟମଶୀଳ କାର୍ଯ୍ୟ କରିବାକୁ ହେବ । ଦେଶରେ ସମସ୍ୟାର ଅଭାବ ନାହିଁ । ଜନସେବାର କ୍ଷେତ୍ର ସବୁ କାଳରେ ସବୁ ସ୍ଥାନରେ ରହିଛି ଏବଂ ସମସ୍ତଙ୍କ ପାଇଁ କରାଯାଇପାରେ ।’’

 

‘‘ମୁଁ ଚେଷ୍ଟା କରିବି । ପରୀକ୍ଷା ଡିସେମ୍ବର ମାସରେ । ତାପରେ ମୁଁ ପୂରା ସମୟ ଦେଇ କାର୍ଯ୍ୟ କରି ପାରିବି ।’’

 

ଶୁଭେନ୍ଦୁର ସଂକ୍ଷିପ୍ତ ଉତ୍ତର । ସେ ମାଧୁରୀର ସାନ୍ନିଧ୍ୟକୁ ଏଡ଼ିଯିବା ପାଇଁ ଚାହୁଁଥିଲା- ଆଜି ମଧ୍ୟ ଚାହେଁ । ସୁନନ୍ଦା ଅପେକ୍ଷା କରି ରହିଛି । ଯେଉଁ ସ୍ଥାନ ସୁନନ୍ଦା ଅଧିକାର କରିଛି, ସେ ସ୍ଥାନ ଆଉ କିଏ ପୂର୍ଣ୍ଣ କରିପାରେନା । ଏହା କେବଳ ଶୁଭେନ୍ଦୁ ଜାଣେ । କିନ୍ତୁ ତାର ଶତଚେଷ୍ଟା ସତ୍ତ୍ୱେ ପରିସ୍ଥିତିର ଅନୁକୂଳ ଅବସ୍ଥା ଯୋଗୁ, ମାଧୁରୀ ତାର ନିକଟବର୍ତ୍ତୀ ହୋଇଛି ଆଗ ଅପେକ୍ଷା । ତାକୁ ଜୟ କରିବା ପାଇଁ ମାଧୁରୀର ପ୍ରବଳ ଅଭିଯାନ । ମାଧୁରୀ ଜୟଯୁକ୍ତ ନ ହୋଇଥିଲେ ମଧ୍ୟ ଆଜି ଯେ ମାଧୁରୀ ପ୍ରତି ତାର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ବଢ଼ିଯାଇଛି, ଏହା କଣ ଅସ୍ୱୀକାର କରିପାରିବ ଶୁଭେନ୍ଦୁ ?

 

ଆଳାପ- ଆଲୋଚନା ସମାପ୍ତ କରି କହିଲେ ନରେନ୍ଦ୍ରବାବୁ- ଆମେ ତେବେ ଯାଉଛୁ ମା-! କାଲି ସକାଳେ ମୁଁ ଆସିବି । ତୁ ପ୍ରସ୍ତୁତ ହୋଇ ରହିଥିବୁ ।

 

ମାଧୁରୀ ଉଠି ପିତାଙ୍କ ପାଦଧୂଳି ନେଇ କହିଲା, ‘‘ମୁଁ ପ୍ରସ୍ତୁତ ଥିବି ବାପା !’’

 

ନରେନ୍ଦ୍ରବାବୁ ଅଗ୍ରସର ହେଲେ । ଶୁଭେନ୍ଦୁକୁ ନମସ୍କାର ଜଣାଇ ଚାହିଁ ରହିଲା ମାଧୁରୀ ଏକ ଗଭୀର ଅର୍ଥପୂର୍ଣ୍ଣ ଦୃଷ୍ଟି ଦେଇ । ସେ ଦୃଷ୍ଟିରେ ଥିଲା କେତେ ଯୁଗର ବାସନା, କେତେ ସାଧନାର ସାର୍ଥକତାର ସ୍ୱପ୍ନ ।

 

ବିକ୍ଷୋଭିତ ଅନ୍ତରରେ ଆଗକୁ ମାଡ଼ିଚାଲିଲା ଶୁଭେନ୍ଦୁ । ସେ ଫେରିବାକୁ ଚାହେଁ ସୁନନ୍ଦା ପାଖକୁ- ହତଭାଗିନୀ ସୁନନ୍ଦାର ନୀଡ଼ ରଚନାରେ ସହାୟତା କରିବା ପାଇଁ ।

•••

 

୨୬

 

ଦିନାନ୍ତରେ ଶେଷ ସୂର୍ଯ୍ୟରଶ୍ମି ଦିଗନ୍ତର ଅନ୍ଧାକାର ଭିତରେ ମ୍ରିୟମାଣ ହୋଇ ଶେଷରେ ନିଭିଗଲା ପରି ସୁନନ୍ଦାର ଜୀବନ-ଦୀପ ନିଭି ନିଭି ଆସୁଥିଲା । ବଞ୍ଚିତା ସେ, ବଞ୍ଚିବା ପାଇଁ ମନରେ ତାର ବିପୁଳ ବାସନା । କିନ୍ତୁ ଭାବୁଥିଲା ସୁନନ୍ଦା, ସତରେ ସେ କଣ ବଞ୍ଚିବ ? ତାର ବଞ୍ଚିତ ଜୀବନର ବେଦନାକୁ ଭୁଲିଯାଇ ସେ କଣ ଦିନେହେଲେ ତାର ବିଦଗ୍‌ଧ ହୃଦୟରେ ପରପୂର୍ଣ୍ଣ ଜୀବନର ମଧୁ ଆସ୍ୱାଦନ କରିପାରିବ ନାହିଁ ? ଯେତିକି ନିଜ ବିଷୟରେ ଭାବି ଚାଲିଥିଲା ସେ, ସେତିକି ମନେକରୁଥିଲା ହୁଏତ ସମସ୍ତ ଦୁର୍ଭୋଗ ପରେ ରକ୍ଷାପାଇଯିବ ସେ । ଭଗବାନଙ୍କ ଚରଣତଳେ ଅନ୍ତରର ଅର୍ଘ୍ୟ ନିବେଦନ କରି ଥରେ ଥରେ ଆକୁଳ ଆବେଦନ ଜଣାଉଥିଲା, ସୁନନ୍ଦା-। ତାର ଚାରିପାଖରେ ସେ ଅନୁଭବ କରୁଥିଲା ଅସ୍ତୟମାନ ସୂର୍ଯ୍ୟର ମୁଗ୍‌ଧତା-ସ୍ନିଗ୍‌ଧ ସନ୍ଧ୍ୟା ସମୀରଣର ସ୍ନିଗ୍‌ଧତା । ସନ୍ଧ୍ୟାର ବର୍ଣ୍ଣାଢ଼୍ୟ ବିପୁଳତା ଭିତରେ, ସୁଷମାମଣ୍ଡିତ ଶାନ୍ତ ଶୀତଳତା ମଧ୍ୟରେ ସେ ବଞ୍ଚିବାର ସ୍ୱପ୍ନ ଦେଖଥିଲା । ଯେଉଁ ଆକାଂକ୍ଷା ଓ ଆଶା ତାର ହୃଦୟରେ, ଦେହରେ ଓ ମନରେ ଏବଂ ପ୍ରତିଟି ଶୋଣିତ ବିନ୍ଦୁରେ ଜାଳିଦେଇଥିଲା ଶୁଭେନ୍ଦୁ, ତାରି ଚଞ୍ଚଳତାରେ ପ୍ରାୟ ଚିତ୍‌କାର କରି କହିଉଠିଲା ସୁନନ୍ଦା-ମୁଁ ବଞ୍ଚିବି-ମୋତେ ବଞ୍ଚିବା ପାଇଁ ବଳ ଦିଅ ଭଗବାନ !

 

ଭଗବାନଙ୍କ କାନରେ ତାହା ପହଞ୍ଚୁଥିଲା କି ନାହିଁ ଜଣାନାହିଁ; କିନ୍ତୁ ଯାହା କାନରେ ତାର କରୁଣତା ପହଞ୍ଚିଲା, ସେ ସୁନନ୍ଦାର ଜୀବନକୁ ଜୟ କରିନେବା ପାଇଁ ତାର ସମସ୍ତ ଶକ୍ତି ବିନିଯୋଗ କରି ସଂଗ୍ରାମ କରିବାରେ ଲାଗିଲା । ଶୁଭେନ୍ଦୁ ସୁନନ୍ଦାର ତାର ପାଇ ଫେରିଆସିଛି ପୁରୀରୁ । ସାଙ୍ଗରେ ଆସିଛନ୍ତି ବିଜୟ ଓ ନନ୍ଦିତା । ସମସ୍ତଙ୍କ ଆପ୍ରାଣ ଚେଷ୍ଟା-ସୁନନ୍ଦା ବଞ୍ଚିଯାଉ । ବ୍ୟାକୁଳ ପ୍ରାର୍ଥନା-ସେ ଭଲ ହୋଇଯାଉ ।

 

ଶୁଭେନ୍ଦୁର ଶାନ୍ତ ଶୀତଳ ସ୍ପର୍ଶ ଭିତରେ ସୁନନ୍ଦା ଉଷ୍ମତା ଅନୁଭବ କରେ । ତାର ସଜଳ ଚକ୍ଷୁର ଆଶଙ୍କିତ ଚାହାଣି ଭିତରେ ସମବେଦନାର ଝଙ୍କାର ଶୁଣେ । ସେ ଅପଲକ ନେତ୍ରରେ ଚାହିଁରହେ ଶୁଭେନ୍ଦୁର ସୁଦର୍ଶନ ମୁଖଶ୍ରୀକୁ । ଚାରିଆଡ଼ର ନିସ୍ତବ୍‌ଧତା ଭିତରେ ଅନୁଭବ କରେ ଆଗାମୀର ପରିପୂର୍ଣ୍ଣ ଜୀବନର ଧୂପଛାୟା । ଶିହରଣ ଆସେ ତାର ଶୀର୍ଣ୍ଣ ଶରୀରରେ । ବଞ୍ଚିରହିବାର ସ୍ୱପ୍ନ, ସଫଳ ଜୀବନର ସଙ୍କେତ, ବଞ୍ଚିତାର ମୁଖଶ୍ରୀ ଉପରେ, ଦେହର ଲାବଣ୍ୟ ଉପରେ ଅପୂର୍ବ ଏକ ଦୀପ୍ତି ସଞ୍ଚାର କରେ । ସ୍ତମ୍ଭିତ ହୋଇ ଦେଖେ ଶୁଭେନ୍ଦୁ-ସୁନନ୍ଦାର ମୁହଁରେ ସ୍ମିତ ହାସ୍ୟ ! ତାର ଚକ୍ଷୁର ନିଷ୍ପ୍ରଭତା ଭିତରେ ଥରେ ପ୍ରାଣ-ପ୍ରଦୀପ ଥରଥର ହୋଇ କମ୍ପି ଉଠେ ।

 

ସ୍ନିଗ୍‌ଧ କୋମଳ କଣ୍ଠରେ ପଚାରେ ଶୁଭେନ୍ଦୁ-

‘‘ତୁମକୁ ଟିକିଏ ଭଲ ଲାଗୁଛି ସୁ- ?’’

 

ସୁନନ୍ଦା ଉତ୍ତର ଦିଏ ନାହିଁ; କିନ୍ତୁ ଶୁଭେନ୍ଦୁର ହାତଟିକୁ ନିଜ ଦେହ ଉପରକୁ ଟାଣି ନେଇ ତାର ଉଷ୍ମତା ଉପଭୋଗ କରେ । ତାହାହିଁ ଯେପରି ତାର ଉତ୍ତର । ଯାହା ଦୁଇ ପଦ କଥାରେ କହିହୁଏ ନାହିଁ, ତାହାର ଅସରନ୍ତି ଅର୍ଥ କେବଳ କ୍ଷଣକର ଉଷ୍ମତା ଭିତରେ, ମୁହୂର୍ତ୍ତକର ପ୍ରାଣପୂର୍ଣ୍ଣ ସ୍ପର୍ଶ ଭିତରେ ପ୍ରକାଶ ପାଇଯାଏ ।
 

 

ଶୁଭେନ୍ଦୁ ସୁନନ୍ଦାର ଶୀର୍ଣ୍ଣ କପୋଳର ସ୍ୱେଦବିନ୍ଦୁ ପୋଛିଦିଏ । କେତେବେଳେ ଉଦ୍‌ଗତ ଅଶ୍ରୁମୋଚନ କରେ, ଆଉ କେତେବେଳେ ତାର ମଥା ଉପରେ ଚୂର୍ଣ୍ଣ କୁନ୍ତଳଗୁଡ଼ିକ ସୁବିନ୍ୟସ୍ତ କରିବା ପାଇଁ ଚେଷ୍ଟା କରେ । ଏଇଥିରେ ଯେପରି ଅମୃତ ଝରେ- ଆଉ ସେଇ ଅମୃତ ପାନକରି ଅମୃତା ହୋଇ ବଞ୍ଚିରହିବା ପାଇଁ ଆଶା ହୁଏ ସୁନନ୍ଦାର । ସେ ତାର ଚତୁର୍ଦ୍ଦିଗରେ ଦେଖେ ମଧୁପୂର୍ଣ୍ଣ ଜୀବନର ସମାବେଶ । ଜଳରେ, ସ୍ଥଳରେ, ଆକାଶରେ ଏବଂ ବାୟୁରେ ସେ କଳ୍ପନା କରେ ମଧୁ- କ୍ଷରଣର ମୁଗ୍‌ଧତା । ଶୁଭେନ୍ଦୁର ହାତଟିକୁ ବୁକୁ ଉପରେ ଚାପି ରଖି ମର୍ମରିତ କଣ୍ଠରେ କହିଉଠେ ସୁନନ୍ଦା-

 

‘‘ମୋତେ ସତରେ ତୁମେ ଭଲ ପାଅ ଶୁଭେନ୍ଦୁ ?’’

ଶୁଭେନ୍ଦୁ ଉତ୍ତର ଦିଏ- ‘‘ହଁ ଭଲପାଏ- ଖୁବ୍‌ ଭଲପାଏ !’’

 

ଆଉ କଣ କହିବାକୁ ଚେଷ୍ଟାକରେ ସୁନନ୍ଦା; କିନ୍ତୁ କହିପାରେ ନାହିଁ । ରୋଗଶଯ୍ୟାରେ ପଡ଼ି ପଡ଼ି ଦେହ ଓ ମନ ତାର ଶୀର୍ଣ୍ଣ ହୋଇଯାଇଛି । ସେ ଏତିକିରେ କ୍ଲାନ୍ତ ହୋଇପଡ଼େ । ତାର ଅଧର ଦୁଇଟି କମ୍ପିଉଠେ- କିନ୍ତୁ କୌଣସି କଥା ଉଚ୍ଚାରିତ ହୁଏନାହିଁ ।

 

ଶୁଭେନ୍ଦୁର ଅନ୍ତର ଆଲୋଡ଼ିତ କରି ଏକ ଦୀର୍ଘ ନିଶ୍ୱାସ ନିଃଶବ୍ଦରେ ବହିଯାଏ । ସେ ଡାକ୍ତରଙ୍କୁ ଶଙ୍କିତ କଣ୍ଠରେ ପଚାରେ-

 

‘‘ସୁନନ୍ଦା ଭଲ ହୋଇଯିବ ତ ଡକ୍‌ଟର ?’’ ଡାକ୍ତର ଶୁଭେନ୍ଦୁର ମୁହଁକୁ ଚାହାନ୍ତି-ସୁନନ୍ଦାର ଚକ୍ଷୁରେ ଆଶାର ଆଲୋକ ଦେଖନ୍ତି-କଣ କହିବେ ନ କହିବେ ଚିନ୍ତା କରିବା ଆଗରୁ ମଣିଷର ସ୍ୱାଭାବିକ ସମବେଦନା ନେଇ କହି ଉଠନ୍ତି ଡାକ୍ତର-

 

‘‘ସେ ଆଶା ରଖନ୍ତୁ ଶୁଭେନ୍ଦୁବାବୁ ! ସୁନନ୍ଦା ଭଲ ହୋଇଯିବେ ।’’

 

‘ସୁନନ୍ଦା ଭଲ ହୋଇଯିବ’- ଏଇ ପଦକ କଥା ଭିତରେ ପୃଥିବୀର ଇତିହାସ ନାହିଁ, ଅଗଣିତ ସମର ଓ ସଂଘର୍ଷର ଉଦ୍ୟମ ଓ ପରିଣତ ନାହିଁ; କିନ୍ତୁ ଅଛି ଗୋଟିଏ ଜୀବନର ଜୟଗାନ-ୟଜୟଯାତ୍ରା ! ଏହା କଣ କମ୍ ଆଶ୍ୱାସନାର କଥା !

 

ନନ୍ଦିତା କୋଠରୀ ଭିତରେ ପ୍ରବେଶ କରି ସୁନନ୍ଦାକୁ ସାମାନ୍ୟ ଟିକିଏ ଫଳରସ ଖୁଆଇ ଦେଲା । ବହୁ କଷ୍ଟକରି ଖାଇଲା ସୁନନ୍ଦା-ଆଉ ଖାଇବାରେ ଆଗ୍ରହ ନାହିଁ । ନନ୍ଦିତା ତାର ମୁହଁ ପୋଛିଦେଇ ପାଖରେ ବସିଲା । ଶୁଭେନ୍ଦୁ ବଜାରରୁ କେତେକ ଆବଶ୍ୟକୀୟ ଔଷଧ ଆଣିବାକୁ ଗଲା ।

 

ସୁନନ୍ଦା ଭଙ୍ଗା ଭଙ୍ଗା ସ୍ୱରରେ କହିଲା-‘‘ତୁମେ ମୋ ପାଖକୁ କାହିଁକି ଆସୁଛ ଭାଉଜ ? ଦେଖୁନା, ମୋର କଣ ହୋଇଛି ?’’

 

ନନ୍ଦିତା ସାନ୍ତ୍ୱନା ଦେଇ କହିଲା- ‘‘ତୁମର କିଛି ହୋଇନି ସୁ ! ତୁମେ ନିଶ୍ଚେ ଭଲ ହୋଇଯିବ । ଶୁଭେନ୍ଦୁ ପାଇଁ ତୁମକୁ ଭଲ ହେବାକୁ ପଡ଼ିବ ।’’

 

ଶୁଭେନ୍ଦୁ ଚାହେଁ, ସମସ୍ତେ ଚାହାନ୍ତି, ସୁନନ୍ଦା ଭଲ ହୋଇଯାଉ । ହେଲେ, ସତରେ ସେ କଣ ଭଲ ହେବ ? ଯକ୍ଷ୍ମା ପରି କଠିନ ରୋଗର କବଳରୁ ନିଷ୍କୃତି ପାଇବ ସେ ? ଥରେ ଥରେ ବିଶ୍ୱାସ ହୁଏ ସୁନନ୍ଦାର । ଆଖିରୁ ତାର ଲୁହ ଝରେ- ବୁକୁରୁ କୋହ ଉଠେ । ସେ ନିଜକୁ ସମ୍ଭାଳି ପାରେନାହିଁ- କାଶ ଉଠେ ।

 

‘‘ତାହାହିଁ ହେଉ ଭାଉଜ !’’

 

ଉଠି ଆସୁଥିବା କାଶକୁ ଚାପି କହିଲା ସୁନନ୍ଦା । କିନ୍ତୁ କହିସାରିବା ପରେ ପରେ ପ୍ରବଳ ବେଗରେ କାଶ ଉଠିଲା, ଆଉ ତା ସଙ୍ଗେ ସଙ୍ଗେ ଝଲକାଏ ତାଜା ଲାଲ ରକ୍ତ । ସୁନନ୍ଦା କ୍ଲାନ୍ତିରେ ଲୋଟିପଡ଼ିଲା; ତାର ବୁକୁ ଉପରେ ହାତ ଚାପି ଯେପରି ସମସ୍ତ କଷ୍ଟ ସମସ୍ତ ବେଦନାକୁ ରୋକିବା ପାଇଁ ଅପ୍ରାଣ ଚେଷ୍ଟା କଲା । ଆଶଙ୍କାରେ ଶିହରି ଉଠିଲା ନନ୍ଦିତା । ସିଷ୍ଟର ସଙ୍ଗେ ସଙ୍ଗେ ନନ୍ଦିତାର ମୁହଁ ପୋଛି, ସ୍ଥାନ ପରିଷ୍କାର କରି ଇଞ୍ଜେକ୍‌ସନ୍ ଦେଲେ । ସୁନନ୍ଦାର କ୍ଲାନ୍ତ ଚକ୍ଷୁରେ ଧୀରେ ଧୀରେ ତନ୍ଦ୍ରା ଜଡ଼ି ଆସିଲା ।

 

ସୁନନ୍ଦାକୁ ଉଦ୍‌ବେଗପୂର୍ଣ୍ଣ ନୟନରେ ଚାହିଁ ବସିରହିଲା ନନ୍ଦିତା । ଯେତିକି ଦେଖିଛି ସେ ସୁନନ୍ଦାକୁ, ସେତିକି ମନେପଡ଼ୁଛି ତାର ନିଜ କଥା, ନିଜର କରୁଣ ଅତୀତ । ଆଜି ସବୁ ପାଇବାର ଦ୍ୱାରଦେଶରେ ଛିଡ଼ାହୋଇ ମଧ୍ୟ ସୁନନ୍ଦା ଆଗକୁ ଯାଇ ପାରୁନାହିଁ; ପଛରୁ କିଏ ଟାଣିଧରୁଛି- ହତଭାଗିନୀ ସୁନନ୍ଦା ! ତାର ଅତୀତ ଯେପରି ତିକ୍ତ, ବର୍ତ୍ତମାନ ସେହିପରି ବେଦନାମୟ ଏବଂ ଭବିଷ୍ୟତ ଶ୍ରାବଣର ଅନିଶ୍ଚିତ ଆକାଶ ପରି ଅନିଶ୍ଚିତ ।

 

କଠିନ ବ୍ୟାଧିଗ୍ରସ୍ତା ସୁନନ୍ଦା-ଶୁଭେନ୍ଦୁର ସେ ବାଗ୍‌ଦତ୍ତା ତରୁଣୀ । ଶୁଭେନ୍ଦୁ ସହସ୍ର ପାଇଁ ନିଜକୁ ଉତ୍ସର୍ଗ କରିଚି । ଅଜସ୍ର ଆଶୀର୍ବାଦରେ ମଥା ନଇଁଯାଇଛି ତାର । କିନ୍ତୁ ତାର ଜୀବନ ପାଇଁ ଯେ ନିଜକୁ ଉତ୍ସର୍ଗ କରିଛି । କୋଟିଏ ପାଇଁ ଗୋଟିକୁ ଶକ୍ତଶାଳୀ, ସ୍ୱାସ୍ଥ୍ୟବାନ ଓ ସୁନ୍ଦର କରିବା ପାଇଁ ଯାହାର ତପସ୍ୟା-ତାର ସମସ୍ତ ସାଧନା ଆଜି ବିଫଳ ହୋଇଯିବ ? ନନ୍ଦିତାର ନୟନପ୍ରାନ୍ତରୁ ଦୁଇ ବିନ୍ଦୁ ଅଶ୍ରୁ ଝରିପଡ଼ିଲା । ପୋଛିଲା ନାହିଁ ସେ ଲୁହ-ଏକ ନାରୀ ପାଇଁ ଆଉ ଏକ ନାରୀର ପ୍ରାଣରେ ଅଶ୍ରୁର ବନ୍ୟା-ସମବାଦନା, ସହାନୁଭୁତିର ବିଦଗ୍‌ଧ ବିକଳ ଅନୁଭୂତି !

 

ସବୁ ଜାଣି ମଧ୍ୟ ସୁନନ୍ଦା ପାଖରେ ବସିରହେ ନନ୍ଦିତା । ଇଶ୍ୱର ମଙ୍ଗଳମୟ । ଜଗନ୍ନାଥଙ୍କର ମହାବାହୁ ସମସ୍ତଙ୍କୁ ଆଶ୍ରୟ ଦେବାପାଇଁ ଆଗଭର । ତା ହେଲେ ଭୟ କରିବ ସେ କାହାକୁ ? ରୋଗକୁ ଭୟ କରି ଶୁଭେନ୍ଦୁ ପରି ସତ୍‌ପ୍ରାଣର ଏକ ସ୍ଫୁଲିଙ୍ଗ ଯାହା ପାଖରେ ଚିର ଜାଗ୍ରତ ରହି ଜଳିବାକୁ ଚେଷ୍ଟା କରୁଛି, ତାକୁ ନିର୍ବିପାତ କରିବାରେ ସାହାଯ୍ୟ କରିବ ? ତା ହୋଇ ପାରେନା- ସର୍ବଂସହା ନନ୍ଦିତା ପକ୍ଷରେ ତାହା ଅସମ୍ଭବ । ଏଇଥିପାଇଁ ଶାଶୁଙ୍କୁ ସାନ୍ତ୍ୱନା ଦେଇ, ସ୍ୱାମୀଙ୍କୁ ଅନ୍ୟ ଦିଗରେ ଶୁଭେନ୍ଦୁକୁ ସାହାଯ୍ୟ କରିବାରେ ନିଯୁକ୍ତ କରି ରୋଗିଣୀର ସେବା କରିବାର ଭାର ସେ ନେଇଛି । ଯେଉଁଦିନ ବିଜୟକୁ ଫେରିପାଇଲା ସେ- ଯେଉଁଦିନ ରୁକୁଣା ରଥ ଲେଉଟି ଆସିଲା ତାର ଜୀବନ ପଥରେ ଜୟଗାନ କରି, ସେଇଦିନୁ ନନ୍ଦିତା ପ୍ରାଣରେ ନନ୍ଦନକାନନର ଶୁଭ୍ରତା, ପବିତ୍ରତା । ପାରିଜାତ ପରି ତାର ଜୀବନ- ସୌରଭରେ ସେ ମୁଗ୍‌ଧ, ବିକଶିତ । ସେ ନିଜକୁ ନିବେଦନ କରିଛି ସେବାରେ ।

 

ସେ ହୋଇଛି ନିବେଦିତା । ବିଜୟ ସ୍ୱାଗତ ଜଣାଇଛି ତାର ଇଚ୍ଛାକୁ । ସାହାଯ୍ୟ କରିଛି ସ୍ତ୍ରୀକୁ, ଅନ୍ୟର ଲୁହ ପୋଛି ହସ ଫୁଟାଇବା ପାଇଁ ।

 

ଆଉ ଶୁଭେନ୍ଦୁ ? ସେଦିନ ରାତିରେ ଖାଇବାବେଳେ ଶୈବାଳିନୀ କହିଲେ-

 

‘‘ବିଜୟ ମୋର ଯଦି ବଡ଼ପୁଅ-ତୁ ମୋର କୋଳପୋଛା ଆଦରର ଧନ ଶୁଭେନ୍ଦୁ ! ମୁଁ ତୋର ମା-ବିଜୁ ତୋର ବଡ଼ଭାଇ ।’’

 

ଶୁଭେନ୍ଦୁ ଛଳଛଳ ନୟନରେ ଚାହିଁ ରହିଥିଲା ମା’ଙ୍କ ଆଡ଼େ । ତାଙ୍କରି ରୂପ ଭିତରେ ସେ ନିଜ ଜନନୀର ଚିରନ୍ତନ ରୂପ ଦେଖି ବିସ୍ମୟ-ବିମୁଗ୍‌ଧ ହୋଇଗଲା । ସେହିଦିନଠାରୁ ନନ୍ଦିତାର ସଂସାରରେ ଶୁଭେନ୍ଦୁର ଏକ ସ୍ଥାୟୀ ସ୍ଥାନ ସୁନିର୍ଦ୍ଦିଷ୍ଟ ହୋଇଗଲା ।

 

ଆଜି ସୁନନ୍ଦା ପାଖରେ ବସି ସବୁ ମନେପଡ଼ୁଥିଲା ନନ୍ଦିତାର । ଯଦି ସୁନନ୍ଦା ବଞ୍ଚିଯାଏ, ଯଦି ତାର ନିଭି ଆସୁଥିବା ଜୀବନଦୀପ ପୁଣିଥରେ ପରମାତ୍ମାଙ୍କ କରୁଣା ବଳରେ ପରିତ୍ରାଣ ପାଇ ପୁଣି ଜଳିଉଠେ, କେଡ଼େ ଭାଗ୍ୟବାନ ନ ହେବ ଶୁଭେନ୍ଦୁ ? ସତେ କଣ ଦୟା ହେବ ଦିନବନ୍ଧୁଙ୍କର- ହତଭାଗିନୀ ସୁନନ୍ଦା ଫେରିପାଇବ ନାରୀର ପରମ ମର୍ଯ୍ୟାଦା !

 

ସୁନନ୍ଦାକୁ ଟିକିଏ ଭଲ ଲାଗିଲେ ପଦେ ପଦେ କରି ତା ରିକ୍ତ ଜୀବନର ତିକ୍ତ କାହାଣୀ କହିଛି ନନ୍ଦିତା ଆଗରେ । ନନ୍ଦିତାର ନୟନରେ ସେ ଦେଖିଛି ଜନନୀ ଓ ଭଗିନୀର ଅନ୍ତରବୁଝା ମମତା, ତାର ପରଶରେ ପାଇଛି ସ୍ନେହପ୍ରୀତିର ଶାନ୍ତଶୀତଳ ଅନୁଭବ । କହିଲାବେଳେ ସେ କାନ୍ଦିଛି- କନ୍ଦାଇଛି ନନ୍ଦିତାକୁ । ବିଡ଼ମ୍ବିତ, ବିଧୂର ଜୀବନର ଏକ ବ୍ୟର୍ଥତାପୂର୍ଣ୍ଣ ସେ ଇତିହାସ । କାନ୍ଦି କାନ୍ଦି ଶେଷ ହୋଇଯିବା ପାଇଁ ଯେପରି ଜନ୍ମ ସୁନନ୍ଦାର ।

 

ଚାହିଁଲା ସୁନନ୍ଦା । ଆଗରେ ନନ୍ଦିତା । କାହାକୁ ଦେଖିବା ପାଇଁ ଖୋଜିହେଲା । ଆଉ ଜଣକର ସାନ୍ନିଧ୍ୟ ପାଇଁ ଆକୁଳ ହୋଇଉଠିଲା ସୁନନ୍ଦା । ତାର ମନକଥା ବୁଝିପାରି କହିଲା ନନ୍ଦିତା-

 

‘‘ଏଇନାଗେ ଆସିବେ ଶୁଭେନ୍ଦୁ । ତୁମକୁ ଛାଡ଼ି କଣ ବେଶି ସମୟ ସେ ରହିପାରିବେ ସୁ-!’’

 

ନନ୍ଦିତା ସତ କହିଛି । ସୁନନ୍ଦାକୁ ବେଶି ସମୟ ଛାଡ଼ି ରହିପାରିବ ନାହିଁ ଶୁଭେନ୍ଦୁ । କିନ୍ତୁ ଏତେ ଡେରି କରୁଛନ୍ତି କାହିଁକି ? କେତେବେଳୁ ଗଲେଣି । ଯୁଗେ ପରି ଲାଗୁଛି ସୁନନ୍ଦାକୁ । ଅଭିମାନ ହେଲା ସୁନନ୍ଦାର ! ମୁହଁ ଫେରାଇ ମନକୁ ମନ କହିଲା ସେ-

 

‘‘କାହିଁକି ସେ ଆସିବେ ? ମୁଁ ତାଙ୍କର କିଏ ?’’

 

ଭାବିପାରିଲା ନାହିଁ ସେ ଆଉ । ଏ ଦୁନିଆରେ କିଏ ଅଛି ତାର ? ସେ କେଡ଼େ ଏକୁଟିଆ- ତାର ଚଲାପଥ କେଡ଼େ ନିଛାଟିଆ । କୋହ ଉଠିଲା ସୁନନ୍ଦାର । ଲୁହ ଝରିଲା ନୟନରୁ-। ଭାବିଚାଲିଲା-ସେ ବିଷକନ୍ୟା-ତାର ସଂସ୍ପର୍ଶରେ ତିଷ୍ଠି ରହିପାରିବେ ନାହିଁ କେହି । ଅଭିଶପ୍ତ ତାର ଜୀବନ । ହାହାକାର ଭିତରେ ତାର ଅବସାନ ହେବ । ହା-ହୁତାଶ ଭିତରେ ଜୀବନ-ଦୀପ ଲିଭିଯିବ-

 

ସେ କଇଁକଇଁ ହୋଇ ଶିଶୁଭଳି କାନ୍ଦିଉଠିଲା । ଆଉ ସେହି ମୁହୂର୍ତ୍ତରେ ଶୁଭେନ୍ଦୁ ଆସି ପହଞ୍ଚିଲା ।

 

ନନ୍ଦିତାର ବାରଣ ସତ୍ତ୍ୱେ, ଶୁଭେନ୍ଦୁର ଶାନ୍ତ୍ୱନା ସତ୍ତ୍ୱେ ସେ ଲୁହ, ସେ କୋହ ବନ୍ଦ ହେଲା ନାହିଁ ସୁନନ୍ଦାର । ସେ ଶୁଭେନ୍ଦୁର ହାତପାପୁଲିରେ ନିଜର ମୁହଁ ଢାଙ୍କି ଆହୁରି ଜୋରରେ କାନ୍ଦିଉଠିଲା । ସେଇ କ୍ରନ୍ଦନର ଉଚ୍ଛ୍ୱାସ ଓ ଭାବାବେଗ ସହ୍ୟ କରି ନ ପାରି ସେଇ ମୁହୂର୍ତ୍ତରେ ସାଙ୍ଘାତିକ କାଶ ଉଠିଲା ସୁନନ୍ଦାର- ଆଉ ତା ସଙ୍ଗେ ସଙ୍ଗେ ତାଜା ଲାଲ-ରକ୍ତ । ଥରେ ନୁହେଁ, ଦୁଇଥର ନୁହେଁ, ତିନିଥର । ତିନିଥର ରକ୍ତବାନ୍ତିରେ ସୁନନ୍ଦାର ବ୍ୟାକୁଳ ବିଦଗ୍‌ଧ ହୃଦୟର ସମସ୍ତ ଆଶା-ଆକାଂକ୍ଷା, କାମନା-ବାସନା ନିଃଶେଷ ହୋଇଗଲା ମୁହୂର୍ତ୍ତକରେ । ତାର ଜୀବନ ନିଶ୍ୱାସ ସମସ୍ତଙ୍କର ଅଲକ୍ଷ୍ୟରେ ନିରୁଦ୍ଦିଷ୍ଟ ହୋଇଗଲା । ସେହି ବେଦନାର୍ତ୍ତ, ଶୀର୍ଣ୍ଣ, ଶାନ୍ତ, ହିମଶୀତଳ ମୁହଁକୁ ଚାହିଁ ବ୍ୟାକୁଳ ହୃଦୟର ଏକ ଗଭୀରତମ ଦୀର୍ଘ ନିଶ୍ୱାସ ତ୍ୟାଗ କରି ବେଦନାର ଗୁରୁଭାରରେ ପର ମୁହୂର୍ତ୍ତରେ ନିର୍ବାକ୍, ନିଶ୍ଚଳ ହୋଇ ସୁନନ୍ଦା ଉପରେ ଏକ ଶୁଭ୍ର ସ୍ୱଚ୍ଛ ବସ୍ତ୍ର ଢାଙ୍କି ଦେଲା ଶୁଭେନ୍ଦୁ । ମୁହଁରେ ତାର ଭାଷା ନ ଥିଲା- ମନରେ ତାର ଆଶା ନ ଥିଲା- କେବଳ ତାର ଦୁଇ ଆଖିରେ ଥିଲା ସାଗରର ଜଳ ।

Image